ମିଶନ ମୌସମ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଇଏମଡି ଭିଜନ - ୨୦୪୭ ଉନ୍ମୋଚିତ
ବର୍ଷ ପୂର୍ତି ଉପଲକ୍ଷେ ପୋଷ୍ଟାଲ ଷ୍ଟାମ୍ପ ଓ କଏନର ପ୍ରଚଳନ
ଏହା କେବଳ ପାଣିପାଗ ବିଭାଗର ଯାତ୍ରା ନୁହେଁ, ବରଂ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯାତ୍ରା : ପ୍ରଧାନମନ୍ତ୍ରୀ
'ବିଜ୍ଞାନ ପ୍ରତିଷ୍ଠାନରେ ଗବେଷଣା ଓ ଆବିଷ୍କାର ନବ ଭାରତର ବୈଶିଷ୍ଟ୍ୟ; ଗତ ଦଶ ବର୍ଷ ଭିତରେ ଆଇଏମଡିର ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି : ପ୍ରଧାନମନ୍ତ୍ରୀ
କ୍ଲାଇମେଟ ସ୍ମାର୍ଟ ନେସନ ଗଢିବା ମିଶନ ମୌସମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଡବ୍ଲୁଏମଓ ର ମହାସଚିବ ପ୍ରଫେସର ସେଲେସ୍ତେ ସାଓଲୋ ଜୀ, ବିଦେଶରୁ ଆସିଥିବା ଆମର ଅତିଥିବୃନ୍ଦ, ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ ଜୀ, ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଜୀ, ଅନ୍ୟ ମହାନୁଭବ, ସମସ୍ତ ବୈଜ୍ଞାନିକ ଓ ବିଭିନ୍ନ ବିଭାଗ ଏବଂ ସଂସ୍ଥାନର ଅଧିକାରୀ, ସଜ୍ଜନ ମଣ୍ଡଳୀ …

 

ଆଜି ଆମେ ଭାରତୀୟ ପାଣିପାଗ ବିଭାଗ, ଆଇଏମଡିର ୧୫୦ ବର୍ଷ ପାଳନ କରୁଛୁ। ଆଇଏମଡିର ଏହି ୧୫୦ ବର୍ଷ କେବଳ ଯେ, ଭାରତୀୟ ପାଣିପାଗ ବିଭାଗର ଯାତ୍ରା, ତାହା ନୁହେଁ। ଏହା ହେଉଛି ଆମ ଭାରତରେ ଆଧୁନିକ ବିଜ୍ଞାନ ଓ ଟେକ୍ନୋଲଜିର ଏକ ଗୌରବମୟ ଯାତ୍ରା। ଆଇଏମଡି ଏହି ୧୫୦ ବର୍ଷରେ କେବଳ ଯେ, କୋଟି କୋଟି ଭାରତୀୟଙ୍କ ସେବା କରିଛି ତାହା ନୁହେଁ, ବରଂ ଏହା ହେଉଛି ଭାରତର ବୈଜ୍ଞାନିକ ଯାତ୍ରାର ପ୍ରତୀକ। ଏହି ସଫଳତାକୁ ନେଇ ଆଜି ଡାକ ଟିକଟ ଓ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରାଯାଇଛି। ୨୦୪୭ ରେ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ସେତେବେଳେ ଭାରତୀୟ ପାଣିପାଗ ବିଭାଗର ରୂପରେଖ କିପରି ହେବ, ତାର ଭିଜନ ଡକ୍ୟୁମେଣ୍ଟ ମଧ୍ୟ ଜାରି କରାଯାଇଛି। ଆପଣ ସମସ୍ତଙ୍କୁ ଓ ଦେଶବାସୀଙ୍କୁ ଏହି ଗୌରବମୟ ଅବସରରେ ମୁଁ ଅନେକ ଅନେକ ଶୁଭକାମନା ଜ୍ଞାପନ କରୁଛି। ୧୫୦ ବର୍ଷର ଏହି ଯାତ୍ରାରେ ଯୁବବର୍ଗଙ୍କୁ ଯୋଡ଼ିବା ପାଇଁ ଆଇଏମଡି ନ୍ୟାସନାଲ ମିଟିରିଓଲଜିକାଲ ଅଲମ୍ପିଆଡ୍ ଆୟୋଜନ କରିଥିଲା। ଏଥିରେ ହଜାର ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହା ଦ୍ୱାରା ପାଣିପାଗ ବିଭାଗ ପ୍ରତି ସେମାନଙ୍କର ଆଗ୍ରହ ବଢ଼ିବ। ସେମାନଙ୍କ ମଧ୍ୟରୁ କିଛି ଯୁବ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବାର ସୌଭାଗ୍ୟ ମତେ ମିଳିଥିଲା ଏବଂ ଏଠାରେ ଦେଶର ସବୁ ରାଜ୍ୟର ଯୁବବର୍ଗ ଉପସ୍ଥିତ ଅଛନ୍ତି ବୋଲି ଆଜି ମତେ ଅବଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତି ସେମାନେ ଆଗ୍ରହ ପ୍ରକାଶ କରିଥିବାରୁ ମୁଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ ଜଣାଉଛି। ସମସ୍ତ ପ୍ରତିଯୋଗୀ ଓ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ।   

 

ବନ୍ଧୁଗଣ,

୧୮୭୫ ଜାନୁଆରି ୧୫ ତାରିଖରେ ମକର ସଂକ୍ରାନ୍ତି ପାଖାପାଖି ଭାରତୀୟ ପାଣିପାଗ ବିଭାଗର ପ୍ରତିଷ୍ଠା ହୋଇଥିଲା। ଭାରତୀୟ ପରମ୍ପରାରେ ମକର ସଂକ୍ରାନ୍ତିର କେତେ ମହତ୍ତ୍ୱ ଅଛି, ଏହା ଆମେ ସମସ୍ତେ ଜାଣୁ। ମୁଁ ତ ଗୁଜରାଟର। ତେଣୁ ମୋର ପ୍ରିୟ ପର୍ବ ମକର ସଂକ୍ରାନ୍ତି ଥିଲା। କାରଣ ଆଜି ଗୁଜରାଟର ସମସ୍ତ ଲୋକଙ୍କୁ ଛାତ ଉପରେ ଦେଖିବାକୁ ମିଳେ, ପୁରା ଦିନ ସେମାନେ ଗୁଡ଼ି ଉଡ଼ାଇବାର ମଜା ନିଅନ୍ତି। ମୁଁ ବି ଯେତେବେଲେ ସେଠାରେ ରହୁଥିଲି, ଗୁଡ଼ି ଉଡ଼ାଇବା ମୋର ବଡ଼ ସଉକ ଥିଲା। କିନ୍ତୁ ଆଜି ମୁଁ ଆପଣଙ୍କ ଗହଣରେ ଅଛି।

ବନ୍ଧୁଗଣ,

ଆଜି ସୂର୍ଯ୍ୟ ଧନୁରୁ ମକର ରାଶିରେ ପ୍ରବେଶ କରନ୍ତି। ସୂର୍ଯ୍ୟ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରନ୍ତି। ଆମର ଭାରତୀୟ ପରମ୍ପରାରେ ଏହାକୁ ଆମେ ଉତ୍ତରାୟଣ କହିଥାଉ। ଉତ୍ତର ଗୋଲାର୍ଦ୍ଧରେ ଆମେ ଧୀରେ ଧୀରେ ବଢୁଥିବା ଖରା ଅନୁଭବ କରିଥାଉ। ଚାଷବାସ ପାଇଁ କୃଷି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏଥିପାଇଁ ଏହି ଦିନକୁ ଭାରତୀୟ ପରମ୍ପରାରେ ଏତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଏ। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ଭିନ୍ନ ଭିନ୍ନ ସାଂସ୍କୃତିକ ରଙ୍ଗରେ ଏହାକୁ ପାଳନ କରାଯାଇଥାଏ । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ମକର ସଂକ୍ରାନ୍ତି ସହିତ ଜଡ଼ିତ ବିଭିନ୍ନ ପର୍ବର ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି।  

 

ବନ୍ଧୁଗଣ,

କୌଣସି ଦେଶ ବିଜ୍ଞାନ ପ୍ରତି କେତେ ସଚେତନ, ତାହା ସେହି ଦେଶର ବୈଜ୍ଞାନିକ ସଂସ୍ଥାନଗୁଡ଼ିକର ପ୍ରଗତିରୁ ଜଣାପଡ଼ିଥାଏ। ବୈଜ୍ଞାନିକ ସଂସ୍ଥାନଗୁଡ଼ିକରେ ଗବେଷଣା ଓ ଇନୋଭେସନ ନୂତନ ଭାରତର ସ୍ୱଭାବର ଅଂଶବିଶେଷ ଅଟେ। ସେଥିପାଇଁ ଗତ ୧୦ ବର୍ଷରେ ଆଇଏମଡିର ଭିତ୍ତିଭୂମି ଓ ଟେକ୍ନୋଲଜିରେ ମଧ୍ୟ ଅଭୂତପୂର୍ବ ଉନ୍ନତି ହୋଇଛି। ଡପଲର୍ ଓ୍ୱେଦର ରାଡାର, ଅଟୋମେଟିକ ଓ୍ୱେଦର ଷ୍ଟେସନ, ରନଓ୍ୱେ ଓ୍ୱେଦର ମନିଟରିଂ ସିଷ୍ଟମ୍ସ, ଜିଲ୍ଲା ଓ୍ୱାରି ବୃଷ୍ଟିପାତ ମାପକ ଷ୍ଟେସନ, ଏପରି ଅନେକ ଆଧୁନିକ ଭିତ୍ତିଭୂମିରେ କାହିଁ କେତେ ଗୁଣା ବୃଦ୍ଧି ହୋଇଛି, ସେଗୁଡ଼ିକର ଅପଗ୍ରେଡ୍ ମଧ୍ୟ କରାଯାଇଛି। ଡକ୍ଟର ଜିତେନ୍ଦ୍ର ସିଂହ ମଧ୍ୟ ଆପଣମାନଙ୍କୁ ଅବଗତ କରିଛନ୍ତି ଯେ, ଆମେ ଆଗରୁ କେଉଁଠି ଥିଲେ, ଏବେ କେଉଁଠି ପହଞ୍ଚିଛୁ। ଭାରତର ମହାକାଶ ଟେକ୍ନୋଲଜି ଓ ଡିଜିଟାଲ ଟେକ୍ନୋଲଜିର ପୁରା ଫାଇଦା ଭାରତୀୟ ପାଣିପାଗ ବିଭାଗକୁ ମିଳୁଛି। ମୈତ୍ରୀ ଓ ଭାରତୀ ନାଁରେ ଆଣ୍ଟାର୍କଟିକାରେ ଆଜି ଦେଶର ଦୁଇଟି ପର୍ଯ୍ୟବେକ୍ଷଣସ୍ଥଳୀ ଅଛି। ଗତ ବର୍ଷ ଅର୍କ ଓ ଅରୁଣିକା ସୁପର୍ କମ୍ପ୍ୟୁଟର ଆରମ୍ଭ କରାଯାଇଥିଲା। ଏହା ଦ୍ୱାରା ଆଗ ଅପେକ୍ଷା ପାଣିପାଗ ବିଭାଗର ବିଶ୍ୱସନୀୟତା ବହୁତ ବଢ଼ି ଯାଇଛି। ଭବିଷ୍ୟତରେ ଜଳବାୟୁର ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ଅଛି। ଭାରତ ଏକ ଜଳବାୟୁ-ସ୍ମାର୍ଟ ଦେଶରେ ପରିଣତ ହେଉ, ଏଥିପାଇଁ ‘ମିଶନ ମୌସମ’ର ମଧ୍ୟ ଶୁଭାରମ୍ଭ କରାଯାଇଛି। ସୁରକ୍ଷିତ ଭବିଷ୍ୟତ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତିକୁ ନେଇ ଭାରତର ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ ହେଉଛି ପାଣିପାଗ ବିଭାଗ।

 

ବନ୍ଧୁଗଣ,

କେବଳ ନୂଆ ନୂଆ ଶିଖର ଛୁଇଁବା ବିଜ୍ଞାନର ପ୍ରାସଙ୍ଗିକତା ନୁହେଁ। ଯେତେବେଳେ ସାଧାରଣ ଲୋକଙ୍କ ଜୀବନକୁ ବିଜ୍ଞାନ ପ୍ରଭାବିତ କରିଥାଏ, ସେମାନଙ୍କ ଜୀବନକୁ ଉନ୍ନତ କରିଥାଏ, ଜୀବନକୁ ସହଜ ସୁଲଭ କରିବାର ମାଧ୍ୟମ ହୋଇଥାଏ, ସେତେବେଳେ ବିଜ୍ଞାନ ପ୍ରାସଙ୍ଗିକ ହୋଇଥାଏ। ଏହି ପରୀକ୍ଷାରେ ଆଗରେ ଅଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗର ପୂର୍ବାନୁମାନ ଠିକ୍ ହେଉ ଏବଂ ତାହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚୁ ସେଥିପାଇଁ ଆଇଏମଡି ସ୍ୱତନ୍ତ୍ର ଅଭିଯାନ କରିଛି। ସମୟ ଆଗରୁ ପାଣିପାଗ ପୂର୍ବାନୁମାନ ଆଜି ଦେଶର ୯୦ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁଛି। ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ ଗତ ୧୦ ଦିନର ଓ ଆଗାମୀ ୧୦ ଦିନର ପାଣିପାଗ ସଂପର୍କରେ ସବୁ ଜାଣିପାରୁଛି। ସିଧା ହ୍ୱାଟସଅପରେ ମଧ୍ୟ ପାଣିପାଗର ସୂଚନା ପହଞ୍ଚି ଯାଉଛି। ଆମେ ମେଘଦୂତ ପରି ମୋବାଇଲ ଆପ୍ ସେବାର ଶୁଭରମ୍ଭ କରିଛୁ। ଏଥିରେ ଦେଶର ସବୁ ସ୍ଥାନୀୟ ଭାଷାରେ ତଥ୍ୟ ମିଳି ପାରୁଛି। ଆପଣମାନେ ଏହାର ପ୍ରଭାବ ଦେଖନ୍ତୁ, ୧୦ ବର୍ଷ ଆଗରୁ ଦେଶର କେବଳ ୧୦ ପ୍ରତିଶତ ଚାଷୀ ଓ ପଶୁପାଳକ ପାଣିପାଗ ସଂପର୍କିତ ପରାମର୍ଶର ଉପଯୋଗ କରିପାରୁଥିଲେ। ଆଜି ୫୦ ପ୍ରତିଶତରୁ ଅଧିକ ଲୋକ ଏହାର ଉପଯୋଗ କରୁଛନ୍ତି। ଏପରିକି ବଜ୍ରପାତ ହେବାର ସତର୍କ ସୂଚନା ମଧ୍ୟ ଲୋକଙ୍କ ମୋବାଇଲରେ ମିଳିପାରୁଛି। ଆଗରୁ ଯେତେବେଳେ ଦେଶର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଥିଲେ, ସେମାନଙ୍କ ପରିବାରର ଚିନ୍ତା ବଢ଼ି ଯାଉଥିଲା। ସେମାନଙ୍କ ମନରେ ଅଘଟଣର ଆଶଙ୍କା ରହୁଥିଲା। କିନ୍ତୁ ବର୍ତ୍ତମାନ ଆଇଏମଡିର ସହଯୋଗରେ ସମୟ ଆଗରୁ ମତ୍ସ୍ୟଜୀବୀଙ୍କୁ ସତର୍କସୂଚନା ମିଳିପାରୁଛି। ଏହି ରିୟଲ୍ ଟାଇମ୍ ଅପଡେଟ୍ସ ଯୋଗୁଁ ଲୋକଙ୍କୁ ମିଳିପାରୁଛି ସୁରକ୍ଷା । ଏହା ସହିତ ଚାଷବାସ ଓ ବ୍ଲୁ ଇକୋନମି ପରି କ୍ଷେତ୍ରକୁ ମଧ୍ୟ ଶକ୍ତି ମିଳିପାରୁଛି।      

 

ବନ୍ଧୁଗଣ,

କୌଣସି ଦେଶର ବିପର୍ଯ୍ୟୟ ପରିଚାଳନା କ୍ଷମତାର ସବୁଠୁ ଜରୁରୀ ସାମର୍ଥ୍ୟ ହେଉଛି ପାଣିପାଗ ବିଭାଗ। ବିପର୍ଯ୍ୟୟ ପରିଚାଳନା ସହିତ ଜଡ଼ିତ ଅନେକ ବ୍ୟକ୍ତି ଏଠାରେ ବସିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ସବୁଠୁ କମ୍ କରିବା ପାଇଁ ପାଣିପାଗ ବିଭାଗର କ୍ଷମତାକୁ ସବୁଠୁ ଅଧିକ କରିବାର ଆବଶ୍ୟକତା ଅଛି। ଭାରତ ସବୁବେଳେ ଏହାର ଗୁରୁତ୍ୱକୁ ବୁଝିଛି। ଯାହାକୁ ଆଗରୁ ନିୟତି କହି ଛାଡ଼ି ଦିଆଯାଉଥିଲା, ଆଜି ଆମେ ସେହି ବିପର୍ଯ୍ୟୟର ଦିଗକୁ ଅନ୍ୟ ଆଡ଼େ ମୋଡ଼ି ଦେବାରେ ସଫଳ ହେଉଛୁ। ଆପଣଙ୍କର ମନେ ଥିବ, ୧୯୯୮ରେ କଚ୍ଛର କାଣ୍ଡଲାରେ ବାତ୍ୟା କେମିତି ଧ୍ୱଂସଲୀଳା କରିଥିଲା। ସେତେବେଳେ ବହୁତ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧୯୯୯ରେ ଓଡ଼ିଶାର ମହାବାତ୍ୟାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଗତ କିଛି ବର୍ଷ ଭିତରେ ଦେଶରେ ଏମିତି କେତେ ବଡ଼ ବଡ଼ ବାତ୍ୟା ହୋଇଛି, ବିପତ୍ତି ଆସିଛି। କିନ୍ତୁ ଅଧିକାଂଶ ଘଟଣାରେ ଜନହାନୀକୁ ଆମେ ଶୂନ କିମ୍ୱା ସବୁଠୁ କମ୍ କରିବାରେ ସଫଳ ହୋଇଛୁ। ଏହି ସଫଳତାରେ ପାଣିପାଗ ବିଭାଗର ବହୁତ ବଡ଼ ଭୂମିକା ରହିଛି। ବିଜ୍ଞାନ ଓ ପ୍ରସ୍ତୁତି ଏକାଠି ହେବା ଦ୍ୱାରା ଲକ୍ଷ ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ମଧ୍ୟ କମିଛି। ଏହା ଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥାରେ ସ୍ଥିତିସ୍ଥାପକ ସୃଷ୍ଟି ହୋଇଥାଏ, ନିବେଶକଙ୍କ ଭରସା ବି ବଢ଼ିଥାଏ ଏବଂ ମୋର ଦେଶରେ ତ ବହୁତ ଫାଇଦା ହୋଇଥାଏ। କାଲି ମୁଁ ସୋନମାର୍ଗରେ ଥିଲି, ସେହି କାର୍ଯ୍ୟକ୍ରମ ବହୁତ ଆଗରୁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ପାଣିପାଗ ବିଭାଗର ତଥ୍ୟରୁ ଜଣାପଡ଼ିଲା ଯେ, ମୋ ପାଇଁ ସେହି ସମୟ ଠିକ୍ ନୁହେଁ। ପାଣିପାଗ ବିଭାଗ ମତେ ଜଣାଇଲା ଯେ, ୧୩ ତାରିଖ ଠିକ୍ ହେବ। ତେଣୁ ଗତକାଲି ମୁଁ ସେଠାକୁ ଯାଇଥିଲି। ତାପମାତ୍ରା ବିଯୁକ୍ତାତ୍ମକ ୬ ଡିଗ୍ରୀ ଥିଲା, କିନ୍ତୁ ସେଠାରେ ମୁଁ ଯେତେ ସମୟ ବି ଥିଲି, ସେଠାରେ ଟିକେ ବି ବାଦଲ ନ ଥିଲା। ବଢ଼ିଆ ଖରା ହୋଇଥିଲା। ଏଇ ପାଣିପାଗ ବିଭାଗର ସୂଚନା ଯୋଗୁଁ ଏତେ ସହଜରେ ମୁଁ କାର୍ଯ୍ୟକ୍ରମ କରି ଫେରିଲି।     

 

ବନ୍ଧୁଗଣ,

ଯେକୌଣସି ଦେଶର ବିଶ୍ୱସ୍ତରୀୟ ଛବିର ସବୁଠୁ ବଡ଼ ଆଧାର ହେଉଛି ବିଜ୍ଞାନ କ୍ଷେତ୍ରରେ ପ୍ରଗତି ଓ ଏହାର ପୁରା କ୍ଷମତାର ଉପଯୋଗ । ଆଜି ଆପଣମାନେ ଦେଖନ୍ତୁ, ପାଣିପାଗ ସଂପର୍କିତ ବିକାଶ ଯୋଗୁଁ  ବିପର୍ଯ୍ୟୟର ମୁକାବିଲା କରିବାର କ୍ଷମତା ଆମର ଆସିଛି। ଏହାର ଲାଭ ସାରା ବିଶ୍ୱକୁ ମିଳୁଛି। ଆଜି ଆମର ଅଚାନକ ବନ୍ୟା ସୂଚନା ବ୍ୟବସ୍ଥା ନେପାଳ, ଭୁଟାନ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ମଧ୍ୟ ସୂଚନା ଦେଉଛି। ଆମର ପଡ଼ୋଶୀ ଦେଶରେ ମଧ୍ୟ ଯେତେବେଳେ କିଛି ପ୍ରାକୃତିକ ବିପର୍ଯ୍ୟୟ ଆସେ, ସାହାଯ୍ୟ ପାଇଁ ଅନ୍ୟମାନଙ୍କ ଅପେକ୍ଷା ଭାରତ ପ୍ରଥମେ ଉପସ୍ଥିତ ହୁଏ। ଏହା ଦ୍ୱାରା ବିଶ୍ୱରେ ଭାରତ ଉପରେ ଭରସା ବଢ଼ିଛି। ଦୁନିଆରେ ବିଶ୍ୱ ବନ୍ଧୁ ଭାବେ ଭାରତର ଛବି ଆହୁରି ମଜଭୁତ ହୋଇଛି। ଏଥିପାଇଁ ମୁଁ ଆଇଏମଡିର ବୈଜ୍ଞାନିକଙ୍କୁ ବିଶେଷ ଭାବେ ପ୍ରଶଂସା କରୁଛି।   

ବନ୍ଧୁଗଣ,

ଆଜି ପାଣିପାଗ ବିଭାଗକୁ ୧୫୦ ବର୍ଷ ହେବା ଅବସରରେ ପାଣିପାଗ ବିଜ୍ଞାନକୁ ନେଇ ଭାରତର ହଜାର ହଜାର ବର୍ଷର ଅଭିଜ୍ଞତା ଓ ବିଶେଷ ଜ୍ଞାନ ସଂପର୍କରେ ମଧ୍ୟ ମୁଁ ଆଲୋଚନା କରିବି। ବିଶେଷ ଭାବେ ମୁଁ ଏହା ସ୍ପଷ୍ଟ କରୁଛି ଯେ, ଏହି ବ୍ୟବସ୍ଥାକୁ ୧୫୦ ବର୍ଷ ହୋଇଥିଲେ ମଧ୍ୟ ତାର ବହୁତ ଆଗରୁ ଆମ ପାଖରେ ଏ ସଂପର୍କିତ ଜ୍ଞାନ ବି ଥିଲା ଓ ତାର ପରମ୍ପରା ବି ଥିଲା। ବିଶେଷ ଭାବେ ଆମର ଯେଉଁ ଅନ୍ତର୍ଜାତୀୟ ଅତିଥି ଅଛନ୍ତି, ଏ ସଂପର୍କରେ ଜାଣିଲେ ସେମାନଙ୍କର ଉତ୍କଣ୍ଠା ବଢିବ। ଆପଣମାନେ ଜାଣନ୍ତି, ମାନବ ବିବର୍ତ୍ତନରେ ଯେଉଁ ସବୁ ପରିସ୍ଥିତିର ସବୁଠୁ ଅଧିକ ପ୍ରଭାବ ରହିଛି, ସେମାନଙ୍କ ମଧ୍ୟରେ ପାଣିପାଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ଭୂମିକା ରହିଛି। ଦୁନିଆର ପ୍ରତ୍ୟେକ ଅଞ୍ଚଳର ମଣିଷ ପାଣିପାଗ ଓ ପରିବେଶକୁ ଜାଣିବାକୁ ବୁଝିବାକୁ ଲଗାତର ଭାବେ ଚେଷ୍ଟା କରିଛି। ଏହି ଦିଗରେ ଭାରତ ଏପରି ଏକ ଦେଶ, ଯେଉଁଠି ହଜାର ହଜାର ବର୍ଷ ଆଗରୁ ମଧ୍ୟ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ବ୍ୟବସ୍ଥିତ ଭାବେ ଅନୁଧ୍ୟାନ ଓ ଗବେଷଣା ହୋଇଛି। ଆମର ଏଠାରେ ପାରମ୍ପରିକ ଜ୍ଞାନକୁ ଲିପିବଦ୍ଧ କରାଯାଇଛି, ମାର୍ଜିତ କରାଯାଇଛି। ଆମର ଏଠାରେ ବେଦ, ସାହିତ୍ୟ ଓ ସୂର୍ଯ୍ୟ ସିଦ୍ଧାନ୍ତ ପରି ଜ୍ୟୋତିଷ ଶାସ୍ତ୍ରରେ ପାଣିପାଗ ବିଜ୍ଞାନକୁ ନେଇ ବହୁତ କାମ କରାଯାଇଛି। ତାମିଲନାଡୁର ସଂଗମ ସାହିତ୍ୟ ଓ ଉତ୍ତରରେ ଘାଘ ଭଡ୍ଡରିର ଲୋକ ସାହିତ୍ୟରେ ମଧ୍ୟ ବହୁତ ସୂଚନା ଅଛି। ଏହି ପାଣିପାଗ ବିଜ୍ଞାନ କେବଳ ଏକ ଅଲଗା ଶାଖା ନୁହେଁ। ଏଥିରେ ଅନ୍ତରୀକ୍ଷ ଆକଳନ ବି ରହିଥିଲା, ପାଣିପାଗ ଅଧ୍ୟୟନ ବି ରହିଥିଲା, ପଶୁପକ୍ଷୀଙ୍କ ଆଚରଣ ବି ଥିଲା ଓ ସାମାଜିକ ଅଭିଜ୍ଞତା ବି ଥିଲା। ଆମର ଏଠାରେ ଗ୍ରହ ନକ୍ଷତ୍ରର ସ୍ଥିତି ନେଇ ଯେତିକି ଗାଣିତିକ କାମ ହୋଇଛି, ତାହା ସାରା ବିଶ୍ୱ ଜାଣିଛି। ଆମର ଋଷିମାନେ ଗ୍ରହଗୁଡ଼ିକର ସ୍ଥିତିକୁ ବୁଝିଥିଲେ। ଆମେ ରାଶି, ନକ୍ଷତ୍ର ଓ ପାଣିପାଗ ସଂପର୍କିତ ଗଣନା କରିଛୁ। କୃଷି ପାରାଶର, ପାରାଶର ରୁଚି ଓ ବୃହତ ସଂହିତା ପରି ଗ୍ରନ୍ଥରେ ବାଦଲର ସୃଷ୍ଟି ଓ ଏହାର ପ୍ରକାର ଭେଦ ନେଇ ଗଭୀର ଅଧ୍ୟୟନ କରାଯାଇଛି। କୃଷି ପାରାଶରରେ କୁହାଯାଇଛି -

 

ଅତିବାତମ୍ ଚ ନିର୍ବାତମ୍ ଅତି ଉଷ୍ଣମ୍ ଚାତି ଶୀତଳମ୍ ଅତ୍ୟ-ଭ୍ରଂଚ ନିର୍ଭୟଂଚ ଷଡ଼ ବିଧମ୍ ମେଘ ଲକ୍ଷଣମ୍

ଅର୍ଥାତ ଗୁରୁଚାପ, ଲଘୁଚାପ, ଉଚ୍ଚ ତାପମାତ୍ରା ଓ ନିମ୍ନ ତାପମାତ୍ରାରୁ ମେଘର ଲକ୍ଷଣ ଜଣାପଡ଼େ ଏବଂ ଏସବୁ ଦ୍ୱାରା ବର୍ଷା ପ୍ରଭାବିତ ହୋଇଥାଏ। ଆପଣ କଳ୍ପନା କରିପାରୁଥିବେ-ଶହ ଶହ ହଜାର ବର୍ଷ ପୂର୍ବେ ବିନା କୌଣସି ଆଧୁନିକ ମେସିନରେ ସେହି ମୁନି ଋଷିମାନେ ସେହି ବିଦ୍ୱାନମାନେ କେତେ ଗବେଷଣା କରିଥିବେ। କିଛି ବର୍ଷ ଆଗରୁ ଏହି ସଂପର୍କିତ ଏକ ବହି, ପ୍ରି-ମଡର୍ନ କଚ୍ଚି ନେଭିଗେସନ ଟେକନିକ୍ ଆଣ୍ଡ ଭଏଜ୍ ର ଉନ୍ମୋଚନ କରିଥିଲି। ଏହି ବହି ହେଉଛି ଗୁଜରାଟର ନାବିକଙ୍କ ସମୁଦ୍ର ଓ ପାଣିପାଗ ସଂପର୍କିତ ଶହ ଶହ ବର୍ଷର ପୁରୁଣା ଜ୍ଞାନର ଲିଖିତ ପ୍ରତିଲିପି। ଏପରି ଜ୍ଞାନର ଏକ ବହୁତ ସମୃଦ୍ଧ ଐତିହ୍ୟ ପରମ୍ପରା ରହିଛି। ଏହା ପଛରେ ରହିଛି ପ୍ରକୃତିକୁ ଭଲଭାବେ ବୁଝିବା ଓ ଜୀବଜନ୍ତୁଙ୍କ ସ୍ୱଭାବର ଟିକିନିଖି ଅଧ୍ୟୟନ।     

୫୦ ବର୍ଷରୁ ବି ଅଧିକ ହେବ, ସେତେବେଳେର ଏକ ଘଟଣା ମୋର ଏବେ ବି ମନେ ଅଛି। ମୁଁ ସେତେବେଳେ ଗିର୍ ଜଙ୍ଗଲକୁ ବୁଲିବାକୁ ଯାଇଥିଲି। ସେଠାକାର ସରକାରୀ ଅଧିକାରୀମାନେ ଜଣେ ଆଦିବାସୀ ପିଲାକୁ ପ୍ରତି ମାସରେ ୩୦ ଟଙ୍କା ଦେଉଥିଲେ। ମୁଁ ପଚାରିଲି ଏହା କଣ। ଏହି ପିଲାକୁ କାହିଁକି ପଇସା ଦିଆଯାଉଛି। ସେମାନେ କହିଲେ, ସେହି ପିଲାର ଏକ ସ୍ୱତନ୍ତ୍ର କ୍ଷମତା ଅଛି। ଜଙ୍ଗଲ ଭିତରେ ଯେଉଁଠି ଯେତେ ଦୂରରେ ବି ନିଆଁ ଲାଗିଲେ, ପ୍ରଥମେ ଏହି ପିଲା ଜାଣିପାରେ ଜଙ୍ଗଲରେ କେଉଁଠି ନିଆଁ ଲାଗିଛି। ସେଥିରେ ସେ ପୁରା ବିଚକ୍ଷଣ ଥିଲା ଓ ସାଙ୍ଗେ ସାଙ୍ଗେ ଆମକୁ ଅଗ୍ନିକାଣ୍ଡ ସଂପର୍କରେ ଅବଗତ କରାଏ। ସେଥିପାଇଁ ଆମେ ତାକୁ ୩୦ ଟଙ୍କା ଲେଖାଏଁ ଦେଉଥିଲୁ। ଅର୍ଥାତ ଜଙ୍ଗଲରେ କେଉଁଠି ନିଆଁ ଲାଗିଲେ, ତାହା ଜାଣିବାର ଶକ୍ତି ସେହି ପିଲା ପାଖରେ ଥିଲା। ସେ କହି ଦେଉଥିଲା କି ଏହି ଦିଗରୁ ମତେ କିଛି ଜଳିବାର ଗନ୍ଧ ଆସୁଛି। …       

ବନ୍ଧୁଗଣ,

ଏ ଦିଗରେ ଆମେ ଅଧିକ ଗବେଷଣା କରିବାର ସମୟ ଆସିଛି। ଯେଉଁ ଜ୍ଞାନ ପ୍ରମାଣିତ ହୋଇଛି, ତାକୁ ଆଧୁନିକ ବିଜ୍ଞାନ ସହିତ ଯୋଡ଼ିବାର ଉପାୟ ଖୋଜିବାକୁ ପଡ଼ିବ।

ବନ୍ଧୁଗଣ,

ପାଣିପାଗ ବିଭାଗର ଅନୁମାନ ଯେତେ ସଠିକ ହେବ, ତାର ସୂଚନାର ମହତ୍ୱ ସେତେ ବଢ଼ି ବଢ଼ି ଯିବ। ଆଗାମ ଦିନରେ ଆଇଏମଡିର ଡାଟାର ଚାହିଦା ବଢ଼ିବ। ବିଭିନ୍ନ କ୍ଷେତ୍ରରେ, ଇଣ୍ଡଷ୍ଟ୍ରିରେ ଏପରିକି ସାଧାରଣ ମଣିଷର ଜୀବନରେ ଏହି ଡାଟାର ଉପଯୋଗିତା ବଢ଼ିବ। ସେଥିପାଇଁ ଆମକୁ ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି କାମ କରିବାର ଅଛି। ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟର ଆହ୍ୱାନ ବି ଅଛି ଯେଉଁଠି ଆମକୁ ଓ୍ୱାର୍ଣ୍ଣିଂ ସିଷ୍ଟମ ବିକଶିତ କରିବାର ଆବଶ୍ୟକତା ଅଛି। ମୁଁ ଚାହିଁବି, ଆମର ବୈଜ୍ଞାନିକ, ରିସର୍ଚ୍ଚ ସ୍କଲାର ଓ ଆଇଏମଡି ପରି ସଂସ୍ଥା ଏ ଦିଗରେ ନୂଆ ଉଦ୍ଭାବନ, ଆବିଷ୍କାର କରିବେ। ବିଶ୍ୱର ସେବା ସହିତ ବିଶ୍ୱର ସୁରକ୍ଷାରେ ମଧ୍ୟ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଭାବନା ସହିତ ମୁଁ ବିଶ୍ୱାସ କରୁଛି ଯେ, ଆଗାମୀ ଦିନରେ ଆଇଏମଡି ନୂଆ ଶିଖରକୁ ଛୁଇଁବ। ମୁଁ ପୁଣି ଥରେ ଆଇଏମଡି ଓ ପାଣିପାଗ ବିଜ୍ଞାନ ସହ  ଜଡ଼ିତ ସମସ୍ତଙ୍କୁ ଏହି ୧୫୦ ବର୍ଷର ଗୌରବମୟ ଯାତ୍ରା ପାଇଁ  ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଏହି ୧୫୦ ବର୍ଷରେ ଯେଉଁମାନେ ଏହି ପ୍ରଗତିକୁ ଗତି ଦେଇଛନ୍ତି, ସେମାନେ ମଧ୍ୟ ଏହି ଅଭିନନ୍ଦନର ଅଧିକାରୀ ଅଟନ୍ତି। ଯେଉଁମାନେ ଆମ ସହିତ ଅଛନ୍ତି, ସେମାନଙ୍କୁ ମୋର ଅଭିନନ୍ଦନ। ଯେଉଁମାନେ ଆମ ଗହଣରେ ନାହାନ୍ତି, ସେମାନଙ୍କ ପୁଣ୍ୟଆତ୍ମାକୁ ସ୍ମରଣ କରୁଛି। ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି।…    

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jammu & Kashmir new business registrations jump 28% despite Pahalgam attack

Media Coverage

Jammu & Kashmir new business registrations jump 28% despite Pahalgam attack
NM on the go

Nm on the go

Always be the first to hear from the PM. Get the App Now!
...
PM to visit Gujarat on 10-11 May
May 09, 2026
PM to participate in Somnath Amrut Mahotsav, marking 75 years since the inauguration of the restored Somnath Temple
PM to participate in Vishesh Maha Puja, Kumbhabhishek and Dhvajarohan at Somnath Temple
PM to inaugurate Sardardham Hostel in Vadodara

Prime Minister Shri Narendra Modi will visit Gujarat on 10-11 May, 2026. He will arrive in Jamnagar, Gujarat late at night on 10 May. On 11 May, the Prime Minister will participate in the Somnath Amrut Mahotsav at Somnath Temple at around 10:15 AM. Thereafter, Prime Minister will travel to Vadodara, where he will inaugurate the Sardardham Hostel at around 6 PM. He will also address gatherings on both occasions.

PM in Somnath

Prime Minister will participate in the Somnath Amrut Mahotsav at the sacred Somnath Temple, one of the twelve Jyotirlingas and a symbol of India’s enduring faith and civilisational heritage. Somnath Amrut Mahotsav marks 75 years since the inauguration of the restored Temple.

As part of the celebrations, the Prime Minister will participate in a series of auspicious religious and cultural events. He will take part in the Vishesh Maha Puja, followed by the Kumbhabhishek and Dhvajarohan ceremonies, marking the consecration rituals and hoisting of the temple flag.

Prime Minister will also release a commemorative stamp and coin on the occasion, commemorating the rich legacy and spiritual significance of Somnath.

PM in Vadodara

Prime Minister will inaugurate the Sardardham Hostel in Vadodara. The project includes hostel facilities for 1,000 boys and 1,000 girls, along with amenities like central dining hall, library and auditorium. Prime Minister will also visit various facilities at the Sardardham complex, including the reception area, civil amenities, dining area and e-Library.