୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର କଲେ
୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଗଲା
୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କଲେ
ପିଏମଏୱାଇର ୨୬ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ ଉତ୍ସବରେ କଲେ ଅଂଶଗ୍ରହଣ
ଅତିରିକ୍ତ ପରିବାର ପାଇଁ ସର୍ଭେ ନିମନ୍ତେ ଆବାସ+ ୨୦୨୪ ଆପକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ସହରାଞ୍ଚଳ (ପିଏମଏୱାଇ-ୟୁ)୨.୦ର କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀକୁ କଲେ ଶୁଭାରମ୍ଭ
‘‘ଓଡ଼ିଶା ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆମେ କୌଣସି ସୁଯୋଗ ଛାଡିବୁ ନାହିଁ’’
‘‘କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ମଧ୍ୟରେ ଗରିବ, କୃଷକ, ଯୁବକ ଓ ମହିଳାଙ୍କ ସଶକ୍ତୀକରଣ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି’’
‘‘ଯେକୌଣସି ଦେଶ, କୌଣସି ରାଜ୍ୟ ସେତିକିବେଳେ ହିଁ ପ୍ରଗତି କରିଥାଏ, ଯେତେବେଳେ ଏହାର ଅଧା ଜନସଂଖ୍ୟା ଅର୍ଥାତ୍, ଆମ ମହିଳା ଶକ୍ତି ବିକାଶରେ ସମାନ ଭାଗିଦାରୀ ରହିଥାଏ’’
‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତରେ ମହିଳା ସଶକ୍ତୀକରଣର ପ୍ରତିଫଳନ’’
‘‘ସର୍ଦ୍ଦାର ପଟେଲ ଅସାଧାରଣ ଇଚ୍ଛାଶକ୍ତି ଦେଖାଇ ଦେଶକୁ ଏକଜୁଟ କରିଥିଲେ’’
ଏହି ଅବସରରେ ଆୟୋଜିତ ଜନ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଲେ ସାଧାରଣ ଜନତା ଓ ମହାପ୍ରଭୁ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ସୃଷ୍ଟି ହୋଇଥାଏ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବବୃହତ୍, ଏକକ ମହିଳା କେନ୍ଦ୍ରୀତ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିଛନ୍ତି । ଶ୍ରୀ ମୋଦୀ  ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସହାୟତାର ପ୍ରଥମ କିସ୍ତି ଜାରି କରିଥିଲେ। ସେ ଦେଶବ୍ୟାପୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିଥିଲେ । ଏହାବ୍ୟତୀତ, ସେ ପିଏମଏୱାଇ-ଜି ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ + ୨୦୨୪ ଆପ୍ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା - ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦ର କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀର ଉନ୍ମୋଚନ କରିଥିଲେ ।

ଏହି ଅବସରରେ ଆୟୋଜିତ ଜନ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଲେ ସାଧାରଣ ଜନତା ଓ ମହାପ୍ରଭୁ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ସୃଷ୍ଟି ହୋଇଥାଏ।

 

ପ୍ରଧାନମନ୍ତ୍ରୀ ବର୍ତ୍ତମାନର ଗଣେଶ ଉତ୍ସବ ପର୍ବ ଏବଂ ଆଜିର ଅନନ୍ତ ଚତୁର୍ଦ୍ଦଶୀ ଏବଂ ବିଶ୍ୱକର୍ମା ପୂଜାର ପବିତ୍ର ଅବସର ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଭଗବାନ ବିଶ୍ୱକର୍ମାଙ୍କ ରୂପରେ ଦକ୍ଷତା ଏବଂ ଶ୍ରମକୁ ପୂଜା କରାଯାଏ । ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ପବିତ୍ର ଅବସରରେ ଓଡ଼ିଶାର ମା’ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମିରୁ ଦେଶର ୩୦ ଲକ୍ଷରୁ ଅଧିକ ପରିବାରକୁ ପକ୍କା ଘର ହସ୍ତାନ୍ତର କରାଯାଇଥିବା ଉଲ୍ଲେଖ କରିବା ସହ ଗ୍ରାମାଞ୍ଚଳରେ ୨୬ ଲକ୍ଷ ଓ ସହରାଞ୍ଚଳରେ ୪ ଲକ୍ଷ ଘର ହସ୍ତାନ୍ତର କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଆଜି ଓଡ଼ିଶାରେ ହଜାର ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସମ୍ପର୍କରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ନୂଆ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା, ଯାହାର ଶପଥ ଗ୍ରହଣ ସମାରୋହରେ ସେ ଯୋଗ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ସେ କହିଥିଲେ ଯେ ଯଦି ରାଜ୍ୟରେ ଡବଲ ଇଞ୍ଜିନର ସରକାର କ୍ଷମତାକୁ ଆସେ ତେବେ ଓଡ଼ିଶା ପ୍ରଗତି ଓ ସମୃଦ୍ଧି ଆଡକୁ ଅଗ୍ରସର ହେବ । ଗ୍ରାମାଞ୍ଚଳ ବାସିନ୍ଦା, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ମଧ୍ୟବିତ୍ତ ପରିବାରଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ସ୍ୱପ୍ନ ପୂରଣ ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ। ଦିଆଯାଇଥିବା ପ୍ରତିଶ୍ରୁତି ଦ୍ରୁତ ଗତିରେ ପୂରଣ ହେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏପର୍ଯ୍ୟନ୍ତ ପୂରଣ ହୋଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ପୁରୀ  ଶ୍ରୀଜଗନ୍ନାଥ  ମନ୍ଦିରର ଚାରି ଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ଏବଂ ମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଯାଇଛି। ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପି ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ନିଜେ ଲୋକଙ୍କ ପାଖକୁ ଯାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଏଥିପାଇଁ ଶ୍ରୀ ମୋଦୀ ସମ୍ପୂର୍ଣ୍ଣ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଓ ପ୍ରଶଂସା କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ୧୦୦ ଦିନ ପୂରଣ କରୁଥିବାରୁ ଆଜି ଏକ ବିଶେଷ ଦିନ। ଏହି ଅବଧି ମଧ୍ୟରେ ଭାରତର ଗରିବ, କୃଷକ, ଯୁବକ ଓ ମହିଳାଙ୍କ କଲ୍ୟାଣ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତ ୧୦୦ ଦିନର ଉପଲବ୍ଧି ବିଷୟରେ ଉଲ୍ଲେଖ କରି, ଗରିବଙ୍କ ପାଇଁ ୩ କୋଟି ପକ୍କା ଘର ନିର୍ମାଣ ନିଷ୍ପତ୍ତି, ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପିଏମ୍ ପ୍ୟାକେଜ୍ ଘୋଷଣା- ଯେଉଁଥିରେ ଘରୋଇ କମ୍ପାନୀରେ ସେମାନଙ୍କ ପ୍ରଥମ ଚାକିରିର ପ୍ରଥମ ଦରମା ସରକାର ବହନ କରିବେ, ମେଡିକାଲ କଲେଜରେ ୭୫,୦୦୦ ନୂତନ ସିଟ୍ ଯୋଡ଼ିବା ଏବଂ ୨୫,୦୦୦ ଗ୍ରାମକୁ ପକ୍କା ରାସ୍ତା ସହିତ ସଂଯୋଗ କରିବା ଭଳି ନିଷ୍ପତ୍ତି ମଞ୍ଜୁରି ଲାଭ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପାଇଁ ବଜେଟ୍ ଆବଣ୍ଟନ ପ୍ରାୟ ଦ୍ୱିଗୁଣିତ ହୋଇଛି, ପ୍ରାୟ ୬୦,୦୦୦ ଆଦିବାସୀ ଗ୍ରାମର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଘୋଷଣା କରାଯାଇଛି, ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂତନ ପେନସନ ଯୋଜନା ଆରମ୍ଭ କରାଯାଇଛି ଏବଂ ବୃତ୍ତିଗତ, ବ୍ୟବସାୟୀ ମାଲିକ ଏବଂ ଉଦ୍ୟୋଗୀଙ୍କ ପାଇଁ ଆୟକର ହ୍ରାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ଗତ ୧୦୦ ଦିନ ମଧ୍ୟରେ ଦେଶରେ ୧୧ ଲକ୍ଷରୁ ଅଧିକ ଲଖପତି ଦିଦି ସୃଷ୍ଟି ହୋଇଛନ୍ତି, ତୈଳବୀଜ ଓ ପିଆଜ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି, ଭାରତୀୟ କୃଷକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶରେ ଉତ୍ପାଦିତ ତେଲ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି, ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ବାସମତୀ ଚାଉଳ ଉପରେ ରପ୍ତାନି ଶୁଳ୍କ ହ୍ରାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଫସଲ ଉପରେ ଏମଏସପି ବୃଦ୍ଧି କରାଯାଇଛି ଯାହାଦ୍ୱାରା କୋଟି କୋଟି କୃଷକ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇବାକୁ ଯାଉଛନ୍ତି । ଗତ ୧୦୦ ଦିନ ମଧ୍ୟରେ ସମସ୍ତଙ୍କ ହିତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

 

ଶ୍ରୀ ମୋଦୀ କହିଥିଲେ, ଯେକୌଣସି ରାଷ୍ଟ୍ର ସେତିକିବେଳେ ଦ୍ରୁତ ଗତିରେ ଆଗକୁ ବଢ଼ିଥାଏ ଯେତେବେଳେ ଏହାର ଅଧା ଜନସଂଖ୍ୟା ଅର୍ଥାତ୍, ମହିଳା ଶକ୍ତିଙ୍କ ସମାନ ଭାଗିଦାରୀ ରହିଥାଏ। ଏହା ସହିତ ସେ ଉଲ୍ଲେଖ କରିଥିଲେ ଯେ, ମହିଳାଙ୍କ  ଉନ୍ନତି ଏବଂ ସେମାନଙ୍କ ସଶକ୍ତୀକରଣ ହିଁ ଓଡ଼ିଶା ବିକାଶର ଚାବିକାଠି ହେବ। ଓଡ଼ିଶାର ଲୋକକଥାରୁ ଏକ ଅଂଶ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ ଯେ ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଦେବୀ ସୁଭଦ୍ରାଙ୍କ ଉପସ୍ଥିତି ଆମକୁ ନାରୀ ସଶକ୍ତୀକରଣ ବିଷୟରେ କହିଥାଏ। ‘‘ଦେବୀ ସୁଭଦ୍ରାଙ୍କ ରୂପରେ ମୁଁ ସମସ୍ତ ମାଆ, ଭଉଣୀ ଏବଂ କନ୍ୟାମାନଙ୍କୁ ପ୍ରଣାମ କରୁଛି’’, ଶ୍ରୀ ମୋଦୀ କହିଥିଲେ ।

ନୂଆ ବିଜେପି ସରକାର ସେମାନଙ୍କ ପ୍ରାରମ୍ଭିକ ନିଷ୍ପତ୍ତିର ଅଂଶ ସ୍ୱରୂପ ଓଡ଼ିଶାର ମା' ଭଉଣୀମାନଙ୍କୁ ସୁଭଦ୍ରା ଯୋଜନାର ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶାର ୧ କୋଟିରୁ ଅଧିକ ମହିଳା ଏଥିରୁ ଉପକୃତ ହେବେ ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ମୋଟ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ଯାହା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଯୋଜନାକୁ ଆରବିଆଇର ଡିଜିଟାଲ ମୁଦ୍ରାର ପାଇଲଟ୍ ପ୍ରକଳ୍ପ ସହ ମଧ୍ୟ ଯୋଡାଯାଇଥିଲା । ଦେଶର ପ୍ରଥମ ଡିଜିଟାଲ ମୁଦ୍ରା ଯୋଜନାରେ ସାମିଲ ହୋଇଥିବାରୁ ଓଡ଼ିଶାର ମହିଳାମାନଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ।

ସୁଭଦ୍ରା ଯୋଜନା ଯେପରି ଓଡ଼ିଶାର ପ୍ରତ୍ୟେକ ମାଆ, ଭଉଣୀ ଓ ଝିଅଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ରାଜ୍ୟବ୍ୟାପୀ ଅନେକ ଯାତ୍ରା ଆୟୋଜନ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ। ରାଜ୍ୟରେ ବର୍ତ୍ତମାନର ସରକାରର ଅନେକ କର୍ମକର୍ତ୍ତା ମଧ୍ୟ ଏହି ସେବାରେ ପୂରା ଉତ୍ସାହର ସହ ନିୟୋଜିତ ହେଉଛନ୍ତି ବୋଲି ଆଲୋକପାତ କରିବା ସହ ଏହି ଜନସଚେତନତା ପାଇଁ ସରକାର, ପ୍ରଶାସନ ସହିତ ବିଧାୟକ, ସାଂସଦ ଓ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

 

‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତରେ ମହିଳା ସଶକ୍ତୀକରଣର ପ୍ରତିଫଳନ’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସମ୍ପତ୍ତି ଏବେ ମହିଳାଙ୍କ ନାମରେ ପଞ୍ଜୀକୃତ ହେଉଛି। ଆଜି ସାରା ଦେଶରେ ଆଜି ପ୍ରାୟ ୩୦ ଲକ୍ଷ ପରିବାର ଗୃହ ପ୍ରବେଶ କରିଥିବା ବେଳେ ୧୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି ଏବଂ ୧୦୦ ଦିନର ଅଳ୍ପ ସମୟ ମଧ୍ୟରେ ୧୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର କରାଯାଇଛି। ଆମେ ଓଡ଼ିଶାର ପବିତ୍ର ଭୂମିରୁ ଏହି ଶୁଭ କାର୍ଯ୍ୟ କରିଛୁ ଏବଂ ଓଡ଼ିଶାର ବହୁ ସଂଖ୍ୟାରେ ଗରିବ ପରିବାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ ଆଜି ସ୍ଥାୟୀ ଘର ପାଇଥିବା ଲକ୍ଷ ଲକ୍ଷ ପରିବାର ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି।

ଆଜି ସକାଳେ ଏକ ଆଦିବାସୀ ପରିବାରର ଗୃହ ପ୍ରବେଶରେ ଭାଗ ନେବାର ଅନୁଭୂତି ବଖାଣି ପ୍ରଧାନମନ୍ତ୍ରୀ କହିଥିଲେ ଯେ  ସେମାନଙ୍କ ଖୁସି ଏବଂ ସେମାନଙ୍କ ମୁହଁରେ ଥିବା ସନ୍ତୋଷକୁ ସେ କେବେ ବି ଭୁଲିପାରିବେ ନାହିଁ । ଏହି ଅନୁଭୂତି, ଏହି ଅନୁଭବ ମୋର ସମଗ୍ର ଜୀବନର ସମ୍ପତ୍ତି ଠାରୁ ମୂଲ୍ୟବାନ ଅଟେ । ଗରିବ, ଦଳିତ, ବଞ୍ଚିତ ଏବଂ ଆଦିବାସୀ ସମାଜର ଜୀବନରେ ପରିବର୍ତ୍ତନ ଆସିବା ଫଳରେ ଏହି ଖୁସି ମୋତେ ଅଧିକ ପରିଶ୍ରମ କରିବାକୁ ଶକ୍ତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଏକ ବିକଶିତ ରାଜ୍ୟ ପାଇଁ ଓଡ଼ିଶା ପାଖରେ ସବୁ ଅଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଏହାର ଯୁବବର୍ଗଙ୍କ ପ୍ରତିଭା, ମହିଳାଙ୍କ ଶକ୍ତି, ପ୍ରାକୃତିକ ସମ୍ପଦ, ଶିଳ୍ପ ପାଇଁ ସୁଯୋଗ, ପର୍ଯ୍ୟଟନର ପ୍ରଚୁର ସମ୍ଭାବନା ରହିଛି। ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ଥିବା ସରକାର ଓଡ଼ିଶାକୁ ସବୁବେଳେ ଏକ ପ୍ରମୁଖ ପ୍ରାଥମିକତା ଭାବେ ଦେଖି ଆସିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବ ୧୦ ବର୍ଷ ତୁଳନାରେ ଓଡ଼ିଶା ଆଜି କେନ୍ଦ୍ରରୁ ତିନି ଗୁଣ ଅନୁଦାନ ପାଉଛି। ପୂର୍ବରୁ କେବେ ଦିନର ଆଲୋକ ଦେଖିନଥିବା ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଆୟୁଷ୍ମାନ ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦ୍ୱାରା ଓଡ଼ିଶାର ଲୋକମାନେ ଉପକୃତ ହେବେ ଏବଂ ଆୟ ସ୍ତର ନିର୍ବିଶେଷରେ ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଲୋକସଭା ନିର୍ବାଚନ ସମୟରେ ମୋଦୀ ଏକ ପ୍ରତିଶ୍ରୁତି ଦେଇଥିଲେ ଏବଂ ମୋଦୀ ତାଙ୍କ ଗ୍ୟାରେଣ୍ଟିକୁ ପୂରଣ କରିଛନ୍ତି।

 

ଓଡ଼ିଶାରେ ବସବାସ କରୁଥିବା ଦଳିତ, ବଞ୍ଚିତ ଓ ଆଦିବାସୀ ସମ୍ପ୍ରଦାୟ ଦାରିଦ୍ର୍ୟ ବିରୋଧୀ ଅଭିଯାନର ସବୁଠାରୁ ବଡ଼ ହିତାଧିକାରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ ହେଉ, ଆଦିବାସୀ ସମ୍ପ୍ରଦାୟକୁ ସେମାନଙ୍କ ମୂଳ, ଜଙ୍ଗଲ ଓ ଜମି ଉପରେ ଅଧିକାର ଦେବା ହେଉ, ଆଦିବାସୀ ଯୁବକମାନଙ୍କୁ ଶିକ୍ଷା ଓ ନିଯୁକ୍ତି ସୁଯୋଗ ଦେବା ହେଉ କିମ୍ବା ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସମ୍ମାନନୀୟ ରାଷ୍ଟ୍ରପତି କରିବା ହେଉ, ସରକାର ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ ଯେ ଓଡ଼ିଶାରେ ଅନେକ ଆଦିବାସୀ ଅଞ୍ଚଳ ଏବଂ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଅନେକ ପିଢ଼ି ଧରି ବିକାଶରୁ ବଞ୍ଚିତ ଥିଲେ। ଜନଜାତିମାନଙ୍କ ମଧ୍ୟରେ ସବୁଠାରୁ ପଛୁଆ ଲୋକଙ୍କୁ ସହାୟତା କରିବା ଲାଗି ଅଣାଯାଇଥିବା ପ୍ରଧାନମନ୍ତ୍ରୀ ଜନମାନ ଯୋଜନା ବିଷୟରେ ସେ ସୂଚନା ଦେଇଥିଲେ ଏବଂ ଓଡ଼ିଶାରେ ଏଭଳି ୧୩ଟି ଜନଜାତି ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ । ଜନମାନ ଯୋଜନା ଅଧୀନରେ ସରକାର ଏହି ସବୁ ସମ୍ପ୍ରଦାୟକୁ ଉନ୍ନୟନ ମୂଳକ ଯୋଜନାର ଲାଭ ପ୍ରଦାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଆଦିବାସୀ ଅଞ୍ଚଳକୁ ସିକେଲ ସେଲ ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଏକ ଅଭିଯାନ ମଧ୍ୟ ଚାଲିଛି । ଗତ ୩ ମାସ ମଧ୍ୟରେ ଏହି ଅଭିଯାନ ଅଧୀନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି ।

‘‘ଭାରତ ଆଜି ଏକ ଅଭୂତପୂର୍ବ ମାର୍ଗରେ ପାରମ୍ପରିକ କୌଶଳର ସଂରକ୍ଷଣ ଉପରେ ଧ୍ୟାନ ଦେଉଛି’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଶହ ଶହ ହଜାର ହଜାର ବର୍ଷ ଧରି କମାର, କୁମ୍ଭାର, ବଣିଆ ଏବଂ ମୂର୍ତ୍ତି କାରୀଗର ଭଳି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେ କହିଥିଲେ ଯେ ବିଶ୍ୱକର୍ମା ଯୋଜନା ଗତବର୍ଷ ବିଶ୍ୱକର୍ମା ଜୟନ୍ତୀରେ ଆରମ୍ଭ ହୋଇଥିଲା ଯେଉଁଠି ସରକାର ଏହି ଯୋଜନାରେ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକ ପଞ୍ଜୀକରଣ କରି ଏହି ଯୋଜନାରେ ତାଲିମ ନେଉଛନ୍ତି। ଅତ୍ୟାଧୁନିକ ଉପକରଣ କିଣିବା ପାଇଁ ହଜାର ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ବିନା ଗ୍ୟାରେଣ୍ଟିରେ ବ୍ୟାଙ୍କରୁ କମ୍ ସୁଧରେ ମିଳୁଥିବା ଋଣ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ଗରିବଙ୍କ ପାଇଁ ସ୍ୱାସ୍ଥ୍ୟ, ସାମାଜିକ ଓ ଆର୍ଥିକ ନିରାପତ୍ତାର ଏହି ଗ୍ୟାରେଣ୍ଟି ବିକଶିତ ଭାରତର ପ୍ରକୃତ ଶକ୍ତି ପାଲଟିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

ପ୍ରଚୁର ଖଣିଜ ଓ ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ସୁଦୀର୍ଘ ବେଳାମାର୍ଗ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସମ୍ପଦଗୁଡ଼ିକୁ ଓଡ଼ିଶାର ଶକ୍ତିରେ ପରିଣତ କରାଯିବା ଉଚିତ। ଆଗାମୀ ୫ ବର୍ଷ ମଧ୍ୟରେ ଆମକୁ ଓଡ଼ିଶାର ସଡ଼କ ଓ ରେଳ ସଂଯୋଗକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ପଡ଼ିବ। ଆଜି ଉଦଘାଟନ କରାଯାଇଥିବା ନବନିର୍ମିତ ରେଳ ଓ ସଡ଼କ ସମ୍ବନ୍ଧୀୟ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ, ଲାଞ୍ଜିଗଡ଼ ରୋଡ୍-ଆମ୍ବଦଳା-ଦୋଇକାଲୁ ରେଳଲାଇନ୍, ଲକ୍ଷ୍ମୀପୁର ରୋଡ୍-ସିଙ୍ଗାରାମ-ଟିକିରି ରେଳଲାଇନ୍, ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ୍ ରେଳଲାଇନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବାର ସୌଭାଗ୍ୟ ତାଙ୍କୁ ମିଳିଛି। ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନର ଶିଳାନ୍ୟାସ ସହ ପାରାଦୀପ ବନ୍ଦରରୁ ଯୋଗାଯୋଗ ବୃଦ୍ଧି ପାଇଁ ଆଜି କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ବହୁ ସଂଖ୍ୟକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମୋଦୀ କହିଥିଲେ। ପୁରୀରୁ କୋଣାର୍କ ରେଳଲାଇନ ଓ ହାଇଟେକ୍ ‘ନମୋ ଭାରତ ରାପିଡ୍ ରେଲ୍’ କାମ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଆଧୁନିକ ଭିତ୍ତିଭୂମି ଓଡ଼ିଶା ପାଇଁ ସମ୍ଭାବନାର ନୂଆ ଦ୍ୱାର ଖୋଲିବ।

 

ଆଜି ଦେଶ ‘ହାଇଦ୍ରାବାଦ ମୁକ୍ତି ଦିବସ’ ପାଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ । ତତ୍‌କାଳୀନ ସମୟରେ ପ୍ରଚଳିତ ଅତ୍ୟନ୍ତ ଅଶାନ୍ତ ପରିସ୍ଥିତିରେ ଭାରତ ବିରୋଧୀ ମୌଳବାଦୀ ଶକ୍ତିକୁ ଦମନ କରି ହାଇଦ୍ରାବାଦକୁ ମୁକ୍ତ କରି ଅସାଧାରଣ ଇଚ୍ଛାଶକ୍ତି ପ୍ରଦର୍ଶନ କରି ଦେଶକୁ ଏକଜୁଟ କରିଥିବା ସର୍ଦ୍ଦାର ପଟେଲଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ହାଇଦ୍ରାବାଦ ମୁକ୍ତି ଦିବସ କେବଳ ଏକ ତାରିଖ ନୁହେଁ। ଏହା ଦେଶର ଅଖଣ୍ଡତା ପାଇଁ, ଦେଶ ପ୍ରତି ଆମର କର୍ତ୍ତବ୍ୟ ପାଇଁ ପ୍ରେରଣା ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ।

 

ଭାରତକୁ ପଛକୁ ନେବା ପାଇଁ ଉଦ୍ୟମ କରୁଥିବା ଶକ୍ତିର ବିପଦ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ସଂଗ୍ରାମରେ ଗଣେଶ ଉତ୍ସବର ବିଶେଷ ମହତ୍ତ୍ୱ ରହିଥିଲା । ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଏବଂ ଉପନିବେଶବାଦୀ ଶାସକଙ୍କ ବିଭାଜନକାରୀ ରଣନୀତିର ମୁକାବିଲା କରିବା ପାଇଁ ଲୋକମାନ୍ୟ ତିଲକ ଗଣେଶ ଉତ୍ସବକୁ ସାର୍ବଜନୀନ ଭାବରେ ଆୟୋଜନ କରିଥିଲେ । ଗଣେଶ ଉତ୍ସବ ପାଳନ ସମୟରେ ସମଗ୍ର ସମାଜ ଏକଜୁଟ ଦେଖାଯାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଗଣେଶ ଉତ୍ସବ ଏକତାର ପ୍ରତୀକ ପାଲଟିଛି ଏବଂ ଭେଦଭାବ ଏବଂ ଜାତିବାଦଠାରୁ ଉପରକୁ ଉଠି ପାରିଛି।’’

ଯେଉଁମାନେ ଆଜି ଧର୍ମ ଓ ଜାତି ଆଧାରରେ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସତର୍କ କରାଇଦେଇଥିଲେ। ଗଣେଶ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣକୁ ନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିବାଦ ସୃଷ୍ଟି କରିବା ଏବଂ କର୍ଣ୍ଣାଟକରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଜବତ କରାଯିବା ଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ସମାଜକୁ ବିଷାକ୍ତ କରିବା ଲାଗି ଏହି ଘୃଣ୍ୟ ଚିନ୍ତାଧାରା ଏବଂ ମାନସିକତା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏଭଳି ଘୃଣ୍ୟ ଶକ୍ତିକୁ ଆଗକୁ ବଢ଼ିବାକୁ ନ ଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ ଓଡ଼ିଶା ଓ ଦେଶକୁ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଅନେକ ବଡ଼ ମାଇଲଖୁଣ୍ଟ ହାସଲ କରିବା ନେଇ ଦୃଢ଼ବିଶ୍ୱାସ ପ୍ରକଟ କରିଥିଲେ । ଆଗାମୀ ଦିନରେ ବିକାଶର ଗତି ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍‍ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବବୃହତ୍, ଏକକ ମହିଳା କୈନ୍ଦ୍ରିକ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ ବୋଲି ଆଶା କରାଯାଉଛି। ଏହି ଯୋଜନା ଅଧୀନରେ ୨୧-୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୫ ବର୍ଷ ମଧ୍ୟରେ ୫୦,୦୦୦/- ଟଙ୍କା ମିଳିବ। ଦୁଇଟି ସମାନ କିସ୍ତିରେ ବାର୍ଷିକ ୧୦,୦୦୦/- ଟଙ୍କା ହିତାଧିକାରୀଙ୍କ ଆଧାର ସଂଯୁକ୍ତ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ଏହି ଐତିହାସିକ ମୂହୂର୍ତ୍ତ ଅବସରରେ ପ୍ରଧାନମନ୍ତ୍ରୀ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ରେଳ ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ସହ ଏହି ଅଞ୍ଚଳର ଅଭିବୃଦ୍ଧି ଓ ଯୋଗାଯୋଗରେ ଉନ୍ନତି ଆଣିବ। ସେ ମଧ୍ୟ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପିଏମଏୱାଇ-ଜି ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ସହାୟତାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ସାରା ଦେଶର ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ହିତାଧିକାରୀଙ୍କୁ ସେମାନଙ୍କ ଘରର ଚାବି ହସ୍ତାନ୍ତର କରିଛନ୍ତି । ପିଏମଏୱାଇ-ଜି ପାଇଁ ଅତିରିକ୍ତ ପରିବାରର ସର୍ଭେ ପାଇଁ ସେ ଆବାସ + ୨୦୨୪ ଆପ୍ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦ର କାର୍ଯ୍ୟକାରୀ ମାର୍ଗଦର୍ଶିକାର ଶୁଭାରମ୍ଭ କରିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.