ଭାରତୀୟ ପ୍ରମୁଖ ଶିଳ୍ପ ସଂସ୍ଥା ଓ ଶହେରୁ ଅଧିକ ଏମଏସଏମଇ ଦ୍ୱାରା ଯୋଗାଯାଇଥିବା ସ୍ୱଦେଶୀ ଯନ୍ତ୍ରୋପକରଣ ସାହାଯ୍ୟରେ ନିର୍ମିତ ହୋଇଛି ଆଇଏନଏସ ବିକ୍ରାନ୍ତ
ଭାରତୀୟ ସାମୁଦ୍ରିକ ଇତିହାସରେ ତିଆରି ହୋଇଥିବା ସର୍ବବୃହତ ଜାହାଜରେ ରହିଛି ଅତ୍ୟାଧୁନିକ ସ୍ୱୟଂକ୍ରିୟ ବ୍ୟବସ୍ଥା
ଉପନିବେଶବାଦକୁ ଜଳାଞ୍ଜଳି ଦେଇ ନୂତନ ନୌସେନା ପତାକା ଉନ୍ମୋଚନ କରିବା ସହ ଏହାକୁ ଛତ୍ରପତି ଶିବାଜୀଙ୍କ ନାମରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
“ଆଇଏନଏସ ବିକ୍ରାନ୍ତ କେବଳ ମାତ୍ର ଏକ ଯୁଦ୍ଧ ପୋତ ନୁହଁ, ଏହା କଠିନ ପରିଶ୍ରମ, ମେଧା ଓ ଏକବିଂଶ ଶତାବ୍ଦୀରେ ଭାରତୀୟ ଅଙ୍ଗୀକାରବଦ୍ଧତାର ପ୍ରତୀକ”
“ଆଇଏନଏସ ବିକ୍ରାନ୍ତ ଆତ୍ମନିର୍ଭର ଭାରତର ଅନନ୍ୟ ପ୍ରତିଫଳନ”
“ଏ ପର୍ଯ୍ୟନ୍ତ ଭାରତୀୟ ନୌସେନା ପତାକାରେ ଦାସତ୍ୱର ପ୍ରତୀକ ରହିଥିଲା । ମାତ୍ର ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଅନୁପ୍ରେରଣାରେ ନୂତନ ନୌସେନା ପତାକା ସାଗର ଓ ଆକାଶ ବକ୍ଷରେ ଉଡିବ”
“ଆଇଏନଏସ ବିକ୍ରାନ୍ତରେ ନୌସେନାର ଅନେକ ମହିଳା ଯୋଦ୍ଧା ସାମିଲ ହେବେ; ମହାସାଗର ପ୍ରଚଣ୍ଡ ଶକ୍ତି ଓ ନାରୀଶକ୍ତି ବଳରେ ଏହା ନବଭାରତର ଉତ୍ତୁଙ୍ଗ ପରିଚୟ ହେବ”
ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି ।

ପ୍ରଧାନମନ୍ତ୍ରୀ ଆଜି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶବାଦ କାଳର ନୌସେନା ପତାକା ବଦଳରେ ଭାରତୀୟ ସାମୁଦ୍ରିକ ଐତିହ୍ୟ ଦ୍ୱାରା ସମୃଦ୍ଧ ନୂତନ ପତାକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ କେରଳର ଉପକୂଳ, ଭାରତ ଓ ପ୍ରତ୍ୟେକ ଭାରତୀୟ ଆଜି ଏକ ନୂତନ ଭବିଷ୍ୟତର ସୂର୍ୟୋଦୟ ଅବଲୋକନ କରୁଛନ୍ତି । ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି । ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଏକ ସମର୍ଥ ଓ ମଜଭୁତ ଭାରତର ସ୍ୱପ୍ନ ଦେଖିଥିଲେ ଆଜି ତାହା ପ୍ରଦର୍ଶିତ ହୋଇଛି । ପ୍ରଧାନମନ୍ତ୍ରୀ ଆନନ୍ଦରେ ଆତ୍ମହରା ହୋଇ କହିଥିଲେ ଯେ “ବିକ୍ରାନ୍ତ ବିଶାଳ, ବୃହତକାୟ ଓ କଳେବରରେ ମହାନ । ବିକ୍ରାନ୍ତ ମହାନ ଓ ସ୍ୱତନ୍ତ୍ର । ବିକ୍ରାନ୍ତ କେବଳ ଏକ ଯୁଦ୍ଧ ପୋତ ନୁହଁ, ଏହା କଠିନ ପରିଶ୍ରମ, ମେଧା, ପ୍ରଭାବ ଓ ଏକବିଂଶ ଶତାବ୍ଦୀରେ ଭାରତୀୟ ଅଙ୍ଗୀକାରବଦ୍ଧତାର ଏକ ପ୍ରତୀକ । ଯଦି ଲକ୍ଷ୍ୟ ସ୍ଥଳ ଦୂରରେ ଓ ଯାତ୍ରା ଲମ୍ବା; ମହାସାଗର ଓ ଆହ୍ୱାନଗୁଡିକ ଅସୀମ ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ । ଆଜାଦୀ କା ଅମୃତ ମହୋତ୍ସବର ଅତୁଳନୀୟ ଅମୃତ ହେଉଛି ବିକ୍ରାନ୍ତ । ଭାରତ ଆତ୍ମନିର୍ଭରଶୀଳ ହେବାର ବିକ୍ରାନ୍ତ ଏକ ଅନନ୍ୟ ପ୍ରତିଫଳନ ।”

ଦେଶର ବର୍ତ୍ତମାନର ମତିଗତି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ ନିମନ୍ତେ କୌଣସି ଆହ୍ୱାନ କଷ୍ଟସାଧ୍ୟ ନୁହଁ । ସେ କହିଥିଲେ ଯେ “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ସମକକ୍ଷ ଯାହା ସ୍ୱଦେଶୀ ବୈଷୟିକ କୌଶଳ ବଳରେ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରର ନିର୍ମାଣ କରିଛି । ଆଜି ଆଇଏନଏସ ବିକ୍ରାନ୍ତ ଦେଶରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ।” ପ୍ରଧାନମନ୍ତ୍ରୀ ନୌସେନା, କୋଚିନ ବନ୍ଦରର ଯନ୍ତ୍ରୀ, ବୈଜ୍ଞାନିକ ଓ ବିଶେଷ କରି ପ୍ରକଳ୍ପ ପାଇଁ କାର୍ଯ୍ୟ କରିଥିବା କର୍ମଜୀବୀମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସେ ମଧ୍ୟ ଓନମର ପବିତ୍ର କ୍ଷଣ ବର୍ତ୍ତମାନକୁ ଅଧିକ ଖୁସୀରେ ଭରି ଦେଉଛି ବୋଲି କହିଥିଲେ ।

ଆଇଏନଏସ ବିକ୍ରାନ୍ତର ପ୍ରତ୍ୟେକ ଭାଗର ନିଜସ୍ୱ ଶକ୍ତି, ସୁବିଧା ଓ ସ୍ୱତନ୍ତ୍ରତା ରହିଛି । ଏହା ସ୍ୱଦେଶୀ ସାମର୍ଥ୍ୟ, ସମ୍ପଦ ଓ କୌଶଳର ପ୍ରତୀକ । ଏହାର ବିମାନଘାଟୀରେ ବ୍ୟବହୃତ ଇସ୍ପାତ ମଧ୍ୟ ସ୍ୱଦେଶୀ, ଏହା ଡିଆରଡିଓ ବିଜ୍ଞାନୀମାନଙ୍କ ଦ୍ୱାରା ବିକଶିତ ହେବା ସହ ଭାରତୀୟ କମ୍ପାନୀମାନେ ଏହା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଥିଲେ । ବିଶାଳ କ୍ୟାରିଅରର ବ୍ୟାପକତାକୁ ବିଶ୍ଳେଷଣ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ ଭାସମାନ ନଗରୀ ସହ ତୁଳନା କରିଥିଲେ । ଏଥିରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ପାଞ୍ଚ ହଜାର ପରିବାରକୁ ଆଲୋକିତ କରିବା ପାଇଁ ଯଥେଷ୍ଟ ଓ ଏଥିରେ ବ୍ୟବହୃତ ତାର ସମସ୍ତଙ୍କୁ ଯୋଡିଲେ ତାହା କୋଚିରୁ କାଶୀ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ସେ କହିଥିଲେ । ଆଇଏନଏସ ବିକ୍ରାନ୍ତ ହେଉଛି ପାଞ୍ଚପ୍ରାଣର ଜୀବନ୍ତ ବିଗ୍ରହ ଯାହା ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ସାମୁଦ୍ରିକ ଐତିହ୍ୟ ଓ ନୌସେନା ସାମର୍ଥ୍ୟ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଛତ୍ରପତି ବୀର ଶିବାଜୀ ମହାରାଜ ସାମୁଦ୍ରିକ ଶକ୍ତି ବଳରେ ଏପରି ନୌସେନା ଗଠନ କରିଥିଲେ ଯାହା ଶତ୍ରୁକୁ ଦୂରେଇ ରଖିଥିଲା । ଯେତେବେଳେ ଇଂରେଜମାନେ ଭାରତକୁ ଆସିଲେ ସେମାନେ ଭାରତୀୟ ଜାହାଜଗୁଡିକ ଦ୍ୱାରା ଭୟଭୀତ ହୋଇ ସେମାନଙ୍କ ସହ ବାଣିଜ୍ୟିକ ସମ୍ବନ୍ଧ ରଖିଥିଲେ । ତେଣୁ ସେମାନେ ଭାରତୀୟ ସାମୁଦ୍ରିକ ଶକ୍ତି ଦୁର୍ବଳ କରିବାକୁ ସ୍ଥିର କଲେ । ସେତେବେଳେ ବ୍ରିଟିଶ ସଂସଦରେ ଆଇନ ପ୍ରଣୟନ କରି କିପରି ଭାରତୀୟ ଜାହାଜଗୁଡିକ ଉପରେ କଠୋର କଟକଣା ଲଗାଯାଇଥିଲା ଇତିହାସ ତାର ମୂକ ସାକ୍ଷୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଐତିହାସିକ ଦିବସ, ସେପ୍ଟେମ୍ବର ୨, ୨୦୨୨ରେ ଭାରତ ଦାସତ୍ୱର ଚିହ୍ନକୁ  ହଟାଇ ଦେଇଛି । ଆଜିଠାରୁ ଭାରତୀୟ ନୌସେନା ଏକ ନୂତନ ପତାକା ଆପଣାଇଛି । ଏ ପର୍ଯ୍ୟନ୍ତ ଦାସତ୍ୱର ପରିଚୟ ଭାରତୀୟ ନୌସେନାର ପତାକାର ରହିଥିଲା  । ମାତ୍ର ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣୀତ ଭାରତୀୟ ନୌସେନାର ନୂତନ ପତାକା ସାଗର ଓ ଆକାଶ ବକ୍ଷରେ ଉଡିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବିକ୍ରାନ୍ତ ଆମର ସାମୁଦ୍ରିକ ଅଞ୍ଚଳର ନିରାପତ୍ତା ପାଇଁ ପାଣିକୁ ଓହ୍ଲାଇବ ଅନେକ ନୌସେନାର ମହିଳା ସୈନିକ ସେଥିରେ କାର୍ଯ୍ୟ କରିବେ । ସାଗରର ଅମାପ ଶକ୍ତି ସହ ଅସୀମ ନାରୀ ଶକ୍ତି ନୂତନ ଭାରତର ଉତ୍ତୁଙ୍ଗ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଭାରତୀୟ ନୌସେନା ଏହାର ସମସ୍ତ ଶାଖା ମହିଳାଙ୍କ ନିଯୁକ୍ତି ପାଇଁ ମୁକ୍ତ ରଖିଛି । ଆଗରୁ ଥିବା କଟକଣା କ୍ରମଶଃ ହଟାଇ ଦିଆଯାଇଛି ଯେପରି ସାଗର ତରଙ୍ଗର କୌଣସି କଟକଣା ନାହିଁ ସେହିପରି ଭାରତର କନ୍ୟାମାନଙ୍କ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେ ବୁନ୍ଦେ ଜଳ ମିଶି ବିଶାଳ ମହାସାଗର ସୃଷ୍ଟି ହୁଏ । ସେ ମଧ୍ୟ ସ୍ୱଦେଶୀ ତୋପର ଗର୍ଜନ ଏଥର ସ୍ୱାଧୀନତା ଦିବସରେ ଶୁଣିଥିଲେ । ସେହିପରି ଯଦି ପ୍ରତ୍ୟେକ ଭାରତୀୟ ନାଗରିକ ଭୋକାଲ ଫର ଲୋକାଲ ମନ୍ତ୍ରରେ ଅଭିମଣ୍ଡିତ ହୁଅନ୍ତି ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ।

ଭୂରଣନୀତିକ ପରିବର୍ତ୍ତିତ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଅତୀତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଓ ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ବିଷୟରେ ଅଣଦେଖା କରାଯାଇଛି ।

ମାତ୍ର ଆଜି ଏହି ଅଞ୍ଚଳକୁ ପ୍ରତିରକ୍ଷା ଦୃଷ୍ଟିରୁ ଆମକୁ ପ୍ରଧାନ୍ୟ ଦେବାକୁ ପଡିବ । ସେଥିପାଇଁ ଆଜି ଆମକୁ ପ୍ରତ୍ୟେକ ଦିଗକୁ ଦେଖିବାକୁ ପଡୁଛି । ତାହା ନୌସେନାର ବଜେଟ ବୃଦ୍ଧିଠାରୁ ଆରମ୍ଭ କରି ତାର ସାମର୍ଥ୍ୟ ବୃଦ୍ଧି ପର୍ଯ୍ୟନ୍ତ ବୋଲି ସେ କହିଥିଲେ । ଏକ ଶାନ୍ତ ଓ ନିରାପଦ ବିଶ୍ୱ ପାଇଁ ଏକ ମଜଭୁତ ଭାରତ ପଥ ପରିସ୍କାର କରିବ ବୋଲି ସେ କହିଥିଲେ ।

କେରଳ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ, କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଶ୍ରୀ ସର୍ବାନନ୍ଦ ସୋନୱାଲ, ଶ୍ରୀ ଭି ମୁରଲୀଧରନ, ଶ୍ରୀ ଅଜୟ ଭଟ୍ଟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ, ନୌସେନା ମୁଖ୍ୟ ଶ୍ରୀ ଆର ହରିକୁମାର ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ ।

ଆଇଏନଏସ ବିକ୍ରାନ୍ତ - ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ପରିପାଟୀ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବା ବେଳେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ, ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି । ଭାରତୀୟ ସାମୁଦ୍ରିକ ଇତିହାସରେ ସର୍ବବୃହତ ଏହି ଜାହାଜ ବିକ୍ରାନ୍ତରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥା ରହିଛି ।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି । ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି । ବିକ୍ରାନ୍ତ ନୌସେନାରେ କମିଶନଭୁକ୍ତ ହେବାଦ୍ୱାରା ଭାରତର ଦୁଇଟି ଏୟାରକ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଯାଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ପତାକା (ନିଶାଣ)ର ମଧ୍ୟ ଉନ୍ମୋଚନ କରିଥିଲେ ।

 

 

 

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2026
June 15, 2026

Citizens Celebrate 12 Years of Modi: Building a Saksham Middle Class at Home While Earning Global Respect Abroad