ସେୟାର
 
Comments
Mann Ki Baat: PM Modi speaks about the tradition of storytelling
The agriculture sector of the country, our farmers, our villages, is the foundation of self-reliant India: PM Modi during Mann Ki Baat
In today's date, the more modern methods we apply to agriculture, the more the sector will flourish: Prime Minister during Mann Ki Baat
I bow to Shaheed Veer Bhagat Singh, an icon of courage and valour among all the countrymen: PM Modi
Mann Ki Baat: PM Modi remembers greats like Mahatma Gandhi, Jayprakash Narayan, Nanaji Deshmukh
Rajmata Vijayaraje Scindia dedicated her entire life to the service of the people: PM Modi during Mann Ki Baat
Wear masks properly, maintain social distancing to combat Coronavirus: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କରୋନାର ଏହି କାଳଖଣ୍ଡରେ ସମଗ୍ର ବିଶ୍ୱ ଅନେକ ପରିବର୍ତ୍ତନ ଦେଇ ଗତି କରୁଛି । ଆଜି ଯେତେବେଳେ 2 ଗଜ ଦୂରତା ଗୋଟିଏ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି, ସେତେବେଳେ ଏହି ସଙ୍କଟ ସମୟ ପରିବାରର ସଦସ୍ୟମାନଙ୍କୁ ଏକାଠି ଯୋଡ଼ିବା, ପରସ୍ପରର ନିକଟବର୍ତ୍ତୀ କରିବାର କାମ ବି କରିଛି । କିନ୍ତୁ ଏତେ ଦୀର୍ଘଦିନ ଧରି ଏକାଠି ରହିବା, କେମିତି ରହିବା, ସମୟ କେମିତି କାଟିବା, ପ୍ରତିଟି ମୁହୂର୍ତ୍ତକୁ କେମିତି ଖୁସିରେ କାଟିବା? ଏ ସବୁକୁ ନେଇ ଅନେକ ପରିବାର କିଛିଟା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଲେ । ଏହାର କାରଣ ଥିଲା – ଆମର ଯେଉଁ ପରମ୍ପରା ଚାଲିଆସିଥିଲା, ଯାହା ପରିବାରରେ ଏକ ପ୍ରକାର ସଂସ୍କାରର ସ୍ରୋତ ରୂପେ ପ୍ରବାହିତ ହେଉଥିଲା, ତା’ର ଅଭାବ ପରିଲକ୍ଷିତ ହେଉଛି । ଲାଗୁଛି ଯେମିତି ଅନେକ ପରିବାରରେ ତ ଏହାର ଅନ୍ତ ଘଟିଛି ଆଉ ଏହାର ଅଭାବ ଯୋଗୁଁ ଏହି ସଙ୍କଟ ସମୟକୁ ଅତିବାହିତ କରିବା ପରିବାରଗୁଡ଼ିକ ପାଇଁ ଟିକିଏ କଷ୍ଟକର ହୋଇପଡ଼ିଲା । ତେବେ, ଏଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କ’ଣ ଥିଲା? ପ୍ରତ୍ୟେକ ପରିବାରର କେହି ନା କେହି ଗୁରୁଜନ ଅବା ବୟୋଜ୍ୟେଷ୍ଠ ବ୍ୟକ୍ତି କାହାଣୀ ଶୁଣାଉଥିଲେ ଏବଂ ଘର ଭିତରେ ନୂଆ ପ୍ରେରଣା, ନୂତନ ଶକ୍ତି ଭରିଦେଉଥିଲେ । ଆମେ ଏକଥା ନିଶ୍ଚିତ ଭାବେ ଅନୁଭବ କରିଥିବା ଯେ, ଆମ ପୂର୍ବପୁରୁଷମାନେ ଯେଉଁ ପରମ୍ପରା ସୃଷ୍ଟି କରିଯାଇଛନ୍ତି ସେସବୁ କେତେ ଗୁରୁତ୍ୱପୂର୍ଣ୍ଣ । ଆଉ ଏ ସବୁ ନ ଥିଲେ କିଭଳି ଏହାର ଅଭାବ ଅନୁଭୂତ ହୁଏ । ଏହିଭଳି ଗୋଟିଏ ପରମ୍ପରା ହେଲା କାହାଣୀ କହିବାର କଳା ବା Story Telling । ବନ୍ଧୁଗଣ, କାହାଣୀର ଇତିହାସ ସେତେ ପୁରାତନ, ଯେତିକି ପୁରାତନ ଏ ମାନବ ସଭ୍ୟତା । ‘where there is a soul, there is a story.’  

କାହାଣୀ, ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମନାକୁ ଆଣେ, ଏହାର ପରିସ୍ଫୁଟନ କରାଏ । କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମାଆ ତାର ଛୁଆକୁ ଶୁଆଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ । ମୁଁ ନିଜ ଜୀବନର ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି । ବୁଲିବା ହିଁ ଥିଲା ମୋର ଜୀବନ । ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର, କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି । ବେଳେବେଳେ ସେମାନଙ୍କୁ କହୁଥିଲି – ଚାଲ, ଆଜି ମୋତେ ଗୋଟିଏ ଗପ ଶୁଣାଅ । କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା, ଯେତେବେଳେ ପିଲାଏ କହୁଥିଲେ, – ନା ଅଙ୍କଲ୍, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସକଥା ଶୁଣେଇବୁ । ଆଉ, ମୋତେ ବି ସେମାନେ ହସକଥା ଶୁଣେଇବାକୁ ଅନୁରୋଧ କରୁଥିଲେ । ଏହାର ଅର୍ଥ – କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନ ଥିଲା । ପ୍ରାୟତଃ, ସେମାନଙ୍କର ଜୀବନ ହସକଥା ଭିତରେ ହିଁ ସୀମିତ ହୋଇଯାଇଥିଲା ।

ବନ୍ଧୁଗଣ, ଭାରତରେ କାହାଣୀ କହିବାର ଏବଂ କାହାଣୀ ଶୁଣିବାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି । ବିବେକ ଏବଂ ବୁଦ୍ଧିମତାର କଥାଗୁଡ଼ିକୁ ସହଜ ଭାବରେ ବୁଝାଇବା ଉଦ୍ଦେଶ୍ୟରେ ଯେଉଁଠି ହିତୋପଦେଶ ଓ ପଂଚତନ୍ତ୍ରର ପରମ୍ପରା ରହିଛି, ଯେଉଁଠି କାହାଣୀରେ ପଶୁ-ପକ୍ଷୀ ଏବଂ କାଳ୍ପନିକ ପରୀ-ରାଇଜ ଗଢ଼ିଉଠିଛି – ସେହି ଦେଶର ଅଧିବାସୀ ହୋଇଥିବାରୁ ଆମେ ଗର୍ବ ଅନୁଭବ କରୁ । ଆମର କଥା-ଶ୍ରବଣର ପରମ୍ପରା ରହିଛି । ଏହା ଧାର୍ମିକ କାହାଣୀ କହିବାର ପ୍ରାଚୀନ ପଦ୍ଧତି । ଏଥିରେ କଥାକାଳକ୍ଷେୱମ୍ ମଧ୍ୟ ଅନ୍ତର୍ଭୁକ୍ତ । ଆମ ଦେଶରେ ବିଭିନ୍ନ ପ୍ରକାର ଲୋକକଥାମାନ ରହିଛି । ତାମିଲନାଡ଼ୁ ଓ କେରଳରେ କାହାଣୀ କହିବାର ଗୋଟିଏ ଆକର୍ଷଣୀୟ ପ୍ରଣାଳୀ ରହିଛି । ଏହାକୁ ୱିଲ୍ଲୁ ପାଟ୍ କୁହାଯାଏ । ଏଥିରେ କାହାଣୀ ଓ ସଙ୍ଗୀତର ଖୁବ ଆକର୍ଷଣୀୟ ସାମଞ୍ଜସ୍ୟ ଥାଏ । ଭାରତରେ କଣ୍ଢେଇ ନାଚର ମଧ୍ୟ ଗୋଟିଏ ଜୀବନ୍ତ ପରମ୍ପରା ରହିଛି । ଆଜିକାଲି ବିଜ୍ଞାନ ଏବଂ ସାଇନ୍ସ ଫିକ୍ସନ୍ ସମ୍ପର୍କୀୟ କାହାଣୀମାନ କହିବାର ପ୍ରଥା ଲୋକପ୍ରିୟ ହେଲାଣି । ମୁଁ ଲକ୍ଷ୍ୟ କରୁଛି ଯେ, କିଛି ଲୋକ ଗପ କହିବାର କଳାକୁ ଆଗେଇ ନେବାକୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୋତେ gaathastory.in ଭଳି ୱେବ୍ସାଇଟ୍ ସମ୍ପର୍କରେ ସୂଚନା ମିଳିଲା, ଯାହା ଅମର ବ୍ୟାସ୍ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଅମର ବ୍ୟାସ୍ ଆଇ.ଆଇ.ଏମ୍. ଅହମଦାବାଦରୁ ଏମ.ବି.ଏ. କରିବା ପରେ ବିଦେଶକୁ ଚାଲିଗଲେ । ପୁଣି ଫେରିଲେ । ଏବେ ସେ ବାଙ୍ଗାଲୁରୁରେ ରହୁଛନ୍ତି ଏବଂ ସମୟ ବାହାର କରି କାହାଣୀ ସହ ଜଡ଼ିତ ଏଭଳି ରୁଚିକର କାର୍ଯ୍ୟ କରୁଛନ୍ତି । ଏଭଳି ମଧ୍ୟ ଅନେକ ପ୍ରଚେଷ୍ଟା କରାଯାଇଛି ଯାହା ଭାରତର ଗ୍ରାମାଞ୍ଚଳର କାହାଣୀଗୁଡ଼ିକର ବହୁଳ ପ୍ରଚାର କରୁଛି । ବୈଶାଳୀ ବ୍ୟବହାରେ ଦେଶପାଣ୍ଡେଙ୍କ ଭଳି ଅନେକ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଏହାକୁ ମରାଠୀ ଭାଷାରେ ମଧ୍ୟ ଲୋକପ୍ରିୟ କରୁଛନ୍ତି ।

ଚେନ୍ନାଇର ଶ୍ରୀବିଦ୍ୟା ବୀର ରାଘବନ୍ ମଧ୍ୟ ଆମ ସଂସ୍କୃତି ସହ ଜଡ଼ିତ କାହାଣୀଗୁଡ଼ିକର ପ୍ରଚାର ପ୍ରସାରରେ ଲାଗିଛନ୍ତି । ସେହିପରି, କଥାଳୟ ଓ The Indian story telling network ନାମକ ଦୁଇଟି ୱେବସାଇଟ୍ ମଧ୍ୟ ଏହି କ୍ଷେତ୍ରରେ ଖୁବ ଭଲ କାମ କରୁଛନ୍ତି । ଗୀତା ରାମାନୁଜନ kathalaya.orgରେ କାହାଣୀଗୁଡ଼ିକୁ ଏକାଠି କରିଛନ୍ତି ଆଉ The Indian story telling network ମାଧ୍ୟମରେ ଭିନ୍ନ ଭିନ୍ନ ସହରର କାହାଣୀ କହୁଥିବା ଲୋକଙ୍କ ଗୋଟିଏ ନେଟୱାର୍କ ସୃଷ୍ଟି କରାଯାଉଛି । ବେଙ୍ଗାଲୁରୁରେ ରହୁଥିବା ବିକ୍ରମ ଶ୍ରୀଧର ମହାତ୍ମା ଗାନ୍ଧୀଙ୍କ କାହାଣୀଗୁଡ଼ିକୁ ନେଇ ବେଶ୍ ଉତ୍ସାହିତ । ଆହୁରି ଅନେକ ଲୋକ ଏହି କ୍ଷେତ୍ରରେ କାମ କରୁଥିବେ । ଆପଣମାନେ ସେମାନଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ତଥ୍ୟ ଶେୟାର କରନ୍ତୁ ।

ଆଜି ଆମ ସହିତ ବେଙ୍ଗାଲୁରୁ story telling societyର ଭଉଣୀ ଅପର୍ଣ୍ଣା ଆତ୍ରେୟା ଏବଂ ଅନ୍ୟ ସଦସ୍ୟମାନେ ରହିଛନ୍ତି । ଆସନ୍ତୁ, ସେମାନଙ୍କ ସହ କଥା ହୋଇ ସେମାନଙ୍କ ଅନୁଭବ ସମ୍ପର୍କରେ ଜାଣିବା ।

ପ୍ରଧାନମନ୍ତ୍ରୀ       :      ହେଲୋ ।

ଅପର୍ଣ୍ଣା            :      ନମସ୍କାର ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ । ଆପଣ କେମିତି ଅଛନ୍ତି ?

ପ୍ରଧାନମନ୍ତ୍ରୀ       :      ମୁଁ ଭଲ ଅଛି । ଆପଣ କେମିତି ଅଛନ୍ତି ଅପର୍ଣ୍ଣାଜୀ?

ଅପର୍ଣ୍ଣା            :      ଖୁବ ଭଲ ଅଛି ସାର୍ । ସର୍ବପ୍ରଥମେ ବେଙ୍ଗାଲୁରୁ story telling society ତରଫରୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, କାରଣ ଆପଣ ଆମଭଳି କଳାକାରମାନଙ୍କୁ ଏହି ମଂଚକୁ ନିମନ୍ତ୍ରଣ କରି ଆମ ସହ କଥା ହେଉଛନ୍ତି ।

ପ୍ରଧାନମନ୍ତ୍ରୀ       :      ମୁଁ ଶୁଣିଛି, ଆଜି ଆପଣଙ୍କ ପୁରା ଟିମ୍ ଆପଣଙ୍କ ସହିତ ଉପସ୍ଥିତ?

ଅପର୍ଣ୍ଣା            :      ହଁ ଆଜ୍ଞା, ଠିକ କଥା ।

ପ୍ରଧାନମନ୍ତ୍ରୀ       :      ତାହେଲେ ଆପଣଙ୍କ ସାଥୀମାନଙ୍କ ପରିଚୟ ଦିଅନ୍ତୁ, ଯାହାଫଳରେ ‘ମନ କି ବାତ୍’ର ଶ୍ରୋତାମାନେ ଜାଣିପାରିବେ ଯେ, ଆପଣମାନେ କେତେ ବଡ଼ ଅଭିଯାନଟିଏ ଚଳାଇଛନ୍ତି ।

ଅପର୍ଣ୍ଣା            :      ସାର୍ ମୋ ନାଁ ଅପର୍ଣ୍ଣା ଆତ୍ରେୟା । ମୁଁ ଦୁଇଟି ପିଲାର ମା, ଜଣେ ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ, ଆଉ କାହାଣୀ କହିବାକୁ ଖୁବ୍ ଭଲ ପାଉଥିବା ଜଣେ story teller । ଗପ କହିବାଟା 15 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯେତେବେଳେ ମୁଁ ସଫ୍ଟୱେୟାର ଇଣ୍ଡଷ୍ଟ୍ରିରେ କାମ କରୁଥିଲି । ସେଠାରେ ସିଏସଆର ପ୍ରକଳ୍ପ ଗୁଡ଼ିକରେ ସ୍ୱେଚ୍ଛାକୃତ ଭାବେ କାମ କରିବାକୁ ଯେତେବେଳେ ଗଲି ସେତେବେଳେ ହଜାର ହଜାର ପିଲାଙ୍କୁ କାହାଣୀ ମାଧ୍ୟମରେ ପାଠ ପଢ଼େଇବାର ସୁଯୋଗ ମିଳିଲା । ମୁଁ ମୋ ଜେଜେମାଙ୍କଠୁ ଶୁଣିଥିବା ଗପଗୁଡ଼ିକ ସେଠାରେ କହୁଥିଲି । କିନ୍ତୁ ଗପ ଶୁଣିବାବେଳେ ସେହି ପିଲାଙ୍କ ମୁହଁରେ ମୁଁ ଯେଉଁ ଖୁସି ଦେଖିଲି, ଯେଉଁ ହସ ଦେଖିଲି, ଯେଉଁ ଆନନ୍ଦ ଦେଖିଲି, ତାକୁ ଦେଖିକରି ମୁଁ ମନେମନେ ସ୍ଥିର କରିନେଇଥିଲି ଯେ ଗପ କହିବା ମୋ ଜୀବନର ଗୋଟିଏ ଲକ୍ଷ୍ୟ ହେବ ।

ପ୍ରଧାନମନ୍ତ୍ରୀ       :      ଆପଣଙ୍କ ଟିମ୍ରେ ସେଠି ଆଉ କିଏ ଅଛନ୍ତି ?

ଅପର୍ଣ୍ଣା            :      ଆଜ୍ଞା, ମୋ ସହିତ ଅଛନ୍ତି ଶୈଳଜା ସମ୍ପତ୍ ।

ଶୈଳଜା           :      ସାର୍ ନମସ୍କାର ।

ପ୍ରଧାନମନ୍ତ୍ରୀ       :      ଆଜ୍ଞା ନମସ୍କାର ।

ଶୈଳଜା           :      ମୁଁ ଶୈଳଜା ସମ୍ପତ୍ କହୁଛି । ପ୍ରଥମେ ମୁଁ ଜଣେ ଶିକ୍ଷୟିତ୍ରୀ ଥିଲି । ମୋ ପିଲାମାନେ ବଡ଼ ହେବାପରେ ମୁଁ ଥିଏଟରରେ କାମ କରିବା ଆରମ୍ଭ କଲି । କିନ୍ତୁ ଶେଷରେ କାହାଣୀ କହିବାରେ ହିଁ ସବୁଠୁ ବେଶୀ ଆତ୍ମତୃପ୍ତି ମିଳିଲା ।

ପ୍ରଧାନମନ୍ତ୍ରୀ       :      ଧନ୍ୟବାଦ ।

ଶୈଳଜା           :      ମୋ ସହିତ ସୌମ୍ୟା ଅଛନ୍ତି ।

ସୌମ୍ୟା           :      ସାର୍ ନମସ୍କାର  ।

ପ୍ରଧାନମନ୍ତ୍ରୀ       :      ଆଜ୍ଞା ନମସ୍କାର ।

ସୌମ୍ୟା           :      ମୁଁ ସୌମ୍ୟା ଶ୍ରୀନିବାସନ୍ । ମୁଁ ଜଣେ ମନସ୍ତତ୍ୱବିତ୍ । ମୁଁ ଯେତେବେଳେ ପିଲା ଏବଂ ବଡ଼ମାନଙ୍କ ସହିତ କାମ କରେ ସେତେବେଳେ ମୁଁ ଗପ ମାଧ୍ୟମରେ ମଣିଷ ମନରେ ନବରସର ସୃଷ୍ଟି ପାଇଁ ଉଦ୍ୟମ କରେ ଆଉ, ସେମାନଙ୍କ ସହ ଆଲୋଚନା ମଧ୍ୟ କରେ । Healing and transformative storytelling ହେଉଛି ମୋର ଲକ୍ଷ୍ୟ ।

ଅପର୍ଣ୍ଣା            :      ସାର୍ ନମସ୍କାର  ।

ପ୍ରଧାନମନ୍ତ୍ରୀ       :      ଆଜ୍ଞା ନମସ୍କାର ।

ଅପର୍ଣ୍ଣା            :      ମୋ ନାଁ ଅପର୍ଣ୍ଣା ଜୟଶଙ୍କର । ମୋର ସୌଭାଗ୍ୟ ମୁଁ ମୋ ଜେଜେମା’ ଏବଂ ଅଜା ଆଈଙ୍କ ସହିତ ଏହି ଦେଶର ବିଭିନ୍ନ ଅଂଚଳରେ ବଢ଼ିଛି । ତେଣୁ ରାମାୟଣ, ପୁରାଣ ଆଉ ଗୀତାର କାହାଣୀମାନ ମୋତେ ସବୁଦିନ ରାତିରେ ଶୁଣିବାକୁ ମିଳୁଥିଲା । ଆଉ Bangalore Story telling society ଭଳି ସଂସ୍ଥା ଯେହେତୁ ରହିଛି, ତେଣୁ ମୁଁ ଜଣେ ଷ୍ଟୋରି ଟେଲର ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା । ମୋ ସହିତ ମୋ ସହକର୍ମୀ ଲାବଣ୍ୟା ପ୍ରସାଦ ଅଛନ୍ତି ।

ପ୍ରଧାନମନ୍ତ୍ରୀ       :      ଲାବଣ୍ୟାଜୀ ନମସ୍କାର ।

ଲାବଣ୍ୟା          :      ଆଜ୍ଞା ନମସ୍କାର । ମୁଁ ଇଲେକ୍ଟ୍ରିକାଲ୍ ଇଂଜିନିୟରରୁ ଜଣେ ପେଶାଦାର ଷ୍ଟୋରି ଟେଲର ପାଲଟିଯାଇଛି । ମୁଁ ମୋ ଜେଜେବାପାଙ୍କଠୁ ଗପ ଶୁଣି ଶୁଣି ବଡ଼ ହେଇଛି । ମୁଁ ବରିଷ୍ଠ ନାଗରିକମାନଙ୍କ ସହିତ କାମ କରୁଛି । ରୁଟ୍ସ ନାମକ ମୋର ଗୋଟିଏ ବିଶେଷ ପ୍ରକଳ୍ପ ଜରିଆରେ ମୁଁ ସେମାନଙ୍କୁ ତାଙ୍କ ପରିବାର ପାଇଁ ନିଜ ନିଜର କାହାଣୀ ସବୁକୁ ଲିପିବଦ୍ଧ କରିବା ନିମନ୍ତେ ସାହାଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ       :      ଲାବଣ୍ୟାଜୀ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ଆପଣ ଯାହା କହିଲେ, ମୁଁ ମଧ୍ୟ ଆଗରୁ ଥରେ ‘ମନ କି ବାତ୍’ରେ ସମସ୍ତଙ୍କୁ କହିଥିଲି ଯେ, ଯଦି ଆପଣଙ୍କ ପରିବାରରେ ନିଜର ଜେଜେବାପା, ଜେଜେମା, ଅଜା ଆଈ ଅଛନ୍ତି ତାହାଲେ ସେମାନଙ୍କୁ ତାଙ୍କ ପିଲାଦିନ କଥା ପଚାରନ୍ତୁ ଆଉ ତାକୁ ରେକର୍ଡ଼ କରିନିଅନ୍ତୁ । ତାହା ଆପଣଙ୍କ ବହୁତ କାମରେ ଲାଗିବ – ଏ କଥା ମୁଁ କହିଥିଲି । ଆପଣମାନେ ନିଜର ପରିଚୟ ପ୍ରଦାନ କରିଥିବାରୁ, ନିଜ କଳା, ନିଜର ଉପସ୍ଥାପନା ଶୈଳୀ ଆଉ ଖୁବ କମ ଶବ୍ଦରେ ଉତମ ଭାବେ ଆପଣମାନେ ନିଜର ପରିଚୟ ପ୍ରଦାନ କରିଥିବାରୁ ମୁଁ ମଧ୍ୟ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଲାବଣ୍ୟା          :      ଧନ୍ୟବାଦ ସାର

ପ୍ରଧାନମନ୍ତ୍ରୀ       :      ତେବେ ଏଥର ଆମର ‘ମନ କି ବାତ’ର ଶ୍ରୋତାମାନଙ୍କର ମଧ୍ୟ ଇଚ୍ଛା ହେଉଥିବ ଗପ ଶୁଣିବାକୁ । ଆପଣମାନଙ୍କୁ ଗୋଟିଏ ଦୁଇଟି ଗପ ଶୁଣାଇବାକୁ ଅନୁରୋଧ କରିପାରେ କି ?

ସମବେତ ସ୍ୱରରେ : ଆଜ୍ଞା ନିଶ୍ଚିତ ରୂପେ । ଇଏ ତ ଆମ ସୌଭାଗ୍ୟ । ଆସନ୍ତୁ ଏଥର ଶୁଣିବା ଜଣେ ରାଜାଙ୍କ କାହାଣୀ । ରାଜାଙ୍କ ନାମ ଥିଲା କୃଷ୍ଣଦେବ ରାୟ ଓ ରାଜ୍ୟର ନାମ ଥିଲା ବିଜୟନଗର । ରାଜା ଥିଲେ ଖୁବ୍ ଗୁଣବାନ । ତାଙ୍କର ଦୁର୍ବଳତା ଭିତରେ ଥିଲା କେବଳ ଦୁଇଟି କଥା – ପ୍ରଥମଟି ନିଜ ମନ୍ତ୍ରୀ ତେନାଲୀ ରାମାକୁ ବେଶୀ ଭଲ ପାଇବା ଓ ଦ୍ୱିତୀୟରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା । ରାଜା ପ୍ରତିଦିନ ଦ୍ୱିପହରରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଆଶାରେ ଭୋଜନ ପାଇଁ ବସୁଥିଲେ । କିନ୍ତୁ ପ୍ରତିଦିନ ତାଙ୍କ ରୋଷେଇୟା ତାଙ୍କୁ ସେହି ସ୍ୱାଦହୀନ ତରକାରୀ ଖୁଆଉଥିଲେ । ଜହ୍ନି, ଲାଉ, କଖାରୁ – ଓଃ… । ଦିନେ ରାଗିଯାଇ ରାଜା ନିଜର ଥାଳିକୁ ଫୋପାଡ଼ିଦେଲେ । ରାଗରେ ସେ ତାଙ୍କ ରୋଷେଇୟାକୁ କହିଲେ – କାଲି କିଛି ସୁସ୍ୱାଦୁ ତରକାରି ରାନ୍ଧିବ ନ ହେଲେ ତୁମକୁ ଶୁଳିରେ ଚଢ଼େଇଦେବି । ବିଚରା ରୋଷେଇୟା ଡରିଗଲା । ସେ ନୂଆ ପରିବା ଆଣିବ ବା କେଉଁଠୁ? ରୋଷେଇୟା ସିଧା ଦଉଡ଼ିଗଲା ତେନାଲୀ ରାମାଙ୍କ ପାଖକୁ ଆଉ ତାଙ୍କୁ ସବୁ କଥା କହିଲା । ତା କଥା ଶୁଣି ତେନାଲି ରାମା ରୋଷେଇୟାକୁ ଗୋଟିଏ ଉପାୟ ବତାଇଲେ । ପରଦିନ ରାଜା ଭୋଜନ ସମୟରେ ଆସି ପହଂଚିଲେ ଓ ରୋଷେଇୟାକୁ ଡାକ ପକାଇଲେ । ପଚାରିଲେ – ଆଜି କିଛି ଭଲ ରାନ୍ଧିଛ ନା ତମ ପାଇଁ ଶୁଳି ପ୍ରସ୍ତୁତ କରିବି? ଭୟଭୀତ ରୋଷେଇୟା ସଙ୍ଗେ ସଙ୍ଗେ ଥାଳିରେ ଖାଦ୍ୟ ପରଷିଦେଲା । ଥାଳିରେ ନୂଆ ପ୍ରକାର ତରକାରୀ ଥିଲା । ରାଜା ଉତ୍ସାହିତ ହେଲେ ଆଉ ଟିକିଏ ତରକାରୀ ଚାଖିଲେ । ଆରେ ବାଃ .. କି ବଢ଼ିଆ ହେଇଛି! ନା ଜହ୍ନି ଭଳିଆ ଫିକା ନା କଖାରୁ ଭଳି ମିଠା । ରୋଷେଇୟା ପକାଇଥିବା ସବୁ ପ୍ରକାର ମସଲା ଖୁବ ଭଲଭାବେ ମିଶିଯାଇଥିଲା । ଆଙ୍ଗୁଠି ଚାଟୁ ଚାଟୁ ସନ୍ତୁଷ୍ଟ ରାଜା ରୋଷେଇୟାକୁ ଡାକି ପଚାରିଲେ – ସେଇଟା କି ତରକାରି ଥିଲା? ସେ ତରକାରୀର ନାଁ କ’ଣ? ଶିଖାଯାଇଥିବା ଅନୁସାରେ ରୋଷେଇୟା ଉତର ଦେଲା – ମହାରାଜ, ଇଏ ମୁକୁଟଧାରୀ ବାଇଗଣ । ପ୍ରଭୁ, ଠିକ ଆପଣଙ୍କ ଭଳି ଇଏ ବି ପରିବା ଭିତରେ ରାଜା । ସେଇଥିପାଇଁ ଅନ୍ୟ ପରିବାମାନେ ବାଇଗଣକୁ ମୁକୁଟ ପିନ୍ଧାଇଛନ୍ତି । ଖୁସି ହୋଇ ରାଜା କହିଲେ – ଆଜିଠୁ ଆମେ ମୁକୁଟଧାରୀ ବାଇଗଣ ଖାଇବୁ । ଆଉ କେବଳ ଆମେ ନୁହେଁ, ଆମ ରାଜ୍ୟର ସମସ୍ତେ ଏହା ଖାଇବେ । ଆମ ରାଜ୍ୟରେ ଏହି ବାଇଗଣ ଛଡ଼ା ଆଉ କୌଣସି ତରକାରୀ ରନ୍ଧା ହେବନି । ରାଜା ଓ ପ୍ରଜା ଉଭୟେ ଖୁସି ଥିଲେ । ପ୍ରଥମେ ସେମାନେ ଖୁସି ଥିଲେ କାରଣ ସେମାନେ ଗୋଟିଏ ନୂଆ ପରିବା ପାଇଥିଲେ । କିନ୍ତୁ ଦିନ ବିତିବା ସାଙ୍ଗକୁ ସେଥିରେ ବ୍ୟତିକ୍ରମ ଦେଖାଗଲା । ଗୋଟିଏ ଘରେ ବାଇଗଣ ଭର୍ତା ତ ଆଉ ଗୋଟିଏ ଘରେ ବାଇଗଣ ଭଜା । ଜଣକ ଘରେ କତା ସମ୍ବର ତ ଅନ୍ୟ ଜଣକ ଘରେ ୱାଂଗି ଭାତ । ବିଚରା ବାଇଗଣଟି କେତେ ରୂପ ଧାରଣ କରିଥାନ୍ତା? ଧିରେ ଧିରେ ରାଜା ମଧ୍ୟ ବିରକ୍ତ ହୋଇଗଲେ । ସବୁଦିନ ସେଇ ଏକା ବାଇଗଣ! ଏମିତି ଦିନ ଆସିଲା ଯେ ରାଜା ରୋଷେଇୟାକୁ ଡାକି ଖୁବ ବିରକ୍ତି ପ୍ରକାଶ କଲେ । ପଚାରିଲେ – ବାଇଗଣ ମୁଣ୍ଡରେ ମୁକୁଟ ଅଛି ବୋଲି ତୁମକୁ କିଏ କହିଲା? ଆମ ରାଜ୍ୟରେ ଆଜିଠୁ କେହି ବାଇଗଣ ଖାଇବେ ନାହିଁ । କାଲିଠୁ ଆଉ ଯାହାକିଛି ତରକାରୀ କରିବ କିନ୍ତୁ ବାଇଗଣ ତରକାରି କରିବନି । ଯଥାଜ୍ଞା ମହାରାଜ କହି ରୋଷେଇୟା ସିଧା ତେନାଲୀ ରାମା ପାଖକୁ ଗଲା । ତାଙ୍କ ଗୋଡ଼ ଧରି କହିଲା – ମନ୍ତ୍ରୀ ମହୋଦୟ, ଧନ୍ୟବାଦ । ଆପଣ ମୋ ଜୀବନ ବଞ୍ଚାଇଦେଲେ । ଆପଣଙ୍କ ପରାମର୍ଶ ଅନୁସାରେ ଏଥର ମୁଁ ଅନ୍ୟ ତରକାରୀ ମଧ୍ୟ ରାନ୍ଧି ରାଜାଙ୍କୁ ଖୁଆଇପାରେ । ତେନାଲୀ ରାମା ହସି ହସି କହିଲେ –ଯିଏ ରାଜାଙ୍କୁ ଖୁସି ନ ରଖିପାରେ ସିଏ କି ମନ୍ତ୍ରୀ? ଏହିଭଳି କୃଷ୍ଣଦେବ ରାୟ ଓ ତେନାଲୀ ରାମାଙ୍କ ନୂଆ ନୂଆ ଗପ ସୃଷ୍ଟି ହେଇ ଚାଲିଲା ଓ ଲୋକ ଶୁଣି ଚାଲିଲେ … ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ       :      ଆପଣଙ୍କ କଥାରେ ଏତେ ସରଳତା ଥିଲା, ଏତେ ନିଖୁଣତା ଥିଲା ଯେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଯିଏ ବି ତାକୁ ଶୁଣିବେ, ନିଶ୍ଚୟ ମନେ ରଖିବେ । ଆପଣ ଖୁବ ଭଲ ଢଙ୍ଗରେ ଏହାକୁ ପରିବେଷଣ କଲେ ଆଉ ବିଶେଷ ସଂଯୋଗ ଯେ ଦେଶରେ ଏବେ ପୋଷଣ ମାସ ଚାଲିଛି । ଆଉ ଆପଣଙ୍କ କାହାଣୀଟି ମଧ୍ୟ ଭୋଜନ ସହ ସର୍ମ୍ପକିତ ।

ଆପଣମାନେ ଯେଉଁମାନେ ଏହି କାହାଣୀ କହିବାର କାର୍ଯ୍ୟ କରୁଛନ୍ତି, ଆପଣଙ୍କୁ ଦେଖିବାକୁ ପଡ଼ିବ କିଭଳି ଆମେ ଆମର ନୂତନ ପିଢ଼ିକୁ ଆମର ମହାପୁରୁଷ, ମହୀୟସୀ ମହିଳାମାନଙ୍କ କଥା କାହାଣୀ ଆକାରରେ କହିପାରିବା! ଆମେ କଥାଶାସ୍ତ୍ରର କିଭଳି ଅଧିକ ପ୍ରଚାର କରିବା, ଏହାକୁ ଜନପ୍ରିୟ କରିବା ଏବଂ ପ୍ରତ୍ୟେକ ଘରେ ପିଲାଙ୍କୁ ଭଲ କାହାଣୀ କହିବା ଓ ଶୁଣାଇବା ତାହା ମଧ୍ୟ ଗୋଟିଏ ବହୁତ ବଡ଼ କାମ ହେବ । ଏଭଳି ପରିବେଶ ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ ମିଶି କାମ କରିବା ଉଚିତ । ଆପଣମାନଙ୍କ ସହିତ କଥା ହୋଇ ମୋତେ ଖୁବ ଭଲ ଲାଗିଲା । ମୁଁ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି । ଧନ୍ୟବାଦ ।

ସମବେତ ସ୍ୱର   :      ଧନ୍ୟବାଦ ସାର୍ ।

କାହାଣୀ ମାଧ୍ୟମରେ ସଂସ୍କାର-ସରିତାକୁ ଆଗେଇ ନେଉଥିବା ଏହି ଭଉଣୀମାନଙ୍କ କଥା ଆମେ ଶୁଣିଲୁ । ମୁଁ ଯେତେବେଳେ ଫୋନରେ ସେମାନଙ୍କ ସହ କଥା ହେଉଥିଲି, ତାହା ଏତେ ଲମ୍ବା ସମୟ ଧରି ହୋଇଥିଲା ଯାହା ‘ମନ କି ବାତ୍’ର ସମୟ ସୀମାକୁ ଟପିଯାଇପାରେ ବୋଲି ମୁଁ ଅନୁଭବ କଲି । ତେଣୁ ତାଙ୍କ ସହ ହୋଇଥିଲା ମୋର ସମ୍ପୂର୍ଣ୍ଣ ବାର୍ତାଳାପକୁ ମୁଁ ମୋର ନରେନ୍ଦ୍ର ମୋଦୀ ଆପ୍ ରେ ଅପ୍ଲୋଡ କରିବି । ସମ୍ପୂର୍ଣ୍ଣ ବାର୍ତ୍ତାଳାପକୁ ଆପଣ ନିଶ୍ଚୟ ଶୁଣିବେ । ଏଇ ‘ମନ କି ବାତ୍’ରେ ମୁଁ କେବଳ ଏହାର ଗୋଟିଏ ଛୋଟ ଅଂଶ ହିଁ ଆପଣମାନଙ୍କୁ ଶୁଣାଇଛି । ପରିବାରରେ ପ୍ରତି ସପ୍ତାହରେ କାହାଣୀ ପାଇଁ କିଛି ସମୟ ବାହାର କରିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ଏ କଥା ମଧ୍ୟ କରିପାରନ୍ତି ଯେ, ପରିବାରର ପ୍ରତ୍ୟେକ ସଭ୍ୟଙ୍କୁ ପ୍ରତି ସପ୍ତାହରେ ଗୋଟିଏ ବିଷୟ ଦେଇ, ଯେମିତିକି କରୁଣା, ସମ୍ବେଦନଶୀଳତା, ପରାକ୍ରମ, ତ୍ୟାଗ, ଶୌର୍ଯ୍ୟ – କୌଣସି ଗୋଟିଏ ବିଷୟକୁ ନେଇ ପରିବାରର ସମସ୍ତ ସଦସ୍ୟ ସେହି ସପ୍ତାହରେ ସେହି ବିଷୟ ଉପରେ କାହାଣୀ ଖୋଜି ପ୍ରତ୍ୟେକେ ଗୋଟିଏ ଗୋଟିଏ କାହାଣୀ କହିବେ ।

ଆପଣ ଦେଖନ୍ତୁ, ପରିବାରରେ କେତେବଡ଼ ଭଣ୍ଡାର ହୋଇଯିବ, ଗବେଷଣାର କେତେ ବଢ଼ିଆ କାମ ହୋଇଯିବ, ସମସ୍ତଙ୍କୁ କେତେ ଆନନ୍ଦ ଲାଗିବ ଏବଂ ପରିବାରରେ ଗୋଟିଏ ନୂଆ ପ୍ରାଣ, ନୂଆ ଶକ୍ତି ଆସିବ- ସେହିଭଳି ଆମେ ଆଉ ଗୋଟିଏ କାମ ମଧ୍ୟ କରିପାରିବା । ମୁଁ ଗଳ୍ପ ଶୁଣାଉଥିବା ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛୁ; ଆମେ କ’ଣ ଆମ ଗପମାନଙ୍କରେ ପରାଧୀନ ସମୟର ଯେତେ ପ୍ରେରଣାଦାୟକ କାହାଣୀ ଅଛି, ସେଗୁଡ଼ିକୁ ଗପ ଆକାରରେ ପ୍ରଚାର କରିପାରିବା! ବିଶେଷକରି 1857ରୁ 1947 ପର୍ଯ୍ୟନ୍ତ, ପ୍ରତ୍ୟେକ ଛୋଟମୋଟ ଘଟଣାକୁ ଏବେ ଆମର ନୂଆପିଢ଼ିକୁ କାହାଣୀ ମାଧ୍ୟମରେ ପରିଚିତ କରାଇପାରିବା । ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚିତ ଭାବେ ଏହି କାମ କରିବେ । କାହାଣୀ କହିବାର ଏହି କଳା ଦେଶରେ ଆହୁରି ଅଧିକ ମଜଭୁତ ହେଉ ଓ ଅଧିକ ପ୍ରଚାରପ୍ରସାର ହେଉ ଏବଂ ସହଜ ହେଉ, ସେଥିପାଇଁ ଆସନ୍ତୁ ଆମେ ସମସ୍ତେ ଚେଷ୍ଟା କରିବା ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ କାହାଣୀର ଦୁନିଆରୁ ଆମେ ଏବେ ସାତ ସମୁଦ୍ର ପାରହୋଇ ସେପଟର ଏକ ସ୍ୱର ଶୁଣିବା!

“ନମସ୍ତେ, ଭାଇ ଓ ଭଉଣୀମାନେ, ମୋର ନାଁ ସେଦୁ ଦେମବେଲେ । ପଶ୍ଚିମ ଆଫ୍ରିକାର ଏକ ଦେଶ ମାଲିରେ ମୋର ଘର । ମୋତେ ଫେବୃଆରୀ ମାସରେ ଭାରତ ଭ୍ରମଣବେଳେ ସବୁଠୁ ବଡ଼ ଉତ୍ସବ କୁମ୍ଭମେଳାକୁ ଯିବାର ସୁଯୋଗ ମିଳିଥିଲା । ମୋ ପାଇଁ ଏହା ବହୁତ ଗର୍ବର କଥା । କୁମ୍ଭମେଳାକୁ ଯାଇ ମୋତେ ବହୁତ ଭଲ ଲାଗିଲା ଓ ଭାରତର ସଂସ୍କୃତିକୁ ଦେଖି ବହୁତ କିଛି ଶିଖିବାକୁ ମିଳିଲା । ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଆମକୁ ଆଉଥରେ ଭାରତ ଭ୍ରମଣରେ ଯିବାକୁ ସୁଯୋଗ ଦିଆଯାଉ, ଯେପରିକି ଆମେ ଭାରତ ସମ୍ପର୍କରେ ଆହୁରି ଅଧିକ କିଛି ଶିଖିପାରିବୁ । ନମସ୍ତେ ।’’

ପ୍ରଧାନମନ୍ତ୍ରୀ : ଖୁବ୍ ମଜାଦାର ନା! ଇଏ ଥିଲେ ମାଲିର ସେଦୁ ଦେମବେଲେ । ମାଲି ଭାରତରୁ ଅନେକ ଦୂର ପଶ୍ଚିମ ଆଫ୍ରିକାର ଏକ ବଡ଼ ଏବଂ Land locked ଦେଶ । ସେଦୁ ଦେମବେଲେ ମାଲିର ଗୋଟିଏ ସହର କିଟାରେ ଏକ ଘରୋଇ ସ୍କୁଲରେ ଶିକ୍ଷକ ଅଛନ୍ତି । ସେ ପିଲାଙ୍କୁ ଇଂରେଜୀ, ସଂଗୀତ, ଚିତ୍ରକଳା ପଢ଼ାନ୍ତି, ଶିଖାନ୍ତି; କିନ୍ତୁ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି- ଲୋକେ ତାଙ୍କୁ ମାଲିର ‘ହିନ୍ଦୁସ୍ତାନ କା ବାବୁ’ କହନ୍ତି ଏବଂ ଏପରି କୁହାଯିବାରେ ବହୁତ ଗର୍ବ ଅନୁଭବ କରନ୍ତି । ପ୍ରତ୍ୟେକ ରବିବାର ଅପରାହ୍ଣରେ ସେ ମାଲିରେ ଏକ ଘଂଟାର ରେଡିଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି । ଏହି କାର୍ଯ୍ୟକ୍ରମର ନାଁ Indian Frequency on Bollywood Songs । ଏହାକୁ ସେ ଗତ 23 ବର୍ଷ ଧରି ପ୍ରସ୍ତୁତ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଫରାସୀ ସହିତ ମାଲିର ଲୋକଭାଷା ‘ବମବାରା’ରେ ବି ଖୁବ୍ ନାଟକୀୟ ଢଙ୍ଗରେ ଉପସ୍ଥାପନା କରନ୍ତି । ଭାରତ ପ୍ରତି ତାଙ୍କ ମନରେ ଅଗାଧ ପ୍ରେମ ରହିଛି । ଭାରତ ସହ ତାଙ୍କର ଗଭୀର ସମ୍ପର୍କର ଆଉ ଏକ କାରଣ ହେଉଛି ତାଙ୍କ ଜନ୍ମ 15 ଅଗଷ୍ଟରେ ହୋଇଥିଲା । ସେଦୁ ଜୀ ଆଉ ଏକ ଦୁଇ ଘଣ୍ଟିଆ କାର୍ଯ୍ୟକ୍ରମ ଏବେ ପ୍ରତ୍ୟେକ ରବିବାର ରାତି 9ଟାରେ ଆରମ୍ଭ କରିଛନ୍ତି; ଏଥିରେ ସେ ଗୋଟିଏ ବଲିଉଡ଼ ଚଳଚ୍ଚିତ୍ରର ସଂପୂର୍ଣ୍ଣ କାହାଣୀ ଫରାସୀ ଓ ବମବାରା ଭାଷାରେ ଶୁଣାଇଥାନ୍ତି । ବେଳେବେଳେ ସେ କୌଣସି ଭାବପ୍ରବଣ ଦୃଶ୍ୟ ସମ୍ପର୍କରେ କହୁଥିବା ସମୟରେ ନିଜେ ମଧ୍ୟ ଏବଂ ତାଙ୍କର ଶ୍ରୋତା ମଧ୍ୟ ଏକାସାଂଗେ କାନ୍ଦିପକାନ୍ତି । ସେଦୁ ଜୀଙ୍କ ବାପା ହିଁ ତାଙ୍କୁ ଭାରତୀୟ ସଂସ୍କୃତି ସହ ତାଙ୍କର ପରିଚୟ କରାଇଥିଲେ । ତାଙ୍କ ବାପା ଚଳଚ୍ଚିତ୍ର ଏବଂ ମଂଚନାଟକରେ କାମ କରୁଥିଲେ ଓ ସେଠାରେ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେଉଥିଲା । ଏ ବର୍ଷ 15 ଅଗଷ୍ଟରେ ସେ ହିନ୍ଦୀରେ ଗୋଟିଏ ଭିଡିଓ ମାଧ୍ୟମରେ ଭାରତର ଲୋକଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଥିଲେ । ଆଜି ତାଙ୍କର ପିଲାମାନେ ଭାରତର ଜାତୀୟ ସଂଗୀତକୁ ସହଜରେ ଗାଆନ୍ତି । ଆପଣ ଏହି ଦୁଇଟି ଭିଡିଓ ନିଶ୍ଚିତ ଦେଖନ୍ତୁ ଏବଂ ତାଙ୍କର ଭାରତପ୍ରେମକୁ ଅନୁଭବ କରନ୍ତୁ । ସେଦୁ ଜୀ ଯେତେବେଳେ କୁମ୍ଭମେଳାକୁ ଆସିଥିଲେ ସେତେବେଳେ ସେ ସେହି ପ୍ରତିନିଧିଦଳର ଜଣେ ଥିଲେ, ଯାହାଙ୍କୁ ମୁଁ ଭେଟିଥିଲି । ଭାରତ ପାଇଁ ତାଙ୍କର ଏହିଭଳି ଆବେଗ, ସ୍ନେହ ଓ ଭଲ ପାଇବା ପ୍ରକୃତରେ ଆମପାଇଁ ଗର୍ବର ବିଷୟ ।

ମୋର ପ୍ରିୟ ଦେଶବାସୀଗଣ, ଆମର ଏଠି କୁହାଯାଏ ଯେ ମାଟି ସହ ଯିଏ ଯେତିକି ଜଡ଼ିତ ହୋଇ ରହିଥାଏ ସେ ବଡ଼ବଡ଼ ଝଡ଼ରେ ମଧ୍ୟ ଅଟଳ ରହିଥାଏ । କରୋନାର ଏହି କଠିନ ସମୟରେ ଆମର କୃଷିକ୍ଷେତ୍ର, ଆମର କୃଷକ ଏହାର ଜୀବନ୍ତ ଉଦାହରଣ । ଏହି ସଂକଟକାଳରେ ମଧ୍ୟ ଆମ ଦେଶର କୃଷିକ୍ଷେତ୍ର ନିଜର ଶକ୍ତି ଦେଖାଇଛି । ବନ୍ଧୁଗଣ, ଦେଶର କୃଷିକ୍ଷେତ୍ର, ଆମର କୃଷକ, ଆମର ଗାଁ, ଆତ୍ମନିର୍ଭର ଭାରତର ଆଧାର । ଏହା ମଜଭୁତ ହେଲେ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ମଜଭୁତ ହେବ । ବିଗତ କିଛି ଦିନରେ ଏହି କ୍ଷେତ୍ରଟି ନିଜକୁ ଅନେକ ବନ୍ଧନରୁ ମୁକ୍ତ କରିଛି, ଅନେକ କଥନକୁ ଭାଂଗିବାର ପ୍ରୟାସ କରିଛି । ମୋତେ ଅନେକ ଚାଷୀଙ୍କର ଚିଠି ମିଳେ, ଚାଷୀ ସଂଗଠନ ସହ ମୋର ଆଲୋଚନା ହୁଏ, ଯେଉଁମାନେ କହନ୍ତି କିପରି ଚାଷ ସହ ନୂଆନୂଆ କଥା ଯୋଡ଼ି ହେଉଛି, କିପରି କୃଷିରେ ପରିବର୍ତ୍ତନ ଆସୁଛି । ଯାହା ମୁଁ ତାଙ୍କଠାରୁ ଶୁଣିଛି, ଯାହା ଅନ୍ୟମାନଙ୍କଠାରୁ ଶୁଣିଛି, ଆଜି ‘ମନ କୀ ବାତ୍’ରେ ସେହି କୃଷକମାନଙ୍କର କିଛି କଥା ନିଶ୍ଚୟ ଆପଣମାନଙ୍କୁ ଶୁଣାଉଛି । ହରିୟାଣାର ସୋନିପତ ଜିଲ୍ଲାରେ ଆମର ଜଣେ ଚାଷୀଭାଇ ରହନ୍ତି ଯାହାଙ୍କ ନାମ ଶ୍ରୀ କଁୱର୍ ଚୌହାନ । ସେ କହିଥିଲେ ଯେ ଦିନ ଥିଲା କେମିତି ତାଙ୍କୁ ମଣ୍ଡି ବାହାରେ ନିଜର ଫଳ ଓ ପନିପରିବା ବିକିବା ପାଇଁ ବହୁତ ଅସୁବିଧା ହେଉଥିଲା । ଯଦି ସେ ମଣ୍ଡି ବାହାରେ ନିଜର ଫଳ ଓ ପନିପରିବା ବିକୁଥିଲେ, ଅନେକ ଥର ତାଙ୍କର ଫଳ, ପନିପରିବା, ଗାଡ଼ି ପର୍ଯ୍ୟନ୍ତ ଜବତ ହେଉଥିଲା । କିନ୍ତୁ 2014ରେ ଫଳ ଓ ପନିପରିବାକୁ ଏପିଏମସି ବିଧେୟକରୁ ବାହାର କରିଦିଆଗଲା । ଏହାଦ୍ୱାରା ତାଙ୍କୁ ଓ ତାଙ୍କର ଚାଷୀବନ୍ଧୁମାନଙ୍କୁ ବହୁତ ଲାଭ ହେଲା । ଚାରିବର୍ଷ ପୂର୍ବରୁ ସେ ନିଜ ଗାଁର ଚାଷୀ ବନ୍ଧୁମାନଙ୍କ ସହ ମିଶି ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଗଢ଼ିଲେ । ଆଜି ଗାଁର ଚାଷୀମାନେ ମିଠା ମକା ଏବଂ ବେବି କର୍ନ ଚାଷ କରୁଛନ୍ତି । ତାଙ୍କ ଉତ୍ପାଦ ଆଜି ଦିଲ୍ଲୀର ଆଜାଦପୁର ମଣ୍ଡି, ବଡ଼ବଡ଼ ବ୍ୟବସାୟ ଚେନ ତଥା ପଞ୍ଚତାରକା ହୋଟେଲଗୁଡ଼ିକୁ ସିଧାସଳଖ ଯୋଗାଣ ହେଉଛି । ଆଜି ଗାଁର ଚାଷୀମାନେ ମିଠା ମକା  ବେବି କର୍ନ ଚାଷରୁ ପ୍ରତିବର୍ଷ ଏକର ପିଛା ଅଢ଼େଇରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଗାଁର 60ରୁ ଅଧିକ ଚାଷୀ Net House ତିଆରି କରି, Poly House ତିଆରି କରି ଟମାଟୋ, କାକୁଡ଼ି, କ୍ୟାପ୍ସିକମ୍, ଏସବୁର ଭିନ୍ନ ଭିନ୍ନ କିସମ ଉତ୍ପାଦନ କରି ପ୍ରତିବର୍ଷ ଏକର ପିଛା 10ରୁ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ଜାଣନ୍ତି, ଏହି ଚାଷୀଙ୍କ ପାଖରେ ଅଲଗା କ’ଣ ଅଛି! ନିଜ ଫଳ-ପନିପରିବାକୁ କେଉଁଠି ମଧ୍ୟ, କାହାକୁ ମଧ୍ୟ ବିକିବାର ଶକ୍ତି ଅଛି ଏବଂ ଏହି ଶକ୍ତି ହିଁ ସେମାନଙ୍କ ପ୍ରଗତିର ଆଧାର । ଏବେ ଏହି ଶକ୍ତିର ଦେଶର ଅନ୍ୟ କୃଷକମାନଙ୍କୁ ମଧ୍ୟ ମିଳିଛି । କେବଳ ଫଳ-ପନିପରିବା ପାଇଁ ନୁହେଁ, ନିଜ ଖେତରେ ସେମାନେ ଯାହା ଉତ୍ପାଦନ କରୁଛନ୍ତି- ଧାନ, ଗହମ, ସୋରିଷ, ଆଖୁ ଯାହା ବି କରୁଛନ୍ତି ତାକୁ ସେମାନେ ନିଜ ଇଚ୍ଛା ଅନୁସାରେ ଯେଉଁଠି ଅଧିକ ଦାମ୍ ମିଳିବ ସେଇଠି ଏବେ ସେମାନଙ୍କୁ ବିକିବାର ସ୍ୱାଧୀନତା ମିଳିଯାଇଛି ।

ବନ୍ଧୁଗଣ, ତିନି ଚାରି ବର୍ଷ ପୂର୍ବେ ମହାରାଷ୍ଟ୍ରରେ ଫଳ-ପନିପରିବାକୁ ଏପିଏମସି ଅଧୀନରୁ ବାହାରକୁ ଅଣାଯାଇଥିଲା । ଏହି ପରିବର୍ତ୍ତନ କିପରି ମହାରାଷ୍ଟ୍ରରେ ଫଳ ଓ ପନିପରିବା ଚାଷ କରୁଥିବା ଚାଷୀଙ୍କର ସ୍ଥିତିକୁ ବଦଳାଇ ଦେଇଛି, ଏହାର ଉଦାହରଣ ହେଉଚି Sri Swami Samarth Farmer’s Producer Company Limited ଏହା ଚାଷୀମାନଙ୍କର ଏକ ଗୋଷ୍ଠୀ । ପୁଣେ ଓ ମୁମ୍ବାଇରେ ଚାଷୀ ସାପ୍ତାହିକ ବଜାର ନିଜେ ଚଳାଉଛନ୍ତି । ଏହି ବଜାରଗୁଡ଼ିକରେ ପ୍ରାୟ 70 ଗାଁର ସାଢ଼େ ଚାରି ହଜାର ଚାଷୀଙ୍କ ଉତ୍ପାଦ ସିଧାସଳଖ ବିକ୍ରି ହୋଇଥାଏ- କୌଣସି ମଧ୍ୟସ୍ଥ ନଥାନ୍ତି । ଗ୍ରାମ ଯୁବକମାନେ ସିଧା ବଜାରରେ ଚାଷ ଓ ଉତ୍ପାଦ ବିକ୍ରି ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି- ଏହାର ସିଧା ଲାଭ ଚାଷୀଙ୍କୁ ହିଁ ହୋଇଥାଏ; ଗାଁର ଯୁବପିଢ଼ିକୁ ରୋଜଗାର ଦେଇଥାଏ ।

ଆଉ ଗୋଟିଏ ଉଦାହରଣ, ତାମିଲନାଡୁର ଥେନି ଜିଲ୍ଲାର । ଏଇଠି ତାମିଲନାଡୁ କଦଳୀ ଉତ୍ପାଦକ କୃଷକ କମ୍ପାନୀ । ଏହି କୃଷକ କମ୍ପାନୀ କହିବାକୁ ସିନା କମ୍ପାନୀ, ପ୍ରକୃତରେ ଚାଷୀମାନେ ମିଳିମିଶି ନିଜେ ଏହି ଗୋଷ୍ଠୀ ଗଠନ କରିଛନ୍ତି । ଖୁବ୍ ନମନୀୟ ବ୍ୟବସ୍ଥା, ଏବଂ ତାହା ମଧ୍ୟ ପାଞ୍ଚ-ଛଅ ବର୍ଷ ପୂର୍ବେ ସେମାନେ ଗଢ଼ିଛନ୍ତି । ଏହି କୃଷକଗୋଷ୍ଠୀ ଲକ୍ଡାଉନ ସମୟରେ ଆଖପାଖ ଗାଁରୁ ଶହଶହ ମେଟ୍ରିକ୍ ଟନ ପନିପରିବା, ଫଳ ଓ କଦଳୀ କିଣିଥିଲେ ଏବଂ ଚେନ୍ନଇ ସହରକୁ ପନିପରିବା ଏବଂ ଫଳର Combo Kit ଯୋଗାଇଥିଲେ । ଆପଣ ଚିନ୍ତା କରନ୍ତୁ, ସେମାନେ କେତେ ଯୁବକଯୁବତୀଙ୍କୁ ରୋଜଗାର ଦେଇଥିବେ, ଆଉ ମଜାକଥା ହେଲା ଯେ ମଧ୍ୟସ୍ଥ ନଥିବା ଯୋଗୁ ଚାଷୀମାନଙ୍କର ବହୁତ ଲାଭ ହେଲା ଓ ଉପଭୋକ୍ତାଙ୍କୁ ମଧ୍ୟ ଲାଭ ମିଳିଲା । ସେହିପରି ଲକ୍ଷ୍ନୌରେ ମଧ୍ୟ ଏକ କୃଷକ ଗୋଷ୍ଠୀ ରହିଛି । ସେମାନେ ନାଁ ରଖିଛନ୍ତି “ଇରାଦା ଫାର୍ମର ପ୍ରୋଡ୍ୟୁସର୍” । ଏମାନେ ମଧ୍ୟ ଲକଡାଉନ ସମୟରେ ଚାଷୀମାନଙ୍କର ଖେତରୁ ସିଧାସଳଖ ଫଳ ଓ ପନିପରିବା ନେଇଥିଲେ ଓ ସିଧାଯାଇ ଲକ୍ଷ୍ନୌ ବଜାରରେ ବିକିଲେ- ମଧ୍ୟସ୍ଥଙ୍କଠାରୁ ମୁକ୍ତି ମିଳିଲା ଏବଂ ନିଜ ମନ ମୁତାବକ ଦାମ୍ ମଧ୍ୟ ସେମାନେ ପାଇଲେ । ବନ୍ଧୁଗଣ, ଗୁଜରାଟ ବନାସକାଣ୍ଠାର ରାମପୁରା ଗାଁରେ ଇସ୍ମାଇଲ୍ ଭାଇ ନାମକ ଜଣେ ଚାଷୀ ରହନ୍ତି । ତାଙ୍କ କାହାଣୀ ବି ବହୁତ ମଜାଦାର । ଇସ୍ମାଇଲ୍ ଭାଇ ଚାଷ କରିବାକୁ ଚାହୁଁଥିଲେ, କିନ୍ତୁ ଏବେ, ଯେମିତି ଅନ୍ୟମାନେ ଭାବୁଛନ୍ତି ତାଙ୍କ ପରିବାରକୁ ବି ଲାଗୁଥିଲା ଯେ ଇସ୍ମାଇଲ୍ ଭାଇ ଏ କି କଥା କହୁଛନ୍ତି! ଇସ୍ମାଇଲ୍ ଭାଇଙ୍କ ବାପା ଚାଷ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ପ୍ରାୟ କ୍ଷତି ହେଉଥିଲା । ତେଣୁ ବାପା ମନା ମଧ୍ୟ କରିଥିଲେ, କିନ୍ତୁ ପରିବାର ଲୋକଙ୍କ ମନା କରିବା ସତ୍ୱେ ଇସ୍ମାଇଲ୍ ଭାଇ ସ୍ଥିର କଲେ ଯେ ସେ ଚାଷ ହିଁ କରିବେ । ଇସ୍ମାଇଲ୍ ଭାଇ ନିଷ୍ପତ୍ତି କରିସାରିଥିଲେ ଯେ ଯଦି ଚାଷ କ୍ଷତିର ବେଉସା, ତେବେ ସେ ଏହି ଭାବନା ଓ ସ୍ଥିତି, ଦୁଇଟିକୁ ପରିବର୍ତ୍ତନ କରି ଦେଖାଇବେ । ସେ ଚାଷ ଆରମ୍ଭ କଲେ, କିନ୍ତୁ ନୂଆ ପଦ୍ଧତିରେ, ଅଭିନବ ଉପାୟରେ । ସେ ବୁନ୍ଦା ଜଳସେଚନ କରି ଆଳୁଚାଷ ଆରମ୍ଭ କଲେ ଏବଂ ଆଜି ତାଙ୍କର ଆଳୁ ଏକ ପରିଚୟ ସୃଷ୍ଟି କରିଛି । ସେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାର ମାନ ବହୁତ ଭଲ । ଇସ୍ମାଇଲ୍ ଭାଇ ଏହି ଆଳୁକୁ ସିଧା ବଡ଼ବଡ଼ କମ୍ପାନୀକୁ ବିକିଥାନ୍ତି, ମଧ୍ୟସ୍ଥଙ୍କର ନାଁ ଗନ୍ଧ ନଥାଏ ଆଉ ପରିଣାମରେ ବହୁତ ଭଲ ଲାଭ କରୁଛନ୍ତି । ଏବେ ତ ସେ ବାପାଙ୍କର ଋଣ ମଧ୍ୟ ପରିଶୋଧ କରିସାରିଛନ୍ତି ଏବଂ ସବୁଠୁ ବଡ଼ କଥା କ’ଣ ଜାଣନ୍ତି, ଇସ୍ମାଇଲ୍ ଭାଇ ଆଜି ନିଜ ଅଂଚଳର ଶହଶହ ଅନ୍ୟ ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି । ସେମାନଙ୍କର ମଧ୍ୟ ଜୀବନ ପରିବର୍ତ୍ତନ ହେଉଛି ।

ବନ୍ଧୁଗଣ, ଆଜିର ଦିନରେ ଆମେ ଚାଷକୁ ଯେତେ ଆଧୁନିକ ବିକଳ୍ପ ଦେବା, ତାହା ସେତିକି ଆଗକୁ ବଢ଼ିବ, ସେଥିରେ ନୂଆନୂଆ ପଦ୍ଧତି ଆସିବ, ଅଭିନବ ଉପାୟମାନ ଯୋଡ଼ିହେବ । ମଣିପୁରରେ ରହୁଥିବା ବିଜୟଶାନ୍ତି ଏକ ନୂଆ ନବୋନ୍ମେଷ ପାଇଁ ବେଶ୍ ଚର୍ଚାରେ ଅଛନ୍ତି । ସେ ପଦ୍ମନାଡ଼ରୁ ସୂତା ତିଆରି କରିବାର ଷ୍ଟାର୍ଟ ଅପ ଆରମ୍ଭ କରିଛନ୍ତି । ଆଜି ତାଙ୍କର ନବୋନ୍ମେଷ ଯୋଗୁଁ ପଦ୍ମଫୁଲ ଚାଷ ଏବଂ ଟେକ୍ସଟାଇଲରେ ଏକ ନୂତନ ବାଟ ତିଆରି ହୋଇଛି ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ଅତୀତର ଗୋଟିଏ ଘଟଣା ଭିତରକୁ ନେଇଯିବାକୁ ଚାହୁଁଛି । ଶହେ ଏକ ବର୍ଷର ପୁରୁଣା କଥା । 1919 ମସିହା । ଇଂରେଜ ଶାସକ ଜାଲିଆନାୱାଲାବାଗରେ ନିର୍ଦ୍ଦୋଷ ଲୋକଙ୍କର ଗଣସଂହାର କରିଥିଲେ । ଏହି ନରସଂହାର ପରେ ଜଣେ ବାରବର୍ଷର ପିଲା ସେହି ଘଟଣାସ୍ଥଳକୁ ଯାଇଥିଲା । ସେହି ଖୁସମିଜାଜ୍ ଓ ଚପଳ ବାଳକ କିନ୍ତୁ ଜାଲିଆନାୱାଲାବାଗରେ ଯାହା ଦେଖିଲା, ତାହା ତା’ପାଇଁ ଥିଲା ଅଚିନ୍ତନୀୟ । ଏକଥା ଭାବି ସେ ସ୍ତବ୍ଧ ହୋଇଯାଇଥିଲା ଯେ କେହି କ’ଣ ଏତେ ନିର୍ଦ୍ଦୟ ହୋଇପାରେ! ସେହି କୋମଳମତି ବାଳକ କ୍ରୋଧଜର୍ଜରିତ ହୋଇପଡ଼ିଲା । ସେହି ଜାଲିଆନାୱାଲାବାଗରେ ସେ ଇଂରେଜ ଶାସନ ବିରୋଧରେ ଲଢ଼ିବା ପାଇଁ ପ୍ରତିଜ୍ଞା କଲା । ଆପଣ କ’ଣ ଜାଣିପାରିଲେଣି ଯେ ମୁଁ କାହା କଥା କହୁଛି? ହଁ, ମୁଁ ଶହୀଦ ବୀର ଭଗତ ସିଂହଙ୍କ କଥା କହୁଛି । ଆସନ୍ତାକାଲି 28 ସେପ୍ଟେମ୍ବରରେ ଆମେ ଶହୀଦ ବୀର ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବା । ମୁଁ ସମସ୍ତ ଦେଶବାସୀଙ୍କ ସହ ସାହସ ଓ ବୀରତାର ପ୍ରତୀକ ଶହୀଦ ବୀର ଭଗତ ସିଂହଙ୍କୁ ପ୍ରଣିପାତ କରୁଛି । ଆପଣ କ’ଣ କଳ୍ପନା କରିପାରିବେ ଯେ ପୃଥିବୀର ଏତେ ବଡ଼ ଅଂଶରେ ରାଜୁତି କରୁଥିବା ଶାସକ, ଯାହାଙ୍କ ସମ୍ପର୍କରେ କୁହାଯାଉଥିଲା ଯେ ତାଙ୍କ ଶାସନରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ- ଏତେ ଶକ୍ତିଶାଳୀ ଶାସକ ଜଣେ 23 ବର୍ଷର ଯୁବକ ପାଇଁ ଭୟଭୀତ ହୋଇଯାଇଥିଲା । ଶହୀଦ ଭଗତ ସିଂହ ପରାକ୍ରମୀ ହେବା ସହ ବିଦ୍ୱାନ ମଧ୍ୟ ଥିଲେ, ଚିନ୍ତକ ଥିଲେ । ନିଜ ଜୀବନର ଚିନ୍ତା ନକରି ଭଗତ ସିଂହ ଓ ତାଙ୍କ କ୍ରାନ୍ତିବୀର ସାଥୀଗଣ ଏପରି ସାହସିକ କାର୍ଯ୍ୟ କରଥିଲେ, ଯାହାର ଦେଶ ସ୍ୱାଧୀନତାରେ ବହୁତ ବଡ଼ ଯୋଗଦାନ ଥିଲା ।

ବୀର ଭଗତ ସିଂହଙ୍କ ଜୀବନର ଆଉ ଏକ ସୁନ୍ଦର ଦିଗ ହେଉଛି ଯେ ସେ ଏକତା ଶକ୍ତିର ମହତ୍ୱକୁ ଖୁବ୍ ଭଲଭାବେ ବୁଝିଥିଲେ । ଲାଲା ଲାଜପତ ରାୟଙ୍କ ପ୍ରତି ତାଙ୍କର ସମର୍ପଣ ହେଉ ବା ଚନ୍ଦ୍ରଶେଖର ଆଜାଦ, ସୁଖଦେବ, ରାଜଗୁରୁ ସମେତ କ୍ରାନ୍ତିକାରୀମାନଙ୍କ ସହ ତାଙ୍କର ସମ୍ପର୍କ ଅତୁଟ ଥିଲା, ତାଙ୍କ ପାଇଁ କେବେ ବ୍ୟକ୍ତିଗତ ଗୌରବ ମହତ୍ୱପୂର୍ଣ୍ଣ ନଥିଲା । ସେ ଯେପର୍ଯ୍ୟନ୍ତ ଜୀବିତ ଥିଲେ, କେବଳ ଗୋଟିଏ ଲକ୍ଷ୍ୟକୁ ନେଇ ବଂଚିଥିଲେ । ଆଉ ସେଇଥିପାଇଁ ନିଜକୁ ବି ବଳିଦାନ ଦେଇଥିଲେ- ସେହି ଲକ୍ଷ୍ୟ ଥିଲା ଭାରତକୁ ଅନ୍ୟାୟ ଓ ଇଂରେଜ ଶାସନରୁ ମୁକ୍ତ କରିବା । ମୁଁ NaMo Appରେ ହାଇଦ୍ରାରାବାଦର ଅଜୟ ଏସ୍. ଜୀଙ୍କ ଏକ ମନ୍ତବ୍ୟ ପଢ଼ୁଥିଲି । ଅଜୟ ଜୀ ଲେଖିଛନ୍ତି- ଆଜିର ଯୁବପିଢ଼ି କିଭଳି ଭଗତ ସିଂହଙ୍କ ଭଳି ହୋଇପାରିବେ? ଦେଖନ୍ତୁ! ଆମେ ଭଗତ ସିଂହ ହୋଇପାରୁ କି ନହୋଇପାରୁ, କିନ୍ତୁ ଭଗତ ସିଂହଙ୍କ ଭଳି ଦେଶପ୍ରେମ, ଦେଶ ପାଇଁ କିଛି କରିବାର ଆବେଗ, ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଭିତରେ ରହୁ । ଏହା ସହିଦ ଭଗତ ସିଂହଙ୍କ ପ୍ରତି ଆମର ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ । ଚାରିବର୍ଷ ପୂର୍ବେ ପ୍ରାୟ ଏହି ସମୟ ଥିଲା, ଯେତେବେଳେ surgical strike ସମୟରେ ବିଶ୍ୱ ଆମ ଯବାନଙ୍କ ସାହାସ, ଶୌର୍ଯ୍ୟ ଓ ନିର୍ଭୀକତା ଦେଖିଥିଲା । ଆମ ବାହାଦୂର ସୈନିକଙ୍କର ଗୋଟିଏ ହିଁ ଲକ୍ଷ୍ୟ ଓ ଗୋଟିଏ ହିଁ ଉଦ୍ଦେଶ୍ୟ ଥିଲା କୌଣସି ମୂଲ୍ୟ ବିନିମୟରେ ଭାରତମାଆର ଗୌରବ ଓ ସମ୍ମାନ ରକ୍ଷା କରିବା । ସେମାନେ ନିଜ ଜୀବନ ପାଇଁ ସାମାନ୍ୟତମ ଭ୍ରୂକ୍ଷେପ କରିନଥିଲେ । ସେମାନେ ନିଜ କର୍ତ୍ତବ୍ୟପଥରେ ଆଗେଇ ଚାଲିଲେ ଓ ଆମେ ସମସ୍ତେ ଦେଖିଲେ ଯେ ସେମାନେ କିପରି ବିଜୟୀ ହୋଇ ଆମ ସାମ୍ନାକୁ ଆସିଲେ । ଭାରତମାତାର ଗୌରବ ବଢ଼ାଇଲେ ।

ମୋର ପ୍ରିୟ ଦେଶବାସୀଗଣ, ଆଗାମୀ ଦିନଗୁଡ଼ିକରେ ଆମେ ଦେଶବାସୀ, ଅନେକ ମହାନ ବ୍ୟକ୍ତିଙ୍କୁ ମନେ ପକାଇବା, ଯାହାଙ୍କର ଭାରତ ନିର୍ମାଣରେ ଅବିସ୍ମରଣୀୟ ଯୋଗଦାନ ରହିଛି । 2 ଅକ୍ଟୋବର ଆମ ସମସ୍ତଙ୍କ ପାଇଁ ପବିତ୍ର ଓ ପ୍ରେରଣାଦାୟକ ଦିବସ ହୋଇଥାଏ । ଏହି ଦିନ ଭାରତମାଆର ଦୁଇ ସୁପୁତ୍ର ମହାତ୍ମା ଗାନ୍ଧୀ ଓ ଲାଲାବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇବାର ଦିନ । ପୂଜ୍ୟ ବାପୁଙ୍କର ବିଚାର ଓ ଆଦର୍ଶ ଆଜି ପୂର୍ବାପେକ୍ଷା ବହୁତ ଅଧିକ ପ୍ରାସଙ୍ଗିକ । ମହାତ୍ମା ଗାନ୍ଧୀଙ୍କର ଯେଉଁ ଆର୍ଥିକ ଚିନ୍ତନ ଥିଲା, ଯଦି ତାହା ଅନୁସରଣ କରାଯାଇଥାନ୍ତା, ବୁଝାଯାଇଥାନ୍ତା, ତା’ର ଅନୁଗମନ କରାଯାଇଥାନ୍ତା, ତେବେ ଆଜି ଆତ୍ମନିର୍ଭର ଭାରତ ଅଭିଯାନର ଆବଶ୍ୟକତା ପଡ଼ିନଥାନ୍ତା । ଗାନ୍ଧିଜୀଙ୍କ ଆର୍ଥିକ ଚିନ୍ତନରେ ଭାରତର କୋଣଅନୁକୋଣର ଚିନ୍ତନ ରହିଥିଲା, ଭାରତର ବାସ୍ନା ରହିଥିଲା । ପୂଜ୍ୟ ବାପୁଙ୍କର ଜୀବନ ଆମକୁ ମନେ ପକାଇଦିଏ ଯେ ଆମର ପ୍ରତ୍ୟେକ କାର୍ଯ୍ୟ ଏପରି ହେବ, ଯାହାଦ୍ୱାରା ଗରିବରୁ ଗରିବ ବ୍ୟକ୍ତିର ମଙ୍ଗଳ ହେବ, ଆମେ ତାହା ସୁନିଶ୍ଚିତ କରିବା । ସେହିପରି ଶାସ୍ତ୍ରୀଜୀଙ୍କ ଜୀବନ ଆମକୁ ବିନମ୍ରତା ଓ ସରଳତାର ସନ୍ଦେଶ ଦିଏ । 11 ଅକ୍ଟୋବର ମଧ୍ୟ ଆମପାଇଁ ବିଶେଷ ଦିନ । ଏହି ଦିନ ଆମର ଭାରତରତ୍ନ ଲୋକନାୟକ ଜୟପ୍ରକାଶ ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରିଥାଉ । ଜେ.ପି. ଆମର ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ । ଆମେ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ମଧ୍ୟ ମନେ ପକାଉ, ଯାହାଙ୍କ ଜୟନ୍ତୀ ମଧ୍ୟ ସେହି 11 ତାରିଖରେ । ନାନାଜୀ ଦେଶମୁଖ ଜୟପ୍ରକାଶ ନାରାୟଣ ଜୀଙ୍କ ବହୁତ ଘନିଷ୍ଠ ବନ୍ଧୁ ଥିଲେ । ଯେତେବେଳେ ଜେ.ପି. ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିଲେ, ଯେତେବେଳେ ପାଟନାରେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଥିଲା । ସେହି ସମୟରେ ନାନାଜୀ ଦେଶମୁଖ ସେହି ଆକ୍ରମଣକୁ ନିଜ ଉପରକୁ ନେଇଯାଇଥିଲେ । ଏହି ଆକ୍ରମଣରେ ନାନାଜୀଙ୍କୁ ବହୁତ ଆଘାତ ଲାଗିଥିଲା, କିନ୍ତୁ ଜେ.ପି.ଙ୍କ ଜୀବନ ବଞ୍ଚାଇବାରେ ସେ ସଫଳ ହୋଇଥିଲେ । ଏହି 12 ଅକ୍ଟୋବରରେ ରାଜମାତା ବିଜୟରାଜେ ସିନ୍ଧିଆ ଜୀଙ୍କ ମଧ୍ୟ ଜୟନ୍ତୀ । ସେ ତାଙ୍କର ସମଗ୍ର ଜୀବନ ଲୋକଙ୍କ ସେବାରେ ସମର୍ପି ଦେଇଥିଲେ । ସେ ଏକ ରାଜପରିବାରର ଥିଲେ, ତାଙ୍କ ପାଖରେ ସଂପତି, ଶକ୍ତି ଓ ଅନ୍ୟ ସଂସାଧନର କୌଣସି ଅଭାବ ନ ଥିଲା । ତଥାପି ମାଆଟିଏ ଭଳି ବାତ୍ସଲ୍ୟ ଭାବନେଇ ଜନସେବାରେ ନିଜ ଜୀବନକୁ ଲଗାଇଦେଇଥିଲେ । ତାଙ୍କ ହୃଦୟ ବହୁତ ଉଦାର ଥିଲା । ଏହି 12 ଅକ୍ଟୋବରରେ ତାଙ୍କ ଜନ୍ମଶତାବ୍ଦୀ ବର୍ଷ ସମାରୋହର ସମାପନ ଦିବସ ହେବ ଏବଂ ଆଜି ଯେତେବେଳେ ମୁଁ ରାଜମାତା ଜୀଙ୍କ କଥା କହୁଛି, ମୋର ମଧ୍ୟ ଗୋଟିଏ ଭାବପ୍ରବଣ କରିଦେବା ଭଳି ଘଟଣା ମନେପଡ଼ୁଛି । ଏମିତିରେ ତ ତାଙ୍କ ସହ ବହୁ ବର୍ଷ କାମ କରିବାର ମୋତେ ସୁଯୋଗ ମିଳିଥିଲା, ବହୁତ ଘଟଣା ଘଟିଛି ଅଛି; କିନ୍ତୁ ଆଜି ଗୋଟିଏ ଘଟଣା ବିଷୟରେ କହିବାକୁ ଇଚ୍ଛା କରୁଛି । କନ୍ୟାକୁମାରୀରୁ କାଶ୍ମୀର, ଆମେ ଏକତା ଯାତ୍ରାରେ ବାହାରିଥିଲୁ । ଡା. ମୁରଲୀ ମନୋହର ଜୋଶୀ ଜୀଙ୍କ ନେତୃତ୍ୱରେ ଏହି ଯାତ୍ରା ଚାଲିଥିଲା । ଡିସେମ୍ବର ଜାନୁଆରୀର ପ୍ରବଳ ଥଣ୍ଡାଦିନ ଥିଲା । ଆମେ ରାତି ବାରଟା-ଗୋଟାଏରେ ମଧ୍ୟପ୍ରଦେଶ, ଗ୍ୱାଲିୟର ନିକଟସ୍ଥ ଶିବପୁରୀରେ ପହଂଚିଲୁ । ରହଣୀସ୍ଥଳରେ ପହଂଚିଲା ପରେ ଦିନସାରାର କ୍ଳାନ୍ତି ପରେ ଗାଧୋଇ ପାଧୋଇ ଶୋଉଥିଲୁ ଆଉ ସକାଳୁ ପୁଣି ପ୍ରସ୍ତୁତ ହୋଇଯାଉଥିଲୁ । ପ୍ରାୟ 2ଟା ହେବ, ମୁଁ ଗାଧୋଇପାଧୋଇ ଶୋଇବା ପାଇଁ ପ୍ରସ୍ତୁତ ହେଉଛି, ସେତେବେଳେ କିଏ ଜଣେ କବାଟ ଠକ୍ ଠକ୍ କଲେ । ମୁଁ କବାଟ ଖୋଲିଲାପରେ ଦେଖିଲି ଯେ ରାଜମାତା ଜୀ ମୋ ସାମ୍ନାରେ ଛିଡ଼ା ହୋଇଛନ୍ତି । ପ୍ରବଳ ଥଣ୍ଡାରେ ରାଜମାତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ମାଆଙ୍କୁ ପ୍ରଣାମ କଲି । ମୁଁ କହିଲି ମାଆ ଆପଣ ରାତି ଅଧରେ! ସେ କହିଲେ, ମୋଦୀଜୀ, ଏଇ ନିଅ ଗରମ କ୍ଷୀର ପିଇ ଶୋଇଯାଅ । ହଳଦୀମିଶା କ୍ଷୀର ସେ ନିଜେ ଆଣି ଆସିଥିଲେ । ହଁ, କିନ୍ତୁ ପରଦିନ ମୁଁ ଯେତେବେଳେ ଦେଖିଲି, ସେ କେବଳ ମୋତେ ନୁହଁ, ଆମର ଯାତ୍ରା ବ୍ୟବସ୍ଥାରେ ଯେଉଁ 30-40 ଜଣ ଲୋକ ଥିଲେ, ଯେଉଁଥିରେ ଡ୍ରାଇଭର୍ ଆଉ କର୍ମକର୍ତ୍ତା ଥିଲେ, ପ୍ରତ୍ୟେକଙ୍କ କୋଠରିକୁ ଯାଇ ନିଜେ ରାତି 2ଟାରେ କ୍ଷୀର ପିଇବାକୁ ଦେଇଥିଲେ । ମାଆର ମମତା କ’ଣ, ବାତ୍ସଲ୍ୟ କ’ଣ, ସେହି ଘଟଣାକୁ ମୁଁ କେବେ ଭୁଲିପାରିବି ନାହିଁ । ମୋର ସୌଭାଗ୍ୟ ଯେ ଏପରି ମହାନ ବ୍ୟକ୍ତିମାନେ ଆମର ଏହି ମାଟିକୁ ନିଜ ତ୍ୟାଗ ଓ ତପସ୍ୟାରେ ଧନ୍ୟ କରିଛନ୍ତି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏପରି ଏକ ଭାରତ ନିର୍ମାଣ କରିବା, ଯେଉଁଥିପାଇଁ ଆମ ମହାପୁରୁଷଙ୍କୁ ଗର୍ବ ଅନୁଭବ ହେବ । ସେମାନଙ୍କ ସ୍ୱପ୍ନକୁ ନିଜର ସଂକଳ୍ପ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଏହି କରୋନା କାଳଖଣ୍ଡରେ ମୁଁ ପୁଣିଥରେ ଆପଣମାନଙ୍କୁ ମନେ ପକାଇଦେଉଛି ଯେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ, ମୁହଁ ନ ଢାଙ୍କି ବାହାରକୁ ଯାଆନ୍ତୁ ନାହିଁ । ଦୁଇ ମିଟର ଦୂରତାର ନିୟମ ଆପଣଙ୍କ ଜୀବନ ବଞ୍ଚାଇପାରେ, ଆପଣଙ୍କ ପରିବାରକୁ ମଧ୍ୟ ବଞ୍ଚାଇପାରେ । ଏହି କେତୋଟି ନିୟମ, ଏଇ କରୋନା ବିରୋଧରେ ଲଢ଼େଇର ଅସ୍ତ୍ର; ପ୍ରତ୍ୟେକ ନାଗରିକର ଜୀବନକୁ ବଞ୍ଚାଇବା ପାଇଁ ଶକ୍ତିଶାଳୀ ମାଧ୍ୟମ ଏବଂ ଆଉ ଆମେ ଭୁଲିଯିବାନି ଯେପର୍ଯ୍ୟନ୍ତ ଔଷଧ ବାହାରି ନାହିଁ ସେପର୍ଯ୍ୟନ୍ତ ଆମେ ଢିଲା ହେବାନାହିଁ । ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରହୁ, ଏହି ଶୁଭକାମନା ସହ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India creates history, vaccinates five times more than the entire population of New Zealand in just one day

Media Coverage

India creates history, vaccinates five times more than the entire population of New Zealand in just one day
...

Nm on the go

Always be the first to hear from the PM. Get the App Now!
...
PM condoles loss of lives due to drowning in Latehar district, Jharkhand
September 18, 2021
ସେୟାର
 
Comments

The Prime Minister, Shri Narendra Modi has expressed deep grief over the loss of lives due to drowning in Latehar district, Jharkhand. 

The Prime Minister Office tweeted;

"Shocked by the loss of young lives due to drowning in Latehar district, Jharkhand. In this hour of sadness, condolences to the bereaved families: PM @narendramodi"