ହଜାର ବର୍ଷ ପରେ ମଧ୍ୟ, ସୋମନାଥ ମନ୍ଦିର ଉପରେ ପତାକା ଉଡୁଛି, ଏହା ବିଶ୍ୱକୁ ଭାରତର ଶକ୍ତି ଏବଂ ଆତ୍ମାର ମନେ ପକାଇ ଦିଏ: ପ୍ରଧାନମନ୍ତ୍ରୀ
ସୋମନାଥ ସ୍ୱାଭିମାନ ପର୍ବ ହଜାର ବର୍ଷର ଯାତ୍ରାର ପ୍ରତୀକ, ଏହା ଭାରତର ଅସ୍ତିତ୍ୱ ଏବଂ ଆତ୍ମ-ଗୌରବର ଉତ୍ସବ ଭାବେ ଠିଆ ହୋଇଛି: ପ୍ରଧାନମନ୍ତ୍ରୀ
ସୋମନାଥର ଇତିହାସ ବିନାଶ କିମ୍ବା ପରାଜୟର ନୁହେଁ, ଏହା ବିଜୟ ଏବଂ ନବୀକରଣର ଇତିହାସ: ପ୍ରଧାନମନ୍ତ୍ରୀ
ଯେଉଁମାନେ ସୋମନାଥ ଧ୍ବଂସ ପାଇଁ ଆସିଥିଲେ ଆଜି ସେମାନେ ଇତିହାସର ଅଳ୍ପକିଛି ପୃଷ୍ଠାରେ ସୀମିତ ହୋଇ ରହିଛନ୍ତି, କିନ୍ତୁ ସୋମନାଥ ମନ୍ଦିର ଏବେ ବି ସମୁଦ୍ରକୁ ମୁହଁ କରି ଛିଡ଼ା ହୋଇଛି, ଆସ୍ଥାର ପ୍ରତୀକ ଏହାର ପତାକା ଉଡୁଛି : : ପ୍ରଧାନମନ୍ତ୍ରୀ
ସୋମନାଥ ଦର୍ଶାଉଛି ଯେ ସୃଷ୍ଟି ପାଇଁ ସମୟ ଲାଗିଥାଏ, କିନ୍ତୁ କେବଳ ଏହା ହିଁ ତିଷ୍ଠି ରହିଥାଏ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥଠାରେ ସୋମନାଥ ସ୍ୱାଭିମାନ ପର୍ବରେ ଉଦବୋଧନ ଦେଇଛନ୍ତି। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମୟ ଅସାଧାରଣ, ଏହି ପରିବେଶ ଅସାଧାରଣ ଏବଂ ଏହି ଉତ୍ସବ ଅସାଧାରଣ। ଗୋଟିଏ ପଟେ ସ୍ବୟଂ ମହାଦେବ ଅଛନ୍ତି ଓ ଅନ୍ୟପଟେ ସମୁଦ୍ରର ବିଶାଳ ତରଙ୍ଗ, ସୂର୍ଯ୍ୟ କିରଣ, ମନ୍ତ୍ରର ପ୍ରତିଧ୍ୱନି ଏବଂ ଭକ୍ତିର ଉତ୍ସାହ ରହିଛି। ଏହି ଦିବ୍ୟ ପରିବେଶରେ, ଭଗବାନ ସୋମନାଥଙ୍କ ସମସ୍ତ ଭକ୍ତଙ୍କ ଉପସ୍ଥିତି ଏହି ଅବସରକୁ ଦିବ୍ୟ ଏବଂ ମହାନ କରିଛି। ଶ୍ରୀ ମୋଦୀ କହିଥିଲେ ଯେ, ସେ ଏହାକୁ ଏକ ବଡ଼ ସୌଭାଗ୍ୟ ବୋଲି ମନେ କରନ୍ତି, ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବରେ, ତାଙ୍କୁ ସୋମନାଥ ସ୍ୱାଭିମାନ ପର୍ବରେ ସକ୍ରିୟ ଭାବେ ସେବା କରିବାର ସୁଯୋଗ ମିଳିଛି। ସେ ୭୨ ଘଣ୍ଟା ଧରି ନିରନ୍ତର ଓମକାର ଜପ ଏବଂ ୭୨ ଘଣ୍ଟା ଧରି ମନ୍ତ୍ର ପାଠ କରିବାର ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ, ହଜାର ବର୍ଷ ପୁରୁଣା ସୋମନାଥ ଗାଥାକୁ ୧୦୦୦ ଡ୍ରୋନ୍ ମାଧ୍ୟମରେ ବୈଦିକ ଗୁରୁକୂଳର ୧୦୦୦ ଛାତ୍ରଙ୍କ ଉପସ୍ଥିତିରେ ଉପସ୍ଥାପିତ କରାଯାଇଥିଲା ଏବଂ ଆଜି 'ଶୌର୍ଯ୍ୟ ଯାତ୍ରା' ୧୦୮ଟି ଘୋଡା ସହିତ ମନ୍ଦିରରେ ପହଞ୍ଚିଥିଲା। ମନ୍ତ୍ର ଏବଂ ସ୍ତୁତିର ମନମୋହକ ପରିବେଷଣକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ଓ କେବଳ ସମୟ ହିଁ ଏହି ଅଭିଜ୍ଞତାକୁ ପ୍ରକୃତରେ କଏଦ କରିପାରିବ ବୋଲି ସେ କହିଥିଲେ। ସେ କହିଥିଲେ ଯେ ଏହି ଉତ୍ସବ ଗର୍ବ ଏବଂ ସମ୍ମାନ, ମର୍ଯ୍ୟାଦା ଏବଂ ଜ୍ଞାନ, ମହିମା ଏବଂ ଐତିହ୍ୟ, ଆଧ୍ୟାତ୍ମିକତା ଏବଂ ଅନୁଭବ, ଅଭିଜ୍ଞତା, ଆନନ୍ଦ ଏବଂ ଘନିଷ୍ଠତାର ପ୍ରତୀକ। ସର୍ବୋପରି, ସେ କହିଛନ୍ତି ଯେ ଏହି ପର୍ବ ଭଗବାନ ମହାଦେବଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଯେତେବେଳେ ସେ ଭାଷଣ ଦେଉଛନ୍ତି ପ୍ରାୟତଃ ତାଙ୍କ ମନରେ ଏହି ଚିନ୍ତା ଆସୁଛି ଯେ ଠିକ୍ ଏକ ହଜାର ବର୍ଷ ପୂର୍ବରୁ, ଏହି ସ୍ଥାନରେ, ଯେଉଁଠାରେ ଲୋକମାନେ ଆଜି ବସିଛନ୍ତି, ପରିବେଶ କିପରି ଥିଲା। ସେ ଗୁରୁତ୍ୱାରୋପ କରିଥିଲେ, ଏଠାରେ ଉପସ୍ଥିତ ଲୋକଙ୍କ ପୂର୍ବପୁରୁଷ, ଆମର ପୂର୍ବପୁରୁଷ, ନିଜ ଜୀବନକୁ ବାଜି ଲଗାଇ ନିଜର ଆସ୍ଥା, ନିଜ ବିଶ୍ୱାସ ଏବଂ ନିଜ ଭଗବାନ ମହାଦେବ ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ। ହଜାର ବର୍ଷ ପୂର୍ବେ ଆକ୍ରମଣକାରୀମାନେ ଭାବୁଥିଲେ ଯେ ସେମାନେ ଜିତିଛନ୍ତି, କିନ୍ତୁ ଆଜି ହଜାର ବର୍ଷ ପରେ ମଧ୍ୟ, ସୋମନାଥ ମହାଦେବ ମନ୍ଦିର ଉପରେ ଉଡ଼ୁଥିବା ପତାକା ସମଗ୍ର ବିଶ୍ୱକୁ ଭାରତର ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ କହୁଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଭାସ ପାଟନର ମାଟିର ପ୍ରତ୍ୟେକ କଣିକା ଶୌର୍ଯ୍ୟ, ସାହସ ଏବଂ ବୀରତ୍ୱର ସାକ୍ଷୀ, ଏବଂ  ଅଗଣିତ ଶିବ ଭକ୍ତ ସୋମନାଥଙ୍କ ସ୍ୱରୂପକୁ ରକ୍ଷା କରିବା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି। ସେ କହିଥିଲେ ଯେ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ, ସେ ସର୍ବପ୍ରଥମେ ପ୍ରତ୍ୟେକ ବୀର ପୁରୁଷ ଏବଂ ମହିଳାଙ୍କୁ ପ୍ରଣାମ କରୁଛନ୍ତି ଯେଉଁମାନେ ସୋମନାଥର ସୁରକ୍ଷା ଏବଂ ପୁନଃନିର୍ମାଣ ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ, ପ୍ରଭୁ ମହାଦେବଙ୍କୁ ସର୍ବସ୍ୱ ଅର୍ପଣ କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ, ପ୍ରଭାସ ପାଟନ କେବଳ ଭଗବାନ ଶିବଙ୍କ ବାସସ୍ଥାନ ନୁହେଁ, ବରଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏହି ସ୍ଥାନକୁ ପବିତ୍ର କରିଥିଲେ। ମହାଭାରତ କାଳରେ ପାଣ୍ଡବମାନେ ମଧ୍ୟ ଏହି ପବିତ୍ର ସ୍ଥାନରେ ତପସ୍ୟା କରିଥିଲେ। ତେଣୁ, ଏହି ଅବସର ଭାରତର ଅଗଣିତ ଦିଗକୁ ଶ୍ରଦ୍ଧାଞ୍ଜଳି ଦେବାର ଏକ ସୁଯୋଗ। ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥର ସ୍ୱାଭିମାନ ଯାତ୍ରାର ଏକ ହଜାର ବର୍ଷ ପୂରଣ ହେବା ସହିତ ୧୯୫୧ ମସିହାରେ ଏହାର ପୁନଃନିର୍ମାଣର ୭୫ ବର୍ଷ ପୂରଣ ହୋଇଛି, ଯାହା ଏକ ଖୁସିର ସଂଯୋଗ। ପ୍ରଧାନମନ୍ତ୍ରୀ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ।

ତାଙ୍କ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉତ୍ସବ କେବଳ ହଜାର ବର୍ଷ ପୂର୍ବେ ଘଟିଥିବା ବିନାଶର ସ୍ମାରକୀ ନୁହେଁ, ବରଂ ହଜାର ବର୍ଷର ଯାତ୍ରା ସହିତ ଭାରତର ଅସ୍ତିତ୍ୱ ଏବଂ ଗୌରବର ଉତ୍ସବ। ସେ ଆଲୋକପାତ କରିଥିଲେ ଯେ ପ୍ରତ୍ୟେକ ଘଟଣା ଏବଂ ପ୍ରତ୍ୟେକ ପର୍ଯ୍ୟାୟରେ ସୋମନାଥ ଏବଂ ଭାରତ ମଧ୍ୟରେ ଥିବା ଅନନ୍ୟ ସମାନତା ଦେଖାଯାଇପାରେ। ଯେପରି ସୋମନାଥକୁ ଧ୍ୱଂସ କରିବା ପାଇଁ ଅଗଣିତ ପ୍ରୟାସ କରାଯାଇଥିଲା, ସେହିପରି ଶତାବ୍ଦୀ ଧରି ବିଦେଶୀ ଆକ୍ରମଣକାରୀମାନେ ଭାରତକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିଲେ। ତଥାପି ସୋମନାଥ କିମ୍ବା ଭାରତ କେହି ଧ୍ୱଂସ ପାଇ ନାହାନ୍ତି, କାରଣ ଭାରତ ଏବଂ ଏହାର ଧାର୍ମିକ ସ୍ଥଳଗୁଡ଼ିକ ପରସ୍ପର ସହ ଅବିଚ୍ଛେଦ୍ୟ ଭାବରେ ଜଡିତ।

 

ଶ୍ରୀ ମୋଦୀ କହିଥିଲେ ଯେ ଆମେ ହଜାର ବର୍ଷ ପୂର୍ବର ଇତିହାସ କଳ୍ପନା କରିବା ଉଚିତ, ଯେତେବେଳେ ମହମୁଦ ଗଜନୀ ପ୍ରଥମେ ୧୦୨୬ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଏହାକୁ ନଷ୍ଟ କରିଦେଇଥିଲେ । ସେ  ଭାବିଥିଲେ ଯେ ସୋମନାଥର ସ୍ଥିତି ଲୋପ ପାଇଯାଇଛି ।  ତଥାପି, କିଛି ବର୍ଷ ମଧ୍ୟରେ, ସୋମନାଥ ପୁନଃନିର୍ମାଣ କରାଯାଇଥିଲା, ଏବଂ ଦ୍ୱାଦଶ ଶତାବ୍ଦୀରେ, ରାଜା କୁମାରପାଳ ମନ୍ଦିରର ଏକ ମହାନ ପୁନରୁଦ୍ଧାର କରିଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ ତ୍ରୟୋଦଶ ଶତାବ୍ଦୀର ଶେଷ ଭାଗରେ, ଆଲାଉଦ୍ଦିନ ଖିଲଜୀ ପୁଣି ଥରେ ସୋମନାଥ ଉପରେ ଆକ୍ରମଣ କରିବାକୁ ସାହସ କରିଥିଲେ, କିନ୍ତୁ ଜାଲୋରର ଶାସକ ଖିଲଜୀଙ୍କ ସେନା ବିରୁଦ୍ଧରେ ବୀରତ୍ୱର ସହିତ ଲଢ଼ିଥିଲେ। ଚତୁର୍ଦ୍ଦଶ ଶତାବ୍ଦୀର ପ୍ରାରମ୍ଭରେ, ଜୁନାଗଡ଼ର ରାଜା ମନ୍ଦିରର ଗୌରବ ପୁନଃସ୍ଥାପିତ କରିଥିଲେ, ଏବଂ ପରେ ସେହି ଶତାବ୍ଦୀରେ, ମୁଜାଫର ଖାନ ସୋମନାଥ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ତାଙ୍କର ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ପଞ୍ଚଦଶ ଶତାବ୍ଦୀରେ ସୁଲତାନ ଅହମ୍ମଦ ଶାହ ମନ୍ଦିରକୁ ଅପବିତ୍ର କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ନାତି ସୁଲତାନ ମହମୁଦ ବେଗଡା ଏହାକୁ ଏକ ମସଜିଦରେ ପରିଣତ କରିବାକୁ ଚେଷ୍ଟା କରିଥିଲେ। ତଥାପି, ମହାଦେବଙ୍କ ଭକ୍ତମାନଙ୍କ ପ୍ରୟାସ ମନ୍ଦିରର ପୁନରୁଦ୍ଧାର ପାଇଁ ସହାୟକ ହୋଇଥିଲା। ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଔରଙ୍ଗଜେବ ସୋମନାଥକୁ ଅପବିତ୍ର କରି ଏହାକୁ ପୁନର୍ବାର ଏକ ମସଜିଦରେ ପରିଣତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅହଲ୍ୟାବାଇ ହୋଲକର ପରେ ଏକ ନୂତନ ମନ୍ଦିର ସ୍ଥାପନ କରି ସୋମନାଥକୁ ପୁନର୍ଜୀବିତ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, "ସୋମନାଥର ଇତିହାସ ବିନାଶ ଏବଂ ପରାଜୟର ନୁହେଁ, ବରଂ ବିଜୟ ଏବଂ ପୁନଃନିର୍ମାଣର।" ସେ କହିଥିଲେ ଯେ ଆକ୍ରମଣକାରୀମାନେ ଆସିବାକୁ ଲାଗିଥିଲେ, ଧାର୍ମିକ ଆତଙ୍କବାଦର ଆକ୍ରମଣ ଘଟିଚାଲିଥିଲା, କିନ୍ତୁ ପ୍ରତ୍ୟେକ ଯୁଗରେ ସୋମନାଥକୁ ବାରମ୍ବାର ପୁନଃନିର୍ମାଣ କରାଯାଇଥିଲା। ସେ କହିଥିଲେ ଯେ ଶତାବ୍ଦୀ ଧରି ଚାଲିଥିବା ଏହିପରି ସଂଘର୍ଷ, ନିରନ୍ତର ପ୍ରତିରୋଧ, ପୁନଃନିର୍ମାଣରେ ଅପାର ଧର୍ଯ୍ୟ, ସୃଜନଶୀଳତା ଏବଂ ଦୃଢ଼ତା ଏବଂ ସଂସ୍କୃତି ଏବଂ ବିଶ୍ୱାସ ପ୍ରତି ଅଟଳ ବିଶ୍ୱାସ ବିଶ୍ୱ ଇତିହାସରେ ଅତୁଳନୀୟ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମକୁ ନିଜକୁ ପଚାରିବାକୁ ପଡିବ ଯେ ଆମେ ଆମର ପୂର୍ବପୁରୁଷଙ୍କ ବୀରତ୍ୱକୁ ଭୁଲିଯିବା ଉଚିତ କି ନାହିଁ ଏବଂ ସେମାନଙ୍କ ସାହସରୁ ପ୍ରେରଣା ନେବା ଉଚିତ୍ କି ନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ କୌଣସି ପୁତ୍ର କିମ୍ବା ବଂଶଧର ସେମାନଙ୍କ ପୂର୍ବପୁରୁଷଙ୍କ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ଭୁଲିବା ଉଚିତ୍ ନୁହେଁ। ଏହିପରି ଭାବରେ ଆମର ପୂର୍ବପୁରୁଷମାନଙ୍କୁ ମନେ ରଖିବା କେବଳ ଏକ କର୍ତ୍ତବ୍ୟ ନୁହେଁ ବରଂ ଶକ୍ତିର ଉତ୍ସ ମଧ୍ୟ, ଏବଂ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଯେ ଆମର ପୂର୍ବପୁରୁଷଙ୍କ ତ୍ୟାଗ ଏବଂ ବୀରତ୍ୱ ଆମ ଚେତନାରେ ଜୀବିତ ରହିବ।

 

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଯେତେବେଳେ ଗଜନୀରୁ ଔରଙ୍ଗଜେବ ପର୍ଯ୍ୟନ୍ତ ଆକ୍ରମଣକାରୀମାନେ ସୋମନାଥ ଉପରେ ଆକ୍ରମଣ କରିଥିଲେ, ସେମାନେ ଭାବିଥିଲେ ଯେ ସେମାନଙ୍କର ଖଣ୍ଡା ଅନନ୍ତ ସୋମନାଥ ଉପରେ ବିଜୟ ହାସଲ କରୁଛି, କିନ୍ତୁ ସେମାନେ ବୁଝିପାରିଲେ ନାହିଁ ଯେ 'ସୋମ' ନାମରେ ଅମୃତର ସାର ରହିଛି, ଯାହା ବିଷ ଖାଇ ମଧ୍ୟ ଅମର ରହିବାର ଧାରଣାକୁ ମୂର୍ତ୍ତିମନ୍ତ କରେ। ସେ କହିଛନ୍ତି ଯେ ସୋମନାଥ ସଦାଶିବ ମହାଦେବଙ୍କ ଚେତନା ଶକ୍ତି ଦ୍ୱାରା ବାସ କରେ, ଯିଏ ଉଭୟ ଦୟାଳୁ ଏବଂ ଉଗ୍ର, "ପ୍ରଚଣ୍ଡ ତାଣ୍ଡବମ୍ ଶିବଂ"।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୋମନାଥରେ ସଂଗୃହିତ ଭଗବାନ ମହାଦେବଙ୍କ ନାମ ମଧ୍ୟରୁ ଗୋଟିଏ ହେଉଛି ମୃତ୍ୟୁଞ୍ଜୟ, ମୃତ୍ୟୁର ବିଜୟୀ ଏବଂ ସମୟର ଅବତାର। ଏକ ଶ୍ଳୋକ ପାଠ କରି ଶ୍ରୀ ମୋଦୀ ତାହାର ଅର୍ଥ କହିଥିଲେ ଯେ ସୃଷ୍ଟି ତାଙ୍କଠାରୁ ଉତ୍ପନ୍ନ ହୁଏ ଏବଂ ତାଙ୍କ ମଧ୍ୟରେ ଲୀନ ହୁଏ। ଶିବ ସମଗ୍ର ବ୍ରହ୍ମାଣ୍ଡରେ ବ୍ୟାପିଛନ୍ତି, ଏବଂ ଶଙ୍କର ପ୍ରତ୍ୟେକ କଣିକାରେ ବିଦ୍ୟମାନ। ସେ ଜୋର ଦେଇ କହିଥିଲେ ଯେ କେହି ଶଙ୍କରଙ୍କ ଅଗଣିତ ରୂପକୁ ନଷ୍ଟ କରିପାରିବେ ନାହିଁ। ଯେହେତୁ ଆମେ ଜୀବନ୍ତ ପ୍ରାଣୀମାନଙ୍କ ମଧ୍ୟରେ ଶିବଙ୍କୁ ଦେଖୁ, କୌଣସି ଶକ୍ତି ଆମର ବିଶ୍ୱାସକୁ ହଲାଇ ପାରିବ ନାହିଁ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ସମୟର ଚକ୍ର ସୋମନାଥକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଧର୍ମାନ୍ଧ ଆକ୍ରମଣକାରୀମାନଙ୍କୁ ଇତିହାସ ପୃଷ୍ଠାରେ ସୀମିତ କରିଦେଇଛି, ଯେତେବେଳେ ମନ୍ଦିର ଏବେ ବି ବିଶାଳ ସମୁଦ୍ର କୂଳରେ ତା'ର ପତାକାକୁ ଉଡ଼ାଉଛି । ସେ କହିଥିଲେ ଯେ ସୋମନାଥର ଶିଖର କୁହେ, "ମୁଁ ଚନ୍ଦ୍ରଶେଖର ଶିବଙ୍କୁ ବିଶ୍ୱାସ କରେ; ସମୟ ମଧ୍ୟ ମୋର କ'ଣ ବା କ୍ଷତି କରିପାରିବ?"

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ସୋମନାଥ ସ୍ୱାଭିମାନ ପର୍ବ କେବଳ ଐତିହାସିକ ଗୌରବର ଉତ୍ସବ ନୁହେଁ ବରଂ ଭବିଷ୍ୟତ ପାଇଁ ଏକ ଅନନ୍ତ ଯାତ୍ରାକୁ ଜୀବିତ ରଖିବାର ଏକ ମାଧ୍ୟମ। ସେ ଏହି ଅବସରକୁ ଆମର ଅସ୍ତିତ୍ୱ ଏବଂ ପରିଚୟକୁ ସୁଦୃଢ଼ କରିବା ପାଇଁ ବ୍ୟବହାର କରାଯିବା ଉଚିତ ବୋଲି ସେ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ କିଛି ଦେଶ ସେମାନଙ୍କର ମାତ୍ର କିଛି ଶତାବ୍ଦୀ ପୁରୁଣା ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ନିଜର ପରିଚୟ ଭାବରେ ପ୍ରଦର୍ଶିତ କରୁଥିବା ବେଳେ, ଭାରତରେ ସୋମନାଥ ଭଳି ହଜାର ହଜାର ବର୍ଷ ପୁରୁଣା ପବିତ୍ର ସ୍ଥଳ ରହିଛି, ଯାହା ଶକ୍ତି, ପ୍ରତିରୋଧ ଏବଂ ପରମ୍ପରାର ପ୍ରତୀକ। ସେ ଦୁଃଖ ପ୍ରକାଶ କରିଥିଲେ ଯେ ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ, ଉପନିବେଶବାଦୀ ମାନସିକତା ଥିବା ଲୋକମାନେ ଏପରି ଐତିହ୍ୟରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ ଏବଂ ଏହି ଇତିହାସକୁ ଲିଭାଇ ଦେବା ପାଇଁ ମନ୍ଦ ପ୍ରୟାସ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାୱଲ କହଁରଦେବଙ୍କ ପରି ଶାସକଙ୍କ ପ୍ରୟାସ, ବୀର ହମିରଜୀ ଗୋହିଲଙ୍କ ବୀରତ୍ୱ ଏବଂ ଭେଗଡ଼ା ଭିଲଙ୍କ ସାହସିକତା ଉଲ୍ଲେଖ କରି ସୋମନାଥର ସୁରକ୍ଷା ପାଇଁ ଦିଆଯାଇଥିବା ବଳିଦାନକୁ ମନେ ପକାଇଥିଲେ। ସେ କହିଥିଲେ ଯେ ଏହି ମନ୍ଦିରର ଇତିହାସ ସହିତ ଏପରି ଅନେକ ବୀର ଜଡିତ, କିନ୍ତୁ ସେମାନଙ୍କୁ କେବେ ଉପଯୁକ୍ତ ସମ୍ମାନ ମିଳିନାହିଁ। ସେ କିଛି ଐତିହାସିକ ଏବଂ ରାଜନେତାଙ୍କୁ ସମାଲୋଚନା କରିଥିଲେ ଯେଉଁମାନେ ଆକ୍ରମଣର ଇତିହାସକୁ ଲୁଚାଇବାକୁ ଚେଷ୍ଟା କରିଥିଲେ, ଧାର୍ମିକ ଆକ୍ରମଣକୁ କେବଳ ଲୁଟ ବୋଲି କହି ଏବଂ ସତ୍ୟକୁ ଲୁଚାଇବା ପାଇଁ ପୁସ୍ତକ ଲେଖିଥିଲେ। ସେ ଜୋର ଦେଇ କହିଛନ୍ତି ଯେ ସୋମନାଥ ଉପରେ ଥରେ ନୁହେଁ, ବରଂ ବାରମ୍ବାର ଆକ୍ରମଣ କରାଯାଇଥିଲା। ଯଦି ଏହି ଆକ୍ରମଣଗୁଡ଼ିକ କେବଳ ଧନ ଲୁଟ୍ ପାଇଁ ହୋଇଥାନ୍ତା, ତେବେ ହଜାର ବର୍ଷ ପୂର୍ବେ ପ୍ରଥମ ବଡ଼ ଲୁଟ୍ ପରେ ଏହା ବନ୍ଦ ହୋଇଥାନ୍ତା, କିନ୍ତୁ ତାହା ହୋଇନଥିଲା। ସେ ଦର୍ଶାଇଥିଲେ ଯେ ସୋମନାଥଙ୍କ ପବିତ୍ର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯାଇଥିଲା, ମନ୍ଦିରର ରୂପ ବାରମ୍ବାର ପରିବର୍ତ୍ତନ କରାଯାଇଥିଲା, ଏବଂ ତଥାପି ଲୋକମାନଙ୍କୁ ଶିକ୍ଷା ଦିଆଯାଉଛି ଯେ ସୋମନାଥ କେବଳ ଲୁଟ୍ ପାଇଁ ଧ୍ୱଂସ କରାଯାଇଥିଲା, ଯେତେବେଳେ ଘୃଣା, ଅତ୍ୟାଚାର ଏବଂ ଆତଙ୍କର ନିଷ୍ଠୁର ଇତିହାସ ଆମଠାରୁ ଲୁଚି ରହିଛି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିଜ ଧର୍ମ ପ୍ରତି ବିଶ୍ୱସ୍ତ କେହି ଏପରି ଉଗ୍ରବାଦୀ ଚିନ୍ତାଧାରାକୁ ସମର୍ଥନ କରିବେ ନାହିଁ, ଯଦିଓ ତୁଷ୍ଟୀକରଣର ମନୋଭାବ ଦ୍ୱାରା ପରିଚାଳିତ ଲୋକମାନେ ସର୍ବଦା ଏପରି ଚିନ୍ତାଧାରା ଆଗରେ ମୁଣ୍ଡ ନୁଆଁଇଆସିଛନ୍ତି। ସେ ଆଲୋକପାତ କରିଥିଲେ ଯେ ଯେତେବେଳେ ଭାରତ ଦାସତ୍ୱର ଶିକୁଳିରୁ ମୁକ୍ତ ହୋଇଥିଲା ଏବଂ ସର୍ଦ୍ଦାର ପଟେଲ ସୋମନାଥକୁ ପୁନଃନିର୍ମାଣ କରିବାକୁ ସଂକଳ୍ପ ନେଇଥିଲେ, ତାଙ୍କୁ ରୋକିବା ପାଇଁ ଚେଷ୍ଟା କରାଯାଇଥିଲା। ୧୯୫୧ ମସିହାରେ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ଆପତ୍ତି ଉଠିଥିଲା। ସେ ମନେ ପକାଇଥିଲେ ଯେ ସେତେବେଳର ସୌରାଷ୍ଟ୍ରର ଶାସକ ଜାମ୍ ସାହେବ ମହାରାଜା ଦିଗବିଜୟ ସିଂହ ସର୍ବୋପରି ଜାତୀୟ ଗର୍ବକୁ ଗୁରୁତ୍ୱ ଦେଇ ସୋମନାଥ ମନ୍ଦିର ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଥିଲେ ଏବଂ ଟ୍ରଷ୍ଟର ପ୍ରଥମ ସଭାପତି ଭାବରେ ଅତ୍ୟନ୍ତ ଦାୟିତ୍ୱର ସହିତ କାର୍ଯ୍ୟ କରିଥିଲେ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଦୁର୍ଭାଗ୍ୟବଶତଃ, ସୋମନାଥ ପୁନଃନିର୍ମାଣକୁ ବିରୋଧ କରୁଥିବା ଶକ୍ତିମାନେ ଏବେ ବି ଦେଶରେ ସକ୍ରିୟ ଅଛନ୍ତି। ତଥାପି, ବର୍ତ୍ତମାନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ଖଣ୍ତା ନୁହେଁ, ବରଂ ଅନ୍ୟାନ୍ୟ ମନ୍ଦ ଉପାୟ ବ୍ୟବହାର କରି ରଚାଯାଉଛି। ସେ ସତର୍କତା, ଶକ୍ତି, ଏକତା ଏବଂ ଲୋକଙ୍କୁ ବିଭାଜକାରୀ ସମସ୍ତ ଶକ୍ତିମାନଙ୍କୁ ପରାସ୍ତ କରିବାକୁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆମର ସଭ୍ୟତାର ମୂଳଦୁଆ ସେତେବେଳେ ସୁଦୃଢ଼ ହୁଏ ଯେତେବେଳେ ଆମେ ଆମର ଧର୍ମ, ଆମର ମୂଳ ସହିତ ଯୋଡ଼ି ହୋଇ ରହିଥାଉ ଏବଂ ଗର୍ବର ସହିତ ଆମର ଐତିହ୍ୟକୁ ସଂରକ୍ଷଣ କରି ରଖୁ। ସେ କହିଥିଲେ ଯେ ହଜାର ବର୍ଷର ଯାତ୍ରା ଆମକୁ ଆଗାମୀ ହଜାର ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦିଏ।

 

ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଐତିହାସିକ ଅବସରରେ, ସେ ହଜାର ବର୍ଷ ପାଇଁ ଭାରତ ପାଇଁ ଏକ ମହାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ଓ "ଦେଶକୁ ଈଶ୍ୱର" ଆଭିମୁଖ୍ୟ ସହିତ ଆଗକୁ ବଢ଼ିବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଆଜି, ଭାରତର ସାଂସ୍କୃତିକ ପୁନର୍ଜାଗରଣ ଲକ୍ଷ ଲକ୍ଷ ନାଗରିକଙ୍କ ମଧ୍ୟରେ ନୂତନ ବିଶ୍ୱାସ ସୃଷ୍ଟି କରୁଛି। ପ୍ରତ୍ୟେକ ଭାରତୀୟ ଏକ ବିକଶିତ ଭାରତ ପାଇଁ ପ୍ରତିବଦ୍ଧ, ଏବଂ ୧୪୦ କୋଟି ଲୋକ ଭବିଷ୍ୟତର ଲକ୍ଷ୍ୟ ହାସଲ କରିବାକୁ ସଂକଳ୍ପବଦ୍ଧ। ସେ ନିଶ୍ଚିତ କରିଥିଲେ ଯେ, ସୋମନାଥ ମନ୍ଦିରର ଆଶୀର୍ବାଦରେ ଭାରତ ଏହାର ଗୌରବକୁ ନୂତନ ଉଚ୍ଚତାରେ ପହଞ୍ଚାଇବ, ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼େଇରେ ବିଜୟୀ ହେବ ଏବଂ ବିକାଶର ନୂତନ ସ୍ତର ହାସଲ କରିବ, ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ତା’ଠାରୁ ଆଗକୁ ବଢ଼ିବା ଲକ୍ଷ୍ୟ ରଖିବ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଆଜିର ଭାରତ ଐତିହ୍ୟଠାରୁ ବିକାଶ ପର୍ଯ୍ୟନ୍ତ ପ୍ରେରଣା ନେଇ ଆଗକୁ ବଢ଼ୁଛି, ଏବଂ ସୋମନାଥ ଉଭୟର ପ୍ରତୀକ। ସେ ମନ୍ଦିରର ସାଂସ୍କୃତିକ ପ୍ରସାର, ସୋମନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ମାଧବପୁର ମେଳାର ବର୍ଦ୍ଧିତ ଲୋକପ୍ରିୟତା ଏବଂ ଗିର୍ ସିଂହଙ୍କ ସଂରକ୍ଷଣ, ଏହାର ଐତିହ୍ୟକୁ ସୁଦୃଢ଼ କରିବା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପ୍ରଭାସ ପାଟନ୍ ମଧ୍ୟ ବିକାଶର ନୂତନ ଦିଗକୁ ଗ୍ରହଣ କରୁଛି। ସେ କେଶୋଡ ବିମାନବନ୍ଦରର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଭାରତ ଏବଂ ବିଦେଶରୁ ତୀର୍ଥଯାତ୍ରୀଙ୍କ ପାଇଁ ସିଧାସଳଖ ଯୋଗାଯୋଗକୁ ସକ୍ଷମ କରିଛି, ଏବଂ ଅହମ୍ମଦାବାଦ-ଭେରାଭଲ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ, ଯାହା ଯାତ୍ରା ସମୟ ହ୍ରାସ କରିଛି, ଏବଂ ଏହି କ୍ଷେତ୍ରରେ ଏକ ତୀର୍ଥଯାତ୍ରୀ ସର୍କିଟ୍ ବିକାଶ କରିଛି। ଶ୍ରୀ ମୋଦୀ କହିଥିଲେ ଯେ ଭାରତ ଆଜି ନିଜ ବିଶ୍ୱାସକୁ ମନେ ରଖି ଭିତ୍ତିଭୂମି, ସଂଯୋଗୀକରଣ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭବିଷ୍ୟତ ପାଇଁ ନିଜକୁ ସଶକ୍ତ କରୁଛି।

ଶ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ସଭ୍ୟତାର ବାର୍ତ୍ତା କେବେବି ଅନ୍ୟମାନଙ୍କୁ ପରାସ୍ତ କରିବା ନୁହେଁ, ବରଂ ଜୀବନରେ ସନ୍ତୁଳନ ବଜାୟ ରଖିବା। ସେ କହିଥିଲେ ଯେ ବିଶ୍ୱାସ ଆମକୁ ଘୃଣା ଆଡ଼କୁ ନେଇଯାଏ ନାହିଁ, ଏବଂ ଶକ୍ତି ଆମକୁ ଧ୍ୱଂସ କରିବା ପାଇଁ ଅହଂକାର ଦିଏ ନାହିଁ। ସେ କହିଥିଲେ ଯେ ସୋମନାଥ ଶିକ୍ଷା ଦିଅନ୍ତି ଯେ ସୃଷ୍ଟିର ପଥ ଦୀର୍ଘ ଓ ଅନନ୍ତ, ଖଣ୍ଡା ଦ୍ବାରା ହୃଦୟ ଜିତି ହେବ ନାହିଁ, ଏବଂ ଅନ୍ୟମାନଙ୍କୁ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ସଭ୍ୟତା ସମୟ ସହିତ ଅଦୃଶ୍ୟ ହୋଇଯାଏ। ସେ ବ୍ୟାଖ୍ୟା କରିଥିଲେ ଯେ ଭାରତ ବିଶ୍ୱକୁ ଅନ୍ୟମାନଙ୍କୁ ପରାସ୍ତ କରି ବିଜୟୀ ହେବା ନୁହେଁ, ବରଂ ହୃଦୟ ଜିତି ବଞ୍ଚିବା ଶିଖାଇଛି । ଆଜି ଏହି ଚିନ୍ତାଧାରାର ଅତ୍ୟନ୍ତ ଆବଶ୍ୟକତା ରହିଛି ।

ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ହଜାର ବର୍ଷ ପୁରୁଣା ସୋମନାଥଙ୍କ କାହାଣୀ ମାନବତାକୁ ଏହି ଶିକ୍ଷା ଦିଏ ଯେ ଆମକୁ ଆମର ଅତୀତ ଏବଂ ଐତିହ୍ୟ ସହିତ ଜଡିତ ରହି ବିକାଶ ଏବଂ ଭବିଷ୍ୟତ ଆଡ଼କୁ ଆଗେଇ ଯିବା ପାଇଁ ସଂକଳ୍ପ ନେବାକୁ ହେବ, ଆଧୁନିକତାକୁ ଗ୍ରହଣ କରି ଚେତନା ବଜାୟ ରଖିବାକୁ ହେବ ଏବଂ ପ୍ରତ୍ୟେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ହେବ ।ଏହା ସହିତ ଆମର ଲକ୍ଷ୍ୟ ହାସଲ କରିବା ପାଇଁ ସୋମନାଥ ସ୍ୱାଭିମାନ ପର୍ବରୁ ପ୍ରେରଣା ନେବାକୁ ଆହ୍ୱାନ କରିଥିଲେ। ସେ ପୁଣି ଥରେ ସମସ୍ତ ନାଗରିକଙ୍କୁ ତାଙ୍କର ହୃଦୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଥିଲେ।

 

ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ସୋମନାଥ ସ୍ୱାଭିମାନ ପର୍ବ ଜାନୁଆରୀ ୮ ରୁ ୧୧, ୨୦୨୬ ପର୍ଯ୍ୟନ୍ତ ସୋମନାଥରେ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ଭାରତର ଅଗଣିତ ନାଗରିକଙ୍କ ସ୍ମୃତିରେ ପାଳନ କରାଯାଉଛି, ଯେଉଁମାନେ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ ଏବଂ ଯେଉଁମାନେ ଆଗାମୀ ପିଢ଼ିର ସାଂସ୍କୃତିକ ଚେତନାକୁ ପ୍ରେରଣା ଦେଇ ଚାଲିବେ।

ଏହି କାର୍ଯ୍ୟକ୍ରମ ୧୦୨୬ ଖ୍ରୀଷ୍ଟାବ୍ଦରେ ଗଜନୀର ମହମୁଦ ଦ୍ୱାରା ସୋମନାଥ ମନ୍ଦିର ଉପରେ ଆକ୍ରମଣର ୧୦୦୦ ତମ ବାର୍ଷିକୀକୁ ସ୍ମରଣ କରେ। ଶତାବ୍ଦୀ ଧରି ଏହାକୁ ଧ୍ୱଂସ କରିବାକୁ ଅନେକ ପ୍ରୟାସ ସତ୍ତ୍ୱେ, ସୋମନାଥ ମନ୍ଦିର ଦୃଢ଼ତା, ବିଶ୍ୱାସ ଏବଂ ଜାତୀୟ ଗର୍ବର ଏକ ଶକ୍ତିଶାଳୀ ପ୍ରତୀକ ହୋଇ ରହିଛି, ଯାହା ସାମୂହିକ ସଂକଳ୍ପ ଏବଂ ଏହାକୁ ଏହାର ପ୍ରାଚୀନ ଗୌରବକୁ ଫେରାଇ ଆଣିବା ପାଇଁ ପ୍ରୟାସର ପରିଣାମ।

ସ୍ୱାଧୀନତା ପରେ, ସର୍ଦ୍ଦାର ପଟେଲ ମନ୍ଦିରକୁ ପୁନରୁଦ୍ଧାର ପାଇଁ ପ୍ରୟାସର ନେତୃତ୍ୱ ନେଇଥିଲେ। ୧୯୫୧ ମସିହାରେ ଏହି ପୁନରୁଦ୍ଧାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଥିଲା, ଯେତେବେଳେ ପୁନରୁଦ୍ଧାର ହୋଇଥିବା ସୋମନାଥ ମନ୍ଦିରକୁ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଭକ୍ତମାନଙ୍କ ପାଇଁ ଆନୁଷ୍ଠାନିକ ଭାବରେ ଖୋଲା ଯାଇଥିଲା। ଏହି ଐତିହାସିକ ପୁନରୁଦ୍ଧାରର ୭୫ତମ ବାର୍ଷିକୀ ୨୦୨୬ ମସିହାରେ ପାଳନ କରାଯିବାରୁ ସୋମନାଥ ସ୍ୱାଭିମାନ ପର୍ବ ବିଶେଷ ଗୁରୁତ୍ୱ ପାଇଛି।

 

ଦେଶର ବିଭିନ୍ନ ସ୍ଥାନରୁ ଶହ ଶହ ସନ୍ଥ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଏବଂ ମନ୍ଦିର ପରିସରରେ ୭୨ ଘଣ୍ଟା ଧରି ନିରନ୍ତର 'ଓମକାର' ଜପ ଚାଲିବ।

ସୋମନାଥ ସ୍ୱାଭିମାନ ପର୍ବରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଭାରତର ସଭ୍ୟତାର ଅଟଳ ଆତ୍ମାକୁ ରେଖାଙ୍କିତ କରେ । ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ସଂରକ୍ଷଣ ଓ ପାଳନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts