ଯୋଗାଯୋଗ ବୃଦ୍ଧି ପାଇଁ ୬ଟି ବନ୍ଦେ ଭାରତ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
୩୨ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ବଣ୍ଟନ ସହ ୩୨ କୋଟି ଟଙ୍କା ସହାୟତାର ପ୍ରଥମ କିସ୍ତି ପ୍ରଦାନ
୪୬,୦୦୦ ହିତାଧିକାରୀଙ୍କ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ
‘‘ଝାଡ଼ଖଣ୍ଡ ଭାରତର ସବୁଠାରୁ ସମୃଦ୍ଧ ରାଜ୍ୟ ହେବାର ସାମର୍ଥ୍ୟ ରଖିଛି, ଝାଡ଼ଖଣ୍ଡର ବିକାଶ ଓ ବିକଶିତ ଭାରତ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ’’
‘‘ସବକା ସାଥ, ସବକା ବିକାଶ'ର ମନ୍ତ୍ର ଦେଶର ଚିନ୍ତାଧାରା ଓ ପ୍ରାଥମିକତାକୁ ବଦଳାଇ ଦେଇଛି’’
‘‘ପୂର୍ବ ଭାରତରେ ରେଳ ସଂଯୋଗ ସମ୍ପ୍ରସାରଣ ସମଗ୍ର ଅଞ୍ଚଳର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ’’
"ସାରା ଦେଶରେ ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ପିଏମ ଜନମନ ଯୋଜନା ଚାଲିଛି"

ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀ ସନ୍ତୋଷ ଗଙ୍ଗୱାର ଜୀ, କ୍ୟାବିନେଟର ମୋର ସହଯୋଗୀ ଶିବରାଜ ସିଂ ଚୌହାନ ଜୀ, ଅନ୍ନପୂର୍ଣ୍ଣା ଦେବୀ ଜୀ ଏବଂ ସଞ୍ଜୟ ସେଠ ଜୀ, ସାଂସଦ ବିଦ୍ୟୁତ ମହତୋ ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଇରଫାନ ଅନସାରୀ ଜୀ, ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଜୀ, ଅଖିଳ ଝାଡ଼ଖଣ୍ଡ ଛାତ୍ର ସଂସଦର ସଭାପତି ସୁଦେଶ ମହତୋ ଜୀ, ବିଧାୟକଗଣ, ଅନ୍ୟ ସମ୍ମାନିତ ଅତିଥି, ଭାଇ ଏବଂ ଭଉଣୀମାନେ,

ବାବା ବୈଦ୍ୟନାଥ ଓ ବାବା ବାସୁକିନାଥଙ୍କ ପାଦରେ ମୁଁ ପ୍ରଣାମ କରୁଛି । ବୀର ବିର୍ସା ମୁଣ୍ଡାଙ୍କ ମାଟିକୁ ମଧ୍ୟ ପ୍ରଣାମ ଜଣାଉଛି। ଆଜିର ଦିନଟି ଅତ୍ୟନ୍ତ ଶୁଭ ଅଟେ । ବର୍ତ୍ତମାନ ଝାଡ଼ଖଣ୍ଡରେ ପ୍ରକୃତି ପୂଜା ସହିତ ଜଡିତ କରମା ପର୍ବ ପାଳନ କରାଯାଉଛି । ଆଜି ସକାଳେ ମୁଁ ରାଞ୍ଚି ବିମାନବନ୍ଦରରେ ପହଞ୍ଚିବା ପରେ ଜଣେ ଭଉଣୀ ମୋତେ କର୍ମା ପର୍ବର ପ୍ରତୀକ ଜାଭା ଦେଇ ସ୍ୱାଗତ କରିଥିଲେ। ଏହି ପର୍ବରେ ଭଉଣୀମାନେ ନିଜ ଭାଇମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି । କରମା ପର୍ବ ଅବସରରେ ମୁଁ ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ପବିତ୍ର ଦିନରେ ଝାଡ଼ଖଣ୍ଡକୁ ବିକାଶର ଏକ ନୂଆ ଆଶୀର୍ବାଦ ମିଳିଛି। ୬ଟି ନୂଆ ବନ୍ଦେ ଭାରତ ଟ୍ରେନ୍, ସାଢେ ୬ କୋଟି ରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ, ଯୋଗାଯୋଗ ଏବଂ ଯାତ୍ରା ସୁବିଧାକୁ  ସମ୍ପ୍ରସାରଣ ଏବଂ ଏସବୁ ସହିତ ଝାଡ଼ଖଣ୍ଡର ହଜାର ହଜାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିଜସ୍ୱ ପକ୍କା ଘର ....। ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମୁଁ ଝାଡ଼ଖଣ୍ଡବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ବନ୍ଦେ ଭାରତ ଟ୍ରେନ୍ ସହ ସଂଯୋଗ କରୁଥିବା ସମସ୍ତ ରାଜ୍ୟକୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।

 

ସାଥିମାନେ,

ଏକ ସମୟ ଥିଲା ଯେତେବେଳେ ଆଧୁନିକ ସୁବିଧା ଏବଂ ବିକାଶ ଦେଶର ମାତ୍ର କିଛି ସହର ମଧ୍ୟରେ ସୀମିତ ଥିଲା । ଆଧୁନିକ ଭିତ୍ତିଭୂମି ଓ ବିକାଶ କ୍ଷେତ୍ରରେ ଝାଡ଼ଖଣ୍ଡ ଭଳି ରାଜ୍ୟ ପଛରେ ରଖାଯାଇଥିଲା। ତେବେ 'ସବକା ସାଥ, ସବକା ବିକାଶ'ର ମନ୍ତ୍ର ଦେଶର ମାନସିକତା ଓ ପ୍ରାଥମିକତାକୁ ବଦଳାଇ ଦେଇଛି। ଏବେ ଦେଶର ପ୍ରାଥମିକତା ହେଉଛି ଗରିବ। ଏବେ ଦେଶର ପ୍ରାଥମିକତା ହେଉଛି ଆଦିବାସୀ ସମ୍ପ୍ରଦାୟ। ବର୍ତ୍ତମାନ ଦେଶର ପ୍ରାଥମିକତା ହେଉଛି ଦଳିତ, ଅବହେଳିତ ଏବଂ ସମାଜର ପଛୁଆ ବର୍ଗ ଅଟନ୍ତି । ଏବେ ଦେଶର ପ୍ରାଥମିକତା ହେଉଛି ମହିଳା, ଯୁବକ ଓ କୃଷକ। ସେଥିପାଇଁ ଅନ୍ୟ ରାଜ୍ୟ ଭଳି ଝାଡ଼ଖଣ୍ଡକୁ ବନ୍ଦେ ଭାରତ ଭଳି ହାଇଟେକ୍ ଟ୍ରେନ୍ ଓ ଆଧୁନିକ ଭିତ୍ତିଭୂମି ମିଳୁଛି।

ସାଥିମାନେ,

ଦ୍ରୁତ ବିକାଶ ପାଇଁ ଆଜି ପ୍ରତ୍ୟେକ ରାଜ୍ୟ ଓ ସହର ବନ୍ଦେ ଭାରତ ଭଳି ହାଇସ୍ପିଡ୍ ଟ୍ରେନ୍ ଚାହୁଁଛନ୍ତି। କିଛି ଦିନ ତଳେ ମୁଁ ଉତ୍ତର ଓ ଦକ୍ଷିଣ ରାଜ୍ୟ ପାଇଁ ୩ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲି। ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଟାଟାନଗରରୁ ପାଟନା, ଟାଟାନଗରରୁ ଓଡିଶାର ବ୍ରହ୍ମପୁର, ରାଉରକେଲାରୁ ଟାଟାନଗରରୁ ହାୱଡ଼ା, ଭାଗଲପୁରରୁ ଦୁମକା ହୋଇ ହାୱଡ଼ା, ଦେଓଘରରୁ ଗୟା ହୋଇ ବାରଣାସୀ ଏବଂ ଗୟାରୁ କୋଡର୍ମା-ପାରସନାଥ- ଧନବାଦରୁ ହୋଇ ହାୱଡ଼ା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ମଞ୍ଚରେ ଗୃହ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଁ ଏହି ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କଲି ଏବଂ ସେମାନେ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ପୂର୍ବ ଭାରତରେ ରେଳ ସଂଯୋଗର ସମ୍ପ୍ରସାରଣ ଏହି ସମଗ୍ର ଅଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବ। ଏହି ଟ୍ରେନ୍ ଦ୍ୱାରା ବ୍ୟବସାୟୀ ଓ ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବେ। ଏହା ଦ୍ଵାରା ସ୍ଥାନୀୟ ଅର୍ଥନୈତିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବ। ଆପଣ ଜାଣନ୍ତି ଯେ, କାଶୀକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି । ବନ୍ଦେ ଭାରତ ଟ୍ରେନ୍ କାଶୀରୁ ଦେଓଘର କୁ ଯାତାୟାତ କରିବାରେ ସୁବିଧା ପ୍ରଦାନ କରୁଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ବାବା ବୈଦ୍ୟନାଥଙ୍କ ଦର୍ଶନ କରିପାରିବେ । ଏହା ଦ୍ୱାରା ଏଠାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ। ଟାଟାନଗର ହେଉଛି ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର । ଉତ୍ତମ ପରିବହନ ସୁବିଧା ଏହାର ଶିଳ୍ପ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ । ପର୍ଯ୍ୟଟନ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହିତ ଝାଡ଼ଖଣ୍ଡର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

ସାଥିମାନେ,

ଦ୍ରୁତ ବିକାଶ ପାଇଁ ଆଧୁନିକ ରେଳ ଭିତ୍ତିଭୂମି ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ । ସେଥିପାଇଁ ଆଜି ଏଠାରେ ଅନେକ ନୂଆ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ମଧୁପୁର ବାଇପାସ ଲାଇନର ଶିଳାନ୍ୟାସ କରାଯାଇଛି । ଏହା ସରିବା ପରେ ହାଓଡ଼ା-ଦିଲ୍ଲୀ ମୁଖ୍ୟ ଲାଇନରେ ଟ୍ରେନ୍ ଅଟକାଇବାକୁ ପଡ଼ିବ ନାହିଁ। ବାଇପାସ୍ ଲାଇନ୍ ଗିରିଡିହ ଓ ଜସିଡିହ ମଧ୍ୟରେ ଯାତ୍ରା ସମୟକୁ ମଧ୍ୟ ହ୍ରାସ କରିବ। ଆଜି ହଜାରୀବାଗ ଟାଉନ କୋଚିଂ ଡିପୋର ଶିଳାନ୍ୟାସ ମଧ୍ୟ କରାଯାଇଛି । ଏହାଦ୍ୱାରା ଅନେକ ନୂଆ ଟ୍ରେନ୍ ସେବା ଆରମ୍ଭ ହୋଇପାରିବ। କୁରକୁରିଆରୁ କାନାରୋଆଁ ପର୍ଯ୍ୟନ୍ତ ରେଳ ଲାଇନ ଦୋହରୀକରଣ ଝାଡ଼ଖଣ୍ଡରେ ରେଳ ସଂଯୋଗକୁ ସୁଦୃଢ଼ କରିବ। ଏହି ସେକ୍ସନର ଦୋହରୀକରଣ କାର୍ଯ୍ୟ ଶେଷ ହେଲେ ଇସ୍ପାତ ଶିଳ୍ପ ସହ ଜଡିତ ସାମଗ୍ରୀ ପରିବହନ ସହଜ ହେବ ।

 

ସାଥିମାନେ,

କେନ୍ଦ୍ର ସରକାର ଝାଡ଼ଖଣ୍ଡର ବିକାଶ ପାଇଁ ପୁଞ୍ଜିନିବେଶ ବୃଦ୍ଧି କରିବା ସହ କାର୍ଯ୍ୟର ଗତିକୁ ତ୍ୱରାନ୍ୱିତ କରିଛନ୍ତି। ଚଳିତ ବର୍ଷ ଝାଡ଼ଖଣ୍ଡରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ୭ ହଜାର କୋଟି ରୁ ଅଧିକ ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ୧୦ ବର୍ଷ ତଳେ ଧାର୍ଯ୍ୟ ହୋଇଥିବା ବଜେଟ୍ ତୁଳନାରେ ଏହା ୧୬ ଗୁଣ ଅଧିକ। ବର୍ଦ୍ଧିତ ରେଳ ବଜେଟର ପ୍ରଭାବ ଆପଣ ଦେଖିପାରିବେ; ଆଜି ରାଜ୍ୟରେ ନୂତନ ରେଳ ଲାଇନ ବିଛାଇବା, ସେଗୁଡିକର ଦୋହରୀକରଣ କରିବା ଷ୍ଟେସନରେ ଓ ଅତ୍ୟାଧୁନିକ ସୁବିଧା ବୃଦ୍ଧି କରିବା ଦିଗରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ଝାଡ଼ଖଣ୍ଡ ମଧ୍ୟ ସେହି ରାଜ୍ୟଗୁଡ଼ିକରେ ସାମିଲ ହୋଇଛି ଯେଉଁଠାରେ ଶତ ପ୍ରତିଶତ ରେଳ ନେଟୱାର୍କ ବିଦ୍ୟୁତସଂଯୋଗ ହୋଇଛି। ଅମୃତ ଭାରତ ଷ୍ଟେସନ ଯୋଜନା ରେ ଝାଡ଼ଖଣ୍ଡର ୫୦ରୁ ଅଧିକ ରେଳ ଷ୍ଟେସନର ନବୀକରଣ କରାଯାଉଛି ।

ସାଥିମାନେ,

ଆଜି ଝାଡ଼ଖଣ୍ଡରେ ହଜାର ହଜାର ହିତାଧିକାରୀଙ୍କ ପାଇଁ ପକ୍କା ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ହଜାର ହଜାର ଲୋକଙ୍କୁ ପିଏମ୍- ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଛି। ଘର ସହିତ ସେମାନଙ୍କୁ ଶୌଚାଳୟ, ପାଣି, ବିଜୁଳି ଓ ଗ୍ୟାସ ସଂଯୋଗ ଭଳି ସୁବିଧା ମଧ୍ୟ ଦିଆଯାଇଛି। ଆମେ ମନେ ରଖିବା ଉଚିତ୍ ... ଯେତେବେଳେ କୌଣସି ପରିବାରକୁ ନିଜର ଘର ମିଳେ, ସେତେବେଳେ ତାଙ୍କର ଆତ୍ମସମ୍ମାନ ବଢିଯାଇଥାଏ। ସେମାନେ କେବଳ ସେମାନଙ୍କର ବର୍ତ୍ତମାନକୁ ସୁଧାରିବା ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି ନାହିଁ ବରଂ ଏକ ଉନ୍ନତ ଭବିଷ୍ୟତ ବିଷୟରେ ମଧ୍ୟ ଚିନ୍ତା କରିବା ଆରମ୍ଭ କରନ୍ତି| ସେମାନେ ଅନୁଭବ କରନ୍ତି ଯେ କୌଣସି ସଙ୍କଟ ସମୟରେ ମଧ୍ୟ ସେମାନଙ୍କର ନିଜର ଏକ ଘର ରହିବ । ପ୍ରଧାନମନ୍ତ୍ରୀ-ଆବାସ ଯୋଜନା ରେ କେବଳ ଝାଡ଼ଖଣ୍ଡର ଲୋକଙ୍କୁ ସ୍ଥାୟୀ ଘର ମିଳୁନାହିଁ ବରଂ ଏହା ଗାଁ ଓ ସହରରେ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି ।

ସାଥିମାନେ,

୨୦୧୪ ପରଠାରୁ ଦେଶର ଗରିବ, ଦଳିତ, ଅବହେଳିତ ଓ ଆଦିବାସୀ ପରିବାରକୁ ସଶକ୍ତ କରିବା ପାଇଁ ଅନେକ ବଡ଼ ବଡ଼ ପଦକ୍ଷେପ ନିଆଯାଇଛି। ଝାଡ଼ଖଣ୍ଡ ସମେତ ସମଗ୍ର ଦେଶରେ ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ପିଏମ୍ ଜନମାନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଅତି ପଛୁଆ ଜନଜାତିଙ୍କ ପାଖରେ ଏହି ଯୋଜନାର ଲକ୍ଷ୍ୟ ରହିଛି। ଅଧିକାରୀମାନେ ନିଜେ ଏହି ପରିବାରମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଘର, ରାସ୍ତା, ବିଜୁଳି, ପାଣି ଓ ଶିକ୍ଷା ଯୋଗାଇ ଦେଉଛନ୍ତି। ଏହି ପ୍ରୟାସ 'ବିକଶିତ ଝାଡ଼ଖଣ୍ଡ' (ବିକଶିତ ଝାଡ଼ଖଣ୍ଡ) ପାଇଁ ଆମର ପ୍ରତିବଦ୍ଧତାର ଏକ ଅଂଶ । ମୋର ବିଶ୍ୱାସ ଯେ ସମସ୍ତଙ୍କ ଆଶୀର୍ବାଦ ରେ ଏହି ପ୍ରତିଶ୍ରୁତି ନିଶ୍ଚିତ ଭାବରେ ପୂରଣ ହେବ ଏବଂ ଆମେ ଝାଡ଼ଖଣ୍ଡର ସ୍ୱପ୍ନକୁ ସାକାର କରିବୁ । ଏହି କାର୍ଯ୍ୟକ୍ରମ ପରେ ମୁଁ ଆଉ ଏକ ବିଶାଳ ଜନସମାବେଶକୁ ଯାଉଛି। ୫-୧୦ ମିନିଟ୍ ମଧ୍ୟରେ ମୁଁ ସେଠାରେ ପହଞ୍ଚିବି। ସେଠାରେ ବହୁ ସଂଖ୍ୟକ ଲୋକ ମୋ ପାଇଁ ଅପେକ୍ଷା କରିଛନ୍ତି। ମୁଁ ସେଠାରେ ଝାଡ଼ଖଣ୍ଡ ସହ ଜଡିତ ଅନ୍ୟାନ୍ୟ ବିଷୟ ଉପରେ ବିସ୍ତୃତ ଆଲୋଚନା କରିବି । କିନ୍ତୁ ମୁଁ ଝାଡ଼ଖଣ୍ଡବାସୀଙ୍କ ଠାରୁ କ୍ଷମା ପ୍ରାର୍ଥନା କରୁଛି କାରଣ, ଯଦିଓ ମୁଁ ରାଞ୍ଚିରେ ପହଞ୍ଚିଛି, ପ୍ରକୃତି ମୋତେ ସହଯୋଗ କରିନାହିଁ, ତେଣୁ ମୁଁ ହେଲିକପ୍ଟର ଯୋଗେ ଏଠାରୁ ଉଡ଼ାଣ ଭରିପାରୁନାହିଁ । ମୁଁ ସେଠାରେ ପହଞ୍ଚିପାରୁନାହିଁ, ଏବଂ ଏହି କାରଣରୁ ମୁଁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମସ୍ତ କାର୍ଯ୍ୟକ୍ରମର ଉଦ୍ ଘାଟନ ଏବଂ ଉତ୍ସର୍ଗ କରୁଛି । ଭିଡିଓ କନଫରେନ୍ସିଂ ଜରିଆରେ ଜନସମାଗମକୁ ସମ୍ବୋଧିତ କରିବି। ପୁଣି ଥରେ ମୁଁ ଆପଣ ମାନେ ସମସ୍ତେ ଏଠାକୁ ଆସିଲେ ସେଥି ପାଇଁ ଆପଣମାଣଙ୍କୁ ବହୁତ - ବହୁତ ଧନ୍ୟବାଦ ଜଣାଉଛି । ନମସ୍କାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi