“ଆଜି ଆପଣମାନଙ୍କ ଭଳି ଖେଳାଳିଙ୍କ ଉତ୍ସାହ ବେଶ ଅଧିକ, ତାଲିମ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅଧିକ ଭଲ ଏବଂ ଦେଶର କ୍ରୀଡ଼ା ପରିବେଶ ମଧ୍ୟ ଅସାଧାରଣ”
“ଲକ୍ଷ୍ୟ ହେଲା ତ୍ରିରଙ୍ଗା ପତାକାକୁ ଉଚ୍ଚରେ ଉଡ଼ିବାର ଦେଖିବା ଏବଂ ଜାତୀୟ ସଂଗୀତ ଗାନ ଶୁଣିବା”
“ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଆମ କ୍ରୀଡ଼ାବିତମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି”
“ଆପଣମାନେ ସମସ୍ତେ ଉତ୍ତମ ତାଲିମ ପାଇଛନ୍ତି; ବିଶ୍ୱରେ ଉପଲବ୍ଧ ଶ୍ରେଷ୍ଠ ତାଲିମ ଆପଣମାନଙ୍କୁ ପ୍ରଦାନ କରାଯାଇଛି। ସେହି ତାଲିମ ଓ ଆପଣମାନଙ୍କ ଇଚ୍ଛାଶକ୍ତିକୁ ସମ୍ମିଳିତ କରିବାର ଏବେ ସମୟ”
“ଆପଣମାନେ ଏ ପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରେରଣାଦାୟକ; ଏବେ କିନ୍ତୁ ଆପଣମାନଙ୍କୁ ସାନି ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ, ନୂଆ ରେକର୍ଡ ସ୍ଥାପନ ଉପରେ ନଜର ରଖିବାକୁ ହେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ ଦଳର ସଦସ୍ୟମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଉଭୟ କ୍ରୀଡ଼ାବିତ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କ ସହିତ କେନ୍ଦ୍ର କ୍ରୀଡ଼ା, ଯୁବସେବା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏବଂ କ୍ରୀଡ଼ାବିତ ସଚିବ ଉପସ୍ଥିତ ଥିଲେ ।

ଆଜି ପ୍ରସଙ୍ଗକ୍ରମେ ଆନ୍ତର୍ଜାତିକ ଚେସ୍ ଦିବସ ମଧ୍ୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ଜୁଲାଇ ମାସ ୨୮ ତାରିଖରେ ୨୮ତମ ଚେସ ଅଲିମ୍ପିଆଡ ତାମିଲନାଡୁରେ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ପୂର୍ବତନ କ୍ରୀଡ଼ାବିତମାନଙ୍କ ଭଳି ସେମାନେ ମଧ୍ୟ ଭାରତକୁ ଗୌରବାନ୍ୱିତ କରିବେ ବୋଲି ସେ ଆଶାବାଦୀ । ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ୬୫ରୁ ଅଧିକ କ୍ରୀଡ଼ାବିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା ଜାଣି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କ ଉତ୍ତମ ପ୍ରଦର୍ଶନ କାମନା କରିଥିଲେ । କୌଣସି ଚାପର ସମ୍ମୁଖୀନ ନ ହୋଇ, ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ମନଯୋଗ ସହିତ ଖେଳିବାକୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜଣେ କ୍ରୀଡ଼ାବିତ ଅବିନାଶ ସାବଲେଙ୍କ ସହିତ କଥା ହୋଇଥିଲେ । ଭାରତୀୟ ସେନାରେ କାମ କରୁଥିବା ଏହି ଖେଳାଳି ଜଣକ ସିଆଚେନରେ ନିଯୁକ୍ତ । ତାଙ୍କ ଜୀବନର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ଅବିନାଶ କହିଥିଲେ ଯେ ସେ ଭାରତୀୟ ସେନାରେ ଚାରିବର୍ଷ କାମ କରିବା ଭିତରେ ଅନେକ କଥା ଶିଖିଛନ୍ତି । ଏହି ଅଭିଜ୍ଞତା ତାଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭଲ କରିବାକୁ ସାହାଯ୍ୟ କରିବ । ସିଆଚେନରେ କାମ କରୁଥିବା ବେଳେ ସେ ଷ୍ଟିପଲଚେଜ କ୍ରୀଡ଼ାକୁ କାହିଁକି ବାଛିଲେ ବୋଲି ପ୍ରଧାନମନ୍ତ୍ରୀ ସାବଲେଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ ଷ୍ଟିପଲଚେଜ ପ୍ରତିବନ୍ଧକ ଏଡ଼ାଇ ଆଗକୁ ବଢ଼ିବାର ଏକ ଖେଳ । ସେନାରେ ଏଥିପାଇଁ ତାଲିମ ପ୍ରଦାନ କରାଯାଇଥାଏ । ଖୁବଶୀଘ୍ର ଓଜନ କମାଇବାର ରହସ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଜାଣିବାକୁ ଚାହିଁବାରୁ ସେ କହିଥିଲେ ଯେ ଖେଳକୁଦରେ ସାମିଲ ହେବାକୁ ସେନା ତାଙ୍କୁ ପ୍ରୋତ୍ସାହିତ କରିଥିଲା। ନିଜର ତାଲିମ ପାଇଁ ସେ ଅଧିକ ସମୟ ପାଇଥିଲେ । ଏହି ପ୍ରକ୍ରିୟାରେ ସେ ଅଧିକ ବ୍ୟାୟାମ ଓ ପରିଶ୍ରମ କରି ନିଜର ଓଜନ ଶୀଘ୍ର କମାଇବାରେ ସଫଳ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଆଉ ଜଣେ କ୍ରୀଡ଼ାବିତ ଅଚିନ୍ତ ଶେଉଲିଙ୍କ ସହ କଥା ହୋଇଥିଲେ । ଅଚିନ୍ତ ୭୩ କିଲୋଗ୍ରାମ ବର୍ଗର ଭାରୋତ୍ତଳନ ପ୍ରତିଯୋଗୀ । ସେ ପଶ୍ଚିମବଙ୍ଗ ନିବାସୀ । ଶାନ୍ତ ସ୍ୱଭାବର ଅଚିନ୍ତ ଭାରୋତ୍ତଳନ କ୍ରୀଡ଼ା ସହିତ କିପରି ନିଜକୁ ଖାପ ଖୁଆଇ ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ । ସେ କହିଥିଲେ ଯେ ନିୟମିତ ଯୋଗାଭ୍ୟାସ ଦ୍ୱାରା ସେ ଶାନ୍ତ ଓ ଅବିଚଳିତ ରହିବା ଶିଖିଛନ୍ତି । ମାନସିକ ଶାନ୍ତି ରକ୍ଷାରେ ଯୋଗ ତାଙ୍କୁ ସାହାଯ୍ୟ କରିଛି। ତାଙ୍କ ପରିବାର ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ ଏବଂ ତାଙ୍କର ମା’ ଓ ବଡ଼ ଭାଇ ଅଛନ୍ତି ବୋଲି ସେ କହିବା ସହିତ ଉଭୟ ତାଙ୍କୁ ଜୀବନର ଉତଥାନ ପତନରେ ସବୁମତେ ସାହାଯ୍ୟ କରିଆସିଛନ୍ତି ବୋଲି ଜଣାଇଥିଲେ। ଖେଳରେ ଆଘାତ ସମସ୍ୟାର ମୁକାବିଲା ସେ କିପରି କରନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଚିନ୍ତ କହିଥିଲେ ଯେ ଆହତ ହେବା ଖେଳର ଏକ ଅଂଶବିଶେଷ । ତେବେ ଆଘାତରୁ ମୁକୁଳିବା ପାଇଁ ସେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିଥାନ୍ତି । ଆହୁରି ମଧ୍ୟ ଯେଉଁ ଭୁଲ ପାଇଁ ସେ ଆହତ ହୁଅନ୍ତି ତାହାକୁ ଭଲଭାବେ ବିଶ୍ଳେଷଣ କରି ଏହାର ପୁନରାବୃତ୍ତିର ସୁଯୋଗ ଦିଅନ୍ତି ନାହିଁ । ପ୍ରଧାନମନ୍ତ୍ରୀ ଅଚିନ୍ତଙ୍କୁ ଶୁଭକାମନା ଜଣାଇବା ସହିତ ତାଙ୍କୁ ଜଣେ ଭଲ ଖେଳାଳି ଭାବେ ଗଢ଼ି ତୋଳିଥିବାରୁ ତାଙ୍କର ମା’ ଓ ବଡ଼ଭାଇ ତଥା ପରିବାରକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ କେରଳର ବ୍ୟାଡମିଣ୍ଟନ ଖେଳାଳି ତ୍ରିସା ଜୋଲିଙ୍କ ସହ କଥା ହୋଇଥିଲେ । କନ୍ନୁରରେ ଫୁଟବଲ ଓ ଫାର୍ମିଂ ବେଶ ଲୋକପ୍ରିୟ । ସେଠାରୁ ଆସିଥିବା ତ୍ରିସା ବ୍ୟାଡମିଣ୍ଟନ ପ୍ରତି କିପରି ଆକୃଷ୍ଟ ହେଲେ ତାହା ଜାଣିବାକୁ ପ୍ରଧାନମନ୍ତ୍ରୀ ଚାହିଁଥିଲେ । ତ୍ରିସା କହିଥିଲେ ଯେ ସେ ତାଙ୍କ ବାପାଙ୍କ ପ୍ରେରଣାରେ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିଲେ। ଗାୟତ୍ରୀ ଗୋପୀଚାନ୍ଦଙ୍କ ସହ ତାଙ୍କର ବନ୍ଧୁତା ଓ ଏକାଠି ଖେଳିବା ନେଇ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁବାରୁ ସେ କହିଥିଲେ ଯେ ଏହି ବନ୍ଧୁତା ଓ ଏକାଠି ଖେଳିବା ଦ୍ୱାରା ତାଙ୍କର କ୍ରୀଡ଼ା ଜୀବନରେ ଉନ୍ନତି ଆସିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଫେରିବା ପରେ ସେ କିପରି ଉତ୍ସବ ପାଳନ କରିବେ ସେ ନେଇ ତାଙ୍କର ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରିଥିଲେ ।

ଝାଡ଼ଖଣ୍ଡର ହକି ଖେଳାଳି ସଲିମା ଟେଟେଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ କଥା ହୋଇଥିଲେ । ନିଜର ଓ ନିଜର ପିତାଙ୍କ ହକି କ୍ରୀଡ଼ା ଯାତ୍ରା ସମ୍ପର୍କରେ ସଲିମାଙ୍କୁ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ ତାଙ୍କ ବାପାଙ୍କ ହକି ଖେଳ ଦେଖି ସେ ଅନୁପ୍ରାଣିତ ହୋଇଥିଲେ । ସଲିମାଙ୍କୁ ପ୍ରଧାନମନ୍ତ୍ରୀ ଗୋଟିଏ ଅନୁଭୂତି ପଚାରିବାରୁ ସେ କହିଥିଲେ ଯେ ସେତେବେଳେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନା ତାଙ୍କୁ ବିଶେଷ ଉତ୍ସାହିତ ଓ ଅନୁପ୍ରେରିତ କରିଥିଲା ।

ପ୍ରଧାନମନ୍ତ୍ରୀ ହରିଆଣାର ଜଣେ ପାରା ଆଥଲେଟ ତଥା ସଟପୁଟ୍ ଖେଳାଳି ଶର୍ମିଳାଙ୍କ ସହିତ କିଛି ସମୟ କଥା ହୋଇଥିଲେ । ସେ ୩୪ ବର୍ଷ ବୟସରେ ଖେଳ ଆରମ୍ଭ କରି ମାତ୍ର ଦୁଇ ବର୍ଷ ଭିତରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ରହସ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ । ଶର୍ମିଳା କହିଥିଲେ ଯେ ତାଙ୍କର ଖେଳ ପ୍ରତି ବିଶେଷ ଆଗ୍ରହ ଥିଲା; କିନ୍ତୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଅଳ୍ପ ବୟସରରେ ବିବାହ କରିବାକୁ ପଡ଼ିଥିଲା । ବିବାହ ପରେ ସ୍ୱାମୀଙ୍କ ଦ୍ୱାରା ସେ ନିର୍ଯାତିତ ହୋଇଥିଲେ । ଶେଷରେ ସେ ତାଙ୍କର ଦୁଇ ଝିଅଙ୍କୁ ଧରି ନିଜ ବାପଘରକୁ ଫେରି ଆସି ବାପା-ମାଆଙ୍କ ଉପରେ ନିର୍ଭରଶୀଳ ହେଲେ । ଏଭଳି ଛ’ ବର୍ଷ କଟାଇବା ପରେ ତାଙ୍କର ଜଣେ ସମ୍ପର୍କୀୟ ଟେକଚାନ୍ଦ ଭାଇ ତାଙ୍କୁ ତାଲିମ ପ୍ରଦାନ କଲେ । ଦୈନିକ ତାଙ୍କୁ ଆଠ ଘଣ୍ଟା କଠିନ ତାଲିମ ନେବାକୁ ପଡୁଥିଲା। ଟେକଚାନ୍ଦ ଜଣେ ଫ୍ଲାଗ ବିୟରର ଥିଲେ ଏବଂ ତାଙ୍କୁ ତାଲିମ ଦେବା ସହିତ ତାଙ୍କ ପରିବାରକୁ ମଧ୍ୟ ସହାୟତା କରୁଥିଲେ। ତାଙ୍କର ଦୁଇ ଝିଅଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିବା ସହିତ ଶର୍ମିଳାଙ୍କୁ ନିଜର ଦୁଇ ସନ୍ତାନଙ୍କ ସହିତ ସମଗ୍ର ଦେଶର ଆଦର୍ଶ ବୋଲି କହିଥିଲେ । ନିଜର ଦୁଇ ଝିଅଙ୍କୁ ଖେଳକୁଦରେ ସାମିଲ କରିବାକୁ ସେ ମନସ୍ଥ କରିଥିବା ଶର୍ମିଳା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଟେକଚାନ୍ଦଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ଶର୍ମିଳା କହିଥିଲେ ଯେ ଟେକଚାନ୍ଦ ଜୀ ଜଣେ ପୂର୍ବତନ ପାରା ଅଲିମ୍ପିଆନ ଏବଂ ତାଙ୍କ ସାହାଯ୍ୟ ସହଯୋଗ ଭୁଲିବାର ନୁହେଁ । ତାଙ୍କ ପ୍ରେରଣା ଓ ତାଲିମ ହିଁ ଆଜି ଶର୍ମିଳାଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ଦେଇଛି । ଏକ ପ୍ରତିକୂଳ ପରିସ୍ଥିତିରୁ ଉଠି ନିଜକୁ ପ୍ରତିଷ୍ଠା କରିପାରିଥିବାରୁ ଶର୍ମିଳାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କୁ ସଫଳତା କାମନା କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ସାଇକଲ ଚାଳକ ଡେଭିଡ ବେକହାମଙ୍କ ସହିତ କଥା ହୋଇଥିଲେ । ସେ କହିଥିଲେ ଯେ ଡେଭିଡ ବେକହାମ ଫୁଟବଲ ଜଗତର ଜଣେ ମହାନ ଖେଳାଳି । ତାଙ୍କ ନାମ ସହ ସମାନ ଥିବା ଏହି କିମ୍ବଦନ୍ତୀ ଫୁଟବଲ ଖେଳାଳିଙ୍କ ପ୍ରତି ତାଙ୍କର ଆକର୍ଷଣ ଅଛି କି ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତରରେ ବେକହାମ କହିଥିଲେ ଯେ ଫୁଟବଲ ଖେଳ ପ୍ରତି ତାଙ୍କର ଅନୁରାଗ ଥିଲା; କିନ୍ତୁ ଏଥିପାଇଁ ଆଣ୍ଡାମାନ ଓ ନିକୋବରରେ ବିଶେଷ ସୁବିଧା ସୁଯୋଗ ନ ଥିବାରୁ ସେ ସାଇକଲ ଚାଳନା ପ୍ରତି ଆକୃଷ୍ଟ ହୋଇଥିଲେ । ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ତାଙ୍କୁ କିପରି ସାହାଯ୍ୟ କରିଛି ତାହା ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁବାରୁ ବେକହାମ କହିଥିଲେ ଯେ ‘ଖେଲୋ ଇଣ୍ଡିଆ’ରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଛି । ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ତାଙ୍କ ବିଷୟରେ କହିବା ପରେ ସେ ବିଶେଷ ଅନୁପ୍ରାଣିତ ହୋଇଛନ୍ତି । ସୁନାମିରେ ସେ ତାଙ୍କ ବାପାଙ୍କୁ ଓ ଏହାର ଅଳ୍ପଦିନ ପରେ ମା’ଙ୍କୁ ହରାଇଥିଲେ । ଏହି ବ୍ୟକ୍ତିଗତ ବିପର୍ଯ୍ୟୟ ସତ୍ତ୍ୱେ ସେ ନିଜର କ୍ରୀଡ଼ାରେ ମନୋନିବେଶ ଜାରି ରଖିଥିଲେ ବୋଲି ବେକହାମ କହିଥିଲେ ।

କ୍ରୀଡ଼ାବିତମାନଙ୍କ ସହିତ ଭାବ ବିନିମୟ ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ାବିତ ଦଳର ସଦସ୍ୟମାନଙ୍କୁ ସଂସଦର କାର୍ଯ୍ୟକ୍ରମ ଦୃଷ୍ଟିରୁ ବ୍ୟସ୍ତ ଥିବାରୁ ସେ ବ୍ୟକ୍ତିଗତ ଭାବେ ଭେଟିପାରୁ ନାହାନ୍ତି । ତେବେ ବିଜୟମଣ୍ଡିତ ହୋଇ ଫେରିଆସିବା ପରେ ସେମାନଙ୍କ ସହିତ ମିଶି ଉତ୍ସବ ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ସାମ୍ପ୍ରତିକ ସମୟ ଭାରତୀୟ କ୍ରୀଡ଼ା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏବେ କ୍ରୀଡ଼ାବିତମାନଙ୍କର ଉତ୍ସାହ ଓ ମନୋବଳ ଅତି ଉଚ୍ଚ ରହିଛି । ସେମାନଙ୍କ ତାଲିମ ବ୍ୟବସ୍ଥା ମଧ୍ୟ ପୂର୍ବ ଠାରୁ ଅଧିକ ଭଲ ହୋଇଛି । ଦେଶର କ୍ରୀଡ଼ା ପରିବେଶ ଅସାଧାରଣ ରହିଛି । ଆପଣମାନେ ସମସ୍ତେ ନୂଆ ଶିଖର ଆରୋହଣ କରୁଛନ୍ତି, ନୂଆ କୀର୍ତ୍ତିମାନ ସୃଷ୍ଟି କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ ଯେଉଁମାନେ ପ୍ରଥମ ଥର ବୃହତ୍ତ ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି ସେମାନଙ୍କ ପାଇଁ କ୍ରୀଡ଼ାଙ୍ଗନ କେବଳ ବଦଳିଛି, ସେମାନଙ୍କ ଉତ୍ସାହ ଓ ସଫଳତା ପାଇଁ ଥିବା ଦୃଢ଼ ଆଶା ବଦଳି ନାହିଁ । ଆମର ଲକ୍ଷ୍ୟ ହେଲା ଭାରତର ତ୍ରିରଙ୍ଗା ପତାକାକୁ ଉଡୁଥିବାର ଦେଖିବା ଏବଂ ଜାତୀୟ ସଂଗୀତ ପରିବେଷଣ ହେଉଥିବା ଶୁଣିବା । ତେଣୁ ଚାପଗ୍ରସ୍ତ ନ ହୋଇ ଭଲ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ତାହାର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଆମ କ୍ରୀଡ଼ାବିତମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଉଛନ୍ତି, ସେମାନେ ସେଠାରେ ତାଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ । ସେମାନେ ସଫଳ ହେଲେ ଏହା ଦେଶ ପାଇଁ ଏକ ଉପହାର ହେବ । ଆମର ପ୍ରତିପକ୍ଷ କିଏ ତାହା ବଡ଼କଥା ନୁହେଁ ।  ଆମେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଚେଷ୍ଟିତ ହେଲେ ବିଜୟ ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ କ୍ରୀଡ଼ାବିତ ଉତ୍ତମ ତାଲିମ ପାଇଛନ୍ତି ଏବଂ ସେମାନଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠତମ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଅତଏବ ଆମ କ୍ରୀଡ଼ାବିତମାନେ ତାଲିମକୁ ସ୍ମରଣ କରି ନିଜର ଦୃଢ଼ ଇଚ୍ଛାଶକ୍ତି ଉପରେ ଅଧିକ ନିର୍ଭର କରିବା ଆବଶ୍ୟକ। ଆମ କ୍ରୀଡ଼ାବିତମାନେ ଏଯାବତ୍ ଯାହା କିଛି ହାସଲ କରିଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ । ଏହା ସତ୍ତ୍ୱେ ସେମାନେ ଏବେ ନୂଆ କୀର୍ତ୍ତିମାନ ସୃଷ୍ଟି ଉପରେ ଧ୍ୟାନ ଦେଇ ଦେଶ ଓ ଦେଶବାସୀଙ୍କ ପାଇଁ ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ କରିବା ଉଚିତ ।

କ୍ରୀଡ଼ାବିତମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ ସେମାନଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିବାର ଏକ ନିରନ୍ତର ପ୍ରୟାସର ଅଂଶବିଶେଷ । ବଡ଼ବଡ଼ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା କ୍ରୀଡ଼ାବିତମାନଙ୍କୁ ସେ ଏଭଳି ପ୍ରୋତ୍ସାହିତ କରି ଆସୁଛନ୍ତି । ୨ଠ୨ଠ ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଯାଇଥିବା କ୍ରୀଡ଼ାବିତ ଓ ସେହି ବର୍ଷ ସେଠାରେ ଆୟୋଜିତ ପାରା ଅଲିମ୍ପିକ୍ସର ଜାତୀୟ ଦଳର ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ ଏଭଳି ଉତ୍ସାହିତ କରିଥିଲେ ।

ଏପରିକି ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଭଲମନ୍ଦ ପ୍ରତି ବିଶେଷ ନଜର ରଖନ୍ତି । ଅନେକଥର ସେ ମଧ୍ୟ ଖେଳାଳିମାନଙ୍କୁ ଟେଲିଫୋନ କରି ସେମାନଙ୍କ ସଫଳତା ଓ ଉଲ୍ଲେଖନୀୟ ଉଦ୍ୟମ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇ ଆହୁରି ଭଲ କରିବାକୁ ଉତ୍ସାହିତ କରିଥାନ୍ତି । ବିଦେଶରେ ଅନୁଷ୍ଠିତ ଖେଳକୁଦ ପ୍ରତିଯୋଗିତାରୁ ଫେରିବା ପରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହିତ କଥା ହୁଅନ୍ତି ।

୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା (ସିଡବ୍ଲୁଜି ବା କମନୱେଲଥ ଗେମ୍ସ) ଚଳିତ ମାସ (ଜୁଲାଇ) ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମ ଠାରେ ଆରମ୍ଭ ହେଉଛି । ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତର ମୋଟ ୨୧୫ ଜଣ କ୍ରୀଡ଼ାବିତ ଏହି ପ୍ରତିଯୋଗିତାର ୧୯ଟି ବିଭାଗର ୧୪୧ ଇଭେଣ୍ଟରେ ଭାଗ ନେବେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman

Media Coverage

UPI platforms processes over 241 billion transactions with value exceeding ₹340 lakh crore in 2025-26, says Nirmala Sitharaman
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.