୨୦୨୬ ଜୁଲାଇ ୨ ତାରିଖରେ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ତାକାଇଚି ସାନାଏ ନୂଆଦିଲ୍ଲୀଠାରେ ସାକ୍ଷାତ କରିଥିଲେ। ଏହି ଅବସରରେ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିଆର ଦାୟିତ୍ୱବାନ ଶକ୍ତି ଏବଂ ପ୍ରମୁଖ ଶକ୍ତି-ଉପଭୋକ୍ତା ଦେଶ ଭାବରେ ମିଳିତ ହୋଇ ଉର୍ଜ୍ଜା ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଉଭୟ ନେତା ନିଜର ଆଗ୍ରହ ପ୍ରକାଶ କରିଥିଲେ।

ଉର୍ଜ୍ଜା ସ୍ଥିରତାକୁ ମଜଭୁତ କରିବା ପାଇଁ ଆଞ୍ଚଳିକ ପଦକ୍ଷେପ, ଯେପରିକି ଦକ୍ଷିଣ ଏସିଆରେ ଉର୍ଜ୍ଜା ସୁରକ୍ଷା ପାଇଁ ଭାରତର ସହଯୋଗ ଏବଂ ଜାପାନର 'ପାର୍ଟନରସିପ୍ ଅନ୍ ୱାଇଡ୍ ଏନର୍ଜି ଆଣ୍ଡ ରିସୋର୍ସେସ୍ ରେଜିଲିଏନ୍ସ' ଆଦିର ଗୁରୁତ୍ୱ ଉପରେ ଉଭୟ ପକ୍ଷ ଗୁରୁତ୍ବଆରୋପ କରିଥିଲେ, । ଉଭୟ ନେତାଙ୍କ ଆଲୋଚନା ଆଧାରରେ, ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଜାପାନର ଅର୍ଥନୀତି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ନିମ୍ନଲିଖିତ ନିର୍ଦ୍ଦିଷ୍ଟ ପଦକ୍ଷେପଗୁଡ଼ିକ ଉପରେ ସହଯୋଗ କରିବାକୁ ସହମତ ହୋଇଛନ୍ତି:

୧. ରଣନୈତିକ ଭଣ୍ଡାରଣ ବ୍ୟବସ୍ଥା କ୍ଷେତ୍ରରେ ସହଯୋଗ

ଉଭୟ ପକ୍ଷ ନିଜ ନିଜର ଜ୍ଞାନ ଓ ଅଭିଜ୍ଞତା ଆଦାନପ୍ରଦାନ ଏବଂ ଆବଶ୍ୟକ ସ୍ଥଳେ ଅଶୋଧିତ ତୈଳ ଓ ପେଟ୍ରୋଲିୟମଜାତ ଦ୍ରବ୍ୟର ମହଜୁଦ ବ୍ୟବସ୍ଥା ଏବଂ ସଂରକ୍ଷଣ ପ୍ରଣାଳୀ ସହ ଜଡ଼ିତ ନିର୍ଦ୍ଦିଷ୍ଟ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଏହି ସହଯୋଗ କେନ୍ଦ୍ରୀଭୂତ ହେବ:

• ଶିଳ୍ପଭିତ୍ତିକ ଭଣ୍ଡାରଣ ସମେତ ଜାତୀୟ ଭଣ୍ଡାରଣ ବ୍ୟବସ୍ଥା ଏବଂ ସଂରକ୍ଷଣ ସହ ଜଡ଼ିତ ପ୍ରକ୍ରିୟା

• ଉତ୍ପାଦନକାରୀ ଦେଶଗୁଡ଼ିକ ବନ୍ଦୋବସ୍ତ ବାବଦରେ ସମନ୍ୱୟ ରକ୍ଷା

• ଜରୁରୀକାଳୀନ ମୁକାବିଲା ଏବଂ ବଜାର ସ୍ଥିରତା 

୨. ଉର୍ଜ୍ଜା-ଉପଭୋକ୍ତା ଦେଶଗୁଡ଼ିକର ସ୍ୱରକୁ ସୁଦୃଢ଼ କରିବା

ଯୋଗାଣର ନିଶ୍ଚିତତା, ସ୍ଥାୟୀତ୍ବ ବୃଦ୍ଧି ଏବଂ ଅସ୍ଥିରତା ହ୍ରାସ କରିବା ନିମନ୍ତେ ବ୍ୟବସ୍ଥା ନିର୍ମାଣ କରିବା ମାଧ୍ୟମରେ ଉର୍ଜ୍ଜାର ଉପଲବ୍ଧତା ଓ ସୁଲଭତା ଭଳି ସାଧାରଣ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ସହଯୋଗର ଗୁରୁତ୍ୱକୁ ଉଭୟ ପକ୍ଷ ପୁନର୍ବାର ଦୋହରାଇଛନ୍ତି। ଏହା ଦ୍ୱାରା ତୈଳ ଏବଂ ଗ୍ୟାସ୍-ଉପଭୋକ୍ତା ଦେଶଗୁଡ଼ିକର ସ୍ୱର ସୁଦୃଢ଼ ହୋଇପାରିବ। ବିଶେଷ କରି ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଏହି ସହଯୋଗ କେନ୍ଦ୍ରୀଭୂତ ହେବ:

• ବଜାର ଧାରା ସମ୍ପର୍କିତ ସୂଚନା ଆଦାନପ୍ରଦାନ ଏବଂ ବଜାର ସ୍ଥିରତା ପାଇଁ ମିଳିତ ପ୍ରୟାସ କ୍ଷେତ୍ରରେ ସହଯୋଗ

• ତୃତୀୟ ଦେଶରୁ ଉର୍ଜ୍ଜା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସହଯୋଗର ସୁଯୋଗ ଅନୁସନ୍ଧାନ କରିବା

• ତୃତୀୟ ଦେଶଗୁଡ଼ିକରେ ତୈଳ ଓ ଗ୍ୟାସର ସନ୍ଧାନ ଓ ଉତ୍ତୋଳନ ନିମନ୍ତେ ପୁଞ୍ଜିନିବେଶ ପାଇଁ ବାଣିଜ୍ୟିକ ସହଭାଗିତାର ସମ୍ଭାବନା ଖୋଜିବା

୩. ଉର୍ଜ୍ଜା ପରିବହନରେ ସହଯୋଗ

ଉଭୟ ପକ୍ଷ ଦୋହରାଇଛନ୍ତି ଯେ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ଏକ ସ୍ଥିର, ଆତ୍ମନିର୍ଭରଶୀଳ ଏବଂ ଦକ୍ଷ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉଭୟ ରାଷ୍ଟ୍ରର ଉର୍ଜ୍ଜା ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଏହା ବ୍ୟତୀତ, ସାମୁଦ୍ରିକ ଶକ୍ତି ପରିବହନ ମୂଲ୍ୟ ଶୃଙ୍ଖଳର ବିଭିନ୍ନ ବିଭାଗରେ ମିଳିତ ନିବେଶ ସମେତ ସହଯୋଗର ସୁଯୋଗ ଅନୁସନ୍ଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି।

୪. ସଂସ୍ଥାଗତ ସହଯୋଗ

ଉଭୟ ପକ୍ଷ ବୈଷୟିକ ଏବଂ ଆର୍ଥିକ ସହଯୋଗ ସମେତ ଉର୍ଜ୍ଜା କ୍ଷେତ୍ରରେ ବ୍ୟାପକ ସହଯୋଗକୁ ଗଭୀର କରିବା ପାଇଁ ନିମ୍ନଲିଖିତ ସଂସ୍ଥାଗୁଡ଼ିକ ସମେତ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ଆନୁଷ୍ଠାନିକ ସହଭାଗିତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଆଗ୍ରହ ପ୍ରକାଶ କରିଛନ୍ତି:

• ଭାରତୀୟ ସଂସ୍ଥା: ଭାରତୀୟ ଜାତୀୟ ତୈଳ କମ୍ପାନୀ, ଭାରତୀୟ ରଣନୀତିକ ପେଟ୍ରୋଲିୟମ୍ ରିଜର୍ଭ ଲିମିଟେଡ୍ (ISPRL), ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାର।

• ଜାପାନୀ ସଂସ୍ଥା: ଜାପାନ ଧାତୁ ଏବଂ ଶକ୍ତି ସୁରକ୍ଷା ସଂଗଠନ (JOGMEC), ଜାପାନ ବ୍ୟାଙ୍କ ଫର୍‌ ଇଣ୍ଟରନ୍ୟାସନାଲ୍‌ କୋପରେସନ (JBIC), ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାର।

୫. ଆଲୋଚନା ପାଇଁ ମଞ୍ଚ 

ଏହି ବିବୃତିରେ ଚିହ୍ନଟ ହୋଇଥିବା ପ୍ରାଥମିକତା ପ୍ରାପ୍ତ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ, ଉଭୟ ପକ୍ଷ 'ଭାରତ-ଜାପାନ ଉର୍ଜ୍ଜା ଆଲୋଚନା'ର ଅଧୀନରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମ୍ପର୍କିତ 'ଭାରତ-ଜାପାନ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ' ମାଧ୍ୟମରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମଞ୍ଚ ଜରିଆରେ, ଉଭୟ ପକ୍ଷ ଅତ୍ୟାଧୁନିକ ଜ୍ଞାନ ଓ ଅଭିଜ୍ଞତା ଆଦାନପ୍ରଦାନ କରିବେ ଏବଂ ପାରସ୍ପରିକ ଲାଭଦାୟକ ସହଯୋଗର ସୁଯୋଗଗୁଡ଼ିକର ଅନୁସନ୍ଧାନ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action