ବିଗତ 6 ବର୍ଷ ମଧ୍ୟରେ ତାମିଲନାଡ଼ୁରେ 50,000 କୋଟି ଟଙ୍କାର ତୈଳ ଓ ଗ୍ୟାସ ପ୍ରକଳ୍ପକୁ ମଞ୍ଜୁରି ମିଳିଛି : ପ୍ରଧାନମନ୍ତ୍ରୀ
ଆମ ସରକାର ମଧ୍ୟବିତ୍ତଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ : ପ୍ରଧାନମନ୍ତ୍ରୀ
ଆସନ୍ତା 5 ବର୍ଷରେ ତୈଳ ଓ ଗ୍ୟାସ ଭିତ୍ତିଭୂମି ସୃଷ୍ଟି କରିବା ଲାଗି ଆମେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛୁ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଠାରେ ରାମନାଥପୁରମ-ଥୁଟୁକୁଡ଼ି ପ୍ରାକୃତିକ ବାଷ୍ପ ପାଇପଲାଇନ ଏବଂ ଗ୍ୟାସୋଲିନ ଡିସଲ୍ଫରାଇଜେସନ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ସେ ମଧ୍ୟ ନାଗପଟ୍ଟିନମ ଠାରେ କାବେରୀ ବେସିନ ବିଶୋଧନାଗାର ପାଇଁ ଶିଳାନ୍ୟାସ କରିଥିଲେ। ତାମିଲନାଡ଼ୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ 2019-20ରେ ଦେଶର ଇନ୍ଧନ ଚାହିଦା ମେଣ୍ଟାଇବା ଲାଗି ଭାରତ 85 ପ୍ରତିଶତ ତେଲ ଏବଂ 53 ପ୍ରତିଶତ ଗ୍ୟାସ ଆମଦାନୀ କରିଥିଲା। ଆମ ଭଳି ଏତେ ବିବିଧ ଓ ପ୍ରତିଭାଶାଳୀ ରାଷ୍ଟ୍ର ଇନ୍ଧନ ଆମଦାନୀ ଉପରେ ଏତେମାତ୍ରାରେ ନିର୍ଭରଶୀଳ ରହିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ଆମେ ପୂର୍ବରୁ ଏଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛୁ, ଯାହାଫଳରେ ଆମର ମଧ୍ୟମ ବର୍ଗଙ୍କ ଉପରେ ବୋଝ ପଡ଼ିବ ନାହିଁ। ବର୍ତ୍ତମାନ, ଆମର ସାମଗ୍ରୀକ ଦାୟିତ୍ୱ ହେଉଛି ଆମେ ସ୍ୱଚ୍ଛ ଏବଂ ସବୁଜ ଇନ୍ଧନ ଉତ୍ସ ହାସଲ ଦିଗରେ କାର୍ଯ୍ୟ କରିବା ତଥା ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା। “ମଧ୍ୟମବର୍ଗଙ୍କ ସମସ୍ୟାକୁ ନେଇ ଆମ ସରକାର ସମ୍ବେଦନଶୀଳ”, ସେ ଜୋର ଦେଇ କହିଥିଲେ।

ଏହାକୁ ହାସଲ କରିବା ଲାଗି ଆମେ ବର୍ତ୍ତମାନ ଚାଷୀ ଓ ଉପଭୋକ୍ତାମାନଙ୍କୁ ସହାୟତା କରିବା ଲାଗି ଇଥାନଲର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରୁଛୁ। ସେହିପରି ସୌର ଶକ୍ତିର ଉପଯୋଗ ବୃଦ୍ଧି କରାଯାଇ ଏହି କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ପ୍ରୟାସ କରାଯାଉଛି। ସାର୍ବଜନୀନ ପରିବହନକୁ ପ୍ରୋତ୍ସାହିତ କରାଯାଉଛି ଏବଂ ମଧ୍ୟବିତ୍ତ ପରିବାରକୁ ଅଧିକ ସଞ୍ଚୟ କରିବାର କ୍ଷମତା ଦେବା ଲାଗି ଏଲଇଡି ବଲବ୍ ଭଳି ବିକଳ୍ପ ଉତ୍ସ ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଭାରତ ବର୍ଦ୍ଧିତ ଇନ୍ଧନ ଚାହିଦାକୁ ପୂରଣ କରିବା ଲାଗି କାର୍ଯ୍ୟ କରିବା ସମୟରେ ଆମର ଇନ୍ଧନ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଓ ଆମଦାନୀ ଉତ୍ସଗୁଡ଼ିକୁ ବିବିଧ କରିବା ଉପରେ ଜୋର ଦେଉଛି। ଏଥିପାଇଁ କ୍ଷମତା ନିର୍ମାଣ ମଧ୍ୟ କରାଯାଉଛି। 2019-20ରେ ବିଶୋଧନ କ୍ଷମତାରେ ଭାରତ ବିଶ୍ୱର ଚତୁର୍ଥ ସ୍ଥାନରେ ଥିଲା। ପାଖାପାଖି 65.2 ନିୟୁତ ଟନ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରାଯାଇଥିଲା। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ପ୍ରଧାନମନ୍ତ୍ରୀ କହିଥିଲେ।

ବିଦେଶରେ 27ଟି ଦେଶରେ ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡ଼ିକର ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଆନୁମାନିକ ଦୁଇ ଲକ୍ଷ ସତୁରି ହଜାର କୋଟି ଟଙ୍କା ନିବେଶ କରାଯାଇଛି।

‘ଏକ ରାଷ୍ଟ୍ର ଏକ ଗ୍ରୀଡ’ ଲକ୍ଷ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆସନ୍ତା 5 ବର୍ଷ ମଧ୍ୟରେ ଆମେ ତୈଳ ଓ ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଯୋଜନା କରିଛୁ। 407ଟି ଜିଲ୍ଲାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।”

ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ପହଲ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଭଳି ଯୋଜନା ଫଳରେ ପ୍ରତ୍ୟେକ ଭାରତୀୟ ପରିବାର ନିକଟରେ ଜାଳେଣି ଗ୍ୟାସ ପହଞ୍ଚିବା ସହଜ ହୋଇଛି। ତାମିଲନାଡ଼ୁର 95 ପ୍ରତିଶତ ଏଲପିଜି ଉପଭୋକ୍ତା ପହଲ ଯୋଜନାରେ ଯୋଡ଼ି ହୋଇଛନ୍ତି। 90 ପ୍ରତିଶତରୁ ଅଧିକ ସକ୍ରିୟ ଉପଭୋକ୍ତା ସିଧାସଳଖ ସବସିଡି ହସ୍ତାନ୍ତର ସୁବିଧା ପାଇଛନ୍ତି। ଉଜ୍ଜ୍ବଳା ଯୋଜନା ଅନ୍ତର୍ଗତ ତାମିଲନାଡ଼ୁର 32 ଲକ୍ଷ ବିପିଏଲ ପରିବାର ନୂତନ ଗ୍ୟାସ ସଂଯୋଗ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ 32.6 ଲକ୍ଷ ପରିବାର ମାଗଣା ଗ୍ୟାସ ରିଫିଲ ସୁବିଧା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଥିବା ରାମନାଥପୁରମରୁ ଟୁଟିକୋରିନ ପର୍ଯ୍ୟନ୍ତ ଇଣ୍ଡିଆନ୍ ଅଏଲ୍ ର 143କିମି ଲମ୍ବ ପ୍ରାକୃତିକ ବାଷ୍ପ ପାଇପଲାଇନ ଫଳରେ ଓଏନଜିସି ଗ୍ୟାସ ଫିଲ୍ଡରୁ ଗ୍ୟାସର ମୁଦ୍ରୀକରଣ କରାଯାଇପାରିବ। 4500 କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଥିବା ବୃହତ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଏହା ଏକ ଅଂଶବିଶେଷ। ଏହାଦ୍ବାରା ଏନ୍ନୋର, ଥିରୁଭଲ୍ଲୁର, ବେଙ୍ଗାଲୁରୁ, ପୁଡୁଚେରୀ, ନାଗାପଟ୍ଟିନମ, ମଦୁରାଇ ଏବଂ ଟୁଟିକୋରିନ ଅଞ୍ଚଳକୁ ଲାଭ ମିଳିପାରିବ।

ଏହିସବୁ ଗ୍ୟାସ ପାଇପଲାଇନ ପ୍ରକଳ୍ପଗୁଡ଼ିକ ଫଳରେ 5,000 କୋଟି ଟଙ୍କା ବ୍ୟୟରେ ତାମିଲନାଡ଼ୁର 10ଟି ଜିଲ୍ଲାରେ ବିକଶିତ ହେଉଥିବା ସିଟି ଗ୍ୟାସ ପ୍ରକଳ୍ପଗୁଡ଼ିକ ପାଇଁ ବିଶେଷ ସହାୟକ ହୋଇପାରିବ। ବର୍ତ୍ତମାନ ଟୁଟିକୋରିନସ୍ଥିତ ଦକ୍ଷିଣ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଲିମିଟେଡକୁ ଓଏନଜିସି ଫିଲ୍ଡରୁ ଗ୍ୟାସ ଯୋଗାଣ କରାଯାଇପାରିବ। ସାର ଉତ୍ପାଦନ ଲାଗି ଏହି ପାଇପଲାଇନ ଶସ୍ତାଦରରେ ଏସପିଆଇସିକୁ ଫିଡଷ୍ଟକ ଭାବେ ପ୍ରାକୃତିକ ବାଷ୍ପ ଯୋଗାଇ ଦେବ। ବିନା ସଂରକ୍ଷଣ ଆବଶ୍ୟକତାରେ ବର୍ତ୍ତମାନ ଫିଡଷ୍ଟକ ନିରନ୍ତର ଉପଲବ୍ଧ ହୋଇପାରିବ। ଏହାଫଳରେ ବାର୍ଷିକ ଉତ୍ପାଦନ ଖର୍ଚ୍ଚ 70ରୁ 95 କୋଟି ଟଙ୍କା ସ୍ତରକୁ ଖସି ଆସିବ ବୋଲି ଅନୁମାନ କରାଯାଉଛି। ଏହା ମଧ୍ୟ ଶେଷରେ ସାର ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆମର ଇନ୍ଧନ କ୍ଷେତ୍ରରେ ଗ୍ୟାସର ଅଂଶଧନକୁ ବର୍ତ୍ତମାନର 6.3 ପ୍ରତିଶତରୁ 15 ପ୍ରତିଶତକୁ ବୃଦ୍ଧି କରିବାର ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ସ୍ଥାନୀୟ ସହରଗୁଡ଼ିକୁ ଲାଭ ପ୍ରଦାନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗପଟ୍ଟିନମରେ ଥିବା ସିପିସିଏଲର ନୂତନ ବିଶୋଧନାଗାରରେ 80 ପ୍ରତିଶତ ସ୍ବଦେଶୀ ସରଞ୍ଜାମ ଏବଂ ସେବାର ଉପଯୋଗ କରାଯାଇଛି। ଏହି ବିଶୋଧନାଗାର ସ୍ଥାନୀୟ ଅଞ୍ଚଳରେ ପରିବହନ ସୁବିଧା, ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପ ଏବଂ ଆନୁସଙ୍ଗିକ ଓ କ୍ଷୁଦ୍ର ଶିଳ୍ପଗୁଡ଼ିକର ବିକାଶରେ ସହାୟକ ହେବ।

ଅକ୍ଷୟ ଶକ୍ତି ଉତ୍ସରୁ ଇନ୍ଧନ ଉପଯୋଗ କରିବା ଉପରେ ଭାରତ ଜୋର ଦେଉଛି। 2030 ସୁଦ୍ଧା 40 ପ୍ରତିଶତ ଇନ୍ଧନ ସବୁଜ ଇନ୍ଧନ ଉତ୍ସରୁ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ମନାଲିସ୍ଥିତ ଏହାର ବିଶୋଧନାଗାରରେ ଥିବା ସିପିସିଏଲର ନୂଆ ଗ୍ୟାସୋଲିନ ଡିସଲଫରାଇଜେସନ ୟୁନିଟ ସବୁଜ ଭବିଷ୍ୟତ ଦିଗରେ ଆଉ ଏକ ପଦକ୍ଷେପ।

ବିଗତ 6 ବର୍ଷ ମଧରେ 50,000 କୋଟି ଟଙ୍କା ମୂଲ୍ୟର ତୈଳ ଏବଂ ଗ୍ୟାସ ପ୍ରକଳ୍ପକୁ ତାମିଲନାଡ଼ୁରେ କାର୍ଯ୍ୟକାରୀ କରିବା ଲାଗି ମଞ୍ଜୁରି ଦିଆଯାଇଛି। ଏହି ଅବଧି ମଧ୍ୟରେ 2014 ପୂର୍ବରୁ ମଞ୍ଜୁର ହୋଇଥିବା 9100 କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏତଦ୍ ବ୍ୟତୀତ, 4300 କୋଟି ଟଙ୍କାର ପ୍ରକଳ୍ପ ପାଇପଲାଇନରେ ରହିଛି। ଶେଷରେ ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ନିମନ୍ତେ ଆମର ନିରନ୍ତର ନୀତି ଏବଂ ଯୋଜନାର ପ୍ରୟାସ ସ୍ବରୂପ ତାମିଲନାଡ଼ୁରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi