1.  ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ୍‌ ହସୀନା ଅକ୍ଟୋବର 05, 2019 ତାରିଖ ଦିନ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ନୂଆଦିଲ୍ଲୀଠାରେ ତାଙ୍କର ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ୍‌ ହସୀନା ବିଶ୍ୱ ଆର୍ଥିକ ଫୋରମ ପକ୍ଷରୁ ଅକ୍ଟୋବର 03 – 04, 2019 ତାରିଖ ଦିନ ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ ଆର୍ଥିକ ଫୋରମ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

2.  ଏହି ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପାରସ୍ପରିକ ସଦ୍ଭାବ ଏବଂ ଉଷ୍ମ ବାତାବରଣ ମଧ୍ୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ,   ଦୁଇ ପ୍ରଧାନମନ୍ତ୍ରୀ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ବୁଝାମଣା ପତ୍ର/ରାଜିନାମା ସ୍ୱାକ୍ଷର ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଏହି ରାଜିନାମା ସ୍ୱାକ୍ଷରର ଆୟୋଜନ କରାଯାଇଥିଲା । ଏବଂ ଏହି ଅବସରରେ ଉଭୟ ନେତା ଭିଡ଼ିଓ କନଫରେନ୍ସିଂ ଜରିଆରେ ତିନୋଟି ମିଳିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ବୈଠକ ଅବସରରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂମ୍ପର୍କର ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ ଯାହାକି ଗଭୀର ଐତିହାସିକ ଏବଂ ଭାତୃତ୍ୱର ସମ୍ପର୍କ ସୂତ୍ରରେ ଆବଦ୍ଧ । ଏହା ଦୁଇ ରାଷ୍ଟ୍ରର ସାମଗ୍ରିକ ଦ୍ୱିପାକ୍ଷିକ ସଂପର୍କକୁ ସାର୍ବଭୌମତ୍ୱ, ସମାନତା, ଆସ୍ଥା ଓ ବୁଝାମଣା ଉପରେ ଆଧାରିତ ଏବଂ ତାହା ରଣନୈତିକ ସଂପର୍କକୁ ମଧ୍ୟ ରୂପାନ୍ତରୀତ ହୋଇଛି । ଏହି ଅବସରରେ ସେମାନେ ଅନେକ ଗଠନମୂଳକ ଏବଂ ବ୍ୟାପକ ଆଲୋଚନା କରିଥିଲେ ତଥା ଦୁଇ ଦେଶର ଦ୍ୱିପାକ୍ଷିକ ସଂପର୍କର ସମୀକ୍ଷା କରିଥିଲେ ଓ ବିଭିନ୍ନ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ଦୁଇ ପ୍ରଧାନମନ୍ତ୍ରୀ ପାରମ୍ପରିକ ଓ ଅଣ ପାରମ୍ପରିକ କ୍ଷେତ୍ରରେ ଥିବା ସମ୍ପର୍କକୁ ଆଗେଇ ନେବା ସକାଶେ ଉପଲବ୍ଧ ବିଭିନ୍ନ ସୁଯୋଗର ପୂର୍ଣ୍ଣ ଉପଯୋଗ କରିବା ନିମନ୍ତେ ସହମତ ହୋଇଥିଲେ । ବାଂଲାଦେଶର ମହାନ ମୁକ୍ତି ଯୁଦ୍ଧ ସମୟରୁ ଆରମ୍ଭ ହୋଇଥିବା ସେମାନଙ୍କ ସହଭାଗୀତାକୁ ଆଗକୁ ଆଗେଇ ନେବା ଦିଗରେ ସେମାନେ କାର୍ଯ୍ୟ କରିବାକୁ ସୁନିଶ୍ଚିତ କରିବା ଲାଗି ସେମାନେ ନିଜର ଦୃଢ଼ ମତ ପୋଷଣ କରିଥିଲେ ।

ଭାରତ- ବାଂଲାଦେଶ- ଷ୍ଟ୍ରାଟେଜିକ ସହଭାଗୀତା ଅତିକ୍ରମଶୀଳ ସଂପର୍କ

3.  ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶର ମିଳିତ ଇତିହାସ, ସଂସ୍କୃତି , ଭାଷା, ଧର୍ମନିରପେକ୍ଷତା ଓ ଅନ୍ୟାନ୍ୟ କ୍ଷେତ୍ରରେ ଥିବା ବିଶେଷ ସମାନତାକୁ ସ୍ମରଣ ପୂର୍ବକ ମତ ପୋଷଣ କରିଥିଲେ ଯେ ଏହା ଉପରେ ସେମାନଙ୍କର ସହଭାଗୀତା ଆଧାରିତ ।  ଏହି ଅବସରରେ ସେମାନେ ମୁକ୍ତିଯୁଦ୍ଧରେ ପ୍ରାଣ ହରାଇଥିବା ମୁକ୍ତିଯୋଦ୍ଧା, ଭାରତୀୟ ସୈନିକ ଯେଉଁମାନେ କି ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ ଏବଂ ବାଂଲାଦେଶର ସାଧାରଣ ନାଗରିକ ଯେଉଁମାନେ ଏହି ମୁକ୍ତିଯୁଦ୍ଧରେ ପ୍ରାଣ ହରାଇଥିଲେ, 1971 ମୁକ୍ତି ଯୁଦ୍ଧ ପ୍ରତି ସେମାନଙ୍କର ମହାନ ବଳିଦାନ ପ୍ରତି ସେମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଓ ସମାନତାର ମହାନ ମୂଲ୍ୟବୋଧ ପ୍ରତି ତାଙ୍କର ସମ୍ମାନବୋଧର ପ୍ରତିବଦ୍ଧତା ପ୍ରକଟ କରିଥିଲେ ।  ଉଭୟ ନେତା ଏହି ସମାନ ମୂଲ୍ୟବୋଧକୁ ବଜାୟ ରଖିବା ସକାଶେ ସେମାନଙ୍କର ବଚନବଦ୍ଧତା ଜ୍ଞାପନ କରିଥିଲେ ଯାହାକି ବାଂଲାଦେଶର ଜାତିର ଜନକ, ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରହମନଙ୍କ ସ୍ୱପ୍ନ ଉପରେ ଆଧାରିତ । ସେହିଭଳି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନାଙ୍କ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ଓ ବିକଶିତ ବାଂଲାଦେଶ ଗଠନ ପରିକଳ୍ପନାକୁ ସାକାର କରିବା ସକାଶେ ଭାରତର ସଂପୂର୍ଣ୍ଣ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ସୀମା ନିରାପତ୍ତା ଓ ପରିଚାଳନା

4. ଆତଙ୍କବାଦ ପ୍ରତି ବାଂଲାଦେଶ ସରକାରଙ୍କ ଜିରୋ ସହନଶୀଳତା ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ଏହି କ୍ଷେତ୍ରରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ରକ୍ଷା ସକାଶେ ପ୍ରଧାନମନ୍ତ୍ର ଶେଖ ହସୀନାଙ୍କ ସଂକଳ୍ପବଦ୍ଧ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଉଭୟ ରାଷ୍ଟ୍ର ଏବଂ ଏହି କ୍ଷେତ୍ରରେ ଆତଙ୍କବାଦ ଶାନ୍ତି ଓ ସ୍ଥିରତା ରକ୍ଷା ଦିଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇଥିବା ମତକୁ ସ୍ୱୀକାର ପୂର୍ବକ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଆତଙ୍କବାଦର ସବୁ ସ୍ୱରୂପ ଓ ଆଚରଣର ମୂଳୋତ୍ପାଟନ ସକାଶେ ସେମାନଙ୍କର ବଚନବଦ୍ଧତା ପ୍ରକଟ କରିଛନ୍ତି । ସେହିଭଳି ସେମାନେ ଦୋହରାଇଛନ୍ତି ଯେ  ଆତଙ୍କବାଦକୁ କୌଣସି କାରଣ ଦର୍ଶାଇ କଦାପି ପ୍ରମାଣସିଦ୍ଧ କରାଯାଇନପାରେ । ନିକଟରେ 2019 ମସିହା ଅଗଷ୍ଟ ମାସରେ ବାଂଲାଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତବେଳେ ଉଭୟ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ଉଭୟ ନେତା ସଫଳ ବୋଲି ବିବେଚନା କରିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେମାନେ ସହମତ ହୋଇଛନ୍ତି ଯେ ସମସ୍ତ ପ୍ରକାର ଉଗ୍ରବାଦୀ ଓ ଅତିବାଦୀ ଗୋଷ୍ଠୀ, ଆତଙ୍କବାଦୀ, ଚୋରାବେପାରି, ଜାଲନୋଟ କାରବାର କରୁଥିବା ଚୋରାବେପାରି ଓ ସଂଗଠିତ ଅପରାଧୀଙ୍କ ବିରୋଧରେ ସଂଗ୍ରାମ ସକାଶେ ସେମାନଙ୍କର ଘନିଷ୍ଠ ସହଯୋଗ ଜାରି ରଖିବେ।

5. ଉଭୟ ଦେଶ ମଧ୍ୟରେ ଯେଭଳି ସାଧାରଣ ନାଗରିକମାନେ ସହଜରେ ଚଳପ୍ରଚଳ ହୋଇପାରିବେ ଏହି ବ୍ୟବସ୍ଥାକୁ ସରଳ କରିବା ସକାଶେ ଉଭୟ ପକ୍ଷ ସହମତ ହୋଇଛନ୍ତି । ବାଂଲାଦେଶର ନାଗରିକମାନେ ସଡ଼କ କିମ୍ବା ରେଳପଥରେ ଭାରତ ଭ୍ରମଣ ବେଳେ ଆବଶ୍ୟକ ଭ୍ରମଣ କାଗଜାତର ସରଳୀକରଣ ସକାଶେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଅନୁରୋଧ କରିଛନ୍ତି ଯେ ଏଭଳି ପାରସ୍ପରିକ ସୌହାଦ୍ଦ୍ୟର ମନୋଭାବ ସହକାରେ ଉଭୟ ପକ୍ଷ ଭବିଷ୍ୟତରେ କାର୍ଯ୍ୟ କରିବା ଉଚିତ । ସେହିଭଳି ବର୍ତ୍ତମାନ କାର୍ଯ୍ୟ କରୁଥିବା ଭୂବନ୍ଦର ପଥଦେଇ ଭାରତକୁ ଯାଉଥିବା ବାଂଲାଦେଶୀ ନାଗରିକଙ୍କ ଉପରେ ଜାରି ସମସ୍ତ ପ୍ରକାର କଠୋର ବ୍ୟବସ୍ଥାକୁ ଉଠାଇ ଦିଆଯିବା ଉଚିତ । ପର୍ଯ୍ୟାୟ କ୍ରମିକ ଭାବେ ଭାରତକୁ ଆବଶ୍ୟକ କାଗଜାତ ସହ ଆଖନୁର (ତ୍ରିପୁରା) ଓ ଘୋଜଡ଼ଙ୍ଗା (ପଶ୍ଚିମବଙ୍ଗ) ଭୂବନ୍ଦର ଦେଇ ଭ୍ରମଣରେ ଆସୁଥିବା ବାଂଲାଦେଶୀ ନାଗରିକଙ୍କ ଉପରୁ ସେହିସବୁ କଠୋର ବ୍ୟବସ୍ଥା ଉଠାଇ ନିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ।

6. ସୀମାକୁ ଶାନ୍ତ, ସ୍ଥିର ଓ ଅପରାଧମୁକ୍ତ ରଖିବା ସକାଶେ ସକ୍ରିୟ ସୀମା ପରିଚାଳନା ବ୍ୟବସ୍ଥା ଉପରେ ଉଭୟ ନେତା ଗୁରୁତ୍ୱ  ଆରୋପ କରିଛନ୍ତି ।  ଏହି ଲକ୍ଷ୍ୟ ହାସଲ କରିବା ସକାଶେ, ଉଭୟ ନେତା ସେମାନଙ୍କର ନିଜ ନିଜ ସୀମା ବଳଙ୍କ ପରାମର୍ଶ ଦେଇଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଥିବା ଆନ୍ତର୍ଜାତିକ ସୀମାରେ ବାକିଥିବା ତାରବାଡ଼ ଘେରା କାର୍ଯ୍ୟକୁ ଯଥାଶୀଘ୍ର ସଂପୂର୍ଣ୍ଣ କରାନ୍ତୁ । ଉଭୟ ନେତା ଉଦ୍‌ବେଗ ପ୍ରକଟ କରିଛନ୍ତି ଯେ ସୀମାନ୍ତରେ ସାଧାରଣ ନାଗରିକଙ୍କ ପ୍ରାଣହାନି ଉଦ୍‌ବେଗର କାରଣ ଏବଂ ଏହି ପରିପ୍ରେକ୍ଷୀରେ ସଂପୃକ୍ତ ସୀମା ସୁରକ୍ଷା ବଳଙ୍କୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ସମନ୍ୱିତ ଭାବେ ସୀମାନ୍ତରେ ଘଟୁଥିବା ଏଭଳି ଘଟଣାକୁ ସେମାନେ ସଂପୂର୍ଣ୍ଣ ବନ୍ଦ କରିବା ଦିଗରେ ପ୍ରୟାସ କରନ୍ତୁ ।

7. ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା ସକାଶେ ଉଭୟ ନେତା ସହମତ ହୋଇଛନ୍ତି । ନିର୍ଦ୍ଧାରିତ ସମୟସୀମା ମୁତାବକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଯଥାଶୀଘ୍ର ଦୁଇ ଦେଶରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବାକୁ ଉଭୟ ପକ୍ଷଙ୍କ ଆଗ୍ରହକୁ ସେମାନେ ସ୍ୱାଗତ କରିଛନ୍ତି ।

ଉଭୟ ପକ୍ଷଙ୍କୁ ଲାଭପ୍ରଦ ହେବାଭଳି ବ୍ୟବସାୟିକ ସହଭାଗୀତା

8. ଏଲଡ଼ିସି ସ୍ଥିତିରୁ ବାଂଲାଦେଶ ଯଥାଶୀଘ୍ର ମୁକ୍ତି ଲାଭ କରିବା ସୁନିଶ୍ଚିତତାକୁ ସ୍ୱାଗତ କରି ଭାରତ ବାଂଲାଦେଶକୁ ବିପୁଳ ଅଭିନନ୍ଦନ ଜଣାଇଛି । ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ  ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା (CEPA) ସ୍ୱାକ୍ଷର ସକାଶେ ଥିବା ସମ୍ଭାବନାର କ୍ଷେତ୍ର ସଂପର୍କରେ ମିଳିତ ଭାବେ ଅଧ୍ୟୟନ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇଛନ୍ତି ।

9. ଆଖନୁର-ଅଗରତାଲା ବନ୍ଦର ଦେଇ ରପ୍ତାନି କରାଯାଉଥିବା ଉତ୍ପାଦ ଉପରେ ଲାଗୁ କରାଯାଇଥିବା କଠୋର ବ୍ୟବସ୍ଥା ଉଠାଇନେବା ସକାଶେ ଭାରତ କରିଥିବା ଅନୁରୋଧ ପରିପ୍ରେକ୍ଷୀରେ ବାଂଲାଦେଶ ପକ୍ଷରୁ ସୂଚୀତ କରାଯାଇଛି ଯେ ନିକଟ ଭବିଷ୍ୟତରେ ନିୟମିତ ଭାବେ କାରବାର କରାଯାଉଥିବା ଅଧିକାଂଶ ମାଲ ଉପରୁ ଏଭଳି ନିୟନ୍ତ୍ରଣ ଉଠାଇ ନିଆଯିବ।

10.   ସେହିଭଳି ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଛି ଯେ ବିବିଧ ସାମଗ୍ରୀ ଉପରେ  ଠୁଳ ନିରୋଧୀ/ପ୍ରତାରଣା ନିରୋଧୀ ଟିକସ ପ୍ରସଙ୍ଗରେ ଭାରତ ବିଚାର କରିବା ଉଚିତ । ବାଂଲାଦେଶରୁ ଏଭଳି ସାମଗ୍ରୀ ଭାରତକୁ ରପ୍ତାନି କରାଯାଇଥାଏ । ସେଥିରେ ଝୋଟରୁ ଉତ୍ପାଦିତ ସାମଗ୍ରୀ ସାମିଲ । ଭାରତ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ଯେ ବାଣିଜ୍ୟ କାରବାର ସଂପର୍କୀତ ସୁବ୍ୟବସ୍ଥା ସଂପର୍କରେ ଏବେ ଅନୁସନ୍ଧାନ କରି ଦେଖାଯାଉଛି ; ଏବଂ ପ୍ରଚଳିତ ନିୟମାନୁସାରେ ସେଥି ପ୍ରତି ଦୃଷ୍ଟି ଦିଆଯିବ । ସେହିଭଳି ବାଣିଜ୍ୟ ସୁଗମନ ବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ଏବଂ ଏହି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସକାଶେ ଏକ ସହଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ତ୍ୱରିତ କରିବା ଉପରେ ଉଭୟ ନେତା ସେମାନଙ୍କ ଦେଶର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

11.   ଉଭୟ ଦେଶର ଦୁର୍ଗମ ସୀମାନ୍ତ କ୍ଷେତ୍ରରେ ବସବାସ କରୁଥିବା  ଲୋକମାନଙ୍କ ଜୀବନ ଓ ସେମାନଙ୍କ ଜୀବିକା ଉପରେ ସୀମାନ୍ତ ହାଟ ପକାଉଥିବା ପ୍ରଭାବକୁ ପ୍ରଶଂସା ପୂର୍ବକ ଉଭୟ ନେତା ନିଜ ନିଜ ରାଷ୍ଟ୍ରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଏଭଳି ବାରଟି ସୀମାନ୍ତ ହାଟ ସ୍ଥାପନ ସକାଶେ ହୋଇଥିବା ସହମତକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଦିଗରେ ବିହିତ ପଦକ୍ଷେପ ନିଆଯାଉ ।

12.   ବାଂଲାଦେଶ ଷ୍ଟାଣ୍ଡାର୍ଡ଼ ଆଣ୍ଡ ଟେଷ୍ଟିଂ ଇନଷ୍ଟିଚୁସନ  (BSTI) ଏବଂ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ଼ (BIS) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରର ପୁନଃନବୀକରଣକୁ ଉଭୟ ନେତା ସ୍ୱାଗତ କରିଛନ୍ତି ।  ଏଭଳି ବୁଝାମଣା ପତ୍ର ଦୁଇ ଦେଶ ମଧ୍ୟରେ ହେଉଥିବା ସାମଗ୍ରୀ କାରବାରକୁ ସନ୍ତୁଳିତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି ସେମାନେ ମତ ପୋଷଣ କରିଛନ୍ତି ।  ସେହିଭଳି ଯଥାକ୍ରମେ ବିଏବି ଏବଂ ଏନଏବିଏଲର ପ୍ରମାଣନକୁ ଉଭୟ ପକ୍ଷ ପାରସ୍ପରିକ ସ୍ୱୀକୃତି ପ୍ରଦାନ କରିବା ଦିଗରେ ସେମାନେ ବିଚାର କରି ଦେଖିବେ ବୋଲି ସହମତ ହୋଇଛନ୍ତି । ଯେହେତୁ ଉଭୟ ରାଷ୍ଟ୍ର ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପରୀକ୍ଷାଗାର ସ୍ୱୀକୃତି ପ୍ରମାଣନ ସହଯୋଗର ସମାନ ସଦସ୍ୟ ଏବଂ ବିଏସଟିଆଇ ଏବେ ଏନଏବିଏଲ ଷ୍ଟାଣ୍ଡାର୍ଡ଼ ସହ ସମାନୁପାତିକ କେତେକ ବ୍ୟବସ୍ଥା ଗ୍ରହଣ ସକାଶେ ରାଜି ହୋଇଛି ଏଭଳି ପ୍ରମାଣତ ସେ ଦିଗରେ ଯଥେଷ୍ଟ ସହାୟକ ହୋଇପାରିବ ।

13.   ଭାରତୀୟ ବଜାରରେ ବାଂଲାଦେଶୀ ରପ୍ତାନୀ ଦ୍ରବ୍ୟର ଟିକସମୁକ୍ତ ପ୍ରବେଶ ଓ କୋଟାମୁକ୍ତ ପ୍ରବେଶ ପାଇଁ ଭାରତର ଆଗ୍ରହକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେମାନେ ଏହାକୁ ସ୍ୱାଗତ କରିଛନ୍ତି ଯେ ପ୍ରଥମ ଥର ପାଇଁ 2019ରେ ଭାରତକୁ ବାଂଲାଦେଶର ରପ୍ତାନି  ଏକ ବିଲିୟନ ଡଲାର ଛୁଇଁଛି ଯାହାକି ରପ୍ତାନି କ୍ଷେତ୍ରରେ ପ୍ରତିବର୍ଷ 25% ଲେଖାଏଁ ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଛି ।

14.   ଉଭୟ ରାଷ୍ଟ୍ର ମଧ୍ୟରେ ବୟନ ଓ ଝୋଟ ଶିଳ୍ପ କ୍ଷେତ୍ରରେ ସହଯୋଗ ବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ ଏବଂ ବାଂଲାଦେଶ ସରକାରଙ୍କ ବୟନ ଓ ଝୋଟଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ଯଥାଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷର ସକାଶେ ଆଗ୍ରହ ପ୍ରକଟ କରିଛନ୍ତି ।

ସଂଯୋଗୀକରଣ ବୃଦ୍ଧି- ଭୂଜଳ ଓ ଆକାଶ ମାର୍ଗରେ

15.   ଦୁଇ ଦେଶ ମଧ୍ୟରେ ଆକାଶ, ଜଳ, ରେଳ ଓ ସଡ଼କ ସଂଯୋଗ ପାରସ୍ପରିକ ସୁବିଧା ପାଇଁ ବିଶେଷ ସୁଯୋଗ ପ୍ରଦାନ କରିବ ବୋଲି ଉଭୟ ପକ୍ଷ ସ୍ୱୀକାର କରିଛନ୍ତି । ଏହା ବାଂଲାଦେଶ ଓ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ଆର୍ଥିକ ସହଯୋଗକୁ ବ୍ୟାପକ କରିବ ବୋଲି ସେମାନେ ବିବେଚନା କରନ୍ତି । ଭାରତରୁ ଏବଂ ଭାରତକୁ ସାମଗ୍ରୀ ଆମଦାନି ଓ ରପ୍ତାନି ସକାଶେ ଚିଟ୍ଟାଗଙ୍ଗ ଓ ମଙ୍ଗଳା ବନ୍ଦରର ଉପଯୋଗ ସକାଶେ ସ୍ୱାକ୍ଷରିତ ଷ୍ଟାଣ୍ଡାର୍ଡ଼ ଅପରେଟିଂ ବିଧିକୁ ଉଭୟ ନେତା ସ୍ୱାଗତ କରିଛନ୍ତି, ବିଶେଷ କରି ଏହା ଦ୍ୱାର ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଓ ସେଠାକୁ ଏଭଳି କାରବାର ଅଧିକ ସୁଗମ ହୋଇପାରିବ । ଏହା ଉଭୟ ରାଷ୍ଟଙ୍କ ପାଇଁ ଲାଭପ୍ରଦ ହେବ ବୋଲି ସେମାନେ ମତ ପୋଷଣ କରିଛନ୍ତି ।

16.   ସେହିଭଳି ଆଭ୍ୟନ୍ତରୀଣ ଜଳପଥ ଓ ତଟୀୟ ଜାହାଜ ଚଳାଚଳ ବ୍ୟବସ୍ଥା ମାଧ୍ୟମରେ ବାଣିଜ୍ୟ କାରବାର ମାଧ୍ୟମରେ ସାମଗ୍ରୀ ଚାଲାଣର ପର୍ଯ୍ୟାପ୍ତ କ୍ଷେତ୍ର ଓ ସୁଯୋଗ ରହିଛି ବୋଲି ଉଭୟ  ନେତା ମତବ୍ୟକ୍ତ କରିଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ସକାଶେ, ଧୁଲିଆନ- ଗଡ଼ଗଡ଼ି- ରାଜସାହି- ଦୌଲତଦିଆ- ଆରିଚା ମାର୍ଗ (ଉଭୟ ପଟୁ ଆତଯାତ ସକାଶେ)କୁ କାର୍ଯ୍ୟକାରୀ କରିବା ଏବଂ ସେଥିରେ ଦୌଦକାଣ୍ଡି- ସୋନାମୁରା ମାର୍ଗ (ଉଭୟ ପଟୁ ଆତଯାତ ସକାଶେ)କୁ ଆଭ୍ୟନ୍ତରୀଣ ଜଳ ଟ୍ରାଞ୍ଜିଟ୍‌ ଓ ବାଣିଜ୍ୟ ପ୍ରୋଟୋକଲରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

17.    ଉଭୟ ରାଷ୍ଟ୍ରଙ୍କ ବନ୍ଦରଗୁଡ଼ିକର  ଅଧିକ ଉପଯୋଗ ସକାଶେ ଯାହାକି ଦୁଇ ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ହେବ, ତାହାକୁ ଦୃଷ୍ଟିରେ ରଖି, ନିଜ ନିଜ ଦେଶର ବନ୍ଦରଗୁଡ଼ିକରୁ ମାଲ ପରିବହନ ସକାଶେ ଟ୍ରାନ୍ସ- ଜାହାଜ ଚଳାଚଳ ସକାଶେ ମତ ପୋଷଣ କରିଛନ୍ତି । ଏଥି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସକାଶେ ଆଲୋଚନା କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ।

18.   ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଯାତ୍ରୀ ଓ ମାଲ ପରିବହନ ବ୍ୟବସ୍ଥାକୁ ସରଳ କରିବା ଏବଂ ଏହାକୁ ଅଧିକ ବ୍ୟାପକ କରିବା ସକାଶେ ଉଭୟ ନେତା ବିବିଆଇଏନ ମୋଟର ଯାନ ରାଜିନାମାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହା ଦ୍ୱାରା ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁମାନେ ଏଥିପାଇଁ ରାଜି ଓ ପ୍ରସ୍ତୁତ ଅଛନ୍ତି ସେମାନଙ୍କ ମଧ୍ୟରେ ମାଲ ଓ ଯାତ୍ରୀ ପରିବହନ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ; ଅଥବା ଦ୍ୱିପାକ୍ଷିକ ଭାରତ-ବାଂଲାଦେଶ ମୋଟର ଯାନ ରାଜିନାମା ଯାହାକି ଉପଯୁକ୍ତ ମନେହେବ ସେହି ଦିଗରେ କାର୍ଯ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ ।

19.   ଉଭୟ ଦେଶ ମଧ୍ୟରେ ସଡ଼କ ସଂଯୋଗକୁ ସଂପ୍ରସାରିତ କରିବା ନିମନ୍ତେ ଅଧିକ ବ୍ୟବସ୍ଥା ଗ୍ରହଣ ସ୍ୱରୂପ, ଉଭୟ ନେତା ଢ଼ାକା-ସିଲିଗୁଡ଼ି ବସ୍‌ ସେବା ଆରମ୍ଭ କରିବା ଯୋଜନାକୁ ସ୍ୱାଗତ କରିଛନ୍ତି ।

20.   2019 ମସିହା ଅଗଷ୍ଟ ମାସରେ ଢ଼ାକାଠାରେ ଉଭୟ ଦେଶର ଜଳ ସଂପଦ ମନ୍ତ୍ରଣାଳୟର ସଚିବମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ନିର୍ଯ୍ୟାସ ନେଇ ଉଭୟ ନେତା ସେମାନଙ୍କର ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି ଏବଂ ଏହାପରେ ଗଠିତ ଯୁଗ୍ମ ଟେକ୍ନିକାଲ କମିଲି ଏବଂ ଟର୍ମ ଅଫ ରେଫରେନ୍ସ ଯାହାକି 1996 ମସିହାରେ ସ୍ୱାକ୍ଷରିତ ଗଙ୍ଗା ନଦୀ ଜଳ ବଣ୍ଟନ ରାଜିନାମା ଅନୁସାରେ ବାଂଲାଦେଶ ପାଉଥିବା ଗଙ୍ଗାନଦୀର ଜଳକୁ କିଭଳି ସର୍ବାଧିକ ମାତ୍ରାରେ ଉପଯୋଗ କରିପାରିବ ସେଥି ନିମନ୍ତେ ବାଂଲାଦେଶରେ ପ୍ରସ୍ତାବିତ ଗଙ୍ଗା-ପଦ୍ମା ବାରେଜ ପ୍ରକଳ୍ପର ସମ୍ଭାବ୍ୟ ରିପୋର୍ଟ ଉପରେ ଅଧ୍ୟୟନ ସକାଶେ ଉଭୟ ପକ୍ଷ ରାଜି ହୋଇଛନ୍ତି ।

21.   ଉଭୟ ନେତା ସେମାନଙ୍କ ଦେଶର ଯୁଗ୍ମ ନଦୀ କମିଶନର ବୈଷୟିକ ସ୍ତରୀୟ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ପରସ୍ପର ମଧ୍ୟରେ ସର୍ବଶେଷ ତଥ୍ୟ ଓ ସୂଚନା ବିନିମୟ କରନ୍ତୁ ଏବଂ ଛଅଟି ନଦୀ ଯଥା, ମନୁ, ମୁହୁରୀ, ଖୋୱାଇ, ଗୋମତୀ, ଧର୍ଲା ଓ ଦୁଧକୁମାର ନଦୀର ଜଳକୁ କିଭଳି ଭାବେ ମଧ୍ୟବର୍ତ୍ତୀ ଅବଧିରେ ବଣ୍ଟନ କରାଯାଇପାରିବ ସେଥିନିମନ୍ତେ ଚିଠା ଢାଞ୍ଚା ପ୍ରସ୍ତୁତ କରନ୍ତୁ । ସେହିଭଳି ଫେନୀ ନଦୀର ଜଳକୁ କିଭଳି ଭାବେ ମଧ୍ୟବର୍ତ୍ତୀ ଅବଧିରେ ଆବଣ୍ଟନ କରାଯିବ ସେ ସଂପର୍କରେ ଚିଠା ଢାଞ୍ଚା ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ।

22.   ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ୍‌ ହସୀନା ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ତିସ୍ତା ନଦୀର ଜଳକୁ କିଭଳି ଉଭୟ ରାଷ୍ଟ୍ର ମଧ୍ୟରେ ଆବଣ୍ଟନ କରାଯିବ ସେଥି ନିମନ୍ତେ ଯଥାଶୀଘ୍ର ମଧ୍ୟବର୍ତ୍ତୀ ରାଜିନାମା ସ୍ୱାକ୍ଷର ଏବଂ ଏହାର ଆଶୁ ପ୍ରବର୍ତ୍ତନ ସକାଶେ ବାଂଲାଦେଶର ନାଗରିକମାନେ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଛନ୍ତି । ଏଥିପାଇଁ 2011 ମସିହାରେ ଉଭୟ ରାଷ୍ଟ୍ର ସହମତ ପୋଷଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରିପ୍ରେକ୍ଷୀରେ ସୂଚୀତ କରିଥିଲେ ଯେ ଯଥାଶୀଘ୍ର ଏହି ରାଜିନାମା ସ୍ୱାକ୍ଷର ସକାଶେ ଭାରତରେ ଏହି ନଦୀ ଜଳ ବଣ୍ଟନ ସହ ସଂଶ୍ଳିଷ୍ଟ ସମସ୍ତ ପକ୍ଷାଧିକାରୀମାନଙ୍କ ସହ ତାଙ୍କ ସରକାର ମିଶି କାର୍ଯ୍ୟ କରୁଛନ୍ତି ।

23.   ଉଭୟ ନେତା ଢ଼ାକାଠାରେ ଅନୁଷ୍ଠିତ ଦୁଇ ଦେଶର ଜଳସଂପଦ ମନ୍ତ୍ରଣାଳୟର ସଚିବସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ ତ୍ରିପୁରାର ସବରୁମ ଟାଉନର ଅଧିବାସୀମାନଙ୍କ ପାନୀୟ ଜଳ ଚାହିଦା ପୂରଣ ନିମନ୍ତେ ଫେନୀ ନଦୀରୁ 1.82 ଲକ୍ଷ କ୍ୟୁସେକ୍‌ ଜଳ ଛାଡ଼ିବା କାର୍ଯ୍ୟ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇଛନ୍ତି ।

24.   ରେଳବାଇ କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ ସହଯୋଗର ପର୍ଯ୍ୟାପ୍ତ କ୍ଷେତ୍ର ଓ ସମ୍ଭାବନା ରହିଥିବା ଉଭୟ ନେତା ସ୍ୱୀକାର କରିଛନ୍ତି । ଏହି ପରିପ୍ରେକ୍ଷୀରେ 2019 ମସିହା ଅଗଷ୍ଟ ମାସରେ ଉଭୟ ରାଷ୍ଟ୍ରର ରେଳବାଇ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଗଠନମୂଳକ ଆଲୋଚନାକୁ ସେମାନେ ଗୁରୁତ୍ୱର ସହ ଉଲ୍ଲେଖ କରିଛନ୍ତି ।

25.   ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧି ସକାଶେ ଉଭୟ ନେତା ଗୁରୁତ୍ୱ ଆରୋପ କରିଛନ୍ତି । ଏହି ଦିଗରେ ଏକ ଆଗୁଆ ପଦକ୍ଷେପ ସ୍ୱରୂପ, ଉଭୟ ପ୍ରଧାନମନ୍ତ୍ରୀ  ଦୁଇ ଦେଶ ମଧ୍ୟରେ ଚଳାଚଳ କରୁଥିବା ମୈତ୍ରୀ ଏକ୍ସପ୍ରେସ ଟ୍ରେନକୁ ସପ୍ତାହକୁ 4 ଥରରୁ 5 ଥରକୁ ବଢ଼ାଇବା ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳକୁ ସପ୍ତାହକୁ 1 ଥରରୁ 2 ଥରକୁ ବୃଦ୍ଧି କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

26.   ଭାରତରୁ ବାଂଲାଦେଶକୁ ରେଳବାଇ ରୋଲିଂ ଷ୍ଟକ୍‌ ଯୋଗାଣ ବ୍ୟବସ୍ଥା କ୍ଷେତ୍ରରେ ଥିବା ସମସ୍ତ ପ୍ରକାର ପ୍ରକରଣ ସଂପୂର୍ଣ୍ଣ କରିବା ନିମନ୍ତେ ଉଭୟ ନେତା ନିଜ ନିଜ ରାଷ୍ଟ୍ରର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବାଂଲାଦେଶର ସୈଦାପୁର ରେଳ ୱାର୍କସପର ଆଧୁନିକୀକରଣ କାର୍ଯ୍ୟ ସାମିଲ ।

27.   ଗ୍ରାଣ୍ଟ ଆଧାରରେ ଭାରତ ପକ୍ଷରୁ ବାଂଲାଦେଶକୁ କେତେଗୋଟି ବ୍ରଡ଼ ଗେଜ୍‌ ଏବଂ ମିଟର ଗେଜ୍‌ ରେଳ ଇଂଜିନ ଯୋଗାଇ ଦିଆଯାଉଥିବାରୁ ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଦ୍ୱାରା ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇବ ।

28.   ଏହା ବ୍ୟତୀତ ଉଭୟ ନେତା ଦୁଇ ଦେଶ ଭିତରେ ସପ୍ତାହକୁ ଚଳାଚଳ କରୁଥିବା ବିମାନ ସେବାର ସଂଖ୍ୟାକୁ 61ରୁ 91କୁ ବୃଦ୍ଧି କରାଯିବା ନିମନ୍ତେ ଗୃହୀତ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏହା 2019 ମସିହା ଗ୍ରୀଷ୍ମଋତୁ ଠାରୁ କାର୍ଯ୍ୟକାରୀ କରାଯିବ । ଏହା ବ୍ୟତୀତ 2020 ଶୀତଦିନ ଠାରୁ ଏହାକୁ ସପ୍ତାହକୁ 120କୁ ବୃଦ୍ଧି କରାଯିବାକୁ ଦୁଇ ଦେଶ ସହମତ ହୋଇଛନ୍ତି ।

ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି

29.   ସମନ୍ୱିତ ଓ ସୁରକ୍ଷିତ ପ୍ରତିବେଶୀ ରାଷ୍ଟ୍ର ଭାବେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସହଯୋଗ ବୃଦ୍ଧିର ଆବଶ୍ୟକତାକୁ ଉଭୟ ରାଷ୍ଟ୍ର ସ୍ୱୀକାର କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ସେମାନେ 1971 ମସିହା ଡ଼ିସେମ୍ବର ମାସରେ ବାଂଲାଦେଶର ମହାନ ମୁକ୍ତି ସଂଗ୍ରାମ ଓ ସେଥିରେ ଉଭୟ ଦେଶର ସେନାଙ୍କ ମିଳିତ ସହଯୋଗ କାର୍ଯ୍ୟାନୁଷ୍ଠାନକୁ ସ୍ମରଣ କରିଛନ୍ତି ।

30.   ଉଭୟ ଦେଶର ପ୍ରଧାନମନ୍ତ୍ରୀ ସାମୁଦ୍ରିକ ନିରାପତ୍ତା ସହଯୋଗର ଘନିଷ୍ଠ ବିକାଶ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତାକୁ ସ୍ୱାଗତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଂଲାଦେଶରେ ଏକ ତଟୀୟ ସତର୍କତା ରାଡ଼ାର ବ୍ୟବସ୍ଥା ସ୍ଥାପନ ସକାଶେ ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ନିମନ୍ତେ ଆଲୋଚନାରେ ହୋଇଥିବା ପ୍ରଗତିକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଯଥାଶୀଘ୍ର ଏହି ବୁଝାମଣା ପତ୍ର ସ୍ୱାକ୍ଷର ସକାଶେ ଉଭୟ ରାଷ୍ଟ୍ରର ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରାନ୍ୱିତ କରାଯାଇଛି ।

31.   ବାଂଲାଦେଶକୁ ଭାରତ ପକ୍ଷରୁ 500 ନିୟୁତ ଡ଼ଲାରର ପ୍ରତିରକ୍ଷା ସଂପର୍କୀତ ଋଣ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ଉଭୟ ପକ୍ଷ ସହମତ ହୋଇଛନ୍ତି । 2019 ମସିହା ଏପ୍ରିଲ ମାସରେ ଏ ସଂପର୍କୀତ ପ୍ରବର୍ତ୍ତନ ବ୍ୟବସ୍ଥା ଉଭୟ ପକ୍ଷଙ୍କ ମଧ୍ୟରେ ସଂପୂର୍ଣ୍ଣ ହୋଇଛି ।

ବିକାଶ ସହଯୋଗର ସୁଦୃଢ଼ୀକରଣ

32.   ଗ୍ରାଣ୍ଟ ଇନ୍‌ ଏଡ଼ ଭିତ୍ତିରେ ଭାରତ ଦ୍ୱାରା ବାଂଲାଦେଶରେ ବିଭିନ୍ନ ମାତ୍ରାଧିକ ପ୍ରଭାବୀ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ (HICDP) କାର୍ଯ୍ୟକାରୀ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାଂଲାଦେଶରେ ଗ୍ରାମାଞ୍ଚଳ ସ୍ତରରେ ସାମାଜିକ–ଆର୍ଥିକ ବିକାଶ କାର୍ଯ୍ୟକ୍ରମକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

33.   ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ତିନୋଟି ପ୍ରକାର ଋଣ ଯୋଗାଣର ସୁବିନିଯୋଗ ଜନିତ ପ୍ରଗତି ଘେନି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଋଣ ଅଧୀନସ୍ଥ କାର୍ଯ୍ୟ ପ୍ରଗତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ନେତା ନିଜ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

34.   ଭାରତ ସରକାରଙ୍କ ପକ୍ଷରୁ ବାଂଲାଦେଶକୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଋଣ ଏବଂ ସେସବୁ ଋଣ ଅର୍ଥ ବିନିଯୋଗ କରାଯିବାକୁ ଥିବା ପ୍ରକଳ୍ପଗୁଡ଼ିକ ସକାଶେ ଆବଶ୍ୟକ ରାଜିନାମା ସ୍ୱାକ୍ଷର ନେଇ ଉଭୟ ପକ୍ଷ ସେମାନଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଢ଼ାକାଠାରେ ଏକଜିମ୍‌ ବ୍ୟାଙ୍କର ପ୍ରତିନିଧି କାର୍ଯ୍ୟାଳୟ ସ୍ଥାପନ ସକାଶେ ଉପଯୁକ୍ତ ବ୍ୟବସ୍ଥା ପାଇଁ ମଧ୍ୟ ଉଭୟ ପକ୍ଷ ସହମତ ହୋଇଛନ୍ତି ।

35.   ଅକ୍ଟୋବର 5 ତାରିଖ ଦିନ ଉଭୟ ନେତା ଭିଡ଼ିଓ କନଫରେନ୍ସିଂ ଯୋଗେ ତିନୋଟି ଦ୍ୱିପାକ୍ଷିକ ବିକାଶ ସହଯୋଗୀତା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିସବୁ ପ୍ରକଳ୍ପଗୁଡ଼ିକ ହେଲା: a) ବାଂଲାଦେଶରୁ  ମୋଟା ଧରଣର ଏଲପିଜି  ଆମଦାନି; b) ରାମକୃଷ୍ଣ ମିଶନ, ଢ଼ାକାଠାରେ ବିବେକାନନ୍ଦ ଭବନ (ଛାତ୍ରମାନଙ୍କ ପାଇଁ ହଷ୍ଟେଲ)ର ଶୁଭ ଉନ୍ମୋଚନ; ଏବଂ c) ଖୁଲନାସ୍ଥିତ ବାଂଲାଦେଶ ଡ଼ିପ୍ଲୋମା ଇଞ୍ଜିନିଅର୍ସ ପ୍ରତିଷ୍ଠାନ (IDEB) ଠାରେ ବାଂଲାଦେଶ- ଭାରତ ବୃତ୍ତିଗତ କୌଶଳ ବିକାଶ ପ୍ରତିଷ୍ଠାନ (BIPSDI)ର ଶୁଭ ଉନ୍ମୋଚନ ।

36.   ବାଂଲାଦେଶର ସିଭିଲ ସର୍ଭିସ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି ।  ଭାରତ ସରକାରଙ୍କ ପକ୍ଷରୁ ବାଂଲାଦେଶରେ କମନ ଲିଗାସି ଅଫ୍‌ ଜୁରିସପ୍ରୁଡ଼େନ୍ସ, କାର୍ଯ୍ୟକାରୀ କରାଯାଉଛି ଯାହାକି ଭବିଷ୍ୟତରେ ସେ ଦେଶର ନ୍ୟାୟିକ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ସହାୟକ ହେବ ।

ସୀମାପାର ଶକ୍ତି ସହଯୋଗ

37.   ବାଂଲାଦେଶରୁ ତ୍ରିପୁରାକୁ ବିପୁଳ ମାତ୍ରାର ଏଲପିଜିର ଉତ୍ସ ସଂପର୍କୀତ ଏକ ପ୍ରକଳ୍ପକୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ଏଲପିଜି ବାଂଲାଦେଶର ଟ୍ରକ ଯୋଗେ ଭାରତକୁ ଅଣାଯିବ । ଏଭଳି ଶକ୍ତି ସଂଯୋଗ ସୀମାପାର ଶକ୍ତି ବାଣିଜ୍ୟ କାରବାରକୁ ବୃଦ୍ଧି କରିବ ।

38.   ଢ଼ାକାଠାରେ ନିକଟରେ ଅନୁଷ୍ଠିତ ଭାରତ-ବାଂଲାଦେଶ ଶକ୍ତି ସହଯୋଗ ସଂପର୍କୀତ 17ଶ ଜେଏସସି ବୈଠକରେ ସ୍ୱାକ୍ଷରିତ ରାଜିନାମାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଏହି ରାଜିନାମା ଅନୁସାରେ କଟିହାର (ଭାରତ), ପାର୍ବତୀପୁର (ବାଂଲାଦେଶ) ଏବଂ ବୋରନଗର (ଭାରତ) ମଧ୍ୟରେ 765 କେଭି କ୍ଷମତାବିଶିଷ୍ଟ ଏକ ଡ଼ବଲ ସର୍କିଟ ସୀମାପାର ବିଦ୍ୟୁତ୍‌ ଆନ୍ତଃସଂଯୋଗ ବ୍ୟବସ୍ଥାର ବିକାଶ ଘଟାଯିବ । ଏ ସଂପର୍କୀତ ପ୍ରବର୍ତ୍ତନ ଆନୁସଙ୍ଗିକ ବ୍ୟବସ୍ଥା ଖୁବ୍‌ ଶୀଘ୍ର ଚୂଡ଼ାନ୍ତ କରାଯିବା ସହ ଉଭୟ ପକ୍ଷର ନେତା ଉଲ୍ଲେଖ କରିଛନ୍ତି ଯେ ଏହି ଅତିରିକ୍ତ ଶକ୍ତି ଆନ୍ତଃ କ୍ଷେତ୍ରୀୟ ବିଜୁଳି ବ୍ୟାପାରକୁ ଅଧିକ ବ୍ୟାପକ କରିବ ଏବଂ ଏଥିରେ ଭାରତ, ନେପାଳ ଓ ଭୁଟାନର ବିଭିନ୍ନ ପ୍ରକଳ୍ପରୁ ସଂଗୃହୀତ ଜଳବିଦ୍ୟୁତ ଶକ୍ତିର ପ୍ରତିଯୋଗିତାମୂଳକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ।

ଶିକ୍ଷା ଓ ଯୁବ ବିନିମୟ କାର୍ଯ୍ୟକ୍ରମ

39.   ଭବିଷ୍ୟତର ନିବେଶ ସକାଶେ ଉଭୟ ରାଷ୍ଟ୍ରର ଯୁବଗୋଷ୍ଠୀଙ୍କ ମଧ୍ୟରେ ସହଯୋଗ ବୃଦ୍ଧିର ଆବଶ୍ୟକତା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ଦିଗରେ ଉଭୟ ରାଷ୍ଟ୍ରର ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ସକାଶେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ନିମନ୍ତେ ସେମାନେ ଉଲ୍ଲେଖ କରିଥିଲେ । ଏହି ଦିଗରେ ବାଂଲାଦେଶର ଏକ ସାଂଗଠନିକ ତାଲିମ କାର୍ଯ୍ୟକ୍ରମ କରାଯିବା ଅଧିକ ଉପକାରସିଦ୍ଧ ହେବ ବୋଲି ଉଭୟ ନେତା ଉଲ୍ଲେଖ କରିଥିଲେ ।

40.   ଉଭୟ ନେତା ନିଜ ନିଜ ରାଷ୍ଟ୍ରର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଶିକ୍ଷାଗତ ଯୋଗ୍ୟତାକୁ ପାରସ୍ପରିକ ସ୍ୱୀକୃତି ପ୍ରଦାନ ସକାଶେ ଖୁବ୍‌ ଶୀଘ୍ର ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ।

ସାଂସ୍କୃତିକ ସହଯୋଗ- ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ (2019),  ବଙ୍ଗବନ୍ଧୁଙ୍କ ଜନ୍ମ ଶତାବ୍ଦୀ (2020) ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର 50ତମ ବର୍ଷ ପୂର୍ତ୍ତି (2021)

41.   ଉଭୟ ନେତା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜୟନ୍ତୀ ପାଳନ କ୍ଷେତ୍ରରେ ଅଧିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଦୁଇଟି ଜୟନ୍ତୀ ହେଲା: 2020ରେ ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରହମନଙ୍କ ଜନ୍ମ ଶତାବ୍ଦୀ; ଏବଂ 2021ରେ ବାଂଲାଦେଶ ମୁକ୍ତି ଯୁଦ୍ଧ ଏବଂ ଭାରତ- ବାଂଲାଦେଶ ଦ୍ୱିପାକ୍ଷିକ କୂଟନୈତିକ ସଂପର୍କ ସ୍ଥାପନର 50ତମ ବର୍ଷ ପୂର୍ତ୍ତି ।  ଏହି ଦୁଇଟି ଐତିହାସିକ ବର୍ଷ ପାଳନ କରିବା ସକାଶେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ବାଂଲାଦେଶରେ ଉଭୟ ପକ୍ଷଙ୍କୁ ସୁହାଇବା ଭଳି ଏକ ସମୟରେ 2019-2020 ମସିହାରେ ଭାରତ ମହୋତ୍ସବ ଆୟୋଜନ କରିବା ସକାଶେ ପ୍ରସ୍ତାବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଧନ୍ୟବାଦ ଜଣାଇଥିଲେ ।

42.   ଏହି ଗସ୍ତ କାଳରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଘେନି ସ୍ୱାକ୍ଷରିତ ବୁଝାମଣା ପତ୍ରର ପୁନଃନବୀକରଣକୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।

43.   ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରହମନଙ୍କ ଜୀବନୀ ଉପରେ ଆଧାରିତ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ମିଳିତ ଭାବେ ନିର୍ମାଣ ସକାଶେ ଏନଡ଼ିଏଫସି ଓ ବିଏଫଡ଼ିସି ମଧ୍ୟରେ ରାଜିନାମା ସ୍ୱାକ୍ଷର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଉଭୟ ପ୍ରଧାନମନ୍ତ୍ରୀ ସେମାନଙ୍କର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 2020 ମସିହାରେ ବଙ୍ଗବନ୍ଧୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତାହା ନିର୍ମିତ ହୋଇ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।

44.   ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ସ୍ମାରକୀ ଡ଼ାକଟିକଟ ଜାରି କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଉପନିବେଶବାଦ ଓ ଅସମାନତା ବିରୋଧରେ ତାଙ୍କର ଅହିଂସା ସଂଗ୍ରାମ ଓ ଆଦର୍ଶ ସକାଶେ ମହାତ୍ମା ଗାନ୍ଧୀ ବିଶ୍ୱବ୍ୟାପୀ ସର୍ବତ୍ର ଆଦୃତ ଏବଂ ତାଙ୍କର ଏହି ଜୟନ୍ତୀ ବିଶ୍ୱବ୍ୟାପୀ ପାଳନ କରାଯାଉଛି ।

45.   ଜାତୀୟ ସଂଗ୍ରହାଳୟ (ଭାରତ) ଏବଂ ବଙ୍ଗବନ୍ଧୁ ସଂଗ୍ରହାଳୟ (ବାଂଲାଦେଶ) ମଧ୍ୟରେ ସହଯୋଗ ନିମନ୍ତେ ଏକ ରାଜିନାମା ସ୍ୱାକ୍ଷର ସକାଶେ ଉଭୟ ନେତା ସହମତ ହୋଇଛନ୍ତି ଏବଂ ଯଥାଶୀଘ୍ର ଏଭଳି ବୁଝାମଣା ପତ୍ର ସ୍ୱାକ୍ଷର ସକାଶେ ସଂପୃକ୍ତ ଅଧିକାରୀମାନଙ୍କୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି ।

ମ୍ୟାଁମାରର ରାଖିନେ ପ୍ରାନ୍ତରୁ ବିସ୍ଥାପିତ ବ୍ୟକ୍ତିବିଶେଷଙ୍କ ସଂପର୍କରେ

46.   ମ୍ୟାଁମାରର ରାଖିନେ କ୍ଷେତ୍ରରୁ ବଳପୂର୍ବକ ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ଅନୁକମ୍ପାମୂଳକ ଆଶ୍ରୟ ପ୍ରଦାନ ଓ ମାନବୀୟ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ବାଂଲାଦେଶ ସରକାରଙ୍କ ଏତାଦୃଶ ମାନବୀୟ କାର୍ଯ୍ୟକୁ ସମର୍ଥନ ପୂର୍ବକ ଭାରତ ପଞ୍ଚମ ଦଫା ମାନବୀୟ ସହାୟତା ଯୋଗାଇଦେବ । ରାଖିନେ ପ୍ରାନ୍ତରୁ ବାସଚ୍ୟୁତ ରୋହିଙ୍ଗ୍ୟାମାନଙ୍କୁ ଏବେ ବାଂଲାଦେଶର କକ୍ସ ବଜାରସ୍ଥିତ ଅସ୍ଥାୟୀ ଶିବିରରେ ରଖାଯାଇଛି । ଭାରତ ପକ୍ଷରୁ ଏହି ଦଫା ସହାୟତାରେ ତମ୍ବୁ, ରିଲିଫ ଓ ଉଦ୍ଧାର ଉପକରଣ ତଥା ମ୍ୟାଁମାରରୁ ବଳପୂର୍ବକ ସ୍ଥାନାନ୍ତରୀତ ମହିଳାମାନଙ୍କ କୌଶଳ ବିକାଶ ନିମନ୍ତେ ଏକ ହଜାରଟି ସିଲେଇ ମେସିନ୍‌ ଯୋଗାଇ ଦିଆଯିବ । ଏହାତିରିକ୍ତ, ଭାରତ ମ୍ୟାଁମାରର ରାଖିନେ କ୍ଷେତ୍ରରେ ପ୍ରଥମ ଦଫାରେ 250ଟି ବାସଗୃହ ନିର୍ମାଣ କରିଛି ଏବଂ ସେହି କ୍ଷେତ୍ରରେ ଏବେ ଆଉ ଏକ ଦଫା ସାମାଜିକ-ଆର୍ଥିକ ବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ଲାଗି ପ୍ରସ୍ତୁତି ହେଉଛି ।

47.   2017 ମସିହା ଠାରୁ ବାଂଲାଦେଶ ସରକାରଙ୍କୁ ଭାରତ ପକ୍ଷରୁ ଯୋଗାଇ ଦିଆଯାଇ ଆସୁଥିବା ମାନବୀୟ ସହାୟତା ସକାଶେ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଭାରତ ସରକାରଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଥିଲେ । ଏଭଳି ସହାୟତା ମ୍ୟାଁମାରରୁ ବାସଚ୍ୟୁତ ହୋଇଥିବା ଲୋକମାନଙ୍କ ଥଇଥାନ ସକାଶେ ଉପଯୋଗ କରାଯାଉଛି । ବାସଚ୍ୟୁତ ହୋଇଥିବା ଲୋକମାନେ ଯେଭଳି ଯଥାଶୀଘ୍ର ନିରାପଦ, ତୁରନ୍ତ ଓ ଦୀର୍ଘସ୍ଥାୟୀ ଭାବେ ନିଜ ନିଜ ବାସସ୍ଥାନକୁ ପୁନଃ ପ୍ରତ୍ୟାବର୍ତ୍ତନ କରିପାରିବେ ସେଥିପାଇଁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଆବଶ୍ୟକତା ଉପରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେମାନଙ୍କର ପ୍ରତ୍ୟାବର୍ତ୍ତନ ସକାଶେ ଅଧିକତର ପ୍ରୟାସ କରାଯିବା ଉପରେ ସେମାନେ ପ୍ରାଧାନ୍ୟ ଆରୋପ କରିଛନ୍ତି । ସେଥି ମଧ୍ୟରେ ମ୍ୟାଁମାରର ରାଖିରେ କ୍ଷେତ୍ରରେ ନିରାପତ୍ତା ସ୍ଥିତି ଏବଂ ସାମାଜିକ- ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବା ସାମିଲ ।

କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗରେ ସହଭାଗୀତା

48.   ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନରେ ଘନିଷ୍ଠ ଭାବେ ମିଶି କାର୍ଯ୍ୟ କରିବା ସକାଶେ ଉଭୟ ରାଷ୍ଟ୍ର ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିଛନ୍ତି । ବିଶେଷ କରି ଆନ୍ତର୍ଜାତିକ କ୍ଷେତ୍ରରେ ଘନିଷ୍ଠ ଭାବେ ପାରସ୍ପରିକ ସହଯୋଗ ସହ କାର୍ଯ୍ୟ କରିବା ନିମନ୍ତେ ସେମାନେ ବଚନବଦ୍ଧତାକୁ ଦୋହରାଇଛନ୍ତି । ବିଶେଷ କରି 2030 କାର୍ଯ୍ୟସୂଚୀରେ ସ୍ଥାନୀତ ସର୍ତ୍ତାବଳୀର ପ୍ରବର୍ତ୍ତନ ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତାକୁ ପୂରଣ ଲାଗି ସେମାନେ ବିକଶିତ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

49.   ଉଭୟ ରାଷ୍ଟ୍ରଙ୍କ ପାଇଁ କ୍ଷେତ୍ରୀୟ ତଥା ଉପ କ୍ଷେତ୍ରୀୟ ସହଯୋଗ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି ଉଭୟ ନେତା ସହମତ ପ୍ରକଟ କରିଛନ୍ତି । ଏହି ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ସେମାନେ ବିମଷ୍ଟେକର କାର୍ଯ୍ୟାବଳୀକୁ ଅଧିକ ସୁସଂଗତ କରିବା ଏବଂ ଉପ କ୍ଷେତ୍ରୀୟ ସହଯୋଗ ଜରିଆରେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସାମୂହିକ ସମୃଦ୍ଧି ଲକ୍ଷ୍ୟ ହାସଲ କରିବା ଲାଗି ଏହାକୁ ଏକ ସକ୍ରିୟ ସାଧନ ଭାବେ ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

50.   ଏହି ଗସ୍ତ କାଳରେ ନିମ୍ନଲିଖିତ ଦ୍ୱିପାକ୍ଷିକ ନଥିମାନ ସ୍ୱାକ୍ଷରିତ, ହସ୍ତାନ୍ତରିତ, ଗୃହୀତ ଏବଂ ଆଦାନ ପ୍ରଦାନ କରାଯାଇଥିଲା:

  • ତଟୀୟ ପହରା ବ୍ୟବସ୍ଥା ସଂପର୍କୀତ ବୁଝାମଣା ପତ୍ର
  • ଚଟ୍ଟଗ୍ରାମ ଓ ମଙ୍ଗଳା ବନ୍ଦର ଦେଇ ଭାରତକୁ ଓ ଭାରତରୁ ମାଲ ଆତଯାତ ସକାଶେ ସ୍ୱାକ୍ଷରିତ ଷ୍ଟାଣ୍ଡାର୍ଡ଼ ଅପରେଟିଂ ବ୍ୟବସ୍ଥା (SOP)
  • ଭାରତର ତ୍ରିପୁରା ରାଜ୍ୟର ସାବ୍ରୁମ୍‌ ଟାଉନ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆବଶ୍ୟକତା ପୂରଣ ସକାଶେ ଫେନୀ ନଦୀରୁ 1.82 ଲକ୍ଷ କ୍ୟୁସେକ୍‌ ଜଳ ଯୋଗାଣ ଲାଗି ଭାରତ ସହ ସ୍ୱାକ୍ଷରିତ ବୁଝାମଣା ପତ୍ର
  • ଭାରତ ଦ୍ୱାରା ବାଂଲାଦେଶକୁ ଲାଇନ ଅଫ୍‌ କ୍ରେଡ଼ିଟ୍‌ (LOC) ପ୍ରବର୍ତ୍ତନ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର
  • ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଏବଂ ଢ଼ାକା ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  • ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ନବୀକରଣ
  • ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର

51.   ଚେନ୍ନାଇଠାରେ ବାଂଲାଦେଶର ଏକ ଡ଼େପୁଟୀ ହାଇକମିଶନ କାର୍ଯ୍ୟାଳୟ ଖୋଲିବା ସକାଶେ ବାଂଲାଦେଶର ଅନୁରୋଧକୁ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଉଚ୍ଚସ୍ତରୀୟ ଗସ୍ତ ମାଧ୍ୟମରେ ଦୀର୍ଘକାଳୀନ ସଂପର୍କ ସ୍ଥାପନ

52.   ତାଙ୍କ ଗସ୍ତ ଅବସରରେ ପ୍ରଦର୍ଶିତ ଉଷ୍ମତା ଏବଂ ସହୃଦୟତା  ତଥା ତାଙ୍କୁ ଓ ତାଙ୍କର ପ୍ରତିନିଧିମଣ୍ଡଳଙ୍କୁ ଏହି ଭାରତ ଗସ୍ତ ଓ ଅବସ୍ଥାନ ବେଳେ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ସକାଶେ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

53.   ବାଂଲାଦେଶ ଗସ୍ତରେ ଯିବା ପାଇଁ ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ଏହି ଗସ୍ତର ତାରିଖ କୂଟନୈତିକ ସ୍ତରରେ ଚୂଡ଼ାନ୍ତ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"