ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କାଲି ମାଘ ପୂର୍ଣ୍ଣିମାର ପର୍ବ ଥିଲା । ମାଘ ମାସ ବିଶେଷ ରୂପେ ନଦୀ, ପୁଷ୍କରିଣୀ ଓ ଜଳସ୍ରୋତଗୁଡ଼ିକ ସହ ସଂପୃକ୍ତ ବୋଲି ଧରାଯାଏ । ଆମ ଶାସ୍ତ୍ରରେ କୁହାଯାଇଛି :

“ମାଘେ ନିମଗ୍ନାଃ ସଲିଳେ ସୁଶୀତେ, ବିମୁକ୍ତପାପାଃ ତ୍ରିଦିବମ୍ ପ୍ରୟାନ୍ତି ।’’

ଅର୍ଥାତ୍‌, ମାଘ ମାସରେ ଯେ କୌଣସି ପବିତ୍ର ଜଳାଶୟରେ ସ୍ନାନକୁ ପୂଣ୍ୟ ବୋଲି ଧରାଯାଏ । ପୃଥିବୀର ପ୍ରତ୍ୟେକ ସମାଜରେ ନଦୀ ସହିତ ଜଡ଼ିତ କୌଣସି ନା କୌଣସି ପରମ୍ପରା ରହିଛି । ନଦୀତଟରେ ଅନେକ ସଭ୍ୟତାର ମଧ୍ୟ ବିକାଶ ଘଟିଛି । ଆମ ସଂସ୍କୃତି ହଜାର ହଜାର ବର୍ଷ ପୁରାତନ ହୋଇଥିବାରୁ ଏହାର ବିସ୍ତୃତି ଆମ ଏଠି ଅଧିକ ମିଳିଥାଏ । ଭାରତରେ ଏପରି କୌଣସି ଦିନ ନଥିବ, ଯେଉଁ ଦିନ ଜଳ ସହ ଜଡ଼ିତ ଉତ୍ସବଟିଏ ପାଳନ କରାଯାଉନଥିବ । ମାଘ ମାସରେ ତ ଲୋକେ ନିଜ ଘର ପରିବାର, ସୁଖସୁବିଧା ତ୍ୟାଗକରି ପୁରା ମାସଟି ନଦୀକଳୂରେ କଳ୍ପବାସ କରିବା ପାଇଁ ଯାଆନ୍ତି । ଏଥର ହରିଦ୍ୱାରରେ କୁମ୍ଭମେଳା ମଧ୍ୟ ହେଉଛି । ଜଳ ଆମ ପାଇଁ କେବଳ ଜୀବନ ନୁହେଁ, ଆସ୍ଥା ଆଉ ବିକାଶର ଧାରା ମଧ୍ୟ । ପାଣି ଏକ ପ୍ରକାର କଷଟି ପଥରଠୁ ବି ବେଶି ମହତ୍ୱପୂର୍ଣ୍ଣ । କୁହାଯାଏ ଯେ କଷଟିପଥର ସ୍ପର୍ଶରେ ଲୁହା ସୁନାରେ ପରିବର୍ତିତ ହୋଇଯାଏ । ସେହିପରି ଜଳର ସ୍ପର୍ଶ ଜୀବନ ପାଇଁ ଯେତିକି ଜରୁରୀ, ବିକାଶ ପାଇଁ ମଧ୍ୟ ସେତିକି ଜରୁରୀ ।

ବନ୍ଧୁଗଣ,

ମାଘ ମାସକୁ ଜଳ ସହ ଯୋଡ଼ିବାର ସମ୍ଭବତଃ ଆଉ ଏକ କାରଣ ମଧ୍ୟ ରହିଛି ଯେ ଏହା ପରଠାରୁ ଶୀତ ଶେଷ ହୁଏ ଆଉ ଗରମ ଆରମ୍ଭ ହୁଏ; ତେଣୁ ପାଣିର ସଂରକ୍ଷଣ କରିବା ପାଇଁ ଆମକୁ ଏବେଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଦରକାର । କିଛିଦିନ ପରେ ମାର୍ଚ ୨୨ ତାରିଖରେ ‘ବିଶ୍ୱ ଜଳ ଦିବସ’ ବି ପାଳନ କରାଯିବ ।

ମୋତେ ୟୁପିର ଆରାଧ୍ୟା ଜୀ ଲେଖିଛନ୍ତି ଯେ ବିଶ୍ୱର କୋଟିକୋଟି ଲୋକ ନିଜ ଜୀବନର ବହୁଳାଂଶ ପାଣିର ଅଭାବକୁ ପୂରା କରିବାରେ ହିଁ ଲଗାଇଥାନ୍ତି । ‘ବିନ୍ ପାନି ସବ୍ ସୁନ୍‌’ କେବଳ ସେମିତି କୁହାଯାଇନାହିଁ । ଜଳ ସଙ୍କଟର ସମାଧାନ ପାଇଁ ପଶ୍ଚିମବଙ୍ଗର ‘ଉତର ଦୀନାଜ୍‌ପୁର’ରୁ ସୁଜିତ୍ ଜୀ ବହୁତ ସୁନ୍ଦର ବାର୍ତା ମୋ ପାଖକୁ ପଠାଇଛନ୍ତି । ସୁଜିତ୍ ଜୀ ଲେଖିଛନ୍ତି ଯେ ପ୍ରକୃତି ଜଳ ରୂପରେ ଆମକୁ ଏକ ସାମୂହିକ ଉପହାର ଦେଇଛି, ତେଣୁ ଏହାକୁ ସଂରକ୍ଷଣ କରିବାର ଦାୟିତ୍ୱ ମଧ୍ୟ ସାମୂହିକ । ଏହା ଠିକ୍ କଥା । ଯେପରି ସାମୂହିକ ଉପହାର, ସେହିପରି ସାମୂହିକ ଉତରଦାୟିତ୍ୱ ମଧ୍ୟ । ସୁଜୀତ୍ ଜୀଙ୍କ କଥା ବିଲକୁଲ ଠିକ୍ । ନଦୀ, ପୋଖରୀ, ହ୍ରଦ, ବର୍ଷା ବା ଭୂତଳ ଜଳ, ଏସବୁ - ସମସ୍ତଙ୍କ ପାଇଁ ।

ବନ୍ଧୁଗଣ,

ଦିନ ଥିଲା ଯେତେବେଳେ ଗାଁରେ କୂଅ, ପୋଖରୀର ସମସ୍ତେ ମିଳିମିଶି ଯତ୍ନ ନେଉଥିଲେ । ଏବେ ତାମିଲନାଡୁର ତିରୁୱନ୍ନାମଲାଇରେ ଏପରି ଏକ ପ୍ର୍ରୟାସ ହେଉଛି । ଏଠାରେ ସ୍ଥାନୀୟ ଲୋକ ନିଜ ନିଜର କୂଅକୁ ସଂରକ୍ଷିତ କରି ରଖିବା ପାଇଁ ଅଭିଯାନ ଚଳାଇଛନ୍ତି । ଏହି ଲୋକ ନିଜ ଅଂଚଳର ବର୍ଷବର୍ଷ ଧରି ବ୍ୟବହାର ହେଉନଥିବା ସାର୍ବଜନୀନ କୂଅଗୁଡ଼ିକୁ ପୁଣିଥରେ ଜୀବନ୍ତ କରୁଛନ୍ତି ।

ମଧ୍ୟପ୍ରଦେଶର ଅଗରୋଥା ଗାଁର ବବିତା ରାଜପୁତ ଜୀ ମଧ୍ୟ ଯାହା କରୁଛନ୍ତି, ସେଥିରୁ ଆପଣ ସମସ୍ତଙ୍କୁ ପ୍ରେରଣା ମିଳିବ । ବବିତା ଜୀ’ଙ୍କ ଗାଁ ବୁନ୍ଦେଲଖଣ୍ଡରେ ଅଛି । ତାଙ୍କ ଗାଁ ପାଖରେ ଏକଦା ଗୋଟିଏ ବହୁତ ବଡ଼ ହ୍ରଦ ଥିଲା, ଯାହା ଶୁଖିଯାଇଥିଲା । ସେ ଗାଁର ଅନ୍ୟ ମହିଳାମାନଙ୍କୁ ସାଥୀ କଲେ ଏବଂ ହ୍ରଦ ପର୍ଯ୍ୟନ୍ତ ପାଣି ଯିବା ପାଇଁ ଏକ ନାଳ ତିଆରି କରିଦେଲେ । ଏହି ନାଳଯୋଗେ ବର୍ଷାଜଳ ସିଧା ହ୍ରଦକୁ ଯିବାକୁ ଲାଗିଲା । ଏବେ ଏହି ହ୍ରଦରେ ପାଣି ଭର୍ତି ହୋଇରହିଛି ।

ବନ୍ଧୁଗଣ, ଉତରାଖଣ୍ଡର ବାଗେଶ୍ୱରରେ ରହୁଥିବା ଜଗଦୀଶ କୁନିୟାଲ ଜୀ’ଙ୍କ କାମ ମଧ୍ୟ ବହୁତ କିଛି ଶିକ୍ଷା ଦେଇଥାଏ । ଜଗଦୀଶ ଜୀ’ଙ୍କ ଗାଁ ଆଉ ଆଖପାଖ ଅଂଚଳ ଜଳ ପାଇଁ ଏକ ପ୍ରାକୃତିକ ଉତ୍ସ ଉପରେ ନିର୍ଭରଶୀଳ ଥିଲା; କିନ୍ତୁ କିଛିବର୍ଷ ପୂର୍ବରୁ ସେହି ଜଳସ୍ରୋତ ଶୁଖିଗଲା । ଏହାଦ୍ୱାରା ସମଗ୍ର ଅଂଚଳରେ ଜଳସଂକଟ ବଢ଼ିବଢ଼ି ଚାଲିଲା । ଜଗଦୀଶ ଜୀ ଏହି ସଙ୍କଟର ସମାଧାନ ପାଇଁ ବୃକ୍ଷରୋପଣ କରିବାକୁ ସଂକଳ୍ପ ନେଲେ । ସେ ଗାଁ ଲୋକଙ୍କ ସହ ମିଶି ସମଗ୍ର ଅଂଚଳରେ ହଜାର ହଜାର ଗଛ ଲଗାଇଲେ ଓ ଆଜି ସେହି ଅଂଚଳର ଶୁଷ୍କ ଜଳଉତ୍ସ ପୁଣିଥରେ ଭରିଯାଇଛି ।

ବନ୍ଧୁଗଣ,

ପାଣିକୁ ନେଇ ଆମେ ଏହିଭଳି ନିଜର ସାମୂହିକ ଦାୟିତ୍ୱକୁ ବୁଝିବାକୁ ପଡ଼ିବ । ଭାରତର ଅଧିକାଂଶ ଅଂଚଳରେ ମଇ-ଜୁନ୍ ମାସରେ ବର୍ଷା ଆରମ୍ଭ ହୁଏ । ଆମେ ଏବେଠାରୁ ନିଜ ଆଖପାଖର ଜଳାଶୟଗୁଡ଼ିକର ସଫା କରିବା ପାଇଁ, ବର୍ଷାଜଳ ସଂରକ୍ଷଣ ପାଇଁ ୧୦୦ ଦିନିଆ କୌଣସି ଅଭିଯାନ ଆରମ୍ଭ କରିପାରିବା କି? ଏହି ଭାବନାକୁ ନେଇ କିଛିଦିନ ପରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଜଳଶକ୍ତି ଅଭିଯାନ Catch the rain ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନର ମୂଳମନ୍ତ୍ର ହେଉଛି – – ‘Catch the rain, where it falls, when it falls.’। ଆମେ ଏବେଠୁ ଏକାଠି ହେବା, ଆମେ ଆଗରୁ ଥିବା ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ମରାମତି କରିଦେବା, ଗାଁର ଗାଡ଼ିଆ ପୋଖରୀକୁ ସଫା କରିଦେବା, ଜଳାଶୟ ପର୍ଯ୍ୟନ୍ତ ପାଣି ଯାଇପାରିବା ଭଳି ରାସ୍ତାରୁ ପ୍ରତିବନ୍ଧକ ହଟାଇଦେବା, ତେବେ ଅଧିକରୁ ଅଧିକ ବର୍ଷାଜଳ ସଂରକ୍ଷଣ କରିପାରିବା ।

ମୋର ପ୍ରିୟ ଦେଶବାସୀଗଣ,

ଯେତେବେଳେ ମାଘ ମାସ ଏବଂ ତା’ର ଆଧ୍ୟାତ୍ମିକ ସାମାଜିକ ମହତ୍ୱ ସଂପର୍କରେ ଚର୍ଚ୍ଚା ହୁଏ, ସେତେବେଳେ ଗୋଟିଏ ନାମ ବିନା ଏହା ସଂପୂର୍ଣ୍ଣ ହୁଏ ନାହିଁ । ଏହି ନାମ ସନ୍ଥ ରବିଦାସ ଜୀ’ଙ୍କର । ମାଘ ପୂର୍ଣ୍ଣିମା ଦିନ ହିଁ ସନ୍ଥ ରବିଦାସଙ୍କ ଜୟନ୍ତୀ । ଆଜି ମଧ୍ୟ ସନ୍ଥ ରବିଦାସ ଜୀଙ୍କ ଶବ୍ଦ, ତାଙ୍କର ଜ୍ଞାନ ଆମକୁ ପଥପ୍ରଦର୍ଶନ କରିଥାଏ । ସେ କହିଥିଲେ-

ଏକୈ ମାତି କେ ସଭ୍ ଭାଂଡେ,

ସଭ୍ କା ଏକୌ ସିରଜନହାର ।

ରବିଦାସ ବ୍ୟାପୈ ଏକୈ ଘଟ ଭିତର୍‌,

ସଭ୍ କୌ ଏକୈ ଘଡୈ କୁମ୍‌ହାର୍ ।

ଆମେ ସମସ୍ତେ ମାଟିଭାଣ୍ଡ, ଜଣେ ମୂର୍ତିକାର ଆମ ସମସ୍ତଙ୍କୁ ହିଁ ଗଢ଼ିଛନ୍ତି । ସନ୍ଥ ରବିଦାସ ଜୀ ସମାଜରେ ବ୍ୟାପ୍ତ ବିକୃତିକୁ ନେଇ ସବୁବେଳେ ଖୋଲାଖୋଲି କହୁଥିଲେ । ସେ ଏହି ବିକୃତି ସବୁକୁ ସମାଜ ସାମ୍ନାରେ ଉପସ୍ଥାପିତ କରିଥିଲେ, ତାକୁ ସୁଧାରିବାର ବାଟ ଦେଖାଇଥିଲେ; ଆଉ ସେଥିପାଇଁ ତ ମୀରା ଜୀ କହିଥିଲେ- ‘ଗୁରୁ ମିଲିୟା ରୈଦାସ, ଦିନ୍‌ହି ଜ୍ଞାନ କୀ ଗୁଟ୍‌କୀ’ । ଅର୍ଥାତ୍‌, ଗୁରୁ ରୂପରେ ରୈଦାସ ମିଳିଛନ୍ତି ଆଉ ସେ ସତ୍‌ଜ୍ଞାନର ଅମୃତ ପିଆଇଛନ୍ତି ।

ମୋର ସୌଭାଗ୍ୟ ଯେ ମୁଁ ସନ୍ଥ ରବିଦାସ ଜୀଙ୍କ ଜନ୍ମସ୍ଥଳୀ ବାରାଣସୀ ସହ ସଂପୃକ୍ତ ହୋଇଛି । ସନ୍ଥ ରବିଦାସ ଜୀ’ଙ୍କ ଜୀବନର ଆଧ୍ୟାତ୍ମିକ ଉଚ୍ଚତାକୁ ଏବଂ ତାଙ୍କର ଶକ୍ତିକୁ ମୁଁ ସେହି ତୀର୍ଥସ୍ଥଳରେ ଅନୁଭବ କରିଛି । ବନ୍ଧୁଗଣ, ରବିଦାସ ଜୀ କହୁଥିଲେ-

କରମ ବନ୍ଧନ ମେଁ ବନ୍ଧ ରହିୟୋ, ଫଲ୍ କୀ ନା ତଜ୍ଜିୟୋ ଆସ୍ ।

କର୍ମ ମାନୁଷ କା ଧର୍ମ ହୈ, ସତ୍ ଭାଖୈ ରବିଦାସ ।ା

ଅର୍ଥାତ ଆମେ ନିରନ୍ତର ଆପଣା କର୍ମ କରିଚାଲିବା ଉଚିତ, ଫଳ ତ ମିଳିବ ହିଁ ମିଳିବ, ମାନେ କର୍ମରୁ ସିଦ୍ଧି ତ ହେବ ହିଁ ହେବ । ଆମ ଯୁବାମାନଙ୍କୁ ସନ୍ଥ ରବିଦାସଙ୍କଠାରୁ ଆଉ ଗୋଟିଏ କଥା ନିଶ୍ଚିତ ଭାବେ ଶିଖିବା ଆବଶ୍ୟକ । ଯୁବପିଢ଼ିକୁ କୌଣସି କାମ କରିବା ପାଇଁ, ନିଜକୁ ପୁରୁଣା ରୀତିନୀତିରେ ବାନ୍ଧିହୋଇ ରହିବା ଅନୁଚିତ । ଆପଣମାନେ ନିଜ ଜୀବନକୁ ନିଜେ ହିଁ ସ୍ଥିର କରନ୍ତୁ । ନିଜର ରୀତିନୀତି ମଧ୍ୟ ନିଜେ ତିଆରି କରନ୍ତୁ ଏବଂ ନିଜ ଲକ୍ଷ୍ୟ ମଧ୍ୟ ନିଜେ ସ୍ଥିର କରନ୍ତୁ । ଯଦି ଆପଣଙ୍କ ବିବେକ, ଆପଣଙ୍କ ଆତ୍ମବିଶ୍ୱାସ ଦୃଢ଼ ଅଛି, ତେବେ ଆପଣଙ୍କୁ ପୃଥିବୀର କୌଣସି ଜିନିଷକୁ ଡରିବାର ଆବଶ୍ୟକତା ନାହିଁ । ମୁଁ ଏହା ଏଇଥିପାଇଁ କହୁଛି ଯେ ଅନେକ ସମୟରେ ଆମର ଯୁବପିଢ଼ି ପୁରୁଣା ରୀତିନୀତିର ଚାପରେ ସେହି କାମ କରିପାରନ୍ତି ନାହିଁ, ଯାହାକୁ ସେମାନେ ପ୍ରକୃତରେ ପସନ୍ଦ କରନ୍ତି । ଏଥିପାଇଁ ଆପଣମାନଙ୍କୁ କେବେ ମଧ୍ୟ ନୂଆ ଚିନ୍ତା କରିବାକୁ, ନୂଆ କାମ କରିବାକୁ ଦ୍ୱିଧାବୋଧ କରିବା ଉଚିତ ନୁହେଁ । ସେହିପରି, ସନ୍ଥ ରବିଦାସ ଜୀ ଆଉ ଏକ ମହତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି । ଏହି ସନ୍ଦେଶ ହେଉଛି, “ନିଜ ଗୋଡ଼ରେ ନିଜେ ଠିଆ ହେବା” । ଆମେ ନିଜର ସ୍ୱପ୍ନ ପୂରଣ ପାଇଁ ଅନ୍ୟ ଉପରେ ନିର୍ଭର କରିବା, ଏହା ଆଦୌ ଠିକ୍ ନୁହେଁ । ଯୋଉଟା ଯେପରି ତାହା ସେପରି ଚାଲୁ, ରବିଦାସ ଜୀ କେବେ ମଧ୍ୟ ଏହାରି ସପକ୍ଷରେ ନ ଥିଲେ ଏବଂ ଆଜି ଆମେ ଦେଖୁଛୁ ଯେ ଦେଶର ଯୁବା ମଧ୍ୟ ଏହି ଭାବନା ସପକ୍ଷରେ ଆଦୌ ନାହାନ୍ତି । ଆଜି ଯେତେବେଳେ ଦେଶର ଯୁବପିଢ଼ିଙ୍କ ଭିତରେ innovative spirit ଦେଖେ, ମୋତେ ଲାଗେ ଯେ ଆମର ଯୁବପିଢ଼ିକୁ ନେଇ ସନ୍ଥ ରବିଦାସ ଜୀଙ୍କୁ ନିଶ୍ଚିତ ଗର୍ବ ଅନୁଭବ ହୋଇଥାନ୍ତା ।

ମୋର ପ୍ରିୟ ଦେଶବାସୀଗଣ, ଆଜି ‘ଜାତୀୟ ବିଜ୍ଞାନ ଦିବସ’ । ଆଜିର ଦିନ ଭାରତର ମହାନ ବୈଜ୍ଞାନିକ ଡକ୍ଟର ସି.ଭି. ରମଣଙ୍କ ଦ୍ୱାରା ଆବିଷ୍କୃତ ‘ରମଣ୍ ଏଫେକ୍ଟ’ ପାଇଁ ସମର୍ପିତ । କେରଳରୁ ୟୋଗେଶ୍ୱରନ୍ ଜୀ ନମୋଆପ୍‌ରେ ଲେଖିଛନ୍ତି ଯେ ରମଣ୍ ଏଫେକ୍ଟର ଆବିଷ୍କାର ସମଗ୍ର ବିଜ୍ଞାନର ଦିଗକୁ ବଦଳାଇ ଦେଇଥିଲା । ଏଥିସହ ଜଡ଼ିତ ଏକ ବହୁତ ସୁନ୍ଦର ସନ୍ଦେଶ ମୋତେ ନାସିକର ସ୍ନେହିଲ୍ ଜୀ ପଠାଇଛନ୍ତି । ସ୍ନେହିଲ୍ ଜୀ ଲେଖିଛନ୍ତି ଯେ ଆମ ଦେଶର ଅଗଣିତ ବୈଜ୍ଞାନିକ ଅଛନ୍ତି, ଯାହାଙ୍କ ଯୋଗଦାନ ବିନା ବିଜ୍ଞାନ ଏପରି ପ୍ରଗତି କରିପାରିଥା’ନ୍ତା । ଆମେ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ଯେମିତି ଜାଣୁ, ସେହିପରି ଭାରତର ବୈଜ୍ଞାନିକମାନଙ୍କ ସମ୍ପର୍କରେ ମଧ୍ୟ ଜାଣିବା ଉଚିତ । ମୁଁ ମଧ୍ୟ ‘ମନ୍ କୀ ବାତ’ର ଏହି ଶ୍ରୋତାଙ୍କ ସହ ଏକମତ । ମୁଁ ନିଶ୍ଚିତ ଚାହିଁବି ଯେ ଆମର ଯୁବପୀଢ଼ୀ ଭାରତର ବୈଜ୍ଞାନିକ-ଇତିହାସକୁ, ଆମର ବୈଜ୍ଞାନିକମାନଙ୍କୁ ଜାଣନ୍ତୁ, ବୁଝନ୍ତୁ ଓ ବହୁତ ପଢ଼ନ୍ତୁ ।

ବନ୍ଧୁଗଣ, ଯେତେବେଳେ ଆମେ ବିଜ୍ଞାନ ବିଷୟରେ ଆଲୋଚନା କରୁ, ଅନେକ ସମୟରେ ଏହାକୁ ଲୋକେ physics-chemistry କିମ୍ବା ପରୀକ୍ଷାଗାର ପର୍ଯ୍ୟନ୍ତ ହିଁ ସୀମିତ କରିଦିଅନ୍ତି, କିନ୍ତୁ ବିଜ୍ଞାନର ବିସ୍ତୃତି ଏହାଠାରୁ ବହୁତ ଅଧିକ ଏବଂ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ବିଜ୍ଞାନର ଶକ୍ତିର ବହୁତ ଯୋଗଦାନ ଅଛି । ଆମେ ବିଜ୍ଞାନକୁ Lab to Land ମନ୍ତ୍ର ସହ ଆଗକୁ ବଢ଼ାଇବାକୁ ପଡ଼ିବ ।

ଉଦାହରଣ ସ୍ୱରୂପ ହାଇଦରାବାଦର ଚିନ୍ତଲା ଭେଙ୍କଟ ରେଡ୍ଡୀ ଜୀ’ଙ୍କୁ ନିଆଯାଉ । ରେଡ୍ଡୀ ଜୀଙ୍କ ଜଣେ ଡାକ୍ତରବନ୍ଧୁ ତାଙ୍କୁ ଥରେ ‘ଭିଟାମିନ୍ ଡି’ ଅଭାବରୁ ହେଉଥିବା ରୋଗ ଏବଂ ତା’ର ଅସୁବିଧା ବିଷୟରେ କହିଲେ । ରେଡ୍ଡୀ ଜୀ ଜଣେ ଚାଷୀ; ସେ ଏହି ସମସ୍ୟାର ସମାଧାନ ପାଇଁ କ’ଣ କରିପାରିବେ? ଏହାପରେ ସେ ପରିଶ୍ରମ କଲେ ଓ ଗହମ ଧାନର ଏପରି ପ୍ରଜାତି ବିକଶିତ କଲେ, ଯାହା ବିଶେଷଭାବେ ‘ଭିଟାମନ୍ ଡି’ଯୁକ୍ତ । ଏହି ମାସରେ ତାଙ୍କୁ World Intellectual Property Organization, Genevaରୁ patent ବି ମିଳିଛି । ଆମ ସରକାରର ସୌଭାଗ୍ୟ ଯେ ଭେଙ୍କଟ ରେଡ୍ଡୀ ଜୀଙ୍କୁ ଗତବର୍ଷ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।

ଏପରି ବହୁତ Innovative ଉପାୟରେ ଲଦ୍ଦାଖର ଓରଗେନ ଫୁତ୍‌ସୌଗ୍ ମଧ୍ୟ କାମ କରୁଛନ୍ତି । ଓରଗେନ ଜୀ ଏତେ ଉଚ୍ଚଜାଗାରେ ଜୈବିକ ଚାଷ କରି ପ୍ରାୟ ୨୦ ପ୍ରକାରର ଫସଲ କରୁଛନ୍ତି, ଯାହାକୁ ମଧ୍ୟ cyclic ଶୈଳୀରେ, ଅର୍ଥାତ ଗୋଟିଏ ଫସଲର ବର୍ଜ୍ୟକୁ ଦ୍ୱିତୀୟ ଫସଲରେ ସାର ଭାବେ ବ୍ୟବହାର କରୁଛନ୍ତି । ସତରେ ଚମତ୍କାର କଥା ନୁହେଁ କି!

ସେହିପରି ଗୁଜରାତର ପାଟନ ଜିଲାରେ କାମରାଜ ଭାଇ ଚୌଧୁରୀ ଘରେ ହିଁ ସଜନାର ଉନ୍ନତ ବିହନ ବିକଶିତ କରିଛନ୍ତି । ଏହାକୁ କେତେକ ଲୋକ ସର୍ଗୱା କହନ୍ତି ତ ଆଉ କେଉଁ କେଉଁଠି ମୋରିଙ୍ଗା ବା drum stick ମଧ୍ୟ କୁହାଯାଏ । ଉନ୍ନତ କିସମର ବିହନରେ ଯେଉଁ ସଜନା ଫଳେ, ତା’ର quality ବହୁତ ଭଲ ହୋଇଥାଏ । ନିଜ ଉତ୍ପାଦକୁ ସେ ଏବେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପଠାଇ ନିଜର ଆୟ ମଧ୍ୟ ବଢ଼ାଉଛନ୍ତି ।

ବନ୍ଧୁଗଣ, ଆଜିକାଲି Chia seeds (ଚିଆ ମଞ୍ଜି)ର ନାମ ଆପଣମାନଙ୍କ ଭିତରୁ ବହୁତ ଲୋକ ଶୁଣିଥିବେ । ସ୍ୱାସ୍ଥ୍ୟ ସଚେତନତା ସହିତ ସଂପୃକ୍ତ ଲୋକେ ଏହାକୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ପୃଥିବୀରେ ଏହାର ଚାହିଦା ମଧ୍ୟ ଅଧିକ । ଭାରତର ଲୋକେ ଏହାକୁ ବେଶି ବାହାରୁ ହିଁ ମଗାନ୍ତି, କିନ୍ତୁ ଏବେ Chia seedsରେ ଆତ୍ମନିର୍ଭରତାର ବୋଝ ମଧ୍ୟ ଲୋକେ ଉଠାଉଛନ୍ତି । ଏହିପରି ଭାବେ ୟୁପିର ବାରାବଙ୍କିର ହରିଶ୍ଚନ୍ଦ୍ର ଜୀ Chia seedsର ଚାଷ ଆରମ୍ଭ କରିଛନ୍ତି । Chia seeds ର ଚାଷ ତାଙ୍କ ଆୟକୁ ମଧ୍ୟ ବଢ଼ାଇବ ଏବଂ ଆତ୍ମନିର୍ଭର ଭାରତ ଅଭିଯାନରେ ମଧ୍ୟ ସାହାଯ୍ୟ କରିବ ।

ବନ୍ଧୁଗଣ, ସମଗ୍ର ଦେଶରେ କୃଷି ବର୍ଜ୍ୟରୁ ଟଙ୍କା ରୋଜଗାର କରିବାର ଅନେକ ପରୀକ୍ଷାନିରୀକ୍ଷା ସଫଳତାର ସହ ଚାଲିଛି । ଯେପରିକି, ମଦୁରାଇର ମୁରୁଗେସନ ଜୀ କଦଳୀର ବର୍ଜ୍ୟରୁ ଦଉଡ଼ି ତିଆରି କରିବାର ଏକ ମେସିନ ନିର୍ମାଣ କରିଛନ୍ତି । ମୁରୁଗେସନ ଜୀଙ୍କ ଏହି innovationରୁ ପରିବେଶ ଓ ଆବର୍ଜନାର ସମାଧାନ ହେବ ଏବଂ ଚାଷୀଙ୍କ ପାଇଁ ଅତିରିକ୍ତ ଆୟର ବାଟ ମଧ୍ୟ ମିଳିବ ।

ବନ୍ଧୁଗଣ,

‘ମନ୍ କୀ ବାତ୍‌’ର ଶ୍ରୋତାମାନଙ୍କୁ ଏତେ ଲୋକଙ୍କ ସମ୍ପର୍କରେ କହିବାର ମୋର ଉଦ୍ଦେଶ୍ୟ ହେଉଛି ଯେ ଆମେ ସମସ୍ତେ ଏମାନଙ୍କଠାରୁ ପ୍ରେରଣା ନେବା । ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ନିଜ ଜୀବନରେ ବିଜ୍ଞାନର ବିସ୍ତାର କରିବ, ସବୁ କ୍ଷେତ୍ରରେ କରିବ, ତା’ହେଲେ ପ୍ରଗତିର ରାସ୍ତା ମଧ୍ୟ ଖୋଲିବ ଏବଂ ଦେଶ ଆତ୍ମନିର୍ଭର ମଧ୍ୟ ହେବ । ଆଉ ମୋର ବିଶ୍ୱାସ ଅଛି ଯେ ଦେଶର ପ୍ରତ୍ୟେକ ନାଗରିକ ଏହା କରିପାରିବେ ।

ମୋର ପ୍ରିୟ ବନ୍ଧୁଗଣ,

କୋଲକାତାର ରଂଜନ ଜୀ ନିଜ ଚିଠିରେ ବହୁତ ରୋଚକ ଓ ମୌଳିକ ପ୍ରଶ୍ନ ପଚାରିଛନ୍ତି ଏବଂ ତା’ସହ ସୁନ୍ଦର ଭାବେ ତା’ର ଉତର ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ସେ ଲେଖିଛନ୍ତି ଯେ ଯେତେବେଳେ ଆମେ ଆତ୍ମନିର୍ଭର ହେବାର କଥା କହୁ, ସେତେବେଳେ ଆମ ପାଇଁ ଏହାର ଅର୍ଥ କ’ଣ? ଏହି ପ୍ରଶ୍ନର ଉତର ସେ ନିଜେ ହିଁ ଲେଖିଛନ୍ତି ଯେ “ଆତ୍ମନିର୍ଭର ଭାରତ ଅଭିଯାନ” କେବଳ ଏକ Government policy ନୁହେଁ, ବରଂ ଏକ National spirit। ସେ କହନ୍ତି ଯେ ଆତ୍ମନିର୍ଭର ହେବାର ଅର୍ଥ ନିଜର ଭାଗ୍ୟର ଫଇସଲା ନିଜେ କରିବା ଅର୍ଥାତ ସ୍ୱୟଂ ନିଜ ଭାଗ୍ୟର ନିୟନ୍ତା ହେବା । ରଂଜନ ବାବୁଙ୍କ କଥା ଶହେ ପ୍ରତିଶତ ଠିକ୍ । ତାଙ୍କ କଥାକୁ ଆଗକୁ ବଢ଼ାଇ ମୁଁ ଏହା ମଧ୍ୟ କହିବି ଯେ ଆତ୍ମନିର୍ଭରତାର ପ୍ରଥମ ସର୍ତ ହେଲା- ନିଜ ଦେଶର ଜିନିଷ ପାଇଁ ଗର୍ବ କରିବା, ନିଜ ଦେଶର ଲୋକଙ୍କ ଦ୍ୱାରା ନିର୍ମିତ ଜିନିଷକୁ ନେଇ ଗର୍ବିତ ହେବା । ଯେତେବେଳେ ପ୍ରତ୍ୟେକ ଦେଶବାସୀ ଗର୍ବ କରେ, ପ୍ରତ୍ୟେକ ଦେଶବାସୀ ଯୋଡ଼ି ହୁଏ, ତେବେ ଆତ୍ମନିର୍ଭର ଭାରତ କେବଳ ଏକ ଆର୍ଥିକ ଅଭିଯାନ ହୋଇ ନରହି ଏକ National spirit ପାଲଟିଯାଏ । ଯେତେବେଳେ ଆକାଶରେ ଆମ ଦେଶ ନିର୍ମିତ ଯୁଦ୍ଧ ବିମାନ ତେଜସ୍‌କୁ କଳାକୌଶଳ ପ୍ରଦର୍ଶନ କରିବା ଆମେ ଦେଖୁ, ଯେତେବେଳେ ଭାରତରେ ନିର୍ମିତ ଟ୍ୟାଙ୍କ୍‌, ଭାରତରେ ତିଆରି ମିସାଇଲ୍‌, ଆମର ଗୌରବ ବଢ଼ାନ୍ତି, ଯେତେବେଳେ ସମୃଦ୍ଧ ଦେଶରେ ଆମେ ମେଟ୍ରୋ ଟ୍ରେନ୍‌ରେ Made in India coaches ଦେଖୁ, ଯେତେବେଳେ ଡଜନେ ଦେଶ ପର୍ଯ୍ୟନ୍ତ ଗବୟର ସଦ୍ଭ ଓଦ୍ଭୟସବ କରୋନା ଟିକା ପହଂଚିବା ଦେଖୁ, ସେତେବେଳେ ଆମ ମୁଣ୍ଡ ଆହୁରି ଉଚ୍ଚ ହୋଇଯାଏ ଏବଂ ଏହା ମଧ୍ୟ ନୁହେଁ ଯେ କେବଳ ବଡ଼ବଡ଼ ଜିନିଷ ହିଁ ଭାରତକୁ ଆତ୍ମନିର୍ଭର କରିବ । ଭାରତରେ ତିଆରି କପଡ଼ା, ଭାରତର ଦକ୍ଷ କାରିଗରଙ୍କ ଦ୍ୱାରା ତିଆରି ହସ୍ତଶିଳ୍ପ ଜିନିଷ, ଭାରତର Electronic ଉପକରଣ, ଭାରତରେ ନିର୍ମିତ ମୋବାଇଲ, ପ୍ରତି କ୍ଷେତ୍ରରେ ଆମକୁ ଏହି ଗୌରବର ସମ୍ବର୍ଦ୍ଧନ କରିବାକୁ ହେବ। ଯେତେବେଳେ ଆମେ ଏହି ଭାବନା ସହ ଅଗ୍ରସର ହେବା, ସେତେବେଳେ ହିଁ ପ୍ରକୃତ ଅର୍ଥରେ ଆତ୍ମନିର୍ଭର ହୋଇପାରିବା । ଆଉ ବନ୍ଧୁଗଣ, ଆତ୍ମନିର୍ଭର ଭାରତର ଏହି ମନ୍ତ୍ର ଦେଶର ପ୍ରତିଟି ଗାଁକୁ ପହଞ୍ଚୁଥିବାରୁ ମୁଁ ଖୁସି । ବିହାରର ବେତିଆରେ ତାହାହିଁ ଘଟିଛି, ଯାହା ମୋତେ ଗଣମାଧ୍ୟମରେ ପଢ଼ିବାକୁ ମିଳିଲା ।

ବେତିଆର ବାସିନ୍ଦା ପ୍ରମୋଦ ଜୀ ଦିଲ୍ଲୀରେ ଗୋଟିଏ ଏଲ.ଇ.ଡି. ବଲ୍‌ବ ତିଆରି କାରଖାନାରେ ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ଏଠାରେ କାମ କରିବା ସମୟରେ ସେ ଏହାର ନିର୍ମାଣ ପ୍ରକ୍ରିୟାକୁ ଖୁବ ଭଲ ଭାବେ ବୁଝିଲେ । କିନ୍ତୁ କରୋନା ସମୟରେ ପ୍ରମୋଦ ଜୀ ଙ୍କୁ ନିଜ ଘରକୁ ଫେରିବାକୁ ପଡ଼ିଲା । ଫେରିବା ପରେ ପ୍ରମୋଦ ଜୀ କ’ଣ କଲେ ଆପଣ ଜାଣନ୍ତି କି? ସେ ନିଜେ ଏଲ.ଇ.ଡି. ବଲ୍‌ବ ତିଆରି କରିବାର ଗୋଟିଏ ଛୋଟ ୟୁନିଟ ଆରମ୍ଭ କରିଦେଲେ । ସେ ସେହି ଅଂଚଳର କିଛି ଯୁବବର୍ଗଙ୍କୁ ସାଥିରେ ଧରି ମାତ୍ର କିଛି ମାସ ମଧ୍ୟରେ କାରଖାନା ଶ୍ରମିକରୁ କାରଖାନା ମାଲିକ ହେବାର ଏକ ଯାତ୍ରା ପୂରଣ କଲେ । ତାହା ପୁଣି ନିଜ ଘରେ ରହି ।

ଆଉ ଗୋଟିଏ ଉଦାହରଣ ହେଉଛି ଉତରପ୍ରଦେଶ ଗଡ଼ମୁକ୍ତେଶ୍ୱରର । ଗଡ଼଼ମୁକ୍ତେଶ୍ୱରରୁ ଶ୍ରୀମାନ ସନ୍ତୋଷ ଲେଖିଛନ୍ତି ଯେ କରୋନା ସମୟରେ ସେ କିଭଳି ଭାବେ ଦୁର୍ଯୋଗକୁ ସୁଯୋଗରେ ପରିଣତ କରିଦେଲେ । ସନ୍ତୋଷ ଜୀ ଙ୍କ ପୂର୍ବପୁରୁଷ ଖୁବ ଭଲ କାରିଗର ଥିଲେ । ସେମାନେ ମଶିଣା ବୁଣିବା କାମ କରୁଥିଲେ । କରୋନା ସମୟରେ ଯେତେବେଳେ ଅନ୍ୟାନ୍ୟ କାମ ଅଟକିଗଲା, ସେମାନେ ପୁରା ଦମରେ ମଶିଣା ତିଆରି କରିବା ଆରମ୍ଭ କରିଦେଲେ । ବହୁତ କମ ଦିନ ମଧ୍ୟରେ ସେମାନଙ୍କୁ କେବଳ ଯେ ଉତରପ୍ରଦେଶ ତା’ ନୁହେଁ ବରଂ ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ ମଶିଣା ଯୋଗାଇବାର ଅର୍ଡ଼ର ମିଳିବା ଆରମ୍ଭ ହୋଇଗଲା । ସନ୍ତୋଷ ଜୀ ଏ କଥା ମଧ୍ୟ କହିଛନ୍ତି ଯେ, ଏହାଦ୍ୱାରା ଏ ଅଂଚଳର ଶହ ଶହ ବର୍ଷ ପୁରାତନ କଳା ମଧ୍ୟ ନୂତନ ଶକ୍ତି ଲାଭ କଲା ।

`ବନ୍ଧୁଗଣ,

ଦେଶଯାକରେ ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠି ଲୋକେ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ଏହିଭଳି ଭାବରେ ନିଜର ଯୋଗଦାନ ଦେଉଛନ୍ତି । ଆଜି ଏହା ଏକ ଭାବନାରେ ପରିଣତ ହୋଇଛି ଯାହା ସାଧାରଣ ଲୋକଙ୍କ ହୃଦୟରେ ପ୍ରବାହିତ ହେଉଛି ।

ମୋର ପ୍ରିୟ ଦେଶବାସୀଗଣ,

ନମୋ ଆପ୍‌ରେ ମୁଁ ଗୁଡ଼ଗାଁଓ ନିବାସୀ ମୟୂରଙ୍କର ଗୋଟିଏ ରୋଚକ ପୋଷ୍ଟ ଦେଖିଲି । ସେ ଜଣେ ଉତ୍ସାହୀ ପକ୍ଷୀ ନିରୀକ୍ଷଣକାରୀ ଏବଂ ପ୍ରକୃତିପ୍ରେମୀ । ମୟୂରଜୀ ଲେଖିଛନ୍ତି ଯେ, ମୁଁ ତ ହରିୟାଣାରେ ରହୁଛି, କିନ୍ତୁ ମୁଁ ଚାହୁଁଛି ଯେ ଆପଣ ଆସାମର ଲୋକ, ବିଶେଷ କରି କାଜିରଙ୍ଗାର ଲୋକଙ୍କ ସମ୍ପର୍କରେ କିଛି ଆଲୋଚନା କରନ୍ତୁ । ମୁଁ ଭାବୁଥିଲି ଯେ, ମୟୂରଜୀ ଗଣ୍ଡା କଥା କହୁଥିବେ, ଯାହାକୁ ସେଠାରେ ନିଜ ଗାଁର ଗୌରବ ଭାବେ ବିବେଚନା କରାଯାଏ । କିନ୍ତୁ ମୟୂର ଜୀ କାଜିରଙ୍ଗାଠାରେ ରହିଥିବା ୱାଟରଫାଉଲ୍ସ ସଂଖ୍ୟାରେ ହୋଇଥିବା ଅଭିବୃଦ୍ଧି ଯୋଗୁଁ ଆସାମର ଲୋକଙ୍କ ପ୍ରଶଂସା କରିବା ପାଇଁ ଅନୁରୋଧ କରିଛନ୍ତି । ୱାଟରଫାଉଲ୍ସକୁ ସାଧାରଣ ଭାଷାରେ କ’ଣ କୁହାଯାଇପାରେ ସେ ସମ୍ପର୍କରେ ମୁଁ ଅନୁସନ୍ଧାନ କରୁ କରୁ ମୋତେ ଗୋଟିଏ ଶବ୍ଦ ମିଳିଲା – ଜଳପକ୍ଷୀ । ଏଭଳି ପକ୍ଷୀ ଯେଉଁମାନଙ୍କ ବାସସ୍ଥାନ କୌଣସି ଗଛ ଉପରେ ନ ଥାଏ ବରଂ ଏମାନେ ପାଣି ଉପରେ ହିଁ ବାସ କରିଥାନ୍ତି – ଯେମିତିକି ବତକ ଇତ୍ୟାଦି ପକ୍ଷୀ । କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଗତ କିଛି ବର୍ଷ ଧରି ବାର୍ଷିକ ୱାଟରଫାଉଲ୍ସ ଗଣନା କରିଆସୁଛି । ଏହି ଗଣନା ଦ୍ୱାରା ପକ୍ଷୀମାନଙ୍କ ସଂଖ୍ୟା ଜଣାପଡ଼ୁଛି ଏବଂ ସେମାନଙ୍କ ପସନ୍ଦର ବାସସ୍ଥାନ ସମ୍ପର୍କରେ ମଧ୍ୟ ସୂଚନା ମିଳୁଛି । ମାତ୍ର ଦୁଇ-ତିନି ସପ୍ତାହ ପୂର୍ବେ ହିଁ ପୁଣିଥରେ ସର୍ଭେ କରାଯାଇଛି । ଆପଣମାନେ ମଧ୍ୟ ଏ କଥା ଜାଣି ଖୁସି ହେବେ ଯେ ଏଥର ଏହି ଜଳପକ୍ଷୀମାନଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ପାଖାପାଖି ୧୭୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ଗଣନା ସମୟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପକ୍ଷୀମାନଙ୍କର ୧୧୨ଟି ପ୍ରଜାତି ଦେଖିବାକୁ ମିଳିଥିଲା । ଏଥିରୁ ୫୮ ପ୍ରଜାତି ୟୁରୋପ, କେନ୍ଦ୍ରୀୟ ଏବଂ ପୂର୍ବ ଏସିଆ ସହିତ ବିଶ୍ୱର ବିଭିନ୍ନ ଅଂଶରୁ ଶୀତକାଳୀନ ଭ୍ରମଣକାରୀ ପକ୍ଷୀ ରୂପେ ଆସିଛନ୍ତି । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ଯେ ଏଠାରେ ଉତମ ଜଳ ସଂରକ୍ଷଣ ସହିତ ମାନବ ହସ୍ତକ୍ଷେପ ବହୁତ କମ୍ ରହିଛି । ଏଭଳି କିଛି କ୍ଷେତ୍ରରେ ସକାରାତ୍ମକ ମାନବ ହସ୍ତକ୍ଷେପ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ।

ଆସାମର ଶ୍ରୀ ଯାଦବ ପାୟେଙ୍ଗଙ୍କୁ ହିଁ ଦେଖନ୍ତୁ । ଆପଣମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ନିଜର କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମ ସମ୍ମାନ ମିଳିଛି । ଶ୍ରୀ ଯାଦବ ପାୟେଙ୍ଗ ସେହି ମଣିଷ ଯିଏ ଆସାମର ମାଜୁଲି ଦ୍ୱୀପରେ ପ୍ରାୟ ୩୦୦ ହେକ୍ଟରରେ ବୃକ୍ଷରୋପଣ କାର୍ଯ୍ୟରେ ନିଜର ସକ୍ରିୟ ଯୋଗଦାନ ଦେଇଛନ୍ତି । ସେ ବନ ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସିଛନ୍ତି ଏବଂ ଲୋକଙ୍କୁ ବୃକ୍ଷରୋପଣ ଓ ଜୈବ-ବିବିଧତାର ସଂରକ୍ଷଣ ପାଇଁ ପ୍ରେରିତ କରିବାରେ ମଧ୍ୟ ଲାଗିଛନ୍ତି ।

ବନ୍ଧୁଗଣ,

ଆସାମରେ ରହିଥିବା ଆମ ମନ୍ଦିରଗୁଡ଼ିକ ମଧ୍ୟ ପ୍ରକୃତିର ସଂରକ୍ଷଣରେ ନିଜର ସ୍ୱତନ୍ତ୍ର ଭୂମିକା ନିର୍ବାହ କରୁଛନ୍ତି । ଆମ ମନ୍ଦିରଗୁଡ଼ିକୁ ଲକ୍ଷ୍ୟ କଲେ ଆପଣମାନେ ଦେଖିବେ ଯେ, ପ୍ରତି ମନ୍ଦିର ପାଖରେ ପୁଷ୍କରିଣୀଟିଏ ରହୁଛି । ହଜୋଠାରେ ଥିବା ହୟଗ୍ରୀବ ମଧେବ ମନ୍ଦିର, ଶୋଣିତପୁରଠାରେ ଥିବା ନାଗଶଙ୍କର ମନ୍ଦିର ଏବଂ ଗୌହାଟିଠାରେ ରହିଥିବା ଉଗ୍ରତାରା ମନ୍ଦିର ନିକଟରେ ଏଭଳି ଅନେକ ପୁଷ୍କରିଣୀ ରହିଛି । ଏହାର ବ୍ୟବହାର ବିଲୁପ୍ତ ହୋଇଯାଉଥିବା କଇଁଛମାନଙ୍କର ପ୍ରଜାତିଗୁଡ଼ିକର ସୁରକ୍ଷା ନିମନ୍ତେ କରାଯାଉଛି । ଆସାମରେ କଇଁଛମାନଙ୍କର ସବୁଠାରୁ ଅଧିକ ପ୍ରଜାତି ଦେଖିବାକୁ ମିଳେ । ମନ୍ଦିରମାନଙ୍କରେ ଥିବା ଏହି ପୁଷ୍କରିଣୀଗୁଡ଼ିକ କଇଁଛମାନଙ୍କର ସଂରକ୍ଷଣ, ପ୍ରଜନନ ଏବଂ ସେମାନଙ୍କ ବିଷୟରେ ପ୍ରଶିକ୍ଷଣ ପାଇଁ ଉତମ ସ୍ଥାନ ରୂପେ ପରିଗଣିତ ହୋଇପାରନ୍ତି ।

ମୋର ପ୍ରିୟ ଦେଶବାସୀଗଣ,

କିଛି ଲୋକ ଭାବନ୍ତି ଯେ ଇନ୍ନୋଭେଶନ୍ ପାଇଁ ଆପଣ ଜଣେ ବୈଜ୍ଞାନିକ ହୋଇଥିବା ଆବଶ୍ୟକ । କିଛି ଲୋକ ଭାବନ୍ତି ଯେ, ଅନ୍ୟମାନଙ୍କୁ କିଛି ଶିଖାଇବାକୁ ହେଲେ ଆପଣ ଜଣେ ଶିକ୍ଷକ ହେବା ଆବଶ୍ୟକ । ଏଭଳି ଚିନ୍ତାଧାରାକୁ ଆହ୍ୱାନ ରୂପେ ଗ୍ରହଣ କରୁଥିବା ଲୋକେ ସର୍ବଦା ପ୍ରଶଂସାର ପାତ୍ର । ଏଇ ଯେମିତିକି କେହି ଜଣେ ଅନ୍ୟମାନଙ୍କୁ ସୈନିକ ହେବା ପାଇଁ ପ୍ରଶିକ୍ଷିତ କରୁଥାଏ, ତେବେ ସେ ନିଜେ କ’ଣ ଜଣେ ସୈନିକ ହୋଇଥିବା ଜରୁରୀ କି? ଆପଣମାନେ ଭାବୁଥିବେ ଯେ, ହଁ ଏହା ଜରୁରୀ । କିନ୍ତୁ ଏଇଠି ଘଟଣାରେ ରହିଛି ଟିକିଏ ମୋଡ଼ ।

ମାଇଁ-ଗଭ୍‌ରେ ଶ୍ରୀଯୁକ୍ତ କମଲ୍‌କାନ୍ତ ଗୋଟିଏ ରିପୋର୍ଟ ଶେୟାର କରିଛନ୍ତି, ଯାହା ଗୋଟିଏ ଭିନ୍ନ କାହାଣୀ କହୁଛି । ଓଡ଼ିଶାର ଅରାଖୁଡ଼ାରେ ଜଣେ ଭଦ୍ରବ୍ୟକ୍ତି ରହୁଛନ୍ତି - ନାଏକ ସାର୍ । ଅବଶ୍ୟ ତାଙ୍କ ପୁରା ନାଁ ସିଲୁ ନାଏକ, କିନ୍ତୁ ସମସ୍ତେ ତାଙ୍କୁ ନାଏକ ସାର୍ ନାଁରେ ହିଁ ଡାକନ୍ତି । ବାସ୍ତବରେ ସେ ଜଣେ ମ୍ୟାନ ଅନ୍ ଏ ମିଶନ୍ । ସେ ସେହି ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ଯେଉଁମାନେ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଆଗ୍ରହୀ । ନାଏକ ସାର୍‌ଙ୍କ ଅନୁଷ୍ଠାନର ନାମ ହେଉଛି ମହାଗୁରୁ ବାଟାଲିଅନ୍ । ଏଥିରେ ଫିଜିକାଲ୍ ଫିଟ୍‌ନେସ୍‌ଠାରୁ ଆରମ୍ଭ କରି ସାକ୍ଷାତକାର ପର୍ଯ୍ୟନ୍ତ ଏବଂ ଲେଖାଲେଖିଠାରୁ ଆରମ୍ଭ କରି ତାଲିମ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଶିକ୍ଷା ଦିଆଯାଉଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ଯେଉଁମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ସେମାନେ ସ୍ଥଳସେନା, ନୌସେନା, ବାୟୁସେନା, ସିଆର୍‌ପିଏଫ୍‌, ବିଏସ୍‌ଏଫ୍ ଭଳି ସୁରକ୍ଷା ବାହିନୀରେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆହୁରି ମଧ୍ୟ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସିଲୁ ନାଏକ ନିଜେ ଓଡ଼ିଶା ପୋଲିସ ଚାକିରିରେ ଯୋଗ ଦେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ନ ଥିଲା । ଏହା ସତ୍ୱେ, ସେ ନିଜ ପ୍ରଶିକ୍ଷଣ ଦ୍ୱାରା ଅନେକ ଯୁବକଙ୍କୁ ଦେଶସେବା ପାଇଁ ଯୋଗ୍ୟ କରିପାରିଛନ୍ତି । ଆସନ୍ତୁ, ଆମେ ସମସ୍ତେ ମିଶି ନାଏକ ସାରଙ୍କୁ ଶୁଭେଚ୍ଛା ଜଣାଇବା ଯାହାଫଳରେ ସେ ଆମ ଦେଶ ପାଇଁ ଆହୁରି ଅନେକ ନାୟକ ଗଢ଼ିପାରିବେ ।

ବନ୍ଧୁଗଣ,

ବେଳେବେଳେ ଖୁବ ଛୋଟ ଆଉ ସାମାନ୍ୟ ପ୍ରଶ୍ନଟିଏ ବି ମନକୁ ଆନ୍ଦୋଳିତ କରିଦିଏ । ଏହି ପ୍ରଶ୍ନଗୁଡ଼ିକ ବଡ଼ ହୋଇ ନ ଥାନ୍ତି, ଖୁବ ସହଜ ହୋଇଥାନ୍ତି, ତଥାପି ଏ ସବୁ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଦିଅନ୍ତି । କିଛିଦିନ ଆଗରୁ ହାଇଦ୍ରାବାଦର ଅପର୍ଣା ରେଡ୍ଡି ମୋତେ ଏହିଭଳି ଗୋଟିଏ ପ୍ରଶ୍ନ ପଚାରିଲେ । ସେ ପଚାରିଲେ ଯେ - ଆପଣ ଏତେ ବର୍ଷ ହେଲା ପ୍ରଧାନମନ୍ତ୍ରୀ ହୋଇରହିଛନ୍ତି, ଅନେକ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ରହିଥିଲେ। କିଛି ଅସମ୍ପୂର୍ଣ୍ଣ ରହିଗଲା ଭଳି ଆପଣଙ୍କୁ କେବେ ଲାଗେ କି? ଅପର୍ଣ୍ଣାଙ୍କ ପ୍ରଶ୍ନଟି ଖୁବ୍ ସହଜ ମନେହେଉଥିଲେ ହେଁ ସେତିକି କଠିନ । ଏହି ପ୍ରଶ୍ନ ଉପରେ ମୁଁ ଚିନ୍ତା କଲି ଏବଂ ନିଜକୁ କହିଲି ଯେ ଏହି କଥା ଅସମ୍ପୂର୍ଣ୍ଣ ରହିଲା ଯେ ବିଶ୍ୱର ସବୁଠାରୁ ପ୍ରାଚୀନ ଭାଷା ତାମିଲ ଶିଖିବା ପାଇଁ ମୁଁ ଅଧିକ ପ୍ରୟାସ କରିପାରିଲିନି । ମୁଁ ତାମିଲ ଶିଖିପାରିଲିନି । ଏହା ଏଭଳି ଏକ ସୁନ୍ଦର ଭାଷା, ଯାହା ସାରା ବିଶ୍ୱରେ ଲୋକପ୍ରିୟ । ଅନେକ ଲୋକେ ମୋତେ ତାମିଲ ସାହିତ୍ୟର ମାନ ଏବଂ ଏଥିରେ ରଚିତ କବିତାଗୁଡ଼ିକର ଗଭୀରତା ସମ୍ପର୍କରେ ବହୁତ କିଛି କହିଛନ୍ତି । ଭାରତ ଏହିଭଳି ଅନେକ ଭାଷାର ଭୂମି, ଯାହା ଆମ ସଂସ୍କୃତି ଏବଂ ଗୌରବର ପ୍ରତୀକ । ଭାଷା ସମ୍ପର୍କରେ କହିବା ବେଳେ ମୁଁ ଗୋଟିଏ ଛୋଟ ରୁଚିପୂର୍ଣ୍ଣ କ୍ଲିପ୍ ଆପଣମାନଙ୍କ ସହିତ ଶେୟାର କରିବାକୁ ଚାହୁଁଛି । (ସାଉଣ୍ଡ କ୍ଲିପ୍ ଅନ୍ ଷ୍ଟାଚ୍ୟୁ ଅଫ ୟୁନିଟି)

ଏବେ ଆପଣମାନେ ଯେଉଁ ସ୍ୱର ଶୁଣୁଥିଲେ, ପ୍ରକୃତରେ ତାହା ଥିଲା ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଜଣେ ଗାଇଡ୍ ପର୍ଯ୍ୟଟକମାନଙ୍କୁ ସଂସ୍କୃତ ଭାଷାରେ ସରଦାର ପଟେଲ୍‌ଙ୍କ ବିଶ୍ୱର ସର୍ବୋଚ୍ଚ ମୂର୍ତି ସମ୍ପର୍କରେ କହୁଥିବାର ସ୍ୱର । ଆପଣମାନେ ଜାଣି ଖୁସି ହେବେ ଯେ କେୱଡ଼ିଆଠାରେ ୧୫ ଜଣରୁ ଅଧିକ ଗାଇଡ୍ ଅନର୍ଗଳ ଭାବେ ସଂସ୍କୃତ ଭାଷାରେ ଲୋକଙ୍କୁ ସେ ସ୍ଥାନ ସମ୍ପର୍କରେ ବୁଝାଉଛନ୍ତି । ଏଥର ମୁଁ ଆପଣମାନଙ୍କୁ ଆଉ ଗୋଟିଏ ସ୍ୱର ଶୁଣାଉଛି । (ସାଉଣ୍ଡ କ୍ଲିପ୍ ଅଫ୍ କ୍ରିକେଟ କମେନ୍‌ଟାରୀ)

ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟରେ ପଡ଼ିଥିବେ । ପ୍ରକୃତରେ ଏହା ହେଉଛି ସଂସ୍କୃତ ଭାଷାରେ ପ୍ରଦାନ କରାଯାଉଥିବା କ୍ରିକେଟ ଖେଳର ଧାରା ବିବରଣୀ । ବାରାଣସୀଠାରେ ସଂସ୍କୃତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ ଗୋଟିଏ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ ହୋଇଥାଏ । ଏହି ମହାବିଦ୍ୟାଳୟଗୁଡ଼ିକ ହେଲା – ଶାସ୍ତ୍ରାର୍ଥ ମହାବିଦ୍ୟାଳୟ, ସ୍ୱାମୀ ବେଦାନ୍ତି ବେଦ ବିଦ୍ୟାପୀଠ, ଶ୍ରୀ ବ୍ରହ୍ମ ବେଦ ବିଦ୍ୟାଳୟ ଏବଂ ଇଂଟରନ୍ୟାସନାଲ ଚନ୍ଦ୍ରମୌଳୀ ଚାରିଟେବୁଲ ଟ୍ରଷ୍ଟ । ଏହି ଟୁର୍ଣ୍ଣାମେଂଟର ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେଉଥିବା ସମୟରେ ଧାରାବିବରଣୀ ସଂସ୍କୃତ ଭାଷାରେ ମଧ୍ୟ ପ୍ରଦାନ କରାଯାଇଥାଏ । ମୁଁ ଏବେ ଆପଣମାନଙ୍କୁ ସେହି ଧାରାବିବରଣୀର ଗୋଟିଏ ଛୋଟ ଅଂଶ ଶୁଣାଇଲି । କେବଳ ସେତିକି ନୁହେଁ, ଏହି ଟୁର୍ଣ୍ଣାମେଂଟରେ ଖେଳାଳି ଏବଂ ଧାରାବିବରଣୀ ପ୍ରଦାନକାରୀମାନେ ପାରମ୍ପରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥାଏ । ଆପଣମାନେ ଯଦି ଏନର୍ଜି, ଏକ୍ସାଇଟମେଂଟ ଓ ସସ୍ପେନ୍ସ ସବୁ କିଛି ଏକାଠି ଚାହାନ୍ତି, ତାହେଲେ ଆପଣମାନେ ଖେଳର ଧାରାବିବରଣୀ ଶୁଣିବା ଉଚିତ । ଟେଲିଭିଜନ ଆସିବା ବହୁ ପୂର୍ବରୁ ଏହି ସ୍ପୋର୍ଟ୍‌ସ କମେଣ୍ଟରୀ ଜରିଆରେ ହିଁ ସାରା ଦେଶର ଲୋକେ କ୍ରିକେଟ ଓ ହକି ଭଳି ଖେଳର ରୋମାଂଚକୁ ଅନୁଭବ କରୁଥିଲେ । ଟେନିସ ଏବଂ ଫୁଟବଲ ମ୍ୟାଚଗୁଡ଼ିକର ଧାରାବିବରଣୀ ମଧ୍ୟ ଖୁବ ଭଲ ଭାବେ ପରିବେଷଣ କରାଯାଉଥିଲା । ଆମେ ଲକ୍ଷ୍ୟ କରିଛୁ ଯେ, ଯେଉଁ ଖେଳଗୁଡ଼ିକର ଧାରା-ବିବରଣୀ ଯେତେ ସମୃଦ୍ଧ, ସେ ଖେଳର ପ୍ରଚାର ପ୍ରସାର ମଧ୍ୟ ସେତିକି ଦୃତ ଗତିରେ ହୋଇଥାଏ । ଭାରତରେ ଅନେକଗୁଡ଼ିଏ ଖେଳ ରହିଛି, କିନ୍ତୁ ସେଥିରେ କମେଂଟ୍ରି କଲ୍‌ଚର ପ୍ରବେଶ କରିନି, ଯାହାଫଳରେ ଏସବୁ ବିଲୁପ୍ତ ହେବାକୁ ବସିଲାଣି । ମୋ ମନକୁ ଗୋଟିଏ କଥା ଆସୁଛି - ଆମ ଭାରତୀୟ ଖେଳଗୁଡ଼ିକର ଧାରା ବିବରଣୀ ବିଭିନ୍ନ ଭାଷାରେ ଭଲ ଭାବରେ କରାଗଲେ କେମିତି ହୁଅନ୍ତା? ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ନିଶ୍ଚୟ ଚେଷ୍ଟା କରିବା ଉଚିତ । ମୁଁ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଘରୋଇ ସଂସ୍ଥାର ସହଯୋଗୀମାନଙ୍କୁ ଏ ସମ୍ପର୍କରେ ଚିନ୍ତା କରିବା ପାଇଁ ଅନୁରୋଧ କରୁଛି ।

 

ମୋର ପ୍ରିୟ ଯୁବବନ୍ଧୁଗଣ,

ଆସନ୍ତା କିଛିମାସ ଆପଣମାନଙ୍କ ଜୀବନରେ ବିଶେଷ ଗୁରୁତ୍ୱ ବହନ କରିବାକୁ ଯାଉଛି । ଅଧିକାଂଶ ଯୁବବନ୍ଧୁମାନଙ୍କର ପରୀକ୍ଷା ଥିବ । ଆପଣମାନଙ୍କର ମନେ ଅଛି ତ? ୱାରିୟର ହେବାକୁ ହେବ ଓରିୟର୍ ନୁହେଁ । ହସି ହସି ପରୀକ୍ଷା ଦେବାକୁ ଯିବେ ଏବଂ ହସ ହସ ମୁହଁରେ ଫେରିବେ । ଆଉ କାହା ସହିତ ନୁହେଁ, ବରଂ ନିଜ ସହ ପ୍ରତିଯୋଗିତା କରିବାକୁ ହେବ । ଯଥେଷ୍ଟ ନିଦ୍ରା ଉପଭୋଗ କରିବେ, ଆଉ ଟାଇମ ମ୍ୟାନେଜମେଂଟ ବି କରିବାକୁ ପଡ଼ିବ । ଖେଳିବା ବି ଛାଡ଼ିବେନି କାରଣ ଯିଏ ଖେଳିବ ସେ ଆଗକୁ ବଢ଼ିବ । ରିଭିଜନ ଏବଂ ମନେ ରଖିବାର ସ୍ମାର୍ଟ ଉପାୟ ବି ଅବଲମ୍ବନ କରିବାକୁ ହେବ । ଅର୍ଥାତ, ମୋଟ ଉପରେ କହିବାକୁ ଗଲେ ପରୀକ୍ଷାରେ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିବାକୁ ପଡ଼ିବ । ଆପଣମାନେ ଭାବୁଥିବେ ଯେ ଏତେ ସବୁ ହେବ କେମିତି? ଆମେ ସମସ୍ତେ ମିଶି ଏହାକୁ ସମ୍ଭବ କରିବା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମେ କରିବା ପରୀକ୍ଷା ପେ ଚର୍ଚ୍ଚା । କିନ୍ତୁ ମାର୍ଚ୍ଚ ମାସରେ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା ପୂର୍ବରୁ ସମସ୍ତ ଏକ୍‌ଜାମ ୱାରିୟର, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ସେମାନଙ୍କ ଅନୁଭୁତି ଏବଂ ଟିପ୍ସ ମୋ ସହିତ ନିଶ୍ଚୟ ଶେୟାର କରିବାକୁ ଅନୁରୋଧ କରୁଛି । ମାଇଁ-ଗଭ୍‌ରେ ଆପଣ ଏହା ଶେୟାର କରିପାରିବେ । ନରେନ୍ଦ୍ର ମୋଦି ଆପ୍‌ରେ ମଧ୍ୟ ଶେୟାର କରିପାରିବେ । ଏଥର ପରୀକ୍ଷା ପେ ଚର୍ଚ୍ଚାରେ ଯୁବବନ୍ଧୁମାନଙ୍କ ସହିତ ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ନିମନ୍ତ୍ରିତ ହେବେ । କିଭଳି ଏଥିରେ ଅଂଶଗ୍ରହଣ କରିପାରିବେ, କିଭଳି ପୁରସ୍କାର ଜିତିପାରିବେ, କିଭଳି ମୋ ସହିତ ଆଲୋଚନା କରିବାର ସୁଯୋଗ ପାଇପାରିବେ ଏସବୁ ବିଷୟରେ ସୂଚନା ଆପଣ ମାଇଁ-ଗଭ୍‌ରେ ପାଇପାରିବେ । ଏଯାଏ ଏକଲକ୍ଷରୁ ଅଧିକ ବିଦ୍ୟାର୍ଥୀ, ପ୍ରାୟ ୪୦ ହଜାର ଅଭିଭାବକ ଏବଂ ପ୍ରାୟ ୧୦ ହଜାର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏଥିରେ ଅଂଶଗ୍ରହଣ କରିସାରିଛନ୍ତି । ଆପଣ ମଧ୍ୟ ଆଜି ହିଁ ଅଂଶଗ୍ରହଣ କରନ୍ତୁ । ଏହି କରୋନା ସମୟରେ କିଛି ସମୟ ବାହାର କରି ମୁଁ ଏକ୍‌ଜାମ୍ ୱାରିୟର ବହିରେ କିଛି ନୂଆ ମନ୍ତ୍ର ଯୋଡ଼ି ଦେଇଛି । ଏବେ ଏଥିରେ ଅଭିଭାବକମାନଙ୍କ ପାଇଁ ମଧ୍ୟ କିଛି ମନ୍ତ୍ର ଯୋଡ଼ାଯାଇଛି । ଏହି ମନ୍ତ୍ରଗୁଡ଼ିକ ସହିତ ଜଡ଼ିତ ଅନେକଗୁଡ଼ିଏ ରୋଚକ ଗତିବିଧି ନରେନ୍ଦ୍ର ମୋଦି ଆପ୍‌ରେ ଦିଆଯାଇଛି, ଯାହା ଆପଣଙ୍କ ଭିତରେ ଜଣେ ଏକ୍‌ଜାମ୍ ୱାରିୟରକୁ ଉଜାଗର କରିବାରେ ସହାୟକ ହେବ । ଆପଣ ଏସବୁକୁ ଥରେ ପରୀକ୍ଷା କରିଦେଖନ୍ତୁ । ସମସ୍ତ ଯୁବବନ୍ଧୁମାନଙ୍କୁ ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

 

ମୋର ପ୍ରିୟ ଦେଶବାସୀଗଣ,

ମାର୍ଚ୍ଚ ମାସଟି ଆମର ଆର୍ଥିକ ବର୍ଷର ଶେଷ ମାସ ହୋଇଥାଏ । ତେଣୁ ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ କିଛି ଅଧିକ ବ୍ୟସ୍ତ ରହିବେ । ଦେଶରେ ଆର୍ଥିକ ଗତିବିଧି ଯେଉଁଭଳି ଭାବରେ ଗତିଶୀଳ ହେଉଛି, ତାହାଦ୍ୱାରା ଆମର ବ୍ୟବସାୟୀ ଏବଂ ଉଦ୍ୟମୀ ବନ୍ଧୁମାନଙ୍କ ବ୍ୟସ୍ତତା ବଢ଼ିଚାଲିଛି । ଏସବୁ ଭିତରେ କରୋନା ପ୍ରତି ଆମର ସଚେତନତା ମଧ୍ୟ ଯେମିତି ଊଣା ନ ହୁଏ । ଆପଣମାନେ ସୁସ୍ଥ ରହିବେ, ଖୁସିରେ ରହିବେ, କର୍ତବ୍ୟ ପଥରେ ଅଟଳ ରହିବେ, ତା ହେଲେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ ।

ଆପଣ ସମସ୍ତଙ୍କୁ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ଆଗୁଆ ଶୁଭକାମନା । ତା’ସହିତ କରୋନା ସମ୍ପର୍କୀୟ ଯେଉଁ ନିୟମଗୁଡ଼ିକୁ ପାଳନ କରିବାକୁ ଅଛି, ସେଥିରେ ଯେମିତି କିଛି ଊଣା ନ ହୁଏ । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"