18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭାରତୀୟ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ ଭାରତ ସରକାର
ରାଜ୍ୟଗୁଡ଼ିକ ପାଖରେ ଥିବା 25 ପ୍ରତିଶତ ଟିକାକରଣ ସହ ଜଡ଼ିତ କାର୍ଯ୍ୟ ବର୍ତ୍ତମାନ କେନ୍ଦ୍ର ସରକାର କରିବେ : ପ୍ରଧାନମନ୍ତ୍ରୀ
ଏଣିକି ଭାରତ ସରକାର ଉତ୍ପାଦନକାରୀଙ୍କ ଠାରୁ ମୋଟ୍ ଉତ୍ପାଦନର 75 ପ୍ରତିଶତ ଟିକା କ୍ରୟ କରି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦୀପାବଳି ପର୍ଯ୍ୟନ୍ତ ସମ୍ପ୍ରସାରିତ : ପ୍ରଧାନମନ୍ତ୍ରୀ
ନଭେମ୍ବର ପର୍ଯ୍ୟନ୍ତ, 80କୋଟି ଲୋକଙ୍କୁ ପ୍ରତି ମାସ ମିଳିବ ମାଗଣା ଖାଦ୍ୟଶସ୍ୟ : ପ୍ରଧାନମନ୍ତ୍ରୀ
କରୋନା, ବିଗତ ଶହେ ବର୍ଷର ସବୁଠୁ ମାରାତ୍ମକ ବିପର୍ଯ୍ୟୟ : ପ୍ରଧାନମନ୍ତ୍ରୀ
ଆଗାମୀ ଦିନରେ ଟିକା ଯୋଗାଣ ବୃଦ୍ଧି ପାଇବ : ପ୍ରଧାନମନ୍ତ୍ରୀ
ନୂଆ ଟିକା ବିକାଶର ଅଗ୍ରଗତି ସମ୍ପର୍କରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ
ପିଲାଙ୍କ ପାଇଁ ଟିକା ଓ ନାଜାଲ ଭ୍ୟାକ୍ସିନର ପରୀକ୍ଷା ଜାରି ରହିଛି : ପ୍ରଧାନମନ୍ତ୍ରୀ
ଯେଉଁମାନେ ଟିକାକୁ ନେଇ ଆଶଙ୍କା ସୃଷ୍ଟି କରୁଛନ୍ତି ସେମାନେ ଦେଶବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।

ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ମହାମାରୀକୁ ବିଗତ ଶହେ ବର୍ଷର ସବୁଠୁ ମାରାତ୍ମକ ବିପର୍ଯ୍ୟୟ ଭାବେ ଅଭିହିତ କରିବା ସହିତ ଆଧୁନିକ ବିଶ୍ବ ଏପରି ମହାମାରୀକୁ କେବେ ଦେଖିନଥିଲା କିମ୍ବା ଅନୁଭବ କରିନଥିଲା ବୋଲି କହିଥିଲେ। ସେ କହିଥିଲେ ଯେ ଦେଶ ବିଭିନ୍ନ ମୋର୍ଚ୍ଚାରୁ ଏହି ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି। ଏହି ଅବସରରେ ଶ୍ରୀ ମୋଦୀ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ।

ଅଧିକାଂଶ ରାଜ୍ୟ ଟିକାକରଣ ରଣନୀତିକୁ ବଦଳାଇବା ସମ୍ପର୍କରେ ପୁନର୍ବିଚାର ପାଇଁ ଦାବି କରିବା ସହିତ ମେ ପହିଲା ପୂର୍ବରୁ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ରାଜ୍ୟଗୁଡ଼ିକ ପାଖରେ ଥିବା 25 ପ୍ରତିଶତ ଟିକାକରଣ କାର୍ଯ୍ୟ ବର୍ତ୍ତମାନ ଭାରତ ସରକାର ବହନ କରିବେ। ଏହାକୁ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଦୁଇ ସପ୍ତାହ ମଧ୍ୟରେ ନୂଆ ମାର୍ଗଦର୍ଶିକା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବେ। ପ୍ରଧାନମନ୍ତ୍ରୀ ଆହୁରି ଘୋଷଣା କରିଥିଲେ ଯେ ଜୁନ 21 ତାରିଖ ପରଠାରୁ 18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭାରତୀୟ ନାଗରିକମାନଙ୍କୁ ଭାରତ ସରକାର ମାଗଣାରେ ଟିକା ଯୋଗାଇ ଦେବେ। ଏଥିପାଇଁ ଭାରତ ସରକାର ଟିକା ଉତ୍ପାଦନକାରୀମାନଙ୍କ ଠାରୁ 75 ପ୍ରତିଶତ ଟିକା କିଣିବା ସହିତ ସେଗୁଡ଼ିକୁ ମାଗଣାରେ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବେ। କୌଣସି ରାଜ୍ୟ ସରକାରଙ୍କୁ ଟିକା ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସୁଦ୍ଧା, କୋଟି କୋଟି ଲୋକ ମାଗଣା ଟିକା ପାଇସାରିଛନ୍ତି, ଏବେ 18 ବର୍ଷ ବୟସ୍କ ନାଗରିକମାନେ ଏହି ନିଃଶୁଳ୍କ ଟିକାକରଣରେ ସାମିଲ ହୋଇପାରିବେ। ସମସ୍ତ ନାଗରିକମାନଙ୍କୁ ଭାରତ ସରକାର ମାଗଣାରେ ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଘରୋଇ ଡାକ୍ତରଖାନାଗୁଡ଼ିକ ସିଧାସଳଖ 25 ପ୍ରତିଶତ ଟିକା କିଣିବା ପ୍ରକ୍ରିୟା ଜାରି ରହିବ। ଟିକାର ନିର୍ଦ୍ଧାରିତ ମୂଲ୍ୟ ଛଡ଼ା ଘରୋଇ ଡାକ୍ତରଖାନାଗୁଡ଼ିକ ଯେପରି ମାତ୍ର 150 ଟଙ୍କା ସେବା ଶୁଳ୍କ ଆଦାୟ କରିବେ ତାହା ରାଜ୍ୟ ସରକାରମାନେ ସୁନିଶ୍ଚିତ କରିବେ।

ଆହୁରି ଏକ ବଡ଼ ଘୋଷଣାକ୍ରମେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀପାବଳି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସମ୍ପ୍ରସାରଣ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ନଭେମ୍ବର ପର୍ଯ୍ୟନ୍ତ, 80 କୋଟି ଲୋକ ନିର୍ଦ୍ଧାରିତ ପରିମାଣର ଖାଦ୍ୟଶସ୍ୟ ପ୍ରତ୍ୟେକ ମାସ ମାଗଣାରେ ପାଇପାରିବେ। ଏହି ମହାମାରୀ ସମୟରେ, ସରକାର ସେମାନଙ୍କ ବିପଦ ବେଳର ବନ୍ଧୁ ଭାବେ ଗରିବ ଲୋକମାନଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଦ୍ବିତୀୟ ଲହରୀ ସମୟରେ ଏପ୍ରିଲ ଓ ମେ ମାସରେ ମେଡ଼ିକାଲ ଅକ୍ସିଜେନର ଅଭୂତପୂର୍ବ ଚାହିଦା ବିଷୟରେ ସ୍ମରଣ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆହ୍ବାନକୁ ମୁକାବିଲା କରିବା ଲାଗି ସରକାରଙ୍କ ସମସ୍ତ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ କରାଯାଇଥିଲା। ପୃଥିବୀ ଇତିହାସରେ ଏଭଳି ସ୍ତରର ମେଡ଼ିକାଲ ଅକ୍ସିଜେନ ଚାହିଦା କେବେ ଦେଖାଯାଇନଥିଲା ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ବସ୍ତରରେ, ଟିକା ଉତ୍ପାଦନ କରୁଥିବା କମ୍ପାନୀ ଓ ରାଷ୍ଟ୍ରଗୁଡ଼ିକ ସାରା ବିଶ୍ବରେ ଟିକାର ଯେତିକି ଚାହିଦା ରହିଛି ତା’ଠାରୁ ବହୁ ପଛରେ ରହିଛନ୍ତି। ଏଭଳି ପରିସ୍ଥିତିରେ, ଭାରତ ପାଇଁ ଭାରତରେ ପ୍ରସ୍ତୁତ ଟିକା ଗୁରୁତ୍ବପୂର୍ଣ୍ଣ ଥିଲା। ପ୍ରଧାନମନ୍ତ୍ରୀ ଅତୀତ କଥା ମନେ ପକାଇ କହିଥିଲେ ଯେ, ଆଗରୁ ବିଦେଶରେ ଟିକା ବିକଶିତ ହେବାର ପ୍ରାୟ ଦଶନ୍ଧି ପରେ ଭାରତ ଟିକା ପାଉଥିଲା। ଏହାର ଫଳସ୍ବରୂପ ଅତୀତରେ ଏପରି ପରିସ୍ଥିତି ସୃଷ୍ଟି ହେଉଥିଲା ଯେ ଅନ୍ୟ ଦେଶଗୁଡ଼ିକ ଟିକାକରଣ ଶେଷ କରିସାରିଲା ବେଳକୁ ଭାରତ ଟିକାକରଣ ଆରମ୍ଭ କରିପାରୁନଥିଲା। ଶ୍ରୀ ମୋଦୀ କହିଥିଲେ ଯେ ମିଶନ ମୋଡରେ ଅଭିଯାନ ଆରମ୍ଭ କରି ଆମେ 5-6 ବର୍ଷରେ ଟିକାକରଣ ପ୍ରସାରକୁ 60ରୁ 90 ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଲୁ। ଆମେ କେବଳ ଟିକାକରଣର ଗତି ବଢ଼ାଇଲୁ ନାହିଁ ବରଂ ଏହାର ପରିସରକୁ ମଧ୍ୟ ବିସ୍ତାରିତ କଲୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ, ସ୍ପଷ୍ଟ ଉଦ୍ଦେଶ୍ୟ, ନୀତି ଏବଂ ନିରନ୍ତର କଠିନ ପରିଶ୍ରମ ଜରିଆରେ ଭାରତ ସମସ୍ତ ଆଶାଆଶଙ୍କାକୁ ଦୂର କରୁଛି, କେବଳ ଗୋଟିଏ ନୁହେଁ ଦେଶରେ ଦୁଇ ଦୁଇଟି ଭାରତ ନିର୍ମିତ କୋଭିଡ ଟିକା ପ୍ରଚଳନ କରାଯାଇପାରିଛି। ଆମର ବୈଜ୍ଞାନିକମାନେ ସେମାନଙ୍କର ସାମର୍ଥ୍ୟକୁ ପ୍ରମାଣିତ କରିଛନ୍ତି। ଆଜି ପର୍ଯ୍ୟନ୍ତ, 23 କୋଟିରୁ ଅଧିକ ଟିକା ଡୋଜ୍ ଦେଶରେ ଦିଆଯାଇସାରିଛି।

ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇ କହିଥିଲେ ଯେ ଦେଶରେ ମାତ୍ର କେତେ ହଜାର କୋଭିଡ-19 ମାମଲା ଥିବା ବେଳେ ଟିକା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ଏହାଛଡ଼ା ଟିକା କମ୍ପାନୀଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ସହିତ ଗବେଷଣା ଓ ବିକାଶ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମହତ ପ୍ରୟାସ ଏବଂ କଠିନ ପରିଶ୍ରମ କାରଣରୁ ଆଗାମୀ ଦିନରେ ଟିକା ଯୋଗାଣ ବୃଦ୍ଧି ପାଇବ। ସେ ଆଜି କହିଥିଲେ ଯେ ଏବେ, ଦେଶରେ 7ଟି କମ୍ପାନୀ ବିଭିନ୍ନ ପ୍ରକାରର ଟିକା ଉତ୍ପାଦନ କରୁଛନ୍ତି। ଆହୁରି ତିନୋଟି ଟିକାର ପରୀକ୍ଷଣ ବିକଶିତ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପିଲାମାନଙ୍କ ପାଇଁ ଓ ଗୋଟିଏ ‘ନାଜାଲ ଭ୍ୟାକ୍ସିନ’ର ପରୀକ୍ଷଣ ଜାରି ରହିଥିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ଟିକାକରଣ ସମ୍ପର୍କରେ ବିଭିନ୍ନ ମହଲରେ ପ୍ରକାଶ ପାଇଥିବା ଭିନ୍ନ ଭିନ୍ନ ବିବୃତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଧ୍ୟାନ ଆକର୍ଷଣ କରିଥିଲେ। ସେ କହିଥିଲେ, କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ, ରାଜ୍ୟଗୁଡ଼ିକ ପାଇଁ ବିକଳ୍ପର ଅଭାବ ଏବଂ କେନ୍ଦ୍ର ସରକାର ସବୁ ନିଷ୍ପତ୍ତି କାହିଁକି ନେଉଛନ୍ତି ସେ ସମ୍ପର୍କରେ ପ୍ରଶ୍ନ ଉଠାଯାଉଛି। ଲକଡାଉନରେ ନମନୀୟତା ଏବଂ ଗୋଟିଏ ଆକାର ସମସ୍ତଙ୍କ ପାଇଁ ଅନୁକୂଳ ନୁହେଁ ବୋଲି ତର୍କ ଦିଆଯାଉଛି। ଶ୍ରୀ ମୋଦୀ କହିଥିଲେ ଯେ ଜାନୁଆରୀ 16 ତାରିଖ ଠାରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଭାରତର ଟିକାକରଣ କାର୍ଯ୍ୟକ୍ରମ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହୋଇଥିଲା। ସମସ୍ତଙ୍କୁ ମାଗଣା ଟିକାକରଣ କରାଯାଉଥିଲା ଏବଂ ନିଜର ପାଳି ପଡ଼ିଲେ ଲୋକମାନେ ଶୃଙ୍ଖଳାର ସହିତ ଟିକା ଦେବା ଲାଗି ଆଗେଇ ଆସୁଥିଲେ। ଏହା ମଧ୍ୟରେ ଟିକାକରଣର ବିକେନ୍ଦ୍ରୀକରଣ ପାଇଁ ଦାବି ଉଠିଲା, ନିର୍ଦ୍ଦିଷ୍ଟ ବୟସ ବର୍ଗର ଲୋକମାନଙ୍କୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ଉତ୍ଥାପନ କରାଗଲା। ଅନେକ ପ୍ରକାରର ଚାପ ପ୍ରୟୋଗ କରାଗଲା ଏବଂ ଗଣମାଧ୍ୟମର ନିର୍ଦ୍ଦିଷ୍ଟ ବର୍ଗ ଏହାକୁ ଏକ ଅଭିଯାନ ଆକାରରେ ଆଗେଇ ନେଲେ।

ଟିକାକରଣ ସମ୍ପର୍କରେ ଗୁଜବ ଖେଳାଉଥିବା ଲୋକମାନଙ୍କ ଠାରୁ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ଏପରି ଲୋକମାନେ ଦେଶବାସୀଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ଏବଂ ସେମାନଙ୍କ ଠାରୁ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action