ମହାମହିମ, ଚାନ୍ସେଲର କାର୍ଲ ନେହମାର,

ଉଭୟ ଦେଶର ପ୍ରତିନିଧି

ଗଣମାଧ୍ୟମର ବନ୍ଧୁମାନେ,

ନମସ୍କାର!

ମୁଁ ଚାନ୍ସେଲର ନେହମାରଙ୍କୁ ଉଦାର ସ୍ୱାଗତ ଏବଂ ଆତିଥେୟତା ପାଇଁ ଧନ୍ୟବାଦ ଦେଇ ନିଜ ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ଅଷ୍ଟ୍ରିଆ ଗସ୍ତ କରିବାର ସୁଯୋଗ ପାଇଲି ।  ମୋ ଗସ୍ତ ଐତିହାସିକ ତଥା ସ୍ୱତନ୍ତ୍ର । ୪୧ ବର୍ଷ ପରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ମଧ୍ୟ ଖୁସିର କଥା ଯେ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମ ପାରସ୍ପରିକ ସମ୍ପର୍କକୁ ୭୫ ବର୍ଷ ପୂରିଛି ।

 

ବନ୍ଧୁଗଣ,
ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ମିଳିତ ବିଶ୍ୱାସ ଆମ ସମ୍ପର୍କର ମଜଭୁତ ଭିତ୍ତିଭୂମି । ପାରସ୍ପରିକ ବିଶ୍ୱାସ ଏବଂ ସହଭାଗୀ ସ୍ୱାର୍ଥ ଦ୍ୱାରା ଆମର ସମ୍ପର୍କ ସୁଦୃଢ଼ ହୋଇଥାଏ । ଆଜି ଚାନ୍ସେଲର ନେହମର ଏବଂ ମୋ ମଧ୍ୟରେ ବହୁତ ଫଳପ୍ରଦ କଥାବାର୍ତ୍ତା ହୋଇଥିଲା । ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ନୂତନ ସମ୍ଭାବନା ଚିହ୍ନଟ କରିଛୁ । ଆମେ ନିଷ୍ପତ୍ତି ନେଇଛୁ ଯେ ସମ୍ପର୍କକୁ ରଣନୀତିକ ଦିଗକୁ ନିଆଯିବ। ଆଗାମୀ ଦଶନ୍ଧି ପାଇଁ ସହଯୋଗର ଏକ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା କେବଳ ଅର୍ଥନୈତିକ ସହଯୋଗ ଓ ନିବେଶରେ ସୀମିତ ନୁହେଁ। ଭିତ୍ତିଭୂମି ବିକାଶ, ଉଦ୍ଭାବନ, ଅକ୍ଷୟ ଶକ୍ତି, ଉଦଜାନ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ ଆଦି କ୍ଷେତ୍ରରେ ପରସ୍ପରର ସାମର୍ଥ୍ୟକୁ ଯୋଡ଼ିବା ପାଇଁ କାର୍ଯ୍ୟ କରାଯିବ। ଉଭୟ ଦେଶର ଯୁବଶକ୍ତି ଓ ଚିନ୍ତାଧାରାକୁ ଯୋଡ଼ିବା ପାଇଁ ଷ୍ଟାର୍ଟଅପ୍ ସେତୁକୁ ତ୍ୱରାନ୍ୱିତ କରାଯିବ। ପରିବହନ ଏବଂ ପ୍ରବାସ ସହଭାଗୀତା ଉପରେ ପୂର୍ବରୁ ଏକ ଚୁକ୍ତି ହୋଇସାରିଛି। ଏହା ଦ୍ୱାରା ଆଇନଗତ ସ୍ଥାନାନ୍ତର ଏବଂ କୁଶଳୀ କର୍ମଚାରୀଙ୍କ ଯାତାୟାତରେ ସୁବିଧା ହେବ । ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରାଯିବ।
ବନ୍ଧୁଗଣ,
ଆମେ ଯେଉଁ ହଲରେ ଠିଆ ହୋଇଛୁ ତାହା ଅତ୍ୟନ୍ତ ଐତିହାସିକ । ଉନବିଂଶ ଶତାବ୍ଦୀରେ ଏଠାରେ ଐତିହାସିକ ଭିଏନା କଂଗ୍ରେସ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀ ୟୁରୋପରେ ଶାନ୍ତି ଓ ସ୍ଥିରତା ପାଇଁ ମାର୍ଗ  ଦେଖାଇଥିଲା। ଚାନ୍ସେଲର ନେହମାର ଏବଂ ମୁଁ ବିଶ୍ୱର ସମସ୍ତ ସଂଘର୍ଷ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛୁ, ତାହା ୟୁକ୍ରେନର ସଂଘର୍ଷ ହେଉ କିମ୍ବା ପଶ୍ଚିମ ଏସିଆର ପରିସ୍ଥିତି ହେଉ । ମୁଁ ପୂର୍ବରୁ କହିସାରିଛି ଯେ ଏହା ଯୁଦ୍ଧର ସମୟ ନୁହେଁ । ଯୁଦ୍ଧ କ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଯେଉଁଠି ବି ହେଉ, ନିରୀହ ଜୀବନ ହାନି ଗ୍ରହଣୀୟ ନୁହେଁ। ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ଭାରତ ଓ ଅଷ୍ଟ୍ରିଆ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ଆମେ ସମସ୍ତେ ମିଳିମିଶି ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ।

 

ବନ୍ଧୁଗଣ,
ଆଜି ଆମେ ଜଳବାୟୁ ପରିବର୍ତ୍ତନ ଏବଂ ମାନବିକତା ସମ୍ମୁଖୀନ ହେଉଥିବା ଆତଙ୍କବାଦ ଭଳି ଆହ୍ୱାନ ଉପରେ ମଧ୍ୟ ମତ ରଖିଛୁ । ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଜୈବ ଇନ୍ଧନ ମେଣ୍ଟ ଭଳି ଆମର ପଦକ୍ଷେପରେ ସାମିଲ ହେବା ପାଇଁ ଆମେ ଅଷ୍ଟ୍ରିଆକୁ ନିମନ୍ତ୍ରଣ କରୁଛୁ । ଆମେ ଦୁହେଁ ଆତଙ୍କବାଦକୁ ଦୃଢ଼ ନିନ୍ଦା କରୁଛୁ। ଆମେ ସହମତ ଯେ ଏହା କୌଣସି ପ୍ରକାରରେ ଗ୍ରହଣୀୟ ନୁହେଁ । ଏହାକୁ କୌଣସି ପ୍ରକାରେ ଯୁକ୍ତିଯୁକ୍ତ କରାଯାଇ ପାରିବ ନାହିଁ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକୁ ସମସାମୟିକ ଏବଂ ପ୍ରଭାବଶାଳୀ କରିବା ପାଇଁ ଆମେ ସଂସ୍କାର କରିବାକୁ ରାଜି ।

ବନ୍ଧୁଗଣ,
ଆଗାମୀ ମାସରେ ଅଷ୍ଟ୍ରିଆରେ ନିର୍ବାଚନ ହେବ। ଗଣତନ୍ତ୍ରର ଜନନୀ ତଥା ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଜନନୀ ଭାରତବାସୀଙ୍କ ତରଫରୁ ମୁଁ ଚାନ୍ସେଲର ନେହମାର ଏବଂ ଅଷ୍ଟ୍ରିଆବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଅଳ୍ପ ସମୟ ମଧ୍ୟରେ ଆମେ ଉଭୟ ଦେଶର ସିଇଓଙ୍କୁ ଭେଟିବୁ। ଅଷ୍ଟ୍ରିଆର ମାନ୍ୟବର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମଧ୍ୟ ପାଇବି । ପୁଣି ଥରେ ମୁଁ ଚାନ୍ସେଲର ନେହମାରଙ୍କୁ ତାଙ୍କ ବନ୍ଧୁତା ପାଇଁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆପଣଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରୁଛି । ଆପଣଙ୍କୁ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi