ଆଜି ପ୍ରତ୍ୟେକ ଆତଙ୍କବାଦୀ ଜାଣନ୍ତି ଯେ ଆମର ଭଉଣୀ ଏବଂ ଝିଅମାନଙ୍କ କପାଳରୁ ସିନ୍ଦୂର ପୋଛି ଦେବାର ପରିଣାମ କ'ଣ: ପ୍ରଧାନମନ୍ତ୍ରୀ
ଅପରେସନ୍ ସିନ୍ଦୂର ହେଉଛି ନ୍ୟାୟ ପାଇଁ ଏକ ଅଟଳ ପ୍ରତିଜ୍ଞା: ପ୍ରଧାନମନ୍ତ୍ରୀ
ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ କପାଳରୁ ସିନ୍ଦୂର ପୋଛି ଦେବାକୁ ସାହସ କରିଥିଲେ; ଯାହାର ଫଳସ୍ବରୂପ ଭାରତ ଆତଙ୍କବାଦର ମୁଖ୍ୟାଳୟକୁ ଧ୍ୱଂସ କରିଥିଲା: ପ୍ରଧାନମନ୍ତ୍ରୀ
ପାକିସ୍ତାନ ଆମ ସୀମାରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା, କିନ୍ତୁ ଭାରତ ସେମାନଙ୍କୁ ସେମାନଙ୍କ ମୂଳରେ ପ୍ରହାର କରିଛି: ପ୍ରଧାନମନ୍ତ୍ରୀ
ଅପରେସନ୍ ସିନ୍ଦୂର ଆତଙ୍କବାଦ ବିରୁଦ୍ଧରେ ଲଢ଼େଇକୁ ପୁନଃପରିଭାଷିତ କରିଛି, ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି: ପ୍ରଧାନମନ୍ତ୍ରୀ
ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ଆତଙ୍କବାଦର ମଧ୍ୟ ଯୁଗ ନୁହେଁ: ପ୍ରଧାନମନ୍ତ୍ରୀ
ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ
ପାକିସ୍ତାନ ସହିତ ଯେକୌଣସି ଆଲୋଚନା ଆତଙ୍କବାଦ ଏବଂ ପିଓକେ ଉପରେ କେନ୍ଦ୍ରିତ ହେବ: ପ୍ରଧାନମନ୍ତ୍ରୀ

ପ୍ରିୟ ଦେଶବାସୀ,

ନମସ୍କାର

ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।

ସାଥୀଗଣ,

ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ପ୍ରଦର୍ଶନ କରିଥିଲେ, ତାହା ଦେଶ ତଥା ବିଶ୍ୱକୁ ବ୍ୟଥିତ କରିଦେଇଥିଲା। ଛୁଟି ପାଳନ କରୁଥିବା ନିର୍ଦ୍ଦୋଷ ନାଗରିକମାନଙ୍କୁ, ସେମାନଙ୍କ ପରିବାର ସମ୍ମୁଖରେ, ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ, ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା, ଆତଙ୍କବାଦର ଏକ ଅତ୍ୟନ୍ତ ବିଭତ୍ସ ଚେହେରା ଥିଲା, କ୍ରୁରତା ଥଲା। ଏହା ମଧ୍ୟ ଦେଶର ସୌହାର୍ଦ୍ଦ୍ୟକୁ ଭାଙ୍ଗିବାର ଏକ ନିନ୍ଦନୀୟ ପ୍ରୟାସ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଏକ ସ୍ୱରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛିଡ଼ା ହୋଇଥିଲେ। ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଆମେ ଭାରତୀୟ ସେନାକୁ ସ୍ୱାଧୀନତା ଦେଇଥିଲୁ। ଆଉ ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କୀ ସଙ୍ଗଠନ ଭଲ ଭାବେ ଜାଣିପାରିଛନ୍ତି ଯେ ଆମ ଭଉଣୀ ଓ ଝିଅମାନଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହୋଇପାରେ।

ସାଥୀଗଣ,

‘ଅପରେସନ୍‌ ସିନ୍ଦୁର’ କେବଳ ଗୋଟିଏ ନାମ ନୁହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ‘ଅପରେସନ୍‌ ସିନ୍ଦୁର’ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ଅଟେ। ୬ ମଇ ବିଳମ୍ବିତ ରାତ୍ରୀରେ, ୭ ମଇ ସକାଳେ ସାରା ଦୁନିଆ ଏହି ପ୍ରତିଜ୍ଞାକୁ ପରିଣାମରେ ବଦଳୁଥିବା ଦେଖିଛି । ଭାରତର ସେନାବାହିନୀ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ, ସେମାନଙ୍କ ଟ୍ରେନିଂ ସେଣ୍ଟର୍‌ ଉପରେ ସଠିକ୍‌ ପ୍ରହାର କରିଥିଲା। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୋଇଥାଏ, ରାଷ୍ଟ୍ର ପ୍ରଥମ ଭାବନାରେ ପରିପୂର୍ଣ୍ଣ ହୋଇଥାଏ, ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ଦୁଃସାହିକ ନିଷ୍ପତ୍ତି ଗ୍ରହଣ କରାଯାଏ, ପରିଣାମ ସମସ୍ତଙ୍କୁ ପ୍ରଦର୍ଶିତ କରାଯାଏ।

ଯେତେବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କଲା, ଭାରତର ଡ୍ରୋନ ମାଡ଼ ହେଲା, ସେତେବେଳେ କେବଳ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଅଟ୍ଟାଳିକା ନୁହେଁ, ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଚୁରମାର୍‌ ହୋଇଥିଲା। ବାହାବଲପୁର ଏବଂ ମୁରୀଦକେ ଭଳି ଆତଙ୍କବାଦୀ କେନ୍ଦ୍ରଗୁଡ଼ିକ ଏକ ପ୍ରକାରରେ ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ହୋଇ ରହିଆସିଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ, କିମ୍ବା ଦଶନ୍ଧି ଦଶନ୍ଧି ଧରି ଭାରତରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, କେଉଁଠି ନା କେଉଁଠି ଏହି ଆତଙ୍କବାଦର ଆଡ୍ଡା ସହିତ ଜଡିତ ହୋଇଛି। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁରକୁ ଉଜାଡ଼ି ଦେଇଥିଲେ, ତେଣୁ ଭାରତ ଆତଙ୍କବାଦର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢେଇରୁ ତିନି ଦଶନ୍ଧି ଧରି ପାକିସ୍ତାନରେ ଖୋଲାଖୋଲି ଭାବେ ବୁଲୁଥିବା, ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା, ଅନେକ ପ୍ରମୁଖ ଆତଙ୍କବାଦୀଙ୍କୁ ଭାରତ ଗୋଟିଏ ଆଘାତରେ ନିପାତ କରିଦେଇଛି ।

ବନ୍ଧୁଗଣ,

ଭାରତର ଏହି କାର୍ଯ୍ୟ ଦ୍ୱାରା ପାକିସ୍ତାନ ଗଭୀର ଭାବେ ନିରାଶ, ହତାଶ ଏବଂ କ୍ରୋଧିତ ହୋଇଥିଲା, ଏବଂ ଏହି ହତାଶାରେ ସେ ଆଉ ଏକ ଦୁଃସାହସ କରିଥିଲା। ଆତଙ୍କବାଦ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଆମର ବିଦ୍ୟାଳୟ, କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଛି, ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ମୁଖା ଖୋଲି ଯାଇଛି।

ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ସାମ୍ନାରେ ଧୂଳିସାତ ହୋଇଥିଲା ତାହା ସାରା ଦୁନିଆ ଦେଖିଛି । ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେଗୁଡ଼ିକୁ ଆକାଶରେ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ପ୍ରସ୍ତୁତି ଥିଲା ସୀମାରେ ଆକ୍ରମଣ କରିବା, କିନ୍ତୁ ଭାରତ ପାକିସ୍ତାନକୁ ଛାତିରେ ଆଘାତ କରିଥିଲା। ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ପୂର୍ଣ୍ଣ ସଠିକତାର ସହ ଆଘାତ କରିଥିଲା। ପାକିସ୍ତାନ ବାୟୁସେନାର ସେହି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିଲା, ଯାହାକୁ ନେଇ ପାକିସ୍ତାନ ଗର୍ବ କରୁଥିଲା। ଭାରତ ପ୍ରଥମ ତିନି ଦିନ ମଧ୍ୟରେ ପାକିସ୍ତାନରେ ଏପରି ଧ୍ୱଂସଲୀଳ କରିଥିଲା, ଯାହା ପାକିସ୍ତାନ କେବେ କଳ୍ପନା ମଧ୍ୟ କରିପାରିନଥିଲା।

ସେଥିପାଇଁ ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପଳାୟନ ମାର୍ଗ ଖୋଜିବା ଆରମ୍ଭ କରିଥିଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା। ଆଉ ଏତେ ମାତ୍ରାରେ ଆଘାତ ସହିବା ପରେ ପାକିସ୍ତାନ ସେନା ବାଧ୍ୟ ହୋଇ ମଇ ୧୦ ତାରିଖ ଅପରାହ୍ଣରେ, ଆମର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲା। ସେତେବେଳକୁ, ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବ୍ୟାପକ ଭାବେ ଧ୍ୱଂସ କରିଦେଇଥିଲୁ, ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା, ପାକିସ୍ତାନର ଛାତିରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଧ୍ୱଂସ ହୋଇଯାଇଥିଲା, ତେଣୁ ଯେତେବେଳେ ପାକିସ୍ତାନ ନିବେଦନ କଲା, ସେତେବେଳେ ପାକିସ୍ତାନ କହିଲା ଯେ ତା’ ତରଫରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ ହେବ ନାହିଁ। ତେଣୁ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା। ଆହୁରି, ମୁଁ ଦୋହରାଇବାକୁ ଚାହେଁ, ଆମେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକ ବିରୋଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ତା’ର ଆଭିମୁଖ୍ୟ ଦ୍ୱାରା ବିଚାର କରିବୁ।

ବନ୍ଧୁଗଣ,

ଭାରତର ତିନି ସେନା, ଆମର ବାୟୁସେନା, ଆମର ସେନା, ଆମର ନୌସେନା, ଆମର ସୀମା ସୁରକ୍ଷା ବଳ-ବିଏସଏଫ, ଭାରତର ଅର୍ଦ୍ଧସାମରିକ ବାହିନୀ, ସବୁବେଳେ ସତର୍କ ରହିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୁର’ ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ୍ ସିନ୍ଦୁର ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ବାସ୍ତବିକତା ପ୍ରତିଷ୍ଠା କରିଛି।

ପ୍ରଥମତଃ, ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତା’ହେଲେ ଉପଯୁକ୍ତ ଜବାବ ଦିଆଯିବ। ଆମେ ନିଜ ଶୈଳୀରେ, ନିଜ ସର୍ତ୍ତରେ ଜବାବ ଦେବା ଜାରି ରଖିବୁ। ଯେଉଁଠାରୁ ଆତଙ୍କବାଦର ଉତ୍ପତ୍ତି ହୋଇଛି, ସେହି ପ୍ରତ୍ୟେକ ସ୍ଥାନକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱିତୀୟତଃ, ଭାରତ କୌଣସି ପରମାଣୁ ଯୁଦ୍ଧ ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ। ପରମାଣୁ ବ୍ଲାକମେଲର ଛଦ୍ମବେଶରେ ବିକଶିତ ହେଉଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ ସଠିକ୍ ଏବଂ ନିର୍ଣ୍ଣାୟକ ଭାବରେ ଆକ୍ରମଣ କରିବ।

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ସରକାର ଏବଂ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କୁ ଅଲଗା କରି ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ, ବିଶ୍ୱ ପୁଣିଥରେ ପାକିସ୍ତାନର କୁତ୍ସିତ ବାସ୍ତବତା ଦେଖିଲା ଯେତେବେଳେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ନିହତ ଆତଙ୍କବାଦୀମାନଙ୍କୁ ଅନ୍ତିମ ବିଦାୟ ଦେବାକୁ ବାହାରିଥିଲେ। ଏହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ବନ୍ଧୁଗଣ,

ଆମେ ପ୍ରତ୍ୟେକ ଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ଧୂଳି ଚଟେଇଛୁ। ଆଉ ଏଥର ଅପରେସନ୍ ସିନ୍ଦୁର ଏକ ନୂଆ ଦିଗ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତଗୁଡ଼ିକରେ ନିଜର ସାମର୍ଥ୍ୟର ଚମତ୍କାର ପ୍ରଦର୍ଶନ କରିଛୁ, ଏବଂ ଠିକ୍‌ ଏହି ସମୟରେ, ନୂତନ ଯୁଗର ଯୁଦ୍ଧରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛୁ। ଏହି ଅପରେସନ୍ ସମୟରେ, ଆମର ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି, ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଛି।

ବନ୍ଧୁଗଣ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ ବିରୋଧରେ ଏକଜୁଟ ରହିବା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ନିଶ୍ଚିତ ଭାବେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ମଧ୍ୟ ଆତଙ୍କବାଦର ଯୁଗ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଯେଭଳି ଭାବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଆତଙ୍କବାଦକୁ ପୋଷଣ ଦେଉଛନ୍ତି, ଦିନେ ନା ଦିନେ ଏହା ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହେଁ, ତା’ହେଲେ ତାର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ। ଶାନ୍ତି ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ: ଆତଙ୍କବାଦ ଏବଂ ଆଲୋଚନା, ଏକାଠି କରାଯାଇପାରିବ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ଯାଇପାରିବ ନାହିଁ। ଏହା ବ୍ୟତୀତ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ କହିବି, ଆମର ଘୋଷିତ ନୀତି ହେଉଛି, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଉପରେ ହେବ, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେ ଉପରେ ଆଧାରିତ ହେବ।

ପ୍ରିୟ ଦେଶବାସୀ,

ଆଜି ବୁଦ୍ଦ ପୂର୍ଣ୍ଣିମା। ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ଶାନ୍ତିର ମାର୍ଗ ମଧ୍ୟ ଶକ୍ତିର ମାର୍ଗ ହୋଇଯାଇଥାଏ। ମାନବତା, ଶାନ୍ତି ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ୁ, ପ୍ରତ୍ୟେକ ଭାରତୀୟ ଶାନ୍ତିରେ ରୁହନ୍ତୁ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରନ୍ତୁ, ସେଥିପାଇଁ ଭାରତ ଶକ୍ତିଶାଳୀ ହେବ ଅତ୍ୟନ୍ତ ଜରୁରୀ। ଆବଶ୍ୟକତା ପଡ଼ିଲେ ଏହି ଶକ୍ତିର ଉପଯୋଗ କରିବା ମଧ୍ୟ ଜରୁରୀ। ଆଉ ବିଗତ କିଛି ଦିନ ମଧ୍ୟରେ ଭାରତ ଏହା କରି ଦେଖାଇଛି ।

ମୁଁ ପୁଣିଥରେ ଭାରତୀୟ ସେନା ଏବଂ ସଶସ୍ତ୍ର ବଳକୁ ଅଭିବାଦନ ଜଣାଉଛି। ଆମେ ଭାରତବାସୀଙ୍କ ସାହସକୁ ପ୍ରଣାମ କରୁଛି। ଭାରତବାସୀଙ୍କ ଏକତାର ଶପଥ, ସଂକଳ୍ପକୁ ମୁଁ ପ୍ରଣାମ କରୁଛି।

ବହୁତ - ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi