୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
ଛତିଶଗଡ଼ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି:ପ୍ରଧାନମନ୍ତ୍ରୀ
ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ସର୍ବଦା ଗର୍ବର ସହିତ ପାଳନ କରିବା ଆମର ନିରନ୍ତର ପ୍ରୟାସ:ପ୍ରଧାନମନ୍ତ୍ରୀ
ସେହି ଦିନ ଆଉ ଦୂରରେ ନାହିଁ ଯେତେବେଳେ ଛତିଶଗଡ଼ ଏବଂ ଆମ ଦେଶ ମାଓବାଦୀ ଆତଙ୍କବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୟା ରାୟପୁରରେ ଛତିଶଗଡ଼ ରାଜ୍ୟ ଗଠନର ୨୫  ବର୍ଷ ପୂର୍ତ୍ତି ଅବସରରେ ଛତିଶଗଡ଼ ରଜତ ମହୋତ୍ସବରେ ଉଦବୋଧନ ଦେଇଛନ୍ତି। ସେ ରାସ୍ତା, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ଏବଂ ପରିବର୍ତ୍ତନକାରୀ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆଜି ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ, ସେ ଛତିଶଗଡ଼ର ସମସ୍ତ ଜନସାଧାରଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।
ଶ୍ରୀ ମୋଦୀ କହିଛନ୍ତି ରାଜ୍ୟର ଜନସାଧାରଣଙ୍କ ସହିତ ଛତିଶଗଡ଼ର ରୌପ୍ୟ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ  ବଡ଼ ସୌଭାଗ୍ୟର କଥା। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଜଣେ ଦଳୀୟ କର୍ମୀ ଭାବରେ ସେ ରାଜ୍ୟ ଗଠନର ପୂର୍ବ ସମୟ ଏବଂ ଗତ ୨୫ ବର୍ଷ ଧରି ଏହି ବିକାଶମୂଳକ ଯାତ୍ରାର ସାକ୍ଷୀ ଅଟନ୍ତି। ତେଣୁ, ଏହି ଗର୍ବର ମୁହୂର୍ତ୍ତରେ ଅଂଶ ଗ୍ରହଣ କରିବା ତାଙ୍କ ପାଇଁ ଏକ ଆନନ୍ଦର କଥା ।
"ପଚିଶ ବର୍ଷ ପୂର୍ବେ, ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆପଣଙ୍କ ସ୍ୱପ୍ନର ଛତିଶଗଡ଼କୁ ଆପଣଙ୍କ ହାତରେ ସମର୍ପଣ କରିଥିଲେ, ଏବଂ ରାଜ୍ୟ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ଏକ ସଂକଳ୍ପ ନେଇଥିଲେ", ଏହା ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ବିଗତ ୨୫ ବର୍ଷର ଯାତ୍ରା ପଛକୁ ଚାହିଁଲେ ତାଙ୍କୁ ଗର୍ବ ଅନୁଭବ ହୁଏ। ସେ ଉଲ୍ଲେଖ କରିଥିଲେ ଯେ ଛତିଶଗଡ଼ର ଲୋକମାନେ ମିଳିତ ଭାବରେ ଅନେକ ସଫଳତା ହାସଲ କରିଛନ୍ତି। "ପଚିଶ ବର୍ଷ ପୂର୍ବେ ଯେଉଁ ବୀଜ ବୁଣାଯାଇଥିଲା ତାହା ଏବେ ବିକାଶର ଏକ ପ୍ରଫୁଲ୍ଲିତ ବୃକ୍ଷରେ ପରିଣତ ହୋଇଛି। ଛତିଶଗଡ଼ ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି",ବୋଲି ପ୍ରଧାନମନ୍ତ୍ରୀ ଟଙ୍କା ମନ୍ତବ୍ୟରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ରାଜ୍ୟ ଗଣତନ୍ତ୍ରର ଏକ ନୂତନ ମନ୍ଦିର  ପାଇଛି - ଏକ ନୂତନ ବିଧାନସଭା କୋଠା ମଧ୍ୟ ପାଇଛି। କାର୍ଯ୍ୟକ୍ରମରେ ପହଞ୍ଚିବା ପୂର୍ବରୁ, ତାଙ୍କୁ ଆଦିବାସୀ ସଂଗ୍ରହାଳୟ ଉଦଘାଟନ କରିଥିଲେ । ସେହି ମଞ୍ଚରୁ ପ୍ରାୟ ୧୪,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ କରାଯାଇଥିଲା। ଏହି ବିକାଶମୂଳକ ପଦକ୍ଷେପ ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ୨୦୦୦ ମସିହା ପରଠାରୁ  ସମ୍ପୂର୍ଣ୍ଣ ପିଢ଼ି ବଦଳି ଯାଇଛି। ଆଜି, ଏପରି ଏକ ନୂତନ  ଯୁବପିଢ଼ି ଅଛନ୍ତି ଯେଉଁମାନେ ପୂର୍ବ ସମୟ ଦେଖି ନାହାଁନ୍ତି ଯେତେବେଳେ ଗାଁକୁ ପହଞ୍ଚିବା ଏକ ବଡ ସମସ୍ୟା ଥିଲା ଏବଂ ଅନେକ ଗାଁରେ ରାସ୍ତାର କୌଣସି ଚିହ୍ନ ନଥିଲା। ସେ ଆଲୋକପାତ କରିଥିଲେ ଯେ ଆଜି, ଛତିଶଗଡ଼ର ଗ୍ରାମାଞ୍ଚଳରେ ରାସ୍ତା ନେଟୱାର୍କ ୪୦,୦୦୦ କିଲୋମିଟରକୁ ବିସ୍ତାରିତ ହୋଇଛି। ଗତ ୧୧ ବର୍ଷ ମଧ୍ୟରେ, ରାଜ୍ୟରେ ଜାତୀୟ ରାଜପଥର ଅଭୂତପୂର୍ବ ପ୍ରସାରଣ ହୋଇଛି ଏବଂ ନୂତନ ଏକ୍ସପ୍ରେସୱେ ଛତିଶଗଡ଼ର ପ୍ରଗତିର ପ୍ରତୀକ ପାଲଟିଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ରାୟପୁରରୁ ବିଳାସପୁର ଯାତ୍ରା କରିବାକୁ ଘଣ୍ଟା ଘଣ୍ଟା ଲାଗୁଥିଲା, କିନ୍ତୁ ବର୍ତ୍ତମାନ ସେହି ସମୟ ଅଧା ହ୍ରାସ ପାଇଛି। ସେ ଏକ ନୂତନ ଚାରି ଲେନ୍ ବିଶିଷ୍ଟ ରାଜପଥର ଶିଳାନ୍ୟାସ ମଧ୍ୟ ଘୋଷଣା କରିଥିଲେ, ଯାହା ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ମଧ୍ୟରେ ସଂଯୋଗକୁ ଆହୁରି ବୃଦ୍ଧି କରିବ।
 

ଛତିଶଗଡ଼ରେ ରେଳ ଏବଂ ବିମାନ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ବ୍ୟାପକ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ । ସେ ଆହୁରି କହିଥିଲେ  ଯେ ରାଜ୍ୟରେ ଏବେ ବନ୍ଦେ ଭାରତ ଭଳି ହାଇ-ସ୍ପିଡ୍ ଟ୍ରେନ୍ ଚଳାଚଳ କରୁଛି ଏବଂ ରାୟପୁର, ବିଳାସପୁର ଏବଂ ଜଗଦଲପୁର ଭଳି ସହରଗୁଡ଼ିକ ବର୍ତ୍ତମାନ ସିଧାସଳଖ ବିମାନ ମାଧ୍ୟମରେ ସଂଯୋଗ ହୋଇଛି। ସେ କହିଥିଲେ ଯେ କଞ୍ଚାମାଲ ରପ୍ତାନି ପାଇଁ ପୂର୍ବରୁ ଜଣାଶୁଣା ଛତିଶଗଡ଼ ଏବେ ଏକ ଶିଳ୍ପ ରାଜ୍ୟ ଭାବରେ ଏକ ନୂତନ ଭୂମିକାରେ ଉଭା ହେଉଛି। ପ୍ରଧାନମନ୍ତ୍ରୀ ଗତ ୨୫ ବର୍ଷ ମଧ୍ୟରେ ଛତିଶଗଡ଼ର ସଫଳତା ପାଇଁ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ଉପୁଜୁ ଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମୟରେ ନେତୃତ୍ୱ ନେଇଥିବା ଡକ୍ଟର ରମଣ ସିଂହଙ୍କୁ ଏକ ପ୍ରମୁଖ ଶ୍ରେୟ ଦିଆଯାଏ। ଡକ୍ଟର ରମଣ ସିଂହ ଏବେ ବିଧାନସଭାର ବାଚସ୍ପତି ଭାବରେ ମାର୍ଗଦର୍ଶନ କରିବା ଏବଂ ଶ୍ରୀ ବିଷ୍ଣୁ ଦେଓ ସାଇଙ୍କ ନେତୃତ୍ୱରେ ସରକାର ଛତିଶଗଡ଼ର ବିକାଶକୁ ଦ୍ରୁତ ଗତିରେ ଆଗକୁ ବଢ଼ାଉଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ।
ଶ୍ରୀ ମୋଦୀ କହିଥିଲେ ଯେ ସେ ଦାରିଦ୍ର୍ୟକୁ ନିକଟରୁ ଦେଖିଛନ୍ତି ଏବଂ ଗରିବଙ୍କ ଚିନ୍ତା ଓ ଅସହାୟତାକୁ ବୁଝନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ଯେତେବେଳେ ଦେଶ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିଲା, ସେ ଅବହେଳିତଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ତାଙ୍କ ସରକାର ଗରିବଙ୍କ ପାଇଁ ସ୍ୱାସ୍ଥ୍ୟସେବା, ଆୟ, ଶିକ୍ଷା ଏବଂ ଜଳସେଚନ ଉପରେ ବ୍ୟାପକ ଧ୍ୟାନ ଦେଇଛି।
ଏକ ଉଦାହରଣ ଦେଇ ଶ୍ରୀ ମୋଦୀ ଆଜି କହିଛନ୍ତି ଯେ ୨୫ ବର୍ଷ ପୂର୍ବେ ଛତିଶଗଡ଼ରେ କେବଳ ଗୋଟିଏ ମେଡିକାଲ କଲେଜ ଥିଲା, ଏଵେ ରାଜ୍ୟରେ ୧୪ଟି ମେଡିକାଲ କଲେଜ ଏବଂ ରାୟପୁରରେ ଏକ ଏମ୍ସ ହସ୍ପିଟାଲ ଅଛି। ସେ ମନେ ପକାଇଥିଲେ ଯେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ଦେଶବ୍ୟାପୀ ଅଭିଯାନ ଛତିଶଗଡ଼ରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ, ରାଜ୍ୟରେ ୫,୫୦୦ ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଛି।ସେ କହିଥିଲେ "ଆମ ସରକାରଙ୍କ ପ୍ରୟାସ ହେଉଛି ପ୍ରତ୍ୟେକ ଗରିବ ନାଗରିକ ସମ୍ମାନର ସହ ଜୀବନଯାପନ କରିବା", । ବସ୍ତି ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳରେ ଜୀବନ ଯାପାନ ନିରାଶାକୁ ଆହୁରି ଗଭୀର କରିଥାଏ ଏବଂ ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବାର ସଂକଳ୍ପକୁ ଦୁର୍ବଳ କରିଥାଏ। ତେଣୁ, ଆମ ସରକାର ପ୍ରତ୍ୟେକ ଗରିବ ପରିବାରକୁ ସ୍ଥାୟୀ ବାସଗୃହ ଯୋଗାଇବାକୁ ସଂକଳ୍ପ ନେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ଚାରି କୋଟି ଗରିବ ପରିବାର ପକ୍କା ଘର ପାଇଛନ୍ତି ଏବଂ ବର୍ତ୍ତମାନ ସରକାର ତିନି କୋଟି ନୂତନ ଘର ନିର୍ମାଣ କରିବାର ସଂକଳ୍ପ ନେଇ କାମ କରୁଛନ୍ତି। କେବଳ ଏହି ଦିନରେ, ଛତିଶଗଡ଼ରେ ୩.୫  ଲକ୍ଷରୁ ଅଧିକ ପରିବାର ସେମାନଙ୍କର ନୂତନ ଘରେ ପ୍ରବେଶ କରୁଛନ୍ତି ଏବଂ ପ୍ରାୟ ତିନି ଲକ୍ଷ ପରିବାରଙ୍କୁ  ୧,୨୦୦ କୋଟି ଟଙ୍କା ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  ଛତିଶଗଡ଼ରେ ଗରିବ ଲୋକଙ୍କୁ ବାସଗୃହ ଯୋଗାଇବା ପାଇଁ ସେମାନଙ୍କ ସରକାର କେତେ ଗମ୍ଭୀରତାର ସହିତ କାର୍ଯ୍ୟ କରୁଛି ତାହା ଏହି ବିକାଶମୂଳକ କାର୍ଯ୍ୟରୁ ପ୍ରତିଫଳିତ ହୁଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ, ଅବହେଳିତ ଲୋକଙ୍କ ପାଇଁ ସାତ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି। ସେ ଜୋର ଦେଇ କହିଥିଲେ ଯେ ଏଗୁଡ଼ିକ କେବଳ ପରିସଂଖ୍ୟାନ ନୁହେଁ - ପ୍ରତ୍ୟେକ ଘର ଏକ ପରିବାରର ସ୍ୱପ୍ନ ଏବଂ ଅପାର ଆନନ୍ଦକୁ ଅନୁଭବ କରଛନ୍ତି। ସେ ସମସ୍ତ ହିତାଧିକାରୀ ପରିବାରକୁ ସହୃଦୟରୁ ଅଭିନନ୍ଦନ ଜଣାଇଥିଲେ।
 

ଛତିଶଗଡ଼ର ଲୋକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କ କଷ୍ଟ କମ କରିବା ପାଇଁ ସେମାନଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ରାଜ୍ୟର ପ୍ରତ୍ୟେକ ଗାଁରେ ବିଦ୍ୟୁତ୍ ପହଞ୍ଚିସାରିଛି, ଏବଂ ଯେଉଁ ଅଞ୍ଚଳରେ ପୂର୍ବରୁ ବିଦ୍ୟୁତ୍ ଅଭାବ ଥିଲା, ସେଠାରେ ମଧ୍ୟ ଏବେ ଇଣ୍ଟରନେଟ୍ ଉପଲବ୍ଧ ହୋଇଛି । ଶ୍ରୀ ମୋଦୀ ମନେ ପକାଇଥିଲେ ଯେ ଗୋଟିଏ ସମୟ ଥିଲା ଯେତେବେଳେ ସାଧାରଣ ପରିବାର ପାଇଁ ଏଲପିଜି ସଂଯୋଗ ଏକ  ସ୍ୱପ୍ନ ଥିଲା। ଆଜି, ଛତିଶଗଡ଼ର ଗରିବ, ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀ ସମ୍ପ୍ରଦାୟର ଗ୍ରାମ ଏବଂ ପରିବାରରେ ଗ୍ୟାସ୍ ସଂଯୋଗ ପହଞ୍ଚିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଏବେ ସିଲିଣ୍ଡର ସହିତ ପାଇପଲାଇନ ମାଧ୍ୟମରେ ସୁଲଭ ଗ୍ୟାସ୍ ଯୋଗାଇବା ପାଇଁ କାର୍ଯ୍ୟ କରୁଛି। ସେ ଘୋଷଣା କରିଛନ୍ତି ଯେ ନାଗପୁର-ଝାରସୁଗୁଡ଼ା ଗ୍ୟାସ୍ ପାଇପଲାଇନ ଆଜି ଦେଶକୁ ଉତ୍ସର୍ଗ କରାଯାଇଛି ଏବଂ ଏହି ପ୍ରକଳ୍ପ ପାଇଁ ଛତିଶଗଡ଼ର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଛତିଶଗଡ଼ ଦେଶର ସର୍ବବୃହତ ଆଦିବାସୀ ଜନସଂଖ୍ୟା ମଧ୍ୟରୁ ଗୋଟିଏ - ଏକ ଗର୍ବିତ ଇତିହାସ ଏବଂ ଭାରତର ଐତିହ୍ୟ ଓ ବିକାଶରେ ଅପାର ଅବଦାନ ସହିତ ଏକ ସମ୍ପ୍ରଦାୟ ଭାବେ ଗଠିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସରକାର ନିରନ୍ତର ଭାବରେ ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଏବଂ ପାଳନ କରିବା ପାଇଁ କାର୍ଯ୍ୟ କରୁଛି। ସାରା ଦେଶରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଉତ୍ସର୍ଗୀକୃତ ସଂଗ୍ରହାଳୟ ପ୍ରତିଷ୍ଠା ମାଧ୍ୟମରେ ହେଉ କିମ୍ବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ଜନଜାତି ଗୌରବ ଦିବସ ଭାବରେ ଘୋଷଣା କରିଛନ୍ତି ଏଥି ସହ ସରକାରଙ୍କ ନିରନ୍ତର ପ୍ରୟାସ ହେଉଛି ଆଦିବାସୀ ସମାଜର ଐତିହ୍ୟକୁ ସମ୍ମାନ ଏବଂ ଗୌରବ ଦେବା।
ଆଜି ଶହୀଦ ବୀର ନାରାୟଣ ସିଂହ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ ସହିତ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି  ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ସଂଗ୍ରହାଳୟ ସ୍ୱାଧୀନତା ପୂର୍ବରୁ ୧୫୦ ବର୍ଷରୁ ଅଧିକ ଆଦିବାସୀ ଇତିହାସକୁ ପ୍ରଦର୍ଶିତ କରେ, ଯେଉଁଥିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନେ ଭାରତର ସ୍ୱାଧୀନତା ସଂଗ୍ରାମରେ କିପରି ଅବଦାନ ରଖିଥିଲେ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ସଂଗ୍ରହାଳୟ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ।
ଆଦିବାସୀ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଆଦିବାସୀ ବିକାଶ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ସରକାର ଏକକାଳୀନ କାର୍ଯ୍ୟ କରୁଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଉଦାହରଣ ଦେଇଥିଲେ । ଯାହା ଦେଶର ହଜାର ହଜାର ଆଦିବାସୀ ଗ୍ରାମରେ ବିକାଶର ନୂତନ ଆଲୋକ ଆଣି ଦେଉଛି। ସେ ଉଲ୍ଲେଖ କରିଥିଲେ ଯେ ଏହା ଏକ ୮୦,୦୦୦  କୋଟି ଟଙ୍କାର ଉନ୍ନୟନ୍ନ ପଦକ୍ଷେପ - ସ୍ୱାଧୀନ ଭାରତରେ ଆଦିବାସୀ ଅଞ୍ଚଳ ପାଇଁ ଏହା ଅଭୂତପୂର୍ବ ପ୍ରୟାସ। ସେ ଆହୁରି କହିଛନ୍ତି ଯେ ପ୍ରଥମ ଥର ପାଇଁ, ସବୁଠାରୁ ଦୁର୍ବଳ ଆଦିବାସୀ ଗୋଷ୍ଠୀର ବିକାଶ ପାଇଁ ଏକ ଜାତୀୟ ଯୋଜନାର ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ଅଧୀନରେ, ଏହି ସମ୍ପ୍ରଦାୟର ହଜାର ହଜାର ବସତିରେ ବିକାଶ କାର୍ଯ୍ୟ କରାଯାଉଛି।
 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟ ପିଢ଼ି ପରେ ପିଢ଼ି ଧରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଆସୁଛନ୍ତି। ସେ ଆଲୋକପାତ କରିଥିଲେ ଯେ ବର୍ତ୍ତମାନର ସରକାର ବନ ଧନ କେନ୍ଦ୍ର ମାଧ୍ୟମରେ ଅଧିକ ରୋଜଗାର ପାଇଁ ସୁଯୋଗ ସୃଷ୍ଟି କରିଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦୁ ପତ୍ର କ୍ରୟ ପାଇଁ ଉନ୍ନତ ବ୍ୟବସ୍ଥା ଛତିଶଗଡ଼ରେ ସଂଗ୍ରହକାରୀଙ୍କ ପାଇଁ ଯଥେଷ୍ଟ  ଆୟ ବୃଦ୍ଧି କରିଛି।
ଛତିଶଗଡ଼ ଏବେ ନକ୍ସଲବାଦ, ମାଓବାଦୀ ଓ ଆତଙ୍କବାଦର ଶିକୁଳିରୁ ମୁକ୍ତ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ନକ୍ସଲବାଦ ଯୋଗୁଁ ୫୦-୫୫ ବର୍ଷ ଧରି ଲୋକମାନେ ଅସହ୍ୟ  ଯନ୍ତ୍ରଣା ପାଉଥିଲେ । ଯେଉଁମାନେ ସମ୍ବିଧାନକୁ ବଜାୟ ରଖିବାର ଅଭିନୟ କରନ୍ତି ଏବଂ ସାମାଜିକ ନ୍ୟାୟ ନାମରେ କୁମ୍ଭୀର କାନ୍ଦିଲା ଭଳି ଲୁହ ଢାଳିଥାନ୍ତି ସେମାନଙ୍କୁ ସେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ସେମାନେ ନିଜର ରାଜନୈତିକ ଲାଭ ପାଇଁ ଦଶନ୍ଧି ଧରି ଲୋକଙ୍କ ଉପରେ ଅନ୍ୟାୟ କରିଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ ମାଓବାଦୀ ଆତଙ୍କବାଦ ଯୋଗୁଁ ଛତିଶଗଡ଼ର ଆଦିବାସୀ ଅଞ୍ଚଳଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତାରୁ ବଞ୍ଚିତ ଥିଲା। ପିଲାମାନେ ସ୍କୁଲ ଯିବାର ସୁବିଧା ପାଇନଥିଲେ, ରୋଗୀମାନେ ଡାକ୍ତରଖାନାର ସୁବିଧା ପାଇବାରୁ ବଞ୍ଚିତ ହୋଇଥିଲେ ଏବଂ ଯେଉଁମାନେ ଦଶନ୍ଧି ଧରି ଦେଶକୁ ଶାସନ କରିଥିଲେ ସେମାନେ ଜୀବନର ବିଭିନ୍ନ ସୁବିଧାକୁ ଉପଭୋଗ କରିବା ସମୟରେ ଲୋକଙ୍କୁ  ପରିତ୍ୟାଗ କରିଥିଲେ।
ହିଂସାର ବାତାବରଣ ଦ୍ୱାରା ସେ ତାଙ୍କ ଆଦିବାସୀ ଭାଇଭଉଣୀମାନଙ୍କୁ ନଷ୍ଟ ହେବାକୁ ଦେଇପାରିବେ ନାହିଁ କିମ୍ବା ଅଗଣିତ ମା'ମାନଙ୍କୁ ସେମାନଙ୍କ ପିଲାମାନଙ୍କ ପାଇଁ କାନ୍ଦୁଥିବାର ଦେଖି ସହ୍ୟ କରିପାରିବେ ନାହିଁ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଯେତେବେଳେ ଦେଶ ତାଙ୍କୁ ୨୦୧୪ ରେ ସେବା କରିବାର ସୁଯୋଗ ଦେଇଥିଲା, ତାଙ୍କ ସରକାର ଭାରତକୁ ମାଓବାଦୀ ଆତଙ୍କବାଦରୁ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ। ଏହି ସଂକଳ୍ପର ଫଳାଫଳ ଏବେ ସମଗ୍ର ଦେଶ ଦେଖିପାରୁଛି ବୋଲି ଦୃଢ଼ୋକ୍ତି କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଗାର ବର୍ଷ ପୂର୍ବେ ୧୨୫ରୁ ଅଧିକ ଜିଲ୍ଲା ମାଓ ଆତଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା; ଆଜି କେବଳ ତିନୋଟି ଜିଲ୍ଲା ଏପରି ଅଛି ଯେଉଁଠାରେ ମାଓ କାର୍ଯ୍ୟକଳାପର ଚିହ୍ନ ରହିଛି। ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ, "ସେହି ଦିନ ଦୂରରେ ନାହିଁ ଯେତେବେଳେ ଛତିଶଗଡ଼ ଏବଂ ସମଗ୍ର ଦେଶ ସମ୍ପୂର୍ଣ୍ଣ ଭାବରେ ମାଓ ଆତଙ୍କବାଦରୁ ମୁକ୍ତ ହେବ।"
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ ଛତିଶଗଡ଼ରେ ହିଂସାର ପଥ ଗ୍ରହଣ କରିଥିବା ଅନେକ ବ୍ୟକ୍ତି ଏବେ ଦ୍ରୁତ ଗତିରେ ଆତ୍ମସମର୍ପଣ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ କିଛି ଦିନ ପୂର୍ବରୁ କାଙ୍କେରରେ କୋଡ଼ିଏରୁ ଅଧିକ ନକ୍ସଲ ମୁଖ୍ୟସ୍ରୋତକୁ ଫେରି ଆସିଥିଲେ ଏବଂ ପୂର୍ବରୁ, ଅକ୍ଟୋବର ୧୭ ତାରିଖରେ ବସ୍ତରରେ ୨୦୦ ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସାମ୍ପ୍ରତିକ ମାସଗୁଡ଼ିକରେ, ସାରା ଦେଶରେ ମାଓ ଆତଙ୍କବାଦ ସହିତ ଜଡିତ ଏକାଧିକ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ରଖିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁରସ୍କାର ଥିଲା। ସେହି ବ୍ୟକ୍ତିମାନେ ଏବେ ଭାରତର ସମ୍ବିଧାନକୁ ଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମାଓ ଆତଙ୍କବାଦର ନିରାକରଣ ଅସମ୍ଭବକୁ ସମ୍ଭବ କରିଛି। ସେ ମନ୍ତବ୍ୟ ଦେଇଥିଲେ ଯେ ବୋମା ଏବଂ ବନ୍ଧୁକର ଭୟରେ ଥରୁଟିଏ କବଳିତ ଅଞ୍ଚଳଗୁଡ଼ିକ ଏବେ ପରିବର୍ତ୍ତନ ହୋଇଛି। ବିଜାପୁରର ଚିଲକାପାଲି ଗାଁରେ, ସାତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଦ୍ୟୁତ୍ ପହଞ୍ଚିଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆବୁଝମାଡର ରେକାୱାୟା ଗାଁରେ ସ୍କୁଲ ନିର୍ମାଣ ଆରମ୍ଭ ହୋଇଛି। ସେ ଆଲୋକପାତ କରିଥିଲେ ଯେ ପୁଭାର୍ତି ଗାଁ, ଯାହାକୁ ଥରେ ଆତଙ୍କବାଦର ଗଡ଼ ବୋଲି ବିବେଚନା କରାଯାଉଥିଲା,ସେଠାରେ ଏବେ ବିକାଶର ଲହରୀ ଦେଖାଯାଉଛି। ଲାଲ ପତାକାକୁ ଜାତୀୟ ତ୍ରିରଙ୍ଗା ଦ୍ୱାରା ବଦଳାଇ ଦିଆଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ବସ୍ତର ଭଳି ଅଞ୍ଚଳଗୁଡ଼ିକ ଏବେ ଉତ୍ସବର ସୂତ୍ରରେ ପରିପୂର୍ଣ୍ଣ, ଏଠାରେ ବସ୍ତର ପାଣ୍ଡୁମ୍ ଏବଂ ବସ୍ତର ଅଲିମ୍ପିକ୍ସ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
 

ନକ୍ସଲବାଦର ଆହ୍ଵାନ ସତ୍ତ୍ୱେ ଗତ ୨୫ ବର୍ଷ ମଧ୍ୟରେ ଛତିଶଗଡ଼ କେତେ ଆଗକୁ ବଢ଼ିଛି ଏବଂ ଏହି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହେବା ପରେ ଏହାର ଗତି କେତେ ଦ୍ରୁତ ହେବ ତାହା କଳ୍ପନା କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକ ଛତିଶଗଡ଼ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ବିକଶିତ ଭାରତ ନିର୍ମାଣ କରିବା ପାଇଁ ଛତିଶଗଡ଼ର ବିକାଶ ହେବା ଅତ୍ୟନ୍ତ ଜରୁରୀ। ରାଜ୍ୟର ଯୁବକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସେମାନଙ୍କର ସମୟ, ଏବଂ ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ସେମାନେ ହାସଲ କରିପାରିବେ ନାହିଁ। ସେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନଙ୍କ ସରକାର ପ୍ରତ୍ୟେକ ପଦକ୍ଷେପରେ ଏବଂ ପ୍ରତ୍ୟେକ ସଂକଳ୍ପ ସହିତ ସେମାନଙ୍କ ସହିତ ଠିଆ ହୋଇଛି। ପ୍ରଧାନମନ୍ତ୍ରୀ ଶେଷରେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ଏକାଠି, ଆମେ ଛତିଶଗଡ଼କୁ ଆଗକୁ ବଢ଼ାଇବୁ ଏବଂ ଦେଶକୁ ଆଗକୁ ନେବୁ । ଛତିଶଗଡ଼ର ପ୍ରତ୍ୟେକ ଭାଇଭଉଣୀଙ୍କୁ ତାଙ୍କର ଆନ୍ତରିକ ଶୁଭକାମନା ଜଣାଇଲେ।
ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ରମଣ ଡେକା, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଆଲ ଓରାମ, ଶ୍ରୀ ଦୁର୍ଗା ଦାସ ଉଇକେ, ଶ୍ରୀ ଟୋକନ ସାହୁ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ   କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ଛତିଶଗଡ଼ ରଜତ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ସେ ରାସ୍ତା, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରକୁ ଉର୍ନତ କରିବା ପାଇଁ  ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ଏବଂ ରୂପାନ୍ତରକାରୀ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ଛତିଶଗଡ଼ର ନଅଟି ଜିଲ୍ଲାରେ ୧୨ଟି ନୂତନ ଷ୍ଟାର୍ଟ-ଅପ୍ ଗ୍ରାମ ଉଦ୍ୟୋଗୀତା କାର୍ଯ୍ୟକ୍ରମ (ଏସ୍‌ଭିଇପି) ବ୍ଲକ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ୩.୫୧ ଲକ୍ଷ ସମ୍ପୂର୍ଣ୍ଣ ହୋଇଥିବା ଘରର ଗୃହ ପ୍ରବେଶରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଭାବରେ ୧୨୦୦ କୋଟି ଟଙ୍କା ପ୍ରଦାନ କରିଥିଲେ, ଯାହା ରାଜ୍ୟ ସାରା ଗ୍ରାମୀଣ ପରିବାର ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଗୃହ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିଥିଲା।
ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ପାଥାଲଗାଓଁ-କୁଙ୍କୁରିରୁ ଛତିଶଗଡ଼-ଝାଡ଼ଖଣ୍ଡ ସୀମାନ୍ତ ପର୍ଯ୍ୟନ୍ତ ଚାରି ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ହାଇୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ଭାରତମାଳା ପରିଯୋଜନା ଅଧୀନରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଛଏଆଇ) ଦ୍ୱାରା ପ୍ରାୟ ୩,୧୫୦କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଛି। ଏହି ରଣନୈତିକ କରିଡର କୋରବା, ରାୟଗଡ଼, ଜଶପୁର, ରାଞ୍ଚି ଏବଂ ଜାମସେଦପୁରରେ ପ୍ରମୁଖ କୋଇଲା ଖଣି, ଶିଳ୍ପ କ୍ଷେତ୍ର ଏବଂ ଇସ୍ପାତ ପ୍ଲାଣ୍ଟଗୁଡ଼ିକୁ ସଂଯୋଗ କରିବ, ଯାହା ଏକ ପ୍ରମୁଖ ଅର୍ଥନୈତିକ ଧମନୀ ଭାବରେ କାର୍ଯ୍ୟ କରିବ। ଯାହା ଆଞ୍ଚଳିକ ବାଣିଜ୍ୟ ସଂଯୋଗକୁ ସୁଦୃଢ଼ କରିବ ଏବଂ ପୂର୍ବ କ୍ଷେତ୍ର ସହିତ କେନ୍ଦ୍ରୀୟ ଭାରତକୁ ସଂଯୋଗ କରିବ।
ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ବସ୍ତର ଏବଂ ନାରାୟଣପୁର ଜିଲ୍ଲାର ବିଭିନ୍ନ ଅଂଶକୁ ବିସ୍ତାର କରି ଏନଏଛ୍-୧୩୦ ଡି (ନାରାୟଣପୁର-କସ୍ତୁରମେଟା-କୁତୁଲ-ନୀଲାଙ୍ଗୁର-ମହାରାଷ୍ଟ୍ର ସୀମା) ନିର୍ମାଣ ଏବଂ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏନ୍‌ଏଛ-୧୩୦ସି (ମଦଙ୍ଗମୁଡା-ଦେଓଭୋଗ-ଓଡିଶା ସୀମା) ର ତିନି ଲେନ୍ ବିଶିଷ୍ଟ ରାଜପଥରେ ଉନ୍ନତିକରଣର ମଧ୍ୟ ଉଦଘାଟନ କରିବେ। ଏହା ଆଦିବାସୀ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ସଡ଼କ ସଂଯୋଗୀକରଣକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ବଜାରର ଉପଲବ୍ଧତାରେ ଉନ୍ନତି ଆଣିବ ଏବଂ ଦୁର୍ଗମ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।
ଶକ୍ତି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ଆନ୍ତଃ-ଆଞ୍ଚଳିକ ଇଆର-ଡବ୍ଲୁ ଆନ୍ତଃସଂଯୋଗ ପ୍ରକଳ୍ପର ଉଦଘାଟନ କରିଛନ୍ତି, ଯାହା ପୂର୍ବ ଏବଂ ପଶ୍ଚିମ ଗ୍ରୀଡ ମଧ୍ୟରେ ଆନ୍ତଃ-ଆଞ୍ଚଳିକ ବିଦ୍ୟୁତ୍ ସ୍ଥାନାନ୍ତର କ୍ଷମତାକୁ ୧,୬୦୦ ଏମଡବ୍ଳୁ  ବୃଦ୍ଧି କରିବ, ଗ୍ରୀଡ୍ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ ଏବଂ ସମଗ୍ର ଅଞ୍ଚଳରେ ଏକ ସ୍ଥିର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ।
 

ଏହା ସହିତ, ପ୍ରଧାନମନ୍ତ୍ରୀ ୩,୭୫୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବହୁବିଧ ଶକ୍ତି କ୍ଷେତ୍ର ପ୍ରକଳ୍ପ ପାଇଁ ସମର୍ପିତ, ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଯାହାର ଲକ୍ଷ୍ୟ ଛତିଶଗଡ଼ର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଯୋଗାଣ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବା ଏବଂ ପରିବହନ କ୍ଷମତା ବୃଦ୍ଧି କରିବା।
ପୁନଃସଂସ୍କୃତ ବଣ୍ଟନ କ୍ଷେତ୍ର ଯୋଜନା (ଆରଡିଏସ୍‌ଏସ୍) ଅଧୀନରେ, ପ୍ରଧାନମନ୍ତ୍ରୀ ପ୍ରାୟ ୧,୮୬୦ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟକୁ ସମର୍ପିତ କରିବେ, ଯେଉଁଥିରେ ନୂତନ ବିଦ୍ୟୁତ୍ ଲାଇନ ନିର୍ମାଣ, ଫିଡର ବିଭାଜନ, ଟ୍ରାନ୍ସଫର୍ମର ସ୍ଥାପନ, କଣ୍ଡକ୍ଟରର ପରିବର୍ତ୍ତନ ଏବଂ ଗ୍ରାମୀଣ ଓ କୃଷି ବିଦ୍ୟୁତ୍ ଯୋଗାଣରେ ଉନ୍ନତି ଆଣିବା ପାଇଁ ଲୋ-ଟେନସନ୍ ନେଟୱାର୍କକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ରାୟପୁର, ବିଳାସପୁର, ଦୁର୍ଗ, ବେମେତାରା, ଗରିଆବନ୍ଦ ଏବଂ ବସ୍ତର ଭଳି ଜିଲ୍ଲାରେ ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନଅଟି ନୂତନ ବିଦ୍ୟୁତ୍ ସବଷ୍ଟେସନର ମଧ୍ୟ ଉଦଘାଟନ କରିବେ। ଏହା ସ୍ଥିର ଭୋଲଟେଜ ସୁନିଶ୍ଚିତ କରି, ବିଭ୍ରାଟ ହ୍ରାସ କରି ଏବଂ ଦୂରବର୍ତ୍ତୀ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଇ ଦେଇ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିବ। ଏହା ସହିତ, ୧,୪୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନୂତନ ସବଷ୍ଟେସନ ଏବଂ ପରିବହନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ, ଯେଉଁଥିରେ କାଙ୍କେର ଏବଂ ବାଲୋଦାବଜାର-ଭାଟପଡ଼ାରେ ପ୍ରମୁଖ ସୁବିଧା ଅନ୍ତର୍ଭୁକ୍ତ, ଏବଂ ରାଜ୍ୟରେ ବିଦ୍ୟୁତ୍ ପହଞ୍ଚ ଏବଂ ଗୁଣବତ୍ତା ଆହୁରି ବିସ୍ତାର କରିବା ପାଇଁ ଅନେକ ଜିଲ୍ଲାରେ ନୂତନ ଆରଡିଏସ୍‌ଏସ୍‌ କାର୍ଯ୍ୟ ଅନ୍ତର୍ଭୁକ୍ତ।
 

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ରାୟପୁରରେ ଏଚପିସିଏଲ୍ ଅତ୍ୟାଧୁନିକ ପେଟ୍ରୋଲିୟମ ତୈଳ ଡିପୋକୁ ଉଦଘାଟନ କରିବେ, ଯାହା ୪୬୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ଏବଂ ଏହାର ୫୪,୦୦୦ କିଲୋଲିଟର (କେଏଲ୍‌) ପେଟ୍ରୋଲ, ଡିଜେଲ ଏବଂ ଇଥାନଲ ସଂରକ୍ଷଣ କ୍ଷମତା ରହିଛି। ଏହି ସୁବିଧା ଏକ ପ୍ରମୁଖ ଇନ୍ଧନ କେନ୍ଦ୍ର ଭାବରେ କାର୍ଯ୍ୟ କରିବ, ଯାହା ଛତିଶଗଡ଼ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବ। ୧୦,୦୦୦ କେଏଲ୍  ଇଥାନଲ ସଂରକ୍ଷଣ ସହିତ, ଡିପୋ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ମଧ୍ୟ ସମର୍ଥନ କରିବ, ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତା ହ୍ରାସ କରିବ ଏବଂ ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।
 

ପ୍ରଧାନମନ୍ତ୍ରୀ ପ୍ରାୟ ୧୯୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୮୯ କିଲୋମିଟର ନାଗପୁର-ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ମଧ୍ୟ ସମର୍ପିତ କରିବେ। ଏହି ପ୍ରକଳ୍ପ ଭାରତର ଶକ୍ତି ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଅଂଶକୁ ୧୫ ପ୍ରତିଶତକୁ ବୃଦ୍ଧି କରିବା ଏବଂ "ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡ" ର ଦୃଷ୍ଟିକୋଣ ହାସଲ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଏହି ପାଇପଲାଇନ ଛତିଶଗଡ଼ର ୧୧ ଜିଲ୍ଲାକୁ ଜାତୀୟ ଗ୍ୟାସ ଗ୍ରୀଡ ସହିତ ସଂଯୋଗ କରିବ, ଶିଳ୍ପ ବିକାଶକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳକୁ ସ୍ୱଚ୍ଛ କରିବା ସହିତ ସୁଲଭ ଇନ୍ଧନ ଯୋଗାଇବ।
ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ଦୁଇଟି ସ୍ମାର୍ଟ ଶିଳ୍ପ କ୍ଷେତ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ - ଗୋଟିଏ ଜାଞ୍ଜଗିର-ଚମ୍ପା ଜିଲ୍ଲାର ସିଲାଦେହି-ଗତୱା-ବିରାରେ ଏବଂ ଅନ୍ୟଟି ରାଜନନ୍ଦଗାଓଁ ଜିଲ୍ଲାର ବିଜଲେତାଲାରେ। ଏହା ସହିତ, ପ୍ରଧାନମନ୍ତ୍ରୀ ସେକ୍ଟର-୨୨, ନବ ରାୟପୁର ଅଟଳ ନଗରରେ ଏକ ଔଷଧ ପାର୍କର ଶିଳାନ୍ୟାସ କରିବେ। ଏହି ପାର୍କ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦନ ପାଇଁ ଏକ ସମର୍ପିତ କ୍ଷେତ୍ର ଭାବରେ କାର୍ଯ୍ୟ କରିବ।
ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବୃଦ୍ଧି କରି, ପ୍ରଧାନମନ୍ତ୍ରୀ ପାଞ୍ଚଟି ନୂତନ ସରକାରୀ ମେଡିକାଲ କଲେଜ - ମାନେନ୍ଦ୍ରଗଡ଼, କବୀରଧାମ, ଜାଞ୍ଜଗିର-ଚମ୍ପା ଏବଂ ଗିଦମ (ଦନ୍ତେୱାଡା) ଏବଂ ବିଳାସପୁରରେ ସରକାରୀ ଆୟୁର୍ବେଦ କଲେଜ ଏବଂ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଛତିଶଗଡ଼ରେ ଚିକିତ୍ସା ଶିକ୍ଷାକୁ ସୁଦୃଢ଼ କରିବ, ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ବିସ୍ତାର କରିବ ଏବଂ ପାରମ୍ପରିକ ଔଷଧକୁ ପ୍ରୋତ୍ସାହିତ କରିବ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”