ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନର ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ସ୍ୱିଡେନର କ୍ରାଉନ ପ୍ରିନ୍ସସେସ୍ ଭିକ୍ଟୋରିଆ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ମହାମହିମ ରାଜା କାର୍ଲ ଷୋଡଶ ଗୁସ୍ତାଫ ଏବଂ ରାଣୀ ସିଲଭିଆଙ୍କ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମହାମହିମ ରାଜାଙ୍କ ୮୦ତମ ଜନ୍ମଦିନରେ ତାଙ୍କୁ ହୃଦୟରୁ ଶୁଭକାମନା ବ୍ୟକ୍ତ କରିଥିଲେ।

ନେତାମାନେ ଭାରତ - ସ୍ୱିଡେନ ସମ୍ପର୍କର ପୂର୍ଣ୍ଣ ସମୀକ୍ଷା କରିଥିଲେ। ବାଣିଜ୍ୟ ଏବଂ ନିବେଶ, ନବସୃଜନ, ସବୁଜ ପରିବର୍ତ୍ତନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସୁରକ୍ଷା, ଡିଜିଟାଲାଇଜେସନ୍, ଏସଏମଇ, ମହାକାଶ, ଗବେଷଣା, ଶିକ୍ଷା, ସଂସ୍କୃତି ଏବଂ ଲୋକ - ଲୋକ ଆଦାନପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ପାଉଥିବା ଗତିକୁ ସ୍ୱୀକାର କରିଥିଲେ। ସେମାନେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଏବଂ ନବସୃଜନ, ସ୍ଥାୟୀତ୍ୱ ଏବଂ ଗବେଷଣା ଏବଂ ବିକାଶ ସଂଯୋଗ ଦ୍ୱାରା ପରିଚାଳିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ। ବ୍ୟାପକ ସହଭାଗୀତାକୁ ମାର୍ଗଦର୍ଶନ କରିବା ପାଇଁ ନିୟମିତ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କ ଏବଂ ସଂସ୍ଥାଗତ ଆଲୋଚନା ବଜାୟ ରଖିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ନେତା ଭାରତ - ସ୍ୱିଡେନ ସମ୍ପର୍କକୁ ରଣନୈତିକ ସହଭାଗୀତା ସ୍ତରରେ ଉନ୍ନତ କରିବାକୁ ସହମତ ହୋଇଥିଲେ। ରଣନୈତିକ ସହଭାଗୀତା ଚାରୋଟି ସ୍ତମ୍ଭ, ଯଥା : ସ୍ଥିରତା ଏବଂ ସୁରକ୍ଷା ପାଇଁ ରଣନୈତିକ ଆଲୋଚନା ; ପରବର୍ତ୍ତୀ ପିଢ଼ିର ଆର୍ଥିକ ସହଭାଗୀତା ; ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ବିଶ୍ୱସ୍ତ ସଂଯୋଗ ; ଏବଂ ଆଗାମୀ କାଲିକୁ ଲୋକ, ଗ୍ରହ, ସ୍ୱାସ୍ଥ୍ୟ ଏବଂ ପ୍ରତିରୋଧୀ କ୍ଷମତା ଆଧାରରେ ଏକାଠି ଗଠନ କରିବା ଉପରେ ପର୍ଯ୍ୟ‌ବସିତ। ରଣନୈତିକ ସହଭାଗୀତାକୁ କାର୍ଯ୍ୟକାରୀ କରିବା ପାଇଁ, ଦୁଇ ନେତା ଭାରତ - ସ୍ୱିଡେନ ମିଳିତ କାର୍ଯ୍ୟ ଯୋଜନା ୨୦୨୬ - ୨୦୩୦ ଗ୍ରହଣ କରିଛନ୍ତି, ଯାହା ରାଜନୈତିକ, ଅର୍ଥନୈତିକ, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା, ଜଳବାୟୁ ଏବଂ ଲୋକ - ଲୋକଙ୍କ ମଧ୍ୟରେ ସହଯୋଗ ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରଦାନ କରେ।

ଦୁଇ ନେତା ଗୁରୁତ୍ୱାରୋପ କରିଥିଲେ ଯେ, ସଦ୍ୟ ସମାପ୍ତ ଭାରତ - ୟୁରୋପୀୟ ସଂଘ ଏଫଟିଏ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଖୋଲିଛି। ସେମାନେ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସଂଯୋଗକୁ ଗଭୀର କରିବା ପାଇଁ ଏହାର ଶୀଘ୍ର କାର୍ଯ୍ୟକାରୀତା ପାଇଁ ପ୍ରୟାସ ଜାରି ରଖିବାକୁ ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ନବସୃଜନ, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ଉନ୍ନତ ଉତ୍ପାଦନ, ସ୍ଥାୟୀ ଗତିଶୀଳତା ଏବଂ ଡିଜିଟାଲ୍ ପରିବର୍ତ୍ତନ ସମେତ ରଣନୈତିକ କ୍ଷେତ୍ରରେ ଭାରତ ସହିତ ସ୍ୱିଡେନର ନିରନ୍ତର ସମ୍ପର୍କକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନ୍ ଡିଜିଟାଲ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ ସ୍ୱିଡେନର ଅର୍ଥନୀତି ଏବଂ ନବସୃଜନ ଇକୋସିଷ୍ଟମରେ ଭାରତୀୟ ସମ୍ପ୍ରଦାୟର ସକାରାତ୍ମକ ଅବଦାନକୁ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅଭିବୃଦ୍ଧି କାହାଣୀରେ ସ୍ୱିଡେନକୁ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ।

ନେତାମାନେ ପାରସ୍ପରିକ ସ୍ୱାର୍ଥର ପ୍ରମୁଖ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ସେମାନେ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପାକ୍ଷିକ ସଂଗଠନଗୁଡ଼ିକର ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆତଙ୍କବାଦ ବିରୋଧରେ ଲଢ଼େଇରେ ସ୍ୱିଡେନର ଦୃଢ଼ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ। ଶାନ୍ତି, ସ୍ଥିରତା, ଅନୁକୂଳ ଯୋଗାଣ ଶୃଙ୍ଖଳା ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଥିଲେ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
103 Cr Internet Connections, 66 Cr Daily UPI Transactions: PM Modi Highlights Digital India Impact At 11

Media Coverage

103 Cr Internet Connections, 66 Cr Daily UPI Transactions: PM Modi Highlights Digital India Impact At 11
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise