ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦’ର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଆବର୍ଜନା ମୁକ୍ତ କରିବା : ପ୍ରଧାନମନ୍ତ୍ରୀ“ମିଶନ ଅମୃତ ପରବର୍ତ୍ତୀ ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ଦେଶରେ ବର୍ଜ୍ୟ ଏବଂ ପ୍ରଦୂଷିତ ଜଳ ପରିଚାଳନାରେ ସୁଧାର ଆଣିବା ଏବଂ ଆମ ସହରଗୁଡ଼ିକୁ ଜଳ-ସୁରକ୍ଷିତ ସହରରେ ପରିଣତ କରିବା ସହିତ ଆମ ନଦୀଗୁଡ଼ିକୁ ବର୍ଜ୍ୟ ଜଳମୁକ୍ତ କରିବା”
“ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରାରେ ଏକ ଦେଶର ଲକ୍ଷ୍ୟ, ସମ୍ମାନ, ଗରିମା ଏବଂ ଆକାଂକ୍ଷା ରହିଛି; ଏଥିସହିତ ମାତୃଭୂମି ପାଇଁ ଅତୁଳନୀୟ ଭଲ ପାଇବା ରହିଛି”
“ବାବା ସାହେବ ଆମ୍ବେଦକର ଅସମାନତା ଦୂର କରିବାର ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ସହରାଞ୍ଚଳ ବିକାଶରେ ବିଶ୍ୱାସ କରୁଥିଲେ... ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ପରବର୍ତ୍ତୀ ପର୍ଯ୍ୟାୟ ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ”
“ସ୍ୱଚ୍ଛତା ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଦିନ, ପ୍ରତ୍ୟେକ ପକ୍ଷ, ପ୍ରତ୍ୟେକ ବର୍ଷ, ପିଢ଼ି ପରେ ପିଢ଼ି, ସମସ୍ତଙ୍କ ପାଇଁ ଏକ ମହତ ଅଭିଯାନ, ସ୍ୱଚ୍ଛତା ଏକ ଜୀବନଶୈଳୀ, ସ୍ୱଚ୍ଛତା ଏକ ଜୀବନ ମନ୍ତ୍ର”
“୨୦୧୪ରେ, ୨୦ ପ୍ରତିଶତରୁ କମ ବର୍ଜ୍ୟ ପରିଚାଳନା କରାଯାଉଥିଲା । ଆଜି ଆମେ ଦୈନିକ ବର୍ଜ୍ୟର ପ୍ରାୟ ୭୦ ପ୍ରତିଶତ ପରିଚାଳନା କରୁଛୁ । ଏବେ ଆମକୁ ଏହା ୧୦୦ ପ୍ରତିଶତ ପର୍ଯ୍ୟନ୍ତ ନେବାକୁ ହେବ”
ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦’ର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଆବର୍ଜନା ମୁକ୍ତ କରିବା : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ ଏବଂ ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ –ଅମୃତ ମିଶନ ୨.୦ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ଶ୍ରୀ କୌଶଳ କିଶୋର, ଶ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଭିନ୍ନ ରାଜ୍ୟର ମନ୍ତ୍ରୀଗଣ, ମହାନଗର ନିଗମ, ପୌରପାଳିକାର ମେୟର ଓ କମିଶନରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ୨୦୧୪ରେ ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ଦେଶବାସୀ ସଂକଳ୍ପ ନେଇଥିଲେ ଏବଂ ଏହି ସଂକଳ୍ପକୁ ପୂରଣ କରି ଆଜି ଦେଶରେ ୧୦ କୋଟି ଶୌଚାଳୟ ନିର୍ମାଣ କରାଯାଇସାରିଛି । ବର୍ତ୍ତମାନ ‘ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ୨.୦’ର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ଆବର୍ଜନାମୁକ୍ତ, ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ କରିବା । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ମିଶନ ଅମୃତ ପରବର୍ତ୍ତୀ ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ଦେଶରେ ବର୍ଜ୍ୟ ଏବଂ ପ୍ରଦୂଷିତ ଜଳ ପରିଚାଳନାରେ ସୁଧାର ଆଣିବା ଏବଂ ଆମ ସହରଗୁଡ଼ିକୁ ଜଳ-ସୁରକ୍ଷିତ ସହରରେ ପରିଣତ କରିବା ସହିତ ଆମ ନଦୀଗୁଡ଼ିକୁ ବର୍ଜ୍ୟ ଜଳମୁକ୍ତ କରିବା । ଆମ ନଦୀଗୁଡ଼ିକରେ ଯେପରି ଆଦୌ ବର୍ଜ୍ୟ ଜଳ ନିଷ୍କାସିତ ହେବ ନାହିଁ ତାହା ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ।

ସହରାଞ୍ଚଳର ପୁନର୍ଗଠନ ଏବଂ ସ୍ୱଚ୍ଛତାରେ ଏହି ପରିବର୍ତ୍ତନର ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ, ଏହିସବୁ ଅଭିଯାନ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ କେବଳ ତାଙ୍କରି ଆଦର୍ଶରେ ସାକାର ରୂପ ନେଉଛି । ସେ ମଧ୍ୟ ଶୌଚାଳୟ ନିର୍ମାଣ କାରଣରୁ ମା’ ଓ ଝିଅମାନଙ୍କର ସୁବିଧା ବିଷୟରେ ଉଲ୍ଲେଖ କରିଥିଲେ ।

ଦେଶର ଭାବନାକୁ ସଲାମ କରି, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ବର୍ତ୍ତମାନ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି ।

ପ୍ରଧାନମନ୍ତ୍ରୀ ନିଜର ଭାବନାକୁ ବ୍ୟକ୍ତ କରି କହିଥିଲେ ଯେ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରାରେ ଗୋଟିଏ ଦେଶର ଲକ୍ଷ୍ୟ, ସମ୍ମାନ, ଗାରିମା ଏବଂ ଆକାଂକ୍ଷା ରହିଛି; ଏଥିସହିତ ମାତୃଭୂମି ପାଇଁ ଅତୁଳନୀୟ ଭଲ ପାଇବା ରହିଛି ।

ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାବା ସାହେବ ଆମ୍ବେଦକର ସହରାଞ୍ଚଳ ବିକାଶକୁ ଅସମାନତା ଦୂର କରିବାର ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ବିଶ୍ୱାସ କରୁଥିଲେ । ଏକ ଉନ୍ନତ ଜୀବନର ଆଶା ନେଇ ଗାଁରୁ ବହୁ ସଂଖ୍ୟକ ଲୋକ ସହରକୁ ଚାଲି ଆସିଥାନ୍ତି । ସେମାନେ ନିଯୁକ୍ତି ପାଇଯାଆନ୍ତି, କିନ୍ତୁ ଗାଁ ଅପେକ୍ଷା ମଧ୍ୟ ଅତି କଷ୍ଟକର ସ୍ଥିତିରେ ଜୀବନଧାରଣ କରିଥାନ୍ତି। ଏହା ସେମାନଙ୍କୁ ଦ୍ୱୈତ ସମସ୍ୟାରେ ପକାଇଥାଏ, ଗୋଟିଏ ପଟେ ସେମାନେ ଘର ଠାରୁ ଦୂରରେ ରହିଥାନ୍ତି ଏବଂ ଅନ୍ୟପଟେ ସହରରେ କଷ୍ଟକର ପରିସ୍ଥିତିରେ ରହିବାକୁ ପଡ଼ିଥାଏ । ଅସମାନତା ଦୂର କରି ଏହି ପରିସ୍ଥିତି ବଦଳାଇବା ଲାଗି ବାବା ସାହେବ ଗୁରୁତ୍ୱାରୋପ କରୁଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ପରବର୍ତ୍ତୀ ପର୍ଯ୍ୟାୟ ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ସହିତ, ସ୍ୱଚ୍ଛତା ଅଭିଯାନ ପାଇଁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଅତ୍ୟନ୍ତ ଜରୁରି । ଆହୁରି ସ୍ୱଚ୍ଛତାରେ ଜନଭାଗିଦାରୀର ସ୍ତର ଉପରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଖୁସିର ସହିତ କହିଥିଲେ ଯେ, ବର୍ତ୍ତମାନର ପିଢ଼ି ସ୍ୱଚ୍ଛତା ଅଭିଯାନକୁ ସୁଦୃଢ଼ କରିବା ଲାଗି ଆଗେଇ ଆସିଛି । ପିଲାମାନେ ଆଉ ଟଫି ରାପରକୁ ତଳେ ଫିଙ୍ଗି ନଦେଇ ପକେଟରେ ରଖୁଛନ୍ତି । ଛୋଟ ପିଲାମାନେ ବଡ଼ମାନଙ୍କୁ ଆବର୍ଜନା ସୃଷ୍ଟି ନକରିବା ଲାଗି କହୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସମସ୍ତଙ୍କୁ ଏହା ମନେ ରଖିବାକୁ ହେବ ଯେ ସ୍ୱଚ୍ଛତା କେବଳ ଗୋଟିଏ ଦିନ, ଗୋଟିଏ ପକ୍ଷ, ଗୋଟିଏ ବର୍ଷ କିମ୍ବା କିଛି ଲୋକଙ୍କ ପାଇଁ ନୁହେଁ । ସ୍ୱଚ୍ଛତା ଏକ ମହତ ଅଭିଯାନ ଯାହାକୁ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଦିନ, ପ୍ରତ୍ୟେକ ପକ୍ଷ, ପ୍ରତ୍ୟେକ ବର୍ଷ, ଗୋଟିଏରୁ ଅନ୍ୟ ଗୋଟିଏ ପିଢ଼ି ଆଗେଇ ନେବା ଉଚିତ୍ । ସ୍ୱଚ୍ଛତା ଏକ ଜୀବନଶୈଳୀ, ସ୍ୱଚ୍ଛତା ଏକ ଜୀବନ ମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କର ପ୍ରୟାସ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟରେ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ନିର୍ମଳ ଗୁଜରାଟ କାର୍ଯ୍ୟକ୍ରମ ମାଧ୍ୟମରେ ସେ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିପାରିଥିଲେ ।

ସ୍ୱଚ୍ଛତା ଅଭିଯାନକୁ ପରବର୍ତ୍ତୀ ସ୍ତରକୁ ନେଇଯିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି, ଭାରତ ପ୍ରତ୍ୟେକ ଦିନ ଏକ ଲକ୍ଷ ଟନ ଆବର୍ଜନା ପରିଚାଳନା କରୁଛି । ସେ କହିଥିଲେ ଯେ, ୨୦୧୪ରେ ଯେତେବେଳେ ଦେଶ ଏହି ଅଭିଯାନ ଆରମ୍ଭ କରିଥିଲା ଦେଶରେ ପ୍ରତିଦିନ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ମାତ୍ର ୨୦ ପ୍ରତିଶତ ପରିଚାଳନା କରାଯାଉଥିଲା । ଆଜି ଆମେ ପାଖାପାଖି ୭୦ ପ୍ରତିଶତ ଦୈନିକ ବର୍ଜ୍ୟ ପରିଚାଳନା କରୁଛୁ । ବର୍ତ୍ତମାନ ଆମକୁ ଏହା ୧୦୦ ପ୍ରତିଶତ ପର୍ଯ୍ୟନ୍ତ ନେବାକୁ ହେବ । ସହରାଞ୍ଚଳ ବିକାଶ ମନ୍ତ୍ରଣାଳ ପାଇଁ ବର୍ଦ୍ଧିତ ଆବଣ୍ଟନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ୨୦୧୪ ପୂର୍ବବର୍ତ୍ତୀ ପାଞ୍ଚ ବର୍ଷରେ ମନ୍ତ୍ରଣାଳୟକୁ ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା, ଅନ୍ୟପକ୍ଷରେ ୨୦୧୪ ପରବର୍ତୀ ୭ ବର୍ଷରେ ମନ୍ତ୍ରଣାଳୟକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଦେଶରେ ସହରଗୁଡ଼ିକର ବିକାଶ ପାଇଁ ଆଧୁନିକ ପ୍ରଯୁକ୍ତିର ଉପଯୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି । ନିକଟରେ ଆରମ୍ଭ କରାଯାଇଥିବା ବାହନ ସ୍କାର୍ପିଂ ନୀତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଆଲୋକପାତ କରି କହିଥିଲେ ଯେ ଏହି ନୂଆ ସ୍କାର୍ପିଂ ନୀତି ବର୍ଜ୍ୟରୁ ସମ୍ପଦ ଅଭିଯାନ ଏବଂ ଏକ ଚକ୍ରାୟମାନ ଅର୍ଥବ୍ୟବସ୍ଥା ଅଭିଯାନକୁ ସୁଦୃଢ଼ କରୁଛି ।

ସହରାଞ୍ଚଳ ବିକାଶ ସଂକ୍ରାନ୍ତ କୌଣସି କାର୍ଯ୍ୟକ୍ରମରେ ଉଠାଦୋକାନୀ ଏବଂ ବୁଲାବିକାଳୀମାନଙ୍କୁ ଯେକୌଣସି ସହରର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଏମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଏକ ଆଶାର ଆଲୋକ ନେଇ ଆସିଛି । ୪୬ ଲକ୍ଷରୁ ଅଧିକ ଉଠାଦୋକାନୀମାନଙ୍କୁ ସ୍ୱନିଧି ଯୋଜନାର ଲାଭ ମିଳିଛି । ୨୫ ଲକ୍ଷରୁ ଅଧିକ ଲୋକ ୨.୫ ହଜାର କୋଟି ଟଙ୍କା ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉଠାଦୋକାନୀମାନେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ସେମାନେ ଋଣ ପରିଶୋଧ କରିବାରେ ଏକ ଭଲ ରେକର୍ଡ ବଜାୟ ରଖିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ବଡ଼ ରାଜ୍ୟ ନେତୃତ୍ୱ ନେବା ଖୁସିର ବିଷୟ ବୋଲି ସେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour