ମଧ୍ୟପ୍ରଦେଶ, ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ
ଭୋପାଳରେ ରାଣୀ କମଳାପତି ପୁନର୍ବନ୍ୟାସ ରେଳଷ୍ଟେସକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
ରେଳପଥ ଦୋହରୀକରଣ ଓ ବିଦ୍ୟୁତୀକରଣ ଉଜ୍ଜୟନୀ-ଫତେହବାଦ ଚନ୍ଦ୍ରବତୀଗଞ୍ଜ ଓସାରିଆ ସେକ୍ସନ, ଭୋପାଳ-ବାରଖେରା ସେକ୍ସନର ତୃତୀୟ ଲାଇନ, ବିଦ୍ୟୁତୀକରଣ ଓ ଓସାରିଆ ମାଖେରା-ନିମାର ଖେରୀ ତୃତୀୟ ଲାଇନ, ବିଦୁତିକରଣ ଓ ଓସାରିଆ ମାଖେଲା-ନିମାଇ ଖେରୀ ସେକ୍ସନ, ଗୁନା-ଗୋଆଲିୟର ବିଦ୍ୟୁତିକରଣ ସେକ୍ସନ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ
“ଆଜିର ଘଟଣା ଗୌରବମୟ ଇତିହାସ ଓ ସମୃଦ୍ଧ ଆଧୁନିକ ଭାରତ ସଂଗମର ପ୍ରତୀକ”
“ଯେତେବେଳେ ଦେଶ ନିଷ୍ଠାପର ଭାବେ ସଂକଳ୍ପଗୁଡିକୁ ବାସ୍ତବରେ ପରିଣତ କରିବାକୁ ଚାହେଁ ସେତେବେଳେ ବିକାଶ ପରିବର୍ତନ ଘଟାଏ ଓ ଆମେ ଏହା ଗତ କିଛି ବର୍ଷ ହେବ ଦେଖି ଆସୁଛୁ”
“ଯେଉଁ ସୁବିଧା ଆଗରୁ କେବଳ ବିମାନଘାଟୀରେ ଉପଲବ୍ଧ ହେଉଥିଲା ତାହା ଆଜି ରେଳ ଷ୍ଟେସନରେ ମିଳୁଛି”
ଉଜ୍ଜୟିନୀ ଓ ଇନ୍ଦୋର ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ
“ଆମେ ସୁନିଶ୍ଚିତ କରୁଛୁ ପ୍ରକଳ୍ପଗୁଡିକ ଯେପରି ବିଳମ୍ବିତ ନ ହୁଏ ବା ସେଥିରେ କୌଣସି ବାଧାବିଘ୍ନ ନ ଆସେ । ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ଏହି ସଂକଳ୍ପ ବାସ୍ତବତାରେ ପରିଣତ ପାଇଁ ଦେଶକୁ ସାହାଯ୍ୟ କରିବ”

     

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ ଜୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜୀ, କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଠାରେ ଉପସ୍ଥିତ ଅନ୍ୟାନ୍ୟ ମହାନୁଭବ, ଭାଇ ଏବଂ ଭଉଣୀମାନେ ।

ଆଜିର ଦିନ ଭୋପାଳ ପାଇଁ, ମଧ୍ୟପ୍ରଦେଶ ପାଇଁ, ସମଗ୍ର ଦେଶ ପାଇଁ ଗୌରବମୟ ଇତିହାସ ଏବଂ ବୈଭବଶାଳୀ ଭବିଷ୍ୟତର ଦିନ ଅଟେ । ଭାରତୀୟ ରେଳର ଭବିଷ୍ୟତ କେତେ ଆଧୁନିକ, କେତେ ଉଜ୍ୱଳ, ଏହାର ପ୍ରତିବିମ୍ବ ଭୋପାଳର ଏହି ଭବ୍ୟ ରେଳଷ୍ଟେସନକୁ ଯିଏ ବି ଆସିବ ତାକୁ ଦେଖାଯିବ । ଭୋପାଳର ଏହି ଐତିହାସିକ ରେଳଷ୍ଟେସନ କେବଳ କାୟାକଳ୍ପ ହିଁ ହୋଇନାହିଁ, ବରଂ ଗିନ୍ନୌରଗଡ଼ର ରାଣୀ, କମଳାପତିଙ୍କ ନାମ ଏହା ସହ ଯୋଡ଼ିହେବା ଦ୍ୱାରା ଏହାର ମହତ୍ୱ ମଧ୍ୟ ଆହୁରି ବଢ଼ିଯାଇଛି । ଗୋଣ୍ଡୱାନାର ଗୌରବ ସହିତ ଭାରତୀୟ ରେଳର ଗୌରବ ମଧ୍ୟ ଯୋଡ଼ି ହୋଇଗଲା । ଏହା ମଧ୍ୟ ଏମିତି ଏକ ସମୟରେ ହୋଇଛି, ଯେତେବେଳେ ଆଜି ଦେଶ ଜନଜାତୀୟ ଗୌରବ ଦିବସ ପାଳନ କରୁଛି । ଏଥିପାଇଁ ମଧ୍ୟପ୍ରଦେଶର ସମସ୍ତ ଭାଇ-ଭଉଣୀମାନଙ୍କୁ, ବିଶେଷ ଭାବେ ଜନଜାତୀୟ ସମାଜକୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ଭୋପାଳ-ରାଣୀ କମଳାପତି-ବରଖେଡ଼ା ଲାଇନକୁ ତିନିଥାକିଆ କରିବା, ଗୁନା-ଗ୍ୱାଲିୟର ଖଣ୍ଡର ବିଦୁତକରଣ ଫତେହାବାଦ ଚନ୍ଦାବତୀ ଗଞ୍ଜ-ଉଜ୍ଜେନ ଏବଂ ମଥେଲା-ନିମାରଖେଡି ଖଣ୍ଡର ବିଦୁତକରଣ ଏବଂ ତାହାକୁ ବ୍ରଡଗେଜରେ ପରିବର୍ତ୍ତନ କରିବା ପାଇଁ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି । ଏହି ସମସ୍ତ ସୁବିଧା ହେବା ଦ୍ୱାରା ମଧ୍ୟପ୍ରଦେଶର ସବୁଠାରୁ ବ୍ୟସ୍ତ ରେଳ ରାସ୍ତାରେ ଯିବା ଆସିବା ଚାପ କମ ପଡ଼ିବ ଏବଂ ପର୍ଯ୍ୟଟନ-ତୀର୍ଥସ୍ଥଳୀ ପାଇଁ ପ୍ରମୁଖ ସ୍ଥାନଗୁଡ଼ିକର ସଂଯୋଗୀକରଣ ଅଧିକ ସଶକ୍ତ ହେବ । ବିଶେଷ ଭାବେ ମହାକାଳର ନଗରୀ ଉଜ୍ଜେନ ଏବଂ ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନେ୍ଦାର ମଧ୍ୟରେ ମେମୁ ସେବା ଆରମ୍ଭ ହେବା ଦ୍ୱାରା ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ହଜାର ହଜାର ଯାତ୍ରୀମାନଙ୍କର ସିଧାସଳଖ ଲାଭ ହେବ । ବର୍ତ୍ତମାନ ଇନେ୍ଦାରବାସୀ ମହାକାଳଙ୍କୁ ଦର୍ଶନ କରି ସମୟାନୁଯାୟୀ ଫେରି ମଧ୍ୟ ପାରିବେ । ଆଜି ଯେଉଁ କର୍ମଚାରୀ, ବ୍ୟବସାୟୀ, ଶ୍ରମିକ ସାଥୀ ସବୁଦିନ ଯିବା-ଆସିବା କରୁଛନ୍ତି, ସେମାନଙ୍କୁ ମଧ୍ୟ ବହୁତ ବଡ଼ ସୁବିଧା ହେବ ।

ଭାଇ ଏବଂ ଭଉଣୀମାନେ,

ଭାରତ କେମିତି ବଦଳୁଛି, ସ୍ୱପ୍ନ କେମିତି ସତ ହେଉଛି, ଏହା ଦେଖିବା ପାଇଁ ଭାରତୀୟ ରେଳ ହେଉଛି ଏକ ଉଦାହରଣ । ୬-୭ ବର୍ଷ ପୂର୍ବରୁ ଯିଏ ମଧ୍ୟ ଭାରତୀୟ ରେଳ ସହ ଯୋଡ଼ି ହେଉଥିଲା, ସେ ଭାରତୀୟ ରେଳକୁ ବିରକ୍ତି ପ୍ରକାଶ କରି, ସବୁବେଳେ କିଛି ନା କିଛି କହିବାର ନଜରକୁ ଆସୁଥିଲା । ଷ୍ଟେସନରେ ଗହଳ-ଚହଳ, ଆବର୍ଜନା, ଟ୍ରେନକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାର ଚିନ୍ତା, ଷ୍ଟେସନରେ ବସିବାରେ, ଖାଇବା-ପିଇବାରେ ଅସୁବିଧା, ଟ୍ରେନ ଭିତରେ ମଧ୍ୟ ଆବର୍ଜନା, ସୁରକ୍ଷା ପାଇଁ ଚିନ୍ତା, ଆପଣମାନେ ଦେଖିଥିବେ ଲୋକେ ବ୍ୟାଗ ସହିତ ଚେନ ମଧ୍ୟ ନେଇ ଆସିଥାନ୍ତି, ତାଲା ପକାଉଥିଲେ, ଦୁର୍ଘଟଣାର ଭୟ, ଏହି ସବୁକିଛି... ଅର୍ଥାତ ରେଲୱେ କହିବା ମାତ୍ରେ ଏହାସବୁ ମନ ମଧ୍ୟକୁ ଏଭଳି ଏକ ଛବି ଆସିଯାଉଥିଲା କିନ୍ତୁ ସ୍ଥିତି ଏମିତି ହୋଇଗଲା ଯେ ଲୋକମାନେ ଏଭଳି ସ୍ଥିତି ବଦଳିବାର ଆଶା ମଧ୍ୟ ଛାଡ଼ି ଦେଇଥିଲେ । ଲୋକମାନେ ମାନିନେଲେ ଯେ ଛାଡ଼ ଭାଇ ଏମିତି ହିଁ ଚଳିବାକୁ ପଡ଼ିବ । ଏହାସବୁ ଏମିତି ହିଁ ଚାଲିବ । କିନ୍ତୁ ଯେତେବେଳେ ଦେଶ ନିଷ୍ଠାର ସହିତ ସଂକଳ୍ପରୁ ସିଦ୍ଧି ପାଇଁ ଯୋଡ଼ି ହୋଇଥାଏ ସେତେବେଳେ ସୁଧାର ଆସେ, ପରିବର୍ତ୍ତନ ହୁଏ, ଏହା ଆମେ ବିଗତ ବର୍ଷଗୁଡ଼ିକରେ ନିରନ୍ତର ଦେଖିଆସିଛୁ ।

ବନ୍ଧୁଗଣ,

ଦେଶର ସାଧାରଣ ଜନତାଙ୍କୁ, ଆଧୁନିକ ଅନୁଭବ ଦେବାରେ ଯେଉଁ ପଦକ୍ଷେପ ନେଇଛୁ, ଏଥିପାଇଁ ଦିନ ରାତି ଯେଉଁ ପରିଶ୍ରମ କରାଯାଉଛି, ତାହାର ପରିଣାମ ଏବେ ଦେଖିବାକୁ ମିଳୁଛି । କିଛିମାସ ପୂର୍ବରୁ ଗୁଜୁରାଟର ଗାନ୍ଧୀ ନଗର ରେଳ ଷ୍ଟେସନର ନବକଳେବର ଦେଶ ଏବଂ ଦୁନିଆ ଦେଖିଥିଲା । ଆଜି ମଧ୍ୟପ୍ରଦେଶରେ ଭୋପାଳ ରାଣୀ କମଳାପତି ରେଳ ଷ୍ଟେସନ ଭାବରେ ଦେଶର ପ୍ରଥମ ଆଇଏସଓ ସ୍ୱୀକୃତିପ୍ରାପ୍ତ, ଦେଶର ପ୍ରଥମ ପିପିପି ମୋଡରେ ଆଧାରିତ ରେଳ ଷ୍ଟେସନ ଦେଶ ଉଦେଶ୍ୟରେ ସମର୍ପିତ କରାଯାଇଛି । ଯେଉଁ ସୁବିଧା ଆଗରୁ ବିମାନବନ୍ଦରରେ ମିଳୁଥିଲା ତାହା ଆଜି ରେଳ ଷ୍ଟେସନରେ ମିଳୁଛି । ଅତ୍ୟାଧୁନିକ ପାଇଖାନା, ସୁସ୍ୱାଦୁ ଭୋଜନ, ସପିଂ-କମ୍ପ୍ଲେକ୍ସ, ହୋଟେଲ, ମିଉଜିୟମ, ଗେମିଂ ଜୋନ, ହସ୍ପିଟାଲ, ମଲ, ସ୍ମାର୍ଟ ପାର୍କିଂ ଏପରି ସମସ୍ତ ସୁବିଧା ଏଠାରେ ବିକଶିତ କରାଯାଉଛି । ଏଥିରେ ଭାରତୀୟ ରେଳ ପ୍ରଥମ ସେଣ୍ଟ୍ରାଲ ଏୟାର କନକୋର୍ସ ତିଆରି କରାଯାଇଛି । ଏହି କନକୋର୍ସରେ ଶହ ଶହ ଯାତ୍ରୀ ଏକାଠି ବସି ଟ୍ରେନର ପ୍ରତୀକ୍ଷା କରିପାରିବେ ଏବଂ ବିଶେଷ କଥା ହେଉଛି ଯେ ସମସ୍ତ ପ୍ଲାଟଫର୍ମ ଏହି କନକୋର୍ସ ସହ ଯୋଡ଼ି ହୋଇଛି । ଏଥିପାଇଁ ଯାତ୍ରୀମାନଙ୍କୁ ଅନାବଶ୍ୟକ ଭାବେ ଦଉଡ଼ା ଦଉଡ଼ି କରିବାକୁ ପଡ଼ିବ ନାହିଁ ।

ଭାଇ ଏବଂ ଭଉଣୀମାନେ,

ଏମିତି ହିଁ ଭିତ୍ତିଭୂମି କରାଯାଇଛି, ଏମିତି ହିଁ ସୁବିଧା କରାଯାଇଛି, ଯେମିତିକି ଦେଶର ସାଧାରଣ ଟିକସଦାତା, ଦେଶର ମଧ୍ୟବିତ ଶ୍ରେଣୀ ସବୁବେଳେ ଆଶାବାଦୀ ରହିଥାନ୍ତି । ଏହା ଟିକସଦାତାଙ୍କ ପ୍ରକୃତ ସମ୍ମାନ । ଭିଆଇପି ଶ୍ରେଣୀରୁ EPI ଅର୍ଥାତ Every Person is Important ଆଡ଼କୁ ଯିବାର ଏହା ହେଉଛି ଏକ ପରିବର୍ତ୍ତିତ ମଡେଲ । ରେଳ ଷ୍ଟେସନର ସମ୍ପୂର୍ଣ୍ଣ ଇକୋ ସିଷ୍ଟମକୁ ଏହିଭଳି ଭାବେ ପରିବତ୍ତନ କରିବା ପାଇଁ ଆଜି ଦେଶରେ ୧୭୫ରୁ ଅଧିକ ରେଳ ଷ୍ଟେସନର କାୟାକଳ୍ପ କରାଯାଉଛି ।

ବନ୍ଧୁଗଣ,

ଆତ୍ମନିର୍ଭର ଭାରତର ସଂକଳ୍ପ ସହିତ ଆଜି ଭାରତ, ଆଗାମୀ ବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରୁଛି । ବଡ଼ ଲକ୍ଷ୍ୟ ନେଇ କାମ କରୁଛି । ଆଜିର ଭାରତ, ଆଧୁନିକ ଭିତ୍ତିଭୂମି ନିର୍ମାଣ କରିବାରେ ରେକର୍ଡ ପରିମାଣରେ ବିନିଯୋଗ କରୁଛି । ଏହା ମଧ୍ୟ ସୁନିଶ୍ଚିତ କରୁଛି ଯେ ପ୍ରକଳ୍ପରେ ବିଳମ୍ବ ନ ହେଉ, କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି ନ ହେଉ । ନିକଟରେ ଆରମ୍ଭ ହୋଇଥିବା ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ, ଏହି ସଂକଳ୍ପରୁ ସିଦ୍ଧିରେ ଦେଶର ସହାୟତା କରିବ । ଭିତ୍ତିଭୂମି ସହ ଯୋଡ଼ି ହୋଇଥିବା ସରକାରଙ୍କ ନୀତି ହେଉ, ବଡ଼ ପ୍ରକଳ୍ପର ପ୍ଲାନିଂ ହେଉ, ସେଗୁଡ଼ିକ ଉପରେ କାମ କରିବା କଥା ହେଉ ଏସବୁକୁ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ସମସ୍ତଙ୍କର ମାର୍ଗଦର୍ଶନ କରିବ । ଯେତେବେଳେ ଆମେ ମାଷ୍ଟର ପ୍ଲାନକୁ ଆଧାର କରି ଚାଲିବୁ, ସେତେବେଳେ ଦେଶର ସମ୍ବଳର ସଠିକ ଉପଯୋଗ ହେବ । ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ଅନ୍ତର୍ଗତ ସରକାର ଭିନ୍ନ ଭିନ୍ନ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଯାଉଛନ୍ତି । ଭିନ୍ନ ଭିନ୍ନ ପ୍ରକଳ୍ପର ସୂଚନା, ସବୁ ବିଭାଗକୁ ସମୟାନୁଯାୟୀ ମିଳୁ । ଏଥିପାଇଁ ମଧ୍ୟ ବ୍ୟବସ୍ଥା ତିଆରି କରାଯାଇଛି ।

ବନ୍ଧୁଗଣ,

ରେଳ ଷ୍ଟେସନର ପୁନଃ ଉନ୍ନତିକରଣର ଏହି ଅଭିଯାନ ମଧ୍ୟ କେବଳ ଷ୍ଟେସନର ସୁବିଧା ମଧ୍ୟରେ ସୀମିତ ନାହିଁ, ବରଂ ଏଭଳି ନିର୍ମାଣ, ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନର ମଧ୍ୟ ଅଂଶବିଶେଷ ଅଟେ । ଏହି ଆଜାଦୀର ଅମୃତ କାଳରେ, ଏଭଳି ଭିତ୍ତିଭୂମି ନିର୍ମାଣର ଅଭିଯାନ ହେଉଛି, ଯାହା ଦେଶର ବିକାଶରେ ଅଭୁତପୂର୍ବ ପ୍ରଗତି ଆଣିଦେବ । ଏହି ଗତିଶକ୍ତି ହେଉଛି ମଲ୍ଟି ମଡେଲ ସଂଯୋଗୀକରଣ ପାଇଁ, ଏକ ସାମଗ୍ରିକ ଭିତ୍ତିଭୂମି ପାଇଁ । ଏବେ ଯେମିତି ରାଣୀ କମଳାପତି ରେଳ ଷ୍ଟେସନକୁ ଆପ୍ରୋଚ ରୋଡ ସହ ସଂଯୋଗ କରାଯାଇଛି ଏଠାରେ ବହୁ ସଂଖ୍ୟାରେ ପାର୍କିଂର ସୁବିଧା କରାଯାଇଛି । ଭୋପାଳ ମେଟ୍ରୋରୁ ମଧ୍ୟ ଏହାର ସଂଯୋଗୀକରଣ ସୁନିଶ୍ଚିତ କରାଯାଉଛି । ବସ୍ ମୋଡ ସହିତ ରେଳ ଷ୍ଟେସନର ଏକୀକରଣ ପାଇଁ ଷ୍ଟେସନକୁ ଦୁଇପଟୁ ବିଆରଟିଏସ ରାସ୍ତାର ସୁବିଧା କରାଯାଇଛି । ଅର୍ଥାତ ଟ୍ରାଭେଲ ହେଉ ବା ଲଜିଷ୍ଟିକ୍ସ, ସବୁକିଛି ସରଳ, ସହଜ ହେଉ, ନିରନ୍ତର ହେଉ, ଏହି ପ୍ରୟାସ କରାଯାଉଛି । ଏହା ସାଧାରଣ ଭାରତ ପାଇଁ, ସାଧାରଣ ହିନ୍ଦୁସ୍ଥାନୀ ପାଇଁ ଜୀଇଁବାର ସୁଗମତା ସୁନିଶ୍ଚିତ କରିପାରିବ । ମୋତେ ଖୁସି ଲାଗୁଛି ଯେ ରେଳବାଇର ଅନେକ ପ୍ରକଳ୍ପଗୁଡ଼ିକୁ ଏଭଳି ଭାବେ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ସହ ଯୋଡ଼ାଯାଉଛି ।

ବନ୍ଧୁଗଣ,

ଏଭଳି ଏକ ସମୟ ଥିଲା ଯେତେବେଳେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଡ୍ରଇଁ ବୋର୍ଡରୁ ଆଣି ସେଗୁଡ଼ିକୁ ସାକାର କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଉଥିଲା । ମୁଁ ପ୍ରତି ମାସରେ ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ସମୀକ୍ଷା କରିଥାଏ ଯେ କେଉଁ ପ୍ରକଳ୍ପ କେତେ ପର୍ଯ୍ୟନ୍ତ ପହଂଚିଛି । ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବ ମୋ ଆଗକୁ ଏମିତି କିଛି ରେଳ ପ୍ରକଳ୍ପ ଆସିଛି ୩୫-୪ଠ ବର୍ଷ ପୂର୍ବରୁ ଘୋଷଣା କରାଯାଇଥିଲା । କିନ୍ତୁ କାଗଜରେ ଗାରଟିଏ ମଧ୍ୟ ଟଣା ଯାଇନାହିଁ- ୪ଠ ବର୍ଷ ହୋଇଯାଇଛି । ଆଉ ଏବେ ଏହି କାମ ମୋତେ ମଧ୍ୟ କରିବାକୁ ପଡୁଛି, ମୁଁ କରିବି, ଆପଣମାନଙ୍କୁ ଭରସା ଦେଉଛି । କିନ୍ତୁ ଆଜି ଭାରତୀୟ ରେଳବାଇ ବ୍ୟଗ୍ରତାର ସହିତ ନୂଆ ପ୍ରକଳ୍ପର ପ୍ଲାନିଂ କରିଛି, ସେତିକି ଗମ୍ଭୀରତାର ସହିତ ସେଗୁଡ଼ିକୁ ଠିକ ସମୟରେ ପୂରଣ କରିବାକୁ ପଡ଼ିବ ।

ଇଷ୍ଟର୍ଣ୍ଣ ଏବଂ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଡ୍ କରିଡର ଏହାର ଏକ ବହୁତ ସଠିକ ଉଦାହରଣ ଅଟେ । ଦେଶରେ ପରିବର୍ତ୍ତନର ଚିତ୍ର ବଦଳିବାର ସାମର୍ଥ୍ୟ ରଖୁଥିବା ଏହି ଭିତ୍ତିଭୂମିର ପ୍ରକଳ୍ପ ଉପରେ ଅନେକ ବର୍ଷ ପର୍ଯ୍ୟନ୍ତ ଯଥାଶୀଘ୍ର କାମ ହୋଇପାରିନାହିଁ । କିନ୍ତୁ ୬-୭ ବର୍ଷ ମଧ୍ୟରେ ୧୧ଠଠ କିଲୋମିଟରରୁ ଅଧିକ ରେଳପଥକୁ ସମ୍ପୂର୍ଣ୍ଣ କରାଯାଇଛି ଏବଂ ବାକି ରହିଥିବା ସ୍ଥାନଗୁଡ଼ିକର ବହୁତ ଜୋରରେ କାର୍ଯ୍ୟ ଅବ୍ୟାହତ ରହିଛି ।

ବନ୍ଧୁଗଣ,

କାର୍ଯ୍ୟର ଏହି ଗତି ଆଜି ଅନ୍ୟ ପ୍ରକଳ୍ପରେ ମଧ୍ୟ ଦେଖାଯାଉଛି । ଗତ ୭ ବର୍ଷରେ ପ୍ରତ୍ୟେକ ବର୍ଷ ହାରାହାରି ୨୫ଠଠ କିଲୋମିଟର ଟ୍ରାକ କମିସନ କରାଯାଇଛି ଯାହାକି ଏହା ପୂର୍ବ ବର୍ଷରେ ୧୫ଠଠ କିଲୋମିଟର ପାଖାପାଖି ହୋଇଥିଲା । ପୂର୍ବ ତୁଳନାରେ ଏହି ବର୍ଷଗୁଡ଼ିକରେ ରେଳ ଟ୍ରାକର ବିଦୁ୍ୟତିକରଣର ବେଗ ୫ ଗୁଣରୁ ଅଧିକ ହୋଇଛି । ମଧ୍ୟ ପ୍ରଦେଶରେ ମଧ୍ୟ ରେଳର ୩୫ଟି ପ୍ରକଳ୍ପରେ ପାଖାପାଖି ୧୧୨୫ କିଲୋମିଟରର ପ୍ରକଳ୍ପ କମିଶନ ଆରମ୍ଭ ହୋଇସାରିଛି ।

ବନ୍ଧୁଗଣ,

ଦେଶରେ ସଶକ୍ତ ହେଉଥିବା ରେଳ ଭିତ୍ତିଭୂମିର ଲାଭ ଚାଷୀକୂଳକୁ ହେଉଛି, ବିଦ୍ୟାର୍ଥୀଙ୍କୁ ହେଉଛି, ବ୍ୟବସାୟୀ-ଉଦ୍ୟୋଗୀଙ୍କୁ ହେଉଛି । ଆଜି ଆମେ ଦେଖୁଛୁ ଯେ କିଭଳି ଭାବେ ଚାଷୀ ରେଳ ମାଧ୍ୟମରେ ଦେଶର କୋଣ-ଅନୁକୋଣରୁ ଚାଷୀ, ଦୂର-ଦୂରାନ୍ତର ଜାଗା ପର୍ଯ୍ୟନ୍ତ ନିଜ ଉତ୍ପାଦ ପଠାଇ ପାରୁଛନ୍ତି । ଚାଷୀଙ୍କର ମାଲ ପରିବହନ ଉପରେ ରେଳବାଇ ଦ୍ୱାରା ଅନେକ ରିହାତି ଦିଆଯାଉଛି । ଏହାର ବହୁତ ଲାଭ ଦେଶର ଛୋଟ ଚାଷୀମାନଙ୍କୁ ମଧ୍ୟ ହେଉଛି । ସେମାନଙ୍କୁ ନୂଆ ବଜାର ମିଳୁଛି, ସେମାନଙ୍କୁ ନୂଆ ସାମର୍ଥ୍ୟ ମିଳୁଛି ।

ବନ୍ଧୁଗଣ,

ଭାରତୀୟ ରେଳ କେବଳ ଦୂରତାକୁ ସଂଯୋଗ କରିବାର ମାଧ୍ୟମ ନୁହେଁ, ବରଂ ସେ ଦେଶର ସଂସ୍କୃତି, ଦେଶର ପର୍ଯ୍ୟନ, ଦେଶର ତୀର୍ଥ ସ୍ଥଳୀଗୁଡ଼ିକୁ ସଂଯୋଗ କରିବାରେ ମଧ୍ୟ ପ୍ରମୁଖ ମାଧ୍ୟମ ହୋଇପାରିଛି । ଆଜାଦୀର ଏତେ ଦଶକ ପରେ ପ୍ରଥମ ଥର ଭାରତୀୟ ରେଳର ସାମର୍ଥ୍ୟକୁ ଏତେ ବଡ଼ ସ୍ତରରେ ଆବିଷ୍କାର କରାଯାଉଛି । ଯଦିଓ ପର୍ଯ୍ୟଟନ ସକାଶେ ରେଳବାଇର ଉପଯୋଗ କରାଯାଇଛି ସେ କ୍ଷେତ୍ରରେ ମଧ୍ୟ ଏହା କେବଳ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀମାନଙ୍କୁ ହିଁ ଲାଭ ପହଞ୍ଚାଇଛି ।

ପ୍ରଥମ ଥର ସାଧାରଣ ଲୋକମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟଟନ ଏବଂ ତୀର୍ଥସ୍ଥଳୀର ଦିବ୍ୟ ଅନୁଭବ ଦିଆଯାଉଛି । ରାମାୟଣ ସର୍କିଟ ଟ୍ରେନ ଏମିତି ହିଁ ଏକ ଅଭିନବ ପ୍ରୟାସ ଅଟେ । କିଛିଦିନ ପୂର୍ବରୁ ପ୍ରଥମ ରାମାୟଣ ଏକ୍ସପ୍ରେସ ଟେନ ଦେଶବ୍ୟାପୀ ରାମାୟଣ ସମୟର ୧ଠରୁ ଅଧିକ ସ୍ଥାନ ପରିଦର୍ଶନ ପାଇଁ ବାହାରିସାରିଛି । ଏହି ଟ୍ରେନର ଯାତ୍ରାକୁ ନେଇ ଦେଶବାସୀଙ୍କ ମଧ୍ୟରେ ବହୁତ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି ।

ଆଗାମୀ ଦିନରେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଆଉକିଛି ରାମାୟଣ ଏକ୍ସପ୍ରେସ ଟେନ ମଧ୍ୟ ଚାଲିବ । କେବଳ ଏତିକି ନୁହେଁ ଡିଷ୍ଟାଡୋମ ଟ୍ରେନର ଅନୁଭୂତି ମଧ୍ୟ ଲୋକମାନଙ୍କୁ ପସନ୍ଦ ଆସୁଛି । ଭାରତୀୟ ରେଳର ଭିତ୍ତିଭୂମି, ପରିଚାଳନା ଏବଂ ଦୃଷ୍ଟିଭଙ୍ଗୀରେ ପ୍ରତ୍ୟେକ ପ୍ରକାରର ବ୍ୟାପକ ପରିବର୍ତ୍ତନ ଅଣାଯାଉଛି । ବ୍ରଡଗେଜ ନେଟୱାର୍କରୁ ମାନବରହିତ ଫାଟକକୁ ମଧ୍ୟ ହଟାଇବାରେ ବହୁ ସୁଧାର ଆସିଛି ଏବଂ ଦୁର୍ଘଟଣା ମଧ୍ୟ ବହୁତ କମିଯାଇଛି । ଆଜି ସେମି ହାଇସ୍ପିଡ ଟ୍ରେନ ରେଳ ନେଟୱାର୍କର ଅଂଶବିଶେଷ ହେବାରେ ଲାଗିଛି। ଆଜାଦୀର ଅମୃତ ମହୋତ୍ସବରେ, ଆଗାମୀ ଦୁଇବର୍ଷରେ ୭୫ଟି ନୂତନ ବଂଦେ ଭାରତ ଟ୍ରେନ ଦେଶବ୍ୟାପୀ ଚଳାଇବାକୁ ରେଳବାଇ ପ୍ରୟାସରତ । ଅର୍ଥାତ ଭାରତୀୟ ରେଳ ଏବେ ନିଜର ପୂରାତନ ଢାଞ୍ଚାକୁ ଆଧୁନିକତାର ସ୍ପର୍ଶ ଦେବାରେ ଲାଗିପଡ଼ିଛି ।

ବନ୍ଧୁଗଣ,

ଉନ୍ନତ ଭିତ୍ତିଭୂମି ଭାରତର ଆକାଂକ୍ଷା କେବଳ ନୁହେଁ ବରଂ ଆବଶ୍ୟକତା ଅଟେ । ଏହି ଭାବନା ସହ ଆମ ସରକାର ରେଳବାଇ ସମେତ ଭିତ୍ତିଭୂମିରେ ହଜାର ହଜାର ପ୍ରକଳ୍ପ ଉପରେ ଅଭୂତପୂର୍ବ ନିବେଶ କରୁଛି । ମୋତେ ବିଶ୍ୱାସ ଅଛି, ଭାରତର ଆଧୁନିକ ହେଉଥିବା ଭିତ୍ତିଭୂମି, ଆତ୍ମନିର୍ଭରତାର ସଂକଳ୍ପକୁ ଆହୁରି ଶୀଘ୍ର ଦେଶର ସାମାନ୍ୟ ବ୍ୟକ୍ତିତ୍ୱଙ୍କ ନିକଟରେ ପହଞ୍ଚାଇବ ।

ପୁଣିଥରେ ଆପଣ ସମସ୍ତଙ୍କୁ ଆଧୁନିକ ରେଳ ଷ୍ଟେସନ ଏବଂ ଅନେକ ନୂଆ ରେଳ ସେବା ପାଇଁ ଶୁଭେଚ୍ଛା ଜଣାଉଛି । ଏହି ପରିବର୍ତ୍ତନକୁ ଆପଣାଇବା ପାଇଁ ରେଳବାଇର ପୁରା ଟିମକୁ, ରେଳବାଇର ଯେଉଁ ଟିମ ଉତ୍ସାହର ସହ ଯୋଡ଼ି ହୋଇଥିଲେ ସେ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ସେମାନଙ୍କ ମଧ୍ୟ ବହୁତ-ବହୁତ ଧନ୍ୟବାଦ ଦେଉଛି । ଆପଣ ସମସ୍ତଙ୍କୁ ଅନେକ-ଅନେକ ଶୁଭକାମନା । ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers