ଦେଶ ଉଦ୍ଦେଶ୍ୟରେ ଦୁଇଟି ସଡକ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି - ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ ଏବଂ କୁରାର ଅଣ୍ଡରପାସ୍ ପ୍ରକଳ୍ପ
“ମହାରାଷ୍ଟ୍ରରେ ରେଳବାଇ ଏବଂ ସଂଯୋଗ ପାଇଁ ଏକ ବହୁତ ବଡ଼ ଦିନ, କାରଣ ଗୋଟିଏ ଦିନରେ ଦୁଇଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଚାଲୁ କରାଯାଇଛି”
“ଏହି ବନ୍ଦେ ଭାରତ ଟ୍ରେନ୍ ଅର୍ଥନୈତିକ କେନ୍ଦ୍ର ଗୁଡ଼ିକୁ ଆସ୍ଥା କେନ୍ଦ୍ର ଗୁଡିକ ସହିତ ସଂଯୋଗ କରିବ”
“ବନ୍ଦେ ଭାରତ ଟ୍ରେନ୍ ଆଧୁନିକ ଭାରତର ଏକ ଭବ୍ୟ ପ୍ରତିଛବି”
“ବନ୍ଦେ ଭାରତ ଟ୍ରେନ୍ ହେଉଛି ଭାରତର ଗତି ଏବଂ ମାପର ପ୍ରତିଫଳନ”
“ଚଳିତ ବର୍ଷର ବଜେଟ୍ ଦ୍ୱାରା ମଧ୍ୟବିତ୍ତ ଶ୍ରେଣୀକୁ ସୁଦୃଢ଼ କରାଯାଇଛି ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ଠାରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ରେ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଚାଲୁ କରିଛନ୍ତି । ଏହି ଦୁଇଟି ଟ୍ରେନ୍ ହେଉଛି, ମୁମ୍ବାଇ - ସୋଲାପୁର ବନ୍ଦେ ଭାରତ ଟ୍ରେନ୍ ଏବଂ ମୁମ୍ବାଇ - ସାଇନଗର ଶିରିଡି ବନ୍ଦେ ଭାରତ ଟ୍ରେନ୍ । ସେ ମଧ୍ୟ ସଡ଼କ ଯାତାୟାତରେ ଅସୁବିଧାକୁ ଦୂର କରିବା ନିମନ୍ତେ ଏବଂ ମୁମ୍ବାଇରେ ଯାନବାହନ ଚଳାଚଳକୁ ସରଳ କରିବା ପାଇଁ ଦେଶ ଉଦ୍ଦେଶ୍ୟରେ  ଦୁଇଟି ସଡକ ପ୍ରକଳ୍ପ - ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ ଏବଂ କୁରାର ଅଣ୍ଡରପାସ୍ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି ।

ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ର ପ୍ଲାଟଫର୍ମ  ନଂ୧୮ରେ ପ୍ରଧାନମନ୍ତ୍ରୀ ମୁମ୍ବାଇ - ସାଇନଗର ଶିରଡି ବନ୍ଦେ ଭାରତ ଟ୍ରେନ୍‌କୁ ଯାଞ୍ଚ କରିଥିଲେ । ସେ ଟ୍ରେନ୍‌ର କର୍ମଚାରୀ ମାନଙ୍କୁ ଏବଂ କୋଚ୍ ଭିତରେ ଥିବା ପିଲାମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଭାରତର ରେଳବାଇ ପାଇଁ ଏହା ଏକ ବହୁତ ବଡ଼ ଦିନ ଅଟେ, ବିଶେଷ ରୂପରେ ମହାରାଷ୍ଟ୍ରର ଉନ୍ନତ ସଂଯୋଗ ପାଇଁ ଏହା ଏକ ବିରାଟ ଦିନ,  କାରଣ ଗୋଟିଏ ଦିନରେ ଦୁଇଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଚାଲୁ କରାଯାଇଛି । ସେ ଦର୍ଶାଇଛନ୍ତି ଯେ , ଏହି ବନ୍ଦେ ଭାରତ ଟ୍ରେନ୍ ମୁମ୍ବାଇ ଏବଂ ପୁନେ ଭଳି ଅର୍ଥନୈତିକ କେନ୍ଦ୍ରକୁ ଆସ୍ଥା କେନ୍ଦ୍ର ଗୁଡିକ ସହିତ ସଂଯୋଗ କରିବ, ଯାହା ଦ୍ୱାରା କଲେଜ, ଅଫିସ୍‌, ବ୍ୟବସାୟ, ତୀର୍ଥଯାତ୍ରା ଏବଂ କୃଷି ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ବ୍ୟକ୍ତି ଉପକୃତ ହେବେ । ସେ କହିଛନ୍ତି ଯେ ନୂତନ ବନ୍ଦେ ଭାରତ ଟ୍ରେନ୍ ଚାଲୁ ହେବା ଫଳରେ ଶିରଡି, ନାସିକ, ତ୍ରମ୍ବକେଶ୍ୱର ଏବଂ ପଞ୍ଚବଟୀ ଭଳି ପବିତ୍ର ସ୍ଥାନକୁ ଯାତ୍ରା କରିବା ସହଜ ହେବ, ଯାହା ଫଳରେ ପର୍ଯ୍ୟଟନ ତଥା ତୀର୍ଥଯାତ୍ରା କ୍ଷେତ୍ରରେ ଅଭିବୃଦ୍ଧି ହେବ । ସେ କହିଛନ୍ତି,  “ପଣ୍ଢରପୁର, ସୋଲାପୁର, ଆକ୍କାଲକୋଟ ଏବଂ ତୁଲଜାପୁରକୁ ତୀର୍ଥଯାତ୍ରା ମଧ୍ୟ ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ସହିତ ଅଧିକ ସୁବିଧାଜନକ ହେବ” ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ , ବନ୍ଦେ ଭାରତ ଟ୍ରେନ୍ ଆଧୁନିକ ଭାରତର ଏକ ଭବ୍ୟ ପ୍ରତିଛବି । ଏହା ଭାରତର ଗତି ଏବଂ ମାପର ପ୍ରତିଫଳନ ବୋଲି ସେ କହିଛନ୍ତି । ବନ୍ଦେ ଭରତ ଟ୍ରେନ୍ ଚାଲୁ ହେବା  ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଏପର୍ଯ୍ୟନ୍ତ ୧୦ ଟି ବନ୍ଦେ ଭାରତ ଟ୍ରେନ୍ ଦେଶର ୧୭ ଟି ରାଜ୍ୟର ୧୦୮ ଟି ଜିଲ୍ଲାକୁ ସଂଯୋଗ କରିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ , ଆଜି ଅନେକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ଯାହା ଜୀବନର ସହଜତାକୁ ବୃଦ୍ଧି କରିବ । ସେ କହିଛନ୍ତି ଯେ ଉଚ୍ଚତର ରାସ୍ତା ପୂର୍ବ ଏବଂ ପଶ୍ଚିମ ଉପାନ୍ତ ଅଞ୍ଚଳ ଏବଂ ଅଣ୍ଡରପାସ୍‌କୁ ସଂଯୋଗ କରିବ ।

ଏକବିଂଶ ଶତାବ୍ଦୀର ଭାରତ ପାଇଁ ସର୍ବସାଧାରଣ ପରିବହନରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି, କାରଣ ଏହା ନାଗରିକ ମାନଙ୍କ ଜୀବନଯାପନକୁ ସହଜ ତଥା ବ୍ୟାପକ କରିବ । ଆଧୁନିକ ଟ୍ରେନର ଶୁଭାରମ୍ଭ, ମେଟ୍ରୋର ବିସ୍ତାର ଏବଂ ନୂତନ ବିମାନବନ୍ଦର ଏବଂ ବନ୍ଦର ପଛରେ ଏହି ଚିନ୍ତାଧାରା ରହିଛି ବୋଲି ସେ ଦର୍ଶାଇଛନ୍ତି । ବଜେଟ୍ ମଧ୍ୟ ଏହି ଚିନ୍ତାଧାରାକୁ ଦୃଢ଼ କରିଥାଏ କାରଣ ପ୍ରଥମ ଥର ପାଇଁ ଭିତ୍ତିଭୂମି ବିକାଶ ନିମନ୍ତେ ୧୦ ଲକ୍ଷ କୋଟି ଆବଣ୍ଟନ କରା ଯାଇଥିଲା । ଏଥିରେ ରେଳବାଇର ଭାଗୀଦାରୀ ୨.୫ ଲକ୍ଷ କୋଟି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ର ପାଇଁ ରେଳ ବଜେଟରେ ମଧ୍ୟ ଅଭୂତପୂର୍ବ ବୃଦ୍ଧି ଘଟିଛି ଏବଂ ଡବଲ ଇଞ୍ଜିନ ସରକାରଙ୍କ ଉଦ୍ୟମରେ ମହାରାଷ୍ଟ୍ରରେ ସଂଯୋଗ ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି ।

“ଏହି ବଜେଟରେ ମଧ୍ୟବିତ୍ତ ଶ୍ରେଣୀକୁ ସୁଦୃଢ଼ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି । ସେ ଏହା ଉଲ୍ଲେଖ କରିଛନ୍ତି ଯେ,  ଚଳିତ ବର୍ଷର ବଜେଟରେ ଉଭୟ ବେତନ ପ୍ରାପ୍ତ ବର୍ଗ ତଥା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆବଶ୍ୟକତାକୁ ସମାଧାନ କରାଯାଇଛି । ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପୂର୍ବରୁ ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆୟ କରୁଥିବା ଲୋକଙ୍କୁ ଟିକସ ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନର ସରକାର ହିଁ ଏହାକୁ ପ୍ରଥମେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଏବଂ  ସମ୍ପ୍ରତି  ଚଳିତ ବର୍ଷର ବଜେଟରେ ଏହାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଯେଉଁମାନେ ୟୁପିଏ ସରକାରରେ ୨୦%  ଟିକସ ଦେଇଛନ୍ତି ସେମାନେ ଆଜି ଶୂନ ଟିକସ ଦେଉଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ,  ନୂତନ ଚାକିରି କରିଥିବା ଲୋକମାନେ ଏବେ ଅଧିକ ସଞ୍ଚୟ କରିବାର ସୁଯୋଗ ପାଇ ପାରିଛନ୍ତି ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ,  ‘ସବ୍‌କା ବିକାଶ, ସବ୍‌କା ପ୍ରୟାସ’ର ଭାବନାକୁ ପ୍ରୋତ୍ସାହିତ କରୁଥିବା ଏହି ବଜେଟ୍ ପ୍ରତ୍ୟେକ ପରିବାରକୁ ଶକ୍ତି ପ୍ରଦାନ କରିବ ଏବଂ ସମସ୍ତଙ୍କୁ ଏକ ବିକଶିତ ଭାରତ ଗଠନ ପାଇଁ ଉତ୍ସାହିତ କରିବ ।

ଏହି ଅବସରରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭାଗବତ ସିଂ କୋଶିୟାରି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍‌, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ , କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମଦାସ ଆଠୱାଲେ ଏବଂ ଶ୍ରୀ କପିଲ ମୋରେଶ୍ୱର ପାଟିଲ ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ସମେତ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦୁଇଟି ବନ୍ଦେ ଭାରତ ଟ୍ରେନ୍ , ଯଥା : ମୁମ୍ବାଇ - ସୋଲାପୁର ବନ୍ଦେ ଭାରତ ଟ୍ରେନ୍ ଏବଂ ମୁମ୍ବାଇ - ସାଇନଗର ଶିରଡି ବନ୍ଦେ ଭାରତ ଟ୍ରେନ୍‌କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଠାରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଚାଲୁ କରିଥିଲେ । ନୂତନ ଭାରତ ପାଇଁ ଉନ୍ନତ, ଅଧିକ ଦକ୍ଷ ଏବଂ ଯାତ୍ରୀ ଅନୁକୂଳ ପରିବହନ ଭିତ୍ତିଭୂମି ନିର୍ମାଣ ନିମନ୍ତେ  ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ମୁମ୍ବାଇ - ସୋଲାପୁର ବନ୍ଦେ ଭାରତ ଟ୍ରେନ୍ ଦେଶର ୯ମ ବନ୍ଦେ ଭାରତ ଟ୍ରେନ୍ ହେବ । ଏହି ନୂତନ ବିଶ୍ୱ ସ୍ତରୀୟ ଟ୍ରେନ୍ ମୁମ୍ବାଇ ଏବଂ ସୋଲାପୁର ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ ଏବଂ ସୋଲାପୁରର ସିଦ୍ଧେଶ୍ୱର, ଆକ୍କାଲକୋଟ, ତୁଲଜାପୁର, ପଣ୍ଢରପୁର ଏବଂ ପୁନେ ନିକଟ ଅଲାନ୍ଦି ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନକୁ ଯାତ୍ରା କରିବାରେ ସୁବିଧା ପ୍ରଦାନ କରିବ ।

ମୁମ୍ବାଇ - ସାଇନଗର ଶିରଡିି ବନ୍ଦେ ଭାରତ ଟ୍ରେନ୍ ହେଉଛି ଦେଶର ଦଶମ ବନ୍ଦେ ଭାରତ ଟ୍ରେନ୍‌, ଯାହା ମହାରାଷ୍ଟ୍ରର ନାଶିକ୍‌, ତ୍ରମ୍ବକେଶ୍ୱର, ସାଇନଗର ଶିରଡି ଏବଂ ଶନି ସିଙ୍ଗନାପୁର ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥ କେନ୍ଦ୍ର ସହିତ ସଂଯୋଗକୁ ସୁଦୃଢ଼ କରିବ ।

ସଡ଼କ ଯାତାୟାତରେ ଅସୁବିଧାକୁ ଦୂର କରିବା ଏବଂ ମୁମ୍ବାଇରେ ଯାନବାହନ ଚଳାଚଳକୁ ଶୃଙ୍ଖଳିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ (ଏସ୍‌ସିଏଲ୍‌ଆର୍‌) ଏବଂ କୁରାର ଅଣ୍ଡରପାସ୍‌କୁ ଉତ୍ସର୍ଗ କରିଥିଲେ । କୁର୍ଲା ଠାରୁ ଭାକୋଲା ପର୍ଯ୍ୟନ୍ତ ଏବଂ କୁର୍ଲା ଠାରୁ ଏମ୍‌ଟିଏନ୍‌ଏଲ୍ ଜଙ୍କସନ, ବିକେସିରୁ ଏଲ୍‌ବିଏସ୍ ଫ୍ଲାଏଓଭର ପର୍ଯ୍ୟନ୍ତ କୁର୍ଲା ଠାରେ ନୂତନ ଭାବରେ ନିର୍ମିତ ଉଚ୍ଚ କରିଡର ସହରରେ ବହୁ ଆବଶ୍ୟକୀୟ ପୂର୍ବ - ପଶ୍ଚିମ ସଂଯୋଗକୁ ବୃଦ୍ଧି କରିବ । ଏହି ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥକୁ ପୂର୍ବ ଏକ୍ସପ୍ରେସ ରାଜପଥ ସହିତ ସଂଯୋଗ କରେ ଯାହା ଦ୍ୱାରା ପୂର୍ବ ଏବଂ ପଶ୍ଚିମ ଉପାନ୍ତକୁ ଦକ୍ଷତାର ସହିତ ସଂଯୋଗ କରାଯାଏ । ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥ (ଡବ୍ଲ୍ୟୁଇଏଚ୍‌) ରେ ଯାତାୟାତକୁ ସହଜ କରିବା ପାଇଁ କୁରାର ଅଣ୍ଡରପାସ୍ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହା ଡବ୍ଲ୍ୟୁଇଏଚ୍‌ର ମାଲାଡ୍ ଏବଂ କୁରାର ପାର୍ଶ୍ୱକୁ ସଂଯୋଗ କରେ । ଏହା ଲୋକଙ୍କୁ ସହଜରେ ରାସ୍ତା ପାର ହେବା ପାଇଁ ଅନୁମତି ଦେଇଥାଏ ଏବଂ ଯାନବାହାନ ଗୁଡିକ ଡବ୍ଲ୍ୟୁଇଏଚ୍ ଭାରୀ ଟ୍ରାଫିକ୍‌କୁ ସାମନା ନକରି ଯାତାୟାତ କରିବା ପାଇଁ ଅନୁମତି ଦେଇଥାଏ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph