ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟ୍ସକୁ ସରକାରୀ ଗସ୍ତ କରିଛନ୍ତି। ବିମାନବନ୍ଦରରେ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନ ତାଙ୍କୁ ସ୍ୱାଗତ କରିବା ସହ ସେଠାରେ ତାଙ୍କୁ ଭବ୍ୟ ସାମରିକ ସମ୍ମାନ ପ୍ରଦାନ କରାଯାଇଥିଲା।

ଦୁଇ ନେତା ଏକାଧିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ୟୁଏଇ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା ଓ ୟୁଏଇର ନେତୃତ୍ୱ ଏବଂ ଲୋକଙ୍କ ସହିତ ଭାରତର ଏକତାକୁ ପୁନଃସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ପରିବହନ ମାର୍ଗ ଏବଂ ଅବାଧ ନୌଚାଳନା ସୁନିଶ୍ଚିତ କରିବା ସପକ୍ଷରେ ଭାରତର ସ୍ପଷ୍ଟ ମତକୁ ମଧ୍ୟ ପ୍ରକାଶ କରିଛନ୍ତି, ଯାହା ଦୀର୍ଘସ୍ଥାୟୀ ଅଞ୍ଚଳୀୟ ଶାନ୍ତି, ସ୍ଥିରତା, ଏବଂ ଶକ୍ତି ଓ ଖାଦ୍ୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ସମୀକ୍ଷା ମଧ୍ୟ କରିଛନ୍ତି ଏବଂ ଶକ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ସୁରକ୍ଷା, ଫିନଟେକ୍, ଭିତ୍ତିଭୂମି, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ସମେତ ବିଭିନ୍ନ ବ୍ୟାପକ ରଣନୈତିକ ସହଭାଗୀତାର ଗଭୀରତାକୁ ସ୍ୱାଗତ କରିଛନ୍ତି। ସେମାନେ ଭାରତ-ୟୁଏଇ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା (ସିଇପିଏ)ର ସଫଳତାକୁ ସ୍ୱୀକାର କରିଛନ୍ତି, ଯାହା ଦ୍ୱିପାକ୍ଷିକ ବାଣିଜ୍ୟକୁ ନୂତନ ଉଚ୍ଚତାକୁ ନେଇଯାଇଛି। 

ଦୁଇ ନେତା ସଜୀବ ଏବଂ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଶକ୍ତି ସହଭାଗୀତାକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ ୟୁଏଇ ଅଶୋଧିତ ତୈଳ, ଏଲଏନଜି ଏବଂ ଏଲପିଜି ଯୋଗାଣ ସମେତ ଭାରତର ଶକ୍ତି ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ନିଜର ଭୂମିକା ବଜାୟ ରଖିଛି। ଦୁଇ ନେତା ଏକ ବ୍ୟାପକ ଶକ୍ତି ସହଭାଗୀତା ପାଇଁ ନୂତନ ପଦକ୍ଷେପକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ଭାରତର ରଣନୈତିକ ପେଟ୍ରୋଲିୟମ ଭଣ୍ଡାରରେ ୟୁଏଇର ଅଂଶଗ୍ରହଣକୁ ୩୦ ନିୟୁତ ବ୍ୟାରେଲକୁ ବୃଦ୍ଧି କରିବା ଏବଂ ଭାରତରେ ରଣନୈତିକ ଗ୍ୟାସ ଭଣ୍ଡାର ସ୍ଥାପନ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଲାଗି ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ଏବଂ ଆବୁଧାବି ନ୍ୟାସନାଲ୍ ଅଏଲ୍ କମ୍ପାନୀ ମଧ୍ୟରେ ଏକ ରଣନୈତିକ ସହଯୋଗ ଚୁକ୍ତିନାମା ସମାପ୍ତିକୁ ସ୍ୱାଗତ କରିଛନ୍ତି। ସେମାନେ ଇଣ୍ଡିଆନ ଅଏଲ୍ ଲିମିଟେଡ (ଆଇଓସିଏଲ) କମ୍ପାନୀ ଏବଂ ଆବୁଧାବି ନ୍ୟାସନାଲ୍ ଅଏଲ୍ କମ୍ପାନୀ (ଏଡିଏନ୍‌ଓସି) ମଧ୍ୟରେ ହୋଇଥିବା ଦିର୍ଘମିୟାଦୀ ଏଲ୍‌ପିଜି ଯୋଗାଣ ସମ୍ପର୍କିତ ବ୍ୟବସ୍ଥାକୁ ମଧ୍ୟ ସ୍ୱାଗତ କରିଛନ୍ତି।

ଦୁଇ ନେତା ୟୁଏଇ ସଂସ୍ଥାଗୁଡ଼ିକ ଦ୍ୱାରା ଭାରତରେ ୫ ବିଲିୟନ ଆମେରିକୀୟ ଡଲାର ନିବେଶ ଘୋଷଣାକୁ ସ୍ୱାଗତ କରିଛନ୍ତି। ଏଥିରେ ଭାରତର ଆରବିଏଲ ବ୍ୟାଙ୍କରେ ଏମିରେଟସ୍‌ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ (ଇଏନ୍‌ଡିବି) ଦ୍ୱାରା ୩ ବିଲିୟନ ଆମେରିକୀୟ ଡଲାରର ନିବେଶ, ଭାରତରେ ପ୍ରାଥମିକ ଭିତ୍ତିଭୂମି ପ୍ରକଳ୍ପରେ ଭାରତୀୟ ଜାତୀୟ ଭିତ୍ତିଭୂମି ଏବଂ ନିବେଶ ପାଣ୍ଠି (ଏନ୍‌ଆଇଆଇଏଫ୍‌) ସହିତ ଆବୁଧାବି ନିବେଶ ପ୍ରାଧିକରଣ (ଏଡିଆଇଏ) ଦ୍ୱାରା ୧ ବିଲିୟନ ଆମେରିକୀୟ ଡଲାର ଏବଂ ସମ୍ମାନ କ୍ୟାପିଟାଲ ଅଫ୍‌ ଇଣ୍ଡିଆରେ ଅନ୍ତର୍ଜାତୀୟ ହୋଲ୍ଡିଂ କମ୍ପାନୀ ଦ୍ୱାରା ୧ ବିଲିୟନ ଆମେରିକୀୟ ଡଲାରର ନିବେଶ ଅନ୍ତର୍ଭୁକ୍ତ। ଏହି ନିବେଶଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ୟୁଏଇର ନିରନ୍ତର ଏବଂ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଗୁରୁତ୍ୱ ପ୍ରଦାନ କରେ, ସେହିପରି ଦ୍ୱିପାକ୍ଷିକ ରଣନୈତିକ ନିବେଶ ସହଭାଗୀତାକୁ ମଜଭୁତ କରେ।

ଦୁଇ ନେତା ବ୍ୟାପକ ରଣନୈତିକ ସହଭାଗୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ସ୍ଥିର ଏବଂ ଶକ୍ତିଶାଳୀ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ସ୍ୱୀକାର କରିଛନ୍ତି। ଗସ୍ତ ସମୟରେ ସେମାନେ ଦୁଇ ଦେଶ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ସହଭାଗୀତା ପାଇଁ ଢାଞ୍ଚା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ଏହା ଅନୁସାରେ, ଉଭୟ ପକ୍ଷ ପ୍ରତିରକ୍ଷା ଶିଳ୍ପ ସହଯୋଗ ଓ ନବସୃଜନ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା, ତାଲିମ, ଅଭ୍ୟାସ, ସାମୁଦ୍ରିକ ସୁରକ୍ଷା, ସାଇବର ପ୍ରତିରକ୍ଷା, ସୁରକ୍ଷିତ ଯୋଗାଯୋଗ ଓ ସୂଚନା ଆଦାନପ୍ରଦାନ ଉପରେ ସହଯୋଗକୁ ଗଭୀର କରିବା ପାଇଁ ସହମତ ହୋଇଛନ୍ତି।

ଏହି ଗସ୍ତ ସମୟରେ ଦୁଇ ନେତା ନିମ୍ନଲିଖିତ ଅତିରିକ୍ତ ଦଲିଲଗୁଡ଼ିକର ସମାପ୍ତିର ମଧ୍ୟ ସାକ୍ଷୀ ହୋଇଛନ୍ତି, ଯାହା ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବ:

ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସାମୁଦ୍ରିକ ବିକାଶ ପାଣ୍ଠି ଯୋଜନା ଅଧୀନରେ ଭାଦିନାରରେ ଜାହାଜ ମରାମତି କ୍ଲଷ୍ଟର ସ୍ଥାପନ ପାଇଁ କୋଚିନ୍ ସିପୟାର୍ଡ ଲିମିଟେଡ୍ ଏବଂ ଡ୍ରାଏଡକ୍ସ ୱାର୍ଲ୍ଡ, ଦୁବାଇ ମଧ୍ୟରେ ଏମଓୟୁ।

 ଜାହାଜ ମରାମତିରେ ଦକ୍ଷତା ବିକାଶ ପାଇଁ କୋଚିନ୍ ସିପୟାର୍ଡ ଲିମିଟେଡ୍, ଡ୍ରାଏଡକ୍ସ ୱାର୍ଲ୍ଡ ଦୁବାଇ ଏବଂ ସାମୁଦ୍ରିକ ଓ ଜାହାଜ ନିର୍ମାଣ କେନ୍ଦ୍ର (ସିଇଏମ୍‌ଏସ୍‌) ମଧ୍ୟରେ ତ୍ରିପାକ୍ଷିକ ଏମ୍ଓୟୁ। ଏହା ଏକ ଦକ୍ଷ ସାମୁଦ୍ରିକ କାର୍ଯ୍ୟବଳକୁ ସଂଗଠିତ କରିବା, ତାଲିମ ଦେବା ଏବଂ ନିଯୁକ୍ତି ଦେବା ପାଇଁ ଏକ ଢାଞ୍ଚା ସ୍ଥାପନ କରେ, ଭାରତୀୟ ସାମୁଦ୍ରିକ କାର୍ଯ୍ୟବଳର କ୍ଷମତା ବୃଦ୍ଧି କରେ ଏବଂ ଭାରତକୁ ଦକ୍ଷ ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି ବୃତ୍ତିଗତଙ୍କ ପାଇଁ ଏକ କେନ୍ଦ୍ର ଭାବରେ ପରିଚିତ କରାଏ।

ସି-ଡାକ୍‌ (CDAC), ଭାରତ ଏବଂ ଜି-୪୨, ୟୁଏଇ ମଧ୍ୟରେ ସହଭାଗୀତାରେ 8 Exaflop ସୁପର କମ୍ପ୍ୟୁଟ୍ କ୍ଲଷ୍ଟର ସ୍ଥାପନ ପାଇଁ ଟର୍ମ ସିଟ୍।

ଦୁଇ ନେତା ମାଷ୍ଟର ଆପ୍ଲିକେସନ୍ ଫର୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଆଣ୍ଡ୍ ରେଗୁଲେଟୋରି ଇଣ୍ଟରଫେସ୍ (MAITRI) ମାଧ୍ୟମରେ ଭର୍ଚୁଆଲ୍ ବାଣିଜ୍ୟ କରିଡରର କାର୍ଯ୍ୟକ୍ଷମତାକୁ ମଧ୍ୟ ସ୍ୱାଗତ କରିଛନ୍ତି। ଏହି ଡିଜିଟାଲ୍ ଫ୍ରେମୱାର୍କ, ଉଭୟ ପାର୍ଶ୍ୱର କଷ୍ଟମ୍ସ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ସଂଯୋଗ କରି, କାର୍ଗୋ ଚଳାଚଳକୁ ସୁଗମ କରିବ ଏବଂ ଖର୍ଚ୍ଚ ଓ ପରିବହନ ସମୟ ଉଭୟକୁ ହ୍ରାସ କରିବ, ଯାହାଦ୍ୱାରା ଅଧିକ ଦକ୍ଷ ବାଣିଜ୍ୟ ପ୍ରବାହ ଆହୁରି କାର୍ଯ୍ୟକ୍ଷମ ହେବ। 

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନଙ୍କୁ ତାଙ୍କ ପ୍ରତି ପ୍ରଦାନ କରାଯାଇଥିବା ଭବ୍ୟ ସ୍ୱାଗତ ଏବଂ ଆନ୍ତରିକ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ଶୀଘ୍ର ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi