ଭାରତ ଖୁବଶୀଘ୍ର ସୁବର୍ଣ୍ଣ ଚତୁର୍ଭୁଜ ଉପରେ ଆଧାରିତ ଶିଳ୍ପ ସ୍ମାର୍ଟ ସିଟିର ଏକ ବିଶାଳ ଶୃଙ୍ଖଳା ସ୍ଥାପନ କରିବ
ଭାରତର ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସରକାର ୨୮,୬୦୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି
'ପ୍ଲଗ୍-ଏନ୍-ପ୍ଲେ' ଏବଂ 'ୱାକ୍-ଟୁ-ୱାର୍କ' ଅବଧାରଣା ସହିତ ଚାହିଦା ପୂର୍ବରୁ ବିଶ୍ୱସ୍ତରୀୟ ଗ୍ରୀନଫିଲ୍ଡ ଶିଳ୍ପ ସ୍ମାର୍ଟ ସିଟି ନିର୍ମାଣ କରାଯିବ
ପୁଞ୍ଜିନିବେଶ ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ସୁଦୃଢ଼, ଦୀର୍ଘସ୍ଥାୟୀ ମୌଳିକ ଭିତ୍ତିଭୂମି
ବିକଶିତ ଭାରତର ଦୃଷ୍ଟିକୋଣ ଅନୁଯାୟୀ, ଏହି ପ୍ରକଳ୍ପଗୁଡିକ ନିବେଶକମାନଙ୍କ ପାଇଁ ଉପଲବ୍ଧ ଜମି ସହିତ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭାରତର ଭୂମିକାକୁ ସୁଦୃଢ଼ କରିବ

ଭାରତ ଖୁବଶୀଘ୍ର ଶିଳ୍ପ ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ୨୮,୬୦୨ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ୧୨ଟି ନୂତନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ପଦକ୍ଷେପ ଦେଶର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପ ନୋଡ୍ ଓ ସହରଗୁଡ଼ିକର ଏକ ଦୃଢ଼ ନେଟୱର୍କ ସୃଷ୍ଟି କରିବ ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ ।

୧୦ଟି ରାଜ୍ୟରେ ୬ଟି ପ୍ରମୁଖ କରିଡର ସହିତ ଏହି ପ୍ରକଳ୍ପଗୁଡ଼ିକ ଭାରତର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଉତ୍ତରାଖଣ୍ଡର ଖୁର୍ପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ, ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜାହିରାବାଦ, ଆନ୍ଧ୍ରପ୍ରଦେଶର ଓର୍ଭାକଲ ଓ କୋପ୍ପର୍ତ୍ତି ଏବଂ ରାଜସ୍ଥାନର ଯୋଧପୁର-ପାଲିରେ ଏହି ଶିଳ୍ପାଞ୍ଚଳ ଅବସ୍ଥିତ।

ମୁଖ୍ୟ ବିଶେଷତ୍ୱ

 

ରଣନୀତିକ ପୁଞ୍ଜିନିବେଶ: ଏନଆଇସିଡିପିକୁ ଉଭୟ ବୃହତ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ରେ ପୁଞ୍ଜିନିବେଶ ପାଇଁ ସୁବିଧା ପ୍ରଦାନ କରି ଏକ ଜୀବନ୍ତ ଶିଳ୍ପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ୨୦୩୦ ସୁଦ୍ଧା ୨ ଟ୍ରିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ଶିଳ୍ପ ନୋଡଗୁଡ଼ିକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ, ଯାହା ଆତ୍ମନିର୍ଭରଶୀଳ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଭାରତ ନିର୍ମାଣ ନିମନ୍ତେ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ।

ସ୍ମାର୍ଟ ସିଟି ଏବଂ ଆଧୁନିକ ଭିତ୍ତିଭୂମି: ନୂଆ ଶିଳ୍ପ ସହରଗୁଡିକୁ ବିଶ୍ୱସ୍ତରୀୟ ମାନର ଗ୍ରୀନଫିଲ୍ଡ ସ୍ମାର୍ଟ ସିଟି ଭାବରେ ବିକଶିତ କରାଯିବ, ଯାହା ‘ପ୍ଲଗ୍-ଏନ୍-ପ୍ଲେ’ ଏବଂ ‘ୱାକ୍-ଟୁ-ୱାର୍କ’ ଅବଧାରଣାକୁ ଆଧାର କରି ‘‘ଚାହିଦା ପୂର୍ବରୁ’’ ନିର୍ମିତ ହେବ । ଏହି ଆଭିମୁଖ୍ୟ ସୁନିଶ୍ଚିତ କରେ ଯେ ସହରଗୁଡ଼ିକ ଉନ୍ନତ ଭିତ୍ତିଭୂମିରେ ସଜ୍ଜିତ ଯାହା ସ୍ଥାୟୀ ଏବଂ ଦକ୍ଷ ଶିଳ୍ପ କାର୍ଯ୍ୟକୁ ସମର୍ଥନ କରେ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଉପରେ ଆଞ୍ଚଳିକ ଆଭିମୁଖ୍ୟ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ପ୍ରକଳ୍ପଗୁଡିକରେ ବହୁମୁଖୀ ସଂଯୋଗ ଭିତ୍ତିଭୂମି ରହିବ, ଯାହା ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ନିରବଚ୍ଛିନ୍ନ ପରିବହନକୁ ସୁନିଶ୍ଚିତ କରିବ । ସମଗ୍ର ଅଞ୍ଚଳର ପରିବର୍ତ୍ତନ ପାଇଁ ଶିଳ୍ପ ସହରଗୁଡିକୁ ଅଭିବୃଦ୍ଧି କେନ୍ଦ୍ର ଭାବରେ ପରିକଳ୍ପନା କରାଯାଇଛି ।

‘ବିକଶିତ ଭାରତ’ର ପରିକଳ୍ପନା:

 

ଏହି ପ୍ରକଳ୍ପଗୁଡ଼ିକର ଅନୁମୋଦନ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ । ବିଶ୍ୱ ମୂଲ୍ୟ ଶୃଙ୍ଖଳା (ଜିଭିସି)ରେ ଭାରତକୁ ଏକ ଶକ୍ତିଶାଳୀ ଖେଳାଳି ଭାବେ ସ୍ଥାନିତ କରି ଏନଆଇସିଡିପି ଆବଣ୍ଟନ ପାଇଁ ସହଜରେ ଉପଲବ୍ଧ ଉନ୍ନତ ଜମି ଯୋଗାଇଦେବ, ଯାହା ଘରୋଇ ଓ ଅନ୍ତର୍ଜାତୀୟ ନିବେଶକଙ୍କ ଲାଗି ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ସହଜ କରିବ। ଏହା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନର ବ୍ୟାପକ ଉଦ୍ଦେଶ୍ୟ ସହିତ ସମାନ, ଯାହା ଶିଳ୍ପ ଉତ୍ପାଦନ ଏବଂ ନିଯୁକ୍ତି ବୃଦ୍ଧି ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ ।

ଆର୍ଥିକ ପ୍ରଭାବ ଏବଂ ନିଯୁକ୍ତି ସୃଷ୍ଟି:

ଯୋଜନାବଦ୍ଧ ଶିଳ୍ପାୟନ ମାଧ୍ୟମରେ ଆନୁମାନିକ ୧ ନିୟୁତ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୩ ନିୟୁତ ପରୋକ୍ଷ ନିଯୁକ୍ତି ସମେତ ଏନଆଇସିଡିପି ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା କେବଳ ଜୀବିକା ର ସୁଯୋଗ ମିଳିବ ନାହିଁ ବରଂ ଯେଉଁ ସବୁ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ।

 

ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରତିବଦ୍ଧତା:

ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ଆଇସିଟି-ସକ୍ଷମ ୟୁଟିଲିଟି ଏବଂ ସବୁଜ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରି ଏନଆଇସିଡିପି ଅଧୀନରେ ପ୍ରକଳ୍ପଗୁଡିକୁ ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ ଡିଜାଇନ୍ କରାଯାଇଛି। ଗୁଣାତ୍ମକ, ବିଶ୍ୱସନୀୟ ଏବଂ ସ୍ଥାୟୀ ଭିତ୍ତିଭୂମି ପ୍ରଦାନ କରି ସରକାର ଶିଳ୍ପ ସହର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା କେବଳ ଆର୍ଥିକ କାର୍ଯ୍ୟକଳାପର କେନ୍ଦ୍ର ନୁହେଁ ବରଂ ପରିବେଶ ପରିଚାଳନାର ମଡେଲ ମଧ୍ୟ ଅଟେ ।

ଏନଆଇସିଡିପି ଅଧୀନରେ ୧୨ଟି ନୂତନ ଶିଳ୍ପ ନୋଡକୁ ଅନୁମୋଦନ ମିଳିବା ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ ଶକ୍ତି ହେବା ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ସମନ୍ୱିତ ବିକାଶ, ସ୍ଥାୟୀ ଭିତ୍ତିଭୂମି ଏବଂ ନିରବଚ୍ଛିନ୍ନ ଯୋଗାଯୋଗ ଉପରେ ରଣନୀତିକ ଧ୍ୟାନ ଦେବା ସହିତ ଏହି ପ୍ରକଳ୍ପଗୁଡିକ ଭାରତର ଶିଳ୍ପ ପରିଦୃଶ୍ୟକୁ ପୁନଃପରିଭାଷିତ କରିବ ଏବଂ ଆଗାମୀ ବର୍ଷଗୁଡ଼ିକ ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ଏହି ନୂଆ ମଞ୍ଜୁରି ବ୍ୟତୀତ ଏନଆଇସିଡିପିରେ ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଏବେ ଆଉ ୪ଟି କାର୍ଯ୍ୟକାରୀ ହେଉଛି। ଏହି କ୍ରମାଗତ ପ୍ରଗତି ଭାରତର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଓ ସମାବେଶୀ ଆର୍ଥିକ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi