ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଜାତୀୟ ସମିତିର ଦ୍ୱିତୀୟ ବୈଠକରେ ଉଦବୋଧନ ଦେଇଛନ୍ତି ।

ଏହି ବୈଠକରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟକ୍ଷତା କରିଥିଲେ । ବୈଠକରେ ମାନନୀୟ ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ, କେନ୍ଦ୍ର କ୍ୟାବିନେଟର ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଗାନ୍ଧୀବାଦୀ ଓ ଅନ୍ୟମାନଙ୍କୁ ନେଇ ଜାତୀୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ । ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମହାମହିମ ମିଃ ଆଣ୍ଟୋନିଓ କୋଷ୍ଟା ଏକମାତ୍ର ବିଦେଶୀ ପ୍ରଧାନମନ୍ତ୍ରୀ ଭାବେ ସମିତିର ସଦସ୍ୟ ରୂପେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ ପାଳନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକାରୀ ସମିତିର କାର୍ଯ୍ୟଧାରାକୁ ମହାମହିମ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ନେତୃତ୍ୱରେ ସ୍ୱଚ୍ଛ ଭାରତ ଭଳି ଅଭିଯାନ ଏବଂ ଏକକ ଉପଯୋଗୀ ପ୍ଲାଷ୍ଟିକ ବର୍ଜନ ଜରିଆରେ ପରିବେଶ ସୁରକ୍ଷା ପାଇଁ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାର ପ୍ରସାର ଆଦି ପ୍ରୟାସକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଥିଲେ ।

ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସଂକଳିତ ବିଭିନ୍ନ ସ୍ମାରକୀ କାର୍ଯ୍ୟକ୍ରମ ପୁସ୍ତକ ଏବଂ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗାନ୍ଧୀଜୀଙ୍କ ଉପରେ ଏକ ସଂକଳନକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବା ସହିତ ମାନନୀୟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ଏହି ସଂକଳନରେ ବିଶ୍ୱର 126 ଜଣ ବିଶିଷ୍ଟ ବ୍ୟକ୍ତି ଗାନ୍ଧୀଜୀଙ୍କ ଶିକ୍ଷା ଉପରେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ଲେଖିଛନ୍ତି । ଗାନ୍ଧୀଜୀଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ବିଭିନ୍ନ ସ୍ମାରକୀ କାର୍ଯକ୍ରମ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ବୈଠକ ଅବସରରେ ପ୍ରଦର୍ଶିତ ହୋଇଥିଲା ।

ପୂର୍ବ ବୈଠକରେ ସଦସ୍ୟମାନଙ୍କ ପରାମର୍ଶକୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପ୍ରଶଂସା କରିଥିଲେ, ଯାହା ଜନ ଭାଗିଦାରୀ ପାଇଁ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ନେଇ ସ୍ମାରକୀ କାର୍ଯ୍ୟକ୍ରମ ଆୟୋଜନରେ ସହାୟକ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସାରା ବିଶ୍ୱ ଗାନ୍ଧୀଜୀଙ୍କୁ ଜାଣିବାକୁ ଆଗ୍ରହୀ ଏବଂ ଗ୍ରହଣ କରିବାକୁ ପ୍ରସ୍ତୁତ । ତେଣୁ ବିଶ୍ୱକୁ ମହାତ୍ମା ଗାନ୍ଧୀ ଓ ତାଙ୍କ ଆଦର୍ଶର ଉପଯୋଗିତା ବିଷୟରେ ଲଗାତାର ସ୍ମରଣ କରାଇବା ଭାରତର ଉତ୍ତରଦାୟିତ୍ୱ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବର୍ଷସାରା ସମୟ ବାହାର କରି ଭାରତ ଏବଂ ପର୍ତ୍ତୁଗାଲରେ ଆୟୋଜିତ ସ୍ମାରକୀ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ହେବା ଲାଗି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ‘ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ’ ପାଳନ କେବଳ ଗୋଟିଏ ବର୍ଷର କାର୍ଯ୍ୟକ୍ରମ ନୁହେଁ । ସମସ୍ତ ନାଗରିକ ଗାନ୍ଧୀଜୀଙ୍କ ବିଚାର ଓ ଆଦର୍ଶକୁ ଗ୍ରହଣ କରିବା ଉଚିତ ଏବଂ ଆଗାମୀ ଦିନରେ ଏହାକୁ ଆଗେଇ ନେବା ଉଚିତ ।
ସେ ଆହୁରି କହିଥିଲେ ଯେ ସରକାରୀ ଶତବାର୍ଷିକୀ ପାଳନ ସମୟ ସମୟରେ ହୋଇଥାଏ, କିନ୍ତୁ ଗାନ୍ଧୀଜୀଙ୍କ 150ତମ ଜନ୍ମ ଜୟନ୍ତୀ ସାଧାରଣ ଜନତାଙ୍କ କାର୍ଯ୍ୟକ୍ରମରେ ପରିଣତ ହୋଇଛି ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ।

‘ସ୍ଥାନୀୟ ସାମଗ୍ରୀ’ କ୍ରୟ ଲାଗି ଲାଲକିଲ୍ଲାରୁ ସେ ପୂର୍ବରୁ ଦେଇଥିବା ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଉନ୍ନତି ପାଇଁ ଗାନ୍ଧୀଜୀଙ୍କ ଏହି ମୌଳିକ ଦର୍ଶନରେ ଭାରତର ବିକାଶ ଓ ପ୍ରଗତିର ସମ୍ଭାବନା ପୂରି ରହିଛି । 2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଏହି ବାର୍ତ୍ତାକୁ ନେଇ ବଂଚିବା ଏବଂ ଆଗାମୀ ଦିନରେ ଏହାକୁ ଜୀବନର ମାର୍ଗ ଭାବେ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ରାଜ୍ୟସଭାର 250ତମ ଅଧିବେଶନରେ ସାଂସଦମାନଙ୍କୁ ସେମାନଙ୍କ ଆଂଚଳିକ ଭାଷାରେ କଥା ହେବା ଲାଗି ଉତ୍ସାହିତ କରିବା ଓ ସେମାନେ ଏଥିପାଇଁ ଆଗେଇ ଆସିବା ଦେଶପାଇଁ ଗର୍ବର ବିଷୟ ଥିଲା । ସେ ଉଲ୍ଲେଖ କରିଥିଲେ ଯେ ଆମେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର କରିବାକୁ ଚାହୁଁଛୁ । ତେବେ ଆମକୁ ସାରା ଦେଶର ସାଧାରଣ ଜନତାଙ୍କ ନିକଟରେ ସମସାମୟିକ ରୂପରେ ମହାତ୍ମାଙ୍କ ବାର୍ତ୍ତାକୁ ପ୍ରାସଙ୍ଗିକ କରିବା ଲାଗି ଉଦ୍ୟମ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀ ବିଶ୍ୱାସ ଥିଲା ଜଣେ ବ୍ୟକ୍ତି ଦେଶ ଓ ପରସ୍ପର ପ୍ରତି ଥିବା ନିଜର କର୍ତ୍ତବ୍ୟ ନିଷ୍ଠାପର ଭାବେ ପାଳନ କଲେ ଅନ୍ୟର ମୌଳିକ ଅଧିକାରକୁ ସୁରକ୍ଷା ଦେଇପାରିବ । ଶେଷରେ ସେ କହିଥିଲେ ଯେ ଯଦି ସମସ୍ତେ ଏହି ମାର୍ଗରେ ଚାଲନ୍ତି ଏବଂ ନିଷ୍ଠାର ସହ ସେମାନଙ୍କ କର୍ତ୍ତବ୍ୟ ପାଳନ କରନ୍ତି, ତେବେ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi