ଜାମ୍ମୁ-କାଶ୍ମୀର, ତେଲଙ୍ଗାନା ଏବଂ ଓଡ଼ିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶରେ ସହାୟକ ଦେବ: ପ୍ରଧାନମନ୍ତ୍ରୀ
ଆଜି ଦେଶ ବିକଶିତ ଭାରତର ସଂକଳ୍ପକୁ ହାସଲ କରିବା ଦିଗରେ ଅଗ୍ରସର ଏବଂ ଏଥିପାଇଁ ଭାରତୀୟ ରେଳବାଇର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ଆମେ ଭାରତରେ ରେଳବାଇର ବିକାଶକୁ ଚାରୋଟି ମାନଦଣ୍ଡରେ ଆଗକୁ ବଢ଼ାଉଛୁ। ପ୍ରଥମ-ରେଳ ଭିତ୍ତିଭୂମିର ଆଧୁନିକୀକରଣ, ଦ୍ୱିତୀୟ-ରେଳ ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧା, ତୃତୀୟ-ଦେଶର ପ୍ରତ୍ୟେକ କୋଣରେ ରେଳ ସଂଯୋଗ, ଚତୁର୍ଥ-ନିଯୁକ୍ତି ସୃଷ୍ଟି ଓ ଶିଳ୍ପକୁ ସହାୟତା କରିବା ପାଇଁ ରେଳବାଇର ଉପଯୋଗ : ପ୍ରଧାନମନ୍ତ୍ରୀ
ଆଜି ଭାରତ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣର ନିକଟତର ହୋଇଛି, ଆମେ ରେଳବାଇର ପ୍ରସାରକୁ ମଧ୍ୟ ନିରନ୍ତର ବିସ୍ତାର କରିଛୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ଡିଭିଜନର ଉଦଘାଟନ କରିଥିଲେ। ସେ ପୂର୍ବତଟ ରେଳବାଇର ରାୟଗଡ଼ା ରେଳ ଡିଭିଜନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ତେଲଙ୍ଗାନାରେ ଚାରଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନର ଉଦଘାଟନ କରିଥିଲେ।

ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ତାଙ୍କ ଶିକ୍ଷା ଓ ଜୀବନ ଏକ ଶକ୍ତିଶାଳୀ ଓ ସମୃଦ୍ଧ ରାଷ୍ଟ୍ରର ପରିକଳ୍ପନାକୁ ଅନୁପ୍ରାଣିତ କରିଥାଏ। ସଂଯୋଗୀକରଣ କ୍ଷେତ୍ରରେ ଭାରତର ଦ୍ରୁତଗତିର ଅଗ୍ରଗତିକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ୨୦୨୫ ମସିହା ଆରମ୍ଭରୁ ଭାରତ ଏହାର ମେଟ୍ରୋ ରେଳ ନେଟୱର୍କକୁ ୧୦୦୦ କିଲୋମିଟରରୁ ଅଧିକ ବିସ୍ତାର କରିବା ସହିତ ଏହାର ପଦକ୍ଷେପକୁ ତ୍ୱରାନ୍ୱିତ କରୁଛି। ଗତକାଲି ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ସହିତ ଦିଲ୍ଲୀ-ଏନସିଆରରେ ନମୋ ଭାରତ ଟ୍ରେନର ଉଦଘାଟନ ବିଷୟରେ ସେ ଉଲ୍ଲେଖ କରିଥିଲେ।

 

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଏହି କଥାର ଆଉ ଏକ ପ୍ରମାଣ ଯେ ସମଗ୍ର ଦେଶ ପର୍ଯ୍ୟାୟକ୍ରମେ ଏକାଠି ଆଗକୁ ବଢ଼ୁଛି, କାରଣ ଜାମ୍ମୁ-କାଶ୍ମୀର, ଓଡ଼ିଶା ଏବଂ ତେଲଙ୍ଗାନାରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଦେଶର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳ ପାଇଁ ଆଧୁନିକ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପ୍ରଗତି ଦର୍ଶାଉଛି। ସେ ଦୋହରାଇଥିଲେ ଯେ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ର ବିକଶିତ ଭାରତର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସହାୟକ ହେଉଛି। ଏହି ବିକାଶ ପାଇଁ ସେ ଏହି ରାଜ୍ୟଗୁଡ଼ିକର ଜନସାଧାରଣ ଏବଂ ଭାରତର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବିକଶିତ ଭାରତର ପରିକଳ୍ପନାକୁ ପୂରଣ କରିବା ଲାଗି ଦେଶର ପ୍ରୟାସରେ ରହିଥିବା ସ୍ଥିରତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ଭାରତୀୟ ରେଳବାଇର ବିକାଶ ହେଉଛି କେନ୍ଦ୍ରବିନ୍ଦୁ। ଗତ ଦଶନ୍ଧି ମଧ୍ୟରେ, ଭାରତୀୟ ରେଳବାଇ ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରିଛି, ଯାହା ଦେଶର ଭାବମୂର୍ତ୍ତିକୁ ବଦଳାଇ ଦେଇଛି ଏବଂ ଏହା ନାଗରିକଙ୍କ ମନୋବଳକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତୀୟ ରେଳବାଇର ବିକାଶ ଚାରୋଟି ପ୍ରମୁଖ ମାନଦଣ୍ଡରେ ଆଗେଇ ଚାଲିଛି। ପ୍ରଥମତଃ, ରେଳ ଭିତ୍ତିଭୂମିର ଆଧୁନିକୀକରଣ; ଦ୍ୱିତୀୟତଃ, ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧାର ବ୍ୟବସ୍ଥା; ତୃତୀୟତଃ, ଦେଶର କୋଣ ଅନୁକୋଣକୁ ରେଳ ସଂଯୋଗର ସମ୍ପ୍ରସାରଣ; ଏବଂ ଚତୁର୍ଥତଃ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରେଳବାଇ ଜରିଆରେ ଉଦ୍ୟୋଗଗୁଡ଼ିକୁ ସହାୟତା ପ୍ରଦାନ। ଆଜିର କାର୍ଯ୍ୟକ୍ରମ ଏହି ଦୂରଦୃଷ୍ଟିର ଏକ ପ୍ରମାଣ। ନୂତନ ଡିଭିଜନ ଏବଂ ରେଳ ଟର୍ମିନାଲ ପ୍ରତିଷ୍ଠା ଭାରତୀୟ ରେଳବାଇକୁ ଏକବିଂଶ ଶତାବ୍ଦୀର ଆଧୁନିକ ନେଟୱାର୍କରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ବିକାଶଗୁଡ଼ିକ ଆର୍ଥିକ ସମୃଦ୍ଧିର ଏକ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବ, ରେଳ ପରିଚାଳନାକୁ ବୃଦ୍ଧି କରିବ, ଅଧିକ ନିବେଶ ସୁଯୋଗ ସୃଷ୍ଟି କରିବ ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନ୍ଦେ ଭାରତ ଟ୍ରେନ୍, ଅମୃତ ଭାରତ ଷ୍ଟେସନ ଏବଂ ନମୋ ଭାରତ ରେଳ ଭାରତୀୟ ରେଳବାଇ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଛି। ‘‘ଆକାଂକ୍ଷୀ ଭାରତ ଆଜି କମ୍ ସମୟରେ ଅଧିକ ହାସଲ କରିବାକୁ ଚାହୁଁଛି’’ ବୋଲି ଶ୍ରୀ ମୋଦୀ କହିଥିଲେ। ବର୍ତ୍ତମାନ, ବନ୍ଦେ ଭାରତ ଟ୍ରେନ୍ ୫୦ରୁ ଅଧିକ ମାର୍ଗରେ ଚଳାଚଳ କରୁଛି, ଯେଉଁଥିରେ ୧୩୬ଟି ସେବା ଯାତ୍ରୀମାନଙ୍କୁ ଏକ ସୁଖଦ ଯାତ୍ରା ଅନୁଭୂତି ପ୍ରଦାନ କରୁଛି। ‘‘କିଛି ଦିନ ପୂର୍ବରୁ, ମୁଁ ଏକ ଭିଡିଓ ଦେଖିଲି ଯେଉଁଥିରେ ପରୀକ୍ଷଣ ସମୟରେ ବନ୍ଦେ ଭାରତ ଟ୍ରେନର ନୂତନ ସ୍ଲିପର ଏକ୍ସପ୍ରେସ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଚାଲୁଥିବା ଦେଖାଯାଇଛି। ଏଭଳି ମାଇଲଖୁଣ୍ଟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ଭରିଦେଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସମସ୍ତ ସଫଳତା କେବଳ ଆରମ୍ଭ ମାତ୍ର, ଏବଂ ଭାରତ ଏହାର ପ୍ରଥମ ବୁଲେଟ୍ ଟ୍ରେନ୍ ପରିଚାଳନାକୁ ଅଧିକ ସମୟ ଲାଗିବ ନାହିଁ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତୀୟ ରେଳବାଇ ଭ୍ରମଣ ଅଭିଜ୍ଞତାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଛି। ଏଥିପାଇଁ ସାରା ଦେଶରେ ୧,୩୦୦ରୁ ଅଧିକ ଅମୃତ ଷ୍ଟେସନର ନବୀକରଣ କରାଯାଉଛି। ସେ କହିଥିଲେ ଯେ ଗତ ଦଶନ୍ଧିରେ ରେଳ ସଂଯୋଗ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଏବଂ ରେଳ ଲାଇନର ବିଦ୍ୟୁତକରଣ ୨୦୧୪ରେ ୩୫ ପ୍ରତିଶତ ଥିବା ବେଳେ ଗତ ଦଶନ୍ଧିରେ ଏହା ବୃଦ୍ଧି ପାଇଛି। ଏ ସମୟ ମଧ୍ୟରେ ୩୦ ହଜାର କିଲୋମିଟରରୁ ଅଧିକ ନୂତନ ଟ୍ରାକ୍ ବିଛାଯାଇଛି ଏବଂ ଶହ ଶହ ସଡ଼କ ଓଭରବ୍ରିଜ୍ ଏବଂ ଅଣ୍ଡରବ୍ରିଜ୍ ନିର୍ମାଣ କରାଯାଇଛି। ଏହାବ୍ୟତୀତ, ବ୍ରଡଗେଜ ଲାଇନରେ ସମସ୍ତ ମାନବବିହୀନ କ୍ରସିଂକୁ ହଟାଇ ଦିଆଯାଇଛି, ଯାହା ଯାତ୍ରୀ ସୁରକ୍ଷାରେ ଉନ୍ନତି ଆଣିଛି ଏବଂ ଦୁର୍ଘଟଣାକୁ ହ୍ରାସ କରିଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଦେଶରେ ସମର୍ପିତ ମାଲ କରିଡର ଭଳି ଆଧୁନିକ ରେଳ ନେଟୱର୍କର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେ କହିଥିଲେ ଯେ ଏହି ସ୍ୱତନ୍ତ୍ର କରିଡରଗୁଡ଼ିକ ନିୟମିତ ରେଳପଥ ଉପରେ ଚାପ ହ୍ରାସ କରିବ ଏବଂ ଦ୍ରୁତଗାମୀ ଟ୍ରେନ୍ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ‘ମେଡ୍ ଇନ୍ ଇଣ୍ଡିଆ’ର ପ୍ରୋତ୍ସାହନ ସହିତ ରେଳବାଇରେ ଏକ ପରିବର୍ତ୍ତନ ଘଟୁଛି। ସେ କହିଥିଲେ ଯେ ମେଟ୍ରୋ ଏବଂ ରେଳପଥ ପାଇଁ ଆଧୁନିକ କୋଚ ବିକଶିତ କରାଯାଉଛି। ଷ୍ଟେସନଗୁଡ଼ିକର ମଧ୍ୟ ପୁନଃ ବିକାଶ କରାଯାଉଛି, ଷ୍ଟେସନଗୁଡ଼ିକରେ ସୌର ପ୍ୟାନେଲ ସ୍ଥାପନ କରାଯାଉଛି ଏବଂ ରେଳ ଷ୍ଟେସନଗୁଡ଼ିକରେ ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଷ୍ଟଲମାନ ସ୍ଥାପନ କରାଯାଉଛି। ଏହି ସମସ୍ତ ପଦକ୍ଷେପ ରେଳ କ୍ଷେତ୍ରରେ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଗତ ଦଶନ୍ଧି ମଧ୍ୟରେ ଲକ୍ଷ ଲକ୍ଷ ଯୁବକ ରେଳବାଇରେ ସ୍ଥାୟୀ ସରକାରୀ ଚାକିରି ପାଇଛନ୍ତି । ନୂତନ ଟ୍ରେନ୍ କୋଚ୍ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ କଞ୍ଚାମାଲର ଚାହିଦା ଅନ୍ୟ କ୍ଷେତ୍ରରେ ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ । ‘‘ଗତ ଦଶନ୍ଧି ମଧ୍ୟରେ ଲକ୍ଷ ଲକ୍ଷ ଯୁବକ ରେଳବାଇରେ ସ୍ଥାୟୀ ସରକାରୀ ଚାକିରି ପାଇଛନ୍ତି। ନୂତନ ଟ୍ରେନ୍ କୋଚ୍ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ କଞ୍ଚାମାଲର ଚାହିଦା ଅନ୍ୟ କ୍ଷେତ୍ରରେ ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି’’, ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳବାଇ ସହ ଜଡ଼ିତ ସ୍ୱତନ୍ତ୍ର ଦକ୍ଷତାକୁ ଧ୍ୟାନରେ ରଖି ଦେଶର ପ୍ରଥମ ଗତି-ଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି। ରେଳ ନେଟୱର୍କର ସମ୍ପ୍ରସାରଣ ସହିତ, ନୂତନ ଡିଭିଜନ ଏବଂ ମୁଖ୍ୟାଳୟ ପ୍ରତିଷ୍ଠା କରାଯାଉଛି, ଯାହା ଜାମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଲେହ-ଲଦାଖ ପରି ଅଞ୍ଚଳକୁ ଉପକୃତ କରୁଛି। ସେ କହିଥିଲେ ଯେ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲାଇନ ସହିତ ଜାମ୍ମୁ-କାଶ୍ମୀର ରେଳ ଭିତ୍ତିଭୂମିରେ ନୂତନ ମାଇଲଖୁଣ୍ଟ ହାସଲ କରୁଛି, ଯାହା ଉପରେ ଆଜି ସାରା ଦେଶରେ ଆଲୋଚନା କରାଯାଉଛି। ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱର ସର୍ବୋଚ୍ଚ ରେଳ ତୋରଣ ସେତୁ ଚେନାବ ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦ୍ୱାରା ଲେହ-ଲଦାଖର ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବା ଲାଗି ଏହି ଅଞ୍ଚଳକୁ ଅବଶିଷ୍ଟ ଭାରତ ସହିତ ଯୋଡ଼ିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 

ଶ୍ରୀ ମୋଦୀ କହିଥିଲେ ଯେ ଦେଶର ପ୍ରଥମ କେବୁଲ ଆଧାରିତ ରେଳ ସେତୁ ଅଞ୍ଜି ଖାଦ ସେତୁ ମଧ୍ୟ ଏହି ପ୍ରକଳ୍ପର ଅଂଶବିଶେଷ। ସେ କହିଥିଲେ ଯେ ଚେନାବ ସେତୁ ଏବଂ ଅଞ୍ଜି ଖାଦ ସେତୁ ଇଞ୍ଜିନିୟରିଂର ଅତୁଳନୀୟ ଉଦାହରଣ ଯାହା ଏହି ଅଞ୍ଚଳରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଓଡ଼ିଶା ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଏକ ବିଶାଳ ଉପକୂଳ ଦ୍ୱାରା ସମୃଦ୍ଧ ଏବଂ ଏଠାରେ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି। ସେ କହିଥିଲେ ଯେ ରାଜ୍ୟରେ ସାତଟି ଗତି ଶକ୍ତି କାର୍ଗୋ ଟର୍ମିନାଲ ପ୍ରତିଷ୍ଠା ସହିତ ୭୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଯାହା ବାଣିଜ୍ୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେଉଛି। ଶ୍ରୀ ମୋଦୀ କହିଥିଲେ ଯେ ଆଜି ଓଡ଼ିଶାରେ ରାୟଗଡା ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ରାଜ୍ୟର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ, ବିଶେଷ କରି ଆଦିବାସୀ ପରିବାର ସଂଖ୍ୟା ଅଧିକ ଥିବା ଦକ୍ଷିଣ ଓଡ଼ିଶାରେ ପର୍ଯ୍ୟଟନ, ବ୍ୟବସାୟ ଏବଂ ରୋଜଗାରକୁ ପ୍ରୋତ୍ସାହନ ଦେବ।

ଆଜି ତେଲଙ୍ଗାନାରେ ଚାରଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ବାହ୍ୟ ରିଙ୍ଗ ରୋଡକୁ ସଂଯୋଗ କରି ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବାର କ୍ଷମତା ଉପରେ ଆଲୋକପାତ କରିଥିଲେ। ‘‘ଆଉଟର ରିଙ୍ଗ ରୋଡ ସହିତ ସଂଯୁକ୍ତ ଏହି ଷ୍ଟେସନ ଏହି ଅଞ୍ଚଳର ବିକାଶକୁ ଉଲ୍ଲେଖନୀୟ ଭାବେ ପ୍ରୋତ୍ସାହିତ କରିବ’’, ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଷ୍ଟେସନର ପ୍ଲାଟଫର୍ମ, ଲିଫ୍ଟ, ଏସ୍କେଲେଟର, ସୌର-ଚାଳିତ ପରିଚାଳନା ସମେତ ଆଧୁନିକ ସୁବିଧା ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି, ‘‘ଦୀର୍ଘସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବା ଦିଗରେ ଏହା ଏକ ପଦକ୍ଷେପ।’’ ସେ ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ ଏହି ନୂତନ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚିଗୁଡ଼ାରେ ଥିବା ବର୍ତ୍ତମାନର ଷ୍ଟେସନ ଉପରେ ଚାପ ହ୍ରାସ କରିବ, ଯାହା ଲୋକଙ୍କ ପାଇଁ ଯାତ୍ରା ଅଧିକ ସୁବିଧାଜନକ କରିବ।

ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ଯେ ଏଭଳି ପ୍ରକଳ୍ପଗୁଡ଼ିକ କେବଳ ଜୀବନଧାରଣର ସହଜତାକୁ ବୃଦ୍ଧି କରିନଥାଏ, ବରଂ ଭାରତର ବ୍ୟାପକ ଭିତ୍ତିଭୂମି ଲକ୍ଷ୍ୟ ସହିତ ତାଳ ଦେଇ ବ୍ୟବସାୟିକ ସୁଗମତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ତ୍ତମାନ ଏକ୍ସପ୍ରେସୱେ, ଜଳପଥ ଏବଂ ମେଟ୍ରୋ ନେଟୱର୍କ ସମେତ ବ୍ୟାପକ ଭିତ୍ତିଭୂମି ସମ୍ପ୍ରସାରଣ କରୁଛି। ସେ କହିଥିଲେ ଯେ ୨୦୧୪ରେ ବିମାନ ବନ୍ଦର ସଂଖ୍ୟା ୭୪ରୁ ବୃଦ୍ଧି ପାଇ ଆଜି ୧୫୦ରେ ପହଞ୍ଚିଛି ଏବଂ ମେଟ୍ରୋ ସେବା ଦେଶର ୫ଟି ସହରରୁ ୨୧ଟି ସହରକୁ ସମ୍ପ୍ରସାରିତ ହୋଇଛି। ସେ କହିଥିଲେ, ‘‘ଏହି ପ୍ରକଳ୍ପଗୁଡ଼ିକ ଏକ ବିକଶିତ ଭାରତ ଦିଗରେ ଏକ ବୃହତ ରୋଡମ୍ୟାପର ଅଂଶବିଶେଷ, ଯାହା ବର୍ତ୍ତମାନ ଏହି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ମିଶନ।’’

 

ଭାରତର ବିକାଶ ଉପରେ ଆତ୍ମବିଶ୍ୱାସ ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ମୁଁ ନିଶ୍ଚିତ ଯେ, ମିଳିତ ଭାବେ ଆମେ ଏହି ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବୁ।’’ ସେ ଏହି ମାଇଲଖୁଣ୍ଟଗୁଡ଼ିକ ପାଇଁ ଭାରତର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଏହି ଅବସରରେ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭି. ସୋମନ୍ନା, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂହ ବିଟ୍ଟୁ, କେନ୍ଦ୍ର ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର, ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି, ତେଲଙ୍ଗାନା ରାଜ୍ୟପାଳ ଶ୍ରୀ ଜିଷ୍ଣୁ ଦେବ ବର୍ମା, ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ଏ ରେବନ୍ଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଏହି ଅଞ୍ଚଳରେ ସଂଯୋଗୀକରଣକୁ ଆହୁରି ବୃଦ୍ଧି କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ଡିଭିଜନର ଉଦଘାଟନ କରିଥିଲେ। ସେ ପୂର୍ବ ଉପକୂଳ ରେଳବାଇର ରାୟଗଡ଼ ରେଳ ଡିଭିଜନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ତେଲଙ୍ଗାନାରେ ଚାରଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନର ଉଦଘାଟନ କରିଥିଲେ।

ପଠାନକୋଟ -ଜାମ୍ମୁ- ଉଧମପୁର- ଶ୍ରୀନଗର- ବାରାମୁଲା, ଭୋଗପୁର- ସିରୱାଲ-ପଠାନକୋଟ, ବାଟାଲା-ପଠାନକୋଟ ଏବଂ ପଠାନକୋଟରୁ ଜୋଗିନ୍ଦର ନଗର ପର୍ଯ୍ୟନ୍ତ ସେକ୍ସନକୁ ନେଇ ୭୪୨.୧ କିଲୋମିଟର ବିଶିଷ୍ଟ ଜାମ୍ମୁ ରେଳ ଡିଭିଜନ ଗଠନ ହେବା ଦ୍ୱାରା ଜାମ୍ମୁ-କାଶ୍ମୀର ଏବଂ ଏହାର ଆଖପାଖ ଅଞ୍ଚଳ ବିଶେଷ ଭାବେ ଲାଭାନ୍ୱିତ ହେବ, ଯାହା ଲୋକମାନଙ୍କ ଦୀର୍ଘ ଦିନର ଆକାଂକ୍ଷାକୁ ପୂରଣ କରିବ ଏବଂ ଭାରତର ଅନ୍ୟ ଭାଗ ସହିତ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଭିତ୍ତିଭୂମି ବିକାଶ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶକୁ ଆଗେଇ ନେବ।

ତେଲଙ୍ଗାନାର ମେଡଚାଲ୍-ମାଲକାଜଗିରି ଜିଲ୍ଲାର ଚାର୍ଲାପଲ୍ଲୀ ନୂତନ ଟର୍ମିନାଲ୍ ଷ୍ଟେସନକୁ ଏକ ନୂତନ କୋଚିଂ ଟର୍ମିନାଲ୍ ଭାବରେ ବିକଶିତ କରାଯାଇଛି ଏବଂ ପ୍ରାୟ ୪୧୩ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଉତ୍ତମ ଯାତ୍ରୀ ସୁବିଧା ଥିବା ଏହି ପରିବେଶ ଅନୁକୂଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚେଗୁଡା ଭଳି ସହରରେ ବର୍ତ୍ତମାନର କୋଚିଂ ଟର୍ମିନାଲରେ ଭିଡ଼ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳବାଇର ରାୟଗଡ଼ା ରେଳ ଡିଭିଜନ ବିଲ୍ଡିଂ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ଆଖପାଖ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ଏହି କ୍ଷେତ୍ରର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ଦିଗରେ ବାଟ କଢ଼ାଇବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Assam meets Prime Minister
May 30, 2026

Chief Minister of Assam, Shri Himanta Biswa Sarma met Prime Minister, Shri Narendra Modi today in New Delhi.

The Prime Minister’s Office posted on X;

“Chief Minister of Assam, Shri @himantabiswa met Prime Minister @narendramodi.

@CMOfficeAssam”