ଦେଶ ଉଦ୍ଦେଶ୍ୟରେ ଦୁଇଟି ସଡକ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି - ସାନ୍ତାକ୍ରୁଜ୍ ଚେମ୍ବୁର ଲିଙ୍କ୍ ରୋଡ୍ ଏବଂ କୁରାର ଅଣ୍ଡରପାସ୍ ପ୍ରକଳ୍ପ
“ମହାରାଷ୍ଟ୍ରରେ ରେଳବାଇ ଏବଂ ସଂଯୋଗ ପାଇଁ ଏକ ବହୁତ ବଡ଼ ଦିନ, କାରଣ ଗୋଟିଏ ଦିନରେ ଦୁଇଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଚାଲୁ କରାଯାଇଛି”
“ଏହି ବନ୍ଦେ ଭାରତ ଟ୍ରେନ୍ ଅର୍ଥନୈତିକ କେନ୍ଦ୍ର ଗୁଡ଼ିକୁ ଆସ୍ଥା କେନ୍ଦ୍ର ଗୁଡିକ ସହିତ ସଂଯୋଗ କରିବ”
“ବନ୍ଦେ ଭାରତ ଟ୍ରେନ୍ ଆଧୁନିକ ଭାରତର ଏକ ଭବ୍ୟ ପ୍ରତିଛବି”
“ବନ୍ଦେ ଭାରତ ଟ୍ରେନ୍ ହେଉଛି ଭାରତର ଗତି ଏବଂ ମାପର ପ୍ରତିଫଳନ”
“ଚଳିତ ବର୍ଷର ବଜେଟ୍ ଦ୍ୱାରା ମଧ୍ୟବିତ୍ତ ଶ୍ରେଣୀକୁ ସୁଦୃଢ଼ କରାଯାଇଛି ”

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ରେଲୱେଚ୍ୟା କ୍ଷେତ୍ରାତ, ମୋଠୀ କ୍ରାନ୍ତୀ ହୋତେ । ଦେଶାଲା ଆଜ, ନବବୀ ଆଣି ଦହାୱି ବନ୍ଦେ ଭାରତ ଟ୍ରେନ, ସମର୍ପିତ କରତାନା, ମଲା ଅତ୍ୟନ୍ତ ଆନନ୍ଦ ହୋତୋ ଆହେ ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ସାଥୀଗଣ, ମହାରାଷ୍ଟ୍ରର ମନ୍ତ୍ରୀଗଣ, ସମସ୍ତ ସାଂସଦଗଣ, ବିଧାୟକଗଣ, ଅନ୍ୟ ସମସ୍ତ ମହାନୁଭବ, ଭାଇମାନେ ଓ ଭଉଣୀମାନେ,

ଆଜିକାର ଦିନ ଭାରତୀୟ ରେଳ ପାଇଁ ବିଶେଷ ଭାବେ ମୁମ୍ବଇ ଏବଂ ମହାରାଷ୍ଟ୍ରର ଆଧୁନିକ ଯୋଗାଯୋଗ ପାଇଁ ହେଉଛି ବହୁତ ବଡ଼ । ଆଜି ପ୍ରଥମ ଥର ପାଇଁ ଏକସଙ୍ଗେ ଦୁଇଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେଲା । ଏହି ବନ୍ଦେ ଭାରତ ଟ୍ରେନ ମୁମ୍ବଇ ଏବଂ ପୁଣେ ଭଳି ଦେଶର ଆର୍ଥିକ କେନ୍ଦ୍ରକୁ ଆମର ଆସ୍ଥାର ବଡ଼ କେନ୍ଦ୍ର ସହିତ ଯୋଡ଼ିବ । ଏହାଦ୍ୱାରା କଲେଜ ଯିବା ଆସିବା କରୁଥିବା, ଅଫିସ ଏବଂ ବ୍ୟବସାୟ ପାଇଁ ଯାତାୟାତ କରୁଥିବା, କୃଷକ ଏବଂ ଶ୍ରଦ୍ଧାଳୁ, ସମସ୍ତଙ୍କୁ ସୁବିଧା ହେବ ।

ଏହା ମହାରାଷ୍ଟ୍ରରେ ପର୍ଯ୍ୟଟନ ଏବଂ ତୀର୍ଥ ଯାତ୍ରାକୁ ବହୁତ ଅଧିକ ପ୍ରୋତ୍ସାହନ ଦେବାକୁ ଯାଉଛି । ଶିରିଡିରେ ସାଇବାବାଙ୍କର ଦର୍ଶନ କରିବା ହେଉ, ନାସିକ ସ୍ଥିତ ରାମକୁଣ୍ଡ ଯିବା ପାଇଁ ହେଉ, ତ୍ରୟମ୍ବକେଶ୍ୱର ଏବଂ ପଂଚବଟୀ କ୍ଷେତ୍ରର ଦର୍ଶନ କରିବା ହେଉ, ନୂତନ ବନ୍ଦେ ଭାରତ ଟ୍ରେନ ଯୋଗୁଁ ସବୁ ବହୁତ ସହଜ ହେବାକୁ ଯାଉଛି ।

ଏହିଭଳି ଭାବେ ମୁମ୍ବଇ- ସୋଲାପୁର ବନ୍ଦେ ଭାରତ ଟ୍ରେନରେ ପଂଢ଼ରପୁରର ବିଟ୍ଠଲ-ରଖୁଭାଇ, ସୋଲାପୁରର ସିଦ୍ଧେଶ୍ୱର ମନ୍ଦିର, ଅକ୍କଲକୋଟର ସ୍ୱାମୀ ସମର୍ଥ, ଅବା ପୁଣି ଆଇ ତୁଲଜାଭବାନୀଙ୍କ ଦର୍ଶନ, ଏବେ ସମସ୍ତଙ୍କ ପାଇଁ ଆହୁରି ସୁଲଭ ହୋଇଯିବ । ଆଉ ମୋତେ ଜଣାଅଛି ଯେ ଯେତେବେଳେ ବନ୍ଦେ ଭାରତ ଟ୍ରେନ ସହ୍ୟାଦ୍ରୀ ଘାଟ ଦେଇ ଯିବ, ସେତେବେଳେ ଲୋକମାନଙ୍କୁ ପ୍ରାକୃତିକ ସୁନ୍ଦରତାର କେତେ ଦିବ୍ୟ ଅନୁଭବ ହେବାକୁ ଯାଉଛି । ମୁଁ ମୁମ୍ବଇ ଏବଂ ମହାରାଷ୍ଟ୍ରର ଲୋକଙ୍କୁ ଏହି ନୂତନ ବନ୍ଦେ ଭାରତ ଟ୍ରେନଗୁଡ଼ିକ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ବନ୍ଦେ ଭାରତ ଟ୍ରେନ, ହେଉଛି ଆଜି ଆଧୁନିକ ହେଉଥିବା ଭାରତର ବହୁତ ଉନ୍ନତ ପ୍ରତିଛବି । ଏହା ହେଉଛି ଭାରତର ଗତି, ଭାରତର ମାତ୍ରା, ଉଭୟର ହେଉଛି ପ୍ରତିବିମ୍ବ । ଆପଣମାନେ ଦେଖୁଥିବେ କେତେ ଦ୍ରୁତ ଗତିରେ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହେଉଛି । ଏପର୍ଯ୍ୟନ୍ତ ଏଭଳି 10ଟି ଟ୍ରେନ ସାରା ଦେଶରେ ଚାଲିବା ଆରମ୍ଭ ହୋଇ ସାରିଛି । ଆଜି ଦେଶର 17 ରାଜ୍ୟର 108 ଜିଲ୍ଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଯୋଡ଼ି ହୋଇ ସାରିଛି ।

ମୋର ମନେଅଛି, ଏକ ସମୟ ଥିଲା, ଯେତେବେଳେ ସାଂସଦ ଚିଠି ଲେଖୁଥିଲେ ଯେ ଆମ ଅଂଚଳର ଷ୍ଟେସନରେ ଟ୍ରେନ ଅଟକିବାର କୌଣସି ବ୍ୟବସ୍ଥା କରନ୍ତୁ, ଏକ- ଦୁଇ ମିନିଟର ଷ୍ଟପେଜ୍ ଦେଇ ଦିଅନ୍ତୁ । ଏବେ ସାରା ଦେଶର ସାଂସଦ ଯେତେବେଳେ ମଧ୍ୟ ଭେଟୁଛନ୍ତି, ସେତେବେଳେ ଏହି ଚାପ ପକାଉଛନ୍ତି, ଏହି ଦାବି କରୁଛନ୍ତି ଯେ ଆମର ଏଠାରେ ମଧ୍ୟ ବନ୍ଦେ ଭାରତ ଟ୍ରେନ ଚଲାଇ ଦିଅନ୍ତୁ । ଏହି ଉନ୍ମାଦନା ହେଉଛି ଆଜି ବନ୍ଦେ ଭାରତ ଟ୍ରେନର ।

ସାଥୀଗଣ,

ମୁଁ ଖୁସି ଯେ ଆଜି ମୁମ୍ବଇର ଲୋକଙ୍କ ଜୀବନ ସହଜ କରିବା ଭଳି ପ୍ରକଳ୍ପ ମଧ୍ୟ ଏଠାରେ ଆରମ୍ଭ ହେଲା । ଆଜି ଯେଉଁ ଉଚ୍ଚମାନର କରିଡରର ଲୋକାର୍ପଣ ହୋଇଛି, ତାହା ମୁମ୍ବଇର ପୂର୍ବ-ପଶ୍ଚିମ ଯୋଗାଯୋଗର ଆବଶ୍ୟକତାକୁ ପୂରଣ କରିବ । ମୁମ୍ବଇର ଲୋକମାନଙ୍କୁ ବହୁତ ଦିନ ହେବ ଏହାର ପ୍ରତୀକ୍ଷା ଥିଲା । ଏହି କରିଡର ଦ୍ୱାରା ପ୍ରତିଦିନ 2 ଲକ୍ଷରୁ ଅଧିକ ଗାଡି ଯାତାୟାତ କରି ପାରିବ ଆଉ ଲୋକଙ୍କ ସମୟ ମଧ୍ୟ ବଂଚିବ ।

ଏବେ ପୂର୍ବ ଏବଂ ପଶ୍ଚିମ ଉପ-ସହରାଂଚଳରେ ଯୋଗାଯୋଗ ମଧ୍ୟ ଏହି କାରଣରୁ ଉନ୍ନତ ହୋଇ ଯାଇଛି । କୁରାର ଅଣ୍ଡରପାସ୍ ମଧ୍ୟ ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ମୁଁ ମୁମ୍ବଇର ଲୋକମାନଙ୍କୁ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ ହେବା ଅବସରରେ ବିଶେଷ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଭାରତକୁ ବହୁତ ଦ୍ରୁତ ଗତିରେ ନିଜର ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସୁଧାରିବାକୁ ହେବ । ଯେତେ ଦ୍ରୁତ ଗତିରେ ଆମର ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆଧୁନିକ ହେବ, ସେତେ ଅଧିକ ଦେଶର ନାଗରିକଙ୍କ ସହାବସ୍ଥାନ ସୁଗମତା ବଢ଼ିବ । ସେମାନଙ୍କର ଗୁଣାତ୍ମକ ଜୀବନ ଶୈଳୀରେ ସୁଖଦ ସୁଧାର ହେବ । ଏହି ଚିନ୍ତାଧାରା ସହିତ ଆଜି ଦେଶରେ ଆଧୁନିକ ଟ୍ରେନ ଚଲା ଯାଉଛି, ମେଟ୍ରୋର ସମ୍ପ୍ରସାରଣ ହେଉଛି, ନୂଆ-ନୂଆ ବିମାନବନ୍ଦର ଏବଂ ବନ୍ଦର ନିର୍ମାଣ କରାଯାଉଛି । କିଛି ଦିନ ପୂର୍ବେ ଯେତେବେଳେ ଦେଶର ବଜେଟ ଆସିଲା, ସେଥିରେ ମଧ୍ୟ ଏହି ଭାବନାକୁ ସଶକ୍ତ କରାଯାଇଛି ଆଉ ଆମର ମୁଖ୍ୟମନ୍ତ୍ରୀ ମହୋଦୟ ଏବଂ ଉପ-ମୁଖ୍ୟମନ୍ତ୍ରୀ ମହୋଦୟ ତାହାର ଭରପୂର ପ୍ରଶଂସା ମଧ୍ୟ କରିଥିଲେ ।

ଭାରତ ଇତିହାସରେ ପ୍ରଥମ ଥର 10 ଲକ୍ଷ କୋଟି ଟଙ୍କା କେବଳ ଭିତିଭୂମିର ବିକାଶ ପାଇଁ ରଖାଯାଇଛି । ଏହା ଗତ 9 ବର୍ଷ ତୁଳନାରେ ହେଉଛି ୫ଗୁଣ ଅଧିକ । ଏଥିରେ ମଧ୍ୟ ରେଳବାଇର ଅଂଶ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା । ମହାରାଷ୍ଟ୍ର ପାଇଁ ମଧ୍ୟ ରେଳ ବଜେଟରେ ଐତିହାସିକ ବୃଦ୍ଧି ହୋଇଛି । ମୋର ବିଶ୍ୱାସ ଯେ ଡବଲ ଇଂଜିନ ସରକାରଙ୍କର ଡବଲ ପ୍ରୟାସ ଦ୍ୱାରା ଯୋଗାଯୋଗ ଆହୁରି ଦ୍ରୁତ ଗତିରେ ଆଧୁନିକ ହେବ ।

ସାଥୀଗଣ,

ଭିତିଭୂମି କ୍ଷେତ୍ରରେ ନିବେଶ କରାଯାଇଥିବା ପ୍ରତ୍ୟେକ ଟଙ୍କା ନୂତନ ରୋଜଗାରର ସମ୍ଭାବନା ସୃଷ୍ଟି କରିଥାଏ । ଏଥିରେ ଯେଉଁ ସିମେଂଟ ଲାଗିଥାଏ, ବାଲି ଲାଗିଥାଏ, ଲୁହା ଲାଗିଥାଏ, ନିର୍ମାଣରେ ମେସିନ ଲାଗିଥାଏ, ଏହା ସହିତ ଜଡ଼ିତ ପ୍ରତ୍ୟେକ ଉଦ୍ୟୋଗକୁ ଶକ୍ତି ମିଳିଥାଏ । ଏହାଦ୍ୱାରା ବ୍ୟବସାୟ କରୁଥିବା ମଧ୍ୟମ ବର୍ଗକୁ ମଧ୍ୟ ଲାଭ ହୋଇଥାଏ, ଗରିବଙ୍କୁ ରୋଜଗାର ମିଳିଥାଏ । ଏହାଦ୍ୱାରା ଇଞ୍ଜିନିୟର ମାନଙ୍କୁ ରୋଜଗାର ମିଳିଥାଏ, ଶ୍ରମିକମାନଙ୍କୁ ରୋଜଗାର ମିଳିଥାଏ । ଅର୍ଥାତ ଭିତିଭୂମି ଯେତେବେଳେ ସୃଷ୍ଟି ହୋଇଥାଏ, ସେତେବେଳେ ମଧ୍ୟ ସମସ୍ତଙ୍କର ଆୟ ହୋଇଥାଏ ଆଉ ଯେତେବେଳେ ପ୍ରସ୍ତୁତ ହୋଇ ଯାଇଥାଏ, ତାହା ନୂତନ ଉଦ୍ୟୋଗ, ନୂତନ ବ୍ୟବସାୟର ପଥ ଉନ୍ମୁକ୍ତ କରିଥାଏ ।

ଭାଇ ଓ ଭଉଣୀମାନେ,

ଚଳିତ ବଜେଟରେ ମଧ୍ୟମବର୍ଗକୁ କିପରି ଦୃଢ଼ତା ପ୍ରଦାନ କରାଯାଇଛି, ଏହି ବିଷୟରେ ମୁଁ, ମୁମ୍ବଇର ଲୋକଙ୍କୁ ବିଶେଷ ଭାବେ କହିବାକୁ ଚାହୁଁଛି । ତାହା ହୁଏତ ବେତନଧାରୀ ହୁଅନ୍ତୁ ଅବା ପୁଣି ବ୍ୟବସାୟ-କାରବାର ଦ୍ୱାରା ରୋଜଗାର କରୁଥିବା ମଧ୍ୟମବର୍ଗ, ଉଭୟଙ୍କୁ ଏହି ବଜେଟରେ ଖୁସି କରାଯାଇଛି । ଆପଣମାନେ ଦେଖନ୍ତୁ, 2014 ପୂର୍ବରୁ କ’ଣ ସ୍ଥିତି ଥିଲା । ଯେ କୌଣସି ବ୍ୟକ୍ତି ବର୍ଷରେ 2 ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିଲା, ତାହା ଉପରେ ଟିକସ ଲାଗି ଯାଉଥିଲା । ଭାରତ ସରକାର ପ୍ରଥମେ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ କରିଥିଲେ ଆଉ ଚଳିତ ବଜେଟରେ ଏହାକୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଂଚାଇ ଦେଇଛନ୍ତି ।

ଆଜି ଯେଉଁ ଆୟ ଉପରେ ମଧ୍ୟମବର୍ଗ ପରିବାରଙ୍କୁ ଟିକସ ଶୂନ ହୋଇଛି, ତାହା ଉପରେ ୟୁପିଏ ସରକାର 20 ପ୍ରତିଶତ ଟିକସ ନେଉଥିଲେ । ଏବେ ଏହି ଯୁବସାଥୀ ଯେଉଁମାନେ ନୂଆ- ନୂଆ ଚାକିରୀ କରିଛନ୍ତି, ଯେଉଁମାନଙ୍କର ମାସିକ ଆୟ 60-65 ହଜାର ପର୍ଯ୍ୟନ୍ତ ଅଛି, ସେମାନେ ଏବେ ଅଧିକ ନିବେଶ କରି ପାରିବେ । ଗରିବ ଏବଂ ମଧ୍ୟମବର୍ଗଙ୍କ ହିତରେ କାର୍ଯ୍ୟ କରୁଥିବା ସରକାର ହିଁ ଏହିଭଳି ନିଷ୍ପତି ନେଇ ଥାଆନ୍ତି ।

ମୋର ସମ୍ପୁର୍ଣ୍ଣ ବିଶ୍ୱାସ ଯେ ସମସ୍ତଙ୍କର ବିକାଶ ଦ୍ୱାରା ସମସ୍ତଙ୍କର ପ୍ରୟାସର ଭାବନାକୁ ସଶକ୍ତ କରୁଥିବା ଏହି ବଜେଟ ପ୍ରତ୍ୟେକ ପରିବାରକୁ ଶକ୍ତି ପ୍ରଦାନ କରିବ । ଆମ ସମସ୍ତଙ୍କୁ ବିକଶିତ ଭାରତର ନିର୍ମାଣ ପାଇଁ ଅଧିକ ପ୍ରୋତ୍ସାହିତ କରିବ । ପୁଣି ଥରେ ମୁମ୍ବଇ ସହିତ ସମ୍ପୁର୍ଣ୍ଣ ମହାରାଷ୍ଟ୍ରକୁ ବଜେଟ ଏବଂ ନୂତନ ଟ୍ରେନଗୁଡ଼ିକ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବହୁତ- ବହୁତ ଶୁଭକାମନା ଜଣାଉଛି ।

ଆପଣ ସମସ୍ତଙ୍କୁ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph