“ଆଜିର ରୋଜଗାର ମେଳା ଆସାମର ଯୁବପୀଢିଙ୍କ ଭବିଷ୍ୟତ ପ୍ରତି ଗମ୍ଭୀରତାର ପ୍ରତିଫଳନ”
“ଆଜାଦୀ କା ଅମୃତ କାଳରେ ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆମେ ସମସ୍ତେ ପ୍ରତିଶୃତି ନେଇଛୁ”
“ସରକାରୀ ବ୍ୟବସ୍ଥା ବର୍ତ୍ତମାନ ସମୟ ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ”
“ପ୍ରତ୍ୟେକ ନୂତନ ଭିତ୍ତିଭୂମି ପ୍ରକଳ୍ପ ସହିତ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ସୁଯୋଗ ପ୍ରତି କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି”
“ଆଜି ଯୁବକମାନେ ଏଭଳି ଅନେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି ଯାହା ଦଶ ବର୍ଷ ପୂର୍ବେ କେହି କଳ୍ପନା କରିପାରିନଥିଲେ”
“ଆମେ ଏକ ନୂତନ ଭାରତ ଗଠନ ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ”

ନମସ୍କାର ।

ଆସାମ ସରକାରରେ ସରକାରୀ ଚାକିର ପାଉଥିବା ସମସ୍ତ ଯୁବକମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଗତ ମାସରେ ବିହୁ ଅବସରରେରେ ମୁଁ ଆସାମ ଯାଇଥିଲି । ସେହି ଭବ୍ୟ ଆୟୋଜନର ସ୍ମୃତି ଏବେ ମଧ୍ୟ ମୋ ମନରେ ସତେଜ ଅଛି । ସେହି ସମୟରେ ହୋଇଥିବା କାର୍ଯ୍ୟକ୍ରମ, ଅହମିଆ ସଂସ୍କୃତିର ଗୌରବଗାନର ପ୍ରତୀକ ଥିଲା । ଆଜିକାର ଏହି ରୋଜଗାର ମେଳା, ହେଉଛି ଏହି କଥାର ପ୍ରତୀକ ଯେ ଆସାମର ବିଜେପି ସରକାର, ଯୁବକମାନଙ୍କର ଭବିଷ୍ୟତକୁ ନେଇ କେତେ ଗମ୍ଭୀର ଅଛି । ଏହା ପୂର୍ବରୁ ମଧ୍ୟ ଆସାମରେ ରୋଜଗାର ମେଳା ଦ୍ୱାରା 40 ହଜାରରୁ ଅଧିକ ଯୁବକମାନଙ୍କର ସରକାରୀ ନିଯୁକ୍ତି ଦିଆଯାଇଛି । ଆଜି ପାଖାପାଖି 45 ହଜାର ଯୁବକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ମୁଁ ସମସ୍ତ ଯୁବକମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

ସାଥୀଗଣ,

ବିଜେପି ସରକାରରେ ଆଜି ଆସାମ, ଶାନ୍ତି ଏବଂ ବିକାଶର ନୂତନ ଯୁଗର ସାକ୍ଷୀ ହେଉଛି । ବିକାଶର ଏହି ଗତି ଆସାମରେ ସକରାତ୍ମକ ଏବଂ ପ୍ରେରଣାର ସଂଚାର କରିଛି । ମୋତେ ଅବଗତ କରାଯାଇଛି ଯେ ଆସାମ ସରକାର ସରକାରୀ ନିଯୁକ୍ତିକୁ ଆହୁରି ଅଧିକ ପାରଦର୍ଶୀ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗ ଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ‘ଆସାମ ସିଧାସଳଖ ନିଯୁକ୍ତି ଆୟୋଗ’ ପ୍ରତିଷ୍ଠା କରାଯାଇଛି । ପୂର୍ବର ପ୍ରକ୍ରିୟାରେ ପ୍ରତ୍ୟେକ ବିଭାଗରେ ଭିନ୍ନ- ଭିନ୍ନ ନିୟମ ରହୁଥିଲା । ଏହାଦ୍ୱାରା ବହୁବାର ନିଯୁକ୍ତି କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ ହୋଇ ପାରୁ ନ ଥିଲା । ଆଶୟୀମାନଙ୍କୁ ମଧ୍ୟ ଭିନ୍ନ- ଭିନ୍ନ ବିଭାଗର ପଦଗୁଡ଼ିକ ପାଇଁ ଭିନ୍ନ- ଭିନ୍ନ ପରୀକ୍ଷାଗୁଡ଼ିକରେ ସାମିଲ ହେବାକୁ ପଡ଼ୁଥିଲା । ଏବେ ଏହି ସବୁ ପ୍ରକ୍ରିୟାଗୁଡ଼ିକୁ ଖୁବ ସହଜ କରି ଦିଆଯାଇଛି । ଏଥିପାଇଁ ଆସାମ ସରକାର ପ୍ରକୃତରେ ହେଉଛନ୍ତି ବହୁତ- ବହୁତ ଶୁଭେଚ୍ଛାର ପାତ୍ର ।

ସାଥୀଗଣ,

ସ୍ୱାଧୀନତାର ଅମୃତ କାଳରେ ଆମେ ସମସ୍ତେ ଆମ ଦେଶକୁ ବିକଶିତ ରାଷ୍ଟ୍ର କରିବା ପାଇଁ ସଂକଳ୍ପ ନେଇଛୁ । ଅମୃତକାଳର ଏହି ଆଗାମୀ 25 ବର୍ଷ, ଆପଣମାନଙ୍କର ସେବାକାଳ ପାଇଁ ମଧ୍ୟ ହେଉଛି ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ସାଧାରଣ ନାଗରିକ ପାଇଁ ଏବେ ଆପଣ ହିଁ ଆସାମ ସରକାରଙ୍କର ପ୍ରତିଛବି ହେବେ । ଆପଣଙ୍କର ବ୍ୟବହାର, ଆପଣଙ୍କର ଚିନ୍ତାଧାରା, କାର୍ଯ୍ୟଗୁଡ଼ିକୁ ନେଇ ଆପଣଙ୍କର ଅଭିବ୍ୟକ୍ତି, ଜନ ସାଧାରଣଙ୍କ ପ୍ରତି ସେବା ଭାବ, ଏହାର ଜନତାଙ୍କ ଉପରେ ପ୍ରଭାବ ଏବେ ବହୁ ଅଧିକ ହେବ । ଏଥିପାଇଁ ଆପଣଙ୍କୁ କିଛି କଥାଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ । ଆଜି ଆମର ସମାଜ ଦ୍ରୁତ ଗତିରେ ଆକାଂକ୍ଷୀ ହେଉଛି । ଏବେ ଆଉ ପୂର୍ବର ସମୟ ନାହିଁ, ଯେତେବେଳେ ଲୋକମାନେ ମୌଳିକ ସୁବିଧାଗୁଡ଼ିକ ପାଇଁ ମଧ୍ୟ ଦଶକ- ଦଶକ ଧରି ପ୍ରତୀକ୍ଷା କରି ରହୁଥିଲେ । ଆଜିକାଲି ବିକାଶ ପାଇଁ ଏତେ ପ୍ରତୀକ୍ଷା କରିବାକୁ କୌଣସି ନାଗରିକ ଚାହୁଁ ନାହାଁନ୍ତି । ଟ୍ୱେଣ୍ଟି-20 କ୍ରିକେଟର ଏହି ସମୟରେ ଦେଶର ଲୋକମାନେ ଦ୍ରୁତ ଫଳାଫଳ ଚାହୁଁଛନ୍ତି । ଆଉ ଏଥିପାଇଁ ସରକାରୀ ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ସେହି ହିସାବରେ ନିଜକୁ ପରିବର୍ତନ କରିବାକୁ ହେବ । ଦେଶର ନାଗରିକମାନଙ୍କର ଆକାଂକ୍ଷାଗୁଡ଼ିକୁ ପୂରଣ କରିବାର ବଡ଼ ଦାୟିତ୍ୱ ସରକାରୀ କର୍ମଚାରୀମାନଙ୍କ ଉପରେ ମଧ୍ୟ ରହିଛି । ଯେଉଁ ପରିଶ୍ରମ ଏବଂ ଏକାଗ୍ରତା ଆପଣମାନଙ୍କୁ ଏହିଠାରେ ଆଣି ପହଂଚାଇଛି, ସେହି ମାର୍ଗରେ ଚାଲି ଆପଣମାନଙ୍କୁ ଆଗକୁ ବଢ଼ିବାକୁ ହେବ । ଆପଣମାନଙ୍କୁ ସବୁବେଳେ ଶିଖିବା ଦରକାର । ଏହାଦ୍ୱାରା ଆପଣ ସମାଜ ଏବଂ ବ୍ୟବସ୍ଥା ଉଭୟକୁ ଉନ୍ନତ କରିବାରେ ନିଜର ଯୋଗଦାନ ଦେଇ ପାରିବେ ।

ସାଥୀଗଣ,

ଆଜି ଭାରତ ବହୁତ ଦ୍ରୁତ ଗତିରେ ନିଜର ଭିତିଭୂମିର ଆଧୁନିକୀକରଣ କରୁଛି । ନୂଆ- ନୂଆ ରାଜପଥ ଏବଂ ଏକ୍ସପ୍ରେସୱେ ନିର୍ମାଣ ହେଉ, ନୂତନ ରେଳଲାଇନର ନିର୍ମାଣ ହେଉ, ନୂତନ ବନ୍ଦର- ବିମାନବନ୍ଦର ଏବଂ ଜଳପଥର ନିର୍ମାଣ ହେଉ, ଏହି ସମସ୍ତ ପ୍ରକଳ୍ପଗୁଡିକ ଉପରେ ଲକ୍ଷ- ଲକ୍ଷ, କୋଟି- କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଭିତିଭୂମିର ପ୍ରତ୍ୟେକ ପ୍ରକଳ୍ପ, ସରକାରଙ୍କ ଦ୍ୱାରା ଖର୍ଚ୍ଚ କରାଯାଉଥିବା ଧନରାଶି, ରୋଜଗାର ଏବଂ ସ୍ୱ-ରୋଜଗାର ବୃଦ୍ଧି କରୁଛି । ଯେପରି କେଉଁଠାରେ କୌଣସି ବିମାନବନ୍ଦର ନିର୍ମାଣ କରିବା ହେଉ, ତେବେ ସେଠାରେ ଇଞ୍ଜିନିୟର, ଟେକ୍ନେିସିଆନ, ଆକାଉଣ୍ଟାଟ, ଶ୍ରମିକ, ଭିନ୍ନ- ଭିନ୍ନ ପ୍ରକାରର ଉପକରଣ, ଷ୍ଟିଲ ଏବଂ ସିମେଂଟର ଆବଶ୍ୟକତା ପଡ଼ିଥାଏ । ଅର୍ଥାତ ଗୋଟିଏ ନିର୍ମାଣ ଦ୍ୱାରା ଅନେକ କ୍ଷେତ୍ରରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବାରେ ଲାଗିଥାଏ । ରେଳ ଲାଇନର ସମ୍ପ୍ରସାରଣ କରିବା ଦ୍ୱାରା ଅନେକ ଇଲେକ୍ଟ୍ରିସିଆନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହୋଇଥାଏ । ଭାରତ ଆଜି ଯେଉଁ ମୌଳିକ ସୁବିଧାଗୁଡ଼ିକ ଉପରେ ଗୁରୁତ୍ୱ ଦେଉଛି, ସହଜରେ ସହାବସ୍ଥାନ ସୁବିଧା ବୃଦ୍ଧି କରୁଛି, ତାହାଦ୍ୱାରା ମଧ୍ୟ ଦେଶର କୋଣ- ଅନୁକୋଣରେ ରୋଜଗାରର ନୂତନ ସମ୍ଭାବନା ସୃଷ୍ଟି ହେଉଛି । 2014 ପରେ ଆମ ସରକାର ଦେଶରେ ପ୍ରାୟ 4 କୋଟି ପକ୍କା ଘର ନିର୍ମାଣ କରି ଗରିବଙ୍କୁ ଦେଇଛି । ଏହି ଘରଗୁଡ଼ିକରେ ଶୌଚାଳୟ, ଗ୍ୟାସ ସଂଯୋଗ, ପାଇପ ଯୋଗେ ପାନୀୟ ଜଳ ଏବଂ ବିଜୁଳିର ସୁବିଧା ଦିଆଯାଇଛି । ଏହି ଘରଗୁଡ଼ିକୁ ନିର୍ମାଣ କରିବାରେ, ଏହି ସୁବିଧାଗୁଡ଼ିକୁ ଏକାଠି କରିବାରେ ବିନିର୍ମାଣ କ୍ଷେତ୍ରରେ, ଲଜିଷ୍ଟିକ୍ସ, କୁଶଳୀ ଶ୍ରମିକ ଏବଂ ଶ୍ରମିକ ଭାଇ- ଭଉଣୀଙ୍କ ପରିଶ୍ରମ ବହୁତ ବ୍ୟାପକ ମାତ୍ରାରେ ଲାଗିଥାଏ । ଅର୍ଥାତ, ଭିନ୍ନ- ଭିନ୍ନ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ ରୋଜଗାରର ସୁଯୋଗ ସୃଷ୍ଟି ହୋଇଥାଏ । ରୋଜଗାର ସୃଷ୍ଟି କରିବାରେ ଆୟୂଷ୍ମାନ ଭାରତ ଯୋଜନାର ମଧ୍ୟ ବଡ଼ ଭୂମିକା ରହିଛି । ଆୟୂଷ୍ମାନ ଭାରତ ଯୋଜନା ଯୋଗୁଁ ଦେଶରେ ଅନେକ ନୂତନ ହସ୍ପାତାଳ ଏବଂ କ୍ଲିନିକ୍ ନିର୍ମାଣ ହୋଇଛି । କିଛି ସପ୍ତାହ ପୂର୍ବେ ମୋତେ ଏମ୍ସ ଗୁଆହାଟୀ ଏବଂ ଅନ୍ୟ 3ଟି ମେଡିକାଲ କଲେଜର ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଥିଲା । ବିଗତ କିଛି ବର୍ଷ ମଧ୍ୟରେ ଆସାମରେ ଦନ୍ତ ଚିକିତ୍ସାଳୟ ଓ କଲେଜର ମଧ୍ୟ ସମ୍ପ୍ରସାରଣ ହୋଇଛି । ଏହାଦ୍ୱାରା ମେଡିକାଲ ବୃତ୍ତି ସହିତ ଜଡ଼ିତ ଯୁବକମାନଙ୍କ ପାଇଁ ରୋଜଗାରର ସାଧନ ପ୍ରସ୍ତୁତ ହୋଇଛି ।

ସାଥୀଗଣ,

ଆଜି ଅନେକ ଏଭଳି କ୍ଷେତ୍ରରେ ଯୁବକମାନେ ଆଗକୁ ବଢ଼ୁଛନ୍ତି, ଯାହା ବିଷୟରେ ଦଶ ବର୍ଷ ପୂର୍ବରୁ କେହି ଚିନ୍ତା ମଧ୍ୟ କରି ପାରୁ ନଥିଲେ । ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଦେଶରେ ଲକ୍ଷ- ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି । କୃଷି, ସାମାଜିକ କାର୍ଯ୍ୟକ୍ରମ, ସର୍ଭେ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ, ଡ୍ରୋନର ବୃଦ୍ଧି ପାଉଥିବା ଚାହିଦା ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ଆଜି ଦେଶରେ ଯେଉଁ ଆତ୍ମନିର୍ଭର ଭାରତ ଅଭିଯାନ ଚାଲୁ ରହିଛି, ତାହା ମଧ୍ୟ ରୋଜଗାରର ଅନେକ ସୁଯୋଗ ସୃଷ୍ଟି କରୁଛି । ଆଜି ଭାରତରେ କୋଟି- କୋଟି ମୋବାଇଲ ଫୋନ ନିର୍ମାଣ ହେଉଛି, ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ବ୍ରଡବ୍ୟାଣ୍ଡ ସଂଯୋଗ ପହଂଚୁଛି, ଏହାଦ୍ୱାରା ମଧ୍ୟ ବ୍ୟାପକ ସ୍ତରରେ ରୋଜଗାର ଏବଂ ସ୍ୱ-ରୋଜଗାରକୁ ପ୍ରୋତ୍ସାହନ ମିଳୁଛି । ସରକାର କାର୍ଯ୍ୟକାରୀ କରୁଥିବା ଗୋଟିଏ ଯୋଜନା, ଗୋଟିଏ- ଗୋଟିଏ ନିଷ୍ପତିର ପ୍ରଭାବ କିଭଳି ଲୋକମାନଙ୍କର ଜୀବନକୁ ବଦଳାଉଛି, ଏହା ଆପଣମାନଙ୍କୁ ସର୍ବଦା ମନେ ରଖିବାକୁ ହେବ ।

ସାଥୀଗଣ,

ବିଜେପି ସରକାରଙ୍କ ନୀତିଗୁଡ଼ିକ ଯୋଗୁଁ ଆଜି ଉତର-ପୂର୍ବାଂଚଳରେ ବ୍ୟାପକ ସଂଖ୍ୟାରେ ଯୁବକମାନେ ବିକାଶର ମୁଖ୍ୟ ଧାରାକୁ ଫେରୁଛନ୍ତି । ଭାଜପା ସରକାର ହେଉଛି ଯୁବକମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ । ରୋଜଗାର ଏବଂ ସ୍ୱ-ରୋଜଗାରର ନୂତନ ସୁଯୋଗ ଦେଇ ଆମେ ନୂତନ ଭାରତର ନିର୍ମାଣ ପାଇଁ ଆହୁରି ଦ୍ରୁତ ଗତିରେ ମଧ୍ୟ ପାଦ ବଢ଼ାଇ ଚାଲିଛୁ । ପୁଣିଥରେ ଆପଣ ସମସ୍ତଙ୍କୁ ଆଉ ଆପଣଙ୍କ ପରିବାର ଲୋକଙ୍କୁ ବହୁତ- ବହୁତ ଶୁଭେଚ୍ଛା ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electric PV retail sales jump 44% in February; Tata Motors leads: FADA

Media Coverage

India’s electric PV retail sales jump 44% in February; Tata Motors leads: FADA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 7, 2026
March 07, 2026

Reform, Perform and Transform: PM Modi’s Mantra for India’s Growth