“ Vishwanath Dham is not just a grand building. This is a symbol of the Sanatan culture of India. It is a symbol of our spiritual soul. This is a symbol of India's antiquity, traditions, India's energy and dynamism.”
“Earlier the temple area was only 3000 square feet which has now been enlarged to about 5 lakh square feet. Now 50000 - 75000 devotees can visit the temple and temple premises”
“The dedication of Kashi Vishwanath Dham will give a decisive direction to India and will lead to a brighter future. This complex is a witness of our capability and our duty. With determination and concerted thought, nothing is impossible”
“For me God comes in the form of people, For me every person is a part of God. I ask three resolutions from the people for the country - cleanliness, creation and continuous efforts for self-reliant India”
“Long period of slavery broke our confidence in such a way that we lost faith in our own creation. Today, from this thousands-year-old Kashi, I call upon every countryman - create with full confidence, innovate, do it in an innovative way”
Felicitates and has lunch with the workers who worked on the construction Kashi Vishwanath Dham

ହର ହର ମହାଦେବ । ହର ହର ମହାଦେବ । ନମଃ ପାର୍ବତୀ ପତୟେ, ହର ହର ମହାଦେବ । । ମାତା ଅନ୍ନପୂର୍ଣ୍ଣାଙ୍କ ଜୟ । ଗଙ୍ଗା ମାତାଙ୍କ ଜୟ । ଏହି ଐତିହାସିକ ଆୟୋଜନରେ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ କର୍ମଯୋଗୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ଆମ ସମସ୍ତଙ୍କର ମାର୍ଗଦର୍ଶକ ଶ୍ରୀଯୁକ୍ତ ଜେ. ପି ନଡ୍ଡା ଜୀ, ଉପମୁଖ୍ୟମନ୍ତ୍ରୀ ଭାଇ କେଶବ ପ୍ରସାଦ ମୌର୍ଯ୍ୟା ଜୀ, ଦିନେଶ ଶର୍ମା ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ ମହେନ୍ଦ୍ର ନାଥ ପାଣ୍ଡେ ଜୀ, ଉତର ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଜୀ, ଏଠାକାର ମନ୍ତ୍ରୀ ଶ୍ରୀ ନୀଳକଣ୍ଠ ତିୱାରୀ ଜୀ, ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଆସିଥିବା ପୂଜ୍ୟ ସନ୍ଥଗଣ, ଏବଂ ମୋର ପ୍ରିୟ କାଶୀବାସୀ, ତଥା ଦେଶ ବିଦେଶରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ବନ୍ଧୁଗଣ! କାଶୀର ସମସ୍ତ ବନ୍ଧୁମାନଙ୍କ ସହ ବାବା ବିଶ୍ୱନାଥଙ୍କ ଚରଣରେ ମୁଁ ମଥାନତ କରୁଛି । ମାତା ଅନ୍ନପୂର୍ଣ୍ଣାଙ୍କର ପାଦପଦ୍ମକୁ ବାରମ୍ବାର ବନ୍ଦନା କରୁଛି । ଏବେ ମୁଁ ବାବାଙ୍କ ସହ ନଗରର ପ୍ରହରୀ କାଳଭୈରବ ଜୀଙ୍କର ଦର୍ଶନ କରି ଫେରୁଛି, ଦେଶବାସୀଙ୍କ ପାଇଁ ତାଙ୍କର ଆଶୀର୍ବାଦ ସାଥିରେ ନେଇ ଫେରୁୁଛି । କାଶୀରେ କିଛି ବି ବଶେଷ କାର୍ଯ୍ୟକ୍ରମ ହେଉ, କିଛି ବି ନୂଆ କରି ହେବାର ଅଛି ତ, ତେବେ ସର୍ବ ପ୍ରଥମେ ତାଙ୍କର ଅନୁମତି ଆବଶ୍ୟକ । ମୁଁ ମଧ୍ୟ କାଶୀର ପ୍ରହରୀଙ୍କ ପାଦରେ ମଥାନତ କରୁଛି । ଗଙ୍ଗା ତରଙ୍ଗ ରମଣୀୟ ଜଟା-କଳାପମ୍‌, ଗୌରୀ ନିରନ୍ତର ବିଭୂଷିତ ବାମ- ଭାଗମ ନାରାୟଣ ପ୍ରିୟ-ମନଙ୍ଗ-ମଦାପ-ହାରମ, ବାରଣାସୀ ପୁର- ପତିମ୍ ଭଜ ବିଶ୍ୱନାଥମ । ମୁଁ ବାବା ବିଶ୍ୱନାଥଙ୍କ ଦରବାରରୁ ଦେଶ ତଥା ବିଦେଶର ସେହି ଶ୍ରଦ୍ଧାଳୁ ଲୋକମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ନିଜ ନିଜ ସ୍ଥାନରୁ ଏହି ମହାଯଜ୍ଞର ସାକ୍ଷୀ ହେଉଛନ୍ତି । ମୁଁ ଆପଣ ସମସ୍ତ କାଶୀବାସୀଙ୍କୁ ପ୍ରଣାମ କରୁଛି, ଯେଉଁମାନଙ୍କ ସହଯୋଗରେ, ଏହି ଶୁଭ ଘଡି ଉପନୀତ ହୋଇଛି । ହୃଦୟ ଗଦ୍ ଗଦ୍ ହୋଇଯାଉଛି । ମନ ଆହ୍ଲାଦିତ ହୋଇଯାଉଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।

ବନ୍ଧୁଗଣ,

ଆମର ପୁରାଣରେ କୁହାଯାଇଛି ଯେ, ଯେତେବେଳେ ଜଣେ କାଶୀରେ ପ୍ରବେଶ କରିଥାଏ, ସେ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ଯାଇଥାଏ । ଭଗବାନ ବିଶ୍ୱେଶ୍ୱରଙ୍କ ଆଶୀର୍ବାଦ, ଏକ ଅଲୌକିକ ଉର୍ଜା ଏଠାକୁ ଆସିବା ମାତ୍ରେ ହିଁ ଅନ୍ତରାତ୍ମାକୁ ଉଜାଗର କରି ଦେଇଥାଏ । ଏବଂ ଆଜି, ଆଜି ତ ଏହି ଚିର ଚୈତନ୍ୟ କାଶୀର ଚେତନାରେ ଏକ ନିଆରା ସ୍ପନ୍ଦନ ରହିଛି! ଆଜି ଆଦି କାଶୀର ଅଲୌକିକତାରେ ଏକ ସ୍ୱତନ୍ତ୍ର ଔଜଲ୍ୟ ରହିଛି । ଆଜି ଶାଶ୍ୱତ ବନାରସର ସଙ୍କଳ୍ପରେ ଏକ ନିଆରା ସାମର୍ଥ୍ୟ ଦୃଶ୍ୟମାନ ହେଉଛି! ମୁଁ ଶାସ୍ତ୍ରରେ ଶୁଣିଛି, ଯେତେବେଳେ ବି କୌଣସି ପୁଣ୍ୟ ମୁହୂର୍ତ ଉପନୀତ ହୋଇଥାଏ, ସେତେବେଳେ ସମସ୍ତ ତୀର୍ଥ, ସମସ୍ତ ଦୈବୀ ଶକ୍ତି ବନାରସରେ ବାବାଙ୍କ ନିକଟରେ ଉପସ୍ଥିତ ହୋଇ ଯାଇଥାଆନ୍ତି । ବାବାଙ୍କ ଦରବାରକୁ  ଆସି ମତେ ଆଜି ଅନୁରୂପ ଅନୁଭବ ହେଉଛି । ଏପରି ଲାଗୁଛି ଯେ, ଆମର ସମ୍ପୁର୍ଣ୍ଣ ଚେତନାର ସଂସାର ଏଥିରେ ସଂଯୁକ୍ତ ହୋଇଯାଇଛି । ଏମିତି ତ ନିଜ ମାୟାର ପରିବ୍ୟାପ୍ତି କେବଳ ବାବା ହିଁ ଜାଣିଛନ୍ତି, କିନ୍ତୁ ଯେତେଦୂର ପର୍ଯ୍ୟନ୍ତ ମୋର ମାନବୀୟ ଦୃଷ୍ଟି ପହଂଚୁଛି, ‘ବିଶ୍ୱନାଥ ଧାମ’ର ଏହି ପବିତ୍ର ଆୟୋଜନରେ ଏବେ ସମଗ୍ର ବିଶ୍ୱ ଯୋଡି ହୋଇଯାଇଛି ।

ବନ୍ଧୁଗଣ,

ଆଜି ଭଗବାନ ଶିବଙ୍କ ପ୍ରିୟ ଦିନ, ସୋମବାର ଅଟେ, ଆଜି ବିକ୍ରମ ସମ୍ବତ ଗଣନା ଅନୁଯାୟୀ ଦୁଇ ହଜାର ଅଠସ୍ତରୀ, ମାର୍ଗଶୀର ଶୁକ୍ଳପକ୍ଷ, ଦଶମୀ ତିଥି, ଏକ ନୂଆ ଇତିହାସ ରଚନା କରୁଛି । ଏବଂ ମୋର ସୌଭାଗ୍ୟ ଯେ ମୁଁ ଏହି ତିଥିର ସାକ୍ଷୀ ହେଉଛି । ଆଜି କାଶୀ ବିଶ୍ୱନାଥ ଧାମ ଅଦ୍ଭୁତ ଅନନ୍ତ ଉର୍ଜାରେ ପରିପୂର୍ଣ୍ଣ ହୋଇଛି । ଏହାର ବୈଭବ ପରିବ୍ୟାପ୍ତ ହେବାରେ ଲାଗିଛି । ଏହାର ସ୍ୱାତନ୍ତ୍ର‌୍ୟ ଆକାଶ ସ୍ପର୍ଶ କରୁଛି । ଏଠାରେ ଆଖପାଖରେ ଯେଉଁସବୁ ଅନେକ ପ୍ରାଚୀନ ମନ୍ଦିର ବିଲୁପ୍ତ ହୋଇ ଯାଇଥିଲା, ସେଗୁଡିକୁ ମଧ୍ୟ ପୁନଃସ୍ଥାପନ କରାଯାଇ ସାରିଛି । ବାବା ନିଜ ଭକ୍ତମାନଙ୍କ ଯୁଗ ଯୁଗର ସେବାରେ ପ୍ରସନ୍ନ ହୋଇଛନ୍ତି, ଏଣୁ ସେ ଆଶୀର୍ବାଦ ସ୍ୱରୂପ ଆମକୁ ଆଜିର ଦିନଟି ପ୍ରଦାନ କରିଛନ୍ତି ।

ବିଶ୍ୱନାଥ ଧାମର ଏହି ସମ୍ପୁର୍ଣ୍ଣ ନୂତନ ପରିସର କେବଳ ଏକ ଭବ୍ୟ ଭାବନା ନୁହେଁ, ଏହା ଆମ ଭାରତର ସନାତନ ସଂସ୍କୃତିର ପ୍ରତୀକ ଅଟେ! ଏହା ଆମ ଆଧ୍ୟାତ୍ମିକ ଆତ୍ମାର ପ୍ରତୀକ ଅଟେ! ଏହା ଭାରତର ପ୍ରାଚୀନତାର, ପରମ୍ପରାଗୁଡିକର ପ୍ରତୀକ ଅଟେ! ଏହା ଭାରତର ଉର୍ଜାର, ଗତିଶୀଳତାର ପ୍ରତୀକ ଅଟେ! ଆପଣ ଏଠାକୁ ଯେତେବେଳେ ବି ଆସିବେ ଏଭଳି ନୁହେଁ ଯେ କେବଳ ଏଠାରେ ଆସ୍ଥାର ଦର୍ଶନ ମିଳିବ । ଆପଣମାନଙ୍କୁ ଏଠାରେ ଆପଣମାନଙ୍କ ଅତୀତର ଗୌରବର ଅନୁଭବ ମଧ୍ୟ ହେବ । କିପରି ଭାବରେ ପ୍ରାଚୀନତା ଏବଂ ନବୀନତା ଏକ ସଙ୍ଗେ ଜିବନ୍ୟାସ ପାଉଛନ୍ତି, କିଭଳି ପୁରାତନ ପ୍ରେରଣାମାନ ଭବିଷ୍ୟତକୁ ଦିଗଦର୍ଶନ ଦେଉଛନ୍ତି, ମୁଁ  ବିଶ୍ୱନାଥ ଧାମ ପରିସରରେ ଏସବୁର ସାକ୍ଷାତ ଦର୍ଶନ କରୁଛି ।

ବନ୍ଧୁଗଣ,

ଯେଉଁ ଗଙ୍ଗା ମାତା ଉତର ବାହିନୀ ହୋଇ ବାବାଙ୍କ ପାଦ ପ୍ରକ୍ଷାଳନ କରିବା ସକାଶେ  କାଶୀ ଆସିଛନ୍ତି, ସେହି ମାତା ଗଙ୍ଗା ମଧ୍ୟ ଆଜି ଖୁବ୍ ପ୍ରସନ୍ନ ହେବେ । ଏବେ ଯେତେବେଳେ ଆମେ ଭଗବାନ ବିଶ୍ୱନାଥଙ୍କ ଚରଣରେ ପ୍ରଣାମ କରିବା, ଧ୍ୟାନ କରିବା, ସେତେବେଳେ ମାତା ଗଙ୍ଗାଙ୍କୁ ସ୍ପର୍ଶ କରୁଥିବା ବହି ଯାଉଥିବା ପବନ ଆମକୁ ସ୍ନେହ ଶ୍ରଦ୍ଧା ଦେବ, ଆଶୀର୍ବାଦ ପ୍ରଦାନ କରିବ । ଏବଂ ଯେତେବେଳେ ମାତା ଗଙ୍ଗା ଉନ୍ମୁକ୍ତ ହେବେ, ପ୍ରସନ୍ନ ହେବେ, ସେତେବେଳେ ବାବାଙ୍କ ଧ୍ୟାନ ସମୟରେ ଆମେ ଗଙ୍ଗା ତରଙ୍ଗର କଳ କଳ ନାଦର ଦିବ୍ୟ ଅନୁଭବ ମଧ୍ୟ କରିପାରିବା । ବାବା ବିଶ୍ୱନାଥ ସମସ୍ତଙ୍କର, ମାତା ଗଙ୍ଗା ସମସ୍ତଙ୍କର । ସେମାନଙ୍କ ଆଶୀର୍ବାଦ ସମସ୍ତଙ୍କ ପାଇଁ । କିନ୍ତୁ ସମୟ ଓ ପରିସ୍ଥିତି ଯୋଗୁଁ, ବାବା ଏବଂ ମାତା ଗଙ୍ଗାଙ୍କ ସେବାର ଏହି ସୁଯୋଗ କଷ୍ଟସାଧ୍ୟ ହୋଇ ଚାଲିଥିଲା, ଏଠାକୁ ସମସ୍ତେ ଆସିବାକୁ ଚାହୁଁଥିଲେ, କିନ୍ତୁ ରାସ୍ତା ଏବଂ ସ୍ଥାନର ଅଭାବ ଥିଲା । ବୟସ୍କମାନଙ୍କ ପାଇଁ, ଦିବ୍ୟାଙ୍ଗମାନଙ୍କ ପାଇଁ ଏଠାକୁ ଆସିବା ବହୁତ କଷ୍ଟକର ଥିଲା । କିନ୍ତୁ ଏବେ ‘ବିଶ୍ୱନାଥ ଧାମ ପ୍ରକଳ୍ପ’ ସମ୍ପୁର୍ଣ୍ଣ ହେବା ପରେ ଏଠାରେ କାହାକୁ ବି ପହଂଚିବା ସୁଗମ ହୋଇଯାଇଛି । ଆମର ଦିବ୍ୟାଙ୍ଗ ଭାଇ ଭଉଣୀ, ବୟସ୍କ ମାତା ପିତା ସିଧାସଳଖ ବୋଟରୁ ଜେଟି ପର୍ଯ୍ୟନ୍ତ ଆସିବେ । ଜେଟିରୁ ଘାଟ ପର୍ଯ୍ୟନ୍ତ ଆସିବା ପାଇଁ ମଧ୍ୟ ଏସ୍କଲେଟର ସ୍ଥାପନ କରାଯାଇଛି । ସେଠାରୁ ସିଧା ମନ୍ଦିର ପର୍ଯ୍ୟନ୍ତ ଆସିପାରିବେ । ସଙ୍କିର୍ଣ୍ଣ ରାସ୍ତା ଯୋଗୁଁ ଦର୍ଶନ ପାଇଁ ଆଗରୁ ଯେଉଁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଥିଲା, ଯେଉଁ କଷ୍ଟ ହେଉଥିଲା, ତାହା ମଧ୍ୟ ଏବେ ହ୍ରାସ ପାଇବ । ପୂର୍ବରୁ ଏଠାରେ ଯେଉଁ ମନ୍ଦିର ପରିସର କେବଳ ତିନି ହଜାର ବର୍ଗ ଫୁଟ ମଧ୍ୟରେ ସିମୀତ ଥିଲା, ତାହା ଏବେ ପ୍ରାୟ ୫ ହଜାର ବର୍ଗ ଫୁଟର ହୋଇଯାଇଛି । ଏବେ ମନ୍ଦିର ଏବଂ ମନ୍ଦିର ପରିସର ମଧ୍ୟକୁ ୫୦, ୬୦, ୭୦ ହଜାର ଶ୍ରଦ୍ଧାଳୁ ଆସି ପାରିବେ । ଅର୍ଥାତ୍ ପ୍ରଥମେ ମାତା ଗଙ୍ଗାଙ୍କ ଦର୍ଶନ - ସ୍ନାନ, ଏବଂ ସେଠାରୁ ସିଧା ବିଶ୍ୱନାଥ ଧାମ, ଏହା ହିଁ ତ ହେଉଛି, ହର ହର ମହାଦେବ ।

ବନ୍ଧୁଗଣ,

ଯେତେବେଳେ ମୁଁ ବନାରସ ଆସିଥିଲି, ସେତେବେଳେ ଏକ ବିଶ୍ୱାସ ନେଇ ଆସିଥିଲି । ବିଶ୍ୱାସ ନିଜଠାରୁ ଅଧିକ ବନାରସର ଲୋକମାନଙ୍କ ଉପରେ ଥିଲା । ଆପଣମାନଙ୍କ ଉପରେ ଥିଲା । ଆଜି ହିସାବ ନିକାସ କରିବାର ସମୟ ନୁହେଁ । କିନ୍ତୁ ମୋର ମନେ ଅଛି, ସେତେବେଳେ ଏମିତି କିଛି ଲୋକ ମଧ୍ୟ ଥିଲେ ଯେଉଁମାନେ ବନାରସର ଲୋକମାନଙ୍କ ଉପରେ ସନ୍ଦେହ କରୁଥିଲେ । କିପରି ହେବ, ହୋଇପାରିବ କି ନାହିଁ, ଏଠାରେ ତ ଏମିତି ହିଁ ଚାଲିଥାଏ! ଏହି ମୋଦୀ ଜୀଙ୍କ ଭଳି ଅନେକ ଆସିକି ଗଲେଣି । ମୁଁ ଚକିତ ହେଉଥିଲି ଯେ ବନାରସ ପାଇଁ ଏଭଳି ଧାରଣାମାନ ତିଆରି କରାଯାଇଥିଲା! ଏଭଳି ଯୁକ୍ତି ଉପସ୍ଥାପିତ କରାଯାଉଥିଲା! ଏହି ସ୍ଥାଣୁତା ବନାରସର ନ ଥିଲା ! ହୋଇ ମଧ୍ୟ ପାରି ନଥାନ୍ତା । ଅଳ୍ପ କିଛି ରାଜନୀତି ଥିଲା, ଅଳ୍ପ କିଛି ଲୋକଙ୍କ ନିଜସ୍ୱ ସ୍ୱାର୍ଥ, ଏଥିପାଇଁ ବନାରସ ଉପରେ ଦୋଷାରୋପ କରାଯାଉଥିଲା । କିନ୍ତୁ କାଶୀ ତ କାଶୀ ଅଟେ! କାଶୀ ତ ଅବିନାଶୀ ଅଟେ । କାଶୀରେ ଜଣେ ହିଁ ସରକାର ଅଛନ୍ତି, ଯାହାଙ୍କ ହାତରେ ଡମ୍ବରୁ ଅଛି, ତାଙ୍କରି ସରକାର ଚାଲିଛି । ଯେଉଁଠାରେ ଗଙ୍ଗା ନିଜର ଧାରା ବଦଳାଇ ପ୍ରବାହିତ ହେଉଛି, ସେହି କାଶୀକୁ ବା କିଏ ରୋକିପାରିବ? କାଶୀଖଣ୍ଡରେ ଭଗବାନ ଶଙ୍କର ସ୍ୱୟଂ କହିଛନ୍ତି – “ବିନା ମମ ପ୍ରସାଦମ ୱେ, କଃ କାଶୀ ପ୍ରତି ପଧ୍ୟତେ” । ଅର୍ଥାତ୍ ମୋର ପ୍ରସନ୍ନତା ବିନା କିଏ ବା କାଶୀକୁ ଆସିପାରିବ, କିଏ ଏହାର ଉପଯୋଗ କରିପାରିବ? କାଶୀରେ ମହାଦେବଙ୍କ ଇଚ୍ଛା ବିନା ନା କେହି ଆସିଥାଏ, ନା ତାଙ୍କ ଇଚ୍ଛା ବିନା ଏଠାରେ କିଛି ହୋଇଥାଏ । ଏଠାରେ ଯାହା କିଛି ହୁଏ, ମହାଦେବଙ୍କ ଇଚ୍ଛାରେ ହୋଇଥାଏ । ଏହା ଯାହାସବୁ ହୋଇଛି, ମହାଦେବ ହିଁ କରିଛନ୍ତି । ବିଶ୍ୱନାଥ ଧାମ, ତ ବାବା ନିଜ ଆଶୀର୍ବାଦରୁ ତିଆରି କରିଛନ୍ତି । ତାଙ୍କ ଇଚ୍ଛା ବିନା, କ’ଣ କେଉଁ ପତ୍ର ହଲି ପାରିବ? କେହି କେତେ ବଡ ହେଉ ନା କାହିଁକି, ସେ ନିଜ ଘରେ ହୋଇଥିବ । ବାବା ଡାକରା ମିଳିଲେ ହିଁ କେହି ଆସି ପାରିବ, କିଛି କରି ପାରିବ ।

ବନ୍ଧୁଗଣ,

ବାବାଙ୍କ ସହ ଯଦି ଆଉ କାହାର ଯୋଗଦାନ ରହିଛି, ତେବେ ତାହା ହେଉଛି ବାବାଙ୍କ ଗଣଙ୍କର । ବାବାଙ୍କ ଗଣ ଅର୍ଥାତ୍ ଆମର ସମସ୍ତ କାଶୀବାସୀ, ଯେଉଁମାନେ ନିଜେ ମହାଦେବଙ୍କ ସ୍ୱରୂପ ଅଟନ୍ତି । ଯେତେବେଳେ ବି ବାବାଙ୍କୁ ନିଜର ଶକ୍ତିର ଅନୁଭବ କରାଇବାର ଥାଏ, ସେତେବେଳେ ସେ କାଶୀବାସୀଙ୍କ ମାଧ୍ୟମରେ ହିଁ ପରିପ୍ରକାଶ କରିଥାଆନ୍ତି । ତା ପରେ କାଶୀ କରିଥାଏ ଏବଂ ବିଶ୍ୱ ଦେଖିଥାଏ । “ଇଦମ ଶିବାୟ, ଇଦମ୍ ନ ମମ୍‌” ।

ଭାଇ ଓ ଭଉଣୀମାନେ,

ମୁଁ ଆଜି ମଧ୍ୟ ଆମର ସେହି ସମସ୍ତ ଶ୍ରମିକ ଭାଇ ଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି, ଯେଉଁମାନଙ୍କର ଝାଳ ବୁହା ପରିଶ୍ରମରେ ଏହି ଭବ୍ୟ ପରିସରର ନିର୍ମାଣ ହୋଇଛି । କରୋନାର ଏହି ସଙ୍କଟ କାଳରେ ମଧ୍ୟ, ସେମାନେ ଏଠାରେ କାମ ବନ୍ଦ ହେବାକୁ ଦେଇ ନଥିଲେ । ମତେ ଏବେ ଏହି ଶ୍ରମିକ ସାଥୀମାନଙ୍କୁ ଭେଟିବାର ସୁଯୋଗ ମିଳିଲା, ସେମାନଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ପ୍ରାପ୍ତ ହେଲା । ଆମର କାରିଗର, ଆମର ସିଭିଲ ଇଞ୍ଜିନିୟରିଂ ସହ ଜଡିତ ଲୋକ, ପ୍ରଶାସନର ଲୋକ, ସେହି ପରିବାର ଯେଉଁମାନଙ୍କର ଆଗରୁ ଏଠାରେ ଘର ଥିଲା, ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏବଂ ଏମାନେ ସମସ୍ତଙ୍କ ସହିତ, ମୁଁ ଉତର ପ୍ରଦେଶ ସରକାର, ଆମର କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ଏବଂ ତାଙ୍କର ସମଗ୍ର ଟିମକୁ ମଧ୍ୟ ଅଭିନନ୍ଦନ ଜଣାଉଛି, ଯେଉଁମାନେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରିବା ପାଇଁ ଦିନରାତି ଏକାଠି କରି ଦେଇଥିଲେ ।

ବନ୍ଧୁଗଣ,

ଆମର ଏହି ବାରଣାସୀ ଯୁଗ ଯୁଗ ଧରି ତିଷ୍ଠି ରହିଛି, ଇତିହାସର ଭଙ୍ଗା ଗଢା ଖେଳ  ଦେଖିଛି, କେତେ ଯେ କାଳଖଣ୍ଡ ଆସିଛି, ଯାଇଛି! କେତେ ଯେ ସାମ୍ରାଜ୍ୟର ଉତଥାନ ଓ ପତନ ହୋଇଛି, ତେବେ ବି, ବନାରସ ସେମିତି ଅତୁଟ ରହିଛି, ବନାରସ ନିଜର ରସ ବୃଷ୍ଟି କରି ଚାଲିଛି । ବାବାଙ୍କର ଏହି ଧାମ କେବଳ ଶାଶ୍ୱତ ନୁହେଁ, ଏଠାକାର ସୌନ୍ଦର୍ଯ୍ୟ ମଧ୍ୟ ସବୁବେଳେ ସଂସାରକୁ ଆଶ୍ଚର୍ଯ୍ୟ ଚକିତ ଏବଂ ଆକର୍ଷିତ କରିଛି । ଆମର ବିଭିନ୍ନ ପୁରାଣରେ ପ୍ରାକୃତିକ ଆଭାରେ ପରିପୂର୍ଣ୍ଣ କାଶୀକୁ ଏହିଭଳି ହିଁ ଦିବ୍ୟ ସ୍ୱରୂପ ଭାବରେ ବର୍ଣ୍ଣନା କରାଯାଇଛି । ଯଦି ଆମେ ଗ୍ରନ୍ଥଗୁଡିକୁ ଦେଖିବା, ଶାସ୍ତ୍ରଗୁଡିକ ଦେଖିବା, ଇତିହାସକାରମାନେ ମଧ୍ୟ ବୃକ୍ଷ, ନଦୀ, ପୁଷ୍କରିଣୀ ରେ ଶୋଭିତ କାଶୀର ଅଦ୍ଭୁତ ସ୍ୱରୂପ ବର୍ଣ୍ଣନା କରିଥିବା କରିଛନ୍ତି । କିନ୍ତୁ ସମୟ ସବୁବେଳେ ସମାନ ରୁହେ ନାହିଁ । ଆତତାୟୀମାନେ ଏହି ନଗରୀ ଉପରେ ଆକ୍ରମଣ କଲେ, ଏହାକୁ ଧ୍ୱଂସ କରିବାକୁ ପ୍ରୟାସ କଲେ! ଆଉରଙ୍ଗଜେବର ଅତ୍ୟାଚାର ଓ ଆତଙ୍କର, ଇତିହାସ ସାକ୍ଷୀ ରହିଛି । ଯିଏ ଅଶୀର ବଳ ଦ୍ୱାରା ସଭ୍ୟତାକୁ ପରିବର୍ତନ କରିବାର ପ୍ରଚେଷ୍ଟା କଲା, ଯିଏ ସଂସ୍କୃତିକୁ କୃରତା ଦ୍ୱାରା ଦଳି ଦେବାକୁ ପ୍ରୟାସ କଲା! କିନ୍ତୁ ଏହି ଦେଶର ମାଟି ଅବଶିଷ୍ଟ ଦୁନିଆଠାରୁ କିଛି ଭିନ୍ନ ଅଟେ । ଏଠାକୁ ଯଦି ଆଉରଙ୍ଗଜେବ ଆସେ ତ ଶିବାଜୀ ମଧ୍ୟ ବିଦ୍ୟମାନ ହୁଅନ୍ତି! ଯଦି କେହି ସାଲାର ମସୁଦ ଏହି ଇଲାକା ଆଡକୁ ଅଗ୍ରସର ହୁଏ ତେବେ, ରାଜା ସୁହେଲଦେବଙ୍କ ଭଳି ବୀର ଯୋଦ୍ଧା ତାକୁ ଆମର ଏକତାର ଶକ୍ତିର ଅନୁଭବ କରାଇ ଦିଅନ୍ତି । ଏବଂ ଇଂରେଜମାନଙ୍କ ସମୟରେ ମଧ୍ୟ, କାଶୀର ଲୋକମାନେ  ୱାରେନ୍ ହେଷ୍ଟିଙ୍ଗଙ୍କର କିଭଳି ଅବସ୍ଥା କରିଥିଲେ, ଏକଥା କାଶୀର ଲୋକମାନେ ବେଳେ ବେଳେ କହି ଥାଆନ୍ତି ଏବଂ କାଶୀର ମୁଖରୁ ଏହା ନିଃସୃତ ହୋଇଥାଏ । ଘୋଡା ଓ ହାତୀ ଉପରେ ନିଜର ପଲଟଣ ଓ ନିଜର ଜୀବନ ବଂଚାଇ ପଳାୟନ କରିଥିଲା ୱାରେନ୍ ହେଷ୍ଟିଙ୍ଗ ।

ବନ୍ଧୁଗଣ,

ଆଜି ସମୟର ଚକ୍ରକୁ ଦେଖନ୍ତୁ, ଆତଙ୍କର ସେହି କାଳଖଣ୍ଡ ଇତିହାସର କଳଙ୍କିତ ପୃଷ୍ଠା ମଧ୍ୟରେ ସିମୀତ ହୋଇ ରହିଯାଇଛି! ଏବଂ ମୋର କାଶୀ ଆଗକୁ ବଢି ଚାଲିଛି, ନିଜର ଗୌରବକୁ ପୁଣି ଥରେ ନୂତନ ଭବ୍ୟତା ପ୍ରଦାନ କରୁଛି ।

ବନ୍ଧୁଗଣ,

କାଶୀ ବିଷୟରେ ମୁଁ ଯେତେ ଯେତେ କହି ଚାଲିଛି, ସେତିକି ମଧ୍ୟ ନିମଗ୍ନ ହୋଇ ଯାଉଛି, ସେତିକି ଭାବୁକ ପାଲଟି ଯାଉଛି । କାଶୀ ଶଦ୍ଦର ବିଷୟ ନୁହେଁ, କାଶୀ ସହାନୁଭୂତିର ସୃଷ୍ଟି ଅଟେ । କାଶୀ  ତାହା ଅଟେ – ଯେଉଁଠାରେ ଜାଗରଣ ହେଉଛି ଜୀବନ, କାଶୀ  ତାହା ଅଟେ – ଯେଉଁଠାରେ ମୃତ୍ୟୁ ମଧ୍ୟ ମଙ୍ଗଳମୟ! କାଶୀ  ତାହା ଅଟେ – ଯେଉଁଠାରେ ସତ୍ୟ ହେଉଛି ସଂସ୍କାର! କାଶୀ  ତାହା ଅଟେ – ଯେଉଁଠାରେ ପ୍ରେମ ହିଁ ପରମ୍ପରା ।

ଭାଇ ଓ ଭଉଣୀମାନେ,

ଆମର ଶାସ୍ତ୍ରଗୁଡିକ ମଧ୍ୟ କାଶୀର ମହିମା ଏବଂ ଗୁଣଗାନ ପୂର୍ବକ ପରିଶେଷରେ କହିଛନ୍ତି, ‘ନେତି – ନେତି’ ହିଁ କହିଛନ୍ତି । ଅର୍ଥାତ୍‌, ଯାହା କୁହାଗଲା, ଏତିକିରେ ଇତି ହେଇନାହିଁ , ତାହାଠାରୁ ମଧ୍ୟ ଆଗକୁ ଅନେକ ରହିଛି! ଆମର ଶାସ୍ତ୍ରଗୁଡିକରେ କୁହାଯାଇଛି – “ଶିବମ ଜ୍ଞାନମ ଇତି ବ୍ରୟୁଃ, ଶିବ ଶବ୍ଦାର୍ଥ ଚିନ୍ତକାଃ” । ଅର୍ଥାତ. ଶିବ ଶଦ୍ଦର ଚିନ୍ତନ କରୁଥିବା ଲୋକ ଶିବଙ୍କୁ ହିଁ ଜ୍ଞାନ ବୋଲି ଭାବନ୍ତି । ଏଥିପାଇଁ, ଏହି କାଶୀ ଶିବମୟୀ ଅଟେ, ଏହି କାଶୀ ଜ୍ଞାନମୟୀ ଅଟେ । ଏବଂ ଏଥିପାଇଁ ଜ୍ଞାନ, ଗବେଷଣା, ଅନ୍ୱେଷଣ, ଏହା କାଶୀ ଏବଂ ଭାରତ ପାଇଁ ସ୍ୱାଭାବିକ ନିଷ୍ଠା ହୋଇ ରହିଆସିଛି । ଭବବାନ ଶିବ ସ୍ୱୟଂ କହିଛନ୍ତି – “ସର୍ବ କ୍ଷେତ୍ରେସୁ ଭୂ ପୃଷ୍ଠେ, କାଶୀ କ୍ଷେତ୍ରମ ଚ ମେ ବପୁଃ” । ଅର୍ଥାତ୍‌, ପୃଥିବୀର ସବୁ କ୍ଷେତ୍ରରୁ କାଶୀ ସାକ୍ଷାତ ମୋର ଶରୀର ଅଟେ । ଏଥିପାଇଁ ଏଠାକାର ପଥର, ଏହାର ପ୍ରତ୍ୟେକ ପଥର ଶଙ୍କର ଅଟେ । ଏଥିପାଇଁ, ଆମେ ଆମ କାଶୀକୁ ଜୀବନ୍ତ ବୋଲି ବିବେଚନା କରୁ, ଏବଂ ଏହି ଭାବନାରେ ଆମକୁ ଆମ ଦେଶର କୋଣ ଅନୁକୋଣରେ ମାତୃ ଭାବର ଅନୁଭବ ହୋଇଥାଏ । ଆମର ଶାସ୍ତ୍ରରେ କୁହାଯାଇଛି – “ଦୃଶ୍ୟତେ ସବର୍ଗ ସର୍ବ, କାଶ୍ୟାମ ବିଶ୍ୱେଶ୍ୱରଃ ତଥା” । । ଅର୍ଥାତ୍‌, କାଶୀରେ ସର୍ବତ୍ର, ପ୍ରତ୍ୟେକ ଜୀବ ମଧ୍ୟରେ ଭଗବାନ ବିଶ୍ୱେଶ୍ୱରଙ୍କର ଦର୍ଶନ ମିଳିଥାଏ । ଏଥିପାଇଁ କାଶୀ ଜୀବତ୍ୱକୁ ପ୍ରତ୍ୟକ୍ଷ ଭାବେ ଶିବତ୍ୱ ସହ ସଂଯୋଗ କରିଥାଏ । ଆମର ଋଷିମାନେ ଏହା ମଧ୍ୟ କହିଛନ୍ତି – “ବିଶ୍ୱେସଂ ଶରଣଂ, ୟାୟା, ସମେ ବୁଦ୍ଧିଂ ପ୍ରଦାସ୍ୟତି” । ଅର୍ଥାତ୍‌, ଭଗବାନ ବିଶ୍ୱେଶ୍ୱରଙ୍କ ଶରଣରେ ଆସିଲେ ଉତମ ଜ୍ଞାନ ପ୍ରାପ୍ତି ହୋଇଥାଏ । ବନାରସ ହେଉଛି ସେହି ନଗରୀ ଯେଉଁଠାରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଡୋମ ରାଜାଙ୍କ ପବିତ୍ରତାରୁ ପ୍ରେରଣା ମିଳିଥିଲା, ସେ ଦେଶକୁ ଏକତାର ସୂତ୍ରରେ ବାନ୍ଧିବାର ସଙ୍କଳ୍ପ ନେଇଥିଲେ । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଭଗବାନ ଶଙ୍କରଙ୍କ ପ୍ରେରଣାରୁ ଗୋସ୍ୱାମୀ ତୁଳସୀ ଦାସ ଜୀ ରାମଚରିତ ମାନସ ଭଳି ଅଲୌକିକ ରଚନା କରିଥିଲେ ।

ଏଠାକାର ଭୂମି ସାରନାଥରେ ଭଗବାନ ବୁଦ୍ଧଙ୍କ ବୁଦ୍ଧତ୍ୱ ସଂସାର ପାଇଁ ପ୍ରକଟ ହୋଇଥିଲା । ସମାଜ ସଂସ୍କାର ପାଇଁ କବୀର ଦାସଙ୍କ ଭଳି ମନିଷୀମାନେ ଏଠାରେ ପ୍ରକଟ ହୋଇଥିଲେ । ସମାଜକୁ ଯୋଡିବାର, ଏକାଠି କରିବାର ଆବଶ୍ୟକତା ପଡିଲା ତ ଏହି କାଶୀ ସନ୍ଥ ରୈଦାସ ଜୀଙ୍କ ଭକ୍ତିର ଶକ୍ତିର କେନ୍ଦ୍ର ମଧ୍ୟ ପାଲଟିଲା । ଏହି କାଶୀ ଅହିଂସା ଏବଂ ତପର ପ୍ରତିମୂର୍ତି ଚାରି ଜୈନ ତୀର୍ଥଙ୍କରଙ୍କ ମଧ୍ୟ ବାସସ୍ଥଳୀ ଅଟେ । ରାଜା ହରିଶ୍ଚନ୍ଦ୍ରଙ୍କ ସତ୍ୟ ନିଷ୍ଠା ଠାରୁ ନେଇ ବଲ୍ଲଭାଚାର୍ଯ୍ୟ ଏବଂ ରାମାନନ୍ଦ ଜୀଙ୍କର ଜ୍ଞାନ ପର୍ଯ୍ୟନ୍ତ, ଚୈତନ୍ୟ ମହାପ୍ରଭୂ ଏବଂ ସମର୍ଥଗୁରୁ ରାମଦାସଙ୍କଠାରୁ ନେଇ ସ୍ୱାମୀ ବିବେକାନନ୍ଦ ଏବଂ ମଦନ ମୋହନ ମାଲବୀୟଙ୍କ ପର୍ଯ୍ୟନ୍ତ, କେତେ ଯେ ଋଷି ଏବଂ ଆଚାର୍ଯ୍ୟ ମାନଙ୍କର ସମ୍ପର୍କ କାଶୀର ପବିତ୍ର ଭୂମୀ ସହ ରହିଛି । ଛତ୍ରପତି ଶିବାଜୀ ମହାରାଜ ଏହିଠାରୁ ପ୍ରେରଣା ପାଇଥିଲେ । ରାଣୀ ଲକ୍ଷ୍ମୀବାଇଙ୍କ ଠାରୁ ନେଇ ଚନ୍ଦ୍ରଶେଖର ଆଜାଦଙ୍କ ପର୍ଯ୍ୟନ୍ତ, କାଶୀ କେତେ ଯେ ସେନାନୀଙ୍କ କର୍ମଭୂମୀ - ଜନ୍ମଭୂମୀ ରହି ଆସିଛି । ଭାରତେନ୍ଦୁ ହରିଶ୍ଚନ୍ଦ୍ର, ଜୟଶଙ୍କର ପ୍ରସାଦ, ମୁନସୀ ପ୍ରେମଚନ୍ଦ, ପଣ୍ଡିତ ରବି ଶଙ୍କର, ଏବଂ ବିସମିଲ୍ଲା ଖାନଙ୍କ ଭଳି ପ୍ରତିଭାମାନେ, ଏହି ସ୍ମୃତିକୁ ଆଉ କେତେ ଦୂର ଲମ୍ବେଇବି,  କେତେ ବା ବଖାଣିବି! ପୂରା ଭଣ୍ଡାର ଭରି ପଡିଛି । ଯେପରି କାଶୀ ଅନନ୍ତ ଅଟେ ସେପରି କାଶୀର ଯୋଗଦାନ ମଧ୍ୟ ଅନନ୍ତ ଅଟେ । କାଶୀର ବିକାଶରେ ଏହିସବୁ ଅନନ୍ତ ପୁଣ୍ୟ ଆତ୍ମାମାନଙ୍କର ଉର୍ଜା ସାମିଲ ରହିଛି । ଏହି ବିକାଶରେ ଭାରତର ଅନନ୍ତ ପରମ୍ପରାଗୁଡିକର ଐତିହ୍ୟ ସଂଶ୍ଳିଷ୍ଟ ରହିଛି । ଏଥିପାଇଁ, ଭିନ୍ନ ଭିନ୍ନ ମତାବଲମ୍ବୀ ଲୋକ, ପ୍ରତ୍ୟେକ ଭାଷା ବର୍ଗର ବ୍ୟକ୍ତି ଯେତେବେଳେ ଏଠାକୁ ଆସିଥାଆନ୍ତି ସେତେବେଳେ ଏହି ମାଟି ସହ ନିଜର ସମ୍ପର୍କକୁ ଅନୁଭବ କରିଥାଆନ୍ତି ।

ବନ୍ଧୁଗଣ,

କାଶୀ ଆମ ଭାରତର ସାଂସ୍କୃତିକ ଆଧ୍ୟାତ୍ମିକ ରାଜଧାନୀ ତ ଅଟେ, ଏହା ଭାରତର ଆତ୍ମାର ଏକ ଜୀବନ୍ତ ଅବତାର ମଧ୍ୟ । ଆପଣମାନେ ଦେଖନ୍ତୁ, ପୂର୍ବ ଏବଂ ଉତରକୁ ଯୋଡୁଥିବା ଉତର ପ୍ରଦେଶରେ ଅବସ୍ଥିତ ଅଟେ ଏହି କାଶୀ, ଏଠାରେ ବିଶ୍ୱନାଥ ମନ୍ଦିରକୁ ଭାଙ୍ଗି ଦିଆଗଲା ତ ମନ୍ଦିରର ପୁନଃନିର୍ମାଣ, ମାତା ଅହିଲ୍ୟାବାଇ ହୋଲକର କରାଇଥିଲେ । ଯାହାଙ୍କର ଜନ୍ମଭୂମୀ ମହାରାଷ୍ଟ୍ର ଥିଲା, ଯାହାଙ୍କର କର୍ମଭୂମୀ ଇନ୍ଦୋର ମାହେଶ୍ୱର ଏବଂ ଅନେକ କ୍ଷେତ୍ରରେ ଥିଲା । ସେହି ମାତା ଅହିଲ୍ୟାବାଇ ହୋଲକରଙ୍କୁ ଆଜି ମୁଁ ଏହି ଅବସରରେ ପ୍ରଣାମ କରୁଛି । ଦୁଇ ଶହ ଅଢେଇ ଶହ ବର୍ଷ ପୂର୍ବେ ସେ କାଶୀ ପାଇଁ ଅନେକ କିଛି କରିଥିଲେ । ତା’ ପରେ କାଶୀ ପାଇଁ ଏତେ କାମ ଏବେ ହୋଇଛି ।

ବନ୍ଧୁଗଣ,

ବାବା ବିଶ୍ୱନାଥ ମନ୍ଦିରର ଆଭା ବୃଦ୍ଧି କରିବା ପାଇଁ ପଞ୍ଜାବର ମହାରାଜା ରଣଜିତ୍ ସିଂହ ୨୩ ମହଣ ସୁନା ଚଢାଇଥିଲେ, ଏହାର ଚୂଡାରେ ସୁନା ଛାଉଣି କରାଇଥିଲେ । ପଞ୍ଜାବରୁ ପୂଜ୍ୟ ଗୁରୁ ନାନକ ଜୀ ମଧ୍ୟ କାଶୀ ଆସିଥିଲେ, ଏଠାରେ ସତ୍‌ସଙ୍ଗ କରିଥିଲେ । ଅନ୍ୟ ଶିଖ ଗୁରୁମାନଙ୍କର ମଧ୍ୟ କାଶୀ ସହ ବିଶେଷ ସମ୍ପର୍କ ରହିଥିଲା । ପଞ୍ଜାବର ଲୋକମାନେ କାଶୀର ପୁନଃନିର୍ମାଣ ପାଇଁ ଉଦାର ଚିତରେ ଦାନ କରିଥିଲେ । ପୂର୍ବରେ, ପଶ୍ଚିମବଙ୍ଗର ରାଣୀ ଭବାନୀ ବନାରସର ବିକାଶ ପାଇଁ ନିଜର ସର୍ବସ୍ୱ ଅର୍ପଣ କରି ଦେଇଥିଲେ । ମହୀଶୁର ଏବଂ ଅନ୍ୟ ଦକ୍ଷିଣ ଭାରତୀୟ ରାଜାମାନେ ମଧ୍ୟ ବନାରସ ପାଇଁ ଅନେକ କିଛି ଯୋଗଦାନ କରିଥିଲେ । ଏହା ଏକ ଏଭଳି ସହର ଯେଉଁଠାରେ ଆପଣଙ୍କୁ ଉତର, ଦକ୍ଷିଣ, ନେପାଳ, ପ୍ରାୟ ସବୁ ପ୍ରକାରର ଶୈଳୀର ମନ୍ଦିର ଦେଖିବାକୁ ମିଳିବ । ବିଶ୍ୱନାଥ ମନ୍ଦିର ଏହି ଆଧ୍ୟାତ୍ମିକ ଚେତନାର କେନ୍ଦ୍ର ହୋଇ ରହି ଆସିଛି, ଏବଂ ଏବେ ଏହି ବିଶ୍ୱନାଥ ଧାମ ପରିସର ନିଜର ଭବ୍ୟ ରୂପରେ ଏହି ଚେତନାକୁ ଆହୁରି ଅଧିକ ଉର୍ଜା ପ୍ରଦାନ କରିବ ।

ବନ୍ଧୁଗଣ,

ଦକ୍ଷିଣ ଭାରତର ଲୋକଙ୍କର କାଶୀ ପ୍ରତି ଆସ୍ଥା, ଦକ୍ଷିଣ ଭାରତର କାଶୀ ଉପରେ ଏବଂ କାଶୀର ଦକ୍ଷିଣ ଉପରେ ପ୍ରଭାବ ବିଷୟରେ ମଧ୍ୟ ଆମେ ସମସ୍ତେ ଭଲ ଭାବରେ ଜାଣୁ । ଏକ ଗ୍ରନ୍ଥରେ ଲେଖାଯାଇଛି – ତେନୋ ପୟାଥେନ କଦା ଚନାତ୍‌, ବାରାଣାସିମ ପାପ ନିବାରଣନ । ଆବାଦି ବାଣୀ ବାଲିନାହ, ସ୍ୱଶିଷ୍ୟନ, ବିଲୋକ୍ୟ ଲୀଲା ବାସରେ, ବଲିପ୍ତାନ । କନ୍ନଡ ଭାଷାରେ ଏହା କୁହାଯାଇଛି, ଅର୍ଥାତ୍‌, ଯେତେବେଳେ ଜଗଦଗୁରୁ ମାଧ୍ୱାଚାର୍ଯ୍ୟ ଜୀ ନିଜର ଶିଷ୍ୟମାନଙ୍କ ସହ ବିଚରଣୂ କରୁଥିଲେ, ସେତେବେଳେ ସେ କହିଥିଲେ ଯେ କାଶୀର ବିଶ୍ୱନାଥ, ପାପର ନିବାରଣ କରିଥାଆନ୍ତି । ସେ ନିଜର ଶିଷ୍ୟମାନଙ୍କୁ କାଶୀର ବୈଭବ ଏବଂ ଏହାର ମହିମା ବିଷୟରେ ମଧ୍ୟ ବୁଝାଇଥିଲେ ।

ବନ୍ଧୁଗଣ, 

ବର୍ଷ ବର୍ଷ ପୂର୍ବର ଏହି ଧାରଣା ନିରନ୍ତର ଭାବରେ ରହିଆସିଛି । ମହାକବି ସୁବ୍ରମଣ୍ୟ ଭାରତୀ, କାଶୀ ରହଣି ଯାହାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା, ସେ ଗୋଟିଏ ସ୍ଥାନରେ ଲେଖିଛନ୍ତି, ତାମିଲ ଭାଷାରେ ଲେଖିଛନ୍ତି – “କାଶୀ ନଗର ପୁଲବର ପୈସୁମ ଓରଇ ଦାନ, କାଞ୍ଜିଇଲ କେ ପଦକୋର, ଖରୁବି ସେବୋମ” ଅର୍ଥାତ୍‌, “କାଶୀ ନଗରୀର ସନ୍ଥ କବିଙ୍କ ଭାଷଣ କାଂଚିପୁରରେ ମଧ୍ୟ ଶୁଣାଯିବ” କାଶୀରୁ ନିଃସୃତ ପ୍ରତ୍ୟେକ ବାଣୀ ଏତେ ବ୍ୟାପକ, ଯେ ଦେଶର ଗତିପଥ ବଦଳାଇ ଦେଇଥାଏ । ମୁଁ ଆଉ ଏକ କଥା କହିବି । ମୋର ପୁରୁଣା ଅନୁଭବ ଅଟେ । ଆମର ଘାଟରେ ରହୁଥିବା, ନୌକା ଚଳାଉଥିବା ଅନେକ ବନାରସୀ ସାଥୀମାନେ ତ ରାତିରେ ତାମିଲ, କନ୍ନଡ, ତେଲୁଗୁ, ମଲାୟାଲମ ଭାଷାରେ ଏଭଳି ପ୍ରାଞ୍ଜଳ ଭାବରେ କଥାବାର୍ତା କରିଥାଆନ୍ତି ଯେ ଆପଣମାନେ ବେଳେବେଳେ ଅନୁଭବ କରିଥିବେ ଆପଣ କାଳେ କେରଳ, ତାମିଲନାଡୁ କିମ୍ବା କର୍ଣ୍ଣାଟକ ଆସି ଯାଇ ନାହାନ୍ତି ତ! ଏତେ ଭଲ ଭାବରେ ସେମାନେ କଥାବାର୍ତା କରନ୍ତି ।

ବନ୍ଧୁଗଣ,

ଭାରତର ହଜାର ହଜାର ବର୍ଷର ଉର୍ଜା, ଏଭଳି ହିଁ ତ ସୁରକ୍ଷିତ ରହିଛି, ସଂରକ୍ଷିତ ରହିଛି । ଯେତେବେଳେ ଭିନ୍ନ ଭିନ୍ନ ସ୍ଥାନର, କ୍ଷେତ୍ରର ଲୋକ ଗୋଟିଏ ସୂତାରେ ଗୁନ୍ଥା ହୁଅନ୍ତି, ସେତେବେଳେ ତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବରେ ଜାଗ୍ରତ ହୋଇଥାଏ । ଏଥିପାଇଁ, ଆମକୁ “ସୌରାଷ୍ଟ୍ର ସୋମନାଥମ” ଠାରୁ ନେଇ “ଆଯୋଧ୍ୟା ମଥୁରା ମାୟା, କାଶୀ କାଂଚି ଅବନ୍ତିକା”ଙ୍କର ସବୁ ଦିନ ସ୍ମରଣ କରିବାକୁ ଶିଖା ଯାଇଥାଏ । ଆମର ଏଠାରେ ତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ସ୍ମରଣ କରିବାର ଫଳ ବିଷୟରେ କୁହାଯାଇଛି ଯେ, - “ ତସ୍ୟ ତସ୍ୟ ଫଳ ପ୍ରାପ୍ତିଃ, ଭବିଷ୍ୟତି ନ ସଂଶୟଃ” । । ଅର୍ଥାତ୍ ସୋମନାଥଙ୍କଠାରୁ ନେଇ ବିଶ୍ୱନାଥଙ୍କ ପର୍ଯ୍ୟନ୍ତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ସ୍ମରଣ କରିବା ଦ୍ୱାରା ସମସ୍ତ ସଙ୍କଳ୍ପ ସିଦ୍ଧି ହୋଇଯାଏ, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ସନ୍ଦେହ ଏଥିପାଇଁ ନାହିଁ କାରଣ ଏହାକୁ ସ୍ମରଣ କରିବା ବାହାନାରେ ସମଗ୍ର ଭାରତର ଭାବନା ଏକଜୁଟ ହୋଇ ଯାଇଥାଏ । ଏବଂ ଯେତେବେଳେ ଭାରତର ଭାବ ଆସିଯାଏ,ସେତେବେଳେ ସଂଶୟ ଆଉ କେଉଁଠୁ ବଳିଲା, ଅସମ୍ଭବ ଆଉ କେଉଁଠି ରହିଲା?

ବନ୍ଧୁଗଣ,

ଏହା ମଧ୍ୟ କେବଳ ଏକ ସଂଯୋଗ ନୁହେଁ ଯେ, ଯେତେବେଳେ ବି କାଶୀ ନୂତନ ମୋଡ ନେଇଛି, କିଛି ନୂଆ କରିଛି, ସେତେବେଳେ ଦେଶର ଭାଗ୍ୟ ବଦଳି ଯାଇଛି । ଗତ ୭ ବର୍ଷ ଧରି କାଶୀରେ ଚାଲିଥିବା ବିକାଶର ମହାଯଜ୍ଞ, ଆଜି ଏକ ନୂତନ ଉର୍ଜାକୁ ପ୍ରାପ୍ତ କରୁଛି । କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ, ଭାରତକୁ ଏକ ନିର୍ଣ୍ଣାୟକ ଦିଗ ଦେବ, ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ନେଇଯିବ । ଏହି ପରିସର, ଆମ ସାମର୍ଥ୍ୟର ସାକ୍ଷୀ ଅଟେ, ଆମ କର୍ତବ୍ୟର ସାକ୍ଷୀ ଅଟେ । ଯେତେବେଳେ ସ୍ଥିର କରି ନିଆଯାଏ, ସଙ୍କଳ୍ପ ନିଆଯାଏ ସେତେବେଳେ ଅସମ୍ଭବ ବୋଲି କିିଛି ରୁହେ ନାହିଁ । ପ୍ରତ୍ୟେକ ଭାରତବାସୀଙ୍କ ବାହୁରେ ସେହି ଶକ୍ତି ଅଛି, ଯାହା ଅମ୍ଭବକୁ ସମ୍ଭବ କରିଥାଏ । ଆମେ ତପ ଜାଣୁ, ତପସ୍ୟା ଜାଣୁ, ଦେଶ ପାଇଁ ଦିନରାତି ଏକାଠି କରିଦେବା ଜାଣୁ । ଆହ୍ୱାନ ଯେତେ ବଡ ହେଉ ନା କାହିଁକି, ଆମେ ଭାରତୀୟ ଏକାଠି ହୋଇ ତାକୁ ପରାସ୍ତ କରି ପାରିବା । ବିନାଶକାରୀମାନଙ୍କ ଶକ୍ତି, କେବେ ମଧ୍ୟ ଭାରତର ଶକ୍ତି ଏବଂ ଭାରତର ଭକ୍ତିଠାରୁ ବଡ ହୋଇପାରିବ ନାହିଁ । ମନେ ରଖନ୍ତୁ, ଯେଭଳି ଦୃଷ୍ଟିରେ ଆମେ ନିଜକୁ ଦେଖିବା, ଠିକ୍ ସେହିଭଳି ଦୃଷ୍ଟିରେ ବିଶ୍ୱ ଆମକୁ ଦେଖିବ । ମୁଁ ଖୁସି ଯେ ବର୍ଷ ବର୍ଷ ଧରି ଦାସତ୍ୱ ଆମ ଉପରେ ଯେଉଁ ପ୍ରଭାବ ପକାଇଥିଲା, ଯେଉଁ ହୀନ ଭାବନାରେ ଭାରତକୁ ଭରି ଦିଆଯାଇଥିଲା, ଏବେ ଆଜିର ଭାରତ ସେଥିରୁ ବାହାରକୁ ବାହାରୁଛି । ଆଜିର ଭାରତ  କେବଳ ସୋମନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କରୁନାହିଁ ବରଂ ସମୁଦ୍ରରେ ହଜାର ହଜାର କିଲୋମିଟର ଅପ୍ଟିକାଲ ଫାଇବର ମଧ୍ୟ ବିଛାଉଛି । ଆଜିର ଭାରତ କେବଳ ବାବା କେଦାରନାଥ ମନ୍ଦିରର ଜୀର୍ଣ୍ଣୋଧାର ହିଁ କରୁନାହିଁ ବରଂ ନିଜ ସାମର୍ଥ୍ୟରେ ଭାରତୀୟମାନଙ୍କୁ ମହାକାଶକୁ ପ୍ରେରଣ କରିବାକୁ ପ୍ରସ୍ତୁତ ହେଉଛି । ଆଜିର ଭାରତ କେବଳ ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ତିଆରି କରୁନାହିଁ ବରଂ ଦେଶର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ମଧ୍ୟ ସ୍ଥାପନ କରୁଛି । ଆଜିର ଭାରତ କେବଳ ବାବା ବିଶ୍ୱନାଥ ଧାମକୁ ଭବ୍ୟ ସ୍ୱରୂପ ଦେଉ ନାହିଁ ବରଂ ଗରିବମାନଙ୍କ ପାଇଁ କୋଟି କୋଟି ପକ୍କା ଘର ମଧ୍ୟ ନିର୍ମାଣ କରୁଛି ।

ବନ୍ଧୁଗଣ,

ନୂତନ ଭାରତରେ ନିଜସ୍ୱ ସଂସ୍କୃତିକୁ ନେଇଗର୍ବ ମଧ୍ୟ ଅଛି ଏବଂ ନିଜର ସାମର୍ଥ୍ୟ ଉପରେ ସେତିକି ଭରସା ମଧ୍ୟ ରହିଛି । ନୂତନ ଭାରତରେ ଐତିହ୍ୟ ମଧ୍ୟ ରହିଛି ଏବଂ ବିକାଶ ମଧ୍ୟ ରହିଛି । ଆପଣମାନେ ଦେଖନ୍ତୁ, ଅଯୋଧ୍ୟାରୁ ଜନକପୁରକୁ ଯାତାୟତ ସହଜ କରିବା ପାଇଁ ରାମ- ଜାନକୀ ମାର୍ଗର ନିର୍ମାଣ କରାଯାଉଛି । ଆଜି ଭଗବାନ ରାମଙ୍କ ସହ ଜଡିତ ସ୍ଥାନଗୁଡିକୁ ରାମାୟଣ ସର୍କିଟ ସହ ସଂଯୋଗ କରାଯାଉଛି ଏବଂ ଏଥିସହ ରାମାୟଣ ଟ୍ରେନ୍ ମଧ୍ୟ ଚଳାଚଳ ଆରମ୍ଭ କରାଯାଇଛି । ବୁଦ୍ଧ ସର୍କିଟର କାର୍ଯ୍ୟ ଜାରି ରହିବା ସହିତ କୁଶୀନଗରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ନିର୍ମାଣ କରାଯାଇଛି । କର୍ତାରପୁର ସାହିବ କରିଡରର ନିର୍ମାଣ କରାଯାଇଛି ତ ଅନ୍ୟପକ୍ଷରେ ହେମକୁଣ୍ଡ ସାହିବ ଜୀଙ୍କ ଦର୍ଶନ ସହଜ କରିବା ପାଇଁ ରୋପ୍ ୱେ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଛି । ଉତରାଖଣ୍ଡରେ ଚାରିଧାମ ସଡକ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଭଗବାନ ବିଠଲଙ୍କର କୋଟି କୋଟି ଭକ୍ତଙ୍କ ଆଶୀର୍ବାଦରୁ ଶ୍ରୀସନ୍ଥ ଜ୍ଞାନେଶ୍ୱର ମହାରାଜ ପାଲଖି ମାର୍ଗ ଏବଂ ସନ୍ଥ ତୁକାରାମ ମହାରାଜ ପାଲଖି ମାର୍ଗର ମଧ୍ୟ କାର୍ଯ୍ୟ ଏବେ କିଛି ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଛି ।

ବନ୍ଧୁଗଣ,

କେରଳରେ ଗୁରୁବାୟୁର ମନ୍ଦିର ହେଉ ଅବା ପୁଣି ତାମିଲନାଡୁରେ କାଂଚିପୁରମ ବେଲନକାନି, ତେଲଙ୍ଗାନାର ଜୋଗୁଲାମ୍ବା ଦେବୀ ମନ୍ଦିର ହେଉ ଅଥବା ପୁଣି ପଶ୍ଚିମବଙ୍ଗର ବେଲୁର ମଠ, ଗୁଜରାଟର ଦ୍ୱାରକା ଜୀ ହେଉ ଅବା ପୁଣି ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ, ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆମର ଆସ୍ଥା ଏବଂ ସଂସ୍କୃତି ସହ ଜଡିତ ଏଭଳି ଅନେକ ପବିତ୍ର ସ୍ଥାନରେ ପୂର୍ଣ୍ଣ ଭକ୍ତି ଭାବନା ସହିତ କାର୍ଯ୍ୟ ସମ୍ପନ୍ନ ହୋଇଛି, ଏବଂ କାର୍ଯ୍ୟ ଜାରି ରହିଛି ।

ଭାଇ ଓ ଭଉଣୀମାନେ,

ଆଜିର ଭାରତ ନିଜର ହଜି ଯାଇଥିବା ଐତିହ୍ୟକୁ ପୁଣି ଥରେ ସାଉଁଟୁଛି । ଏଠାରେ କାଶୀରେ ତ ମାତା ଅନ୍ନପୂର୍ଣ୍ଣା ସ୍ୱୟଂ ବିରାଜମାନ । ମୁଁ ଖୁସି ଯେ କାଶୀରୁ ଚୋରି ହୋଇଥିବା ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମା, ଗୋଟିଏ ଶତାଦ୍ଦୀର ଅପେକ୍ଷା ପରେ, ଶହେ ବର୍ଷର ପ୍ରତୀକ୍ଷା ପରେ ଏବେ ପୁଣି କାଶୀରେ ସ୍ଥାପନ କରାଯାଇଛି । ମାତା ଅନ୍ନପୂର୍ଣ୍ଣାଙ୍କ କୃପାରୁ କରୋନାର କଠିନ ସମୟରେ ଦେଶ ନିଜର ଅନ୍ନ ଭଣ୍ଡାର ଖୋଲି ଦେଇଥିଲା, କୌଣସି ଗରିବ ଭୋକିଲା ପେଟରେ ନ ଶୋଉ ଏହାର ଧ୍ୟାନ ରଖାଗଲା, ମାଗଣା ରାସନର ବ୍ୟବସ୍ଥା କରାଗଲା ।

ବନ୍ଧୁଗଣ,

ଯେତେବେଳେ ବି ଆମେ ଭଗବାନଙ୍କ ଦର୍ଶନ କରୁ, ମନ୍ଦିର ଆସୁ, ଅନେକ ଥର ଈଶ୍ୱରଙ୍କଠାରୁ କିଛି ମାଗିଥାଉ, କିଛି ସଙ୍କଳ୍ପ ନେଇ ମଧ୍ୟ ଯାଇଥାଉ । ମୋ ପାଇଁ ତ ଜନତା ଜନାର୍ଦ୍ଦନ ଈଶ୍ୱରଙ୍କ ସ୍ୱରୂପ ଅଟନ୍ତି । ମୋ ପାଇଁ ପ୍ରତ୍ୟେକ ଭାରତବାସୀ, ଈଶ୍ୱରଙ୍କ ଅଂଶ ଅଟନ୍ତି । ଯେମିତି ଏହି ସବୁ ଲୋକମାନେ ଭଗବାନଙ୍କ ନିକଟକୁ ଯାଇ ମାଗନ୍ତି, ଯେତେବେଳେ ମୁଁ ଆପଣମାନଙ୍କୁ ଭଗବାନ ବୋଲି ବିବେଚନା କରେ, ଜନତା ଜନାର୍ଦ୍ଦନଙ୍କୁ ଈଶ୍ୱରଙ୍କ ସ୍ୱରୂପ ବୋଲି ଭାବେ ମାନୁଛି ତ ସେତେବେଳେ ମୁଁ ଆଜି ଆପଣମାନଙ୍କଠାରୁ କିଛି ମାଗିବାକୁ ଚାହୁଁଛି, ମୁଁ ଆପଣମାନଙ୍କୁ କିଛି ମାଗୁଛି । ମୁଁ ଆପଣମାନଙ୍କଠାରୁ ନିଜ ପାଇଁ ନୁହେଁ, ଆମ ଦେଶ ପାଇଁ ତିନିଟି ସଂଙ୍କଳ୍ପ ଚାହୁଁଛି, ଭୁଲି ଯିବେ ନାହିଁ, ତିନିଟି ସଙ୍କଳ୍ପ ଚାହୁଁଛି ଏବଂ ବାବାଙ୍କର ପବିତ୍ର ଭୂମୀରୁ ମାଗୁଛି - ପ୍ରଥମ ସ୍ୱଚ୍ଛତା, ଦ୍ୱିତୀୟ ସୃଜନ ଏବଂ ତୃତୀୟ ଆତ୍ମନିର୍ଭର ଭାରତ ପାଇଁ ନିରନ୍ତର ପ୍ରୟାସ । ସ୍ୱଚ୍ଛତା ଜୀବନର ଶୈଳୀ ଅଟେ, ସ୍ୱଚ୍ଛତା ଅନୁଶାସନ ହୋଇଥାଏ । ଏହା ନିଜ ସହ କର୍ତବ୍ୟର ଏକ ବିଶାଳ ଶୃଙ୍ଖଳା ନେଇ ଆସିଥାଏ । ଭାରତ ଯେତେ ମଧ୍ୟ ବିକାଶ କରୁ, ସ୍ୱଚ୍ଛତା ନ ରହିଲେ, ଆମ ପାଇଁ ଆଗକୁ ବଢିବା କଷ୍ଟକର ହେବ । ଏହି ଦିଗରେ ଆମେ ବହୁତ କିଛି କରିଛୁ, କିନ୍ତୁ ଆମକୁ ଆମ ପ୍ରୟାସଗୁଡିକୁ ଆହୁରି ଗତିଶୀଳ କରାଇବାକୁ ପଡିବ । କର୍ତବ୍ୟର ଭାବନାରେ ଭରା ଆପଣଙ୍କର ଛୋଟ ପ୍ରୟାସ, ଦେଶକୁ ଅନେକ ସାହଯ୍ୟ କରିବ । ଏଠାରେ ବନାରସରେ ମଧ୍ୟ, ସହରରେ, ଘାଟରେ, ସ୍ୱଚ୍ଛତାକୁ ଆମକୁ ଏକ ନୂତନ ସ୍ତର ପର୍ଯ୍ୟନ୍ତ ନେଇ ଯିବାକୁ ହେବ । ଗଙ୍ଗା ମାତାଙ୍କ ସ୍ୱଚ୍ଛତା ପାଇଁ ଉତରାଖଣ୍ଡରୁ ନେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ କେତେ ଯେ ପ୍ରୟାସ କରାଯାଉଛି । ନମାମି ଗଙ୍ଗେ ଅଭିଯାନର ସଫଳତା ଅତୁଟ ରହୁ, ସେଥିପାଇଁ ଆମକୁ ସଜାଗ ହୋଇ କାମ କରିବାକୁ ପଡିବ ।

ବନ୍ଧୁଗଣ,

ଦାସତ୍ୱର ଦୀର୍ଘ କାଳଖଣ୍ଡ ଆମ ଭାରତୀୟମାନଙ୍କ ଆତ୍ମବିଶ୍ୱାସକୁ ଏଭଳି ଭାଙ୍ଗିଦେଇଥିଲା ଯେ ଆମେ ନିଜର ସୃଜନ ଉପରୁ ବିଶ୍ୱାସ ହରାଇ ଦେଇଥିଲୁ । ଆଜି ହଜାର ବର୍ଷ ପୁରୁଣା ଏହି କାଶୀରୁ, ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ ଆହ୍ୱାନ କରୁଛି – ସମ୍ପୁର୍ଣ୍ଣ ଆତ୍ମବିଶ୍ୱାସର ସହିତ ସୃଷ୍ଟି କରନ୍ତୁ, ନବ ସୃଜନ କରନ୍ତୁ,  ଅଭିନବ ଉପାୟରେ କରନ୍ତୁ ।  ଯେତେବେଳେ ଭାରତର ଯୁବା କରୋନାର ଏହି ସଙ୍କଟ କାଳରେ ଶହ ଶହ ଷ୍ଟାର୍ଟ ଅପ୍ ସୃଷ୍ଟି କରିପାରେ, ଏତେଗୁଡିଏ ଆହ୍ୱାନ ମଧ୍ୟରେ, ୪୦ରୁ ଅଧିକ ୟୁନିକର୍ଣ୍ଣ ପ୍ରସ୍ତୁତ କରିପାରେ, ତାହା ମଧ୍ୟ ଏହା ଦର୍ଶାଉଛି ଯେ ଭାରତର ଯୁବପିଢୀ କିଛି ବି କରିପାରେ । ଆପଣମାନେ ଚିନ୍ତା କରନ୍ତୁ, ଗୋଟିଏ ୟୁନିକର୍ଣ୍ଣ ଅର୍ଥାତ୍ ଷ୍ଟାର୍ଟ ଅପ୍ ପ୍ରାୟ ସାତ ସାତ ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ମୂଲ୍ୟର ଅଟେ ଏବଂ ଗତ ବର୍ଷେ ଦେଢ ବର୍ଷ ମଧ୍ୟରେ ଏହା ସମ୍ପୁର୍ଣ୍ଣ ହୋଇଛି, ଏତେ କମ୍ ସମୟ ମଧ୍ୟରେ । ଏହା ଅଭୂତପୂର୍ବ ଅଟେ । ପ୍ରତ୍ୟେକ ଭାରତବାସୀ, ଯେଉଁଠାରେ ବି ଥାଆନ୍ତୁ, ଯେଉଁ କ୍ଷେତ୍ରରେ ବି ଥାଆନ୍ତୁ, ଯଦି ଦେଶ ପାଇଁ କିଛି ନୂଆ କରିବାର ପ୍ରୟାସ କରିବେ, ସେତେବେଳେ ଯାଇ ନୂତନ ମାର୍ଗ ମିଳିବ, ନୂତନ ମାର୍ଗ ପ୍ରସ୍ତୁତ ହେବ, ଏବଂ ସବୁ ପ୍ରକାର ନୂତନ ଲକ୍ଷ୍ୟ ହାସଲ  କରିପାରିବେ ।

ଭାଇ ଓ ଭଉଣୀମାନେ,

ଆଜି ଆମକୁ ଯେଉଁ ତୃତୀୟ ସଙ୍କଳ୍ପଟି ନେବାକୁ ହେବ, ତାହା ହେଉଛି ଆତ୍ମନିର୍ଭର ଭାରତ ପାଇଁ ନିଜର ପ୍ରୟାସ ବୃଦ୍ଧି । ଏହା ହେଉଛି ସ୍ୱାଧୀନତାର ଅମୃତ କାଳ । ଆମେ ସ୍ୱାଧୀନତାର ୭୫ ତମ ବର୍ଷରେ ପଦାର୍ପଣ କରିଛେ । ଯେତେବେଳେ ଭାରତ ଶହେ ବର୍ଷର ସ୍ୱାଧୀନତାର ସମାରୋହ ପାଳନ କରିବ, ସେତେବେଳର ଭାରତ କିପରି ହେବ, ସେଥିପାଇଁ ଆମକୁ ଏବେଠାରୁ କାମ କରିବାକୁ ପଡିବ । ଏବଂ ଏଥିପାଇଁ ଆମକୁ ଆବଶ୍ୟକ ହେଉଛି ଆତ୍ମନିର୍ଭରଶୀଳ ହେବା । ଯେତେବେଳେ ଆମେ ଦେଶରେ ପ୍ରସ୍ତୁତ ଜିନିଷକୁ ନେଇ ଗର୍ବ କରିବା, ଯେତେବେଳେ ଆମେ ଲୋକାଲ ପାଇଁ ଭୋକାଲ ହେବା, ଯେତେବେଳେ ଆମେ ଏଭଳି ଜିନିଷ କ୍ରୟ କରିବା ଯାହାକୁ ପ୍ରସ୍ତୁତ କରିବା ପାଇଁ କୌଣସି ଭାରତୀୟ ନିଜର ଝାଳ ବୁହାଇଥିବ ସେତେବେଳେ ଯାଇ ଏହି ଅଭିଯାନକୁ ସଫଳତା ମିଳିବ । ଅମୃତକାଳରେ ଭାରତ ୧୩୦ କୋଟି ଦେଶବାସୀଙ୍କ ପ୍ରୟାସ ସହ ଆଗକୁ ବଢି ଚାଲିଛି । ମହାଦେବଙ୍କ କୃପାରୁ, ପ୍ରତ୍ୟେକ ଭାରତବାସୀଙ୍କ ପ୍ରୟାସ ଦ୍ୱାରା ଆମେ ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର ହେଉଥିବାର ଦେଖିବା । ଏହି ବିଶ୍ୱାସ ସହିତ, ମୁଁ ବାବା ବିଶ୍ୱନାଥଙ୍କ, ମାତା ଅନ୍ନପୂର୍ଣ୍ଣାଙ୍କ, କାଶୀର ପ୍ରହରୀଙ୍କ, ଏବଂ ସମସ୍ତ ଦେବାଦେବୀଙ୍କ ଚରଣରେ ପୁଣି ଥରେ ପ୍ରଣାମ କରୁଛି । ଏତେ ବଡ ସଂଖ୍ୟାରେ ଦେଶର ଭିନ୍ନ ଭିନ୍ନ କୋଣ ଅନୁକୋଣରୁ ପୂଜ୍ୟ ସନ୍ଥ ମହାତ୍ମାମାନେ ଆସିଛନ୍ତି, ଏହା ଆମ ପାଇଁ, ମୋ ଭଳି ସାମାନ୍ୟ ନାଗରିକଙ୍କ ପାଇଁ ସୌଭାଗ୍ୟର ମୁହୂର୍ତ ଅଟେ । ମୁଁ ସବୁ ସନ୍ଥମାନଙ୍କୁ, ସମସ୍ତ ପୂଜ୍ୟ ମହାତ୍ମାମାନଙ୍କୁ ମଥାନତ କରି ହୃଦୟରୁ ଅଭିନନ୍ଦନ ଜଣାଉଛି, ପ୍ରଣାମ କରୁଛି । ମୁଁ ଆଜି ସମସ୍ତ କାଶୀବାସୀଙ୍କୁ, ଦେଶବାସୀଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଉଛି, ଅନେକ ଅନେକ ଶୁଭକାମନା କରୁଛି । ହର ହର ମହାଦେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sergio Gor Credits PM Modi-Trump Friendship For India-US Trade Deal

Media Coverage

Sergio Gor Credits PM Modi-Trump Friendship For India-US Trade Deal
NM on the go

Nm on the go

Always be the first to hear from the PM. Get the App Now!
...
PM Modi receives a telephone call from the Prime Minister of Mauritius
February 09, 2026
The two leaders review progress in bilateral cooperation since their last meeting in Varanasi in September 2025.
They reaffirm their shared commitment to further advancing the India-Mauritius Enhanced Strategic Partnership.
PM Modi reiterates India’s continued support for Mauritius’ development priorities.
Both leaders agree to work closely towards peace and stability in the Indian Ocean Region.
PM Modi conveys that he looks forward to welcoming him in Delhi for the AI Impact Summit next week.

Prime Minister Shri Narendra Modi received a telephone call today from the Prime Minister of the Republic of Mauritius, H.E. Dr. Navinchandra Ramgoolam..

The two leaders reviewed progress in the wide-ranging bilateral cooperation since their last meeting in Varanasi in September 2025 with an emphasis on development partnership, capacity building and people-to-people exchanges.

They reaffirmed their shared commitment to further advancing the Enhanced Strategic Partnership between India and Mauritius for the benefit of the two peoples.

Prime Minister Modi reiterated India’s continued support for Mauritius’ development priorities in line with Vision MAHASAGAR, India’s Neighbourhood First policy and shared commitment to the Global South.

Both leaders agreed to continue working closely to achieve the shared objectives of peace and stability in the Indian Ocean Region.

Prime Minister Modi conveyed that he looked forward to welcoming him in Delhi for the AI Impact Summit next week.