ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମଧ୍ୟ ଥିଲେ ଭାରତର ମହାନ୍ ଭକ୍ତ: ପ୍ରଧାନମନ୍ତ୍ରୀ
ପୃଥିବୀ ଆମଠାରୁ ଯୋଗ ଓ ଆୟୁବୈଦ ଉପରେ ଜ୍ଞାନ ଲାଭ କରୁ ଏହା ହେଉ ଆମ ସଂକଳ୍ପ: ପ୍ରଧାନମନ୍ତ୍ରୀ
ଭକ୍ତିକାଳର ସାମାଜିକ ବିପ୍ଳବ ବିନା ଭାରତର ସ୍ଥିତି ଓ ସ୍ୱରୂପ କଳନା କରିବା କଷ୍ଟକର: ପ୍ରଧାନମନ୍ତ୍ରୀ
ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ଭକ୍ତି ବେଦାନ୍ତକୁ ବିଶ୍ୱ ଚେତନା ସହ ସଂଯୋଗ କରିଛନ୍ତି

ହରେ କୃଷ୍ଣ!

ଆଜିର ଏହି ଶୁଭ ଅବସରରେ ଆମ ସହ ଉପସ୍ଥିତ ଥିବା ଦେଶର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ୍ ରେଡ୍ଡୀ, ଇସ୍କନ ବ୍ୟୁରୋର ଅଧ୍ୟକ୍ଷ ଶ୍ରୀ ଗୋପାଳ କୃଷ୍ଣ ଗୋସ୍ୱାମୀ ଜୀ, ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଆମ ସହ ଯୋଡି ହୋଇଥିବା ସମସ୍ତ ସାଥୀ, କୃଷ୍ଣ ଭକ୍ତଗଣ!

ଗୋଟିଏ ଦିନ ପୂର୍ବରୁ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଥିଲା ଏବଂ ଆଜି ଆମେ ଶ୍ରୀଲ ପ୍ରଭୁପାଦ ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ କରୁଛୁ । ଏହା ଏଭଳି ସମୟ ଯେ, ଯେପରି ସାଧନାର ସୁଖ ଏବଂ ଆନନ୍ଦ ଉଭୟ ଏକାଠି ହୋଇ ଯାଇଛନ୍ତି । ଏହି ଭାବନାକୁ ଆଜି ସମଗ୍ର ବିଶ୍ୱରେ ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଲକ୍ଷ ଲକ୍ଷ କୋଟି କୋଟି ଅନୁଗାମୀ ଏବଂ ଲକ୍ଷ ଲକ୍ଷ କୋଟି କୋଟି କୃଷ୍ଣ ଭକ୍ତ ଅନୁଭବ କରୁଛନ୍ତି । ମୁଁ ସମ୍ମୁଖରେ ଥିବା ପରଦାରେ ଭିନ୍ନ ଭିନ୍ନ ଦେଶରୁ ଆପଣ ସମସ୍ତ ସାଧକଙ୍କୁ ଦେଖିପାରୁଛି! ଏପରି ଲାଗୁଛି ଯେ ଲକ୍ଷ ଲକ୍ଷ ମନ ଗୋଟିଏ ଭାବନାର ସୂତ୍ରରେ ବାନ୍ଧି ହୋଇଛି, ଲକ୍ଷ ଲକ୍ଷ ଶରୀର ଏକ ଚେତନା ସହ ଯୋଡି ହୋଇଛନ୍ତି! ଏହା ସେହି କୃଷ୍ଣ ଚେତନା ଯାହାର ବାର୍ତା ପ୍ରଭୁପାଦ ସ୍ୱାମୀ ଜୀ ସମଗ୍ର ବିଶ୍ୱରେ ପହଂଚାଇଛନ୍ତି ।

ବନ୍ଧୁଗଣ,

ଆମେ ସମସ୍ତେ ଜାଣୁ ଯେ ପ୍ରଭୁପାଦ ସ୍ୱାମୀ ଏକ ଅଲୌକିକ କୃଷ୍ଣ ଭକ୍ତ ତ ଥିଲେ, ଏଥି ସହିତ ସେ ଜଣେ ମହାନ୍ ଭାରତ ଭକ୍ତ ମଧ୍ୟ ଥିଲେ । ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ସଂଘର୍ଷ କରିଥିଲେ । ସେ ଅସହଯୋଗ ଆନ୍ଦୋଳନର ସମର୍ଥନରେ ସ୍କଟିଶ କଲେଜରୁ ନିଜର ଡିପ୍ଲୋମା ପର୍ଯ୍ୟନ୍ତ ନେବାକୁ ବି ମନା କରି ଦେଇଥିଲେ । ଆଜି ଏହା ସୁଖଦ ସଂଯୋଗ ଯେ ଦେଶ ଏଭଳି ଏକ ରାଷ୍ଟ୍ରଭକ୍ତଙ୍କର ୧୨୫ତମ ଜନ୍ମ ଜୟନ୍ତୀ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷର ପର୍ବ- ଅମୃତ ମହୋତ୍ସବ ପାଳନ କରୁଛି ।

ଶ୍ରୀଲ ପ୍ରଭୂପାଦ ସବୁବେଳେ ଏକଥା କହୁଥିଲେ ଯେ ସେ ବିଶ୍ୱର ବିଭିନ୍ନ ଦେଶକୁ ଏଥିପାଇଁ ଭ୍ରମଣ କରୁଛନ୍ତି କାରଣ ଭାରତର ସବୁଠାରୁ ଅମୂଲ୍ୟ ସମ୍ପଦ ବିଶ୍ୱକୁ ଦେବାକୁ ଚାହୁଁଛନ୍ତି । ଭାରତର ଯେଉଁ ଜ୍ଞାନ - ବିଜ୍ଞାନ ରହିଛି, ଆମର ଯେଉଁ ଜୀବନ ସଂସ୍କୃତି ଓ ପରମ୍ପରା ରହିଛି, ତାର ଯେଉଁ ଭାବନା ରହିଛି - ଅର୍ଥାତ୍‌- ଭୂତ ଦୟାମ ପ୍ରତି ଅର୍ଥାତ୍‌, ପ୍ରତିଟି ଜୀବ ପାଇଁ, ପ୍ରତିଟି ଜୀବର କଲ୍ୟାଣ ପାଇଁ! ଆମର ଅନୁଷ୍ଠାନଗୁଡିକର ମଧ୍ୟ ଅନ୍ତିମ ମନ୍ତ୍ର ଏହା ହୋଇଥାଏ – ଇଦମ୍ ନ ମମମ୍ ୟାନି, ଏହା ମୋର ନୁହେଁ । ଏହା ଅଖିଳ ବ୍ରହ୍ମାଣ୍ଡ ପାଇଁ, ସମ୍ପୁର୍ଣ୍ଣ ସୃଷ୍ଟିର ମଙ୍ଗଳ ପାଇଁ, ଏବଂ ଏଥିପାଇଁ ସ୍ୱାମିଜୀଙ୍କ ପୂଜ୍ୟ ଗୁରୁଜୀ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଜୀ ତାଙ୍କ ଭିତରେ ସେହି କ୍ଷମତା ଦେଖିଥିଲେ, ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେ ଭାରତର ଚିନ୍ତନ ଓ ଦର୍ଶନକୁ ସମଗ୍ର ବିଶ୍ୱରେ ପହଂଚାଇବେ । ଶ୍ରୀଲ ପ୍ରଭୂପାଦ ଜୀ ତାଙ୍କ ଗୁୁରୁଙ୍କ ଏହି ନିର୍ଦ୍ଦେଶକୁ ନିଜର ମିଶନ୍ କରିଥିଲେ ଏବଂ ତାଙ୍କ ତପସ୍ୟାର ଫଳ ଆଜି ବିଶ୍ୱର କୋଣ - ଅନୁକୋଣରେ ଦୃଶ୍ୟମାନ ହେଉଛି ।

ଅମୃତ ମହୋତ୍ସବରେ ଭାରତ ମଧ୍ୟ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସର ମନ୍ତ୍ର ସହିତ ଏହିଭଳି ସଙ୍କଳ୍ପଗୁଡିକୁ ନିଜର ଆଗାମୀ ଯାତ୍ରାର ଆଧାର କରିଛି । ଆମର ଏହି ସଙ୍କଳ୍ପଗୁଡିକର କେନ୍ଦ୍ରରେ, ଆମର ଏହିସବୁ ଲକ୍ଷ୍ୟର ମୂଳରେ ମଧ୍ୟ ବୈଶ୍ୱିକ କଲ୍ୟାଣର ଭାବନା ହିଁ ରହିଛି । ଏବଂ ଆପଣ ସମସ୍ତେ ଏହାର ସାକ୍ଷୀ ଅଟନ୍ତି ଯେ ଏହି ସଙ୍କଳ୍ପଗୁଡିକର ପୂରଣ ନିମନ୍ତେ ସମସ୍ତଙ୍କ ପ୍ରୟାସ କେତେ ଆବଶ୍ୟକ ଅଟେ । ଆପଣମାନେ କଳ୍ପନା କରିପାରନ୍ତି, ଯଦି ପ୍ରଭୂପାଦ ଜୀ ଏକୁଟିଆ ବିଶ୍ୱକୁ ଏତେ କିଛି ଦେଇପାରିଛନ୍ତି, ତାହାହେଲେ ଯଦି ଆମେ ସମସ୍ତେ ତାଙ୍କ ଆଶୀର୍ବାଦରୁ ଏକ ସଙ୍ଗରେ ପ୍ରୟାସ କରିବା, ତାହାହେଲେ କିଭଳି ପରିଣାମ ମିଳିବ? ଆମେ ନିଶ୍ଚିତ ଭାବେ ମାନବିକ ଚେତନାର ସେହି ଶିଖର ପର୍ଯ୍ୟନ୍ତ ପହଂଚିବା ଯେଉଁଠାରୁ ଆମେ ବିଶ୍ୱରେ ଆହୁରି ବୃହତ୍ ଭୂମିକା ନିର୍ବାହ କରିପାରିବା, ପ୍ରେମର ସନ୍ଦେଶ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଂଚାଇ ପାରିବା ।

ବନ୍ଧୁଗଣ,

ମାନବତାର ମଙ୍ଗଳ ପାଇଁ ଭାରତ ବିଶ୍ୱକୁ କେତେ କଣ ଯେ ଦେଇପାରିବ, ଆଜି ଏହାର ଏକ ବହୁତ ବଡ ଉଦାହରଣ ହେଉଛି ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ଆମର ଯୋଗର ଜ୍ଞାନ! ଆମର ଯୋଗ ପରମ୍ପରା! ଭାରତର ଯେଉଁ ଦୀର୍ଘସ୍ଥାୟୀ ଜୀବନ ଶୈଳୀ ରହିଛି, ଆୟୁର୍ବେଦ ଭଳି ଯେଉଁ ବିଜ୍ଞାନ ରହିଛି, ଆମର ସଙ୍କଳ୍ପ ଏହି ଯେ ସମଗ୍ର ବିଶ୍ୱକୁ ଏହାର ସୁଫଳ ମିଳୁ । ଆତ୍ମନିର୍ଭରତାର ଯେଉଁ ମନ୍ତ୍ରକୁ ଶ୍ରୀଲ ପ୍ରଭୂପାଦ ବହୁ ସମୟରେ ଚର୍ଚ୍ଚା କରୁଥିଲେ, ତାହାକୁ ଭାରତ ନିଜର ଧ୍ୟେୟ ଭାବେ ବାଛି ନେଇଛି, ଏବଂ ସେହି ଦିଗରେ ଦେଶ ଆଗକୁ ବଢୁଛି । ମୁଁ ଅନେକ ଥର ଯେତେବେଳେ ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆର ଲକ୍ଷ୍ୟ ବିଷୟରେ କଥା ହୋଇଥାଏ, ସେତେବେଳେ ମୁଁ ମୋର ଅଧିକାରୀମାନଙ୍କୁ, ବ୍ୟବସାୟୀ ଗୋଷ୍ଠୀଙ୍କୁ ଇସ୍କନର ହରେ କୃଷ୍ଣ ଆନ୍ଦୋଳନର ସଫଳତାର ଉଦାହରଣ ଦେଇଥାଏ । ଆମେ ଯେତେବେଳେ ବି ଅନ୍ୟ କୌଣସି ଦେଶକୁ ଯାଉ, ଏବଂ ସେଠାରେ ଲୋକମାନେ ଯେତେବେଳେ ଭେଟିଲା ବେଳେ ‘ହରେ କୃଷ୍ଣ’ ବୋଲି କୁହନ୍ତି, ସେତେବେଳେ ଆମକୁ କେତେ ନିଜର ଲାଗନ୍ତି, କେତେ ଆନନ୍ଦ ମଧ୍ୟ ଅନୁଭୂତ ହୁଏ । ଚିନ୍ତା କରନ୍ତୁ, ଏହି ଆପଣାପଣ ଯେତେବେଳେ ଆମକୁ ମେକ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡିକ ପାଇଁ ମିଳିବ ତାହାହେଲେ ଆମକୁ କିଭଳି ଅନୁଭବ ହେବ! ଇସ୍କନ ଠାରୁ ଶିକ୍ଷାଲାଭ କରି ଆମେ ଏହି ଲକ୍ଷ୍ୟଗୁଡିକୁ ମଧ୍ୟ ହାସଲ କରିପାରିବୁ ।

ବନ୍ଧୁଗଣ,

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ – ‘ନ ହି ଜ୍ଞାନେନ ସଦୃଶମ ପବିତ୍ର-ମିହ ବିଦ୍ୟତେ’ , ଅର୍ଥାତ୍ ଜ୍ଞାନ ଭଳି ପବିତ୍ର କିଛି ବି ନୁହେଁ । ଜ୍ଞାନକୁ ଏହି ସର୍ବୋଚ୍ଚତା ଦେବା ପରେ ସେ ଆଉ ଗୋଟିଏ କଥା କହିଥିଲେ - ‘ମଧ୍ୟେବ ମନ ଆଧତସ୍ୱ ମୟି ବୁଦ୍ଧିମ ନିବେଶାୟ’ ଅର୍ଥାତ୍‌, ଜ୍ଞାନ ବିଜ୍ଞାନକୁ ହାସଲ କରିବା ପରେ ନିଜର ମନକୁ, ବୁଦ୍ଧିକୁ କୃଷ୍ଣଙ୍କଠାରେ ଲଗାଇ ଦିଅ, ତାଙ୍କରି ଭକ୍ତିରେ ସମର୍ପିତ କରିଦିଅ । ଏହି ବିଶ୍ୱାସ, ଏହି ଶକ୍ତି ମଧ୍ୟ ଏକ ଯୋଗ ଅଟେ, ଯାହାକୁ ଗୀତାର ଦ୍ୱାଦଶ ଅଧ୍ୟାୟରେ ଭକ୍ତି ଯୋଗ କୁହାଯାଇଛି । ଏବଂ ଏହି ଭକ୍ତି ଯୋଗର ସାମର୍ଥ୍ୟ ବହୁତ ବଡ ଅଟେ । ଭାରତର ଇତିହାସ ମଧ୍ୟ ଏହାର ସାକ୍ଷୀ ଅଟେ । ଯେତେବେଳେ ଭାରତ ଦାସତ୍ୱର ଗଭୀର ଗର୍ତ ମଧ୍ୟରେ ଫଶି ରହିଥିଲା, ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ଦ୍ୱାରା ପିଡୀତ ଭାରତ ନିଜର ଜ୍ଞାନ ଏବଂ ଶକ୍ତି ଉପରେ ଧ୍ୟାନ କେନ୍ଦ୍ରୀତ କରିପାରୁ ନଥିଲା, ସେତେବେଳେ ଏହି ଭକ୍ତି ହିଁ ଥିଲା, ଯାହା ଭାରତର ଚେତନାକୁ ଜୀବନ୍ତ ରଖିଲା, ଭାରତର ପରିଚୟକୁ ଅକ୍ଷୁର୍ଣ୍ଣ ରଖିଲା । ଆଜି ବିଦ୍ୱାନମାନେ ଏ କଥାର ଆକଳନ କରୁଛନ୍ତି ଯେ ଯଦି ଭକ୍ତି କାଳର ସାମାଜିକ କ୍ରାନ୍ତି ନଥାଆନ୍ତା ତାହାହେଲେ କେଜାଣି ଭାରତ କେଉଁଠି ଥାଆନ୍ତା, କେଉଁ ସ୍ୱରୂପରେ ରହିଥାଆନ୍ତା! କିନ୍ତୁ ସେହି କଠିନ ସମୟରେ ଚୈତନ୍ୟ ମହାପ୍ରଭୁଙ୍କ ଭଳି ସନ୍ଥ ଆମ ସମାଜକୁ ଭକ୍ତିର ଭାବନାରେ ବାନ୍ଧି ରଖିଲେ, ସେ “ବିଶ୍ୱାସରୁ ଆତ୍ମବିଶ୍ୱାସ”ର ମନ୍ତ୍ର ପ୍ରଦାନ କଲେ । ଆସ୍ଥାର ଭେଦଭାବ, ସାମାଜିକ ଉଚ୍ଚ ନୀଚ୍ଚ, ଅଧିକାର-ଅନଧିକାର, ଭକ୍ତି ଏସବୁକୁ ସମାପ୍ତ କରି ଶିବ ଏବଂ ଜୀବ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କର ସେତୁ ପ୍ରତିଷ୍ଠା କଲେ ।

ବନ୍ଧୁଗଣ,

ଆପଣ ଭାରତର ଇତିହାସ ଅଧ୍ୟୟନ କଲେ ଏକଥା ମଧ୍ୟ ଜାଣିବାକୁ ପାଇବେ ଯେ ଭକ୍ତିର ଏହି ଡୋରକୁ ଧରି ରହିବା ପାଇଁ ଭିନ୍ନ ଭିନ୍ନ କାଳଖଣ୍ଡରେ ଋଷି ମହର୍ଷୀ ଏବଂ ମନିଷୀ ଏହି ସଂସାରକୁ ଆସୁଥିଲେ, ଯାଉଥିଲେ, ଅବତୀର୍ଣ୍ଣ ହେଉଥିଲେ । ଗୋଟିଏ ସମୟରେ ଯଦି ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାପୁରୁଷ ଆସିଥିଲେ ଯିଏ ବେଦ ବେଦାନ୍ତକୁ ପଶ୍ଚିମ ପର୍ଯ୍ୟନ୍ତ ପହଂଚାଇଥିଲେ, ତେବେ ସେହିପରି ବିଶ୍ୱକୁ ଯେତେବେଳେ ଭକ୍ତି ଯୋଗ ପ୍ରଦାନ ଦାୟିତ୍ୱର ଆବଶ୍ୟକତା ପଡିଲା ସେତେବେଳେ ଶ୍ରୀଲ ପ୍ରଭୁପାଦ ଜୀ ଏବଂ ଇସ୍କନ ଏହି ମହାନ୍ କାର୍ଯ୍ୟର ବୋଝ ଉଠାଇଲେ । ସେ ଭକ୍ତି ବେଦାନ୍ତକୁ ଦୁନିଆର ଚେତନା ସହ ଯୋଡିବାର କାର୍ଯ୍ୟ କରିଥିଲେ । ଏହା କୌଣସି ସାଧାରଣ କାର୍ଯ୍ୟ ନଥିଲା । ସେ ପ୍ରାୟ ୭୦ ବର୍ଷର ସେହି ବୟସରେ ଇସ୍କନ୍ ଭଳି ବୈଶ୍ୱିକ ମିଶନର ଆରମ୍ଭ କରିଥିଲେ, ଯେତେବେଳେ ଲୋକମାନେ ନିଜ ଜୀବନର ପରିସୀମା ଓ ସକ୍ରିୟତାକୁ ହ୍ରାସ କରିଦେଇଥାଆନ୍ତି । ଏହା ଆମ ସମାଜ ପାଇଁ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ବହୁତ ବଡ ପ୍ରେରଣା । ଅନେକ ଥର ଆମେ ଦେଖୁ ଯେ, ଲୋକମାନେ କହିବା ଆରମ୍ଭ କୁହନ୍ତି ଯେ ବୟସ ହୋଇଗଲା ନହେଲେ ବହୁତ କିଛି କରିଥାଆନ୍ତି! ଅବା ପୁଣି ଏବେ ତ ଏହି ସବୁ କାମ କରିବା ପାଇଁ ଉଚିତ ବୟସ ନୁହେଁ! କିନ୍ତୁ ପ୍ରଭୂପାଦ ସ୍ୱାମୀ ନିଜ ଶୈଶବରୁ ଆରମ୍ଭ କରି ଆଜୀବନ ନିଜର ସଙ୍କଳ୍ପଗୁଡିକ ପାଇଁ ସକ୍ରିୟ ରହିଥିଲେ । ପ୍ରଭୂପାଦ ଜୀ ସାମୁଦ୍ରିକ ଜାହାଜ ଯୋଗେ ଯେତେବେଳେ ଆମେରିକା ଗଲେ, ସେତେବେଳେ ତାଙ୍କ ପକେଟ ପ୍ରାୟ ଖାଲି ଥିଲା । ତାଙ୍କ ପାଖରେ କେବଳ ପୁଞ୍ଜି ଭାବରେ ଗୀତା ଏବଂ ଶ୍ରୀମଦ ଭାଗବତ ରହିଥିଲା! ରାସ୍ତାରେ ତାଙ୍କୁ ଦୁଇ ଦୁଇ ଥର ହୃଦଘାତ ହୋଇଥିଲା! ଯାତ୍ରା କାଳରେ! ଯେତେବେଳେ ସେ ନ୍ୟୁୟର୍କରେ ପହଂଚିଲେ ସେତେବେଳେ ତାଙ୍କ ପାଖରେ ଖାଇବାର କିଛି ବ୍ୟବସ୍ଥା ନଥିଲା, ରହିବାର କୌଣସି ଠିକଣା ହିଁ ନଥିଲା । କିନ୍ତୁ ତାର ପରବର୍ତୀ ୧୧ ବର୍ଷରେ ବିଶ୍ୱ ଯାହା କିଛି ଦେଖିଲା, ଶ୍ରଦ୍ଧେୟ ଅଟଳ ଜୀଙ୍କ ଶଦ୍ଦରେ ଯଦି କହିବା ତାହାହେଲେ ଅଟଳ ଜୀ ତାଙ୍କ ବିଷୟରେ କହିଥିଲେ – ସେ କୌଣସି ଚମତ୍କାରଠାରୁ କମ୍ ନଥିଲେ ।

ଆଜି ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଶହ ଶହ ଇସ୍କନ ମନ୍ଦିର ରହିଛି, କେତେ ଯେ ଗୁରୁକୁଳ ଭାରତୀୟ ସଂସ୍କୃତିକୁ ଜୀବନ୍ତ କରି ରଖିଛନ୍ତି । ଇସ୍କନ ବିଶ୍ୱକୁ ଏକଥା କହିଛି ଯେ, ଭାରତ ପାଇଁ ଆସ୍ଥାର ଅର୍ଥ ହେଉଛି – ଉମଙ୍ଗ, ଉତ୍ସାହ ଏବଂ ଉଲ୍ଲାସ ଓ ମାନବତା ଉପରେ ବିଶ୍ୱାସ । ଆଜି ପ୍ରାୟତଃ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଲୋକମାନେ ଭାରତୀୟ ବେଶଭୂଷାରେ କୀର୍ତନ କରୁଥିବାର ଦେଖାଯାଏ । ପୋଷାକ ସାଦା ହୋଇଥାଏ, ହାତରେ ଢୋଲକ-ମଞ୍ଜିରା ଭଳି ବାଦ୍ୟ ଯନ୍ତ୍ର ଥାଏ, ହରେ କୃଷ୍ଣର ସଙ୍ଗୀତମୟ କୀର୍ତନ ହେଉଥାଏ, ଏବଂ ସମସ୍ତେ ଗୋଟିଏ ଆଧ୍ୟାତ୍ମିକ ଶାନ୍ତିରେ ଝୁମି ଯାଉଥାନ୍ତି । ଲୋକମାନେ ଦେଖନ୍ତି ତ ସେମାନଙ୍କୁ ଏଇଆ ଅନୁଭବ ହୋଇଥାଏ ଯେ ବୋଧହୁଏ ଏହା କୌଣସି ଉତ୍ସବର ଆୟୋଜନ । କିନ୍ତୁ ଆମର ଏଠି ତ ଏହି କୀର୍ତନ, ଏହି ଆୟୋଜନ ଜୀବନର ସ୍ୱାଭାବିକ ଅଂଶ ଅଟେ । ଆସ୍ଥାର ଏହି ଉଲ୍ଲାସମୟ ସ୍ୱରୂପ ନିରନ୍ତର ଭାବେ ସମଗ୍ର ବିଶ୍ୱରେ ଲୋକମାନଙ୍କୁ ଆକର୍ଷିତ କରିଆସୁଛି, ଏହି ଆନନ୍ଦ ଆଜି ଚାପଗ୍ରସ୍ତ ବିଶ୍ୱରେ ନୂତନ ଆଶା ସଂଚାର କରୁଛି ।

ବନ୍ଧୁଗଣ,

ଭଗବାନ କୃଷ୍ଣ କହିଛନ୍ତି -

ଅଦ୍ୱେଷ୍ଟା ସର୍ବ-ଭୂତାନାଂମୈତ୍ରଃ କରୁଣ ଏବ ଚ ।

ନିର୍ମମୋନିର-ହଂକାରଃ ସମ ଦୁଃଖ ସୁଖଃ କ୍ଷମି । ।

ଅର୍ଥାତ୍‌, ଯିଏ ଜୀବକୁ ପ୍ରେମ କରେ, ତା ପାଇଁ କରୁଣା ଓ ପ୍ରେମ ରଖିଥାଏ, କାହା ସହ ଦ୍ୱେଷ ଭାବ ରଖେ ନାହିଁ, ସେ ହିଁ ଭଗବାନଙ୍କ ପ୍ରିୟ ଆଟେ ।     ଏହି ମନ୍ତ୍ର ହଜାର ହଜାର ବର୍ଷରୁ ଭାରତର ଚିନ୍ତନର ଆଧାର ହୋଇ ରହି ଆସିଛି । ଏବଂ ଏହି ଚିନ୍ତନକୁ ସାମାଜିକ ଆଧାର ଦେବାର କାର୍ଯ୍ୟ ଆମର ମନ୍ଦିର ସବୁ କରିଛନ୍ତି । ଇସ୍କନ ମନ୍ଦିର ଆଜି ଏହି ସେବା ପରମ୍ପରାର ଆଧୁନିକ କେନ୍ଦ୍ର ଭାବେ ଉଭା ହୋଇଛି । ମୋର ମନେ ଅଛି ଯେତେବେଳେ କଛ୍‌ରେ ଭୂମିକମ୍ପ ଆସିଥିଲା ସେତେବେଳେ କିଭଳି ଭାବରେ ଇସ୍କନ୍ ଲୋକମାନଙ୍କର ସେବା ପାଇଁ ଆଗଭର ହୋଇ କାର୍ଯ୍ୟ କରିଥିଲା । ଯେତେବେଳେ ବି ଦେଶରେ କୌଣସି ବିପର୍ଯ୍ୟୟ ଆସିଛି, ଉତରାଖଣ୍ଡର ଭୂସ୍ଖଳନ ଜନିତ ଭୟାବହ ଦୁଃଖଦ ଘଟଣା ହେଉ ଅବା ଓଡିଶା ଓ ପଶ୍ଚିମବଙ୍ଗରେ ବାତ୍ୟାର କ୍ଷୟକ୍ଷତି ହେଉ, ଇସ୍କନ ସମାଜର ସମ୍ବଳ ହେବାରେ କାର୍ଯ୍ୟ କରିଛି । କରୋନା ମହାମାରୀରେ ମଧ୍ୟ ଆପଣମାନେ କୋଟି କୋଟି ରୋଗୀ, ସେମାନଙ୍କର ପରିବାର ସଦସ୍ୟ ଏବଂ ପ୍ରବାସୀମାନଙ୍କ ପାଇଁ ନିରନ୍ତର ଭୋଜନ ଏବଂ ଅନ୍ୟାନ୍ୟ ଆବଶ୍ୟକତାର ବ୍ୟବସ୍ଥା କରି ଆସୁଛନ୍ତି । ମହାମାରୀ ବ୍ୟତୀତ ମଧ୍ୟ, ଲକ୍ଷ ଲକ୍ଷ ଗରିବଙ୍କୁ ଭୋଜନ ଏବଂ ସେବା ପ୍ରଦାନର ଅନବରତ ଅଭିଯାନ ଆପଣଙ୍କ ମାଧ୍ୟମରେ ଚାଲିଥାଏ । ଯେପରି ଇସ୍କନ କୋଭିଡ ରୋଗୀମାନଙ୍କ ପାଇଁ ହସପିଟାଲ ସ୍ଥାପନ କରିଛି ଏବଂ ଏବେ ପ୍ରତିଷେଧକ ଅଭିଯାନରେ ମଧ୍ୟ ସହଭାଗିତା ନିର୍ବାହ କରୁଛି, ତାହାର ସୂଚନା ମଧ୍ୟ ମତେ ନିୟମିତ ଭାବେ ମିଳୁଛି । ମୁଁ ଇସ୍କନକୁ, ଏହାସହିତ ଜଡିତ ସମସ୍ତ ଭକ୍ତଙ୍କୁ, ଆପଣମାନଙ୍କର ଏହି ସେବା ଯଜ୍ଞକୁ ନେଇ ଅନେକ ଅନେକ ଅନେକ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଆଜି ଆପଣମାନେ ସତ୍ୟ, ସେବା ଏବଂ ସାଧନାର ମନ୍ତ୍ର ସହିତ କେବଳ ଯେ କୃଷ୍ଣ ସେବା କରୁନାହାନ୍ତି, ବରଂ ସମଗ୍ର ବିଶ୍ୱରେ ଭାରତୀୟ ଆଦର୍ଶ ଏବଂ ସଂସ୍କାରର ବ୍ରାଣ୍ଡ ଆମ୍ବାସଡରର ଭୂମିକା ନିର୍ବାହନ କରୁଛନ୍ତି । ଭାରତର ଶାଶ୍ୱତ ସଂସ୍କାର ହେଉଛି: ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ । ଏହି ବିଚାର ଇସ୍କନ ମାଧ୍ୟମରେ ଆଜି ଆପଣ ସମସ୍ତଙ୍କର, ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ସଙ୍କଳ୍ପ ପାଲଟି ଯାଇଛି । ଇଶ୍ୱରଙ୍କ ପ୍ରତି ପ୍ରେମ, ଏବଂ ଜୀବ ମାତ୍ରରେ ଇଶ୍ୱରଙ୍କ ଦର୍ଶନ, ଏହା ହିଁ ଏହି ସଙ୍କଳ୍ପର ସିଦ୍ଧିର ମାର୍ଗ ଅଟେ । ଏହି ମାର୍ଗ ଆମକୁ ବିଭୂତି ଯୋଗ ଅଧ୍ୟାୟରେ ଭଗବାନ ଦର୍ଶାଇଛନ୍ତି । ମୋର ବିଶ୍ୱାସ ଯେ ‘ବାସୁଦେବଃ ସର୍ବମ୍‌’ର ଏହି ମନ୍ତ୍ର ଆମେ ସମସ୍ତେ ନିଜର ଜୀବନରେ ମଧ୍ୟ ବ୍ୟବହାର କରିବା ଏବଂ ମାନବ ଜାତିକୁ ମଧ୍ୟ ଏହି ଏକତାର ଅନୁଭୂତି କରାଇବା । ଏହି ଭାବନା ସହିତ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ!

ହରେ କୃଷ୍ଣ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win