ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ଉଦ୍‌ଘାଟିତ
ତାମିଲନାଡୁରେ ରେଳ, ସଡ଼କ, ତୈଳ ଓ ଗ୍ୟାସ୍‌ ଏବଂ ଜାହାଜ ଚଳାଚଳ କ୍ଷେତ୍ର ସହିତ ଜଡିତ ଏକାଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ ପ୍ରଧାନମନ୍ତ୍ରୀ
କଲପକ୍କମ ସ୍ଥିତ ଆଇଜିସିଏରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଫାଷ୍ଟ ରିଏକ୍ଟର ଇନ୍ଧନ ପୁନଃପ୍ରକ୍ରିୟାକରଣ ପ୍ଲାଣ୍ଟ (ଡିଏଫ୍‌ଆରପି) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
କାମରାଜର ବନ୍ଦରର ଜେନେରାଲ କାର୍ଗୋ ବର୍ଥ-୨ (ଅଟୋମୋବାଇଲ ରପ୍ତାନି/ଆମଦାନୀ ଟର୍ମିନାଲ-୨ ଏବଂ କ୍ୟାପିଟାଲ ଡ୍ରେଜିଂ ଫେଜ୍‌-୫)କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀ କୃତ
ତିରୁବିଜୟକାନ୍ତ ଏବଂ ଡ. ଏମ୍ ଏସ୍ ସ୍ୱାମୀନାଥନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନିକଟରେ ପ୍ରବଳ ବର୍ଷାବିତ୍ପାତ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ତିରୁଚିରାପଲ୍ଲୀରେ ଆରମ୍ଭ ହେଉଥିବା ନୂତନ ବିମାନବନ୍ଦର ଟର୍ମିନାଲ ବିଲ୍ଡିଂ ଏବଂ ଅନ୍ୟାନ୍ୟ ଯୋଗାଯୋଗ ପ୍ରକଳ୍ପ ଏହି ଅଞ୍ଚଳର ଅର୍ଥନୈତିକ ଦୃଶ୍ୟକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ
ଆଗାମୀ ୨୫ ବର୍ଷରେ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ଚାଲିଥିବା ଉଦ୍ୟମରେ ଉଭୟ ଅର୍ଥନୈତିକ ଏବଂ ସାଂସ୍କୃତିକ ଦିଗ ଅନ୍ତର୍ଭୁକ୍ତ “ତାମିଲନାଡୁର ଜୀବନ୍ତ ସଂସ୍କୃତି ଏବଂ ଐତିହ୍ୟ ପାଇଁ ଭାରତ ଗର୍ବିତ”
ତାମିଲନାଡୁରୁ ମିଳିଥିବା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ତାମିଲନାଡୁରେ ରେଳ, ସଡକ, ତୈଳ, ଓଗ୍ୟାସ ଏବଂ ଜାହାଜ ଚଳାଚଳ୍ ଆଦି କ୍ଷେତ୍ରକୁ ଏହି ବିକାଶ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ।
"ଆମେ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ପ୍ରଦାନ କରୁଛୁ", ସେ କହିଛନ୍ତି ।
ଦେଶ ପାଇଁ ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡକ୍ଟର ଏମ୍‌ଏସ୍ ସ୍ୱାମୀନାଥନ୍‌ଙ୍କ ଅବଦାନକୁ ମଧ୍ୟ ସେ ସ୍ମରଣ କରିବା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୁଁ ଯେତେବେଳେ ଏହି ରାଜ୍ୟ ଗସ୍ତ କରେ ସେତେବେଳେ ସେମାନଙ୍କ ଜୀବନରୁ ପ୍ରେରଣା ପାଏ ।
ଏହି ନୂଆ ସଡ଼କ ପ୍ରକଳ୍ପ ଶ୍ରୀରଙ୍ଗମ୍‌, ଚିଦମ୍ବରମ୍‌, ରାମେଶ୍ୱରମ୍ ଏବଂ ଭେଲୋର ଭଳି ଆସ୍ଥା ଓ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରକୁ ସଂଯୋଗ କରିବ ।

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ତାମିଲନାଡୁ ର ରାଜ୍ୟପାଳ ଶ୍ରୀ ଆରଏନ ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଜୀ ଏବଂ ଏହି ମାଟିର ସନ୍ତାନ ମୋର ସହଯୋଗୀ ଏଲ ମୁରୁଗନ ଜୀ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ତାମିଲନାଡୁର ମୋ ପରିବାର ସଦସ୍ୟ!

 

ଓ୍ବଣକ୍କମ !

ୟେନାଡ ତାମିଲ କୁଡୁମ୍ବମେ, ମୁଡାଲିଲ ଉଙ୍ଗଲ ଅଶୋ ଓ୍ବରକୁମ ୨୦୨୪ ପୁତ୍ତାଣ୍ଡା ନଓ୍ବାଲ-କ୍କଲ

୨୦୨୪ ବର୍ଷ ସମସ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ହେଉ ବୋଲି ମୁଁ କାମନା କରୁଛି। ଏହା ସୌଭାଗ୍ୟର ବିଷୟ ଯେ ୨୦୨୪ରେ ମୋର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ ତାମିଲନାଡୁରେ ହେଉଛି । ପାଖାପାଖି ୨୦ ହଜାର କୋଟି ଟଙ୍କାର ଆଜିର ଏହି ବିକାଶ ମୂଳକ ପ୍ରକଳ୍ପ ତାମିଲନାଡୁର ପ୍ରଗତିକୁ ସୁଦୃଢ଼ କରିବ। ସଡ଼କ ପଥ, ରେଳପଥ, ବନ୍ଦର, ବିମାନବନ୍ଦର, ଶକ୍ତି ଏବଂ ପେଟ୍ରୋଲିୟମ ପାଇପଲାଇନ ଭଳି ଏହି ପ୍ରକଳ୍ପ ପାଇଁ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନେକ ଯାତ୍ରା କୁ ପ୍ରୋତ୍ସାହିତ କରିବ ଏବଂ ହଜାର ହଜାର ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ସାଥୀମାନେ,

୨୦୨୩ର ଶେଷ କିଛି ସପ୍ତାହ ତାମିଲନାଡୁର ଅନେକ ଲୋକଙ୍କ ପାଇଁ କଷ୍ଟକର ଥିଲା । ପ୍ରବଳ ବର୍ଷା କାରଣରୁ ଆମେ ଆମର ଅନେକ ସାଥୀ ନାଗରିକଙ୍କୁ ହରାଇଛୁ । ଅନେକ ସମ୍ପତ୍ତିର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ପରିବାରର ଅବସ୍ଥା ଦେଖି ମୁଁ ଗଭୀର ଭାବରେ ପ୍ରଭାବିତ ହୋଇଥିଲି । ଏହି ସଙ୍କଟ ସମୟରେ କେନ୍ଦ୍ର ସରକାର ତାମିଲନାଡୁବାସୀଙ୍କ ସହ ଛିଡ଼ା ହୋଇଛନ୍ତି। ଆମେ ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରୁଛୁ। ଏହାବ୍ୟତୀତ କିଛି ଦିନ ତଳେ ଆମେ ଥିରୁ ବିଜୟକାନ୍ତଜୀଙ୍କୁ ହରାଇଥିଲୁ। କେବଳ ସିନେମା ଦୁନିଆରେ ନୁହେଁ, ରାଜନୀତିରେ ମଧ୍ୟ ସେ ଜଣେ କ୍ୟାପଟେନ୍ ଥିଲେ। ଫିଲ୍ମରେ କାମ କରି ସେ ଲୋକଙ୍କ ହୃଦୟ ଜିତିଥିଲେ । ଜଣେ ରାଜନେତା ହିସାବରେ ସେ ସର୍ବଦା ଜାତୀୟ ସ୍ୱାର୍ଥକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ। ଆଜି ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୁଁ ତାଙ୍କ ପରିବାରବର୍ଗଙ୍କୁ ଏବଂ ପ୍ରଶଂସକଙ୍କୁ ମଧ୍ୟ ମୋର ସମବେଦନା ଜଣାଉଛି ।

 

ସାଥୀମାନେ,

ଆଜି, ଯେତେବେଳେ ମୁଁ ଏଠାରେ ଅଛି, ମୁଁ ତାମିଲନାଡୁର ଆଉ ଜଣେ ପୁଅ ଡକ୍ଟର ଏମଏସ ସ୍ୱାମୀନାଥନଜୀଙ୍କୁ ମଧ୍ୟ ମନେ ପକାଉଛି । ଆମ ଦେଶ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତବର୍ଷ ମଧ୍ୟ ଆମେ ତାଙ୍କୁ ହରାଇଥିଲୁ।

ୟେନଦ ତାମିଲ କୁଡୁମ୍ବମେ,

ସ୍ୱାଧୀନତାର ଅମୃତକାଳ ଅର୍ଥାତ୍ ଆଗାମୀ ୨୫ ବର୍ଷ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ। ଯେତେବେଳେ ମୁଁ ବିକଶିତ ଭାରତ ବିଷୟରେ କହୁଛି, ଏହା ଉଭୟ ଅର୍ଥନୈତିକ ଏବଂ ସାଂସ୍କୃତିକ ଦିଗକୁ ଅନ୍ତର୍ଭୁକ୍ତ କରିଥାଏ। ତେଣୁ ଏଥିରେ ତାମିଲନାଡୁର ଏକ ବିଶେଷ ଭୂମିକା ରହୁଥିବା ମୁଁ ଦେଖୁଛି। ତାମିଲନାଡୁ ଭାରତର ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ । ତାମିଲନାଡୁରେ ତାମିଲ ଭାଷା ଓ ଜ୍ଞାନର ଏକ ପ୍ରାଚୀନ ଭଣ୍ଡାର ରହିଛି । ସନ୍ଥ ଥିରୁଭାଲ୍ଲୁବରଙ୍କଠାରୁ ଆରମ୍ଭ କରି ସୁବ୍ରମଣ୍ୟମ ଭାରତୀ ପର୍ଯ୍ୟନ୍ତ ଅନେକ ସାଧୁ ଓ ଜ୍ଞାନୀ ବ୍ୟକ୍ତି ଚମତ୍କାର ସାହିତ୍ୟ ରଚନା କରିଛନ୍ତି। ସିଭି ରମଣଠାରୁ ଆଜି ପର୍ଯ୍ୟନ୍ତ ଏହି ମାଟି ଅନେକ, ଆଶ୍ଚର୍ଯ୍ୟଜନକ ବୈଜ୍ଞାନିକ ଓ ବୈଷୟିକ ମସ୍ତିଷ୍କ ସୃଷ୍ଟି କରିଛି। ତେଣୁ ମୁଁ ଯେତେବେଳେ ବି ତାମିଲନାଡୁ କୁ ଆସେ, ମୁଁ ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ ।

ୟେନଦ କୁଡୁମ୍ବମେ,

ତିରୁଚିରାପଲ୍ଲୀ ସହରରେ ପ୍ରତ୍ୟେକ ପାଦରେ ସମୃଦ୍ଧ ଇତିହାସର ପ୍ରମାଣ ଦେଖିବାକୁ ମିଳେ । ଏଠାରେ ପଲ୍ଲବ, ଚୋଳ, ପାଣ୍ଡ୍ୟା ଓ ନାୟକ ଙ୍କ ଭଳି ବିଭିନ୍ନ ରାଜବଂଶର ସୁଶାସନର ମଡେଲ ଦେଖିବାକୁ ମିଳୁଛି। ମୋର ଅନେକ ତାମିଲ ବନ୍ଧୁ ଅଛନ୍ତି, ସେମାନଙ୍କ ସହିତ ମୋର ବହୁତ ଘନିଷ୍ଠତା ଅଛି ଏବଂ ମୁଁ ସେମାନଙ୍କଠାରୁ ତାମିଲ ସଂସ୍କୃତି ବିଷୟରେ ବହୁତ କିଛି ଶିଖିବାକୁ ପାଇଛି | ଦୁନିଆରେ ମୁଁ ଯେଉଁଠି ବି ଯିବି, ତାମିଲନାଡୁର ଉଲ୍ଲେଖ ନକରି ରହିପାରେ ନାହିଁ।

 

ସାଥୀମାନେ

ଦେଶର ବିକାଶ ଓ ଐତିହ୍ୟ ପାଇଁ ତାମିଲନାଡ଼ୁରୁ ମିଳିଥିବା ସାଂସ୍କୃତିକ ପ୍ରେରଣାକୁ କ୍ରମାଗତ ଭାବେ ବିସ୍ତାର କରିବାକୁ ମୋର ପ୍ରୟାସ । ଆପଣ ଦେଖିଥିବେ ଦିଲ୍ଲୀର ନୂଆ ସଂସଦ ଭବନରେ ପବିତ୍ର ସାଙ୍ଗୋଲ ସ୍ଥାପନ କରାଯାଇଛି । ତାମିଲ ପରମ୍ପରା ସମଗ୍ର ଦେଶକୁ ଯେଉଁ ସୁଶାସନ ମଡେଲ ଦେଇଛି ସେଥିରୁ ପ୍ରେରଣା ନେବାପାଇଁ ଏହା ଏକ ପ୍ରୟାସ । କାଶୀ-ତାମିଲ ସଙ୍ଗମମ୍, ସୌରାଷ୍ଟ୍ର-ତାମିଲ ସଙ୍ଗମମ୍ ଭଳି ଅଭିଯାନର ଉଦ୍ଦେଶ୍ୟ ମଧ୍ୟ ଏହା। ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ସମଗ୍ର ଦେଶରେ ତାମିଲ ଭାଷା, ତାମିଲ ସଂସ୍କୃତିକୁ ନେଇ ଉତ୍ସାହ ବୃଦ୍ଧି ପାଇଛି।

ୟେନଦ କୁଡୁମ୍ବମେ,

ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଆଧୁନିକ ଭିତ୍ତିଭୂମି ଉପରେ ବିପୁଳ ପୁଞ୍ଜିନିବେଶ କରିଛି। ସଡ଼କ-ରେଳ ହେଉ, ବନ୍ଦର-ବିମାନବନ୍ଦର ହେଉ, ଗରିବ ଘର ହେଉ କି ଡାକ୍ତରଖାନା, ଆଜି ଭାରତ ଭୌତିକ ଓ ସାମାଜିକ ଭିତ୍ତିଭୂମିକ୍ଷେତ୍ରରେ ଅଭୂତପୂର୍ବ ପୁଞ୍ଜିନିବେଶ କରୁଛି। ଆଜି ଭାରତ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇଛି। ଆଜି ସମଗ୍ର ବିଶ୍ୱରେ ଭାରତ ଏକ ନୂଆ ଆଶା ଭାବେ ଉଭା ହୋଇଛି । ବଡ଼ ବଡ଼ ନିବେଶକ ମାନେ ଭାରତରେ ନିବେଶ କରୁଛନ୍ତି । ଏବଂ ଏହାର ସିଧାସଳଖ ଫାଇଦା ତାମିଲନାଡୁ, ତାମିଲନାଡୁବାସୀ ପାଉଛନ୍ତି। ତାମିଲନାଡୁ ମେକ୍ ଇନ୍ ଇଣ୍ଡିଆର ବଡ଼ ବ୍ରାଣ୍ଡ ୍ ଆମ୍ବାସାଡର ପାଲଟିଛି।

 

ୟେନଦ କୁଡୁମ୍ବମେ,

ଆମ ସରକାର ରାଜ୍ୟର ବିକାଶ ସହିତ ଦେଶର ବିକାଶ ର ମନ୍ତ୍ର ରେ ଚାଲୁଛି । ଗତ ବର୍ଷକ ମଧ୍ୟରେ କେନ୍ଦ୍ର ସରକାରଙ୍କ ୪୦ରୁ ଅଧିକ ମନ୍ତ୍ରୀ ୪୦୦ରୁ ଅଧିକ ଥର ତାମିଲନାଡୁ ଗସ୍ତ କରିଛନ୍ତି। ତାମିଲନାଡୁ ଦ୍ରୁତ ଗତିରେ ଆଗକୁ ବଢ଼ିଲେ ଭାରତ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଯୋଗାଯୋଗ ମଧ୍ୟ ବିକାଶର ଏକ ପ୍ରମୁଖ ମାଧ୍ୟମ । ଏହାଦ୍ୱାରା ବାଣିଜ୍ୟ, ବ୍ୟବସାୟ ବୃଦ୍ଧି ହେବା ସହ ଲୋକମାନେ ସୁବିଧା ମଧ୍ୟ ପାଇଥାନ୍ତି । ବିକାଶର ସେହି ଭାବନା ଆଜି ଆମେ ଏଠାରେ ତିରୁଚିରାପଲ୍ଲୀରେ ଦେଖୁଛୁ । ତ୍ରିଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂତନ ଟର୍ମିନାଲ୍ ଏଠାରେ କ୍ଷମତା କୁ ୩ ଗୁଣ ବୃଦ୍ଧି କରିବ । ଏହା ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଦେଶ ଓ ବିଶ୍ୱର ଅନ୍ୟାନ୍ୟ ଅଂଶ କୁ ତ୍ରିଚିର ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ । ଏହା ତ୍ରିଚି ର ଆଖପାଖ ଏକ ବିଶାଳ ଅଞ୍ଚଳରେ ପୁଞ୍ଜିନିବେଶ ଏବଂ ନୂତନ ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ | ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ବହୁତ ଶକ୍ତି ମିଳିବ। ଏଠାରେ ବିମାନବନ୍ଦରର କ୍ଷମତା ବୃଦ୍ଧି ପାଇଛି, ଏହା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏଲିଭେଟେଡ୍ ରୋଡ୍ ଦ୍ୱାରା ଏହା ମଧ୍ୟ ବହୁତ ଉପକୃତ ହେବ। ମୁଁ ଖୁସି ଯେ ତ୍ରିଚି ବିମାନବନ୍ଦର ସ୍ଥାନୀୟ କଳା ଏବଂ ସଂସ୍କୃତି, ତାମିଲ ପରମ୍ପରା ସହିତ ସମଗ୍ର ବିଶ୍ୱକୁ ପରିଚିତ କରାଇବ ।

 

ୟେନଦ କୁଡୁମ୍ବମେ,

ଆଜି ତାମିଲନାଡୁର ରେଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ୫ଟି ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି। ଏହା ଦ୍ୱାରା କେବଳ ଯାତ୍ରା ଓ ପରିବହନ ସହଜ ହେବ ନାହିଁ, ବରଂ ଏହି କ୍ଷେତ୍ରରେ ଶିଳ୍ପ ଓ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ସୁଦୃଢ଼ ହେବ। ଆଜି ଉଦ୍ଘାଟିତ ହୋଇଥିବା ସଡ଼କ ପ୍ରକଳ୍ପଗୁଡ଼ିକ ଶ୍ରୀରଙ୍ଗମ୍, ଚିଦାମ୍ବରମ୍, ମଦୁରାଇ, ରାମେଶ୍ୱରମ୍, ଭେଲୋର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସଂଯୋଗ କରୁଛି। ଏଗୁଡ଼ିକ ହେଉଛି ଆମ ର ବିଶ୍ୱାସ, ଆଧ୍ୟାତ୍ମିକତା ଏବଂ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର । ଏହା ସାଧାରଣ ଲୋକଙ୍କ ସହ ତୀର୍ଥଯାତ୍ରୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ ।

ୟେନଦ କୁଡୁମ୍ବମେ,

ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବନ୍ଦର ଭିତ୍ତିକ ବିକାଶ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ଉପକୂଳ ଭିତ୍ତିଭୂମିର ବିକାଶ ଏବଂ ଆମର ସାଥୀ ମତ୍ସ୍ୟଜୀବୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଅନେକ କାର୍ଯ୍ୟ କରିଛୁ । ପ୍ରଥମ ଥର ପାଇଁ ଆମେ ମତ୍ସ୍ୟ ଚାଷ ପାଇଁ ଅଲଗା ମନ୍ତ୍ରଣାଳୟ ଓ ଅଲଗା ବଜେଟ୍ ଗଠନ କରିଛୁ। ପ୍ରଥମ ଥର ପାଇଁ ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। ମତ୍ସ୍ୟଜୀବୀଙ୍କ ପାଇଁ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଡଙ୍ଗାର ଆଧୁନିକୀକରଣ ପାଇଁ ମଧ୍ୟ ସରକାର ସହାୟତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଛ ବ୍ୟବସାୟ ସହ ଜଡିତ ବନ୍ଧୁମାନଙ୍କୁ ଏକ ବଡ ସହାୟତା ପ୍ରଦାନ କରୁଛି ।

 

ୟେନଦ କୁଡୁମ୍ବମେ,

ଆଜି ସାଗରମାଳା ଯୋଜନାରେ ତାମିଲନାଡୁ ସମେତ ଦେଶର ବିଭିନ୍ନ ବନ୍ଦରକୁ ଭଲ ରାସ୍ତା ରେ ସଂଯୋଗ କରାଯାଉଛି । କେନ୍ଦ୍ର ସରକାରଙ୍କ ପ୍ରୟାସ ଯୋଗୁଁ ଭାରତର ବନ୍ଦରର କ୍ଷମତା ଏବଂ ଜାହାଜ ପରିବର୍ତ୍ତନ ସମୟ ବହୁତ ଉନ୍ନତ ହୋଇଛି । କାମରାଜର ବନ୍ଦର ମଧ୍ୟ ଆଜି ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ବନ୍ଦର ମଧ୍ୟରୁ ଅନ୍ୟତମ । ଆମ ସରକାର ଏହି ବନ୍ଦରର କ୍ଷମତା କୁ ପ୍ରାୟ ଦ୍ୱିଗୁଣିତ କରିଛନ୍ତି । ଏବେ ଜେନେରାଲ କାର୍ଗୋ ବର୍ଥ-୨ ଏବଂ କ୍ୟାପିଟାଲ ଡ୍ରେଜିଂ ଫେଜ୍-୫ ର ଉଦଘାଟନ ତାମିଲନାଡୁରୁ ଆମଦାନୀ-ରପ୍ତାନିକୁ ଏକ ନୂଆ ପ୍ରୋତ୍ସାହନ ଦେବ। ବିଶେଷକରି ଅଟୋମୋବାଇଲ କ୍ଷେତ୍ରରେ ଏହା ତାମିଲନାଡ଼ୁର ସାମର୍ଥ୍ୟକୁ ବିସ୍ତାର କରିବ। ଆଣବିକ ରିଏକ୍ଟର ଏବଂ ଗ୍ୟାସ ପାଇପଲାଇନ ମଧ୍ୟ ତାମିଲନାଡୁରେ ଶିଳ୍ପ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ ।

 

ୟେନଦ କୁଡୁମ୍ବମେ,

ଆଜି କେନ୍ଦ୍ର ସରକାର ତାମିଲନାଡୁର ବିକାଶ ପାଇଁ ରେକର୍ଡ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି। ୨୦୧୪ ପୂର୍ବରୁ ୧୦ ବର୍ଷରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମାତ୍ର ୩୦ ଲକ୍ଷ କୋଟି ଟଙ୍କା ଦେଇଥିଲେ। ଆମ ସରକାର ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ୧୨୦ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ତାମିଲନାଡୁ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ରାଶିଠାରୁ ଅଢ଼େଇ ଗୁଣ ଅଧିକ ଅର୍ଥ ଦେଇଛି। ଆମ ସରକାର ତାମିଲନାଡୁରେ ଜାତୀୟ ରାଜପଥ ନିର୍ମାଣ ରେ ପୂର୍ବ ତୁଳନାରେ ତିନି ଗୁଣ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି । ରେଳବାଇର ଆଧୁନିକୀକରଣ ପାଇଁ ଆମ ସରକାର ତାମିଲନାଡୁରେ ଅଢ଼େଇ ଗୁଣା ଅଧିକ ଖର୍ଚ୍ଚ କରୁଛନ୍ତି। ଆଜି ତାମିଲନାଡୁର ଲକ୍ଷ ଲକ୍ଷ ଗରିବ ପରିବାରକେନ୍ଦ୍ର ସରକାରଙ୍କ ଠାରୁ ମାଗଣା ରାସନ ପାଉଛନ୍ତି, ମାଗଣା ଚିକିତ୍ସା ପାଉଛନ୍ତି । ଆମ ସରକାର ଏଠାକାର ଲୋକଙ୍କୁ ପକ୍କା ଘର, ଶୌଚାଳୟ, ଟ୍ୟାପ୍ ସଂଯୋଗ, ଗ୍ୟାସ୍ ସଂଯୋଗ ଆଦି ଅନେକ ସୁବିଧା ଯୋଗାଇ ଦେଇଛନ୍ତି।

ୟେନଦ କୁଡୁମ୍ବମେ,

ବିକଶିତ ଭାରତ ଗଠନ ପାଇଁ ଆମ ସମସ୍ତଙ୍କ ପ୍ରୟାସ ଜରୁରୀ । ତାମିଲନାଡୁବାସୀଙ୍କ ଶକ୍ତି ଏବଂ ଏଠାକାର ଯୁବଶକ୍ତି ଉପରେ ମୋର ଅତୁଟ ବିଶ୍ୱାସ ରହିଛି । ମୁଁ ଦେଖୁଛି ତାମିଲନାଡୁର ଯୁବକମାନଙ୍କ ମଧ୍ୟରେ ଏକ ନୂତନ ଚିନ୍ତାଧାରା, ଏକ ନୂତନ ଉତ୍ସାହ ସୃଷ୍ଟି ହେଉଛି | ଏହି ଉତ୍ସାହ ବିକଶିତ ଭାରତର ଶକ୍ତି ପାଲଟିବ। ପୁଣି ଥରେ ବିକାଶ ମୂଳକ କାର୍ଯ୍ୟ ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଓ୍ବଣକ୍କମ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 15, 2026
February 15, 2026

Visionary Leadership in Action: From AI Global Leadership to Life-Saving Reforms Under PM Modi