When India got independence, it had great capability in defence manufacturing. Unfortunately, this subject couldn't get requisite attention: PM Modi
We aim to increase defence manufacturing in India: PM Modi
A decision has been taken to permit up to 74% FDI in the defence manufacturing through automatic route: PM Modi

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ରାଜନାଥ ସିଂ ମହୋଦୟ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ମହାଶୟ, ତିନି ସେନା ମୁଖ୍ୟ, ଭାରତ ସରକାରଙ୍କ ସମସ୍ତ ଉପସ୍ଥିତ ଉଚ୍ଚାଧିକାରୀ, ଉଦ୍ୟୋଗ ଜଗତର ବନ୍ଧୁଗଣ, ନମସ୍କାର !

ଭାରତରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଆଜି ଏଠାରେ ଉପସ୍ଥିତ ଥିବା ଦେଖି ମୁଁ ଆନନ୍ଦିତ। ଏହି ସେମିନାର ଆୟୋଜନ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ମହାଶୟ ଏବଂ ତାଙ୍କର ସମସ୍ତ ସହଯୋଗୀମାନଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି। ଆଜି ଏଠାରେ ଅନୁଷ୍ଠିତ ଏହି ମନ୍ଥନରୁ ଯେଉଁ ଫଳାଫଳ ମିଳିବ, ତାହା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା ନିମନ୍ତେ ଆମର ପ୍ରୟାସକୁ ଆହୁରି ଶକ୍ତି ଓ ଗତି ପ୍ରଦାନ କରିବ। ଆପଣମାନେ ଯେଉଁ ପରାମର୍ଶ ଦେଇଛନ୍ତି, ବିଚାରବିମର୍ଶ କରିଛନ୍ତି ତାହା ଆଗାମୀ ଦିନରେ ବିଶେଷ ଉପକାରସିଦ୍ଧ ହେବ।

ମୁଁ ଆନନ୍ଦିତ ଯେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମହୋଦୟ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ଲକ୍ଷ୍ୟବଦ୍ଧ ହୋଇ ନିୟୋଜିତ ଅଛନ୍ତି। ତାଙ୍କର ଏହି ଅବିଶ୍ରାନ୍ତ ପ୍ରୟାସ ଫଳରେ ନିଶ୍ଚିତ ଭାବେ ଅତ୍ୟନ୍ତ ଲାଭଜନକ ପରିଣାମ ପ୍ରାପ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି।

ବନ୍ଧୁଗଣ, ଭାରତ ଅନେକ ବର୍ଷ ଧରି ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ସାମଗ୍ରୀ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇ ରହିଆସିଛି, ଏକଥା ସମସ୍ତେ ଜାଣନ୍ତି। ଦେଶ ସ୍ୱାଧୀନ ହେବା ସମୟରେ ପ୍ରତିରକ୍ଷା ଉତ୍ପାଦନ ଲାଗି ଭାରତରେ ଅନେକ ସାମର୍ଥ୍ୟ ରହିଥିଲା। ସେତେବେଳେ ଭାରତରେ 100 ବର୍ଷରୁ ଅଧିକ ସମୟ ଧରି ପ୍ରତିଷ୍ଠିତ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ ରହିଥିଲା। ଭାରତ ଭଳି ସାମର୍ଥ୍ୟ ଏବଂ ସମ୍ଭାବନା ଖୁବ କମ ଦେଶ ପାଖରେ ରହିଥିଲା। କିନ୍ତୁ ଭାରତର ଦୁର୍ଭାଗ୍ୟ ହେଉଛି ବହୁ ଦଶନ୍ଧି ପର୍ଯ୍ୟନ୍ତ ଏ ବିଷୟ ପ୍ରତି ଯେତିକି ଧ୍ୟାନ ଦିଆଯିବା ଆବଶ୍ୟକ ସେତିକି ଦିଆଗଲା ନାହିଁ। ଏହା ଏକ ପ୍ରକାର ଚିରାଚରିତ କାର୍ଯ୍ୟ ପାଲଟିଗଲା, ଗମ୍ଭୀରତାର ସହିତ କୌଣସି ପ୍ରୟାସ କରାଗଲା ନାହିଁ। ଆମ ପରେ ଆରମ୍ଭ କରିଥିବା ଅନେକ ଦେଶ ବିଗତ 50 ବର୍ଷ ମଧ୍ୟରେ ଆମ ଠାରୁ ଅନେକ ବାଟ ଆଗେଇ ଗଲେ। କିନ୍ତୁ ଏବେ ପରିସ୍ଥିତି ବଦଳିବାରେ ଲାଗିଛି।

ବିଗତ କିଛି ବର୍ଷ ମଧ୍ୟରେ ଆପଣମାନେ ଅନୁଭବ କରିଥିବେ ଯେ ଏହି କ୍ଷେତ୍ର ସହିତ ବାଧାଗୁଡ଼ିକୁ ଦୂର କରିବା ଲାଗି ଆମେ ନିରନ୍ତର ପ୍ରୟାସ କରିଚାଲିଛୁ। ଆମର ଉଦ୍ଦେଶ୍ୟ ହେଉଛି, ଭାରତରେ ଉତ୍ପାଦନ ବଢ଼ୁ, ନୂଆ ପ୍ରଯୁକ୍ତି ଆମ ଦେଶରେ ହିଁ ବିକଶିତ ହେଉ ଏବଂ ଏହି ବିଶେଷ କ୍ଷେତ୍ରରେ ଘରୋଇ ଉଦ୍ୟୋଗଗୁଡ଼ିକର ସମ୍ପୃକ୍ତି ବୃଦ୍ଧି ପାଉ। ଏଥିପାଇଁ ଲାଇସେନ୍ସିଂ ପ୍ରକ୍ରିୟାରେ ସୁଧାର, ଲେବଲ ପ୍ଲେଇଂ ଫିଲ୍ଡରେ ପ୍ରସ୍ତୁତି, ରପ୍ତାନି ପ୍ରକ୍ରିୟାର ସରଳୀକରଣ, ଅଫସେଟ ବ୍ୟବସ୍ଥାରେ ସୁଧାର; ଏପରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ସାଥୀଗଣ, ମୋର ବିଶ୍ୱାସ ଯେ ଏସବୁ ପଦକ୍ଷେପ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଏକ ନୂଆ ମାନସିକତା ଜନ୍ମ ନେଇଛି, ଆମେ ସମସ୍ତେ ଏହାକୁ ଅନୁଭବ କରିପାରୁଛୁ। ଆଧୁନିକ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ୱାସ ଭାବନା ରହିବା ଜରୁରି । ଦୀର୍ଘ ସମୟ ଧରି ଦେଶରେ ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତି ପ୍ରସଙ୍ଗରେ ବିଚାର କରାଯାଉଥିଲା, କିନ୍ତୁ ନିଷ୍ପତ୍ତି ନିଆଯାଇପାରୁନଥିଲା। ଏହି ନିଷ୍ପତ୍ତି ନୂତନ ଭାରତର ଆତ୍ମବିଶ୍ୱାସର ପ୍ରତୀକ।

ଦୀର୍ଘ ସମୟ ଧରି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବିଦେଶୀ ନିବେଶକୁ ଅନୁମତି ମିଳୁନଥିଲା। ଶ୍ରଦ୍ଧେୟ ଅଟଳ ମହାଶୟଙ୍କ ସରକାର ସମୟରେ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଥିଲା। ଆମ ସରକାର ଆସିବା ପରେ ଏଥିରେ ଆହୁରି ସୁଧାର ଅଣାଗଲା ଏବଂ ଏବେ ପ୍ରଥମ ଥର ଏହି କ୍ଷେତ୍ରରେ 74 ପ୍ରତିଶତ ପର୍ଯ୍ୟନ୍ତ ଏଫଡିଆଇ ଅଟୋମେଟିକ ମାର୍ଗରେ ଆସିବାର ରାସ୍ତା ପ୍ରଶସ୍ତ କରାଯାଉଛି। ଏହା ନୂଆ ଭାରତର ଆତ୍ମବିଶ୍ୱାସର ପରିଣାମ ଅଟେ।

ବହୁ ଦଶନ୍ଧି ଧରି ଗୋଳାବାରୁଦ କାରଖାନାଗୁଡ଼ିକୁ ସରକାରୀ ବିଭାଗ ଭଳି ପରିଚାଳନା କରାଯାଉଥିଲା। ସୀମିତ ଦୂରଦୃଷ୍ଟି ରହିବା କାରଣରୁ ଦେଶ କ୍ଷତିଗ୍ରସ୍ତ ହେଉଥିଲା। ଏଥିସହିତ ସେଠାରେ କାମ କରୁଥିବା ପରିଶ୍ରମୀ ଶ୍ରମିକବର୍ଗ ପ୍ରତିଭା, ସମର୍ପଣ, ଅଭିଜ୍ଞତା ଥାଇ ସୁଦ୍ଧା ଅନେକ କ୍ଷତି ସହିଥିଲେ।

ଯେଉଁ କ୍ଷେତ୍ରରେ କୋଟି କୋଟି ଲୋକମାନଙ୍କୁ ନିଯୁକ୍ତିର ଅବସର ମିଳିପାରିଥାନ୍ତା, ସେହି କ୍ଷେତ୍ରର ଇକୋସିଷ୍ଟମ ଅତି ସୀମିତ ହୋଇ ରହିଗଲା। ଏବେ ଗୋଳାବାରୁଦ କାରଖାନାଗୁଡ଼ିକର ନିଗମୀକରଣ କରାଯିବା ଦିଗରେ ଆମେ ଆଗକୁ ବଢ଼ୁଅଛୁ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଶ୍ରମିକ ଓ ସେନା ଉଭୟଙ୍କୁ ସହାୟତା ମିଳିପାରିବ। ଏହା ନୂତନ ଭାରତର ଆତ୍ମବିଶ୍ୱାସର ପ୍ରମାଣ ଅଟେ।

ସାଥୀଗଣ, ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରତାକୁ ନେଇ ଆମର ପ୍ରତିବଦ୍ଧତା କେବଳ ଆଲୋଚନା କିମ୍ବା କାଗଜପତ୍ରରେ ସୀମିତ ହୋଇ ରହିନାହିଁ। ଏହାର କାର୍ଯ୍ୟାନ୍ୱୟନ ଲାଗି ଗୋଟିଏ ପରେ ଗୋଟିଏ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସିଡିଏସ ଗଠନ ପରେ ତିନି ସେନା ପାଇଁ କ୍ରୟ କ୍ଷେତ୍ରରେ ବ୍ୟାପକ ସମନ୍ୱୟ ଆସିପାରିଛି। ଏହାଫଳରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ବୃଦ୍ଧି କରିବାରେ ସହାୟତା ମିଳିପାରୁଛି। ଆଗାମୀ ଦିନରେ ଦେଶୀୟ ଉଦ୍ୟୋଗଗୁଡ଼ିକ ପାଇଁ ଅର୍ଡର ପରିମାଣ ମଧ୍ୟ ବୃଦ୍ଧି ପାଇବ। ଏହାକୁ ସୁନିଶ୍ଚିତ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟର କ୍ୟାପିଟାଲ ବଜେଟର ଗୋଟିଏ ଭାଗ ଏବେ ଭାରତରେ ନିର୍ମିତ ଉପକରଣ ପାଇଁ ପୃଥକ ଭାବେ ରଖି ଦିଆଯାଇଛି।

ନିକଟରେ ଆପଣମାନେ ଦେଖିଥିବେ ଯେ ନିକଟରେ 101 ପ୍ରତିରକ୍ଷା ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ କ୍ରୟ ନିମନ୍ତେ ସୁରକ୍ଷିତ କରି ଦିଆଯାଇଛି। ଆଗାମୀ ଦିନରେ ଏହି ତାଲିକା ଆହୁରି ବଢ଼ାଯିବ ଏବଂ ଏଥିରେ ଆହୁରି ଅଧିକ ସାମଗ୍ରୀ ସାମିଲ କରାଯିବ। ଏହି ତାଲିକାର ଉଦ୍ଦେଶ୍ୟ କେବଳ ଆମଦାନୀ ହ୍ରାସ କରିବା ନୁହେଁ, ବରଂ ଭାରତରେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା। ଏହା ଦ୍ୱାରା ଘରୋଇ, ରାଷ୍ଟ୍ରାୟତ୍ତ, ଏମଏସଏମଇ, ଷ୍ଟାର୍ଟଅପ ଆଦି ସମସ୍ତ କ୍ଷେତ୍ରକୁ ଲାଭ ମିଳିପାରିବ। ଏ ଦିଗରେ ସରକାରଙ୍କ ଭାବନା ଓ ଭବିଷ୍ୟତର ସମ୍ଭାବନା ଆପଣମାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ କଳା ଓ ଧଳା ଭଳି ସ୍ପଷ୍ଟ ହୋଇଯାଇଛି।

ଏଥିସହିତ କ୍ରୟପ୍ରକ୍ରିୟାକୁ ଗତି ଦେବା, ପରୀକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଏବଂ ଗୁଣବତ୍ତା ଆବଶ୍ୟକତାକୁ ଯୁକ୍ତିସଙ୍ଗତ କରିବା ଲାଗି ଆମେ ଲଗାତାର କାମ କରୁଛୁ। ମୁଁ ଆନନ୍ଦିତ ଯେ ଏ ସମସ୍ତ ପ୍ରୟାସରେ ସେନାର ତିନୋଟି ଅଙ୍ଗର ଅତ୍ୟନ୍ତ ସଂଯୋଜିତ, ସହଯୋଗୀ ଏବଂ ସକ୍ରିୟ ଭୂମିକା ରହିଛି।

ସାଥୀଗଣ, ଆଧୁନିକ ଉପକରଣରେ ଆତ୍ମନିର୍ଭରତା ନିମନ୍ତେ ପ୍ରଯୁକ୍ତି ଆଧୁନିକୀକରଣର ଆବଶ୍ୟକତା ରହିଛି। ଆଜି ନିର୍ମିତ ହେଉଥିବା ଉପକରଣର ପରବର୍ତ୍ତୀ ସଂସ୍କରଣ ପ୍ରସ୍ତୁତ କରିବା ମଧ୍ୟ ଅତି ଆବଶ୍ୟକ। ଏଥିପାଇଁ ଡିଆରଡିଓ ବ୍ୟତୀତ ଘରୋଇ କ୍ଷେତ୍ର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଗବେଷଣା ଓ ନବୋନ୍ମେଷକୁ ପ୍ରୋତ୍ସାହିତ କରାଯାଉଛି। ପ୍ରଯୁକ୍ତି ହସ୍ତାନ୍ତର ସୁବିଧାରୁ ଓହରି ବିଦେଶୀ ସହଯୋଗୀଙ୍କ ସହିତ ମିଳିତ ଉଦ୍ୟମ ମାଧ୍ୟମରେ ସହଉତ୍ପାଦନ ମଡେଲ ଉପରେ ଜୋର ଦିଆଯାଉଛି। ଭାରତରେ ବଜାର ଆକାରକୁ ଦେଖି ଆମ ବିଦେଶୀ ସହଯୋଗୀଙ୍କ ନିମନ୍ତେ ଏବେ ଭାରତରେ ହିଁ ଉତ୍ପାଦନ କରିବା ସବୁଠୁ ଉତ୍ତମ ବିକଳ୍ପ।

ସାଥୀଗଣ, ଆମ ସରକାର ଆରମ୍ଭରୁ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ, ଏହି ମନ୍ତ୍ରକୁ ନେଇ କାମ କରିଆସିଛି। ନାଲି ଫିତା ପ୍ରଭାବ ହ୍ରାସ କରି ଆମେ ନାଲି ଗାଲିଚା ବିଛାଇବାର କାମ କରିଛୁ। ବ୍ୟବସାୟିକ ସୁଗମତା କ୍ଷେତ୍ରରେ 2014 ଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ଯେଉଁ ସଂସ୍କାର ଅଣାଯାଇଛି ତାହାର ପରିଣାମ ଆଜି ସାରା ଦୁନିଆ ଦେଖୁଛି। ବୌଦ୍ଧିକ ସମ୍ପତ୍ତି ଅଧିକାର, ଟିକସ ବ୍ୟବସ୍ଥା, ଦେବାଳିଆ ଓ ଦେବାଳିଆପଣ ସଂହିତା, ଏପରିକି ମହାକାଶ ଏବଂ ଆଣବିକ ଶକ୍ତି ଭଳି ଅତ୍ୟନ୍ତ କଠିନ ଏବଂ ଜଟିଳ କ୍ଷେତ୍ରରେ ମଧ୍ୟ ଆମେ ସଂସ୍କାର ଆଣିପାରିଛୁ। ଆପଣମାନେ ଭଲ ଭାବେ ଜାଣିଥିବେ ଯେ ବିଗତ ଦିନରେ ଶ୍ରମ ଆଇନ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଯେଉଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ତାହା ଏବେ ସୁଦ୍ଧା ଜାରି ରହିଛି। କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଏପରି ପ୍ରସଙ୍ଗ ବିଷୟରେ ଚିନ୍ତା କରାଯାଉନଥିଲା। ମାତ୍ର ଏସବୁ ସଂସ୍କାର ଆଜି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରିଛି। ସଂସ୍କାରର ଏହି ପ୍ରକ୍ରିୟା ଅଟକିଯିବା ନାହିଁ, ଆମେ ଆହୁରି ଆଗକୁ ବଢ଼ିବୁ। ସେଥିପାଇଁ ଅଟକି ଯିବୁ ନାହିଁ କିମ୍ବା ଥକି ମଧ୍ୟ ଯିବୁ ନାହିଁ। ମୁଁ ଥକିବି ନାହିଁ କିମ୍ବା ଆପଣମାନେ ମଧ୍ୟ ଥକିବେ ନାହିଁ। ଆମେ ଲଗାତାର ଆଗକୁ ବଢ଼ିବା ଏବଂ ଏହା ଆମର ପ୍ରତିବଦ୍ଧତା ବୋଲି ମୁଁ ଆପଣମାନଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ।

ବନ୍ଧୁଗଣ, ଭିତ୍ତିଭୂମି କ୍ଷେତ୍ରକୁ ଦେଖିଲେ, ପ୍ରତିରକ୍ଷା କରିଡର କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁ ସରକାରଙ୍କ ସହିତ ମିଶି ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଆଗାମୀ 5 ବର୍ଷରେ 20 ହଜାର କୋଟି ଟଙ୍କାର ନିବେଶ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏମଏସଏମଇ ଓ ଷ୍ଟାର୍ଟଅପ ସହ ଜଡ଼ିତ ଉଦ୍ୟୋଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ଆଇଡିଇଏକ୍ସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉତ୍ତମ ପରିଣାମ ମିଳିପାରୁଛି। ଏହି ମଞ୍ଚ ମାଧ୍ୟମରେ 50ରୁ ଅଧିକ ଷ୍ଟାର୍ଟଅପ ସାମରିକ ଉପଯୋଗ ଲାଗି ପ୍ରଯୁକ୍ତି ଓ ଉତ୍ପାଦ ବିକାଶିତ କରିଛନ୍ତି।

ବନ୍ଧୁଗଣ, ମୁଁ ଆଉ ଗୋଟିଏ କଥା ଆପଣମାନଙ୍କ ସମ୍ମୁଖରେ ଖୋଲା ମନରେ ବ୍ୟକ୍ତ କରିବାକୁ ଚାହୁଁଛି। ଆତ୍ମନିର୍ଭର ଭାରତ ପାଇଁ ଆମର ସଂକଳ୍ପ ନେବା ସମୟରେ ଆମେ କେବଳ ନିଜ କଥା ଚିନ୍ତା କରୁନାହୁଁ। ବିଶ୍ୱ ଅର୍ଥବ୍ୟବସ୍ଥାକୁ ଅଧିକ ସହନଶୀଳ, ଅଧିକ ସ୍ଥିର କରିବା ଲାଗି ବିଶ୍ୱ ଶାନ୍ତି ନିମନ୍ତେ ଏକ ସକ୍ଷମ ଭାରତ ନିର୍ମାଣ ଏହାର ଲକ୍ଷ୍ୟ। ଏହି ଭାବନା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ମଧ୍ୟ ରହିଛି। ନିଜର ଅନେକ ବନ୍ଧୁ ରାଷ୍ଟ୍ର ନିମନ୍ତେ ପ୍ରତିରକ୍ଷା ଉତ୍ପାଦନର ଭରସାଯୋଗ୍ୟ ଯୋଗାଣକାରୀ ହେବାର କ୍ଷମତା ଭାରତ ନିକଟରେ ରହିଛି। ଏହା ଦ୍ୱାରା ଭାରତର ରଣନୈତିକ ଭାଗୀଦାରୀକୁ ଆହୁରି ବଳ ମିଳିବ ଏବଂ ଭାରତ ମହାସାଗର କ୍ଷେତ୍ରରେ ଭାରତର ସାମଗ୍ରୀକ ସୁରକ୍ଷା ଯୋଗାଣକାରୀ ଭୂମିକା ଆହୁରି ସୁଦୃଢ଼ ହେବ।

ସାଥୀଗଣ, ସରକାରଙ୍କ ପ୍ରୟାସ ଓ ପ୍ରତିବଦ୍ଧତା ଆପଣମାନଙ୍କ ସମ୍ମୁଖରେ ରହିଛି। ଏବେ ଆତ୍ମନିର୍ଭର ଭାରତର ସଂକଳ୍ପକୁ ଆମେ ମିଶି ସିଦ୍ଧ କରିପାରିବା। ଘରୋଇ କ୍ଷେତ୍ର ହେଉ ଅବା ରାଷ୍ଟ୍ରାୟତ୍ତ କ୍ଷେତ୍ର, କିମ୍ବା ପୁଣି ବିଦେଶୀ ଭାଗୀଦାର, ଆତ୍ମନିର୍ଭର ଭାରତ ସମସ୍ତଙ୍କ ଲାଭଦାୟକ ସଂକଳ୍ପ। ଏଥିପାଇଁ ଆପଣମାନଙ୍କୁ ଏକ ଉନ୍ନତ ଇକୋସିଷ୍ଟମ ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିବଦ୍ଧ।

ଏଠାରେ ଆପଣମାନଙ୍କ ପକ୍ଷରୁ ଯେଉଁ ପରାମର୍ଶ ଦିଆଯାଇଛି ସେଗୁଡ଼ିକ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ମୁଁ ଜାଣିବାକୁ ପାଇଛି ଯେ ପ୍ରତିରକ୍ଷା ଉତ୍ପାଦନ ଏବଂ ରପ୍ତାନି ପ୍ରୋତ୍ସାହନ ନୀତିର ଡ୍ରାଫ୍ଟ ସମସ୍ତ ଅଂଶୀଦାରମାନଙ୍କୁ ଯୋଗାଇ ଦିଆଯାଇଛି। ଆପଣମାନଙ୍କ ମତାମତକୁ ଆଧାର କରି ଏହି ନୀତିକୁ ଯଥାଶୀଘ୍ର ଲାଗୁ କରିବାରେ ସହାୟତା ମିଳିପାରିବ। ଏହା ମଧ୍ୟ ଜରୁରି ଯେ ଆଜିର ଏହି ସେମିନାର ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଆୟୋଜନ କରାଯିବା ଆବଶ୍ୟକ। ଉଦ୍ୟୋଗ ଏବଂ ସରକାରଙ୍କ ମଧ୍ୟରେ ଲଗାତାର ବିଚାର-ବିମର୍ଶ ଏବଂ ମତ ବିନିମୟ ଏକ ସ୍ୱଭାବିକ ସଂସ୍କୃତିରେ ପରିଣତ ହେବା ଉଚିତ।

ମୋର ବିଶ୍ୱାସ ଯେ ଏପରି ସାମୂହିକ ପ୍ରୟାସ ବଳରେ ଆମର ସଂକଳ୍ପ ସିଦ୍ଧ ହୋଇପାରିବ। ମୁଁ ପୁଣିଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିଜର ମୂଲ୍ୟବାନ ସମୟ ଦେବା ନିମନ୍ତେ ଧନ୍ୟବାଦ ଜଣାଉଛି। ଆମେ ସମସ୍ତେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମବିଶ୍ୱାସର ସହିତ ଲାଗିପଡ଼ିବା, ମୋର ବିଶ୍ୱାସ ରହିଛି ଯେ ଆମେ ଯେଉଁ ସଂକଳ୍ପ ନେଉଛୁ, ତାହାକୁ ପୂରଣ କରିବାରେ ଆମେ ସମସ୍ତେ ନିଜ ଉତ୍ତରଦାୟିତ୍ୱକୁ ଖୁବ ଭଲ ଭାବେ ନିର୍ବାହ କରିବୁ।

ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି।

ବହୁତ ବହୁତ ଧନ୍ୟବାଦ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”