ଭାରତ ପାଇଁ, ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ କେବଳ କଳାକୃତି ନୁହେଁ; ସେଗୁଡ଼ିକ ଆମର ମହାନ ଐତିହ୍ୟ ଏବଂ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ: ପ୍ରଧାନମନ୍ତ୍ରୀ
ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ଜ୍ଞାନ ଏବଂ ପଥ ସମଗ୍ର ମାନବଜାତି ପାଇଁ ଉଦ୍ଦିଷ୍ଟ: ପ୍ରଧାନମନ୍ତ୍ରୀ
ଭଗବାନ ବୁଦ୍ଧ ସମସ୍ତଙ୍କର ଏବଂ ଆମ ସମସ୍ତଙ୍କୁ ଏକତ୍ରିତ କରନ୍ତି: ପ୍ରଧାନମନ୍ତ୍ରୀ
ଭାରତ କେବଳ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ରକ୍ଷକ ନୁହେଁ ବରଂ ସେହି ଅନନ୍ତ ପରମ୍ପରାର ଜୀବନ୍ତ ବାହକ: ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱବ୍ୟାପୀ ବୌଦ୍ଧ ଐତିହ୍ୟ ସ୍ଥଳଗୁଡ଼ିକର ବିକାଶରେ ଅବଦାନ ଦେବା ପାଇଁ ନିରନ୍ତର ପ୍ରୟାସ କରିଛି: ପ୍ରଧାନମନ୍ତ୍ରୀ
ଭଗବାନ ବୁଦ୍ଧଙ୍କ ଶିକ୍ଷା ମୂଳତଃ ପାଲି ଭାଷାରେ ଥିଲା। ଆମର ପ୍ରୟାସ ହେଉଛି ପାଲିକୁ ବ୍ୟାପକ ଜନତାଙ୍କ ନିକଟରେ ପହଞ୍ଚାଇବା, ଏବଂ ଏଥିପାଇଁ, ପାଲିକୁ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, "ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍"କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।
 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ପ୍ରଦର୍ଶନୀ ଯେଉଁ ସ୍ଥାନରେ ଆୟୋଜନ କରାଯାଇଛି ତାହା ଏକ ସ୍ବତନ୍ତ୍ର ସ୍ଥାନ। ସେ ଉଲ୍ଲେଖ କରିଥିଲେ ଯେ କିଲା ରାଇ ପିଥୋରା ସ୍ଥଳ ଭାରତର ଗୌରବମୟ ଇତିହାସର ଏକ ଭୂମି, ଯେଉଁଠାରେ ପ୍ରାୟ ଏକ ହଜାର ବର୍ଷ ପୂର୍ବେ ପୂର୍ବ ଶାସକମାନେ ଏକ ଦୃଢ଼ ଏବଂ ସୁରକ୍ଷିତ ପ୍ରାଚୀରବେଷ୍ଟିତ ନଗର ପ୍ରତିଷ୍ଠା କରିଥିଲେ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜି ସେହି ଐତିହାସିକ ନଗର ପରିସରରେ ଇତିହାସର ଏକ ଆଧ୍ୟାତ୍ମିକ ଏବଂ ପବିତ୍ର ଅଧ୍ୟାୟ ଯୋଡା ହେଉଛି। ଶ୍ରୀ ମୋଦୀ କହିଛନ୍ତି ଯେ ଏଠାକୁ ଆସିବା ପୂର୍ବରୁ ସେ ଏହି ଐତିହାସିକ ପ୍ରଦର୍ଶନୀକୁ ଭଲଭାବରେ ବୁଲି ଦେଖିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆମ ମଧ୍ୟରେ ରହିବା ସମସ୍ତଙ୍କୁ ଆଶୀର୍ବାଦ କରିଥାଏ। ସେ ଉଲ୍ଲେଖ କରିଥିଲେ ଯେ ସେଗୁଡ଼ିକ ଭାରତରୁ ବାହାରକୁ ଯିବା ଓ ପ୍ରତ୍ୟାବର୍ତ୍ତନ ଆମକୁ କେତେକ ଶିକ୍ଷା ପ୍ରଦାନ କରେ । ତାହା ହେଉଛି, ଦାସତ୍ୱ କେବଳ ରାଜନୈତିକ ଏବଂ ଅର୍ଥନୈତିକ ନୁହେଁ, ବରଂ ଆମର ଐତିହ୍ୟକୁ ମଧ୍ୟ ନଷ୍ଟ କରେ ।  
ଏହି ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସହିତ ସମାନ ଘଟଣା ଘଟିଥିଲା, ଯାହାକୁ ଦାସତ୍ୱ ସମୟରେ ନିଆଯାଇଥିଲା ଏବଂ ପ୍ରାୟ ଏକ ଶହ ପଚିଶ ବର୍ଷ ଧରି ତାହା ଦେଶ ବାହାରେ ରହିଥିଲା। ସେ ଯେଉଁମାନେ ସେଗୁଡ଼ିକୁ ବାହାରକୁ ନେଇଯାଇଥିଲେ ଓ ସେମାନଙ୍କ ବଂଶଧରମାନଙ୍କ ପାଇଁ ଏହି ଅବଶେଷ କେବଳ ନିର୍ଜୀବ ଆଣ୍ଟିକ୍ ସାମଗ୍ରୀ ଥିଲା। ଏହି କାରଣରୁ ସେମାନେ ଏହି ପବିତ୍ର କୀର୍ତ୍ତିରାଜିକୁ ଅନ୍ତର୍ଜାତୀୟ ବଜାରରେ ନିଲାମ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତ ପାଇଁ, ଏହି କୀର୍ତ୍ତିଗୁଡ଼ିକ ଆମର ପୂଜ୍ୟ ଦେବତାଙ୍କ ଏକ ଅଂଶ, ଆମ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଘୋଷଣା କରିଥିଲେ ଯେ ଭାରତ ନିଷ୍ପତ୍ତି ନେଇଛି ଯେ ସେହି ପବିତ୍ର ଅବଶେଷର ସାର୍ବଜନୀନ ନିଲାମକୁ ଅନୁମତି ଦିଆଯିବ ନାହିଁ। ଶ୍ରୀ ମୋଦୀ ଗୋଦରେଜ୍ ଗ୍ରୁପ୍ ପ୍ରତି କୃତଜ୍ଞତା ପ୍ରକାଶ କରି ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ସହଯୋଗରେ, ଭଗବାନ ବୁଦ୍ଧଙ୍କ ସହିତ ଜଡିତ ଏହି ପବିତ୍ର କୀର୍ତ୍ତିଗୁଡ଼ିକ ତାଙ୍କର କର୍ମଭୂମି, ତାଙ୍କର ଚିନ୍ତନଭୂମି, ତାଙ୍କର ମହାବୋଧି ଭୂମି ଏବଂ ତାଙ୍କର ମହାପରିନିର୍ବାଣ ଭୂମିକୁ ଫେରି ଆସିଛି।
ପ୍ରଧାନମନ୍ତ୍ରୀ କହିଥିଲେ "ଭଗବାନ ବୁଦ୍ଧଙ୍କ ଜ୍ଞାନ ଏବଂ ତାଙ୍କ ପ୍ରଦର୍ଶିତ ପଥ ସମଗ୍ର ମାନବ ଜାତିର ଓ ଏହି ଭାବନା ଗତ କିଛି ମାସ ମଧ୍ୟରେ ବାରମ୍ବାର ଅନୁଭୂତ ହୋଇଛି।" ସେ ଉଲ୍ଲେଖ କରିଥିଲେ ଯେ ବିଗତ ମାସଗୁଡ଼ିକରେ, ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଯେଉଁଠାରେ ଯାତ୍ରା କରିଛନ୍ତି, ସେଠାରେ ବିଶ୍ୱାସ ଏବଂ ଭକ୍ତିର ଲହରୀ ସୃଷ୍ଟି ହୋଇଛି। ଶ୍ରୀ ମୋଦୀ କହିଥିଲେ ଯେ ଥାଇଲ୍ୟାଣ୍ଡରେ, ଯେଉଁଠାରେ ଏପରି ପବିତ୍ର ଅବଶେଷ ବିଭିନ୍ନ ସ୍ଥାନରେ ରଖାଯାଏ, ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ଚାରି ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭିଏତନାମରେ ଜନ ଭାବନା ଏତେ ପ୍ରବଳ ଥିଲା ଯେ ପ୍ରଦର୍ଶନୀର ଅବଧି ବୃଦ୍ଧି କରିବାକୁ ପଡିଲା ଏବଂ ନଅଟି ସହରର ପ୍ରାୟ ୧.୭୫ କୋଟି ଲୋକ ପ୍ରବିତ୍ର ଅବଶେଷକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସୂଚାଇଥିଲେ ଯେ ହଜାର ହଜାର ଲୋକ ମଙ୍ଗୋଲିଆର ଗଣ୍ଡନ ମଠ ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ଏବଂ ଅନେକ ଲୋକ ଭାରତୀୟ ପ୍ରତିନିଧିମାନଙ୍କୁ ସ୍ପର୍ଶ କରିବାକୁ ଚାହୁଁଥିଲେ କେବଳ ଏଇଥିପାଇଁ ଯେ ସେମାନେ ବୁଦ୍ଧଙ୍କ ଭୂମିରୁ ଆସିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ରୁଷର କାଲମିକିଆ ଅଞ୍ଚଳରେ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ଲୋକ, ଯାହା ସ୍ଥାନୀୟ ଜନସଂଖ୍ୟାର ଅଧାରୁ ଅଧିକ, ଆସି ପବିତ୍ର ଅବଶେଷକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଭିନ୍ନ ଦେଶର ଏହି କାର୍ଯ୍ୟକ୍ରମଗୁଡ଼ିକ ସାଧାରଣ ନାଗରିକ ହୁଅନ୍ତୁ କି ସରକାରୀ ମୁଖ୍ୟ, ସମସ୍ତେ ସମାନଭାବେ ଏକଜୁଟ ହୋଇଥିବା କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ବୁଦ୍ଧ ସମସ୍ତଙ୍କର ଏବଂ ସେ ସମସ୍ତଙ୍କୁ ସଂଯୋଗ କରନ୍ତି।
 

ନିଜକୁ ବହୁତ ଭାଗ୍ୟବାନ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ବୁଦ୍ଧ ତାଙ୍କ ଜୀବନରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ତାଙ୍କ ଜନ୍ମସ୍ଥାନ ବଡନଗର ବୌଦ୍ଧ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଥିଲା, ଏବଂ ସାରନାଥ ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ ତାହା ତାଙ୍କର କର୍ମଭୂମି ଥିଲା। ସେ କହିଛନ୍ତି ଯେ ସରକାରୀ ଦାୟିତ୍ୱରୁ ଦୂରରେ ରହିବା ସମୟରେ ସେ ବୌଦ୍ଧ ସ୍ଥାନଗୁଡ଼ିକୁ ଯାତ୍ରା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କୁ ବିଶ୍ୱର ବିଭିନ୍ନ ବୌଦ୍ଧ ତୀର୍ଥସ୍ଥଳ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ସେ ନେପାଳର ଲୁମ୍ବିନୀରେ ପବିତ୍ର ମାୟା ଦେବୀ ମନ୍ଦିରରେ ପୂଜା କରିବା କଥା ମନେ ପକାଇ ଏହାକୁ ଏକ ଅସାଧାରଣ ଅନୁଭୂତି ବୋଲି ବର୍ଣ୍ଣନା କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଜାପାନର ତୋ-ଜି ମନ୍ଦିର ଏବଂ କିଙ୍କାକୁ-ଜିରେ, ସେ ଅନୁଭବ କରିଥିଲେ ଯେ ବୁଦ୍ଧଙ୍କ ବାର୍ତ୍ତା ସମୟର ସୀମା ଅତିକ୍ରମ କରେ। ସେ ସେଠାକୁ ଯାଇ ବିଶାଳ ଜଙ୍ଗଲୀ ଗୁଜ୍ ପାଗୋଡା ପରିଦର୍ଶନ କରିବା ବିଷୟରେ କହିଥିଲେ, ଯେଉଁଠାରୁ ବୌଦ୍ଧ ଧର୍ମଗ୍ରନ୍ଥଗୁଡ଼ିକ ଏସିଆରେ ବ୍ୟାପି ଯାଇଥିଲା ଏବଂ ଯେଉଁଠାରେ ଆଜି ମଧ୍ୟ ଭାରତର ଭୂମିକା ମନେ ପକାଯାଏ। ସେ ମଙ୍ଗୋଲିଆର ଗଣ୍ଡନ ମଠକୁ ତାଙ୍କର ଗସ୍ତକୁ ମନେ ପକାଇଲେ, ଯେଉଁଠାରେ ସେ ବୁଦ୍ଧଙ୍କ ଐତିହ୍ୟ ସହିତ ଲୋକଙ୍କ ଗଭୀର ଭାବପ୍ରବଣ ସମ୍ପର୍କର ସାକ୍ଷୀ ହୋଇଥିଲେ। ସେ କହିଥିଲେ ଯେ ଶ୍ରୀଲଙ୍କାର ଅନୁରାଧାପୁରରେ ଜୟ ଶ୍ରୀ ମହାବୋଧି ଦେଖିବା ସମ୍ରାଟ ଅଶୋକ, ଭିକ୍ଷୁ ମହିନ୍ଦା ଏବଂ ସଂଘମିତ୍ରାଙ୍କ ଦ୍ୱାରା ରୋପଣ କରାଯାଇଥିବା ପରମ୍ପରା ସହିତ ସଂଯୋଗ ସ୍ଥାପନ କରିବାର ଏକ ଅଭିଜ୍ଞତା ଥିଲା। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଥାଇଲ୍ୟାଣ୍ଡର ୱାଟ୍ ଫୋ ଏବଂ ସିଙ୍ଗାପୁରର ବୁଦ୍ଧ ଦାନ୍ତ ଅବଶେଷ ମନ୍ଦିରକୁ ତାଙ୍କର ଗସ୍ତ ଭଗବାନ ବୁଦ୍ଧଙ୍କ ଶିକ୍ଷାର ପ୍ରଭାବ ବିଷୟରେ ତାଙ୍କର ବୁଝାମଣାକୁ ଆହୁରି ଗଭୀର କରିଛି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେ ଯେଉଁଠାକୁ ଯାତ୍ରା କରନ୍ତି, ସେ ଭଗବାନ ବୁଦ୍ଧଙ୍କ ଐତିହ୍ୟର ଏକ ପ୍ରତୀକ ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି। ସେ ଚୀନ୍, ଜାପାନ, କୋରିଆ ଏବଂ ମଙ୍ଗୋଲିଆକୁ ବୋଧି ବୃକ୍ଷ ଚାରା ନେଇ ଯାଇଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପରମାଣୁ ବୋମା ଦ୍ବାରା ଧ୍ବଂସପ୍ରାପ୍ତ ସହର ହିରୋସୀମାର ଏକ ଉଦ୍ୟାନରେ ଏକ ବୋଧିବୃକ୍ଷ ଛିଡ଼ା ହେଲେ ତାହା ମାନବ ଜାତି ପାଇଁ ଯେଉଁ ବାର୍ତ୍ତା ଦେବ ତାହା ସଂପର୍କରେ କଳ୍ପନା କରାଯାଇପାରେ । 
 

ଭଗବାନ ବୁଦ୍ଧଙ୍କ ଏହି ଐତିହ୍ୟ ପ୍ରମାଣ କରେ ଯେ ଭାରତ କେବଳ ରାଜନୀତି, କୂଟନୀତି ଏବଂ ଅର୍ଥନୀତି ମାଧ୍ୟମରେ ନୁହେଁ ବରଂ ଗଭୀର ଭାବାବେଗର ବନ୍ଧନ ମାଧ୍ୟମରେ ମଧ୍ୟ ଜଡିତ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି ଯେ ଭାରତ ମନ ଏବଂ ଭାବନା, ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ ଜଡିତ। ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ କେବଳ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ରକ୍ଷକ ନୁହେଁ ବରଂ ତାଙ୍କ ପରମ୍ପରାର ଜୀବନ୍ତ ବାହକ ମଧ୍ୟ।" ସେ ଉଲ୍ଲେଖ କରିଥିଲେ ଯେ ପିପ୍ରାହାୱା, ବୈଶାଳୀ, ଦେବନୀ ମୋରି ଏବଂ ନାଗାର୍ଜୁନକୋଣ୍ଡାରେ ମିଳିଥିବା ଭଗବାନ ବୁଦ୍ଧଙ୍କ ଅବଶେଷ ବୁଦ୍ଧଙ୍କ ବାର୍ତ୍ତାର ଜୀବନ୍ତ ଉପସ୍ଥିତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରତ୍ୟେକ ରୂପରେ ଏହି ଅବଶେଷଗୁଡ଼ିକୁ ସଂରକ୍ଷଣ କରିଛି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ବିଶ୍ୱବ୍ୟାପୀ ବୌଦ୍ଧ ଐତିହ୍ୟ ସ୍ଥଳଗୁଡ଼ିକର ବିକାଶରେ ଅବଦାନ ପାଇଁ ନିରନ୍ତର ପ୍ରୟାସ କରିଛି। ସେ ଆଲୋକପାତ କରିଥିଲେ ଯେ ନେପାଳରେ ହୋଇଥିବା ବିନାଶକାରୀ ଭୂମିକମ୍ପ ଯେତେବେଳେ ଏକ ପ୍ରାଚୀନ ସ୍ତୂପକୁ କ୍ଷତିଗ୍ରସ୍ତ କରିଥିଲା, ସେତେବେଳେ ଭାରତ ଏହାର ପୁନଃନିର୍ମାଣକୁ ସମର୍ଥନ କରିଥିଲା। ସେ ଉଲ୍ଲେଖ କରିଥିଲେ ଯେ ମିଆଁମାରର ବାଗାନରେ ଭୂମିକମ୍ପ ପରେ ଭାରତ ଏଗାରରୁ ଅଧିକ ପାଗୋଡାର ସଂରକ୍ଷଣ କରିଥିଲା। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏପରି ଅନେକ ଉଦାହରଣ ଅଛି। ସେ କହିଛନ୍ତି ଯେ ଭାରତ ଭିତରେ ବୌଦ୍ଧ ପରମ୍ପରା ସହିତ ଜଡିତ ସ୍ଥଳ ଏବଂ କୀର୍ତ୍ତିରାଜିଗୁଡ଼ିକର ସନ୍ଧାନ ଏବଂ ସଂରକ୍ଷଣ ମଧ୍ୟ ସ୍ଥିର ଭାବରେ ଆଗକୁ ବଢ଼ୁଛି। ସେ ମନେ ପକାଇଲେ ଯେ ଗୁଜରାଟରେ ତାଙ୍କ ଜନ୍ମସ୍ଥାନ ବଡ଼ନଗର ବୌଦ୍ଧ ପରମ୍ପରାର ଏକ ପ୍ରମୁଖ କେନ୍ଦ୍ର ଥିଲା ଏବଂ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବୌଦ୍ଧ ଧର୍ମ ସହିତ ଜଡିତ ହଜାର ହଜାର କୀର୍ତ୍ତିରାଜି ସେଠାରେ ମିଳିଥିଲା। ସେ ଉଲ୍ଲେଖ କରିଥିଲେ ଯେ ଆଜି ସରକାର ଏହାର ସଂରକ୍ଷଣ ଏବଂ ବର୍ତ୍ତମାନର ପିଢ଼ିକୁ ସେମାନଙ୍କ ସହିତ ଯୋଡ଼ିବା ଉପରେ ଧ୍ୟାନ ଦେଉଛି। ସେ ଉଲ୍ଲେଖ କରିଥିଲେ ଯେ ସେଠାରେ ଏକ ବିଶାଳ ଓ ସମୃଦ୍ଧ ସଂଗ୍ରହାଳୟ ନିର୍ମାଣ କରାଯାଇଛି, ଯାହା ପ୍ରାୟ ୨,୫୦୦ ବର୍ଷର ଇତିହାସର ଅଭିଜ୍ଞତା ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କେବଳ କିଛି ମାସ ପୂର୍ବରୁ ଜାମ୍ମୁ ଏବଂ କାଶ୍ମୀରର ବାରାମୁଲ୍ଲାରେ ବୌଦ୍ଧ ଯୁଗର ଏକ ପ୍ରମୁଖ ବୌଦ୍ଧ ସ୍ଥଳ ଆବିଷ୍କୃତ ହୋଇଥିଲା ଏବଂ ଏହାର ସଂରକ୍ଷଣ କାର୍ଯ୍ୟ ଏବେ ତ୍ୱରାନ୍ୱିତ ହେଉଛି।
 

ଗତ ଦଶରୁ ଏଗାର ବର୍ଷ ମଧ୍ୟରେ ଭାରତ ବୌଦ୍ଧ ସ୍ଥଳଗୁଡ଼ିକୁ ଆଧୁନିକତା ସହିତ ଯୋଡ଼ିବାକୁ ଚେଷ୍ଟା କରିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସୂଚାଇଥିଲେ ଯେ ବୋଧଗୟାରେ ଏକ ସମ୍ମିଳନୀ କେନ୍ଦ୍ର ଏବଂ ଏକ ଧ୍ୟାନ ତଥା ଅଭିଜ୍ଞତା କେନ୍ଦ୍ର ସ୍ଥାପନ କରାଯାଇଛି। ସାରନାଥର ଧାମେକ ସ୍ତୂପରେ ଏକ ଆଲୋକ ଓ ଶବ୍ଦ ପ୍ରଦର୍ଶନ ଏବଂ ଏକ ବୁଦ୍ଧ ଥିମ୍ ପାର୍କ ସ୍ଥାପନ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ଶ୍ରାବସ୍ତି, କପିଳବାସ୍ତୁ ଏବଂ କୁଶୀନଗରରେ ଆଧୁନିକ ସୁବିଧା ବିକଶିତ ହୋଇଛି। ସେ ଆହୁରି କହିଛନ୍ତି ଯେ ତେଲେଙ୍ଗାନାର ନାଲଗୋଣ୍ଡାରେ ଏକ ଡିଜିଟାଲ ଅଭିଜ୍ଞତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେ ଏହା ଉପରେ ଆଲୋକପାତ କରିଥିଲେ ଯେ ସାଞ୍ଚି, ନାଗାର୍ଜୁନ ସାଗର ଏବଂ ଅମରାବତୀରେ ଭକ୍ତମାନଙ୍କ ପାଇଁ ନୂତନ ସୁବିଧା ବିକଶିତ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତରେ ସମସ୍ତ ବୌଦ୍ଧ ତୀର୍ଥସ୍ଥଳ ମଧ୍ୟରେ ଉତ୍ତମ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଦେଶରେ ଏକ ବୌଦ୍ଧ ସର୍କିଟ୍ ସୃଷ୍ଟି କରାଯାଉଛି, ଯାହା ସାରା ବିଶ୍ୱର ଭକ୍ତ ଏବଂ ତୀର୍ଥଯାତ୍ରୀମାନଙ୍କୁ ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ଅଦ୍ଭୁତ ଅଭିଜ୍ଞତା ପ୍ରଦାନ କରିବ।
“ବୌଦ୍ଧ ଐତିହ୍ୟ ଯେପରି ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ଏକ ସ୍ବାଭାବିକ ଉପାୟରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ ଭାରତ ଉଦ୍ୟମ କରୁଛି” ଶ୍ରୀ ମୋଦୀ କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ବିଶ୍ୱ ବୌଦ୍ଧ ସମ୍ମିଳନୀ ଏବଂ ବୈଶାଖ ଓ ଆଷାଢ଼ ପୂର୍ଣ୍ଣିମା ପର୍ବ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏହି ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ। ସେ ଉଲ୍ଲେଖ କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଅଭିଧମ୍ମ, ତାଙ୍କ ବାଣୀ ଏବଂ ତାଙ୍କ ଶିକ୍ଷା ମୂଳତଃ ପାଲି ଭାଷାରେ ଲେଖାଯାଇଥିଲା ଏବଂ ସାଧାରଣ ଲୋକଙ୍କ ପାଇଁ ପାଲିକୁ ସୁବୋଧ କରିବା ପାଇଁ ଭାରତ ପ୍ରୟାସ କରୁଛି। ସେ ଏହା ମଧ୍ୟ ବ୍ୟାଖ୍ୟା କରିଥିଲେ ଯେ ଏହି କାରଣରୁ ପାଲିକୁ ଏକ ପ୍ରାଚୀନ ଭାଷାର ମାନ୍ୟତା ଦିଆଯାଇଛି, ଯାହା ଧମ୍ମର ମୂଳ ସାରକୁ ବୁଝିବା ଏବଂ ବ୍ୟାଖ୍ୟା କରିବାରେ ସହଜ କରିବ ଏବଂ ବୌଦ୍ଧ ପରମ୍ପରା ସହିତ ଜଡିତ ଗବେଷଣାକୁ ମଜବୁତ କରିବ।
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ଜୀବନ ଦର୍ଶନ ସୀମା ଏବଂ ଭୌଗୋଳିକ ସୀମା ଅତିକ୍ରମ କରି ବିଶ୍ୱକୁ ଏକ ନୂତନ ପଥ ଦେଖାଇଛି। ଆତ୍ମସମ୍ମାନ ଏବଂ ଆତ୍ମନିର୍ଭରଶୀଳତା ଉପରେ ପର୍ଯ୍ୟବେଶିତ ଭଗବାନ ବୁଦ୍ଧଙ୍କ କାଳଜୟୀ ବାର୍ତ୍ତା, "ଅତ୍ତ ଦୀପୋ ଭବ" (ନିଜର ପ୍ରଦୀପ ହୁଅ)କୁ ଉଦ୍ଧାର କରି  ଶ୍ରୀ ମୋଦୀ ସଂଘର୍ଷ ବଦଳରେ ଏକତା, ଚିନ୍ତାଧାରା ଓ କରୁଣା ମାଧ୍ୟମରେ ବିଶ୍ବ କଲ୍ୟାଣ ଉପରେ ପର୍ଯ୍ୟବେଶିତ ଭାରତର ଦର୍ଶନକୁ ଉଲ୍ଲେଖ କରିଥିଲେ ।  ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ, ଭାରତ ମାନବତାର ଶତ୍ରୁମାନଙ୍କ ବିରୁଦ୍ଧରେ ଶକ୍ତି ପ୍ରଦର୍ଶନ କରିବା ସହିତ ବିବାଦ ଥିବା ସ୍ଥାନରେ ଆଲୋଚନା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରି ଯୋଗଦାନ ଦେଉଛି।  ସେ ଆଶା କରିଥିଲେ ଯେ ପ୍ରଦର୍ଶନୀକୁ ଆସୁଥିବା ପରିଦର୍ଶକମାନେ 'ସର୍ବଜନ ହିତାୟ, ସର୍ବଜନ ସୁଖାୟ' ପ୍ରତି ପ୍ରତିବଦ୍ଧ ଏହି ପ୍ରେରଣା ସହିତ ଯୋଡ଼ି ହେବେ।
ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ସହ ଜଡିତ ଏହି ପବିତ୍ର କୀର୍ତ୍ତିଗୁଡ଼ିକ ଭାରତର ଐତିହ୍ୟ, ଏବଂ ଏକ ଶତାବ୍ଦୀର ଅପେକ୍ଷା ପରେ, ଏଗୁଡ଼ିକ ଦେଶକୁ ଫେରି ଆସିଛି। ସେ ଦେଶବାସୀଙ୍କୁ ଏହି ପବିତ୍ର କୀର୍ତ୍ତିଗୁଡ଼ିକୁ ପରିଦର୍ଶନ, ଭଗବାନ ବୁଦ୍ଧଙ୍କ ଶିକ୍ଷା ସହିତ ଯୋଡ଼ି ହେବାକୁ ଏବଂ ଅତି କମରେ ଥରେ ସେଗୁଡ଼ିକୁ ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ। ସେ ସ୍କୁଲ ଛାତ୍ରଛାତ୍ରୀ, କଲେଜ ଛାତ୍ର, ଯୁବ ବନ୍ଧୁ ଏବଂ ପୁଅ ଏବଂ ଝିଅମାନଙ୍କୁ ଏହି ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରଦର୍ଶନୀ ଆମର ଅତୀତର ଗୌରବକୁ ଆମ ଭବିଷ୍ୟତର ସ୍ୱପ୍ନ ସହିତ ସଂଯୋଗ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ସେ ସମସ୍ତ ଦେଶବାସୀଙ୍କୁ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରି ତାଙ୍କ ଭାଷଣ ଶେଷ କରିଥିଲେ ଏବଂ ସମସ୍ତଙ୍କୁ ମହାନ ସଫଳତା କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଶ୍ରୀ କିରେନ ରିଜିଜୁ, ଶ୍ରୀ ରାମଦାସ ଅଠାୱଲେ, ଶ୍ରୀ ରାଓ ଇନ୍ଦରଜିତ ସିଂହ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ ସକ୍ସେନା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 
ପୃଷ୍ଠଭୂମି
ଏହି ପ୍ରଦର୍ଶନୀରେ, ପ୍ରଥମ ଥର ପାଇଁ, ଏକ ଶତାବ୍ଦୀରୁ ଅଧିକ ସମୟ ପରେ ଦେଶକୁ ଫେରାଇ ଅଣାଯାଇଥିବା ପିପ୍ରାହୱା କୀର୍ତ୍ତିରାଜି ଏବଂ ଜାତୀୟ ସଂଗ୍ରହାଳୟ, ନୂଆଦିଲ୍ଲୀ ଏବଂ ଭାରତୀୟ ସଂଗ୍ରହାଳୟ, କୋଲକାତାରେ ସଂରକ୍ଷିତ ପିପ୍ରାହୱା ସହିତ ଜଡିତ ପ୍ରାମାଣିକ କୀର୍ତ୍ତିରାଜି ଏବଂ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀ ସହିତ ପ୍ରଦର୍ଶିତ ହୋଇଛି।
 

୧୮୯୮ ମସିହାରେ ଆବିଷ୍କୃତ ପିପ୍ରାହାୱା କୀର୍ତ୍ତିରାଜି ପ୍ରାରମ୍ଭିକ ବୌଦ୍ଧ ଧର୍ମର ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନର କେନ୍ଦ୍ରବିନ୍ଦୁ ରହିଆସିଛି। ଏଗୁଡ଼ିକ ଭଗବାନ ବୁଦ୍ଧଙ୍କ ସହିତ ସିଧାସଳଖ ଜଡିତ ପ୍ରାରମ୍ଭିକ ଏବଂ ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିରାଜି ମଧ୍ୟରୁ ଗୋଟିଏ। ପ୍ରତ୍ନତାତ୍ତ୍ୱିକ ପ୍ରମାଣ ପିପ୍ରାହାୱା ସ୍ଥଳକୁ ପ୍ରାଚୀନ କପିଳାବସ୍ତୁ ସହିତ ସଂଯୋଗ କରେ, ଯାହାକୁ ଭଗବାନ ବୁଦ୍ଧ ତାଙ୍କ ତ୍ୟାଗ ପୂର୍ବରୁ ତାଙ୍କର ପ୍ରାରମ୍ଭିକ ଜୀବନ ବିତାଇଥିବା ସ୍ଥାନ ଭାବରେ ବ୍ୟାପକ ଭାବରେ ସ୍ୱୀକୃତି ଦିଆଯାଇଛି।
ପ୍ରଦର୍ଶନୀ ଭଗବାନ ବୁଦ୍ଧଙ୍କ ଶିକ୍ଷା ସହିତ ଭାରତର ଗଭୀର ଏବଂ ସ୍ଥାୟୀ ସଭ୍ୟତା ସମ୍ପର୍କକୁ ରେଖାଙ୍କିତ କରେ। ଏହା ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ନିରନ୍ତର ସରକାରୀ ପ୍ରୟାସ, ସଂସ୍ଥାଗତ ସହଯୋଗ ଏବଂ ସରକାରୀ-ବେସରକାରୀ ସହଭାଗୀତା ମାଧ୍ୟମରେ ଏହି କୀର୍ତ୍ତିରାଜିଗୁଡ଼ିକର ସାମ୍ପ୍ରତିକ ପ୍ରତ୍ୟାବର୍ତ୍ତନ ହାସଲ କରାଯାଇଛି।
ପ୍ରଦର୍ଶନୀଟି କେତେକ ବିଷୟବସ୍ତୁ ଅନୁଯାୟୀ ଆୟୋଜିତ ହୋଇଛି। ଏହାର କେନ୍ଦ୍ରରେ ସାଞ୍ଚି ସ୍ତୂପ ଦ୍ୱାରା ଅନୁପ୍ରାଣିତ ଏକ ବ୍ୟାଖ୍ୟାମୂଳକ ମଡେଲ୍ ଅଛି, ଯେଉଁଠାରେ ସ୍ଥାନିତ ହୋଇଛି ଜାତୀୟ ସ୍ତରରେ ସଂରକ୍ଷିତ ଓ ବିଦେଶରୁ ଫେରାଇ ଅଣାଯାଇଥିବା ଅବଶେଷ । ଅନ୍ୟାନ୍ୟ ବିଭାଗଗୁଡ଼ିକ ମଧ୍ୟରେ ପିପ୍ରାହାୱା ପୁନରାବଲୋକନ, ବୁଦ୍ଧଙ୍କ ଜୀବନର ସଂକ୍ଷିପ୍ତ ଚିତ୍ରଣ, ଇନଟାଞ୍ଜିବଲ ଟୁ ଟାଞ୍ଜିବଲ : ବୁଦ୍ଧଙ୍କ ବାଣୀର ନୈସର୍ଗୀକ ଭାଷା, ସୀମା ସେପାରିରେ ବୈଦ୍ଧ କଳା ଓ ଚିନ୍ତାଧାରା, ସାଂସ୍କୃତିକ କୀର୍ତ୍ତିରାଜୀର ପ୍ରତ୍ୟାବର୍ତ୍ତନ : ନିରନ୍ତର ଅଭିଯାନ ।
 

ଲୋକମାନେ ଯେପରି ସହଜରେ ବୁଝିପାରିବେ ସେଥିପାଇଁ ପ୍ରଦର୍ଶନୀରେ ବ୍ୟାପକ ଅଡିଓ-ଭିଜୁଆଲ୍ ଉପାଦନ ରଖାଯାଇଛି,  ଯେଉଁଥିରେ ଇମର୍ସିଭ୍ ଫିଲ୍ମ, ଡିଜିଟାଲ୍ ପୁନଃନିର୍ମାଣ, ବ୍ୟାଖ୍ୟାମୂଳକ ପ୍ରକ୍ଷେପଣ ଏବଂ ମଲ୍ଟିମିଡିଆ ଉପସ୍ଥାପନା ଅନ୍ତର୍ଭୁକ୍ତ। ଏହି ଉପାଦାନଗୁଡ଼ିକ ଭଗବାନ ବୁଦ୍ଧଙ୍କ ଜୀବନ, ପିପ୍ରାହାୱା ଅବଶେଷର ଆବିଷ୍କାର, ବିଭିନ୍ନ ଅଞ୍ଚଳରେ ତାଙ୍କର ଗତିବିଧି ଏବଂ ତାଙ୍କ ସହିତ ଜଡିତ କଳାତ୍ମକ ପରମ୍ପରା ବିଷୟରେ ସୁଗମ ଅନ୍ତର୍ଦୃଷ୍ଟି ପ୍ରଦାନ କରେ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam greeting all the devotees of Lord Shiva on the commencement of the sacred Shri Amarnath Yatra
July 03, 2026

The Prime Minister, Shri Narendra Modi, shared a Sanskrit Subhashitam, greeting all the devotees of Lord Shiva on the commencement of the sacred Shri Amarnath Yatra from today:

“वाग्बुद्धिचित्तकरणैश्च तपोभिरुग्रैः
शक्यं समाकलयितुं न यदीयरूपम्।

तं भक्तिभावसुलभं शरणं नतानां
नित्यं भजाम्यऽमरनाथमहं दयालुम्॥"

The Subhashitam says, "I daily worship the merciful Lord Amarnath, whose nature cannot be comprehended through speech, intellect, mind, the senses, or even through severe finances, who is easily attainable through devotion, and who is the refuge of those who bow before him."

The Prime Minister wrote on X;

समस्त शिवभक्तों को पावन-पुनीत श्री अमरनाथ यात्रा के शुभारंभ की अनंत शुभकामनाएं! बाबा बर्फानी के दिव्य दर्शन की यह यात्रा आप सभी के जीवन में सुख-समृद्धि, सौभाग्य और उत्तम स्वास्थ्य लेकर आए।

जय बाबा बर्फानी!

वाग्बुद्धिचित्तकरणैश्च तपोभिरुग्रैः
शक्यं समाकलयितुं न यदीयरूपम्।

तं भक्तिभावसुलभं शरणं नतानां
नित्यं भजाम्यऽमरनाथमहं दयालुम्॥