ଭାରତ - ଫ୍ରାନ୍ସ ମିଳିତ ବିବୃତି

Published By : Admin | September 10, 2023 | 17:26 IST

ସେପ୍ଟେମ୍ବର ୧୦, ୨୦୨୩ରେ ନୂଆଦିଲ୍ଲୀ ଠାରେ ଜି - ୨୦ ନେତା ମାନଙ୍କର ସମ୍ମିଳନୀ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସରେ ଶେଷ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ଆଲୋଚନା, ଆକଳନ ଏବଂ ସମୀକ୍ଷା କରିଥିଲେ । ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ବିକାଶ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ ।

ଭାରତ - ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ତମ ବାର୍ଷିକୀ ପାଳନ ଅବସରରେ ୨୦୨୩ ଜୁଲାଇ ୧୪ ରେ ଫ୍ରାନ୍ସ ଜାତୀୟ ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପରିପ୍ରେକ୍ଷୀରେ ୧୩ – ୧୪ ଜୁଲାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ପ୍ୟାରିସ୍ ଗସ୍ତ ପରେ ରାଷ୍ଟ୍ରପତି ମାକ୍ରୋନ୍ ଭାରତ ଗସ୍ତ କରିଛନ୍ତି ।

ଗଭୀର ବିଶ୍ୱାସ, ଅଂଶୀଦାର ମୂଲ୍ୟବୋଧ, ସାର୍ବଭୌମତ୍ୱ ଏବଂ ରଣନୈତିକ ସ୍ୱାଧୀନତା ଉପରେ ବିଶ୍ୱାସ, ଜାତିସଂଘ ଚାର୍ଟରରେ ଥିବା ଅନ୍ତର୍ଜାତୀୟ ଆଇନ ଏବଂ ନୀତି ପ୍ରତି ଦୃଢ଼ ପ୍ରତିବଦ୍ଧତା, ବହୁପକ୍ଷବାଦରେ ଏକ ସ୍ଥାୟୀ ବିଶ୍ୱାସ ଏବଂ ଏକ ସ୍ଥିର ବହୁ - ମେରୁ ବିଶ୍ୱର ପାରସ୍ପରିକ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ ଭାରତ ଫ୍ରାନ୍ସ ଭାଗିଦାରୀର ଶକ୍ତିକୁ ସ୍ୱୀକାର କରି ଉଭୟ ନେତା ଆଞ୍ଚଳିକ ଏବଂ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ସେମାନଙ୍କର ସହଯୋଗକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଶାନ୍ତ ସମୟରେ 'ବସୁଧୈବ କୁଟୁମ୍ବକମ୍‌' ଅର୍ଥାତ୍ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ'ର ବାର୍ତ୍ତା ବହନ କରି ସାମୂହିକ ଭାବରେ ଏକ ଉତ୍ତମ ଶକ୍ତି ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ସେମାନେ ଦୋହରାଇ ଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ 'ହରାଇଜନ୍ ୨୦୪୭' ରୋଡ୍ ମ୍ୟାପ୍‌, ଭାରତ - ପ୍ରଶାନ୍ତ ମହାସାଗରୀୟ ରୋଡ୍ ମ୍ୟାପ୍ ଏବଂ ଅନ୍ୟାନ୍ୟ ପରିଣାମ ସାମ୍ପ୍ରତିକ ପ୍ରସଙ୍ଗ ଭାବେ କାର୍ଯ୍ୟ କରିବା ସହିତ ପ୍ରତିରକ୍ଷା, ମହାକାଶ, ପରମାଣୁ ଶକ୍ତି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା, ଜଳବାୟୁ ପରିବର୍ତ୍ତନ, ଶିକ୍ଷା, ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ଆଦି କ୍ଷେତ୍ରରେ ସହଯୋଗ ପାଇଁ ନୂତନ ଓ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ଗୁଡ଼ିକର କାର୍ଯ୍ୟକାରିତା ଦିଗରେ ସାମଗ୍ରିକ ଅଗ୍ରଗତି ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେ । ଭିତ୍ତିଭୂମି, ଯୋଗାଯୋଗ, ଶକ୍ତି, ଜୈବ ବିବିଧତା, ସ୍ଥାୟୀତା ଏବଂ ଶିଳ୍ପ ପ୍ରକଳ୍ପ ସମେତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆଫ୍ରିକାରେ ଭାରତ - ଫ୍ରାନ୍ସ ଭାଗିଦାରୀ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ଭାରତ ଏବଂ ଫ୍ରାନ୍ସ ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟରେ ସହଯୋଗ ମାଧ୍ୟମରେ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସମାଧାନ ପ୍ରଦାନ କରିବାରେ ସେମାନଙ୍କର ଭୂମିକା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ମିଶନ ଚନ୍ଦ୍ରଯାନ - ୩ର ସଫଳତା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ନେତା ଭାରତ - ଫ୍ରାନ୍ସ ମହାକାଶ ସହଯୋଗର ଛଅ ଦଶନ୍ଧିକୁ ମନେ ପକାଇଥିଲେ ଏବଂ ଜୁନ୍ ୨୦୨୩ ରେ ପ୍ରଥମ ରଣନୈତିକ ମହାକାଶ ଆଲୋଚନା ଆୟୋଜନ ପର ଠାରୁ ଏହାର ଅଗ୍ରଗତିର ସମୀକ୍ଷା କରିଥିଲେ । 

ସେମାନେ ଭାରତ - ଫ୍ରାନ୍ସ ବେସାମରିକ ପରମାଣୁ ସମ୍ପର୍କକୁ ସ୍ୱୀକାର କରିଥିଲେ, ଜୈତାପୁର ପରମାଣୁ କାରଖାନା ପ୍ରକଳ୍ପ ପାଇଁ ଆଲୋଚନାରେ ଭଲ ଅଗ୍ରଗତିକୁ ସ୍ୱୀକାର କରିଥିଲେ ଏବଂ ଏସ୍‌ଏମ୍‌ଆର ଏବଂ ଏଏମ୍‌ଆର ଟେକ୍ନୋଲୋଜିର ସହ - ବିକାଶ ପାଇଁ ଭାଗିଦାରୀ ସ୍ଥାପନ କରିବା ନିମନ୍ତେ ଦ୍ୱିପାକ୍ଷିକ ସହଯୋଗକୁ ବିସ୍ତାର କରିବା ପାଇଁ ଉଭୟ ପକ୍ଷର ନିରନ୍ତର ଯୋଗଦାନକୁ ସ୍ୱାଗତ କରିବା ସହିତ ଏକ ଉତ୍ସର୍ଗୀକୃତ ଉଦ୍ଦେଶ୍ୟ ଘୋଷଣାପତ୍ରର ଆଗାମୀ ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ । ଫ୍ରାନ୍ସ ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତା ପାଇଁ ନିଜର ଦୃଢ଼ ଏବଂ ଅତୁଟ ସମର୍ଥନକୁ ଦୋହରାଇଛି ।

ଉନ୍ନତ ପ୍ରତିରକ୍ଷା ଜ୍ଞାନକୌଶଳ ଓ ପ୍ଲାଟଫର୍ମର ଡିଜାଇନ୍‌, ବିକାଶ, ପରୀକ୍ଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଭାଗିଦାରୀ ମାଧ୍ୟମରେ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଏହା ବାହାରେ ତୃତୀୟ ବିଶ୍ୱର ଦେଶ ସମେତ ଭାରତରେ ଉତ୍ପାଦନ ବିସ୍ତାର କରିବାକୁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ଔଦ୍ୟୋଗିକ ରୋଡମ୍ୟାପକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି । 

ଡିଜିଟାଲ, ବିଜ୍ଞାନ, ବୈଷୟିକ ଉଦ୍ଭାବନ, ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟ ଏବଂ ପରିବେଶ ସହଯୋଗ ଭଳି କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରି ଉଭୟ ନେତା ଭାରତ - ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଭାରତ - ଫ୍ରାନ୍ସ କ୍ୟାମ୍ପସ ମଡେଲରେ ଏହି କ୍ଷେତ୍ର ଗୁଡ଼ିକରେ ସଂସ୍ଥାଗତ ସମ୍ପର୍କକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ସାଂସ୍କୃତିକ ଭାବ ବିନିମୟକୁ ବିସ୍ତାର କରିବା ଏବଂ ସଂଗ୍ରହାଳୟର ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ ।

ବୈଶ୍ୱିକ ଆହ୍ୱାନ ଗୁଡିକର ମୁକାବିଲା ଏବଂ ଅଧିକ ସ୍ଥିର ବିଶ୍ୱ ବ୍ୟବସ୍ଥା ଗଠନ ପାଇଁ ଆନ୍ତର୍ଜାତିକ ପ୍ରୟାସରେ ଉନ୍ନତ ଅନ୍ତର୍ଭୁକ୍ତୀକରଣ, ଏକତା ଏବଂ ସମନ୍ୱୟ ରଖିଥିବା ଜି - ୨୦ ର ଭାରତର ଅଧ୍ୟକ୍ଷତାକୁ ଫ୍ରାନ୍ସ ନିରନ୍ତର ଭାବେ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଏବଂ ଫ୍ରାନ୍ସ ମଧ୍ୟ ଜି - ୨୦ରେ ଆଫ୍ରିକୀୟ ସଂଘର ସଦସ୍ୟତାକୁ ସ୍ୱାଗତ କରିଛନ୍ତି ଏବଂ ଆଫ୍ରିକାର ପ୍ରଗତି, ସମୃଦ୍ଧି ଏବଂ ବିକାଶ ପାଇଁ ଏୟୁ ସହିତ କାମ କରିବାକୁ ଚାହୁଁଛନ୍ତି । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report

Media Coverage

Rs 25,000 cr cyber fraud prevented, Rs 323 cr returned to victims as Centre expands e-Zero FIR: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional