ଗୋଷ୍ଠୀ ମଧ୍ୟସ୍ଥତା ତାଲିମ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ, ସମୟାନୁସାରେ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ପାଖରେ ସେମାନଙ୍କର ସାମାଜିକ କିମ୍ବା ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଏହା ପହଞ୍ଚିଥାଏ, ସେତେବେଳେ ଏହା ପ୍ରକୃତରେ ସାମାଜିକ ନ୍ୟାୟର ମୂଳଦୁଆ ହୋଇଯାଏ : ପ୍ରଧାନମନ୍ତ୍ରୀ
ବ୍ୟବସାୟ କରିବାର ସହଜତା ଏବଂ ଜୀବନଯାପନର ସୁଗମତା ପ୍ରକୃତରେ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ନ୍ୟାୟର ସହଜତା ମଧ୍ୟ ସୁନିଶ୍ଚିତ ହୁଏ ; ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ନ୍ୟାୟର ସହଜତାକୁ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଏବଂ ଆଗକୁ ବଢ଼ିବା ସହିତ, ଆମେ ଏହି ଦିଗରେ ପ୍ରୟାସକୁ ତ୍ୱରାନ୍ୱିତ କରିବୁ : ପ୍ରଧାନମନ୍ତ୍ରୀ
ମଧ୍ୟସ୍ଥତା ସର୍ବଦା ଆମର ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି ; ନୂତନ ମଧ୍ୟସ୍ଥତା ଆଇନ ଏହି ପରମ୍ପରାକୁ ଆଗକୁ ବଢ଼ାଉଛି, ଏହାକୁ ଏକ ଆଧୁନିକ ରୂପ ଦେଉଛି : ପ୍ରଧାନମନ୍ତ୍ରୀ
ଆଜି ପ୍ରଯୁକ୍ତି ବିଦ୍ୟା ଅନ୍ତର୍ଭୁକ୍ତି ଏବଂ ସଶକ୍ତୀକରଣ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ମୁଣ୍ଡ ଟେକିଛି ; ନ୍ୟାୟ ପ୍ରଦାନରେ ଇ-କୋର୍ଟସ୍ ପ୍ରକଳ୍ପ ଏହି ପରିବର୍ତ୍ତନର ଏକ ଉଲ୍ଲେଖନୀୟ ଉଦାହରଣ ଭାବରେ ପ୍ରତୀୟମାନ ହୋଇଛି : ପ୍ରଧାନମନ୍ତ୍ରୀ
ଯେତେବେଳେ ଲୋକମାନେ ନିଜ ଭାଷାରେ ଆଇନକୁ ବୁଝନ୍ତି, ଏହା ଉତ୍ତମ ଅନୁପାଳନ ଆଡ଼କୁ ନେଇଯାଏ ଏବଂ ମାମଲାକୁ ହ୍ରାସ କରେ ; ସ୍ଥାନୀୟ ଭାଷାରେ ବିଚାର ଏବଂ ଆଇନଗତ ଦଲିଲ ଉପଲବ୍ଧ ହେବା ସମାନ ଭାବରେ ଜରୁରୀ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସୁପ୍ରିମକୋର୍ଟରେ "ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ସୁଦୃଢ଼ୀକରଣ" ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏଠାରେ ସମସ୍ତ ଉପସ୍ଥିତ ଲୋକଙ୍କ ମଧ୍ୟରେ ରହିବା ପ୍ରକୃତରେ ବହୁତ ସ୍ୱତନ୍ତ୍ର । ସେ କହିଥିଲେ ଯେ, ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥା ଏବଂ ଆଇନଗତ ସେବା ଦିବସ ସହିତ ଜଡିତ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଦ୍ଵାରା ଭାରତର ନ୍ୟାୟିକ ବ୍ୟବସ୍ଥାକୁ ନୂତନ ଶକ୍ତି ମିଳିବ। ପ୍ରଧାନମନ୍ତ୍ରୀ ୨୦ତମ ଜାତୀୟ ସମ୍ମିଳନୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ନ୍ୟାୟପାଳିକାର ସଦସ୍ୟ ଏବଂ ଆଇନଗତ ସେବା କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।
"ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ, ସମୟାନୁସାରେ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସେମାନଙ୍କର ସାମାଜିକ କିମ୍ବା ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଏଡା ପହଞ୍ଚିଥାଏ - ସେତେବେଳେ ଏହା ପ୍ରକୃତରେ ସାମାଜିକ ନ୍ୟାୟର ମୂଳଦୁଆ ହୋଇଯାଏ", ବୋଲି ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଆଇନଗତ ସହାୟତା ଏହିପରି ସୁବିଧା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଜାତୀୟ ସ୍ତରରୁ ତାଲୁକ ସ୍ତର ପର୍ଯ୍ୟନ୍ତ, ଆଇନଗତ ସେବା କର୍ତ୍ତୃପକ୍ଷ ନ୍ୟାୟପାଳିକା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଲୋକ ଅଦାଲତ ଏବଂ ପ୍ରାକ-ମକଦ୍ଦମା ସମାଧାନ ମାଧ୍ୟମରେ ଲକ୍ଷ ଲକ୍ଷ ବିବାଦ ଶୀଘ୍ର, ସୌହାର୍ଦ୍ଦପୂର୍ଣ୍ଣ ଏବଂ କମ ମୂଲ୍ୟରେ ସମାଧାନ କରାଯାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶ ବ୍ୟବସ୍ଥା ଅଧୀନରେ ମାତ୍ର ତିନି ବର୍ଷ ମଧ୍ୟରେ ପ୍ରାୟ ୮ ଲକ୍ଷ ଫୌଜଦାରୀ ମାମଲା ସମାଧାନ କରାଯାଇଛି। ଏହି ପ୍ରୟାସଗୁଡ଼ିକ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ଯେ, ଏହା ସାରା ଦେଶରେ ଗରିବ, ଦଳିତ, ବଞ୍ଚିତ ଏବଂ ଅବହେଳିତଙ୍କ ପାଇଁ ନ୍ୟାୟ ପ୍ରଦାନର ସହଜତା ସୁନିଶ୍ଚିତ କରିଛି।
 

ଗତ ୧୧ ବର୍ଷ ଧରି ସରକାର ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ସହଜତା ବୃଦ୍ଧି ଉପରେ ନିରନ୍ତର ଧ୍ୟାନ ଦେଇ ଆସୁଛନ୍ତି ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ବ୍ୟବସାୟ ସମ୍ଵନ୍ଧୀୟ ୪୦,୦୦୦ ରୁ ଅଧିକ ଅନାବଶ୍ୟକ ଅନୁପାଳନକୁ ହଟାଇ ଦିଆଯାଇଛି। ଜନ ବିଶ୍ୱାସ ଆଇନ ମାଧ୍ୟମରେ, ୩,୪୦୦ ରୁ ଅଧିକ ଆଇନଗତ ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି ଏବଂ ୧୫୦୦ ରୁ ଅଧିକ ପୁରୁଣା ଆଇନକୁ ପ୍ରତ୍ୟାହାର କରାଯାଇଛି। ସେ ମନ୍ତବ୍ୟ ଦେଇଥିଲେ ଯେ ଦୀର୍ଘକାଳୀନ ଆଇନଗୁଡ଼ିକୁ ଏବେ ଭାରତୀୟ ନ୍ୟାୟ ସଂହିତା ମାଧ୍ୟମରେ ବଦଳାଇ ଦିଆଯାଇଛି।
"ବ୍ୟବସାୟିକ ସୁଗମତା ଏବଂ ଜୀବନଧାରଣର ସହଜତା ପ୍ରକୃତରେ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ନ୍ୟାୟର ସହଜତା ମଧ୍ୟ ସୁନିଶ୍ଚିତ କରାଯାଏ। ଗତ କିଛି ବର୍ଷ ମଧ୍ୟରେ, ନ୍ୟାୟର ସହଜତା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଏବଂ ଆଗକୁ ବଢ଼ିବା ସହିତ ଆମେ ଏହି ଦିଗରେ ପ୍ରୟାସକୁ ତ୍ୱରାନ୍ୱିତ କରିବୁ" ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ କହିଥିଲେ।
ଚଳିତ ବର୍ଷ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ)ର ୩୦ ବର୍ଷ ପୂରଣ ହେଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ତିନି ଦଶନ୍ଧି ଧରି, ଏନଏଏଲଏସଏ ଦେଶର ଅବହେଳିତ ନାଗରିକଙ୍କ ସହିତ ନ୍ୟାୟପାଳିକାକୁ ସଂଯୋଗ କରିବା ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିଆସିଛି। ସେ କହିଥିଲେ ଯେ, ସେ ଏହା ମଧ୍ୟ ଲକ୍ଷ୍ୟ କରିଥିଲେ ଯେ ଯେଉଁମାନେ ଆଇନ ସେବା ପ୍ରାଧିକରଣ ସହିତ ଯୋଗାଯୋଗ କରନ୍ତି ସେମାନଙ୍କ ପାଖରେ ପ୍ରାୟତଃ ସମ୍ବଳ, ପ୍ରତିନିଧିତ୍ୱ ଏବଂ କେତେକ ସମୟରେ ଆଶାର ଅଭାବ ଥାଏ। ସେମାନଙ୍କୁ ଆଶା ଏବଂ ସହାୟତା ଯୋଗାଇବା ହେଉଛି "ସେବା" ଶବ୍ଦର ପ୍ରକୃତ ଅର୍ଥ, ଯାହା ଏନଏଏଲଏସଏର ନାମ ମଧ୍ୟରେ ନିହିତ ରହିଛି। ଶ୍ରୀ ମୋଦୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏନଏଏଲଏସଏର ପ୍ରତ୍ୟେକ ସଦସ୍ୟ ଧୈର୍ଯ୍ୟ ଏବଂ ପେଶାଦାର ମନୋଭାବ ସହିତ ସେବା ଜାରି ରଖିବେ।
ଏନଏଏଲଏସଏର ସମୁଦାୟ ମଧ୍ୟସ୍ଥତା ତାଲିମ ମଡ୍ୟୁଲ୍ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଆଲୋଚନା ଏବଂ ସହମତି ମାଧ୍ୟମରେ ବିବାଦ ସମାଧାନ କରିବାର ପ୍ରାଚୀନ ଭାରତୀୟ ପରମ୍ପରାକୁ ପୁନର୍ଜୀବିତ କରେ। ଗ୍ରାମ ପଞ୍ଚାୟତରୁ ଗ୍ରାମର ବୟସ୍କଙ୍କ ପର୍ଯ୍ୟନ୍ତ, ମଧ୍ୟସ୍ଥତା ସର୍ବଦା ଭାରତୀୟ ସଭ୍ୟତାର ଏକ ଅଂଶ ହୋଇ ରହିଆସିଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ନୂତନ ମଧ୍ୟସ୍ଥତା ଆଇନ ଏହି ପରମ୍ପରାକୁ ଆଧୁନିକ ରୂପରେ ଆଗକୁ ବଢ଼ାଉଛି। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହି ତାଲିମ ମଡ୍ୟୁଲ୍ ସମୁଦାୟ ମଧ୍ୟରେ ମଧ୍ୟସ୍ଥତା ପାଇଁ ସମ୍ବଳ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ଯାହା ବିବାଦ ସମାଧାନ, ସଦଭାବନା ବଜାୟ ରଖିବା ଏବଂ ମାମଲା ହ୍ରାସ କରିବାରେ ସହାୟତା ପ୍ରଦାନ କରିବ।
ପ୍ରଯୁକ୍ତି ବିଦ୍ୟା ନିଃସନ୍ଦେହରେ ଏକ ବିପର୍ଯ୍ୟସ୍ତ ଶକ୍ତି, କିନ୍ତୁ ଯେତେବେଳେ ଏହା ଏକ ଜନହିତକର କାର୍ଯ୍ୟ ଉପରେ ଧ୍ୟାନ ଦେଇଥାଏ, ସେତେବେଳେ ଏହା ଗଣତନ୍ତ୍ରକରଣ ପାଇଁ ଏକ ଶକ୍ତିଶାଳୀ ଉପକରଣ ହୋଇଯାଏ ବୋଲି ଶ୍ରୀ ମୋଦୀ ବୁଝାଇ କହିଥିଲେ। କିପରି ୟୁପିଆଇ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିପ୍ଳବ ଆଣିଛି, ଛୋଟ ବିକ୍ରେତାଙ୍କୁ ମଧ୍ୟ ଡିଜିଟାଲ୍ ଅର୍ଥନୀତିର ଅଂଶ ହେବାକୁ ସକ୍ଷମ କରିଛି , ତାହା ଉପରେ ସେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଗ୍ରାମଗୁଡ଼ିକୁ ଲକ୍ଷ ଲକ୍ଷ କିଲୋମିଟର ଅପ୍ଟିକାଲ୍ ଫାଇବର ସହିତ ସଂଯୋଗ କରାଯାଇଛି ଏବଂ କିଛି ସପ୍ତାହ ପୂର୍ବରୁ, ଗ୍ରାମାଞ୍ଚଳରେ ପ୍ରାୟ ଏକ ଲକ୍ଷ ମୋବାଇଲ୍ ଟାୱାର କାର୍ଯ୍ୟ ଏକକାଳୀନ ଆରମ୍ଭ କରାଯାଇଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ ପ୍ରଯୁକ୍ତି ବିଦ୍ୟା ବର୍ତ୍ତମାନ ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତୀକରଣ ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଇ-କୋର୍ଟସ୍ ପ୍ରକଳ୍ପକୁ ପ୍ରଯୁକ୍ତି ବିଦ୍ୟା କିପରି ନ୍ୟାୟିକ ପ୍ରକ୍ରିୟାକୁ ଆଧୁନିକୀକରଣ ଏବଂ ମାନବୀୟ କରିପାରିବ ତାହାର ଏକ ଉଲ୍ଲେଖନୀୟ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ଇ-ଫାଇଲିଂ ଠାରୁ ଇଲେକ୍ଟ୍ରୋନିକ୍ ସମନ୍ ସେବା, ଆଭାଷୀ ରୂପରେ ଶୁଣାଣି ଠାରୁ ଭିଡିଓ କନଫରେନ୍ସିଂ ପର୍ଯ୍ୟନ୍ତ ପ୍ରସଙ୍ଗ ଉପରେ ସେ କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟା ସବୁକିଛି ସରଳ କରିଛି ଏବଂ ନ୍ୟାୟ ପାଇବାକୁ ସହଜ କରିଛି। ସେ ସୂଚନା ଦେଇଥିଲେ ଯେ ଇ-କୋର୍ଟସ୍ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ବଜେଟ୍ ୭,୦୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧି କରାଯାଇଛି, ଯାହା ଏହି ପଦକ୍ଷେପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
 

ଆଇନଗତ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଣେ ଗରିବ ବ୍ୟକ୍ତି ଯେପର୍ଯ୍ୟନ୍ତ ନିଜର ଅଧିକାର ବିଷୟରେ ସଚେତନ ନହୁଏ, ଆଇନକୁ ବୁଝି ନପାରେ ଏବଂ ବ୍ୟବସ୍ଥାର ଜଟିଳତା ପ୍ରତି ତା’ର ଭୟ ଦୂର ନହୁଏ, ସେପର୍ଯ୍ୟନ୍ତ ନ୍ୟାୟ ପାଇପାରିବ ନାହିଁ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଦୁର୍ବଳ ଗୋଷ୍ଠୀ, ମହିଳା ଏବଂ ବୟସ୍କଙ୍କ ମଧ୍ୟରେ ଆଇନଗତ ସଚେତନତା ବୃଦ୍ଧି କରିବା ଏକ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ଏହି ଦିଗରେ ଆଇନଗତ ପ୍ରତିଷ୍ଠାନ ଏବଂ ନ୍ୟାୟପାଳିକା ଦ୍ୱାରା କରାଯାଉଥିବା ନିରନ୍ତର ପ୍ରୟାସକୁ ସ୍ୱୀକାର କରିଛନ୍ତି। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଯୁବପିଢ଼ି, ବିଶେଷ କରି ଆଇନ ଛାତ୍ରମାନେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିପାରିବେ। ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ଯେ, ଯଦି ଆଇନ ଛାତ୍ରମାନଙ୍କୁ ଗରିବ ଏବଂ ଗ୍ରାମୀଣ ସମୁଦାୟ ସହିତ ଜଡିତ ହୋଇ ସେମାନଙ୍କର ଆଇନଗତ ଅଧିକାର ଏବଂ ପ୍ରକ୍ରିୟା ବୁଝାଇବାକୁ ଉତ୍ସାହିତ କରାଯାଏ, ତେବେ ସେମାନେ ସମାଜର ପ୍ରକୃତ ସମସ୍ୟା ବିଷୟରେ ସିଧାସଳଖ ଅନ୍ତର୍ଦୃଷ୍ଟି ପାଇପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱୟଂ ସହାୟକ ଗୋଷ୍ଠୀ, ସମବାୟ, ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଦୃଢ଼ ତୃଣମୂଳ ସ୍ତରର ନେଟୱାର୍କ ସହିତ କାମ କରି ପ୍ରତ୍ୟେକ ଲୋକଙ୍କ ନିକଟରେ ଆଇନଗତ ଜ୍ଞାନ ପହଞ୍ଚାଯାଇପାରିବ।
 

ପ୍ରଧାନମନ୍ତ୍ରୀ ଆଇନଗତ ସହାୟତାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ ଯାହା ଉପରେ ସେ ପ୍ରାୟତଃ ଗୁରୁତ୍ୱ ଦିଅନ୍ତି, ତାହା ହେଉଛି ନ୍ୟାୟ ପ୍ରଦାନ ଏପରି ଭାଷାରେ କରାଯିବା ଉଚିତ, ଯାହା ଗ୍ରହଣକାରୀ ବୁଝିପାରିବେ। ସେ କହିଥିଲେ ଯେ, ଆଇନ ପ୍ରସ୍ତୁତ କରିବା ସମୟରେ ଏହି ନୀତିକୁ ବିଚାର କରାଯିବା ଉଚିତ। ଯେତେବେଳେ ଲୋକମାନେ ନିଜ ଭାଷାରେ ଆଇନକୁ ବୁଝନ୍ତି, ଏହା ଉତ୍ତମ ଅନୁପାଳନ ହୋଇଥାଏ ଏବଂ ମକଦ୍ଦମା ହ୍ରାସ କରିଥାଏ। ସ୍ଥାନୀୟ ଭାଷାରେ ରାୟ ଏବଂ ଆଇନଗତ ଦଲିଲ ଉପଲବ୍ଧ କରାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ୮୦,୦୦୦ ରୁ ଅଧିକ ରାୟକୁ ୧୮ ଟି ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ। ସେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହି ପ୍ରୟାସ ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟଗୁଡ଼ିକରେ ମଧ୍ୟ ଜାରି ରହିବ।
 

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରି ଆଇନ ବୃତ୍ତି, ନ୍ୟାୟିକ ସେବା ଏବଂ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହିତ ଜଡିତ ସମସ୍ତ ଅଂଶୀଦାରଙ୍କୁ ଭାରତରେ ନ୍ୟାୟ ପ୍ରଦାନର ଭବିଷ୍ୟତ କଳ୍ପନା କରିବାକୁ ଆହ୍ୱାନ କରିଥିଲେ, ଯେତେବେଳେ ଦେଶ ନିଜକୁ ଏକ ବିକଶିତ ରାଷ୍ଟ୍ର ଭାବରେ ମାନ୍ୟତା ଦେବ। ସେ ଏହି ଦିଗରେ ସାମୂହିକ ଭାବରେ ଆଗକୁ ବଢ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଏନଏଏଲଏସଏ, ସମଗ୍ର ଆଇନଗତ ଭାଇଚାରା ଏବଂ ନ୍ୟାୟ ପ୍ରଦାନ ସହିତ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ବି.ଆର. ଗଭାଇ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପୃଷ୍ଠଭୂମି
"ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା" ଶୀର୍ଷକ ଜାତୀୟ ସମ୍ମିଳନୀ ହେଉଛି ଏନଏଏଲଏସଏ ଦ୍ୱାରା ଆୟୋଜିତ ଏକ ଦୁଇ ଦିନିଆ ସମ୍ମିଳନୀ, ଯେଉଁଥିରେ ଆଇନଗତ ସେବା ଢାଞ୍ଚାର ପ୍ରମୁଖ ଦିଗଗୁଡ଼ିକ ଯେପରିକି ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶ ପ୍ରଣାଳୀ, ପ୍ୟାନେଲ ଓକିଲ, ପାରା-ଆଇନଗତ ସ୍ୱେଚ୍ଛାସେବକ, ସ୍ଥାୟୀ ଲୋକ ଅଦାଲତ ଏବଂ ଆଇନଗତ ସେବା ପ୍ରତିଷ୍ଠାନର ଆର୍ଥିକ ପରିଚାଳନା ଉପରେ ବିଚାର ବିମର୍ଶ କରାଯାଇଥାଏ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets His Highness Prince Rahim Aga Khan V, discusses Strengthening Partnership with Aga Khan Development Network
September 10, 2026

The Prime Minister, Shri Narendra Modi, met His Highness Prince Rahim Aga Khan V, the 50th Imam of the Ismaili Community in New Delhi. During the meeting, Shri Modi fondly recalled the late Aga Khan IV, father of His Highness Prince Rahim Aga Khan V, and his enduring contributions to development efforts.

The Prime Minister discussed ways to further strengthen the partnership with the Aga Khan Development Network in key areas, including healthcare, agriculture, rural development, youth empowerment and women empowerment.

In a post on X, Shri Modi said;

“Happy to meet His Highness Prince Rahim Aga Khan V. Fondly recalled his father, the late Aga Khan IV and his enduring contributions to development efforts.

Discussed ways to further strengthen our partnership with the Aga Khan Development Network in healthcare, agriculture, rural development, youth and women empowerment.

@akdn”