ଭାରତୀୟ ସଭ୍ୟତାର ମୂଳ ମୂଲ୍ୟବୋଧ ହେଉଛି ସେବା: ପ୍ରଧାନମନ୍ତ୍ରୀ
'ସେବୋ ପରମୋ ଧର୍ମଃ' ହେଉଛି ସେହି ନୀତି, ଯାହା ଶତାବ୍ଦୀର ପରିବର୍ତ୍ତନ ଏବଂ ଆହ୍ଵାନ ମଧ୍ୟରେ ଭାରତକୁ ବଜାୟ ରଖିଛି, ଆମ ସଭ୍ୟତାକୁ ଏହାର ଆଭ୍ୟନ୍ତରୀଣ ଶକ୍ତି ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ
ଶ୍ରୀ ସତ୍ୟସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ରଖିଥିଲେ : ପ୍ରଧାନମନ୍ତ୍ରୀ
ଶ୍ରୀ ସତ୍ୟସାଇ ବାବା ଆଧ୍ୟାତ୍ମିକତାକୁ ସମାଜ ସେବା ଏବଂ ମାନବ କଲ୍ୟାଣ ପାଇଁ ଏକ ଉପକରଣରେ ପରିଣତ କରିଥିଲେ : ପ୍ରଧାନମନ୍ତ୍ରୀ
ଆସନ୍ତୁ ଆମେ ଭୋକାଲ୍ ଫର ଲୋକାଲର ଭାବନାକୁ ଆହୁରି ମଜବୁତ କରିବା ପାଇଁ ସଂକଳ୍ପ ନେବା ; ଏକ ବିକଶିତ ଭାରତ ନିର୍ମାଣ କରିବା ପାଇଁ, ଆମକୁ ଆମର ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବାକୁ ପଡିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ "ସାଇ ରାମ" ସହିତ ଆରମ୍ଭ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ପୁଟ୍ଟପର୍ଥୀର ପବିତ୍ର ଭୂମିରେ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଅନୁଭୂତି। ସେ କହିଥିଲେ ଯେ, କିଛି ସମୟ ପୂର୍ବରୁ ତାଙ୍କୁ ବାବାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର ସୁଯୋଗ ମିଳିଥିଲା। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ବାବାଙ୍କ ପାଦ ତଳେ ପ୍ରଣାମ କରିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସର୍ବଦା ହୃଦୟକୁ ଗଭୀର ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥାଏ।

ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ବର୍ଷ କେବଳ ଏହି ପିଢ଼ି ପାଇଁ ଏକ ଉତ୍ସବ ନୁହେଁ, ବରଂ ଏକ ଦିବ୍ୟ ଆଶୀର୍ବାଦ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଯଦିଓ ବାବା ଆଉ ଶାରୀରିକ ରୂପରେ ଉପସ୍ଥିତ ନାହାଁନ୍ତି, ତାଙ୍କର ଶିକ୍ଷା, ତାଙ୍କର ପ୍ରେମ ଏବଂ ତାଙ୍କର ସେବା ମନୋଭାବ ବିଶ୍ୱର କୋଟି କୋଟି ଲୋକଙ୍କୁ ମାର୍ଗଦର୍ଶନ କରିଆସୁଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ୧୪୦ରୁ ଅଧିକ ଦେଶରେ, ଅଗଣିତ ଜୀବନ ନୂତନ ଆଲୋକ, ଦିଗଦର୍ଶନ ଏବଂ ସଂକଳ୍ପ ସହିତ ଆଗକୁ ବଢ଼ୁଛି।

 

ଶ୍ରୀ ସତ୍ୟ ସାଇ ବାବାଙ୍କ ଜୀବନ ‘ବସୁଧୈବ କୁଟୁମ୍ବକମ୍’ର ଆଦର୍ଶର ଏକ ଜୀବନ୍ତ ପ୍ରତିମୂର୍ତ୍ତି ଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଏହି କାରଣ ପାଇଁ, ଏହି ଜନ୍ମ ଶତବାର୍ଷିକୀ ବର୍ଷ ସାର୍ବଜନୀନ ପ୍ରେମ, ଶାନ୍ତି ଏବଂ ସେବାର ଏକ ମହାନ ଉତ୍ସବ ପାଲଟିଛି।" ସେ ପ୍ରକାଶ କରିଥିଲେ ଯେ, ଏହି ଅବସରରେ ୧୦୦ ଟଙ୍କାର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରିବା ସରକାରଙ୍କ ସୌଭାଗ୍ୟ, ଉଭୟ କାର୍ଯ୍ୟ ବାବାଙ୍କ ସେବା ଐତିହ୍ୟକୁ ପ୍ରତିଫଳିତ କରେ। ସେ ବିଶ୍ୱବ୍ୟାପୀ ବାବାଙ୍କ ଭକ୍ତ, ସହକର୍ମୀ ଏବଂ ଅନୁଗାମୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ।

"ଭାରତୀୟ ସଭ୍ୟତାର ମୂଳ ମୂଲ୍ୟବୋଧ ହେଉଛି ସେବା" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଉଲ୍ଲେଖ କରିଥିଲେ ଯେ , ଭାରତର ସମସ୍ତ ବିବିଧ ଆଧ୍ୟାତ୍ମିକ ଏବଂ ଦାର୍ଶନିକ ପରମ୍ପରା ଶେଷରେ ଏହି ଏକ ଆଦର୍ଶ ଆଡ଼କୁ ନେଇଯାଏ। ଜଣେ ଭକ୍ତି, ଜ୍ଞାନ କିମ୍ବା କର୍ମ ପଥରେ ଚାଲନ୍ତୁ କି ନାହିଁ, ପ୍ରତ୍ୟେକ ସେବା ସହିତ ଜଡିତ ହେବା ଆବଶ୍ୟକ। ସେ ପ୍ରଶ୍ନ କରିଥିଲେ ଯେ , ସମସ୍ତ ପ୍ରାଣୀଙ୍କ ଭିତରେ ଉପସ୍ଥିତ ଦିବ୍ୟ ସେବା ବିନା ଭକ୍ତିର ଅର୍ଥ କ'ଣ, ଯଦି ଏହା ଅନ୍ୟମାନଙ୍କ ପ୍ରତି କରୁଣା ଜାଗ୍ରତ କରେ ନାହିଁ ତେବେ ଜ୍ଞାନର ଅର୍ଥ କ'ଣ, ଏବଂ ଯଦି କର୍ମ ସମାଜକୁ ସେବା ପ୍ରଦାନ କରିବାର ମନୋଭାବ ନେଇ କରାଯାଏ ନାହିଁ ତେବେ କର୍ମର ଅର୍ଥ କ'ଣ। "'ସେବା ପରମୋ ଧର୍ମଃ' ହେଉଛି ସେହି ନୀତି, ଯାହା ଶତାବ୍ଦୀର ପରିବର୍ତ୍ତନ ଏବଂ ଆହ୍ଵାନ ମଧ୍ୟରେ ଭାରତକୁ ବଜାୟ ରଖିଛି, ଆମର ସଭ୍ୟତାକୁ ଏହାର ଆଭ୍ୟନ୍ତରୀଣ ଶକ୍ତି ପ୍ରଦାନ କରିଛି" ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଥିଲେ ଯେ, ଅନେକ ମହାନ ସନ୍ଥ ଏବଂ ସଂସ୍କାରକ ଏହି କାଳଜୟୀ ବାର୍ତ୍ତାକୁ ସେମାନଙ୍କ ସମୟରେ ଉପଯୁକ୍ତ ଉପାୟରେ ଆଗକୁ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଶ୍ରୀ ସତ୍ୟ ସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ସ୍ଥାନ ଦେଇଥିଲେ। ସେ ବାବାଙ୍କ ବାଣୀ, "ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କ ସେବା କର," କଥା ମନେ ପକାଇଥିଲେ ଏବଂ ଦୃଢ଼ତାର ସହିତ ପ୍ରକାଶ କରିଥିଲେ ଯେ  ବାବାଙ୍କ ପାଇଁ ସେବା ପ୍ରେମର ବାସ୍ତବ ରୂପ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ବିକାଶ ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ବାବାଙ୍କ ପ୍ରତିଷ୍ଠାନଗୁଡ଼ିକ ଏହି ଦର୍ଶନର ଜୀବନ୍ତ ପ୍ରମାଣ ଭାବରେ ଦଣ୍ଡାୟମାନ ହୋଇ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ରତିଷ୍ଠାନଗୁଡ଼ିକ ଦର୍ଶାଏ ଯେ ଆଧ୍ୟାତ୍ମିକତା ଏବଂ ସେବା ପୃଥକ ନୁହେଁ, ବରଂ ସମାନ ସତ୍ୟର ଭିନ୍ନ ଭିନ୍ନ ପରିପ୍ରକାଶ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଜଣଙ୍କ ଶାରୀରିକ ଉପସ୍ଥିତି ସମୟରେ ଲୋକଙ୍କୁ ପ୍ରେରଣା ଦେବା ଅସ୍ୱାଭାବିକ କଥା ନୁହେଁ, ବାବାଙ୍କ ଅନୁଷ୍ଠାନଗୁଡ଼ିକର ସେବା କାର୍ଯ୍ୟକଳାପ ତାଙ୍କ ଶାରୀରିକ ଅନୁପସ୍ଥିତି ସତ୍ତ୍ୱେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ଦର୍ଶାଉଛି ଯେ ପ୍ରକୃତ ମହାନ ଆତ୍ମାମାନଙ୍କର ପ୍ରଭାବ ସମୟ ସହିତ ହ୍ରାସ ପାଏ ନାହିଁ - ଏହା ପ୍ରକୃତରେ ବୃଦ୍ଧି ପାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଶ୍ରୀ ସତ୍ୟ ସାଇ ବାବାଙ୍କ ବାର୍ତ୍ତା କେବେ ବି ପୁସ୍ତକ, ପ୍ରବଚନ କିମ୍ବା ଆଶ୍ରମର ସୀମା ମଧ୍ୟରେ ସୀମିତ ନୁହେଁ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ବାବାଙ୍କ ଶିକ୍ଷାର ପ୍ରଭାବ ଲୋକଙ୍କ ମଧ୍ୟରେ ଦୃଶ୍ୟମାନ ହେଉଛି। ସହରରୁ ଦୂରବର୍ତ୍ତୀ ଗ୍ରାମ, ବିଦ୍ୟାଳୟରୁ ଆଦିବାସୀ ବସତି ପର୍ଯ୍ୟନ୍ତ, ସମଗ୍ର ଭାରତରେ ସଂସ୍କୃତି, ଶିକ୍ଷା ଏବଂ ଚିକିତ୍ସା ସେବାର ଏକ ଉଲ୍ଲେଖନୀୟ ପ୍ରବାହ ରହିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଲକ୍ଷ ଲକ୍ଷ ବାବାଙ୍କ ଅନୁଗାମୀ ନିଃସ୍ୱାର୍ଥପର ଭାବରେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, "ମାନବ ସେବା ହିଁ ମାଧବ ସେବା" ହେଉଛି ବାବାଙ୍କ ଭକ୍ତମାନଙ୍କ ପାଇଁ ସର୍ବୋଚ୍ଚ ଆଦର୍ଶ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବାବା ଅନେକ ବିଚାରଧାରା ପ୍ରଦାନ କରି ଯାଇଛନ୍ତି, ଯାହା କରୁଣା, କର୍ତ୍ତବ୍ୟ, ଶୃଙ୍ଖଳା ଏବଂ ଜୀବନ ଦର୍ଶନର ସାରକୁ ମୂର୍ତ୍ତିମନ୍ତ କରିଥାଏ। ସେ ବାବାଙ୍କ ମାର୍ଗଦର୍ଶୀ ନୀତିଗୁଡ଼ିକୁ ମନେ ପକାଇଥିଲେ, ଯେମିତିକି : "ସଦାସର୍ବଦା ସାହାଯ୍ୟ କର, କେବେ ବି କଷ୍ଟ ଦିଅ ନାହିଁ," ଏବଂ "କମ୍ କଥା ହୁଅ, ଅଧିକ କାମ କର," ଏବଂ ଦୃଢ଼ ଭାବରେ କହିଥିଲେ ଯେ ଶ୍ରୀ ସତ୍ୟସାଇ ବାବାଙ୍କ ଏପରି ଜୀବନ ମନ୍ତ୍ର ଆଜି ମଧ୍ୟ ସମସ୍ତଙ୍କ ହୃଦୟରେ ପ୍ରତିଧ୍ୱନିତ ହେଉଛି।

 

ଶ୍ରୀ ସତ୍ୟ ସାଇ ବାବା ସମାଜ ଏବଂ ଲୋକଙ୍କ କଲ୍ୟାଣ ପାଇଁ ଆଧ୍ୟାତ୍ମିକତାକୁ ବ୍ୟବହାର କରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ନିଃସ୍ୱାର୍ଥପର ସେବା, ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସହିତ ସଂଯୋଗ କରିଥିଲେ। ସେ ଆଲୋକପାତ କରିଥିଲେ ଯେ, ବାବା କୌଣସି ସିଦ୍ଧାନ୍ତ କିମ୍ବା ବିଚାରଧାରା ଲଦି ଦେଇ ନଥିଲେ, ବରଂ ଗରିବମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ଦୁଃଖ ଦୂର କରିବା ପାଇଁ କାର୍ଯ୍ୟ କରିଥିଲେ। ଶ୍ରୀ ମୋଦୀ ମନେ ପକାଇଥିଲେ ଯେ, ଗୁଜରାଟ ଭୂମିକମ୍ପ ପରେ, ବାବାଙ୍କ ସେବା ଦଳ ରିଲିଫ୍ ଯୋଗାଣ କ୍ଷେତ୍ରରେ ଆଗରେ ଠିଆ ହୋଇଥିଲା। ତାଙ୍କ ଅନୁଗାମୀମାନେ ଅନେକ ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ ସମର୍ପିତ ଭାବନାର ସହିତ ସେବା କରିଥିଲେ, ପ୍ରଭାବିତ ପରିବାରକୁ ସହାୟତା ପହଞ୍ଚାଇବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଏବଂ ମନୋସାମାଜିକ ସମର୍ଥନ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଗୋଟିଏ ସାକ୍ଷାତ କାହାର ହୃଦୟକୁ ତରଳାଇ ଦେଇପାରେ କିମ୍ବା ତାଙ୍କ ଜୀବନର ଦିଗ ପରିବର୍ତ୍ତନ କରିପାରେ, ଏହା ସେହି ବ୍ୟକ୍ତିଙ୍କ ମହାନତାକୁ ପ୍ରତିଫଳିତ କରେ। ସେ ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନର କାର୍ଯ୍ୟକ୍ରମରେ ମଧ୍ୟ ଅନେକ ବ୍ୟକ୍ତି ଅଛନ୍ତି, ଯାହାଙ୍କ ଜୀବନ ବାବାଙ୍କ ବାର୍ତ୍ତା ଦ୍ୱାରା ଗଭୀର ଭାବରେ ପରିବର୍ତ୍ତନ ହୋଇଛି।

ଶ୍ରୀ ସତ୍ୟ ସାଇ ବାବାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ, ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଂଗଠନଗୁଡ଼ିକ ଏକ ସଂଗଠିତ, ସାଂଗଠନିକ ଏବଂ ଦୀର୍ଘକାଳୀନ ଭାବରେ ସେବାକୁ ଆଗକୁ ବଢ଼ାଉଥିବାରୁ ସନ୍ତୋଷ ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜି ଏହା ଏକ ବ୍ୟବହାରିକ ମଡେଲ ଭାବରେ ଆମ ଆଗରେ ଠିଆ ହୋଇଛି। ସେ ଜଳ, ଗୃହ, ସ୍ୱାସ୍ଥ୍ୟସେବା, ପୁଷ୍ଟି, ବିପର୍ଯ୍ୟୟ ସହାୟତା ଏବଂ ସ୍ୱଚ୍ଛ ଶକ୍ତି ଭଳି କ୍ଷେତ୍ରରେ କରାଯାଉଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଅନେକ ସେବା ପଦକ୍ଷେପ ସମ୍ପର୍କରେ ବିଶେଷ ଉଲ୍ଲେଖ କରିଥିଲେ : ରାୟଲସୀମାରେ ଗମ୍ଭୀର ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ଟ୍ରଷ୍ଟ ୩୦୦୦ କିଲୋମିଟରରୁ ଅଧିକ ପାଇପଲାଇନ ବିଛାଇବା ; ଓଡ଼ିଶାରେ ବନ୍ୟା ପ୍ରଭାବିତ ପରିବାର ପାଇଁ ୧୦୦୦ ଘର ନିର୍ମାଣ ; ଏବଂ ଏପରି ହସ୍ପିଟାଲ ଚଳାଇବା ଯେଉଁଠାରେ ଗରିବ ପରିବାରମାନେ ବିଲିଂ କାଉଣ୍ଟର ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଚିକିତ୍ସା ମାଗଣା ହୋଇଥିଲେ ମଧ୍ୟ ରୋଗୀ ଏବଂ ସେମାନଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଝିଅମାନଙ୍କ ନାମରେ ଟ୍ରଷ୍ଟ ଦ୍ଵାରା ୨୦,୦୦୦ ରୁ ଅଧିକ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲାଯାଇଛି, ଯାହା ସେମାନଙ୍କ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରୁଛି।

 

ଦଶ ବର୍ଷ ପୂର୍ବେ ଭାରତ ସରକାର ଝିଅମାନଙ୍କ ଶିକ୍ଷା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଧ୍ୟାନ ଦେଇ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ,  ଏହା ଦେଶର କିଛି ଯୋଜନା ମଧ୍ୟରୁ ଏମିତି ଗୋଟିଏ ଯାହା ଆମ ଝିଅମାନଙ୍କୁ ସର୍ବାଧିକ ୮.୨ ପ୍ରତିଶତ ସୁଧ ହାର ପ୍ରଦାନ କରେ। ସାରା ଭାରତରେ ଝିଅମାନଙ୍କ ପାଇଁ ଏହି ଯୋଜନା ଅଧୀନରେ ୪ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି ଏବଂ ଏପର୍ଯ୍ୟନ୍ତ ଏହି ଆକାଉଣ୍ଟଗୁଡ଼ିକରେ ୩.୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟ ସାଇ ପରିବାର ଦ୍ୱାରା ଏଠାରେ ୨୦,୦୦୦ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବା ଭଳି ମହାନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ଗତ ବର୍ଷ ଫେବୃଆରୀରେ ବାରାଣସୀରେ ଝିଅମାନଙ୍କ ପାଇଁ ୨୭,୦୦୦ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଥିଲା ଏବଂ ପ୍ରତ୍ୟେକ ଆକାଉଣ୍ଟକୁ ୩୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ସୁକନ୍ୟା ସମୃଦ୍ଧି ଯୋଜନା ଝିଅମାନଙ୍କ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଗତ ଏଗାର ବର୍ଷ ମଧ୍ୟରେ ଭାରତରେ ଅନେକ ଯୋଜନା ଆରମ୍ଭ ହୋଇଛି ଯାହା ନାଗରିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଢାଞ୍ଚାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଗରିବ ଏବଂ ଅବହେଳିତ ଲୋକଙ୍କୁ ସାମାଜିକ ସୁରକ୍ଷା ପରିସରକୁ ଅଧିକ ପରିମାଣରେ ଅଣାଯାଉଛି। ୨୦୧୪ରେ କେବଳ ୨୫ କୋଟି ଲୋକ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ, ଆଜି ଏହି ସଂଖ୍ୟା ପ୍ରାୟ ୧୦୦ କୋଟିରେ ପହଞ୍ଚିଛି । ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଥିଲେ ଯେ, ଭାରତର କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି।

ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଦିନ ତାଙ୍କୁ ଏକ ଗୌ ଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମଧ୍ୟ ମିଳିଥିଲା, ଯେଉଁଠାରେ ଟ୍ରଷ୍ଟ ଗରିବ ଚାଷୀ ପରିବାରକୁ ୧୦୦ ଟି ଗାଈ ଦାନ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତୀୟ ପରମ୍ପରାରେ ଗାଈକୁ ଜୀବନ, ସମୃଦ୍ଧି ଏବଂ କରୁଣାର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ଗାଈଗୁଡ଼ିକ ଗ୍ରହୀତା ପରିବାରର ଆର୍ଥିକ, ପୁଷ୍ଟି ଏବଂ ସାମାଜିକ ସ୍ଥିରତାକୁ ସହାୟତା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଗାଈ ସୁରକ୍ଷା ମାଧ୍ୟମରେ ସମୃଦ୍ଧିର ବାର୍ତ୍ତା ସାରା ବିଶ୍ୱରେ ଦୃଶ୍ୟମାନ ହୋଇଥାଏ। ସେ ମନେ ପକାଇଥିଲେ ଯେ ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ କିଛି ବର୍ଷ ପୂର୍ବେ ବାରାଣସୀରେ ୪୮୦ ରୁ ଅଧିକ ଗିର୍ ଗାଈ ବଣ୍ଟନ କରାଯାଇଥିଲା ଏବଂ ଆଜି ସେଠାରେ ଗିର୍ ଗାଈ ଏବଂ ବାଛୁରୀଙ୍କ ସଂଖ୍ୟା ପ୍ରାୟ ୧,୭୦୦ ହୋଇଛି। ବାରାଣସୀରେ ଏକ ନୂତନ ପରମ୍ପରା ଆରମ୍ଭ ହୋଇଛି, ଯେଉଁଠାରେ ଏକ ବଣ୍ଟା ଯାଇଥିବା ଗାଈରୁ ଜନ୍ମିତ ମାଈ ବାଛୁରୀକୁ ଅନ୍ୟ ଅଞ୍ଚଳର ଚାଷୀମାନଙ୍କୁ ମାଗଣାରେ ଦିଆଯାଏ, ଯାହା ଫଳରେ ଗାଈ ସଂଖ୍ୟା ବୃଦ୍ଧି ପାଏ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଏହା ମଧ୍ୟ ମନେ ପକାଇଥିଲେ ଯେ ୭ -୮ ବର୍ଷ ପୂର୍ବେ ଆଫ୍ରିକାର ରୱାଣ୍ଡା ଗସ୍ତ ସମୟରେ ଭାରତ ୨୦୦ ଟି ଗିର୍ ଗାଈ ଉପହାର ଆକାରରେ ଦେଇଥିଲା। ରୱାଣ୍ଡାରେ " ଗିରିଙ୍କା " ନାମକ ଏକ ସମାନ ପରମ୍ପରା ଅଛି , ଯାହାର ଅର୍ଥ "ଆପଣଙ୍କୁ ଏକ ଗାଈ ମିଳିବ," ଯେଉଁଠାରେ ଜନ୍ମିତ ପ୍ରଥମ ମାଈ ବାଛୁରୀକୁ ପଡ଼ୋଶୀ ପରିବାରକୁ ଦିଆଯାଏ। ଏହି ପ୍ରଥା ରୱାଣ୍ଡାରେ ପୁଷ୍ଟି, କ୍ଷୀର ଉତ୍ପାଦନ, ଆୟ ଏବଂ ସାମାଜିକ ଏକତା ବୃଦ୍ଧି କରିଛି ବୋଲି ସେ ମତ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ବ୍ରାଜିଲ ଭାରତର ଗିର୍ ଏବଂ କାଙ୍କରେଜ୍ ଗାଈ ପ୍ରଜାତିକୁ ଗ୍ରହଣ କରିଛି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବୈଜ୍ଞାନିକ ପରିଚାଳନା ମାଧ୍ୟମରେ ସେମାନଙ୍କୁ ଉନ୍ନତ କରିଛି, ଯାହା ସେମାନଙ୍କୁ ଉନ୍ନତ ଦୁଗ୍ଧ ଉତ୍ପାଦନର ଉତ୍ସ କରିଛି। ଏପରି ଉଦାହରଣ ଦର୍ଶାଏ ଯେ ପରମ୍ପରା, କରୁଣା ଏବଂ ବୈଜ୍ଞାନିକ ଚିନ୍ତାଧାରା ମିଶି ଗାଈକୁ କିପରି ବିଶ୍ୱାସ, ସଶକ୍ତିକରଣ, ପୁଷ୍ଟି ଏବଂ ଆର୍ଥିକ ପ୍ରଗତିର ପ୍ରତୀକରେ ପରିଣତ କରେ ବୋଲି ସେ ମନ୍ତବ୍ୟ ଦେଇଥିଲେ । ସେ ଖୁସି ପ୍ରକାଶ କରିଥିଲେ ଯେ, ଏହି ପରମ୍ପରା ଏଠାରେ ମହାନ ଉଦ୍ଦେଶ୍ୟ ସହିତ ଆଗକୁ ବଢ଼ାଯାଉଛି।

ଏକ ବିକଶିତ ଭାରତ ପାଇଁ "କର୍ତ୍ତବ୍ୟ କାଳ" ଭାବନା ସହିତ ଦେଶ ଆଗକୁ ବଢ଼ୁଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଆବଶ୍ୟକ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ଏହି ଯାତ୍ରାରେ ପ୍ରେରଣାର ଏକ ପ୍ରମୁଖ ଉତ୍ସ। ଏକ ବିକଶିତ ଭାରତ ଗଠନ ପାଇଁ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ ବୋଲି ଉଲ୍ଲେଖ କରି ସେ ସମସ୍ତଙ୍କୁ ଏହି ବିଶେଷ ବର୍ଷରେ "ଭୋକାଲ୍ ଫର୍ ଲୋକାଲ୍" ମନ୍ତ୍ରକୁ ଦୃଢ଼ କରିବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଯେ . ସ୍ଥାନୀୟ ଉତ୍ପାଦ କ୍ରୟ ସିଧାସଳଖ ଏକ ପରିବାର, ଏକ କ୍ଷୁଦ୍ର ଉଦ୍ୟୋଗ ଏବଂ ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିଥାଏ, ଯାହା ଏକ ଆତ୍ମନିର୍ଭର ଭାରତ ପାଇଁ ପଥ ପ୍ରଶସ୍ତ କରିଥାଏ ।

 

ଶ୍ରୀ ସତ୍ୟ ସାଇ ବାବାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଉପସ୍ଥିତ ସମସ୍ତ ଲୋକ ରାଷ୍ଟ୍ର ନିର୍ମାଣରେ ନିରନ୍ତର ଯୋଗଦାନ ଦେଉଛନ୍ତି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ, ଏହି ପବିତ୍ର ଭୂମି ପ୍ରକୃତରେ ଏକ ଅନନ୍ୟ ଶକ୍ତିର ଅଧିକାରୀ - ଯେଉଁଠାରେ ପ୍ରତ୍ୟେକ ପରିଦର୍ଶକଙ୍କ ଭାଷଣ କରୁଣାକୁ ପ୍ରତିଫଳିତ କରେ, ଚିନ୍ତାଧାରା ଶାନ୍ତିକୁ ପ୍ରତିଫଳିତ କରେ ଏବଂ କାର୍ଯ୍ୟ ସେବାକୁ ପ୍ରତିଫଳିତ କରେ। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଯେଉଁଠାରେ ଅଭାବ କିମ୍ବା ଦୁଃଖ ଅଛି, ସେଠାରେ ଭକ୍ତମାନେ ଆଶା ଏବଂ ଆଲୋକର କିରଣ ଭାବରେ ଠିଆ ହେବେ। ଏହି ଭାବନା ସହିତ, ସେ ପ୍ରେମ, ଶାନ୍ତି ଏବଂ ସେବାର ଏହି ପବିତ୍ର ମିଶନକୁ ଆଗକୁ ବଢ଼ାଇବା ପାଇଁ ବିଶ୍ୱର ସତ୍ୟସାଇ ପରିବାର, ଅନୁଷ୍ଠାନ, ସ୍ୱେଚ୍ଛାସେବକ ଏବଂ ଭକ୍ତମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ତାଙ୍କ ବକ୍ତବ୍ୟ ସମାପ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ ଶ୍ରୀ କେ. ରାମମୋହନ ନାଇଡୁ, ଶ୍ରୀ ଜି କିଶନ ରେଡ୍ଡୀ, ଶ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ପବିତ୍ର ତୀର୍ଥ ଏବଂ ମହାସମାଧି ପରିଦର୍ଶନ କରିଥିଲେ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରି ଶ୍ରୀ ମୋଦୀ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ସ୍ଥାୟୀ ଐତିହ୍ୟକୁ ସମ୍ମାନ ଜଣାଇ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ସେଟ୍ ଜାରି କରିଥିଲେ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"