ଆତ୍ମନିର୍ଭର ଭାରତ ଅଭିଯାନର ସଫଳତା ପାଇଁ ପ୍ରମୁଖ ଦାୟିତ୍ୱ ଭାରତୀୟ ଉଦ୍ୟୋଗ ଜଗତ ନିକଟରେ ରହିଛି : ପ୍ରଧାନମନ୍ତ୍ରୀ
ଏକଦା ବିଦେଶୀ ନିବେଶକୁ ନେଇ ଶଙ୍କାଗ୍ରସ୍ତ ଥିବା ଭାରତ ଏବେ ସବୁପ୍ରକାରର ନିବେଶକୁ ସ୍ୱାଗତ କରୁଛି : ପ୍ରଧାନମନ୍ତ୍ରୀ
ବର୍ତ୍ତମାନ ଭାରତ ନିର୍ମିତ ଉତ୍ପାଦ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ
ଆମର ଉଦ୍ୟୋଗ ଜଗତ ପ୍ରତି ଦେଶର ବିଶ୍ୱାସ ଫଳରେ ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆସିଛି। କମ୍ପାନୀ ଆଇନରେ ହୋଇଥିବା ପରିବର୍ତ୍ତନ ଏହାର ଉଦାହରଣ : ପ୍ରଧାନମନ୍ତ୍ରୀ
ଆଜି ଦେଶରେ ଏପରି ସରକାର ଅଛି ଯାହା ରାଷ୍ଟ୍ରର ସ୍ୱାର୍ଥ ପାଇଁ ସବୁଠୁ ବଡ଼ ରିସ୍କ ନେବା ଲାଗି ପ୍ରସ୍ତୁତ, ପୂର୍ବ ସରକାରଙ୍କ ନିକଟରେ ରାଜନୈତିକ ରିସ୍କ ନେବାର ସାହସ ନଥିଲା : ପ୍ରଧାନମନ୍ତ୍ରୀ
ଏ ସରକାର ସବୁଠୁ କଷ୍ଟକର ସଂସ୍କାର କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତୁତ କାରଣ ଏ ସରକାର ପାଇଁ ସଂସ୍କାର ବାଧ୍ୟବାଧକତା ନୁହେଁ ପ୍ରତିବଦ୍ଧତାର ବିଷୟ : ପ୍ରଧାନମନ୍ତ୍ରୀ
ପୁରୁଣାକାଳିଆ ଟିକସ ବ୍ୟବସ୍ଥାର ଉଚ୍ଛେଦ ସରକାର ଓ ଉଦ୍ୟୋଗ ମଧ୍ୟରେ ବିଶ୍ୱାସକୁ ଦୃଢ଼ କରିବ : ପ୍ରଧାନମନ୍ତ୍ରୀ

ନମସ୍କାର,

ଭାରତର ପ୍ରଗତିକୁ ତ୍ୱରାନ୍ୱିତ କରୁଥିବା ଶିଳ୍ପଜଗତର ସମସ୍ତ ମହାନ୍ ବ୍ୟକ୍ତିମାନଙ୍କୁ, ସିଆଇଆଇର ସମସ୍ତ ସଦସ୍ୟବୃନ୍ଦଙ୍କୁ ମୋର ନମସ୍କାର । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀଗଣ, ସିଆଇଆଇର ସଭାପତି ଶ୍ରୀ ଟି . ବି. ନରେନ୍ଦ୍ରନ ମହୋଦୟ, ଉଦ୍ୟୋଗ ଜଗତର ସମସ୍ତ ନେତୃବୃନ୍ଦ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ଦେଶର କୂଟନୀତିଜ୍ଞଗଣ, ବିଭିନ୍ନ ଦେଶରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତମାନେ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାମାନେ!

ବୈଶ୍ୱିକ ମହାମାରୀର ଏହି ସମୟରେ ଆଜିର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏତେ ବଡ ସଙ୍କଟ ମଧ୍ୟରେ ଆମେ ସରକାର ଏବଂ ଭାରତର ଉଦ୍ୟୋଗ ଜଗତର ସହଭାଗିତାକୁ ମଜବୁତ ହେଉଥିବା ମଧ୍ୟ ଦେଖୁଛୁ । ମାସ୍କ, ପିପିଇ, ଭେଂଟିଲେଟରଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ, ଦେଶକୁ ଯାହା ବି ଆବଶ୍ୟକ ହୋଇଛି, ଯେତେବେଳେ ବି ଆବଶ୍ୟକ ହୋଇଛି, ଉଦ୍ୟୋଗ ଜଗତ ଆଗେଇ ଆସି ଯଥା ସମ୍ଭବ ସାହାଯ୍ୟ କରିଛି । ଉଦ୍ୟୋଗ ଜଗତର ଆପଣ ସମସ୍ତ ବନ୍ଧୁ, ସବୁ ସଂଗଠନ ଭାରତର ବିକାଶ କାହାଣୀର ପ୍ରମୁଖ ଅଂଶ ହୋଇ ରହିଛନ୍ତି । ଆପଣ ସମସ୍ତଙ୍କ ପ୍ରୟାସରେ ଭାରତର ଅର୍ଥନୀତି ପୁଣି ଥରେ ଗତିଶୀଳ ହେଉଛି । ଆଜି ବୋଧହୁଏ ଏମିତି କୌଣସି ଦିନ ନାହିଁ ଯେଉଁଦିନ ନୂତନ ସୁଯୋଗକୁ ନେଇ କୌଣସି ନା କୌଣସି ସିଇଓଙ୍କର ବିବୃତି ଆସୁନାହିଁ କିମ୍ବା କୌଣସି ରିପୋର୍ଟ ବାହାରୁ ନାହିଁ । ଆଇଟି କ୍ଷେତ୍ରରେ ରେକର୍ଡ ସଂଖ୍ୟକ ନିଯୁକ୍ତି ସମ୍ପର୍କିତ ରିପୋର୍ଟ ମଧ୍ୟ ଆମେ ଦେଖିଛୁ । ଏହା ଦେଶରେ ଡିଜିକରଣ ଏବଂ ଚାହିଦା ବୃଦ୍ଧିର ପରିଣାମ ଅଟେ । ଏଭଳି ସ୍ଥିତିରେ ଆମର ପ୍ରୟାସ ହେବା ଉଚିତ ଯେ ଆମେ ଏହି ନୂତନ ସୁଯୋଗଗୁଡିକର ଉପଯୋଗ କରି ନିଜର ଲକ୍ଷ୍ୟ ଆଡକୁ ଦୁଇଗୁଣା ଗତିରେ ଅଗ୍ରସର ହେଉ ।

ବନ୍ଧୁଗଣ,

ଚଳିତ ଥର ସିଆଇଆଇର ଏହି ବୈଠକ ୭୫ତମ ସ୍ୱାଧୀନତା ଦିବସର ପରିବେଶରେ, ଆଜାଦୀର ଅମୃତ ମହୋତ୍ସବ ମଧ୍ୟରେ ଅନୁଷ୍ଠିତ ହେଉଛି । ଭାରତୀୟ ଉଦ୍ୟୋଗ ଜଗତର ନୂତନ ସଙ୍କଳ୍ପ ପାଇଁ, ନୂତନ ଲକ୍ଷ୍ୟଗୁଡିକ ପାଇଁ ଏହା ଖୁବ ବଡ ସୁଯୋଗ । ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାର ଖୁବ୍ ବଡ ଦାୟିତ୍ୱ ଭାରତୀୟ ଉଦ୍ୟୋଗ ଜଗତ ଉପରେ ରହିଛି । ଏବଂ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ସରକାର ଆପଣମାନଙ୍କ ସହ ଅଛନ୍ତି, ଆପଣମାନଙ୍କ ପ୍ରତିଟି ପ୍ରୟାସ ସହିତ ରହିଛନ୍ତି । ଆଜି ଦେଶରେ ବିକାଶକୁ ନେଇ ଯେଉଁ ପରିବେଶ ସୃଷ୍ଟି ହୋଇଛି, ଆପଣମାନଙ୍କ ସାମର୍ଥ୍ୟ ପ୍ରତି ଯେଉଁ ଆସ୍ଥା ସୃଷ୍ଟି ହୋଇଛି, ଭାରତୀୟ ଉଦ୍ୟୋଗ ଜଗତକୁ ତାର ସମ୍ପୁର୍ଣ୍ଣ ଫାଇଦା ଉଠାଇବା ଉଚିତ୍ । ବିଗତ ବର୍ଷଗୁଡିକରେ ଭାରତରେ ଯେଉଁସବୁ ପରିବର୍ତନ ଘଟିଛି, ତାହା ସରକାରଙ୍କ ଚିନ୍ତାଧାରା ବା ଆଭିମୁଖ୍ୟରେ ହେଉ, ସରକାରୀ ବ୍ୟବସ୍ଥାଗୁଡିକର କାର୍ଯ୍ୟ କରିବାର ଶୈଳୀରେ ହେଉ, ସେସବୁ ଆପଣମାନେ ସମସ୍ତେ ସ୍ୱୟଂ ଅନୁଭବ କରୁଛନ୍ତି, ଦେଖୁଛନ୍ତି । ଆଜିର ନୂତନ ଭାରତ, ନୂଆ ବିଶ୍ୱ ସହ ତାଳ ଦେଇ ଚାଲିବା ପାଇଁ ପ୍ରସ୍ତୁତ ଅଛି, ତତ୍ପର ଅଛି । ଏକଦା ଯେଉଁ ଭାରତ ବିଦେଶୀ ପୁଞ୍ଜି ନିବେଶକୁ ନେଇ ଭୀତତ୍ରସ୍ତ ଥିଲା, ଆଜି ସେ ସବୁ ପ୍ରକାରର ପୁଞ୍ଜିନିବେଶକୁ ସ୍ୱାଗତ କରୁଛି । ଯେଉଁ ଭାରତର ଟିକସ ସହ ଜଡିତ ନୀତିଗୁଡିକୁ ନେଇ ଏକଦା ନିବେଶକଙ୍କ ମଧ୍ୟ ନିରାଶା ଭାବ ସୃଷ୍ଟି ହେଉଥିଲା, ଆଜି ସେହି ଭାରତରେ ଦୁନିଆର ସବୁଠାରୁ ପ୍ରତିଯୋଗୀତାମୂଳକ କର୍ପୋରେଟ ଟିକସ ଏବଂ ମୁଖବିହୀନ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।

 

ଯେଉଁ ଭାରତରେ ଦସ୍ତାବିଜ, କାଗଜପତ୍ର, ଆଇନରେ ଫସେଇ ରଖିବାକୁ ଅମଲାତନ୍ତ୍ରର ପରିଚୟ ଭାବେ ବିବେଚନା କରାଯାଉଥିଲା, ଆଜି ସେହି ଭାରତ ସହଜରେ ବ୍ୟବସାୟ କରିବା ତାଲିକାରେ ଶୀର୍ଷ ସ୍ଥାନ ଅକ୍ତିଆର କରିବାରେ ଲାଗିଛି । ଯେଉଁଠାରେ ବର୍ଷ ବର୍ଷ ଧରି ଶ୍ରମିକମାନଙ୍କୁ, ଶିଳ୍ପ ଜଗତକୁ ଶହ ଶହ ଆଇନର ଜାଲ ଭିତରେ ଛନ୍ଦି ଦିଆଯାଉଥିଲା, ସେହିଠାରେ ହିଁ ଆଜି ଅନେକ ଶ୍ରମ ଆଇନକୁ ୪ଟି ଶ୍ରମ କୋଡରେ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁଠାରେ ଏକଦା କୃଷିକୁ ଜୀବିକା ନିର୍ବାହର ମାଧ୍ୟମ ଭାବରେ ବିବେଚନା କରାଯାଉଥିଲା, ସେହିଠାରେ ଏବେ କୃଷି କ୍ଷେତ୍ରରେ ଐତିହାସିକ ସଂସ୍କାର ମାଧ୍ୟମରେ ଭାରତୀୟ କୃଷକମାନଙ୍କୁ ଦେଶ ବିଦେଶର ବଜାର ସହ ସିଧାସଳଖ ଯୋଡିବାର ପ୍ରୟାସ କରାଯାଉଛି । ଏହି ସବୁ ପ୍ରୟାସର ଫଳ ଏହା ଯେ ଆଜି ଭାରତକୁ ରେକର୍ଡ ପରିମାଣର ଏଫଡିଆଇ ମଧ୍ୟ ଆସୁଛି ଏବଂ ଏଫପିଆଇରେ ମଧ୍ୟ ନୂତନ ରେକର୍ଡ ସୃଷ୍ଟି ହେଉଛି । ଆଜି ଦେଶର ଫୋରେକ୍ସ ରିଜର୍ଭ ମଧ୍ୟ ସର୍ବକାଳୀନ ଉଚ୍ଚ ସ୍ତରରେ ପହଂଚିଛି ।

ବନ୍ଧୁଗଣ,

ନୂତନ ଭାରତର ଚିନ୍ତନ ପ୍ରକ୍ରିୟା କ’ଣ, ତା’ର ଏକ ଉଦାହରଣ ମୁଁ ଆପଣମାନଙ୍କୁ ଦେବାକୁ ଚାହେଁ । ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଭାବୁଥିଲୁ ଯେ ଯାହା କିଛି ବି ବିଦେଶୀ, ତାହାସବୁ ଭଲ । ଏହି ମନସ୍ତତ୍ୱର ପରିଣାମ କ’ଣ ହେଲା, ଏହା ଆପଣମାନଙ୍କ ଭଳି ଶିଳ୍ପଜଗତର ଅଗ୍ରଗୂତମାନେ ଭଲଭାବରେ ଜାଣନ୍ତି । ଆମର ନିଜସ୍ୱ ବ୍ରାଣ୍ଡ, ଯାହାକୁ ଆମେ ବର୍ଷ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଛିଡା କରିଥିଲୁ, ସେଗୁଡିକୁ ବିଦେଶୀ ନାମରେ ହିଁ ପ୍ରଚାର କରାଯାଉଥିଲା । ଆଜି ପରିସ୍ଥିତି ଦୃତ ଗତିରେ ବଦଳି ଚାଲିଛି । ଆଜି ଦେଶବାସୀଙ୍କ ଭାବନା, ଭାରତରେ ପ୍ରସ୍ତୁତ ଉତ୍ପାଦ ସହିତ ଯୋଡି ହୋଇଛି । କମ୍ପାନୀ ଭାରତୀୟ ହେବା ଜରୁରୀ ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ, ଭାରତରେ ପ୍ରସ୍ତୁତ ଉତ୍ପାଦକୁ ଆପଣାଇବାକୁ ଚାହୁଁଛନ୍ତି । ଅର୍ଥାତ୍ ଦେଶ ନିଜର ନିଷ୍ପତି ନେଇସାରିଛି, ଏବେ ଉଦ୍ୟୋଗ ଜଗତକୁ ଏହି ମାନସିକତା ଅନୁଯାୟୀ ନିଜର ନୀତି ପ୍ରସ୍ତୁତ କରିବାକୁ ପଡିବ, ରଣନୀତି ତିଆରି କରିବାକୁ ପଡିବ । ଆତ୍ମନିର୍ଭର ଭାରତ ଅଭିଯାନରେ ଆଗକୁ ବଢି ଏହା ଆପଣମାନଙ୍କୁ ଅନେକ ସହାୟତା ଯୋଗାଇବ ।

ଅନ୍ୟ ଏକ କାରଣ ରହିଛି, ଯାହା ଉପରେ ମଧ୍ୟ ଆପଣମାନେ ଧ୍ୟାନ ଦେବା ଆବଶ୍ୟକ । ଏହା ହେଉଛି ଭାରତବାସୀଙ୍କ ବୃଦ୍ଧି ପାଇ ଚାଲିଥିବା ଆତ୍ମବିଶ୍ୱାସ । ଏହି ଆତ୍ମବିଶ୍ୱାସକୁ ଆମେ ସବୁ କ୍ଷେତ୍ରରେ ଦେଖୁଛୁ । ଆପଣମାନେ ନିକଟରେ ଏହାକୁ ଅଲିମ୍ପିକ୍ସ ପଡିଆରେ ଅନୁଭବ କରିଛନ୍ତି । ଆଜି ଯେତେବେଳେ ଭାରତର ଯୁବା ପଡିଆକୁ ଓହ୍ଲାଉଛନ୍ତି, ତ ସେମାନଙ୍କ ମନରେ ଆଉ ସେହି ଦ୍ୱିଧା ନାହିଁ । ସେମାନେ ପରିଶ୍ରମ କରିବାକୁ ଚାହାନ୍ତି, ସେମାନେ ସଙ୍କଟର ମୁକାବିଲା କରିବାକୁ ଚାହାନ୍ତି । ଆମେ ଏଥିପାଇଁ ହକଦାର, ଏହି ଭାବନା ଆଜି ଆମେ ଆବ ଯୁବପିଢୀ ଭିତରେ ଦେଖୁଛୁ । ଏହିଭଳି ଆତ୍ମବିଶ୍ୱାସ ଆଜି ଭାରତର ଷ୍ଟାର୍ଟଅପସ୍‌ରେ ରହିଛି । ଆଜି ୟୁନିକର୍ଣ୍ଣ ନୂତନ ଭାରତର ପରିଚୟ ମଧ୍ୟ ହେବାରେ ଲାଗିଛି । ୭-୮ ବର୍ଷ ପୂର୍ବରୁ ଭାରତରେ ବୋଧହୁଏ ୩-୪ଟି ୟୁନିକର୍ଣ୍ଣ ଥିବ । ଆଜି ଭାରତରେ ପାଖାପାଖି ୬୦ଟି ୟୁନିକର୍ଣ୍ଣ ଅଛି । ଏଥିମଧ୍ୟରୁ ୨୧ଟି ୟୁନିକର୍ଣ୍ଣ ତ ଗତ କିଛି ମାସ ମଧ୍ୟରେ ସ୍ଥାପିତ ହୋଇଛି । ଏବଂ ଏହି ବିଷୟ ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ ଏହି ୟୁନିକର୍ଣ୍ଣ, ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସୁଛି । ହେଲ୍‌ଥ -ଟେକ୍‌, ସୋସିଆଲ କମର୍ସ କ୍ଷେତ୍ରରେ ୟୁନିକର୍ଣ୍ଣ ସ୍ଥାପିତ ହେବା ଏହି ସଙ୍କେତ ଦେଉଛି ଯେ ଭାରତରେ ପ୍ରତିଟି ସ୍ତରରେ କେତେ ପରିବର୍ତନ ହେଉଛି । ବ୍ୟବସାୟରେ ଆଶଙ୍କାର ସମ୍ମୁଖୀନ ହେବାର ପ୍ରବୃତି, ନିଜର ସାମର୍ଥ୍ୟ ଉପରେ ଭରସା କରିବାର ପ୍ରବୃତି କ୍ରମାଗତ ବୃଦ୍ଧି ପାଉଛି । ଏତେ ବଡ ମହାମାରୀ ମଧ୍ୟରେ ବି ଆମର ଷ୍ଟାର୍ଟ ଅପସର ଅଭିଳାଷ ଶିଖରରେ ରହିଛି । ନିବେଶକଙ୍କଠାରୁ ମଧ୍ୟ ଭାରତୀୟ ଷ୍ଟାର୍ଟ ଅପସ ପାଇଁ ରେକର୍ଡ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଷ୍ଟାର୍ଟ ଅପସର ରେକର୍ଡ ତାଲିକାକାରଣ ଭାରତୀୟ କମ୍ପାନୀ ଏବଂ ଭାରତୀୟ ବଜାର ନିମନ୍ତେ ଏକ ନୂଆ ଯୁଗର ପ୍ରାରମ୍ଭ ଅଟେ । ଭାରତ ନିକଟରେ ଅଭିବୃଦ୍ଧିର ଅସାଧାରଣ ସୁଯୋଗ ଉପଲବ୍ଧ ଅଛି, ଅତୁଳନୀୟ ପରିସର ରହିଛି, ଏକଥା ମଧ୍ୟ ତାହାର ଅନ୍ୟ ଏକ ପ୍ରମାଣ ।

ବନ୍ଧୁଗଣ,

ବୈଷୟିକ ଜ୍ଞାନକୁ ନେଇ ଆଜି ଦେଶରେ ଯେଉଁ ଉତ୍ସାହ ରହିଛି, ସଂସ୍କାରମୂଳକ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ପାଇଁ ତାହା ସରକାରଙ୍କୁ ପ୍ରେରଣା ଯୋଗାଉଛି । ଯେଉଁସବୁ ସଂସ୍କାର ଆମେ କାର୍ଯ୍ୟକାରୀ କରିଛୁ ତାହା କୌଣସି ସହଜ ନିଷ୍ପତି ନଥିଲା, କୌଣସି ସାଧାରଣ ପରିବର୍ତନ ନଥିଲା । ଏହିସବୁ ସଂସ୍କାର ପାଇଁ ଦଶନ୍ଧି ଦଶନ୍ଧି ଧରି ଦାବି କରାଯାଇ ଆସୁଥିଲା, ଏହାର ଆବଶ୍ୟକତା ବିଷୟରେ ସମସ୍ତେ କହୁଥିଲେ । ଏ ବିଷୟରେ ଆଲୋଚନା ତ ବହୁତ ହେଉଥିଲା, କିନ୍ତୁ ନିଷ୍ପତି ନିଆଯାଉ ନଥିଲା କାରଣ ଏକଥା ସ୍ୱୀକାର କରି ନିଆଯାଇଥିଲା ଯେ ଏହି ପରିବର୍ତନ ଆଣିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଆପଣମାନେ ମଧ୍ୟ ଦେଖିଲେ ଯେ ଆମେ ସେହି ନିଷ୍ପତିକୁ କେତେ ଦୃଢତାର ସହ ନିଷ୍ପତି ନେଲୁ ଏପରିକି ମହାମାରୀ ସମୟରେ ମଧ୍ୟ ସଂସ୍କାରର ପ୍ରକ୍ରିୟାକୁ ଜାରି ରଖିଥିଲୁ । ଏବଂ ଆପଣମାନେ ଏହା ମଧ୍ୟ ଦେଖୁଛନ୍ତି ଯେ ଦେଶ କିଭଳି ଏହି ନିଷ୍ପତିର ସମର୍ଥନରେ ଛିଡା ହୋଇଛି । ଯେଭଳି ବ୍ୟାବସାୟିକ କୋଇଲା ଉତୋଳନର ଆରମ୍ଭ କରାଯାଇଛି, ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଖୋଲାଖୋଲି ପ୍ରୋତ୍ସାହନ ଦିଆଯାଉଛି, ପ୍ରତିରକ୍ଷା କ୍ଷେତ୍ରରେ ବଡ ବଡ ସଂସ୍କାରର ଆରମ୍ଭ କରାଯାଇଛି, ଅନ୍ତରୀକ୍ଷ ଏବଂ ପରମାଣୁ କ୍ଷେତ୍ର ଭଳି ସ୍ଥାନ ମଧ୍ୟ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରାଯାଇଛି । ଆଜି ଅଣ ନୀତିଗତ କ୍ଷେତ୍ର ସହିତ ନୀତିଗତ କ୍ଷେତ୍ରରେ ମଧ୍ୟ ଘରୋଇ ସଂସ୍ଥାଗୁଡିକୁ ସୁଯୋଗ ଦିଆଯାଉଛି, ସରକାରଙ୍କ ନିୟନ୍ତ୍ରଣକୁ ହ୍ରାସ କରାଯାଉଛି । ଏହିସବୁ କଠୋର ନିଷ୍ପତି ଆଜି ସମ୍ଭବ ହେଉଛି କାରଣ ଦେଶ ନିଜର ଘରୋଇ କ୍ଷେତ୍ର ଉପରେ, ଆପଣ ସମସ୍ତଙ୍କ ଉପରେ ଭରସା କରୁଛି । ଏହିସବୁ କ୍ଷେତ୍ରରେ ଆମର କମ୍ପାନୀଗୁଡିକ ଯେତେଯେତେ ସକ୍ରିୟ ହେବେ ସେସବୁରେ ସମ୍ଭାବନାର ବିସ୍ତାର ଘଟିବ । ଆମର ଯୁବାପିଢୀକୁ ଅଧିକରୁ ଅଧିକ ସୁଯୋଗ ମିଳିବ, ଅଭିନବତାର ଏକ ନୂଆ ଯୁଗର ପ୍ରାରମ୍ଭ ହେବ ।

ବନ୍ଧୁଗଣ,

ଆମର ଶିଳ୍ପ ଉପରେ ଦେଶର ବିଶ୍ୱାସର ଫଳ ଏଇଆ ଯେ ଆଜି ସହଜରେ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି, ଏବଂ ସହଜରେ ଜୀବନ ଧାରଣରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି । କମ୍ପାନୀ ଆଇନରେ କରାଯାଇଥିବା ପରିବର୍ତନ ଏହାର ବହୁତ ବଡ ଉଦାହରଣ ଅଟେ । ଆଜି ଏଭଳି ଅନେକ ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଉଛି । ଯେଉଁଗୁଡିକ କେବେ ଆମର ଉଦ୍ୟୋଗୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ଥିଲା । ଏହିଭଳି, ଏମଏସଏଇ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଯାହା ସେସବୁକୁ ସିମୀତ କରୁଥିବା ଅସହାୟତାରୁ ମୁକ୍ତି ଦେବ । ରାଜ୍ୟସ୍ତରର ସଂସ୍କାର ଉପରେ ମଧ୍ୟ ଆଜି ବିଶେଷ ଧ୍ୟାନ ଦିଆଯାଉଛି, ରାଜ୍ୟଗୁଡିକୁ ମଧ୍ୟ ଅଂଶୀଦାର କରାଯାଇଛି ଏବଂ ସେମାନଙ୍କୁ ଅତିରିକ୍ତ ବ୍ୟୟ ସୁବିଧା ପ୍ରଦାନ କରାଯାଉଛି । ମେକ ଇନ୍ ଇଣ୍ଡିଆ ସହିତ ରୋଜଗାର ଏବଂ ରପ୍ତାନୀକୁ  ଗତି ପ୍ରଦାନ ପାଇଁ ଦେଶ ପ୍ରଭାବଶାଳୀ ପିଏଲଆଇ ଯୋଜନାଗୁଡିକର ମଧ୍ୟ ଆରମ୍ଭ କରିଛି । ଏହି ସମସ୍ତ ସଂସ୍କାର ଆଜି ଏଇଥିପାଇଁ ହୋଇପାରୁଛି କାରଣ ଦେଶରେ ଯେଉଁ ସରକାର ଅଛନ୍ତି, ସେ ବାଧ୍ୟବାଧକତାରେ ସଂସ୍କାର କରୁନାହାନ୍ତି ବରଂ ସଂସ୍କାର ଆମ ପାଇଁ ଦୃଢ ଆସ୍ଥାର ବିଷୟ ପାଲଟିଛି । ଆଜି ମଧ୍ୟ ଆମର ସଂସ୍କାର ଗୁଡିକର ବେଗ ପ୍ରଖର ରହିଛି । ଏବେ ସଂସଦର ଏହି ଅଧିବଶେନରେ ଏଭଳି ଅନେକ ବିଲ୍ ଗୃହୀତ ହୋଇଛି ଯାହା ଦେଶକୁ ଏହି ପ୍ରୟାସଗୁଡିକ ଆଡକୁ ଆଗେଇ ନେବ । ଫାକ୍ଟରିଂ ନିୟାମକ ସଂଶୋଧନ ବିଲ୍ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ହାସଲ କରିବା ନିମନ୍ତେ ସହାୟକ ହେବ । ଜମା ବୀମା ଏବଂ ଋଣ ଗ୍ୟାରେଂଟି ନିଗମ ସଂଶୋଧନ ବିଲ୍ କ୍ଷୁଦ୍ର ଜମାକାରୀମାନଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିପାରିବ । ଏବେ ନିକଟରେ ହିଁ ଆମେ ଅତୀତର ଦୋଷ ତୃଟିଗୁଡିକୁ ସୁଧାରି ପିଛିଲା ଭାବେ ଲାଗୁ ହେଉଥିବା ଟିକସ ବ୍ୟବସ୍ଥାକୁ ମଧ୍ୟ ସମାପ୍ତ କରିବା ପାଇଁ ନିଷ୍ପତି ନେଇଛୁ । ଏହି ନିଷ୍ପତିର ଶିଳ୍ପ ଜଗତରେ ଯେଉଁଭଳି ଭାବରେ ପ୍ରଶଂସା ହେଉଛି ମୋର ବିଶ୍ୱାସ ଯେ ଏହାଦ୍ୱାରା ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ବିଶ୍ୱାସ ଆହୁରି ମଜବୁତ୍ ହେବ ।

ବନ୍ଧୁଗଣ,

ଆଜି ଦେଶରେ ସେହି ସରକାର ଅଛନ୍ତି ଯିଏ ରାଷ୍ଟ୍ରହିତରେ ବଡ ବଡ ଆଶଙ୍କାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ । ଆପଣଙ୍କର ମନେଥିବ ଜିଏସଟି ଏତେ ବର୍ଷ ପର୍ଯ୍ୟନ୍ତ ଅଟକି ରହିଲା, ଏଥିପାଇଁ କାରଣ ପୂର୍ବ ସରକାରଙ୍କ ମଧ୍ୟରେ ସେହି ରାଜନୈତିକ ସାହସପୂର୍ଣ୍ଣ ପଦକ୍ଷେପ ନେବାର ଶକ୍ତି ନଥିଲା । ଆମେ କେବଳ ଜିଏସଟି ପ୍ରଚଳନ କରିନାହୁଁ, ବରଂ ଆଜି ଆମେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହକୁ ଦେଖୁଛୁ । ଏହିଭଳି କେତେଯେ ଉଦାହରଣ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିବି । ଆଜି ଆପଣମାନଙ୍କ ନିକଟରେ ଏଭଳି ଏକ ସରକାର ଅଛି ଯିଏ ପ୍ରତିଟି ପ୍ରତିବନ୍ଧକକୁ ଦୂର କରି ଚାଲିଛି । ପ୍ରତିଟି ସୀମାକୁ ଘୁଂଚାଇବା ପାଇଁ ଉଦ୍ୟମ କରିଚାଲିଛି । ଆଜି ଏଭଳି ଏକ ସରକାର ରହିଛି, ଯିଏ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ଭାରତୀୟ ଶିଳ୍ପ ଜଗତର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ କୁହନ୍ତୁ ଏବେ ଆଉ କ’ଣ କ’ଣ କରିବାର ଅଛି?

ବନ୍ଧୁଗଣ,

ଆମର ପୂର୍ବଜମାନେ କହିଯାଇଛନ୍ତି ଯେ - ନୈକଂ ଚକ୍ରଂ ପରିଭ୍ରମତି । ଅର୍ଥାତ୍ କେବଳ ଗୋଟିଏ ଚକରେ କଦାପି ଗାଡି ଚାଲିପାରିବ ନାହିଁ । ସମସ୍ତ ଚକ ସଠିକ୍ ଭାବେ ଚାଲିବା ଉଚିତ୍ । ଏଥିପାଇଁ ଶିଳ୍ପକୁ ମଧ୍ୟ ସାହସିକ ପଦକ୍ଷେପ ନେବା ପାଇଁ ନିଜର ସ୍ୱାଭାବିକ ପ୍ରବୃତିକୁ ଆଉ ଟିକେ ବଢାଇବାକୁ ପଡିବ । ଆତ୍ମନିର୍ଭର ଭାରତର ସଙ୍କଳ୍ପକୁ ସିଦ୍ଧ କରିବା ପାଇଁ ଆହୁରି ନୂଆ ନୂଆ ଦୁର୍ଗମ ପଥକୁ ମଧ୍ୟ ବାଛିବାକୁ ହିଁ ପଡିବ । ପୁଞ୍ଜିନିବେଶ ଏବଂ ରୋଜଗାରର ଗତି ବଢାଇବା ପାଇଁ ଶିଳ୍ପ ଜଗତଠାରୁ ଦେଶ ମଧ୍ୟ ବହୁତ କିଛି ଆଶା ରଖିଛି । ସରକାରୀ କ୍ଷେତ୍ରର ପଦାଙ୍କକୁ ସୁସଂଗତ ଏବଂ ସିମୀତ କରିବା ନିମନ୍ତେ ମଧ୍ୟ ନୂଆ ରାଷ୍ଟ୍ରାୟତ ଉଦ୍ୟୋଗ ନୀତି ମାଧ୍ୟମରେ ନିର୍ଣ୍ଣାୟକ ନିଷ୍ପତି ନିଆଯାଉଛି । ଏଥିରେ ଶିଳ୍ପଜଗତ ପକ୍ଷରୁ ମଧ୍ୟ ଅଧିକରୁ ଅଧିକ ଉତ୍ସାହ ଏବଂ ଉର୍ଜା ଦେଖାଯିବା ଦରକାର ।

ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ଏକ ବହୁତ ବଡ ବଡ ପଦକ୍ଷେପ ଗ୍ରହଣ କରିଛି । ଏଥିରେ ସ୍କୁଲ, କୌଶଳରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ ଏକ ନୂଆ ବାତାବରଣ ବିକଶିତ କରିବାର ସମ୍ପୁର୍ଣ୍ଣ ରୋଡମ୍ୟାପ ରହିଛି । ଏଥିରେ ମଧ୍ୟ ଶିଳ୍ପର ସକ୍ରିୟ ଭୂମିକା ବେଶ ଜରୁରୀ ଅଟେ । ବିଶେଷକରି ଗବେଷଣା ଏବଂ ବିକାଶ ଉପରେ ପୁଞ୍ଜିନିବେଶକୁ ନେଇ ଆମକୁ ବେଶ ଗମ୍ଭୀରତାର ସହ କାର୍ଯ୍ୟ କରିବାକୁ ପଡିବ । ଆତ୍ମନିର୍ଭର ଭାରତ ନିମନ୍ତେ ଗବେଷଣା ଓ ବିକାଶ ଉପରେ ଆମର ପୁଞ୍ଜିନିବେଶକୁ ଆମକୁ ଅନେକ ଗୁଣ ବୃଦ୍ଧି କରିବାକୁ ହେବ ଏବଂ ଏହା କେବଳ ସରକାରୀ ପ୍ରୟାସ ଦ୍ୱାରା ସମ୍ଭବ ହୋଇ ପାରିବ ନାହିଁ । ଏଥିରେ ଶିଳ୍ପ ଜଗତର ବହୁତ ବଡ ଭାଗିଦାରୀର ଆବଶ୍ୟକତା ରହିଛି । ବ୍ରାଣ୍ଡ ଇଣ୍ଡିଆକୁ ମଜବୁତ୍ କରିବା ଆମର ଲକ୍ଷ୍ୟ । ଦେଶକୁ ସମୃଦ୍ଧି ଓ ସମ୍ମାନ ଦେବା ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ନିମନ୍ତେ ଆମକୁ ନିଜର ଭାଗିଦାରୀକୁ ମଜବୁତ୍ କରିବାକୁ ପଡିବ । ମୁଁ ଆପଣମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ନିମନ୍ତେ ଆପଣମାନଙ୍କର ପ୍ରତିଟି ପରାମର୍ଶ ପାଇଁ ପ୍ରତି ମୁହୁର୍ତରେ ଉପଲବଧ ଅଛି ଏବଂ ଆଗକୁ ମଧ୍ୟ ରହିବ । ମୁଁ ପୁଣିଥରେ ଏହି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଚାହିଁବି ଯେ ଆପଣମାନେ ଅନେକ ଅମୃତ ସଙ୍କଳ୍ପ କରିବା ନିମନ୍ତେ ପ୍ରେରିତ ହୁଅନ୍ତୁ ଏବଂ ସେହିସବୁ ସଙ୍କଳ୍ପ ସହିତ ନୂଆ ତେଜର ସହିତ ଆଗେଇ ଆସନ୍ତୁ । ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economy Grows 7.7% in FY26, 7.8% in Q4; Beats Estimates Despite Global Turmoil

Media Coverage

India's Economy Grows 7.7% in FY26, 7.8% in Q4; Beats Estimates Despite Global Turmoil
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Praggnanandhaa on his remarkable feat
June 06, 2026

Prime Minister Shri Narendra Modi today congratulated Praggnanandhaa for his remarkable feat. The Prime Minister noted that this is indeed an incredible milestone that highlights his continued excellence. Shri Modi also extended his best wishes to him for his future endeavours.

The Prime Minister posted on X:
"Congratulations to Praggnanandhaa for this remarkable feat!

This is indeed an incredible milestone that highlights his continued excellence.
My best wishes to him for his future endeavours.

@rpraggnachess"