ସେୟାର
 
Comments
"#MannKiBaat ଦେଶ ଏବଂ ସମାଜ ପାଇଁ ଏକ ଆଇନା ଭଳି ,ଏହା ଆମକୁ କହୁଛି ଯେ ଦେଶବାସୀଙ୍କ ଭିତରେ ଅନ୍ତରସ୍ଥ ଶକ୍ତି ଏବଂ ଜ୍ଞାନର କୌଣସି ଅଭାବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ "
"#MannKiBaat ଗୁଡ଼ାଏ ଚିଠି ମିଳୁଛି ,ଚିଠିରେ ଲୋକେ ସମସ୍ୟାଗୁଡ଼ିକର ବର୍ଣ୍ଣନା ତ କରୁଛନ୍ତି, କିନ୍ତୁ ବଡ କଥା ହେଲା ତା’ସଙ୍ଗେ ସଙ୍ଗେ ସମାଧାନର ମଧ୍ୟ କିଛି ନା କିଛି ପରାମର୍ଶ, କଳ୍ପନା, ପ୍ରତ୍ୟକ୍ଷ ରୂପରେ ହେଉ ବା ପରୋକ୍ଷ ରୂପରେ ପ୍ରକାଶ କରିଦେଉଛନ୍ତି :ପ୍ରଧାନମନ୍ତ୍ରୀ "
"ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତାନ୍ତ୍ରିକ ଅଧିକାର ଛଡ଼େଇ ନିଆଯାଇଥିଲା : #MannKiBaat ରେ ପ୍ରଧାନମନ୍ତ୍ରୀ "
" ଆମ ପାଇଁ ଗଣତନ୍ତ୍ର ହେଉଛି ଆମ ସଂସ୍କାର, ଗଣତନ୍ତ୍ର ହେଉଛି ଆମ ସଂସ୍କୃତି, ଗଣତନ୍ତ୍ର ଆମର ଐତିହ୍ୟ ଏବଂ ସେହି ଐତିହ୍ୟକୁ ନେଇ ଆମେ ବଢ଼ିଛୁ, ତେଣୁ ଏହାର ଅଭାବ ଦେଶବାସୀ ଅନୁଭବ କରୁଥିବା କଥା ଜରୁରୀକାଳୀନ ପରିସ୍ଥିତିରେ ଆମେ ଅନୁଭବ କରିଥିଲୁ : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ଯେତିକି ଲୋକ 2019ର ଲୋକସଭା ନିର୍ବାଚନରେ ମତଦାନ କଲେ, ତାଙ୍କ ସଂଖ୍ୟା ଆମେରିକାର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ, ପ୍ରାୟ ଦୁଇଗୁଣ । ଭାରତରେ ମୋଟ ଭୋଟରଙ୍କ ସଂଖ୍ୟା ଯେତିକି, ତାହା ସମ୍ପୂର୍ଣ୍ଣ ୟୁରୋପର ଜନସଂଖ୍ୟାଠାରୁ ମଧ୍ୟ ଅଧିକ : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"2019ର ଲୋକସଭା ନିର୍ବାଚନ ଏ ପର୍ଯ୍ୟନ୍ତ ଇତିହାସରେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ନିର୍ବାଚନ ଥିଲା : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ସାମୁହିକ ଏବଂ ବଡ଼ ପ୍ରୟାସ ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନ ହାସଲ କରାଯାଇପାରିବ : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ଅନ୍ୟ ସମସ୍ୟାଗୁଡ଼ିକ ଭଳି ଜନସହଭାଗିତାରେ, ଜନଶକ୍ତି ବଳରେ, ଶହେ ତିରିଶ କୋଟି ଦେଶବାସୀଙ୍କ ସାମର୍ଥ୍ୟ, ସହଯୋଗ ଏବଂ ସଂକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ବୋଲି ମୋର ବିଶ୍ୱାସ : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ସ୍ୱଚ୍ଛତା ଭଳି ,ଆମେ ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନ କରନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ #MannKiBaat "
"#MannKiBaat: ପ୍ରଧାନମନ୍ତ୍ରୀ ମୋଦୀ ଫିଲ୍ମ ଉଦ୍ୟୋଗ ,କ୍ରୀଡ଼ାବିତ ,ମିଡିଆ ,ସାମାଜିକ ଏବଂ ସାଂସ୍କୃତିକ ସଂଗଠନମାନଙ୍କୁ ଅଭିନବ ଅଭିଯାନର ମାଧ୍ୟମରେ ଜଳ ସଂରକ୍ଷଣ ଉପରେ ସଚେତନତା ବିସ୍ତାର ପାଇଁ ଆଗ୍ରହ କରିଛନ୍ତି "
"ଜୁନ 21 ରେ ,ଯୋଗ ଦିବସକୁ ବଡ଼ ଉତ୍ସାହ ସହିତ ପାଳନ କରାଯାଇଥିଲା : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
ସୁସ୍ଥ ଲୋକେ ସୁସ୍ଥ ସମାଜ ନିର୍ମାଣରେ ସାହାଯ୍ୟ କରନ୍ତି ଏବଂ ଯୋଗ ତାହା ସୁନିଶ୍ଚିତ କରୁଛି : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ

•    ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

•    ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ାଙ୍କ ବାର୍ତ୍ତା ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

•    ଅନ୍ତର୍ଜାତୀୟ ଯୋଗ ଦିବସକୁ ସଫଳ କରିଥିବାରୁ ବିଶ୍ୱବାସୀଙ୍କୁ କୃତଜ୍ଞତା ଜଣାଇଲେ

 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏକ ଦୀର୍ଘ ମଧ୍ୟାନ୍ତର ପରେ ପୁଣି ଥରେ,ଆପଣମାନଙ୍କ ଗହଣରେ, ଜନଙ୍କ କଥା, ଜନ-ଜନଙ୍କ କଥା, ଜନ-ମନର କଥାର ପର୍ଯ୍ୟାୟ ଆରମ୍ଭ କରୁଛୁ । ନିର୍ବାଚନର ଧାଁ-ଦଉଡ଼ରେ ବ୍ୟସ୍ତତା ତ ବହୁତ ଥିଲା, କିନ୍ତୁ‘ମନ କି ବାତ’ର ମଜା ଉଭେଇ ଯାଇଥିଲା । କିଛି ଊଣା ରହିଗଲା ଭଳି ଅନୁଭବ କରୁଥିଲି । ନିଜ ଲୋକଙ୍କ ଗହଣରେ ବସି, ହାଲୁକା ପରିବେଶରେ 130 କୋଟି ଦେଶବାସୀଙ୍କ ପରିବାରର ଜଣେ ସଦସ୍ୟ ରୂପରେ, ଅନେକ କଥା ଶୁଣୁଥିଲୁ,ବାରମ୍ବାର କହୁଥିଲୁ, ଆଉ ବେଳେବେଳେ ଆମ ନିଜ କଥା ହିଁ ଆମ ନିଜ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟି ଯାଉଥିଲା । ଏହି ମଝି ସମୟଟି କେମିତି କଟିଥିବ,ତାହା ଆପଣ କଳ୍ପନା କରିପାରୁଛନ୍ତି? ରବିବାର, ମାସର ଶେଷ ରବିବାର – ଦିନ 11ଟା ସମୟରେ, ମୋତେ ବି ଲାଗୁଥିଲା ଯେ କିଛି ଗୋଟାଏ ରହିଗଲା,ଆପଣମାନଙ୍କୁ ବି ଲାଗୁଥିଲା ନା? ନିଶ୍ଚୟ ଲାଗୁଥିବ । ବୋଧହୁଏ, ଏହା କୌଣସି ନିର୍ଜୀବ କାର୍ଯ୍ୟକ୍ରମ ନ ଥିଲା । ଏହି କାର୍ଯ୍ୟକ୍ରମ ଜୀବନ୍ତ ଥିଲା, ଏଥିରେ ଆତ୍ମୀୟତା ଥିଲା, ମନର ଘନିଷ୍ଠତା ଥିଲା, ହୃଦୟର ସମ୍ପର୍କ ଥିଲା । ତେଣୁ ଏହି ମଧ୍ୟାନ୍ତର ସମୟଟି ମୋତେ ବହୁତ କଠିନ ଲାଗିଲା । ପ୍ରତିକ୍ଷଣରେ ମୁଁ କିଛି ମିସ୍ କରୁଥିଲି । କାରଣ, ମୁଁ ଯେତେବେଳେ ମନର କଥା କହେ, ସେତେବେଳେ ମୁଁ କହୁଥାଇପାରେ, ହୁଏତ ଭାଷା ମୋର ହୋଇପାରେ, ସ୍ୱର ମୋର ହୋଇପାରେ, ହେଲେ ଏ କଥା ଆପଣମାନଙ୍କର,ପରିଶ୍ରମ ଆପଣମାନଙ୍କର, ପରାକ୍ରମ ଆପଣମାନଙ୍କର । ମୁଁ ତ କେବଳ, ମୋ ଭାଷା,ମୋ ବାଣୀକୁ ବ୍ୟବହାର କରୁଥିଲି ଆଉ ସେଥିପାଇଁ, ମୁଁ ଏହି କାର୍ଯ୍ୟକ୍ରମକୁ ନୁହେଁ,ବରଂ ଆପଣମାନଙ୍କୁ ମିସ୍ କରୁଥିଲି । ଗୋଟିଏ ଶୂନ୍ୟତା ଅନୁଭବ କରୁଥିଲି । ଥରେ ଇଚ୍ଛା ମଧ୍ୟ ହେଲା ଯେ, ନିର୍ବାଚନ ସରିବା କ୍ଷଣି ଆପଣମାନଙ୍କ ଗହଣକୁ ଚାଲିଆସିବି । କିନ୍ତୁ, ପରେ ଭାବିଲି ଯେ, ନା, ସେହି ରବିବାରର ଧାରା ଜାରି ରହିବା ଉଚିତ । କିନ୍ତୁ ଆଜିର ଏହି ରବିବାର ବହୁତ ପ୍ରତୀକ୍ଷା କରାଇଲା । ସେ ଯାହାହେଉ, ସୁଯୋଗ ମିଳି ହିଁ ଗଲା । ଗୋଟିଏ ପାରିବାରିକ ପରିବେଶରେ ମନର କଥା, ଛୋଟ ଛୋଟ କଥା,ହାଲ୍କା-ଫୁଲ୍କା କଥା, ଯାହା ସମାଜ, ଜୀବନରେ ପରିବର୍ତନର କାରଣ ପାଲଟିଛି, ଏକ ପ୍ରକାର ସେଗୁଡ଼ିକର ଶୃଙ୍ଖଳା ହିଁ ଗୋଟିଏ ନୂଆ ଉଦ୍ଦୀପନାକୁ ଜନ୍ମ ଦେଇ ଏକ ନିଉଇଣ୍ଡିଆର ସ୍ପିରିଟକୁ ସାମର୍ଥ୍ୟ ପ୍ରଦାନ କରୁଥିବା ଏ କ୍ରମ – ଆଗକୁ ବଢ଼ିଚାଲୁ ।

ଗତ ମାସଗୁଡ଼ିକରେ ଅନେକ ବାର୍ତା ଆସିଛି, ଯେଉଁଥିରେ ଲୋକେ କହିଛନ୍ତି ଯେ,ସେମାନେ ‘ମନ୍ କି ବାତ୍’କୁ ମିସ୍ କରୁଛନ୍ତି । ମୁଁ ଯେତେବେଳେ ଏସବୁ ପଢ଼ୁଛି, ଶୁଣୁଛି,ମୋତେ ଭଲ ଲାଗୁଛି । ଆପଣମାନଙ୍କ ସହ ଖୁବ୍ ଅନ୍ତରଙ୍ଗତା ଅନୁଭବ କରୁଛି । ବେଳେବେଳେ ମୋତେ ଲାଗେ ଯେ, ଏହା ମୋର “ସ୍ୱ”ରୁ “ସମଷ୍ଟି” ଦିଗକୁ ଯାତ୍ରା । ଏହା ମୋର “ଅହମ୍”ରୁ “ବୟମ୍” ଦିଗକୁ ଯାତ୍ରା । ଆପଣଙ୍କ ସହ ମୋର ଏହି ମୌନ କଥୋପକଥନ ମୋ ପାଇଁ ଏକ ପ୍ରକାର ମୋର ଆଧ୍ୟାତ୍ମିକ ଯାତ୍ରାର ଅଂଶବିଶେଷ ଥିଲା । ନିର୍ବାଚନର ବ୍ୟସ୍ତତା ଭିତରେ ମୁଁ କେଦାରନାଥ କାହିଁକି ଚାଲିଗଲି ବୋଲି ଅନେକ ଲୋକ ମୋତେ ପ୍ରଶ୍ନ କରିଥିଲେ । ଏହା ଆପଣଙ୍କ ଅଧିକାର । ଆପଣମାନଙ୍କ ଜାଣିବାର ଉତ୍କଣ୍ଠାକୁ ବି ମୁଁ ବୁଝିପାରୁଛି । ବେଳେବେଳେ ଭାବେ, ମୋର ସେହି ଭାବନାକୁ ଆପଣମାନଙ୍କ ନିକଟରେ ପହଂଚାଇ ଦିଅନ୍ତି କି ! କିନ୍ତୁ ଆଜି ଭାବୁଛି ଯେ,ଯଦି ସେ ଦିଗକୁ ମାଡ଼ିଯିବି, ତାହେଲେ, ‘ମନ୍ କି ବାତ୍’ର ରୂପ ହିଁ ବଦଳିଯିବ । ତେଣୁ ନିର୍ବାଚନର ଏହି ବ୍ୟସ୍ତତା, ଜୟ-ପରାଜୟର ଅନୁମାନ ଭିତରେ ମତଦାନ ବି ବାକିଥିଲା, ତଥାପି ମୁଁ ବାହାରିପଡ଼ିଲି । ଅଧିକାଂଶ ଲୋକ ଏହାକୁ ଏକ ରାଜନୈତିକ ଦୃଷ୍ଟିରେ ଦେଖିଛନ୍ତି । କିନ୍ତୁ ମୋ ପାଇଁ ଏହା ଥିଲା ନିଜ ସହ ନିଜର ମିଳନର ଏକ ଅବସର । ଏକ ପ୍ରକାର, ମୁଁ ନିଜକୁ ଭେଟିବା ପାଇଁ ସେଠାକୁ ଚାଲିଯାଇଥିଲି । ସେ ବିଷୟରେ ଆଉ ଅଧିକ କିଛି ଆଜି କହିବିନି, କିନ୍ତୁ ଏତିକି କହିବି ଯେ, ‘ମନ୍ କି ବାତ୍’ର ଏହି ସାମାନ୍ୟ ବ୍ୟବଧାନ ଯୋଗୁଁ ଯେଉଁ ଶୂନ୍ୟତା ଥିଲା, କେଦାରନାଥର ସେହି ଘାଟି,ସେହି ନିକାଂଚନ ଗୁମ୍ଫା, ଅବଶ୍ୟ କିଛି ପୂରଣ କରିବା ପାଇଁ ସୁଯୋଗ ଦେଇଥିଲା । ଯଦି ଆପଣଙ୍କର ଆଉ କିଛି ଜିଜ୍ଞାସା ଅଛି, ପୁଣି କେତେବେଳେ ସେ ସମ୍ପର୍କରେ ବି ଚର୍ଚ୍ଚା କରିବି ବୋଲି ଭାବୁଛି । କେବେ କରିବି ତାହା କହିପାରୁନି, ହେଲେ କରିବି ନିଶ୍ଚୟ, କାରଣ ଆପଣମାନଙ୍କର ମୋ ଉପରେ ସେ ଅଧିକାର ରହିଛି । ଯେମିତି କେଦାରନାଥ ସମ୍ପର୍କରେ ଲୋକେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ସେହିପରି ସକାରାତ୍ମକ କଥାଗୁଡ଼ିକ ଉପରେ ଗୁରୁତ୍ୱ ଦେବାର ଆପଣମାନଙ୍କ ପ୍ରଚେଷ୍ଟାକୁ ମୁଁ ଆପଣମାନଙ୍କ କଥାରେ ଅନୁଭବ କରିପାରୁଛି । ‘ମନ୍ କି ବାତ୍’ ପାଇଁ ଯେଉଁ ଚିଠି ସବୁ ଆସୁଛି, ଯେଉଁ ଇନପୁଟ୍ସ ମିଳୁଛି, ସେଗୁଡ଼ିକ ଗତାନୁଗତିକ ସରକାରୀ କାମଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆପଣଙ୍କ ଚିଠି ମଧ୍ୟ କେତେବେଳେ ମୋ’ ପାଇଁ ପ୍ରେରଣାର ସ୍ରୋତ ପାଲଟିଯାଏ ତ କେତେବେଳେ ଶକ୍ତି ଭରିଦିଏ । ବେଳେବେଳେ ଆପଣମାନଙ୍କର କିଛି ଶବ୍ଦ ମୋ ଚିନ୍ତାଧାରାକୁ ଶାଣିତ କରିଦିଅନ୍ତି । ଲୋକେ ଦେଶ ଓ ସମାଜ ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଲେଖୁଛନ୍ତି ଆଉ ପୁଣି ସେଗୁଡ଼ିକର ସମାଧାନ ସମ୍ପର୍କରେ ମଧ୍ୟ ଲେଖୁଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଚିଠିରେ ଲୋକେ ସମସ୍ୟାଗୁଡ଼ିକର ବର୍ଣ୍ଣନା ତ କରୁଛନ୍ତି, କିନ୍ତୁ ବଡ କଥା ହେଲା ତା’ସଙ୍ଗେ ସଙ୍ଗେ ସମାଧାନର ମଧ୍ୟ କିଛି ନା କିଛି ପରାମର୍ଶ, କିଛି ନା କିଛି କଳ୍ପନା, ପ୍ରତ୍ୟକ୍ଷ ରୂପରେ ହେଉ ବା ପରୋକ୍ଷ ରୂପରେ ପ୍ରକାଶ କରିଦେଉଛନ୍ତି । ଯଦିବା କେହି ଜଣେ ସ୍ୱଚ୍ଛତା ସମ୍ପର୍କରେ ଲେଖିବା ବେଳେ ଆବର୍ଜନା ପ୍ରତି ତା’ର ବିରକ୍ତି ଭାବ ପ୍ରକାଶ କରୁଛି ତାହାସହ ସ୍ୱଚ୍ଛତା ପାଇଁ ହେଉଥିବା ପ୍ରଚେଷ୍ଟାର ପ୍ରଶଂସା ମଧ୍ୟ କରୁଛି । କେହି ପରିବେଶ ସମ୍ପର୍କରେ ଆଲୋଚନା କରିବା ସମୟରେ ପରିବେଶ ସୁରକ୍ଷା ପାଇଁ ତା’ମନରେ ଥିବା କଷ୍ଟକୁ ପରିପ୍ରକାଶ କରିଥାଏ, ଆଉ ପୁଣି ଏଥିପାଇଁ ସେ ନିଜେ କରିଥିବା ପ୍ରୟୋଗଗୁଡ଼ିକ ସମ୍ପର୍କରେ ମଧ୍ୟ ଜଣାଇଥାଏ । ଯେଉଁ ପ୍ରୟୋଗ ସେ ଦେଖିଛି – ସେ ସମ୍ପର୍କରେ କହିଥାଏ ଆଉ ଯେଉଁ କଳ୍ପନା ତା ମନ ଭିତରେ ରହିଯାଇଛି, ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥାଏ । ଅର୍ଥାତ୍, ସାରା ସମାଜରେ ସେହି ସମସ୍ୟାଗୁଡ଼ିକର ସମାଧାନ କିପରି ଭାବେ ହୋଇପାରିବ ତାହାର ଗୋଟିଏ ଝଲକ୍ ମୁଁ ଆପଣମାନଙ୍କ କଥାରେ ଅନୁଭବ କରିଥାଏ । ‘ମନ୍ କି ବାତ୍’ ଦେଶ ଏବଂ ସମାଜ ପାଇଁ ଏକ ଦର୍ପଣ ସଦୃଶ । ଇଏ ଦେଖାଇଦିଏ ଯେ ଦେଶବାସୀ ଅନ୍ତରରେ କେତେ ଶକ୍ତିଶାଳୀ, କେତେ ଦୃଢ଼ ଏବଂ ସେମାନଙ୍କ ଭିତରେ ପ୍ରତିଭାର କୌଣସି ଅଭାବ ନାହିଁ । ସେହି ଦୃଢ଼ତା ଆଉ ପ୍ରତିଭାକୁ ସୁଯୋଗ ପ୍ରଦାନ କରିବାର, ସେସବୁକୁ କ୍ରିୟାନ୍ୱିତ କରିବାର ଆବଶ୍ୟକତା ରହିଛି । ‘ମନ୍ କି ବାତ୍’ ଏ କଥା ମଧ୍ୟ କହେ ଯେ, ଦେଶର ଉନ୍ନତି ପଥରେ ସମସ୍ତ ୧୩୦ କୋଟି ଦେଶବାସୀ ଦୃଢ଼ ଏବଂ ସକ୍ରିୟ ଭାବେ ସମ୍ମିଳିତ ହେବାକୁ ଚାହୁଁଛନ୍ତି । ଗୋଟିଏ କଥା ମୁଁ ନିଶ୍ଚୟ କହିବି ଯେ, ‘ମନ୍ କି ବାତ୍’ରେ ମୋ ପାଖକୁ ଏତେ ଚିଠି ଆସୁଛି, ଏତେ ଟେଲିଫୋନ କଲ୍ ଆସୁଛି, ଏତେ ବାର୍ତା ମିଳୁଛି,କିନ୍ତୁ ସେଥିରେ ଅଭିଯୋଗର ମାତ୍ରା ବହୁତ କମ୍ । ଲୋକେ କିଛି ମାଗିଛନ୍ତି, କିନ୍ତୁ ନିଜ ପାଇଁ କେହି କିଛି ମାଗିବା ଏମିତି ଗୋଟିଏ ହେଲେ ବି କଥା ଗତ ପାଂଚବର୍ଷରେ ମୋ ଦୃଷ୍ଟିକୁ ଆସିନି । ଦେଶର ପ୍ରଧାନମନ୍ତ୍ରୀଙ୍କୁ ଜଣେ ଚିଠି ଲେଖୁଛି, ଆଉ ନିଜ ପାଇଁ କିଛି ମାଗୁନି, ଏଥିରୁ ଆପଣ କଳ୍ପନା କରିପାରୁଥିବେ ଯେ, ଏ ଦେଶର କୋଟି କୋଟି ଲୋକଙ୍କର ଭାବନା କେତେ ଉଚ୍ଚ! ମୁଁ ଯେତେବେଳେ ଏ ସବୁର ବିଶ୍ଲେଷଣ କରେ,ସେତେବେଳେ ମୋତେ କେତେ ଖୁସି ଲାଗୁଥିବ, ମୋତେ କେତେ ଶକ୍ତି ମିଳୁଥିବ,ତାହା ଆପଣ କଳ୍ପନା କରିପାରୁଥିବେ । ଆପଣ ଜାଣିନଥିବେ ଯେ, ଆପଣମାନେ ହିଁ ମୋତେ ଚଳାନ୍ତି, ମୋତେ ଦୌଡ଼ାନ୍ତି, ପ୍ରତିକ୍ଷଣ ମୋତେ ପ୍ରାଣବନ୍ତ କରି ରଖନ୍ତି । ଏହି ସମ୍ପର୍କକୁ ହିଁ ମୁଁ ମିସ୍ କରୁଥିଲି । ଆଜି ମୋ ମନ ଆନନ୍ଦରେ ପରିପୂର୍ଣ୍ଣ । ଗତଥର ଯେତେବେଳେ ଶେଷରେ ମୁଁ କହିଥିଲି ଯେ, ଆମେ ତିନି-ଚାରି ମାସ ପରେ ଭେଟିବା,ସେତେବେଳେ ଲୋକେ ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖିଥିଲେ ଆଉ କହିଥିଲେ ଯେ, ମୋଦୀଜୀଙ୍କର କେତେ ଆତ୍ମବିଶ୍ୱାସ, କେତେ ଭରସା ! ଏ ଆତ୍ମବିଶ୍ୱାସ ମୋଦୀଙ୍କର ନ ଥିଲା, ଏ ବିଶ୍ୱାସ ଆପଣଙ୍କ ଆସ୍ଥାର ଆଧାର ଥିଲା । ବିଶ୍ୱାସର ରୂପ ଆପଣମାନେ ହିଁ ଥିଲେ, ଆଉ ସେଥିପାଇଁ ଗତଥର ଶେଷ ‘ମନ୍ କି ବାତ୍’ରେ ସହଜ ଢଙ୍ଗରେ ମୁଁ କହି ଦେଇଥିଲି ଯେ, କିଛିମାସ ପରେ ମୁଁ ପୁଣି ଆପଣଙ୍କ ପାଖକୁ ଫେରିବି । ପ୍ରକୃତରେ, ମୁଁ ଆସିନି, ଆପଣମାନେ ମୋତେ ଆଣିଛନ୍ତି, ଆପଣମାନେ ହିଁ ମୋତେ ବସାଇଛନ୍ତି । ଆଉ, ଆପଣମାନେ ହିଁ ମୋତେ ପୁଣି ଥରେ କହିବାର ସୁଯୋଗ ପ୍ରଦାନ କରିଛନ୍ତି । ଏହି ଭାବନା ସହିତ, ଆସନ୍ତୁ, ‘ମନ୍ କି ବାତ୍’ର ଏ ଭାବନା ଆଗକୁ ବଢ଼ାଇବା ।

ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଗଲା, ସେତେବେଳେ ଏହାର ବିରୋଧ କେବଳ ରାଜନୈତିକ କ୍ଷେତ୍ର ମଧ୍ୟରେ ସୀମିତ ନ ଥିଲା,ରାଜନେତାମାନଙ୍କ ଭିତରେ ସୀମିତ ନ ଥିଲା, ବନ୍ଦୀଗୃହ କିମ୍ବା ଆନ୍ଦୋଳନ ଭିତରେ ସୀମିତ ନ ଥିଲା । ଜନ ଗଣଙ୍କ ହୃଦୟରେ ଆକ୍ରୋଶ ରହିଥିଲା । ହରାଇଥିବା ଗଣତନ୍ତ୍ର ପାଇଁ ଏକ ତୀବ୍ର ଇଚ୍ଛା ଥିଲା । ନିତିଦିନ ଠିକ୍ ସମୟରେ ଭୋଜନ ମିଳିଗଲେ,ଭୋକର ଦାଉ ଜାଣିହୁଏନି । ଠିକ୍ ସେହିଭଳି ଗଣତନ୍ତ୍ରରେ ଅଧିକାରର ଆନନ୍ଦ ସେତିକିବେଳେ ଜଣାପଡ଼େ, ଯେତେବେଳେ କେହି ସେଗୁଡ଼ିକୁ ଆମଠାରୁ ଛଡ଼େଇନିଏ । ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶର ପ୍ରତ୍ୟେକ ନାଗରିକ ତା’ଠାରୁ କିଛି ଛଡ଼ାଇ ନିଆଯାଇଥିବା ପରି ଅନୁଭବ କରୁଥିଲା । ଜୀବନରେ ସେ ଥରେ ହେଲେ ବ୍ୟବହାର କରିନଥିବା ଜିନିଷଟିକୁ ଛଡାଇ ନିଆଯିବା ଯୋଗୁଁ ତା’ ମନରେ କଷ୍ଟ ଥିଲା । ଏହା କେବଳ ଏଇଥିପାଇଁ ନୁହେଁ ଯେ, ଭାରତର ସମ୍ବିଧାନରେ ଏଭଳି କିଛି ବ୍ୟବସ୍ଥା ରହିଛି ଯାହାର ଫଳସ୍ୱରୂପ ଗଣତନ୍ତ୍ରର ଅଭିବୃଦ୍ଧି ଘଟିଛି । ସାମାଜିକ ବ୍ୟବସ୍ଥାକୁ ଚଳାଇବା ପାଇଁ ସମ୍ବିଧାନର ଆବଶ୍ୟକ ପଡିଥାଏ, ଆଇନ-କାନୁନ୍, ନିୟମର ମଧ୍ୟ ଆବଶ୍ୟକ ହୋଇଥାଏ । ଅଧିକାର ଏବଂ କର୍ତ୍ତବ୍ୟର କଥା ମଧ୍ୟ ଉଠେ । କିନ୍ତୁ ଭାରତ ଏ କଥା ଗର୍ବର ସହ କହିପାରେ ଯେ, ଆମ ପାଇଁ ଗଣତନ୍ତ୍ର ହେଉଛି ଆମ ସଂସ୍କାର,ଗଣତନ୍ତ୍ର ହେଉଛି ଆମ ସଂସ୍କୃତି, ଗଣତନ୍ତ୍ର ଆମର ଐତିହ୍ୟ ଏବଂ ସେହି ଐତିହ୍ୟକୁ ନେଇ ଆମେ ବଢ଼ିଛୁ, ତେଣୁ ଏହାର ଅଭାବ ଦେଶବାସୀ ଅନୁଭବ କରୁଥିବା କଥା ଜରୁରୀକାଳୀନ ପରିସ୍ଥିତିରେ ଆମେ ଅନୁଭବ କରିଥିଲୁ । ସେଥିପାଇଁ ସାରା ଦେଶ ଗୋଟିଏ ସମଗ୍ର ନିର୍ବାଚନ ନିଜ ହିତ ପାଇଁ ନୁହେଁ, ବରଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସମର୍ପି ଦେଇଥିଲା । ହୁଏତ, ବିଶ୍ୱର ଗୋଟିଏ ଦେଶ, ସେଠାକାର ପ୍ରତ୍ୟେକ ନାଗରିକ,ଗଣତନ୍ତ୍ର ପାଇଁ, ନିଜର ଅବଶିଷ୍ଟ ଅଧିକାରର ଆବଶ୍ୟକତାକୁ ଖାତିର୍ ନ କରି କେବଳ ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ କରିଥିବ – ସେହିଭଳି ଏକ ନିର୍ବାଚନ ଏହି ଦେଶ 1977ରେ ଦେଖିଥିଲା । ନିକଟ ଅତୀତରେ ଗଣତନ୍ତ୍ରର ମହାପର୍ବ, ଖୁବ୍ ବଡ଼ ନିର୍ବାଚନୀ ଅଭିଯାନ, ଆମ ଦେଶରେ ସମ୍ପୂର୍ଣ୍ଣ ହେଲା । ଧନୀଠାରୁ ନିର୍ଦ୍ଧନ, ସମସ୍ତେ ଏହି ପର୍ବରେ ଆନନ୍ଦର ସହ ଆମ ଦେଶର ଭବିଷ୍ୟତର ନିଷ୍ପତି ଗ୍ରହଣ କରିବା ପାଇଁ ତତ୍ପର ଥିଲେ ।

ଯେତେବେଳେ କୌଣସି ଜିନିଷ ଆମ ହାତ ପାହାନ୍ତାରେ ଥାଏ, ସେତେବେଳେ ଆମେ ତାହାକୁ ନଗଣ୍ୟ ମନେ କରୁ, ତାହାର ଚମକପ୍ରଦ ତଥ୍ୟ ବି ଉପେକ୍ଷିତ ହୋଇରହିଯାଏ । ଆମକୁ ଯେଉଁ ଅମୂଲ୍ୟ ଗଣତନ୍ତ୍ର ମିଳିଛି, ତାହାକୁ ଆମେ ଖୁବ ସହଜରେ ଆମର ଅଧିକାର ବୋଲି ଭାବି ନେଉଛୁ । କିନ୍ତୁ ଆମକୁ ସର୍ବଦା ମନେ ରଖିବାକୁ ପଡିବ ଯେ,ଆମ ଗଣତନ୍ତ୍ର ଖୁବ୍ ମହାନ୍, ଏହି ଗଣତନ୍ତ୍ର ଆମ ରକ୍ତରେ ପ୍ରବାହିତ – ଶହ ଶହ ବର୍ଷର ସାଧନା ଫଳରେ, ପୁରୁଷାନୁକ୍ରମେ ପ୍ରାପ୍ତ ସଂସ୍କାରରୁ, ଗୋଟିଏ ବିରାଟ ମନର ଅବସ୍ଥାରୁ ଏହା ଆମକୁ ପ୍ରାପ୍ତ ହୋଇଛି । ଭାରତରେ 2019ର ଲୋକସଭା ନିର୍ବାଚନରେ, 61 କୋଟିରୁ ଅଧିକ ଲୋକ ମତଦାନ କଲେ । ଏହି ସଂଖ୍ୟା ଆମକୁ ସାଧାରଣ ଲାଗିପାରେ । କିନ୍ତୁ ବିଶ୍ୱକୁ ଦୃଷ୍ଟିରେ ରଖି ଯଦି ମୁଁ କହିବି, ତେବେ କେବଳ ଚୀନକୁ ଛାଡ଼ିଦେଲେ, ବିଶ୍ୱର ଯେକୌଣସି ଦେଶର ଜନସଂଖ୍ୟାଠାରୁ ଭାରତରେ ଏଥର ଅଧିକ ଲୋକ ମତଦାନ କରିଥିଲେ । ଯେତିକି ଲୋକ 2019ର ଲୋକସଭା ନିର୍ବାଚନରେ ମତଦାନ କଲେ, ତାଙ୍କ ସଂଖ୍ୟା ଆମେରିକାର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ, ପ୍ରାୟ ଦୁଇଗୁଣ । ଭାରତରେ ମୋଟ ଭୋଟରଙ୍କ ସଂଖ୍ୟା ଯେତିକି, ତାହା ସମ୍ପୂର୍ଣ୍ଣ ୟୁରୋପର ଜନସଂଖ୍ୟାଠାରୁ ମଧ୍ୟ ଅଧିକ । ଏହା ଆମ ଗଣତନ୍ତ୍ରର ବିଶାଳତାକୁ ପରିଚୟ କରାଇଥାଏ । 2019ର ଲୋକସଭା ନିର୍ବାଚନ ଏ ପର୍ଯ୍ୟନ୍ତ ଇତିହାସରେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ନିର୍ବାଚନ ଥିଲା । ଏଭଳି ନିର୍ବାଚନ କରାଇବାରେ କେତେ ବଡ଼ ସ୍ତରରେ ସମ୍ବଳ ଏବଂ ମାନବ ଶକ୍ତିର ଆବଶ୍ୟକତା ପଡ଼ିଥିବ ତାହା ଆପଣ କଳ୍ପନା କରିପାରନ୍ତି । ଲକ୍ଷ ଲକ୍ଷ ଶିକ୍ଷକ, ଅଧିକାରୀ ଏବଂ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଫଳରେ ନିର୍ବାଚନ ସମ୍ଭବ ହେଲା । ଗଣତନ୍ତ୍ରର ଏହି ମହାଯଜ୍ଞକୁ ସଫଳତାର ସହିତ ପୂର୍ଣ୍ଣ କରିବା ପାଇଁ ଅର୍ଦ୍ଧ-ସାମରିକ ବାହିନୀର ପ୍ରାୟ ତିନି ଲକ୍ଷ ସୁରକ୍ଷାକର୍ମୀ ନିଜର ଦାୟିତ୍ୱ ନିର୍ବାହ କରିଥିବାବେଳେ ବିଭିନ୍ନ ରାଜ୍ୟର 20 ଲକ୍ଷ ପୁଲିସ କର୍ମୀମାନେ ମଧ୍ୟ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କଲେ । ଏମାନଙ୍କ କଠିନ ପରିଶ୍ରମ ବଳରେ ହିଁ ଏଥର ଗତଥର ଅପେକ୍ଷା ଅଧିକ ମତଦାନ ହେଲା । ମତଦାନ ପାଇଁ ସମଗ୍ର ଦେଶରେ ପ୍ରାୟ 10 ଲକ୍ଷ ଭୋଟ ଗ୍ରହଣ କେନ୍ଦ୍ର, 40 ଲକ୍ଷରୁ ଅଧିକ ଇ.ଭି.ଏମ୍., 17 ଲକ୍ଷରୁ ଅଧିକ ଭି.ଭି.ପାଟ୍ ମେସିନ – କେତେ ବଡ଼ ଆୟୋଜନ – ଏହାର କଳ୍ପନା ଆପଣ କରିପାରୁଥିବେ । କୌଣସି ମତଦାତା ତା’ର ଅଧିକାରରୁବଞ୍ଚିତ ନ ହେଉ, ସେ କଥା ସୁନିଶ୍ଚିତ କରିବା ପାଇଁ ଏତେସବୁ ଆୟୋଜନ କରାଗଲା । ଅରୁଣାଚଳ ପ୍ରଦେଶର ଏକ ଦୁର୍ଗମ ଅଂଚଳରେ ମାତ୍ର ଜଣେ ମହିଳା ମତଦାତାଙ୍କ ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନିର୍ବାଚନ ଆୟୋଗର କର୍ମଚାରୀମାନଙ୍କୁ ସେଠାକୁ ପହଞ୍ଚିବା ପାଇଁ ଦୁଇ ଦିନ ଯାତ୍ରା କରିବାକୁ ପଡ଼ିଲା । ଏହାହିଁ ତ ଗଣତନ୍ତ୍ରର ପ୍ରକୃତ ଗୌରବ । ବିଶ୍ୱରେ ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟ ଭାରତରେ ହିଁ ରହିଛି । ଏହି କେନ୍ଦ୍ର ହିମାଚଳ ପ୍ରଦେଶର ଲାହୋଲ-ସ୍ଫିତି କ୍ଷେତ୍ରରେ 15,000 ଫୁଟ ଉଚ୍ଚତାରେ ଅବସ୍ଥିତ । ଏହାଛଡ଼ା ଏହି ନିର୍ବାଚନରେ ଆଉ ଏକ ତଥ୍ୟ ରହିଛି ଯାହା ଆମକୁ ଗର୍ବରେ ପରିପୂର୍ଣ୍ଣ କରେ । ହୁଏତ, ଇତିହାସର ଏହା ପ୍ରଥମ ଘଟଣା ଯେ, ମହିଳାମାନେ ମଧ୍ୟ ପୁରୁଷମାନଙ୍କ ଭଳି ଉତ୍ସାହର ସହ ମତଦାନ କଲେ । ଏହି ନିର୍ବାଚନରେ ପୁରୁଷ ଏବଂ ମହିଳାମାନଙ୍କ ମତଦାନ ହାର ପ୍ରାୟ ସମାନ ଥିଲା । ଏହାସହ ଜଡ଼ିତ ଅନ୍ୟ ଏକ ଉତ୍ସାହବର୍ଦ୍ଧକ ତଥ୍ୟ ହେଲା – ଆଜି ସଂସଦରେ ରେକର୍ଡ ସଂଖ୍ୟକ 78 ଜଣ ମହିଳା ସଦସ୍ୟା ଅଛନ୍ତି । ମୁଁ ନିର୍ବାଚନ ଆୟୋଗକୁ ଏବଂ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ଭାରତର ସଚେତନ ନାଗରିକମାନଙ୍କୁ ପ୍ରଣାମ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଅନେକ ଥର ମୋ ମୁହଁରୁ ଶୁଣିଥିବେ ଯେ, “ବୁକେ ନୁହେଁ ବୁକ୍” । ମୁଁ ଅନୁରୋଧ କରିବାକୁ ଚାହୁଁଥିଲି ଯେ, ସ୍ୱାଗତ କରିବା ସମୟରେ ଆମେ ଫୁଲତୋଡ଼ା ବଦଳରେ ବହି ଦେଇପାରିବା କି? ସେହିଦିନୁ ଅନେକ ସ୍ଥାନରେ ଲୋକେ ବହି ଦେବା ଆରମ୍ଭ କରିଦେଇଛନ୍ତି । ମୋତେ ନିକଟ ଅତୀତରେ କେହି ଜଣେ “ପ୍ରେମଚନ୍ଦ୍ କି ଲୋକପ୍ରିୟ କାହାନିୟାଁ” ପୁସ୍ତକ ଉପହାର ଦେଲେ । ମୋତେ ଖୁବ୍ ଭଲ ଲାଗିଲା । ଅବଶ୍ୟ ବେଶୀ ସମୟ ତ ମିଳିପାରିଲାନି, କିନ୍ତୁ ଯାତ୍ରା ସମୟରେ ମୋତେ ତାଙ୍କର କିଛି ଗଳ୍ପ ପୁଣିଥରେ ପଢ଼ିବାର ସୁଯୋଗ ମିଳିଗଲା । ପ୍ରେମଚନ୍ଦ ନିଜ କାହାଣୀଗୁଡ଼ିକରେ ସମାଜର ଯେଉଁ ନିଚ୍ଛକ ଛବି ଆଙ୍କିଛନ୍ତି, ପଢ଼ିବା ସମୟରେ ସେଗୁଡ଼ିକର ଚିତ୍ର ଆପେ ଆପେ ଆପଣଙ୍କ ମାନସପଟରେ ଆଙ୍କି ହୋଇଯାଏ । ସେ ଲେଖିଥିବା ପ୍ରତ୍ୟେକ କଥା ଜୀବନ୍ତ ହୋଇଉଠେ । ସରଳ ଭାଷାରେ ମାନବୀୟ ସମ୍ବେଦନାକୁ ପ୍ରକାଶ କରୁଥିବା ତାଙ୍କ କାହାଣୀମାନ ମୋ ମନକୁ ମଧ୍ୟ ଛୁଇଁଗଲା । ତାଙ୍କ କାହାଣୀଗୁଡ଼ିକରେ ସମଗ୍ର ଭାରତର ମନୋଭାବ ସନ୍ନିହିତ ହୋଇ ରହିଛି । ମୁଁ ଯେତେବେଳେ ତାଙ୍କ ଲିଖିତ “ନଶା” ନାମକ କାହାଣୀ ପଢ଼ୁଥିଲି,ସେତେବେଳେ ମୋ ମନ ଆପେ ଆପେ ସମାଜରେ ପରିବ୍ୟାପ୍ତ ଆର୍ଥିକ ବୈଷମ୍ୟ ଆଡ଼କୁ ଚାଲିଗଲା । ମୋତେ ମୋର ଯୁବାବସ୍ଥାର ସେହି ଦିନଗୁଡ଼ିକ ମନେ ପଡ଼ିଗଲା ଯେତେବେଳେ ଏହି ବିଷୟକୁ ନେଇ ରାତିସାରା ଆଲୋଚନା ହେଉଥିଲା । ଜମିଦାରର ପୁଅ ଈଶ୍ୱରୀ ଆଉ ଗରିବ ପରିବାରର ବୀରର ଏହି କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ, ଆମେ ଯଦି ସାବଧାନ ନ ରହିବା, ତା’ହେଲେ କୁସଙ୍ଗତିର ପ୍ରଭାବ କେତେବେଳେ ଆମକୁ କବଳିତ କରିଦେବ ତାହା ଜଣାପଡ଼ିବ ନାହିଁ । ଅନ୍ୟ ଏକ କାହାଣୀ ଯାହା ମୋ ହୃଦୟକୁ ଗଭୀର ଭାବେ ସ୍ପର୍ଶ କଲା ତାହା ଥିଲା “ଈଦ୍ଗାହ” ।ଜଣେ ବାଳକର ସମ୍ବେଦନଶୀଳତା, ନିଜର ବୁଢ଼ୀ ମା’ ପାଇଁ ତାର ନିଚ୍ଛକ ଆଦର,ଏତେ କମ୍ ବୟସରେ ଏତେ ପରିପକ୍ୱ ଭାବନା – 4-5 ବର୍ଷର ହମିଦ୍, ମେଳାରୁ ଚିମୁଟା କିଣି ନିଜ ବୁଢ଼ୀ ମା’ ପାଖରେ ପହଂଚିଛି, ସେତେବେଳେ ବାସ୍ତବରେ ମାନବୀୟ ସମ୍ବେଦନା ଏହାର ଚରମ ସୀମାରେ ପହଂଚିଯାଉଛି । ଏହି କାହାଣୀର ଶେଷ ପଂକ୍ତି ଖୁବ ମନକୁ ଛୁଇଁଲା ପରି ହୋଇଛି, କାରଣ ସେଥିରେ ଜୀବନର ଗୋଟିଏ ବହୁତ ବଡ଼ ସତ୍ୟ ରହିଛି । ଛୋଟ ହମିଦ୍, ବୁଢ଼ା ହମିଦର ଚରିତ୍ର ନିର୍ବାହ କରିଥିବାବେଳେ ବୃଦ୍ଧା ଅମୀନା ବାଳିକା ଅମୀନା ପାଲଟିଯାଇଥିଲା ।

ଏହିଭଳି ଆଉ ଏକ ମାର୍ମିକ କାହାଣୀ ହେଉଛି “ପୁସ୍ କି ରାତ”(ପୌଷର ରାତି) । ଏହି କାହାଣୀରେ ଜଣେ ଗରିବ ଚାଷୀ ଜୀବନର ବିଡ଼ମ୍ବନାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଲା । ନିଜ ଫସଲ ନଷ୍ଟ ହେବାପରେ ମଧ୍ୟ ଚାଷୀ ହଲ୍ଦୁ ଏଥିପାଇଁ ଖୁସି ଯେ,ଏବେ ତାକୁ ପ୍ରବଳ ଶୀତରେ ବିଲରେ ଶୋଇବାକୁ ପଡ଼ିବନି । ଯଦିଓ ଏହି କାହାଣୀଗୁଡ଼ିକ ପ୍ରାୟ ଶହେ ବର୍ଷ ପୂର୍ବର, କିନ୍ତୁ ଏଗୁଡ଼ିକର ପ୍ରାସଙ୍ଗିକତା ଆଜି ମଧ୍ୟ ସେତିକି ହିଁ ଅନୁଭୂତ ହେଉଛି । ଏଗୁଡ଼ିକୁ ପଢ଼ିବା ପରେ ମୋର ଗୋଟିଏ ଭିନ୍ନ ଅନୁଭୂତି ହେଲା ।

ପଠନ କଥା ଯେହେତୁ ଚାଲିଛି, ସେତେବେଳେ କହିବାକୁ ଚାହୁଁଛି ଯେ, କୌଣସି ଏକ ଗଣମାଧ୍ୟମରେ ମୁଁ କେରଳର ଅକ୍ଷରା ଲାଇବ୍ରେରୀ ସମ୍ପର୍କରେ ପଢ଼ୁଥିଲି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲାଇବ୍ରେରୀ ଇଡୁକ୍କିର ଘନ ଜଙ୍ଗଲ ମଧ୍ୟରେ ରହିଥିବା ଗୋଟିଏ ଗାଁରେ ଅଛି । ଏଠାକାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପି.କେ. ମୁରଲୀଧରନ୍ ଏବଂ ଗୋଟିଏ ଛୋଟ ଚା’ ଦୋକାନ କରିଥିବା ପି.ଭି. ଚିନ୍ନାଥମ୍ପି,ଏମାନେ ଦୁହେଁ ଏହି ଲାଇବ୍ରେରୀ ପାଇଁ ଅଜସ୍ର ପରିଶ୍ରମ କରିଛନ୍ତି । ଥରେ ଏମିତି ବେଳ ପଡ଼ିଲା ଯେ, ବହିଗୁଡ଼ିକୁ ଗଣ୍ଠିଲିରେ ବାନ୍ଧି ପିଠିରେ ବୋହି ଏଠାକୁ ଆଣିବାକୁ ପଡ଼ିଥିଲା । ଆଜି ଏହି ଲାଇବ୍ରେରୀ ଆଦିବାସୀ ପିଲାମାନଙ୍କ ସହିତ ସମସ୍ତଙ୍କୁ ଗୋଟିଏ ନୂଆ ବାଟ ଦେଖାଉଛି ।

ଗୁଜରାଟରେ “ୱାଁଚେ ଗୁଜରାତ” ଅଭିଯାନ ଗୋଟିଏ ସଫଳ ପ୍ରୟୋଗ ଥିଲା । ଲକ୍ଷ ଲକ୍ଷ ସଂଖ୍ୟାରେ ସବୁ ବୟସର ବ୍ୟକ୍ତିମାନେ ପୁସ୍ତକ ପଠନର ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଆଜିର ଡିଜିଟାଲ ଦୁନିଆରେ, ଗୁଗଲ୍ ଗୁରୁଙ୍କ ସମୟରେ,କିଛି ସମୟ ବାହାର କରି ନିଜ ଦୈନଦିନ ଜୀବନରେ ବହିକୁ ନିଶ୍ଚୟ ସ୍ଥାନ ଦେବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବି । ଆପଣ ଏହାକୁ ନିଶ୍ଚୟ ଉପଭୋଗ କରିବେ । ଆଉ ଯେଉଁ ବହି ଆପଣ ପଢ଼ିଲେ, ସେ ସମ୍ପର୍କରେ ନରେନ୍ଦ୍ର ମୋଦୀ ଆପ୍ରେ ନିଶ୍ଚୟ ଲେଖନ୍ତୁ, ଯାହାଫଳରେ ସମସ୍ତ ଶ୍ରୋତା ମଧ୍ୟ ସେ ବିଷୟରେ ଜାଣିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଏକଥା ଜାଣି ମୁଁ ଖୁସି ଯେ, ଆମ ଦେଶର ଲୋକେ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଚିନ୍ତା କରୁଛନ୍ତି, ଯେଉଁଗୁଡ଼ିକ କେବଳ ବର୍ତମାନ ନୁହେଁ ଭବିଷ୍ୟତରେ ମଧ୍ୟ ଆମ ପାଇଁ ଆହ୍ୱାନ । ମୁଁ ନରେନ୍ଦ୍ର ମୋଦୀ ଆପ୍ ଏବଂ ମାଇଁ ଗଭ୍ରେ ଆପଣମାନେ ଦେଇଥିବା କମେଂଟଗୁଡ଼ିକ ପଢ଼ୁଥିଲି । ଲକ୍ଷ୍ୟକଲି ଯେ ଜଳ ସମସ୍ୟାକୁ ନେଇ ଅନେକ ଲୋକ ବହୁତ କିଛି ଲେଖିଛନ୍ତି । ବେଲ୍ଗାଭିର ପୱନ ଗୌରାଈ, ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ାଙ୍କ ବ୍ୟତୀତ ୟଶ୍ ଶର୍ମା, ଶାହାବ୍ ଅଲତାଫ ଏବଂ ଆହୁରି ଅନେକ ଲୋକ ଜଳ ସହିତ ଜଡ଼ିତ ଆହ୍ୱାନ ସମ୍ପର୍କରେ ଲେଖିଛନ୍ତି । ଜଳ ଆମ ସଂସ୍କୃତିରେ ଖୁବ ଗୁରୁତ୍ୱ ବହନ କରେ । ଋଗ୍ ବେଦରେଆପଃ ସୁକ୍ତମ୍ରେ ଜଳ ସମ୍ପର୍କରେ କୁହାଯାଇଛି ଯେ –

ଆପୋ ହିଷ୍ଠା ମୟୋ ଭୁବଃ, ସ୍ଥା ନ ଉର୍ଜେ ଦଧାତନ, ମହେ ରଣାୟ ଚକ୍ଷସେ,

ୟୋ ବଃ ଶିବତମୋ ରସଃ, ତସ୍ୟ ଭାଜୟତେହ ନଃ, ଉଷତୀରିବ ମାତରଃ  ।

ଅର୍ଥାତ୍, ଜଳ ହିଁ ଜୀବନଦାୟିନୀ ଶକ୍ତି, ଜଳ ହିଁ ଶକ୍ତିର ସ୍ରୋତ । ଆପଣ ମା’ ଭଳି ଅର୍ଥାତ ମାତୃବତ୍ ନିଜର ଆଶୀର୍ବାଦ ପ୍ରଦାନ କରନ୍ତୁ । ଆମ ଉପରେ ନିଜର କୃପାବୃଷ୍ଟି କରୁଥାନ୍ତୁ । ଜଳାଭାବରେ ପ୍ରତିବର୍ଷ ଦେଶର ଅନେକ ଅଂଚଳ ପ୍ରଭାବିତ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷଯାକରେ ମିଳୁଥିବା ବୃଷ୍ଟିଜଳର ମାତ୍ର 8 ପ୍ରତିଶତ ଆମ ଦେଶରେ ସଂଚିତ କରାଯାଇଥାଏ । କେବଳ ମାତ୍ର 8 ପ୍ରତିଶତ । ଏବେ ଏହି ସମସ୍ୟାର ସମାଧାନର ବାଟ ବାହାର କରିବାର ବେଳ ଆସିଯାଇଛି । ଅନ୍ୟ ସମସ୍ୟାଗୁଡ଼ିକ ଭଳି ଜନସହଭାଗିତାରେ, ଜନଶକ୍ତି ବଳରେ, ଶହେ ତିରିଶ କୋଟି ଦେଶବାସୀଙ୍କ ସାମର୍ଥ୍ୟ, ସହଯୋଗ ଏବଂ ସଂକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ବୋଲି ମୋର ବିଶ୍ୱାସ । ଜଳର ଗୁରୁତ୍ୱକୁ ସର୍ବୋପରି ରଖି ଦେଶରେ ନୂତନ ଜଳଶକ୍ତି ମନ୍ତ୍ରଣାଳୟ ସୃଷ୍ଟି କରାଯାଇଛି । ଯାହାଫଳରେ ଜଳ ସମ୍ପର୍କୀୟ ସମସ୍ତ ବିଷୟ ଉପରେ ଶୀଘ୍ର ନିଷ୍ପତି ଗ୍ରହଣ କରାଯାଇପାରିବ । କିଛିଦିନ ପୂର୍ବେ ମୁଁ ଭିନ୍ନ କିଛି କରିବାକୁ ଚେଷ୍ଟା କଲି । ମୁଁ ସମଗ୍ର ଦେଶର ସରପଞ୍ଚ ଏବଂ ଗ୍ରାମ ପ୍ରଧାନମାନଙ୍କୁ ଚିଠି ଲେଖିଲି । ଗ୍ରାମ ପ୍ରଧାନମାନଙ୍କୁ ଲେଖିଲି ଜଳ ସଞ୍ଚୟ କରିବା ପାଇଁ, ବର୍ଷାଜଳର ପ୍ରତିଟି ବୁନ୍ଦାକୁ ସଂଗ୍ରହ କରିବା ପାଇଁ ସେମାନେ ଗ୍ରାମସଭାର ଆୟୋଜନ କରି, ଗାଁ ଲୋକଙ୍କ ସହିତ ମିଶି ଆଲୋଚନା କରନ୍ତୁ । ସେମାନେ ଏହି କାର୍ଯ୍ୟ ପାଇଁ ଖୁବ୍ ଉତ୍ସାହ ପ୍ରଦର୍ଶନ କରିଥିବାରୁ ମୁଁ ବେଶ୍ ଖୁସି । ଚଳିତ ମାସ 22 ତାରିଖ ଦିନ ହଜାର ହଜାର ପଂଚାୟତରେ କୋଟି କୋଟି ଲୋକ ଶ୍ରମଦାନ କଲେ । ଗାଁ ଗାଁରେ ଲୋକେ ଜଳର ପ୍ରତ୍ୟେକ ବିନ୍ଦୁକୁ ସଂଚୟ କରିବାର ସଂକଳ୍ପ ଗ୍ରହଣ କଲେ ।

ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୁଁ ଆପଣଙ୍କୁ ଜଣେ ସରପଞ୍ଚଙ୍କ କଥା ଶୁଣାଇବାକୁ ଚାହୁଁଛି । ଶୁଣନ୍ତୁ ଝାଡ଼ଖଣ୍ଡର ହଜାରିବାଗ୍ ଜିଲ୍ଲାର କଟକ ମସାଣ୍ଡି ବ୍ଲକ୍ର ଲୁପୁଙ୍ଗ ପଂଚାୟତର ସରପଞ୍ଚ ଆମ ସମସ୍ତଙ୍କୁ କ’ଣ ବାର୍ତା ଦେଇଛନ୍ତି :

“ମୋ ନାଁ ଦିଲିପ କୁମାର ରବିଦାସ । ଜଳ ସଞ୍ଚୟ କରିବା ପାଇଁ ଯେତେବେଳେ ପ୍ରଧାନମନ୍ତ୍ରୀ ଜୀ ଆମକୁ ଚିଠି ଲେଖିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଆମକୁ ଚିଠି ଲେଖିଛନ୍ତି ବୋଲି ଆମର ବିଶ୍ୱାସ ହେଲାନି । ଆମେ 22 ତାରିଖ ଦିନ ଗାଁ ଲୋକଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ଚିଠିଟିକୁ ପଢ଼ି ଶୁଣାଇବାରୁ ଗାଁ ଲୋକେ ବହୁତ ଉତ୍ସାହିତ ହେଲେ ଏବଂ ଜଳ ସଂଚୟ ପାଇଁ ପୋଖରୀ ସଫା ଓ ନୂଆ ପୋଖରୀ ଖୋଳିବା ପାଇଁ ଶ୍ରମଦାନ ମାଧ୍ୟମରେ ନିଜର ସହଭାଗିତା ନିର୍ବାହ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । ବର୍ଷାଦିନ ପୂର୍ବରୁ ଏହି ଉପାୟ କଲେ ଭବିଷ୍ୟତରେ ଆମର ଜଳାଭାବର ସମସ୍ୟା ରହିବନି । ଭଲ ହେଲା, ଆମ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଆମକୁ ସତର୍କ କରିଦେଲେ ।”

ବିର୍ସା ମୁଣ୍ଡାଙ୍କ ଭୂମି । ପ୍ରକୃତି ସହ ତାଳମେଳ ରକ୍ଷା କରି ବଞ୍ଚିବା ସେଠାକାର ସଂସ୍କୃତିର ଏକ ଅଂଶ । ସେଠାକାର ଲୋକେ ପୁଣିଥରେ ଜଳ ସଂରକ୍ଷଣ ପାଇଁ ନିଜର ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ସମସ୍ତ ଗ୍ରାମପ୍ରଧାନଙ୍କୁ, ସମସ୍ତସରପଞ୍ଚମାନଙ୍କୁ ସେମାନଙ୍କ ଏହି ସକ୍ରିୟତା ପାଇଁ ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି । ସମଗ୍ର ଦେଶରେ ଏଭଳି ଅନେକ ସରପଞ୍ଚ ଅଛନ୍ତି,ଯେଉଁମାନେ ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି । ପ୍ରକାରାନ୍ତରେ ଗାଁ ପାଇଁ ଏହା ଏକ ସୁଯୋଗ ପାଲଟିଛି । ଲାଗୁଛି, ଗାଁର ଲୋକେ ଏବେ ନିଜ ଗାଁରେ ସତେ ଯେମିତି ଜଳ ମନ୍ଦିର ନିର୍ମାଣର ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି । ମୁଁ ଯେମିତି କହିଲି,ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ବଡ଼ ସକାରାତ୍ମକ ପରିଣାମ ମିଳିପାରେ । ସାରାଦେଶରେ ଜଳ ସମସ୍ୟାର ସମାଧାନ ପାଇଁ ଗୋଟିଏ ଫର୍ମୁଲା ପ୍ରଯୁଜ୍ୟ ନ ହୋଇପାରେ । ଏଥିପାଇଁ ଦେଶର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଉପାୟରେ ପ୍ରଚେଷ୍ଟା କରାଯାଉଛି । କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ଏକ, ତାହା ହେଉଛି ପାଣିକୁ ସଞ୍ଚୟ କରିବା, ଜଳ ସଂରକ୍ଷଣ କରିବା ।

ପଞ୍ଜାବରେ ନାଳଗୁଡ଼ିକର ମରାମତି କରାଯାଉଛି । ଏହି ପ୍ରଚେଷ୍ଟା ଦ୍ୱାରା ୱାଟର୍ ଲଗିଂ ସମସ୍ୟାରୁ ମୁକ୍ତି ମିଳୁଛି । ତେଲଙ୍ଗାନାର ଥିମାଇପଲ୍ଲୀରେ ଟାଙ୍କି ନିର୍ମାଣ ଫଳରେ ଲୋକଙ୍କ ଜୀବନରେ ପରିବର୍ତନ ହୋଇଛି । ରାଜସ୍ଥାନର କବୀରଧାମ୍ରେ ଚାଷଜମିରେ ନିର୍ମାଣ କରାଯାଇଥିବା ଛୋଟ ପୋଖରୀଗୁଡ଼ିକ ଦ୍ୱାରା ଏକ ବଡ଼ ଧରଣର ପରିବର୍ତନ ଆସିଛି । ମୁଁ ତାମିଲନାଡ଼ୁର ଭେଲ୍ଲୋରରେ କରାଯାଇଥିବା ଏକ ଗୋଷ୍ଠୀ ଉଦ୍ୟମ ସମ୍ପର୍କରେ ପଢ଼ୁଥିଲି, ଯେଉଁଠି ନାଗ ନଦୀକୁ ପୁନର୍ଜୀବିତ କରିବା ପାଇଁ 20 ହଜାର ମହିଳା ଏକାଠି ହେଲେ । ମୁଁ ଗଢ଼ୱାଲର ସେହି ମହିଳାମାନଙ୍କ ବିଷୟରେ ବି ପଢ଼ିଛି, ଯେଉଁମାନେ ପରସ୍ପର ମିଶି ବର୍ଷାଜଳ ସଂରକ୍ଷଣ ପାଇଁ ଖୁବ ଭଲ କାମ କରୁଛନ୍ତି । ଏଇଭଳି ଅନେକ କାମ କରାଯାଉଛି ବୋଲି ମୋର ବିଶ୍ୱାସ । ଆମେ ଏକାଠି ହୋଇ ଦୃଢ଼ତାର ସହ ଚେଷ୍ଟା କଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବା । ଜଣେ ଜଣେ ଏକାଠି ହେଲେ ଜଳ ସଞ୍ଚୟ ହୋଇପାରିବ । ଆଜିର ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ଦେଶବାସୀଙ୍କୁ ତିନୋଟି ଅନୁରୋଧ କରୁଛି ।

ମୋର ପ୍ରଥମ ଅନୁରୋଧ ହେଉଛି – ଦେଶବାସୀ ଯେମିତି ସ୍ୱଚ୍ଛତାକୁ ଗୋଟିଏ ଜନ ଆନ୍ଦୋଳନର ରୂପ ଦେଇଛନ୍ତି, ଆସନ୍ତୁ, ଠିକ୍ ସେହିଭଳି ଜଳ ସଂରକ୍ଷଣ ପାଇଁ ମଧ୍ୟ ଗୋଟିଏ ଜନ ଆନ୍ଦୋଳନ ଆରମ୍ଭ କରିବା । ଆମେ ସମସ୍ତେ ମିଶି ପାଣିର ପ୍ରତିଟି ବିନ୍ଦୁକୁ ସଂଚୟ କରିବାର ସଂକଳ୍ପ ଗ୍ରହଣ କରିବା । ଜଳ ପରମେଶ୍ୱରଙ୍କ ପ୍ରଦତ୍ତପ୍ରସାଦ, ଜଳ ପରଶମଣିର ରୂପ ବୋଲି ମୋର ବିଶ୍ୱାସ । ପୂର୍ବେ କୁହାଯାଉଥିଲା ଯେ,ପରଶମଣିର ସ୍ପର୍ଶରେ ଲୁହା ସୁନା ପାଲଟିଯାଏ । ମୁଁ କହୁଛି ଯେ, ପାଣି ପରଶମଣି,ପାଣିର ସ୍ପର୍ଶରେ ନବଜୀବନ ସୃଷ୍ଟି ହୋଇଯାଏ । ପାଣିର ପ୍ରତିଟି ବିନ୍ଦୁକୁ ସଞ୍ଚୟ କରିବା ପାଇଁ ଗୋଟିଏ ସଚେତନତା ଅଭିଯାନ ଆରମ୍ଭ କରିବା । ଏଥିରେ ଜଳ ସମ୍ପର୍କିତ ସମସ୍ୟା ବିଷୟରେ ଜଣାଇବା ସହ ଜଳ ସଞ୍ଚୟର ଉପାୟଗୁଡ଼ିକ ସମ୍ପର୍କରେ ପ୍ରଚାର ପ୍ରସାର କରିବା । ମୁଁ ବିଶେଷକରି ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଜଳ ସଂରକ୍ଷଣ ପାଇଁ ଇନୋଭେଟିଭ୍ କ୍ୟାମ୍ପେନର ନେତୃତ୍ୱ ନେବାପାଇଁ ଅନୁରୋଧ କରୁଛି । ଚଳଚ୍ଚିତ୍ର ଜଗତ ହେଉ, କ୍ରୀଡ଼ା ଜଗତ ହେଉ, ଗଣମାଧ୍ୟମର ଆମର ବନ୍ଧୁମାନେ ହୁଅନ୍ତୁ, ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଲୋକ ହୁଅନ୍ତୁ, ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଲୋକ ହୁଅନ୍ତୁ, ପ୍ରବଚନ-କୀର୍ତନ ଦଳ ହୁଅନ୍ତୁ, ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଏହି ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ । ସମାଜକୁ ସଚେତନ କରିବା,ସମାଜକୁ ଏକାଠି କରିବା, ସମାଜ ସହ ଲାଗିପଡ଼ିବା । ଆପଣ ଲକ୍ଷ୍ୟ କରିବେ, ନିଜ ଆଖି ସାମ୍ନାରେ ପରିବର୍ତନ ଦେଖାଯିବ ।

ଦେଶବାସୀଙ୍କୁ ମୋର ଦ୍ୱିତୀୟ ଅନୁରୋଧ ହେଲା ଯେ, ଆମ ଦେଶରେ ଜଳ ସଂରକ୍ଷଣ ପାଇଁ ଶହ ଶହ ବର୍ଷ ଧରି ଅନେକ ପାରମ୍ପରିକ ଉପାୟ ଅବଲମ୍ବନ କରାଯାଉଛି । ସେହି ପାରମ୍ପରିକ ଜଳ ସଂରକ୍ଷଣର ଉପାୟଗୁଡ଼ିକୁ ସେୟାର କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଯଦି ଆପଣମାନଙ୍କ ଭିତରୁ କେହି ପୂଜ୍ୟ ବାପୁଙ୍କ ଜନ୍ମସ୍ଥାନ ପୋରବନ୍ଦର ଯିବାର ସୁଯୋଗ ପାଇଥିବେ, ତା’ହେଲେ ଦେଖିଥିବେ ଯେ, ପୂଜ୍ୟ ବାପୁଙ୍କ ଘର ପଛପଟେ ଅନ୍ୟ ଏକ ଘର ରହିଛି । ସେଠାରେ 200 ବର୍ଷ ପୁରୁଣା ପାଣି ଟାଙ୍କି (ୱାଟର୍ ଷ୍ଟୋରେଜ୍ ଟ୍ୟାଙ୍କ୍) ରହିଛି । ଆଜି ମଧ୍ୟ ସେଥିରେ ପାଣି ଅଛି ଏବଂ ବର୍ଷାଜଳକୁ ଅଟକାଇବାର ବ୍ୟବସ୍ଥା ରହିଛି । ତେଣୁ ମୁଁ ସବୁବେଳେ କହିଆସିଛି ଯେ, ଯିଏ ବି ପୋରବନ୍ଦରର କିର୍ତ୍ତୀ ମନ୍ଦିର ଦେଖିବାକୁ ଯାଉଛନ୍ତି, ସେମାନେ ସେହି ପାଣି ଟାଙ୍କିକୁ ନିଶ୍ଚୟ ଦେଖନ୍ତୁ । ଏଭଳି ଅନେକ ପ୍ରୟୋଗ ବହୁତ ଜାଗାରେ ରହିଥିବ ।

ଆପଣ ସମସ୍ତଙ୍କୁ ମୋର ତୃତୀୟ ଅନୁରୋଧ । ଜଳ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କରେ ଯାହା ସୂଚନା ଆପଣଙ୍କ ପାଖରେ ରହିଛି ତାହାକୁ ଶେୟାର କରନ୍ତୁ, ଯାହାଫଳରେ ଏଭଳି ସଂଗଠନ ବା ବ୍ୟକ୍ତିମାନଙ୍କର ଗୋଟିଏ ଡାଟାବେସ୍ ପ୍ରସ୍ତୁତ କରାଯାଇପାରିବ । ଆସନ୍ତୁ, ଆମେ ଜଳ ସଂରକ୍ଷଣ ସମ୍ପର୍କିତ ଅଧିକରୁ ଅଧିକ ଉପାୟର ଗୋଟିଏ ତାଲିକା ପ୍ରସ୍ତୁତ କରି ଲୋକଙ୍କୁ ଜଳ ସଂରକ୍ଷଣ କରିବା ପାଇଁ ପ୍ରେରିତ କରିବା । ଆପଣ ସମସ୍ତେ # JanShakti4JalShakti hashtag ହାଶଟ୍ୟାଗ ବ୍ୟବହାର କରି ନିଜର କଂଟେଂଟ୍ ଶେୟାର କରିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଅନ୍ୟ ଗୋଟିଏ କଥା ପାଇଁ ମଧ୍ୟ ମୁଁ ଆପଣମାନଙ୍କ ପ୍ରତି ଏବଂ ବିଶ୍ୱବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି । ଜୁନ 21 ତାରିଖ ଦିନ ପୁଣି ଥରେ ଯୋଗଦିବସରେ ଯେଉଁ ସକ୍ରିୟତା ସହକାରେ, ଉତ୍ସାହର ସହିତ ଗୋଟିଏ ଗୋଟିଏ ପରିବାରର ତିନି ତିନି, ଚାରି ଚାରି ପୀଢ଼ି ଏକାଠି ମିଶି ଯୋଗଦିବସ ପାଳନ କଲେ, ଏହାଦ୍ୱାରା ସଚେତନତା ସୃଷ୍ଟି ହୋଇଛି, ଯୋଗର ମାହାତ୍ମ୍ୟ ବଢ଼ିଚାଲିଛି । ବିଶ୍ୱର କୋଣ ଅନୁକୋଣରେ କେହି ସୂର୍ଯ୍ୟ ଉଦୟ ପୂର୍ବରୁ ଯୋଗ ସହ ଦିନକୁ ସ୍ୱାଗତ ଜଣାଉଛି ତ କେହି ସୂର୍ଯ୍ୟାସ୍ତରେ ଯୋଗ ସହ ଦିନକୁ ସମାପ୍ତ କରୁଛି । ଯୋଗ ଏତେ ପରିବ୍ୟାପ୍ତ ହୋଇଛି ଯେ ଏଭଳି କୌଣସି ସ୍ଥାନ କିମ୍ବା ମଣିଷ ନ ଥିବ ଯିଏ ଯୋଗ ସହିତ ଯୋଡ଼ି ହୋଇନଥିବ । ବିଶ୍ୱରେ ହିମାଳୟଠାରୁ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ,ସିୟାଚିନରୁ ସବମେରାଇନ ପର୍ଯ୍ୟନ୍ତ, ଏୟାରଫୋର୍ସଠାରୁ ଆରମ୍ଭ କରି ଏୟାରକ୍ରାଫ୍ଟକ୍ୟାରିୟର ପର୍ଯ୍ୟନ୍ତ, ଏୟାର କଂଡିସନ ଜିମ ଠାରୁ ଉତ୍ତପ୍ତ ମରୁଭୂମି ପର୍ଯ୍ୟନ୍ତ, ଗାଁଠାରୁ ସହର ଯାଏ – ଯେଉଁଠି ବି ସମ୍ଭବ, ଏଭଳି ସବୁ ସ୍ଥାନରେ କେବଳ ଯୋଗାଭ୍ୟାସ କରାଗଲା ତା’ ନୁହେଁ, ବରଂ ଏହାକୁ ସାମୁହିକ ରୂପରେ ମଧ୍ୟ କରାଗଲା ।

ବିଶ୍ୱର କେତେକ ଦେଶର ରାଷ୍ଟ୍ରପତିଗଣ, ପ୍ରଧାନମନ୍ତ୍ରୀଗଣ, ସୁପ୍ରସିଦ୍ଧ ବ୍ୟକ୍ତିବିଶେଷ ଏବଂ ସାଧାରଣ ନାଗରିକମାନେ କିଭଳି ନିଜ ନିଜ ଦେଶରେ ଯୋଗ ଦିବସ ପାଳନ କଲେ ତାହା ମୋତେ ଟ୍ୱିଟ୍ଟର୍ ମାଧ୍ୟମରେ ଜଣାଇଛନ୍ତି । ସେହିଦିନ ସାରା ବିଶ୍ୱ ଗୋଟିଏ ଗୋଟିଏ ଖୁସି ପରିବାର ଭଳି ଲାଗୁଥିଲା ।

ଆମେ ସମସ୍ତେ ଜାଣୁ ଯେ, ଗୋଟିଏ ସୁସ୍ଥ ସମାଜ ନିର୍ମାଣ ପାଇଁ ସୁସ୍ଥ ଏବଂ ସମ୍ବେଦନଶୀଳ ବ୍ୟକ୍ତିମାନଙ୍କର ଆବଶ୍ୟକତା ହୋଇଥାଏ । ଯୋଗ ଏହାକୁ ସୁନଶ୍ଚିତ କରିଥାଏ । ତେଣୁ ଯୋଗର ପ୍ରଚାର ପ୍ରସାର ସମାଜସେବାର ଏକ ମହତ କାର୍ଯ୍ୟ । ଏଭଳି ସେବାକୁ ମାନ୍ୟତା ପ୍ରଦାନ କରି ଏହାକୁ ସମ୍ମାନିତ କରାଯିବା ଉଚିତ ନୁହେଁ କି?2019ରେ ଯୋଗର ପ୍ରସାର ଏବଂ ବିକାଶ ପାଇଁ ଉତ୍କୃଷ୍ଟ ଯୋଗଦାନ ଦେଇଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନୀତ କରିବା ଲାଗି ପ୍ରାଇମ୍ ମିନିଷ୍ଟର୍ସ ଆୱାର୍ଡର ଘୋଷଣା ମୋ’ ପାଇଁ ସନ୍ତୋଷର କଥା ଥିଲା । ଯାହା ବିଷୟରେ ଆପଣମାନେ କଳ୍ପନା ସୁଦ୍ଧା କରିନଥିବେ ସେମାନେ ଯୋଗର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି  । ଏହି ପୁରସ୍କାର ବିଶ୍ୱର ସେହି ସଙ୍ଗଠନମାନଙ୍କୁ ଦିଆଯାଇଛି । ଉଦାହରଣ ସ୍ୱରୂପ ଜାପାନ ଯୋଗ ନିକେତନକୁ ନିଅନ୍ତୁ, ଯିଏ ଯୋଗକୁ ସମଗ୍ର ଜାପାନରେ ଲୋକପ୍ରିୟ କରାଇଛନ୍ତି । ଜାପାନ ଯୋଗ ନିକେତନ ସେଠାରେ ଅନେକପ୍ରଶିକ୍ଷଣ କୋର୍ସ ଚଳାଉଛି । ସେହିଭଳି ଇଟାଲୀର ଆଂଟୋନିଟା ରୋଜିଙ୍କ ଉଦାହରଣ ଦେଖନ୍ତୁ, ଯିଏ ସର୍ବଯୋଗ ଇଂଟରନ୍ୟାସନାଲ୍ ସଂସ୍ଥାର ଶୁଭାରମ୍ଭ କଲେ ଏବଂ ସାରା ୟୁରୋପରେ ଯୋଗର ପ୍ରଚାର ପ୍ରସାର କଲେ । ଏଗୁଡ଼ିକ ସ୍ୱୟଂ ଗୋଟିଏ ଗୋଟିଏ ପ୍ରେରଣାଦାୟୀ ଉଦାହରଣ । ଯୋଗ କ୍ଷେତ୍ରରେ ଭାରତୀୟମାନେ କ’ଣ କେବେ ପଛରେ ରହିପାରିବେ? ମୁଙ୍ଗେରର ବିହାର ଯୋଗ ବିଦ୍ୟାଳୟକୁ ମଧ୍ୟ ସମ୍ମାନିତ କରାଗଲା ଯାହା ବିଗତ କିଛି ଦଶନ୍ଧି ଧରି ଯୋଗ ପାଇଁ ସମର୍ପିତ । ସେହିପରି ସ୍ୱାମୀ ରାଜର୍ଷି ମୁନିଙ୍କୁ ମଧ୍ୟ ସମ୍ମାନିତ କରାଗଲା । ସେ ଲାଇଫ୍ ମିଶନ୍ ଏବଂ ଲାକୁଲିଶ୍ ଯୋଗ ବିଶ୍ୱବିଦ୍ୟାଳୟର ସ୍ଥାପନା କରିଛନ୍ତି । ବ୍ୟାପକ ଭାବେ ଯୋଗ ଦିବସ ପାଳନ ଏବଂ ଘରେ ଘରେ ଯୋଗର ବାର୍ତ୍ତା ପହଂଚାଇଥିବା ଲୋକଙ୍କ ସମ୍ମାନ – ଏହି ଦୁଇଟି ଯୋଗ ଦିବସର ମହତ୍ତ୍ଵକୁ ବଢ଼ାଇଦେଲା ।

ମୋର ପ୍ରିୟ ଦେଶବାସୀଗଣ, ଆମର ଏହି ଯାତ୍ରା ଆଜି ଆରମ୍ଭ ହେଉଛି । ନୂତନ ଭାବନା, ନୂଆ ଅନୁଭୂତି, ନୂତନ ସଂକଳ୍ପ, ନୂତନ ସାମର୍ଥ୍ୟ । କିନ୍ତୁ ହଁ, ମୁଁ ଆପଣମାନଙ୍କ ପରାମର୍ଶକୁ ଅପେକ୍ଷା କରିଥିବି । ଆପଣଙ୍କ ଚିନ୍ତାଧାରା ସହିତ ଜଡ଼ିତ ହେବା ମୋ ପାଇଁ ଗୋଟିଏ ବଡ଼ ମହତ୍ୱପୂର୍ଣ୍ଣ ଯାତ୍ରା । ‘ମନ୍ କି ବାତ୍’ ଏକ ମାଧ୍ୟମ ମାତ୍ର । ଆସନ୍ତୁ,ଆମେ ଏମିତି ଏକାଠି ହେଉଥିବା, କଥା ହେଉଥିବା । ଆପଣଙ୍କ ଭାବନାକୁ ମୁଁ ଏମିତି ଶୁଣୁଥାଏ ଏକାଠି କରୁଥାଏ ଏବଂ ବୁଝୁଥାଏ । ବେଳେବେଳେ ସେହି ଭାବନା ସହବଞ୍ଚିବାର ପ୍ରୟାସ କରୁଥାଏ । ମୋ ପ୍ରତି ଆପଣମାନଙ୍କ ଆଶୀର୍ବାଦ ଏମିତି ରହିଥାଉ । ଆପଣମାନେ ହିଁ ମୋର ପ୍ରେରଣା, ଆପଣମାନେ ହିଁ ମୋର ଶକ୍ତି । ଆସନ୍ତୁ, ମିଳିମିଶି ବସି ‘ମନ୍ କି ବାତ୍’କୁ ଉପଭୋଗ କରି ଜୀବନର ଦାୟିତ୍ୱଗୁଡ଼ିକୁ ମଧ୍ୟ ନିର୍ବାହ କରିଚାଲିବା । ପୁଣି ଥରେ ଆସନ୍ତା ମାସରେ ‘ମନ୍ କି ବାତ୍’ ପାଇଁ ଏକାଠି ହେବା । ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଧନ୍ୟବାଦ ।

ନମସ୍କାର ।

 

ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Modi govt amends Labour law to benefit 40 crore workforce

Media Coverage

Modi govt amends Labour law to benefit 40 crore workforce
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2019
July 15, 2019
ସେୟାର
 
Comments

PM Narendra Modi’s shares idea on clay pot irrigation technique, citizens respond with great keenness

Health Infrastructure in Varanasi to get a major boost; A super-speciality hospital to benefit 20 crore citizens

Citizens praise measures taken by the Modi Govt. towards #TransformingIndia