ଅଭିଧମ୍ମ ଧମ୍ମରେ ନିହିତ ଏବଂ ଧମ୍ମର ସାରାଂଶ ବୁଝିବାକୁ ପାଲି ଭାଷାର ଜ୍ଞାନ ଆବଶ୍ୟକ: ପ୍ରଧାନମନ୍ତ୍ରୀ
ଭାଷା କେବଳ ଏକ ସଞ୍ଚାରର ମାଧ୍ୟମ ନୁହେଁ, ଭାଷା ସଭ୍ୟତା ଓ ସଂସ୍କୃତିର ଆତ୍ମା: ପ୍ରଧାନମନ୍ତ୍ରୀ
ପ୍ରତ୍ୟେକ ଦେଶ ତାର ଐତିହ୍ୟ ମାଧ୍ୟମରେ ପରିଚୟ ହାସଲ କରେ, ଦୁର୍ଭାଗ୍ୟବଶତଃ, ଭାରତ ଏ ଦିଗରେ ବହୁ ପଛରେ, କିନ୍ତୁ ଏବେ ଦେଶ ହୀନମନ୍ୟତାରୁ ମୁକ୍ତ ହୋଇ ବଡ଼ ନିଷ୍ପତ୍ତି ସହ ଆଗକୁ ଚାଲିଛି: ପ୍ରଧାନମନ୍ତ୍ରୀ
ନୂତନ ଶିକ୍ଷାନୀତିରେ ଦେଶର ଯୁବପିଢ଼ି ସେମାନଙ୍କ ମାତୃଭାଷାରେ ପଢ଼ିବାର ସୁବିଧା ପାଇବା ପରଠାରୁ ଭାଷା ଦୃଢ଼ ହେବାରେ ଲାଗିଛି: ପ୍ରଧାନମନ୍ତ୍ରୀ
ଆଜି ଭାରତ ଏକକାଳୀନ ଦୁଇଟି ପ୍ରସ୍ତାବ ଦ୍ରୁତ ବିକାଶ ଏବଂ ସମୃଦ୍ଧ ଐତିହ୍ୟକୁ ପୂରଣ କରିବା ଦିଗରେ ଅଗ୍ରସର: ପ୍ରଧାନମନ୍ତ୍ରୀ
ଭଗବାନ ବୁଦ୍ଧଙ୍କ ଲିଗାସିର ପୁନର୍ଜାଗରଣ ପରିପ୍ରେକ୍ଷୀରେ ଭାରତ ନିଜ ସଂସ୍କୃତି ଓ ସଭ୍ୟତାର ପୁନରୁଦ୍ଧାର କରୁଛି: ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ, ବରଂ ବୁଦ୍ଧ ଦେଇଛି: ପ୍ରଧାନମନ୍ତ୍ରୀ
ଆଜି ଅଭିଧମ୍ମ ପର୍ବ ଅବସରରେ, ମୁଁ ସମଗ୍ର ବିଶ୍ୱକୁ ନିବେଦନ କରୁଛି ଯୁ୍‌ଦ୍ଧ ନୁହେଁ ବରଂ ଶାନ୍ତି ଦିଗରେ ଭଗବାନ ବୁଦ୍ଧ ଦେଇଥିବା ଶିକ୍ଷା ମଧ୍ୟରେ ସମାଧାନର ରାସ୍ତା ଖୋଜିବା: ପ୍ରଧାନମନ୍ତ୍ରୀ
ସମସ୍ତଙ୍କ ପାଇଁ ସମୃଦ୍ଧି ଦିଗରେ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ହିଁ ମାନବତାର ରାସ୍ତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।

ଉଦବୋଧନ ଅବସରରେ ପ୍ରଧାନମନ୍ତ୍ରୀ ଅଭିଧମ୍ମ ଦିବସରେ ଉପସ୍ଥିତ ଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ କହିଥିଲେ, ଏହି ଅବସର ଲୋକମାନଙ୍କୁ ବିଶ୍ୱକୁ ପ୍ରେମ ଓ କରୁଣାର ଉତ୍ତମ ସ୍ଥାନ ଭାବେ ଗଢ଼ିବାକୁ ମନେ ପକାଉଛି । ଗତବର୍ଷ କୁଶୀନଗରରେ ଏକ ସମାନ ଧରଣର ଉତ୍ସବରେ ଯୋଗଦାନ ବିଷୟକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଭଗବାନ ବୁଦ୍ଧଙ୍କ ସହ ଯାତ୍ରା ଜନ୍ମରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଛି । ପ୍ରଧାନମନ୍ତ୍ରୀ କହିଥିଲେ ଗୁଜରାଟର ବଡ଼ନଗରରେ ତାଙ୍କର ଜନ୍ମ, ଯାହାକି ଏକଦା ବୌଦ୍ଧ ଧର୍ମର ବଡ଼ କେନ୍ଦ୍ର ଥିଲା । ଏହି ପ୍ରେରଣା ହିଁ ତାଙ୍କୁ ଭଗବାନ ବୁଦ୍ଧଙ୍କ ଧମ୍ମ ଓ ଶିକ୍ଷା ପ୍ରସାରର ଅଭିଜ୍ଞତା ଦେଇଛି । ବିଗତ ୧୦ ବର୍ଷରେ ଭାରତ ଏବଂ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଭଗବାନ ବୁଦ୍ଧଙ୍କ ସମ୍ପର୍କିତ ଅନେକ ପବିତ୍ର ଉତ୍ସବରେ ସାମିଲ ହେବାର ସୌଭାଗ୍ୟ ତାଙ୍କୁ ମିଳିଥିବା ସେ କହିଥିଲେ । ଏହା ମଧ୍ୟରେ ନେପାଳରେ ଥିବା ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଗସ୍ତ, ମଙ୍ଗୋଲିଆରେ ଭଗବାନ ବୁଦ୍ଧଙ୍କ ପ୍ରତିମାର ଅନାବରଣ ଏବଂ ଶ୍ରୀଲଙ୍କାରେ ବୈଶାଖୀ ସମାରୋହରେ ସାମିଲ ହେବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କର ବିଶ୍ୱାସ ଯେ ସଂଘ ଓ ସାଧକର ଯେଉଁ ସଙ୍ଗ ତାଙ୍କୁ ମିଳିଛି ତାହା ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ଏବଂ ଏହି ଅବସରରେ ସେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ଏହା ଶରଦ ପୂର୍ଣ୍ଣିମା ଏବଂ ମହଷି ବାଲ୍ମିକୀଙ୍କ ଜନ୍ମ ବାର୍ଷିକୀର ପବିତ୍ର ଅବସର ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ । ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

 

ଚଳିତ ବର୍ଷର ଅଭିଧମ୍ମ ଦିବସ ସ୍ୱତନ୍ତ୍ର ଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । କାରଣ, ପାଲି ଭାଷା, ଯେଉଁଥିରେ କି ଭଗବାନ ବୁଦ୍ଧ ଉପଦେଶ ଦେଇଥିଲେ, ତାହାକୁ ଚଳିତ ମାସ ଭାରତ ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି । ତେଣୁ ଆଜିର ଉତ୍ସବ ଅଧିକ ସ୍ୱତନ୍ତ୍ର ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାଲି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ ଭଗବାନ ବୁଦ୍ଧଙ୍କ ମହାନ୍ ଲିଗାସୀ ଓ ଐତିହ୍ୟକୁ ଏକ ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ପୁଣି କହିଥିଲେ, ଅଭିଧମ୍ମରେ ଧମ୍ମ ନିହିତ ଅଛି ଏବଂ ଧମ୍ମର ବାସ୍ତବ ସାରାଂଶ ବୁଝିବାକୁ ହେଲେ ପାଲି ଭାଷାରେ ଜ୍ଞାନ ଥିବା ଆବଶ୍ୟକ । ଧମ୍ମର ବିଭିନ୍ନ ଅର୍ଥକୁ ବୁଝାଇ ଶ୍ରୀ ମୋଦୀ କହିଥିଲେ, ଧମ୍ମ ଅର୍ଥ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଓ ସିଦ୍ଧାନ୍ତ, ମାନବ ଅସ୍ତିତ୍ୱ ସମ୍ପର୍କିତ ପ୍ରଶ୍ନର ସମାଧାନ, ମାନବଜାତି ପାଇଁ ଶାନ୍ତିର ରାସ୍ତା, ବୁଦ୍ଧଙ୍କ ଶାଶ୍ୱତ ଶିକ୍ଷା ଏବଂ ସମଗ୍ର ମାନବଜାତିର କଲ୍ୟାଣ ପାଇଁ ଏକ ଦୃଢ଼ ଆଶ୍ୱାସନା । ସେ ପୁଣି କହିଥିଲେ, ବୁଦ୍ଧଙ୍କ ଧମ୍ମ ଦ୍ୱାରା ସମଗ୍ର ବିଶ୍ୱ ଅହରହ ଆଲୋକିତ ହୋଇ ଆସୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଦୁର୍ଭାଗ୍ୟର କଥା ଯେ ଭଗବାନ ବୁଦ୍ଧ କହୁଥିବା ପାଲି ଭାଷା ଏବେ ସାଧାରଣରେ ବ୍ୟବହାର ହେଉନାହିଁ । ପାଲି ଭାଷା କେବଳ ଏକ ସଞ୍ଚାରର ମାଧ୍ୟମ ନୁହେଁ ବରଂ ସଂସ୍କୃତି ଓ ପରମ୍ପରାର ଆତ୍ମା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ମୂଳ ଭାବନା ସହ ଜଡ଼ିତ ଥିବାରୁ ଆଜିର ଦିନରେ ପାଲି ଭାଷାକୁ ଜୀବନ୍ତ ରଖିବା ସମସ୍ତଙ୍କ ଦାୟିତ୍ୱ । ଭଗବାନ ବୁଦ୍ଧଙ୍କ ଲକ୍ଷ ଲକ୍ଷ ଅନୁଗାମୀଙ୍କ ଆଶା ପୂରଣ କରିବା ଦିଗରେ ବର୍ତ୍ତମାନର ସରକାର ନମ୍ରତାର ସହ ଦାୟିତ୍ୱ ସମ୍ପନ୍ନ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, “ଭାଷା, ସଂସ୍କୃତି ଓ ଆଧ୍ୟାତ୍ମିକତାର ଐତିହ୍ୟ ଯେକୌଣସି ସମାଜର ଅସ୍ତିତ୍ୱ ଦର୍ଶାଇଥାଏ । ତେଣୁ ଯେକୌଣସି ଦେଶ ପୁରାତତ୍ତ୍ୱ ଦ୍ରବ୍ୟ ବା ତଥ୍ୟ ପାଇଲେ ସମଗ୍ର ବିଶ୍ୱ ସମ୍ମୁଖରେ ତାକୁ ଗର୍ବର ସହ ଉପସ୍ଥାପିତ କରିଥାଏ । ସେ କହିଥିଲେ, ପ୍ରତ୍ୟେକ ଦେଶ ସେମାନଙ୍କ ଐତିହ୍ୟକୁ ନିଜର ପରିଚିତି ସହ ଯୋଡ଼ୁଥିବା ବେଳେ ସ୍ୱାଧୀନତା ପୂର୍ବରୁ ବାରମ୍ବାର ବାହ୍ୟ ଆକ୍ରମଣ ଏବଂ ସ୍ୱାଧୀନତା ପରେ କ୍ରୀତଦାସତ୍ୱ ମାନକସିକତା ଯୋଗୁ ଭାରତ ଏ ଦିଗରେ ପଛରେ ପଡ଼ିଥିଲା । ସେ ଗୁରୁତ୍ୱ ଦେଇ କହିଥିଲେ, ଭାରତକୁ ଏଭଳି ଏକ ଇକୋସିଷ୍ଟମ କବଜା କରିନେଇଥିଲା ଯାହାକି ଦେଶକୁ ବିପରୀତ ଦିଗରେ ଠେଲି ନେଇଥିଲା । ଯେଉଁ ବୁଦ୍ଧ ଭାରତର ଆତ୍ମାରେ ଅଛନ୍ତି ଏବଂ ସ୍ୱାଧୀନତା ସମୟରେ ତାଙ୍କର ପ୍ରତୀକକୁ ଅଙ୍ଗୀକାରତ୍ୱ କରାଯାଇଥିଲା ପରବର୍ତ୍ତୀ ଦଶନ୍ଧି ଗୁଡ଼ିକରେ ତାହାକୁ ପାସୋରି ଦିଆଯାଇଥିଲା । ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ପାଲି ଭାଷାକୁ ତାର ପ୍ରକୃତ ସ୍ଥାନ ମିଳିନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।

ଦେଶ ଏବେ ହୀନଭାବନାରୁ ମୁକ୍ତ ହୋଇ ସ୍ୱାଭିମାନର ସହ ବଡ଼ ନିଷ୍ପତ୍ତି ନେଇ ଆଗକୁ ବଢ଼ୁଥିବା ସେ କହିଥିଲେ । ଏକ ପକ୍ଷରେ ପାଲି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି ଏବଂ ଅନ୍ୟ ପକ୍ଷରେ ମରାଠୀ ଭାଷାକୁ ମଧ୍ୟ ସମାନ ସମ୍ମାନ ମିଳିପାରିଛି । ସେ ଉଲ୍ଲେଖ କରିଥିଲେ, ବୌଦ୍ଧ ଧର୍ମର ବଡ଼ ସମର୍ଥକ ବାବା ସାହେବ ଆମ୍ବେଦକରଙ୍କ ମାତୃଭାଷା ମରାଠୀ ଥିଲା ଏବଂ ସେ ପାଲି ଭାଷାରେ ଧମ୍ମ ଦୀକ୍ଷା ଗ୍ରହଣ କରିଥିଲେ । ବଙ୍ଗାଳୀ, ଅହମୀୟା ଏବଂ ପ୍ରାକ୍ରିତ ଭାଷାକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବା ସେ କହିଥିଲେ ।

 

‘ଭାରତରେ ବିଭିନ୍ନ ଭାଷା ହିଁ ବିବିଧତାକୁ ଦର୍ଶାଇଥାଏ’, କହିଥିଲେ ପ୍ରଧାନମନ୍ତ୍ରୀ । ଅତୀତରେ ଥିବା ଭାଷାର ଗୁରୁତ୍ୱକୁ ଉଲ୍ଲେଖ କରି ସେ କହିଥିଲେ ଦେଶ ଗଠନରେ ଆମର ପ୍ରତ୍ୟେକ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ପୁଣି କହିଥିଲେ, ଏବେ ଭାରତରେ ଗ୍ରହଣ କରାଯାଇଥିବା ନୂତନ ଜାତୀୟ ଶିକ୍ଷା ନୀତି ଏସବୁ ଭାଷାର ସଂରକ୍ଷଣର ମାଧ୍ୟମ ପାଲଟିଛି । ଦେଶର ଯୁବପିଢ଼ି ଏବେ ସେମାନଙ୍କ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇବା ପରଠାରୁ ମାତୃଭାଷା ସୁଦୃଢ଼ ହୋଇଚାଲିଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ନିଜର ସଂକଳ୍ପ ପୂରଣ କରିବା ପାଇଁ ଲାଲକିଲ୍ଲାରୁ ଦେଶବାସୀଙ୍କ ସମ୍ମୁଖରେ ‘ପଞ୍ଚ ପ୍ରାଣ’ର ଭିଜନ ରଖିଥିଲେ । ପଞ୍ଚ ପ୍ରାଣର ଚିନ୍ତାଧାରାକୁ ବୁଝାଇ ଶ୍ରୀ ମୋଦୀ କହିଥିଲେ, ଏହାର ଅର୍ଥ ଏକ ବିକଶିତ ଭାରତ ଗଠନ କରିବା, କ୍ରୀତଦାସତ୍ୱ ମାନସିକତାରୁ ମୁକ୍ତ ହେବା, ଦେଶର ଏକତା, କର୍ତ୍ତବ୍ୟର ପାଳନ ଏବଂ ଆମ ଐତିହ୍ୟକୁ ନେଇ ଗର୍ବ କରିବା । ସେ ପୁଣି କହିଥିଲେ, ଭାରତ ଏବେ ଏକକାଳୀନ ଦୁଇଟି ସଂକଳ୍ପ ଦ୍ରୁତ ବିକାଶ ଏବଂ ସମୃଦ୍ଧ ଐତିହ୍ୟକୁ ପୂରଣ କରିବା ଦିଗରେ ଅଛି । ପଞ୍ଚ ପ୍ରାଣ ଅଭିଯାନର ପ୍ରାଥମିକତା ଭଗବାନ ବୁଦ୍ଧଙ୍କ ଐତିହ୍ୟର ସଂରକ୍ଷଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ।

 

ଭାରତ ଓ ନେପାଳରେ ଥିବା ଭଗବାନ ବୁଦ୍ଧଙ୍କ ସମ୍ପର୍କିତ ସ୍ଥାନଗୁଡ଼ିକର ବିକାଶ ସହ ବୁଦ୍ଧ ସର୍କିଟ ଗଠନ ହେଉଥିବା ସେ କହିଥିଲେ । ଏହାର ତାଲିକା ଦେଇ ସେ ସୂଚନା ଦେଇଥିଲେ, କୁଶୀନଗରରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ଆରମ୍ଭ ହୋଇଛି, ଲୁମ୍ବିନୀରେ ବୌଦ୍ଧ ସଂସ୍କୃତି ଓ ଐତିହ୍ୟର ଭାରତ ଆନ୍ତର୍ଜାତିକ କେନ୍ଦ୍ର ନିର୍ମାଣ କରାଯାଇଛି, ଲୁମ୍ବିନୀ ସ୍ଥିତ ବୁଦ୍ଧିଷ୍ଟ ବିଶ୍ୱବିଦ୍ୟାଳୟରେ ବୁଦ୍ଧିଷ୍ଟ ଷ୍ଟଡିଜରେ ଡ. ବାବାସାହେବ ଆମ୍ବେଦକର ଚେୟାର ପ୍ରତିଷ୍ଠା ସହ ବୋଦ୍ଧଗୟା, ଶ୍ରାବସ୍ତୀ, କପିଳବାସ୍ତୁ, ସାଞ୍ଚି, ସାତନା ଏବଂ ରେୱାରେ ଅନେକ ଗୁଡ଼ିଏ ବିକାଶମୂକଳ ପ୍ରକଳ୍ପର ନିର୍ମାଣ ଚାଲିଛି । ସାରନାଥ ଓ ବାରାଣସୀରେ ହୋଇଥିବା କେତେକ ବିକାଶମୂକଳ ପ୍ରକଳ୍ପର ଉଦଘାଟନ ୨୦୨୪ ଅକ୍ଟୋବର ୨୦ରେ ସେ କରିବେ ବୋଲି ଶ୍ରୀ ମୋଦୀ କହିଥିଲେ । ନୂତନ ନିର୍ମାଣ ସହ ସରକାର ଭାରତର ସମୃଦ୍ଧ ଅତୀତର ସଂରକ୍ଷଣ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ବିଗତ ଏକ ଦଶନ୍ଧି ମଧ୍ୟରେ ସରକାର ଭିନ୍ନ ଭିନ୍ନ ଦେଶରୁ ୬୦୦ ପ୍ରାଚୀନ ଐତିହ୍ୟ, କଳାକୃତି ଏବଂ ଅବଶେଷ ଭାରତକୁ ଫେରାଇ ଆଣିପାରିଛନ୍ତି । ଏଥିରୁ ଅନେକ ବୌଦ୍ଧ ଧର୍ମ ସହ ଜଡ଼ିତ । ବୁଦ୍ଧଙ୍କ ଐତିହ୍ୟର ପୁନର୍ଜାଗରଣ ସମୟରେ ଭାରତ ନିଜ ଐତିହ୍ୟ ଓ ସଂସ୍କୃତିକୁ ନୂଆ ରୂପରେ ଉପସ୍ଥାପିତ କରୁଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ, ଭଗବାନ ବୁଦ୍ଧଙ୍କ ବାଣୀର ପ୍ରଚାର ପ୍ରତିବଦ୍ଧତା କେବଳ ନିଜ ଦେଶର ଫାଇଦା ପାଇଁ ନୁହେଁ ବରଂ ସମଗ୍ର ମାନବତାର ସେବା ପାଇଁ । ସେ କହିଥିଲେ, ବୁଦ୍ଧଙ୍କ ବାଣୀରେ ବିଶ୍ୱାସ ରଖୁଥିବା ଦେଶଗୁଡ଼ିକୁ ଏକାଠି କରିବା ପାଇଁ ବିଶ୍ୱସ୍ତରରେ ଉଦ୍ୟମ ହେଉଛି । ମ୍ୟାଁମାର, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଭଳି ଅନେକ ଦେଶ ପାଲି ଭାଷାକୁ ସଂକଳିତ କରୁଛନ୍ତି । ଶ୍ରୀ ମୋଦୀ କହିଥିଲେ, ଭାରତରେ ମଧ୍ୟ ସରକାର ସମାନ ଉଦ୍ୟମ କରୁଛନ୍ତି । ଉଭୟ ପାରମ୍ପରିକ ଓ ଅନଲାଇନ ପ୍ଲାଟଫର୍ମ, ଡିଜିଟାଲ ଆର୍କାଇଭ ଓ ଆପ୍ ଭଳି ଆଧୁନିକ ପଦ୍ଧତିରେ ପାଲି ଭାଷାର ପ୍ରସାର ପାଇଁ ପ୍ରଚେଷ୍ଟା ରହିଛି । ଭଗବାନ ବୁଦ୍ଧଙ୍କ ବାଣୀକୁ ବୁଝିବା ପାଇଁ ଗବେଷଣାର ଆବଶ୍ୟକତା ଦର୍ଶାଇ ସେ କହିଥିଲେ, “ବୁଦ୍ଧ ଉଭୟ ଜ୍ଞାନ ଓ ସନ୍ଧାନ”, ତେଣୁ ଭଗବାନ ବୁଦ୍ଧଙ୍କୁ ଜାଣିବାକୁ ଉଭୟ ଆନ୍ତରିକ ଓ ଏକାଡେମିକ ଗବେଷଣାର ଆବଶ୍ୟକତା ରହିଛି । ଏହି ଦିଗରେ ଆମ ଯୁବ ପିଢ଼ିଙ୍କୁ ବୁଦ୍ଧିଷ୍ଟ ସଂସ୍ଥା ଓ ବୌଦ୍ଧ ସନ୍ନ୍ୟାସୀ ମାନେ ପ୍ରେରଣା ଦେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।

 

ଏକବିଂଶ ଶତାବ୍ଦୀରେ ବୃଦ୍ଧି ପାଉଥିବା ବୈଶ୍ୱିକ ଅସ୍ଥିରତା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ, ବୁଦ୍ଧଙ୍କ ବାଣୀ କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆଜିର ବିଶ୍ୱ ପାଇଁ ଏହା ଆବଶ୍ୟକ । ଜାତିସଂଘରେ ସେ କହିଥିବା ଉକ୍ତି ‘ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ ବରଂ ବୁଦ୍ଧ ଦେଇଛି’କୁ ଦୋହରାଇଥିଲେ । ସେ ଉଲ୍ଳେଖ କରିଥିଲେ, ବିଶ୍ୱ ବୁଦ୍ଧଙ୍କ ବାଣୀରେ ସମାଧାନର ରାସ୍ତା ପାଇପାରିବ, ଯୁଦ୍ଧରୁ ନୁହେଁ । ବୁଦ୍ଧଙ୍କ ବାଣୀରୁ ଶିକ୍ଷା ଲାଭ କରି ଯୁଦ୍ଧ ପରିତ୍ୟାଗ କରି ଶାନ୍ତିର ପଥ ଆଦରିବାକୁ ସେ ଆହ୍ୱାନ ଦେଇଥିଲେ । ବୁଦ୍ଧଙ୍କ ବାଣୀକୁ ଉଲ୍ଲେଖ କରି ସେ କହିଥିଲେ, ଶାନ୍ତି ଠାରୁ ବଡ଼ ଖୁସି କିଛି ନାହିଁ, ପ୍ରତିଶୋଧ ପ୍ରତିଶୋଧକୁ ଶାନ୍ତ କରିନଥାଏ, କରୁଣା ଓ ମାନବତା ଦ୍ୱାରା ଘୃଣା ଦୂର କରାଯାଇପାରିବ । ସେ ପୁଣି ସମସ୍ତଙ୍କ କଲ୍ୟାଣ ଓ ମଙ୍ଗଳ ହେଉ ବୋଲି ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଦୋହରାଇଥିଲେ ।

୨୦୪୭ ମସିହା ପର୍ଯ୍ୟନ୍ତ ୨୫ ବର୍ଷକୁ ଭାରତ ଅମୃତ କାଳ ଭାବେ ଚିହ୍ନଟ କରିଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ଅମୃତକାଳ ସମୟ ହିଁ ଭାରତର ବିକାଶ ସମୟ, ବିକଶିତ ଭାରତ ଗଠନର ସମୟ, ଯେଉଁଥିରେ କି ଭାରତର ବିକାଶର ରାସ୍ତାରେ ଭଗବାନ ବୁଦ୍ଧଙ୍କ ବାଣୀ ରୋଡମ୍ୟାପ୍ ସଦୃଶ କାମ କରିବ । ସେ ପୁଣି କହିଥିଲେ, ଏହା କେବଳ ବୁଦ୍ଧଙ୍କ ଭୂମିରେ ସମ୍ଭବ, ଯେଉଁଠି ବିଶ୍ୱର ସର୍ବାଧିକ ଜନସଂଖ୍ୟା ସମ୍ବଳ ଉପଯୋଗ ଉପରେ ସଜାଗ ରହିଛନ୍ତି । ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନର ସଂକଟ ଦେଇ ଗତି କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ କେବଳ ନିଜ ପାଇଁ ଏହାର ସମାଧାନର ବାଟ ବାହାର କରୁନି ବରଂ ସମଗ୍ର ବିଶ୍ୱକୁ ଏହା ସେୟାର କରୁଛି । ଭାରତ ଅନେକ ଦେଶ ସହ ମିଶି ମିଶନ ଲାଇଫ ଆରମ୍ଭ କରିଥିବା ସେ କହିଥିଲେ ।

 

ବୁଦ୍ଧଙ୍କ ବାଣୀକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଯେକୌଣସି ଭଲ କାମ ନିଜ ଠାରୁ ହିଁ ପ୍ରଥମେ ଆରମ୍ଭ ହେବା ଉଚିତ । ଏହା ମିଶନ ଲାଇଫର ମୂଳ ଆଇଡିଆ । ସେ କହିଥିଲେ ପ୍ରତ୍ୟେକ ବ୍ୟକ୍ତିର ସ୍ଥିର ଜୀବନଶୈଳୀରୁ ହିଁ ସ୍ଥିର ଭବିଷ୍ୟତ ସୃଷ୍ଟି ହୋଇଥାଏ । ଜି-୨୦ ଅଧ୍ୟକ୍ଷତା କାଳରେ ବିଶ୍ୱକୁ ଭାରତର ଅବଦାନ, ଯଥା: ଆନ୍ତର୍ଜାତିକ ସୌର ମଞ୍ଚର ପ୍ଲାଟଫର୍ମ, ବିଶ୍ୱ ଜୈବିକ ମେଣ୍ଟର ଗଠନ ବିଷୟ ସେ ଉଲ୍ଲେଖ କରିଥିଲେ । ଏସବୁ ସହ ଭାରତର ‘ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ ଏବଂ ଗୋଟିଏ ଗ୍ରୀଡ଼୍‌’ ଦୃଷ୍ଟିକୋଣ ଭଗବାନ ବୁଦ୍ଧଙ୍କ ନୀତି ଉପରେ ପର୍ଯ୍ୟବସିତ । ବିଶ୍ୱର ସ୍ଥିର ଭବିଷ୍ୟତ ନିଶ୍ଚିତ କରିବା ଦିଗରେ ଭାରତର ପ୍ରଚେଷ୍ଟା ଜାରି ବୋଲି ସେ କହିଥିଲେ । ଇଣ୍ଡିଆ-ମିଡଲ ଇଷ୍ଟ-ଇଉରୋପ ଇକୋନୋମିକ କରିଡର, ଭାରତର ଗ୍ରୀନ୍ ହାଇଡ୍ରୋଜେନ୍ ମିସନ, ୨୦୩୦ ସୁଦ୍ଧା ଭାରତୀୟ ରେଳକୁ ନେଟ୍ ଜିରୋ କରିବା ଲକ୍ଷ୍ୟ, ପେଟ୍ରୋଲରେ ଇଥାନଲ ମିଶ୍ରଣ ୨୦%କୁ ବୃଦ୍ଧି କରିବା ଇତ୍ୟାଦି ସବୁ କିଛି ଭାରତର ଦୃଢ଼ ପଦକ୍ଷେପ ବିଶ୍ୱକୁ ସୁରକ୍ଷିତ କରିବା ଦିଗରେ ଉଦ୍ଦିଷ୍ଟ । 

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ, ଭାରତର ଅନେକ ନିର୍ଣ୍ଣୟ ବୁଦ୍ଧ, ଧମ୍ମ ଏବଂ ସଂଘ ଦ୍ୱାରା ଅନୁପ୍ରାଣୀତ । ବିଶ୍ୱ ପ୍ରତି ସଂକଟ ଆସିଲେ ଭାରତ ପ୍ରଥମେ ହିଁ ପ୍ରତିକ୍ରିୟାଶୀଳ ହୋଇଥାଏ ବୋଲି ସେ ଉଦାହରଣ ଦେଇ କହିଥିଲେ । ତୁର୍କୀର ଭୂମିକମ୍ପ, ଶ୍ରୀଲଙ୍କାର ଅର୍ଥନୈତିକ ଅସ୍ଥିରତା ଏବଂ କୋଭିଡ-୧୯ ମହାମାରୀ ଭଳି ବୈଶ୍ୱିକ ସଂକଟ ସମୟରେ ଭାରତର ଅଗ୍ରଣୀ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ । ଏହା ବୁଦ୍ଧଙ୍କ କରୁଣାମୟ ନୀତିର ପ୍ରତିଫଳନ ବୋଲି ସେ କହିଥିଲେ । ‘ବିଶ୍ୱ ବନ୍ଧୁ’ ଭାବେ ଭାରତ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗେଇ ଚାଲିଛି । ସେ କହିଥିଲେ, ଯୋଗ, ମିଲେଟ ଏବଂ ପ୍ରାକୃତିକ କୃଷି ବୁଦ୍ଧଙ୍କ ବାଣୀ ଦ୍ୱାରା ଅନୁପ୍ରାଣୀତ ।

 

ଉଦବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ବିକାଶର ପଥରେ ଥିବା ଭାରତ ତାର ମୂଳ ଭିତ୍ତିଭୂମିକୁ ମଧ୍ୟ ଦୃଢ଼ କରୁଛି’ । ଏହାର ମୂଳ ଲକ୍ଷ୍ୟ ଭାରତର ଯୁବ ପିଢ଼ି ନିଜ ସଂସ୍କୃତି ଓ ମୂଲ୍ୟବୋଧକୁ ଗର୍ବର ସହ ନେଇ ବିଶ୍ୱରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ନେବା । ଏହି ପ୍ରଚେଷ୍ଟାରେ ବୁଦ୍ଧଙ୍କ ବାଣୀ ଆମ ପାଇଁ ସର୍ବୋତ୍କୃଷ୍ଟ ଗାଇଡ୍ ଏବଂ ଭଗବାନ ବୁଦ୍ଧଙ୍କ ବାଣୀ ସହ ଭାରତ ବିକାଶ ରାସ୍ତାରେ ଯିବ ଏହି ବିଶ୍ୱାସ ରହିଛି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଅନ୍ୟମାନଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଭାରତ ସରକାର ଓ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଉତ୍ସବରେ ୧୪ଟି ଦେଶର ଶିକ୍ଷାବିତ ଓ ବୌଦ୍ଧ ସନ୍ନ୍ୟାସୀଙ୍କ ସହ  ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ବୁଦ୍ଧ ଧମ୍ମର ଯୁବ ଗବେଷକ ମାନେ ଯୋଗ ଦେଇଛନ୍ତି ।       

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi