ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକ ଉଦଘାଟିତ; ଏଗୁଡ଼ିକ ଭାରତର ଅଭିବୃଦ୍ଧି ଧାରାକୁ ତ୍ୱରାନ୍ୱିତ କରିବ : ପ୍ରଧାନମନ୍ତ୍ରୀ
କେରଳର ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଭାରତ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି
ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ପ୍ରତି ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି : ପ୍ରଧାନମନ୍ତ୍ରୀ
ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ସମୁଦାୟଙ୍କର ବିଶେଷ ଧ୍ୟାନ ଦେବା ଲାଗି ତାଙ୍କର ଅନୁରୋଧ ରକ୍ଷା କରିଥିବାରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚି ଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ଶ୍ରୀ ଭି. ମୁରଲୀଧରନ୍ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ବ୍ୟାପକ କ୍ଷେତ୍ରରେ ବିସ୍ତାରିତ ହୋଇ ରହିଛି। ଏହା ଭାରତର ଅଭିବୃଦ୍ଧି ଧାରାକୁ ତ୍ୱରାନ୍ୱିତ କରିବ। ସେ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ପ୍ରୋଫାଇଲିନ ଡେରିଭେଟିଭ ପେଟ୍ରୋକେମିକାଲ ପ୍ରକଳ୍ପ (ପିଡିପିପି) ବିଦେଶୀ ମୁଦ୍ରା ସଞ୍ଚୟ କରିବା ସହିତ ଆତ୍ମନିର୍ଭର ହେବା ଦିଗରେ ଭାରତର ଯାତ୍ରାକୁ ସୁଦୃଢ଼ କରିବାରେ ସହାୟକ ହେବ। ଏହା ଦ୍ୱାରା ବହୁସଂଖ୍ୟକ ଶିଳ୍ପସଂସ୍ଥା ବିକଶିତ ହେବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଆରଓ-ଆରଓ ନୌକା ସେବା ଫଳରେ, ପାଖାପାଖି 30 କିଲୋମିଟର ରାସ୍ତାକୁ ଜଳମାର୍ଗରେ ମାତ୍ର 3.5 କିଲୋମିଟର ଯାତ୍ରା କରି ଅତିକ୍ରମ କରିହେବ। ଏହା ଭିଡ଼ ହ୍ରାସ କରିବା ସହିତ ଅଧିକ ସୁବିଧାଜନକ, ବାଣିଜ୍ୟ ଅନକୂଳ ହେବା ସହିତ କ୍ଷମତା ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତ ସରକାର କେରଳରେ ଅନେକଗୁଡ଼ିଏ ପର୍ଯ୍ୟଟନ ସହ ଜଡ଼ିତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। କୋଚି ଠାରେ ଅନ୍ତର୍ଜାତୀୟ କ୍ରୁଜ ଟର୍ମିନାଲ ସାଗରିକାର ଉଦଘାଟନ ଏହାର ଏକ ଉଦାହରଣ। ସାଗରିକା କ୍ରୁଜ ଟର୍ମିନାଲ 1 ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇ ପାରିବ। ମହାମାରୀ କାରଣରୁ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲାଗୁ କରାଯାଇଥିବାରୁ ସ୍ଥାନୀୟ ପର୍ଯ୍ୟଟନ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହା ସ୍ଥାନୀୟ ପର୍ଯ୍ୟଟନ ଉଦ୍ୟୋଗ ସହିତ ଯୋଡ଼ି ହୋଇ ରହିଥିବା ଲୋକମାନଙ୍କ ପାଇଁ ଅତିରିକ୍ତ ଜୀବିକାର ଏକ ଭଲ ସୁଯୋଗ ଦେଇଛି ଏବଂ ଆମର ସଂସ୍କୃତି ଓ ଆମ ଯୁବକମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଛି। ଅଭିନବ ପର୍ଯ୍ୟଟନ ସଂକ୍ରାନ୍ତ ଉତ୍ପାଦ ସମ୍ପର୍କରେ ଚିନ୍ତା କରିବା ଲାଗି ସେ ଷ୍ଟାର୍ଟଅପଗୁଡ଼ିକୁ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ ପର୍ଯ୍ୟଟନ କ୍ଷେତ୍ର ବିଗତ 5 ବର୍ଷ ମଧ୍ୟରେ ଭଲ ଭାବେ ବୃଦ୍ଧି ପାଇଛି। ବିଶ୍ୱ ପର୍ଯ୍ୟଟନ ସୂଚକାଙ୍କ ମାନ୍ୟତାରେ, ଭାରତ 65ତମ ସ୍ଥାନରୁ ଉନ୍ନୀତ ହୋଇ 34ତମ ସ୍ଥାନରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ବିକାଶ ପାଇଁ ଭବିଷ୍ୟତ ଲାଗି ପ୍ରସ୍ତୁତ ଭିତ୍ତିଭୂମି ଏବଂ କ୍ଷମତା ବିକାଶ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରକ। ‘ବିଜ୍ଞାନ ସାଗର’ ବିକାଶ କାର୍ଯ୍ୟ ଓ ଦକ୍ଷିଣ କୋଇଲା ବର୍ଥର ପୁନଃନିର୍ମାଣ ଏହି ଦୁଇଟି କାରକ ଦିଗରେ ଯୋଗଦାନ ଦେବ। କୋଚିନ ଶିପୟାର୍ଡର ନୂତନ ଜ୍ଞାନ କେନ୍ଦ୍ର ବିଜ୍ଞାନ ସାଗର ମେରାଇନ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିବା ପିଲାମାନଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ। ଦକ୍ଷିଣ କୋଇଲା ବର୍ଥ ପରିବହନ ମୂଲ୍ୟ ହ୍ରାସ କରିବା ସହିତ କାର୍ଗୋ କ୍ଷମତାରେ ସୁଧାର ଆଣିବ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆଜି ଭିତ୍ତିଭୂମିର ପରିଭାଷା ଏବଂ ପରିସର ବଦଳି ଯାଇଛି। କେବଳ ଭଲ ରାସ୍ତା ନୁହେଁ, ବିକାଶମୂଳକ କାର୍ଯ୍ୟ ଓ କେତେକ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ମଧ୍ୟ ଏଥିରେ ସାମିଲ ହୋଇଛି। ଜାତୀୟ ଭିତ୍ତିଭୂମି ପାଇପଲାଇନ ଜରିଆରେ 110 ଲକ୍ଷ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ନୀଳ ଅର୍ଥବ୍ୟବସ୍ଥା ବିକଶିତ କରିବା ଲାଗି ଦେଶର ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ “ଏହି କ୍ଷେତ୍ରରେ ଆମର ଯୋଜନା ଏବଂ କାର୍ଯ୍ୟ ମଧ୍ୟରେ ସାମିଲ ରହିଛି : ଅଧିକ ବନ୍ଦର, ବର୍ତ୍ତମାନର ବନ୍ଦର ଭିତ୍ତିଭୂମିରେ ସୁଧାର, ଅଫଶୋର ଏନର୍ଜୀ, ଦୀର୍ଘସ୍ଥାୟୀ ଉପକୂଳ ବିକାଶ ଏବଂ ଉପକୂଳ ଯୋଗାଯୋଗ”। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମତ୍ସ୍ୟଜୀବୀ ସମୁଦାୟର ବିଭିନ୍ନ ଆବଶ୍ୟକତା ପ୍ରତି ଧ୍ୟାନ ଦେବ। ଏଥିରେ ଅଧିକ ୠଣ ଯୋଗାଣର ବ୍ୟବସ୍ଥା ରହିଛି। ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ସହିତ ସଂଯୋଗ କରାଯାଇଛି। ସେହିପରି ଭାରତକୁ ସାମୁଦ୍ରିକ ଖାଦ୍ୟ ଦ୍ରବ୍ୟ ରପ୍ତାନିର କେନ୍ଦ୍ରରେ ପରିଣତ କରିବା ଲାଗି କାର୍ଯ୍ୟ ଜାରି ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷର ବଜେଟରେ କେରଳର ଲାଭ ପାଇଁ ଆବଶ୍ୟକ ସମ୍ବଳ ଏବଂ ଯୋଜନାର ବ୍ୟବସ୍ଥା କରାଯାଇଛି। ଏଥିରେ କୋଚି ମେଟ୍ରୋର ପରବର୍ତ୍ତୀ ପର୍ଯ୍ୟାୟକୁ ସାମିଲ କରାଯାଇଛି।

ଭାରତ ଉତ୍ସାହୀ ଢଙ୍ଗରେ କରୋନା ମୁକାବିଲା କରିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି ବିଦେଶରେ ଥିବା ଭାରତୀୟ ବିଶେଷ କରି ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଥିବା ଭାରତୀୟମାନଙ୍କ ସହାୟତା ପାଇଁ ଭାରତ ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟମାନଙ୍କୁ ନେଇ ଭାରତ ଗର୍ବିତ। ବନ୍ଦେ ଭାରତ ମିଶନ ଅନ୍ତର୍ଗତ 50 ଲକ୍ଷରୁ ଅଧିକ ଭାରତୀୟ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କେରଳବାସିନ୍ଦା। ମଧ୍ୟପ୍ରାଚ୍ୟର ବିଭିନ୍ନ ଜେଲରେ ବନ୍ଦୀ ହୋଇ ରହିଥିବା ଭାରତୀୟମାନଙ୍କର ମୁକ୍ତି ପାଇଁ ଭାରତ ସରକାରଙ୍କ ପ୍ରୟାସକୁ ସମ୍ବେଦନଶୀଳତାର ସହିତ ଗ୍ରହଣ କରିଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ମଧ୍ୟପ୍ରାଚ୍ୟ ଦେଶର ଶାସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋର ବ୍ୟକ୍ତିଗତ ଅନୁରୋଧକୁ ରକ୍ଷା କରି ବହୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଆମ ସମୁଦାୟର ବିଶେଷ ଯତ୍ନ ନେଇଥିଲେ। ସେମାନେ ଭାରତୀୟଙ୍କ ଫେରିବା ପ୍ରତି ପ୍ରାଥମିକତା ଦେଉଛନ୍ତି। ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ବଢ଼ାଇବା ଲାଗି ଆମେ ଏୟାର ବବଲ୍ ପ୍ରତିଷ୍ଠା କରିଛୁ। ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ଭାରତୀୟମାନେ ଜାଣିବା ଉଚିତ ଯେ ସେମାନଙ୍କର କଲ୍ୟାଣ ପାଇଁ ମୋ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push