“ନୂତନ ଶକ୍ତି, ପ୍ରେରଣା ଏବଂ ସଂକଳ୍ପକୁ ଦୃଷ୍ଟିରେ ରଖି ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି”
“ଆଜି ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି । ଭାରତ ପ୍ରତି ବିଶ୍ୱର ମନୋଭାବ ବଦଳିଛି”
“ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ”
“ଏହି ଅମୃତ ରେଳ ଷ୍ଟେସନଗୁଡିକ ଆମ ଐତିହ୍ୟର ପ୍ରତିଫଳନ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବ ଅନୁଭବ କରିବାର ପ୍ରତୀକ ହେବ”
“ଭାରତୀୟ ରେଳବାଇକୁ ଆଧୁନିକ ତଥା ପରିବେଶ ଅନୁକୂଳ କରିବା ଉପରେ ଆମର ଗୁରୁତ୍ୱ ରହିଛି”
“ବର୍ତ୍ତମାନ ଏକ ଉନ୍ନତ ପରିଚୟ ଏବଂ ଆଧୁନିକ ଭବିଷ୍ୟତ ସହିତ ରେଳ ସଂଯୋଗ କରିବା ଆମର ଦାୟିତ୍ୱ”
“ନୂତନ ଭାରତରେ ବିକାଶ ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ଆଣୁଛି ଏବଂ ଯୁବକମାନେ ଦେଶର ବିକାଶରେ ନୂଆ ଫର୍ଦ୍ଦ ଯୋଡୁଛନ୍ତି”
“ଅଗଷ୍ଟ ହେଉଛି କ୍ରାନ୍ତି, କୃତଜ୍ଞତା ଏବଂ କର୍ତ୍ତବ୍ୟର ମାସ । ଅନେକ ଐତିହାସିକ ଘଟଣା ଯାହା ଭାରତର ଇତିହାସକୁ ନୂଆ ଦିଗ ଦେଇଥିଲା ତାହା ଅଗଷ୍ଟରେ ଘଟିଥିଲା”
“ଆମର ସ୍ୱାଧୀନତା ଦିବସ ହେଉଛି ଆମର ତ୍ରିରଙ୍ଗା ଏବଂ ଆମ ଦେଶର ଅଗ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ପୁନରାବୃତ୍ତି କରିବାର ସମୟ । ଗତ ବର୍ଷ ଭଳି, ଏଥର ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ପଡ଼ିବ”

ନମସ୍କାର, ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟଗଣ, ବିଭିନ୍ନ ରାଜ୍ୟମାନଙ୍କର ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରୀଗଣ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଅନ୍ୟ ସମସ୍ତ ମହାନୁଭବ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ବିକଶିତ ହେବାର ଲକ୍ଷ୍ୟ ଆଡ଼କୁ ପାଦ ବଢାଇ ଚାଲିଥିବା ଭାରତ, ନିଜର ଅମୃତକାଳର ପ୍ରାରମ୍ଭରେ ରହିଛି । ନୂତନ ଉର୍ଜ୍ଜା ରହିଛି, ନୂତନ ପ୍ରେରଣା ରହିଛି, ନୂତନ ସଂକଳ୍ପ ରହିଛି । ଏହି ଆଲୋକରେ ଆଜି ଭାରତୀୟ ରେଳ ଇତିହାସରେ ମଧ୍ୟ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଭାରତର ପ୍ରାୟ 1300 ପ୍ରମୁଖ ରେଳ ଷ୍ଟେସନ, ଏବେ ଅମୃତ ଭାରତ ରେଳ ଷ୍ଟେସନ ଭାବରେ ବିକଶିତ କରାଯିବ, ସେଗୁଡ଼ିକର ପୁନର୍ବିକାଶ ହେବ, ଆଧୁନିକତାର ସହିତ ହେବ । ଏଥିମଧ୍ୟରୁ ଆଜି 508 ଅମୃତ ଭାରତ ଷ୍ଟେସନର ପୁନନିର୍ମାଣର କାର୍ଯ୍ୟ ଆରମ୍ଭ ହେଉଛି । ଆଉ ଏହି 508 ଅମୃତ ଭାରତ ଷ୍ଟେସନର ନବନିର୍ମାଣରେ ପ୍ରାୟ 25 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆପଣ କଳ୍ପନା କରି ପାରୁଥିବେ, ଏହା ହେଉଛି ଦେଶର ଭିତିଭୂମି ପାଇଁ, ରେଳବାଇ ପାଇଁ ଏବଂ ସବୁଠାରୁ ବଡ଼ କଥା ହେଉଛି ମୋ ଦେଶର ସାଧାରଣ ନାଗରିକମାନଙ୍କ ପାଇଁ ଏହା କେତେ ବଡ଼ ଅଭିଯାନ ହେବାକୁ ଯାଉଛି । ଏହାର ଲାଭ ଦେଶର ପ୍ରାୟତଃ ସମସ୍ତ ରାଜ୍ୟଗୁଡ଼ିକୁ ମିଳିବ । ଯେମିତିକି ୟୁପିରେ ଏଥିପାଇଁ ପ୍ରାୟ ସାଢ଼େ 4 ହଜାର କୋଟି ଟଙ୍କାର ଖର୍ଚ୍ଚରେ 55ଟି ଅମୃତ ଷ୍ଟେସନକୁ ବିକଶିତ କରାଯିବ । ରାଜସ୍ଥାନର ମଧ୍ୟ 55ଟି ରେଳ ଷ୍ଟେସନ, ଅମୃତ ଭାରତ ଷ୍ଟେସନ ହେବ । ଏମପିରେ 1 ହଜାର କୋଟି ଟଙ୍କା ବ୍ୟୟରେ 34 ରେଳ ଷ୍ଟେସନର କାୟାକଳ୍ପ ମଧ୍ୟ ହେବାକୁ ଯାଉଛି । ମହାରାଷ୍ଟ୍ରରେ 44ଟି ରେଳ ଷ୍ଟେସନର ବିକାଶ ପାଇଁ ଦେଢ଼ ହଜାର କୋଟିରୁ ମଧ୍ୟ ଅଧିକ ଟଙ୍କା ବ୍ୟୟ ହେବ । ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ କେରଳର ମଧ୍ୟ ପ୍ରମୁଖ ଷ୍ଟେସନଗୁଡ଼ିକୁ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯିବ । ଅମୃତ କାଳର ପ୍ରାରମ୍ଭରେ ଏହି ଐତିହାସିକ ଅଭିଯାନ ପାଇଁ ମୁଁ ରେଳ ମନ୍ତ୍ରଣାଳୟକୁ ପ୍ରଶଂସା କରୁଛି ଆଉ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଆଜି ସାରା ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି । ବୈଶ୍ୱିକ ସ୍ତରରେ ଭାରତର କଳେବର ବୃଦ୍ଧି ହୋଇଛି, ଭାରତକୁ ନେଇ ବିଶ୍ୱର ଦୃଷ୍ଟିଭଙ୍ଗୀରେ ପରିବର୍ତନ ଆସିଛି, ଆଉ ଏହାର ଦୁଇଟି ପ୍ରମୁଖ କଥା, ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମ, ଆପଣ ଦେଶବାସୀ ଭାରତର ଲୋକମାନେ ପ୍ରାୟତଃ ତିନି ଦଶକ ପରେ, ତିରିଶ ବର୍ଷ ପରେ ଦେଶରେ ପୂର୍ଣ୍ଣ ବହୁମତ ରହିଥିବା ସରକାର ଗଠନ କଲେ, ତାହା ହେଉଛି ପ୍ରଥମ କାରଣ ଆଉ ଦ୍ୱିତୀୟ କାରଣ ହେଉଛି- ପୂର୍ଣ୍ଣ ବହୁମତ ରହିଥିବା ସରକାର ସେହି ସ୍ପଷ୍ଟତାର ସହିତ ଜନତା ଜନାର୍ଦ୍ଦନ ଏବଂ ତାଙ୍କ ଭାବନାର ସମ୍ମାନ କରି ବଡ଼- ବଡ଼ ନିଷ୍ପତି ନେଲେ, ଆହ୍ୱାନ ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଅନବରତ କାର୍ଯ୍ୟ କଲେ । ଆଜି ଭାରତୀୟ ରେଳବାଇ ମଧ୍ୟ ଏହାର ପ୍ରତୀକ ହୋଇ ସାରିଛି । ବିଗତ ବର୍ଷମାନଙ୍କରେ ରେଳବାଇରେ ହିଁ ଯେତେ କାର୍ଯ୍ୟ ହୋଇଛି, ତାହାର ପରିସଂଖ୍ୟାନ, ତାହାର ସୂଚନା ପ୍ରତ୍ୟେକଙ୍କୁ ମଧ୍ୟ ଆନନ୍ଦିତ କରୁଛି, ଆଶ୍ଚର୍ଯ୍ୟଚକିତ ମଧ୍ୟ କରି ଦେଉଛି । ଯେପରି, ବିଶ୍ୱରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ, ୟୁକେ ଏବଂ ସ୍ୱିଡେନ ଭଳି ଦେଶମାନଙ୍କରେ ଯେତିକି ରେଳ ନେଟୱର୍କ ରହିଛି, ତାହାଠାରୁ ଅଧିକ ରେଳ ଟ୍ରାକ ଆମ ଦେଶରେ ଏଇ 9 ବର୍ଷ ମଧ୍ୟରେ ବିଛା ଯାଇଛି । ଆପଣମାନେ କଳ୍ପନା କରନ୍ତୁ ଏହି ସ୍କେଲକୁ । ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକର ଯେତିକି ରେଳ ନେଟୱର୍କ ରହିଛି, ତାହାଠାରୁ ଅଧିକ ଟ୍ରାକ ଭାରତ କେବଳ ମାତ୍ର ଗତ ବର୍ଷରେ ମଧ୍ୟରେ ନିର୍ମାଣ ହୋଇଛି, ଏକ ବର୍ଷରେ । ଭାରତରେ ଆଜି ଆଧୁନିକ ଟ୍ରେନଗୁଡ଼ିକର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଦେଶର ଲକ୍ଷ୍ୟ ରହିଛି ଯେ ରେଳବାଇର ଯାତ୍ରା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ, ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଲଭ ମଧ୍ୟ ହେବ, ଆଉ ସୁଖଦ ମଧ୍ୟ ହେବ । ଏବେ ଟ୍ରେନରୁ ନେଇ ଷ୍ଟେସନ ପର୍ଯ୍ୟନ୍ତ ଆପଣଙ୍କୁ ଏକ ଉନ୍ନତ ଏକ ଉଚ୍ଚକୋଟୀର ଅନୁଭୂତି ଦେବାର ପ୍ରୟାସ ରହିଛି । ପ୍ଲାଟଫର୍ମରେ ବସିବା ପାଇଁ ଉନ୍ନତମାନର ସିଟ୍ ଲାଗୁଛି, ଭଲ ପ୍ରତୀକ୍ଷା ଗୃହ ନିର୍ମାଣ କରାଯାଉଛି । ଆଜି ଦେଶର ହଜାର- ହଜାର ରେଳ ଷ୍ଟେସନରେ ମାଗଣା ୱାଇ ଫାଇର ସୁବିଧା ହୋଇଛି । ଆମେ ଦେଖିଛୁ, ଏହି ମାଗଣା ଇଂଟରନେଟର ଲାଭ କେତେ ହିଁ ଯୁବକମାନେ ଉଠାଇଛନ୍ତି, ପାଠ ପଢ଼ି ସେମାନେ ଏବେ ନିଜ ଜୀବନରେ ବହୁତ କିଛି ସିଦ୍ଧିମାନ ପ୍ରାପ୍ତ କରି ସାରିଛନ୍ତି ।

ସାଥୀଗଣ,

ଏଗୁଡ଼ିକ ହେଉଛି ଏତେ ବଡ଼ ସିଦ୍ଧି ଯେ, ଯେଉଁଭଳି ଭାବେ ରେଳବାଇରେ କାର୍ଯ୍ୟ ହୋଇଛି । କୌଣସି ମଧ୍ୟ ପିଏମଙ୍କର ମନ ହୋଇଯିବ ଯେ ଏହାର ଚର୍ଚ୍ଚା 15 ଅଗଷ୍ଟରେ ଲାଲକିଲ୍ଲାରୁ କରିବେ । ଆଉ ଯେତେବେଳେ 15 ଅଗଷ୍ଟ ସାମ୍ନାରେ ରହିଛି ତେବେ ମନ ବହୁତ ହିଁ ଲାଳାୟିତ ହୋଇଥାଏ ଯେ ସେହି ଦିନ ଏହାର ଚର୍ଚ୍ଚା କରିବି । କିନ୍ତୁ ଆଜି ଏହି ଯେଉଁ ବିରାଟ ଆୟୋଜନ ହେଉଅଛି, ଦେଶର କୋଣ- ଅନୁକୋଣରୁ ଲୋକମାନେ ଯୋଡ଼ି ହୋଇଛନ୍ତି । ଏଥିପାଇଁ ମୁଁ ଏବେ ହିଁ ଏହି କଥା ଉପରେ ଏତେ ବିସ୍ତୃତ ଭାବେ ଚର୍ଚ୍ଚା କରୁଛି ।

ସାଥୀଗଣ,

ରେଳବାଇକୁ ଆମ ଦେଶର ଲାଇଫ୍ ଲାଇନ ବା ଜୀବନ ରେଖା ବୋଲି କୁହାଯାଇଥାଏ । କିନ୍ତୁ ଏହା ସହିତ ହିଁ, ଆମ ସହରଗୁଡ଼ିକର ପରିଚୟ ମଧ୍ୟ ସହରର ରେଳ ଷ୍ଟେସନ ସହିତ ଯୋଡ଼ି ହୋଇ ରହିଛି । ସମୟ ସହିତ ଏହି ରେଳ ଷ୍ଟେସନ ଏବେ ‘ହାର୍ଟ ଅଫ୍ ଦି ସିଟି’ ହୋଇ ଯାଇଛି । ସହରର ସମସ୍ତ ପ୍ରମୁଖ ଗତିବିଧିମାନ, ରେଳ ଷ୍ଟେସନର ଆଖପାଖରେ ହିଁ ହୋଇଥାଏ । ଏଥିପାଇଁ ଆଜି ବହୁତ ଆବଶ୍ୟକତା ରହିଛି ଯେ ଆମର ରେଳ ଷ୍ଟେସନକୁ ଆଧୁନିକ ସ୍ୱରୂପରେ ପରିବର୍ତିତ କରାଯାଉ, ରେଳବାଇର ଜାଗାକୁ ସର୍ବାଧିକ ମାତ୍ରାରେ ବା ସର୍ବାଧିକ ବ୍ୟବହାର କରାଯାଉ ।

ସାଥୀଗଣ,

ଯେତେବେଳେ ଦେଶରେ ଏତେ ସମସ୍ତ ନୂତନ ଆଧୁନିକ ଷ୍ଟେସନ ନିର୍ମାଣ କରାଯିବ, ତେବେ ତାହା ଫଳରେ ବିକାଶକୁ ନେଇ ଏକ ନୂତନ ପରିବେଶ ମଧ୍ୟ ସୃଷ୍ଟି ହେବ । ଦେଶୀ, ବିଦେଶୀ, କୌଣସି ମଧ୍ୟ ପର୍ଯ୍ୟଟକ ଯେତେବେଳେ ଟ୍ରେନ ମାଧ୍ୟମରେ ଏହି ଆଧୁନିକ ଷ୍ଟେସନରେ ପହଂଚିବେ, ସେତେବେଳେ ରାଜ୍ୟର, ଆପଣଙ୍କର ସହରର ପୂର୍ବର ଚିତ୍ର ତାହାକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ, ତାହା ସ୍ମରଣୀୟ ହୋଇ ରହି ଯାଇଥାଏ । ଆଧୁନିକ ସେବାଗୁଡ଼ିକ କାରଣରୁ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଷ୍ଟେସନର ଆଖପାଖରେ ଉତମ ବ୍ୟବସ୍ଥା ରହିଥିବା ଯୋଗୁଁ ଆର୍ଥିକ ଗତିବିଧିକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ସରକାର ଷ୍ଟେସନଗୁଡ଼ିକୁ ସହର ଏବଂ ରାଜ୍ୟର ପରିଚୟ ସହିତ ଯୋଡ଼ିବା ପାଇଁ ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ବା ‘ଏକ ଷ୍ଟେସନ, ଏକ ଉତ୍ପାଦ’ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଏହାଦ୍ୱାରା ସମ୍ପୂର୍ଣ୍ଣ ଅଂଚଳର ଲୋକମାନଙ୍କୁ, ଶ୍ରମିକ ଏବଂ କାରିଗରମାନଙ୍କୁ ଲାଭ ହେବ, ଏହା ସହିତ ଜିଲ୍ଲାର ବ୍ରାଣ୍ଡିଂ ମଧ୍ୟ ହେବ ।

ସାଥୀଗଣ,

ସ୍ୱାଧୀନତାର ଅମୃତକାଳରେ ଦେଶ ନିଜର ପରମ୍ପରାକୁ ନେଇ ଗର୍ବ କରିବାର ସଂକଳ୍ପ ମଧ୍ୟ ନେଇଛନ୍ତି । ଏହି ଅମୃତ ରେଳ ଷ୍ଟେସନ ମଧ୍ୟ ତାହାର ହିଁ ପ୍ରତୀକ ହେବ, ଆମକୁ ଗର୍ବର ସହିତ ଭରି ଦେବ । ଏହି ଷ୍ଟେସନଗୁଡ଼ିକରେ ଦେଶର ସଂସ୍କୃତି ଏବଂ ସ୍ଥାନୀୟ ପରମ୍ପରାର ମଧ୍ୟ ଝଲକ ଦେଖାଯିବ । ଯେଭଳି ଜୟପୁର ରେଳ ଷ୍ଟେସନରେ ହୱାମହଲ, ଆଜମେର ଦୁର୍ଗ ଭଳି ରାଜସ୍ଥାନର ଐତିହ୍ୟର ଝଲକ ରହିବ । ଜମ୍ମୁ- କଶ୍ମୀରର ଜମ୍ମୁ ତୱୀ ରେଳ ଷ୍ଟେସନ, ପ୍ରସିଦ୍ଧ ରଘୁନାଥ ମନ୍ଦିର ଠାରୁ ପ୍ରେରିତ ହେବ । ନାଗାଲାଣ୍ଡର ଦିମାପୁର ଷ୍ଟେସନରେ ସେଠାକାର 16 ଜନଜାତିମାନଙ୍କର ସ୍ଥାନୀୟ ବାସ୍ତୁକଳା ଦର୍ଶାଯିବ । ପ୍ରତ୍ୟେକ ଅମୃତ ଷ୍ଟେସନ ସହରର ଆଧୁନିକ ଆକାଂକ୍ଷାଗୁଡ଼ିକୁ ଏବଂ ପ୍ରାଚୀନ ପରମ୍ପରାର ପ୍ରତୀକ ହେବ । ଦେଶର ବିଭିନ୍ନ ଐତିହାସିକ ସ୍ଥଳ ଏବଂ ତୀର୍ଥସ୍ଥାନଗୁଡ଼ିକୁ ଯୋଡ଼ିବା ପାଇଁ ଏହି ଦିନମାନଙ୍କରେ ଦେଶରେ ଏକ ଭାରତ ଗୌରବ ଯାତ୍ରା ଟ୍ରେନ, ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ମଧ୍ୟ ଚାଲୁ ରହିଛି । ବୋଧହୁଏ ଆପଣମାନଙ୍କର ଧ୍ୟାନକୁ ଆସିଥିବ, ତାହାକୁ ମଧ୍ୟ ଦୃଢ଼ତା ପ୍ରଦାନ କରାଯାଉଛି ।

ସାଥୀଗଣ,

କୌଣସି ମଧ୍ୟ ବ୍ୟବସ୍ଥାକୁ ରୂପାନ୍ତରଣ କରିବାକୁ ହେଲେ ଜରୁରୀ ହୋଇଥାଏ ଯେ ଆମେ ତାହାର ଶକ୍ତିକୁ ଚିହ୍ନିବା । ଭାରତୀୟ ରେଳବାଇରେ ବିକାଶର ଗତିକୁ ପ୍ରଦାନ କରିବାର ଅପାର ଶକ୍ତି ରହିଛି। ଏହି ଚିନ୍ତାଧାରାର ସହିତ ବିଗତ 9 ବର୍ଷରେ ଆମେ ରେଳବାଇରେ ରେକର୍ଡ ସ୍ତରର ନିବେଶ କରିଛୁ । ଚଳିତ ବର୍ଷ ରେଳବାଇକୁ ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ବଜେଟ ଦିଆଯାଇଛି । ଏହି ବଜେଟ 2014 ତୁଳନାରେ ହେଉଛି 5 ଗୁଣ ଅଧିକ । ଆଜିକାର ବ୍ୟାପକ ଚିନ୍ତାଧାରା ସହିତ ରେଳବାଇର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ ହେଉଛି । ଏହି 9 ବର୍ଷରେ ଲୋକୋମୋଟିଭସ୍ ଉତ୍ପାଦନରେ ମଧ୍ୟ 9 ଗୁଣ ବୃଦ୍ଧି ହୋଇଛି । ଆଜି ଦେଶରେ ପୂର୍ବ ଅପେକ୍ଷା 13 ଗୁଣ ଅଧିକ ଏଚଏଲବି କୋଚ୍ ନିର୍ମାଣ କରାଯାଉଛି ।

ସାଥୀଗଣ,

ଉତର- ପୂର୍ବାଂଚଳରେ ରେଳବାଇର ସମ୍ପ୍ରସାରଣକୁ ମଧ୍ୟ ଆମ ସରକାର ପ୍ରାଥମିକତା ଦେଇଛନ୍ତି । ରେଳ ଲାଇନର ଦୋହରୀକରଣ ହେଉ, ଗେଜ୍ ପରିବର୍ତନ ହେଉ, ବିଦ୍ୟୁତକରଣ ହେଉ, ନୂତନ ରେଳପଥର ନିର୍ମାଣ ହେଉ, ଏହା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । ଖୁବ ଶୀଘ୍ର ହିଁ ଉତର- ପୂର୍ବାଂଚଳର ସମସ୍ତ ରାଜ୍ୟର ରାଜଧାନୀ ରେଳ ନେଟୱର୍କ ସହିତ ଯୋଡ଼ି ହୋଇଯିବ । ନାଗାଲାଣ୍ଡରେ 100 ବର୍ଷ ପରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ହୋଇଛି । ଉତର- ପୂର୍ବାଂଚଳରେ ନୂତନ ରେଳ ଲାଇନର ଶୁଭାରମ୍ଭ ମଧ୍ୟ ପୂର୍ବ ତୁଳନାରେ ତିନି ଗୁଣ ଅଧିକ ମାତ୍ରାରେ ହୋଇଛି ।

ସାଥୀଗଣ,

ବିଗତ 9 ବର୍ଷରେ 22 ଶହ କିଲୋମିଟର ଉତ୍ସର୍ଗୀକୃତ ଫ୍ରେଟ କରିଡର ମଧ୍ୟ ନିର୍ମାଣ କରାଯାଇଛି। ଏଥିପାଇଁ ମାଲଗାଡ଼ିଗୁଡ଼ିକର ଯାତ୍ରା ସମୟ ବହୁତ ହ୍ରାସ ପାଇଛି । ଦିଲ୍ଲୀ- ଏନସିଆରରୁ ପଶ୍ଚିମ ଭାରତରେ ଥିବା ବନ୍ଦରଗୁଡ଼ିକ ପର୍ଯ୍ୟନ୍ତ ସେ ଗୁଜରାଟର ସମୁଦ୍ର ଉପକୂଳ ହେଉ ଅବା ମହାରାଷ୍ଟ୍ରର ସମୁଦ୍ର କୂଳ ହେଉ ପୂର୍ବରୁ ମାଲ ଟ୍ରେନ ଦ୍ୱାରା ପହଂଚା ଯାଉଥିବା ସମୟ ପ୍ରାୟ ହାରାହାରି, ହାରାହାରି 72 ଘଂଟା ଲାଗୁଥିଲା, ଆଜି ସେହି ମାଲ, ସେହି ସାମଗ୍ରୀ, ସେହି ଉତ୍ପାଦ 24 ଘଂଟାରେ ପହଂଚି ଯାଉଛି । ସେହିପରି ଅନ୍ୟ ପଥଗୁଡ଼ିକରେ ମଧ୍ୟ 40 ପ୍ରତିଶତ ପର୍ଯ୍ୟନ୍ତ କମ୍ ସମୟ ଲାଗୁଛି । ଯାତ୍ରା ସମୟ କମ୍ ଲାଗିବା ଅର୍ଥ ଯେ ମାଲଗାଡ଼ିଗୁଡ଼ିକର ଗତି ବୃଦ୍ଧି ପାଇଛି ଏବଂ ସାମଗ୍ରୀ ମଧ୍ୟ ଏବେ ଦ୍ରୁତ ଗତିରେ ପହଂଚୁଛି । ଏହାର ବଡ଼ ଲାଭ ଆମର ଉଦ୍ୟମୀ, ବ୍ୟବସାୟୀ ଏବଂ ବିଶେଷ କରି ଆମର କୃଷକ ଭାଇ ଭଉଣୀମାନଙ୍କୁ ମିଳୁଛି । ଆମର ଫଳ- ପନି ପରିବା ଏବେ ଅଧିକ ଦ୍ରୁତ ଗତିରେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ଯାଇପାରୁଛି । ଯେତେବେଳେ ଦେଶରେ ଏହିଭଳି ପରିବହନ ଦ୍ରୁତ ଗତିରେ ହେବ ତେବେ ସେତିକି ଦ୍ରୁତ ଗତିରେ ଭାରତରେ ଯାହା ଉତ୍ପାଦ ହେବ । ଆମର ଛୋଟ- ଛୋଟ କାରିଗର, ଆମର ଲଘୁ ଉଦ୍ୟୋଗ ଯାହା କିଛି ମଧ୍ୟ ଉତ୍ପାଦନ କରିବେ ସେହି ସାମଗ୍ରୀ ବିଶ୍ୱ ବଜାରରେ ମଧ୍ୟ ଦ୍ରୁତ ଗତିରେ ପହଂଚି ପାରିବ ।

ସାଥୀଗଣ,

ଆପଣମାନେ ସମସ୍ତେ ଦେଖିଛନ୍ତି ପୂର୍ବରୁ ରେଳ ଓଭର ବ୍ରିଜ କମ୍ ଥିବା କାରଣରୁ କେତେ ଅସୁବିଧା ହେଉଥିଲା । 2014 ପୂର୍ବରୁ ଦେଶରେ 6 ହଜାରରୁ ମଧ୍ୟ କମ୍ ରେଳ ଓଭର ବ୍ରିଜ ଅବା ଅଣ୍ଡର ବ୍ରିଜ ଥିଲା । ଆଜି ଓଭର ବ୍ରିଜ ଏବଂ ଅଣ୍ଡର ବ୍ରିଜ ସଂଖ୍ୟା 10 ହଜାରରୁ ଅଧିକ ହୋଇ ଯାଇଛି । ଦେଶରେ ବଡ଼ ଲାଇନଗୁଡ଼ିକରେ ମାନବ ବିହୀନ ଫାଟକ ସଂଖ୍ୟା ମଧ୍ୟ ଶୂନ୍ୟକୁ ଆସି ଯାଇଛି । ଟ୍ରେନରେ ଏବଂ ରେଳ ପ୍ଲାଟଫର୍ମରେ, ଯାତ୍ରୀ ସୁବିଧାମାନ ନିର୍ମାଣ କ୍ଷେତ୍ରରେ ଆଜି ବୟସ୍କମାନଙ୍କର, ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦିଆ ଯାଉଛି ।

ସାଥୀଗଣ,

ଆମର ଗୁରୁତ୍ୱ ଭାରତୀୟ ରେଳବାଇକୁ ଆଧୁନିକ କରିବା ସହିତ ପର୍ଯ୍ୟାବରଣ ଅନୁକୂଳ କରିବା ଉପରେ ମଧ୍ୟ ରହିଛି । ଖୁବ ଶୀଘ୍ର ଭାରତର ଶତ ପ୍ରତିଶତ ରେଳ ଲାଇନ ବିଦ୍ୟୁତୀକରଣ ହେବାକୁ ଯାଉଛି । ଅର୍ଥାତ ମାତ୍ର କିଛି ବର୍ଷ ମଧ୍ୟରେ ଭାରତର ସମସ୍ତ ଟ୍ରେନ କେବଳ ବିଦ୍ୟୁତ ଯୋଗେ ଚଳାଚଳ କରିବ । ଏହାଦ୍ୱାରା ପର୍ଯ୍ୟାବରଣକୁ କେତେ ବଡ଼ ସହାୟତା ମିଳିବ, ଆପଣମାନେ ଅନୁମାନ କରି ପାରୁଥିବେ । 9 ବର୍ଷରେ ସୌର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ କରୁଥିବା ରେଳ ଷ୍ଟେସନ ସଂଖ୍ୟା ମଧ୍ୟ 12 ଶହରୁ ମଧ୍ୟ ଅଧିକ ହୋଇ ଯାଇଛି । ଲକ୍ଷ୍ୟ ଏହା ରହିଛି ଯେ ଆଗାମୀ ସମୟରେ ସମସ୍ତ ଷ୍ଟେସନ ସବୁଜ ଶକ୍ତି ଉତ୍ପାଦନ କରି ପାରିବ । ଆମ ଟ୍ରେନରେ ପାଖାପାଖି 70 ହଜାର ଡବା, 70 ହଜାର କୋଚରେ ଏଲଇଡି ଲାଇଟମାନ ଲଗା ଯାଇସାରିଛି । ଟ୍ରେନଗୁଡ଼ିକରେ ବାୟୋ ଶୌଚାଳୟ ସଂଖ୍ୟା ମଧ୍ୟ 2014 ତୁଳନାରେ ଏବେ 28ଗୁଣ ବୃଦ୍ଧି ପାଇଛି । ଏବେ ଯେତେ ଅମୃତ ଷ୍ଟେସନ ନିର୍ମାଣ ହେବ, ସେମାନେ ମଧ୍ୟ ସବୁଜ ଭବନର ମାନକକୁ ପୂରଣ କରିବେ । 2030 ସୁଦ୍ଧା ଭାରତ ଏଭଳି ଏକ ଦେଶ ହେବ, ଯାହାର ରେଳବାଇ ନେଟ୍ ଜିରୋ ଉତ୍ସର୍ଜନରେ ମିଳିବ ।

ସାଥୀଗଣ,

ଦଶକ ଦଶକ ଧରି ରେଳବାଇ ଆମକୁ ଆମ ନିଜ ଲୋକମାନଙ୍କ ସହିତ ଯୋଡ଼ିବାର ବହୁତ ବଡ଼ ଅଭିଯାନ ଚଳାଇଛି, କାର୍ଯ୍ୟ କରିଛି, ଗୋଟିଏ ପ୍ରକାରରେ ଦେଶକୁ ଯୋଡ଼ିବାର ମଧ୍ୟ କାର୍ଯ୍ୟ କରୁଛି। ଏବେ ଏହା ଆମର ଦାୟିତ୍ୱ ଯେ ଆମେ ରେଳବାଇକୁ ଏକ ଉନ୍ନତ ପରିଚୟ ଏବଂ ଆଧୁନିକ ଭବିଷ୍ୟତ ସହିତ ଯୋଡ଼ିବା । ଆଉ ରେଳବାଇର ସୁରକ୍ଷା, ବ୍ୟବସ୍ଥାର ସୁରକ୍ଷା, ସୁବିଧାଗୁଡ଼ିକର ରକ୍ଷା, ସ୍ୱଚ୍ଛତାର ସୁରକ୍ଷା, ଜଣେ ନାଗରିକ ଭାବେ ସେହି କର୍ତବ୍ୟକୁ ଆମେ ତୁଲାଇବା । ଅମୃତ କାଳ ମଧ୍ୟ ହେଉଛି କର୍ତବ୍ୟ କାଳ । କିନ୍ତୁ ସାଥୀଗଣ, କିଛି କଥା ଯେତେବେଳେ ଆମେ ଦେଖୁଛେ, ସେତେବେଳେ ମନ ଏବଂ ହୃଦୟକୁ ବହୁତ କଷ୍ଟ ଦେଉଛି । ଦୁର୍ଭାଗ୍ୟ ଏହା ଯେ, ଆମ ଦେଶରେ ବିରୋଧିଙ୍କର ଏକ ଗୋଷ୍ଠୀ ଆଜି ମଧ୍ୟ ପୁରୁଣା ଢ଼ାଂଚାରେ ଚାଲୁଛନ୍ତି । ସେମାନେ ଆଜି ମଧ୍ୟ ନା କିଛି କରୁଛନ୍ତି ନା ଅନ୍ୟମାନଙ୍କୁ କରିବାକୁ ଦେଉଛନ୍ତି । ‘ନା କାର୍ଯ୍ୟ କରିବେ, ନା କାର୍ଯ୍ୟ କରିବାକୁ ଦେବେ’ ଏହି ଧାରା ଉପରେ ସେମାନେ ଜିଦ୍ କରି ଅଡି ବସିଛନ୍ତି । ଦେଶ ଆଜିକାର, ଆଉ ଭବିଷ୍ୟତର ଆବଶ୍ୟକତାକୁ ଚିନ୍ତା କରି ସଂସଦର ଆଧୁନିକ ଭବନ ନିର୍ମାଣ କରିଛି । ସଂସଦ ହେଉଛି ଦେଶର ଗଣତନ୍ତ୍ରର ପ୍ରତୀକ, ତାହା ଉପରେ ସପକ୍ଷ ଓ ବିପକ୍ଷ ସମସ୍ତଙ୍କର ପ୍ରତିନିଧିତ୍ୱ ରହିଥାଏ । କିନ୍ତୁ, ବିରୋଧି ଦଳର ଏହି ଗୋଷ୍ଠୀ ମଧ୍ୟ ସଂସଦ ଭବନର ନୂତନ ନିର୍ମାଣକୁ ବିରୋଧ କରୁଛନ୍ତି । ଏହି ଲୋକମାନେ 70 ବର୍ଷ ପର୍ଯ୍ୟନ୍ତ ଦେଶର ବୀର ଶହୀଦମାନଙ୍କ ପାଇଁ ଯୁଦ୍ଧ ସ୍ମାରକୀ ପର୍ଯ୍ୟନ୍ତ ନିର୍ମାଣ କରି ନ ଥିଲେ । ଯେତେବେଳେ ଆମେ ଜାତୀୟ ସମର ସ୍ମାରକୀ ନିର୍ମାଣ କଲୁ, ତାହାର ନିର୍ମାଣ କରାଗଲା, ସେମାନେ ମଧ୍ୟ ତାକୁ ନେଇ ସର୍ବ ସାଧାରଣରେ ସମାଲୋଚନା କରିବାକୁ ଲଜ୍ୟା ଅନୁଭବ କଲେ ନାହିଁ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ଆଜି ହେଉଛି ବିଶ୍ୱର ସବୁଠାରୁ ବଡ଼ ପ୍ରତୀମା । ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ଗର୍ବ ଅନୁଭବ ହୋଇଥାଏ। ଆଉ କିଛି ରାଜନୈତିକ ଦଳ ନିର୍ବାଚନ ସମୟରେ ତ ସର୍ଦ୍ଦାର ସାହେବଙ୍କୁ ମନେ ପକାଇ ଥାଆନ୍ତି । କିନ୍ତୁ, ଆଜି ପର୍ଯ୍ୟନ୍ତ ତାଙ୍କର ଜଣେ ମଧ୍ୟ ବଡ଼ ନେତା ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାଇ ସର୍ଦ୍ଦାର ସାହେବଙ୍କ ଏହି ଭବ୍ୟ ପ୍ରତୀମାକୁ ନା ଦର୍ଶନ କଲେ ନା ତାଙ୍କୁ ପ୍ରଣାମ କରିଛନ୍ତି ।

କିନ୍ତୁ ସାଥୀଗଣ,

ଆମେ ଦେଶର ବିକାଶକୁ ଏହି ସକରାତ୍ମକ ରାଜନୀତି ଠାରୁ ଆଗକୁ ନେବାର ନିଷ୍ପତି କରିଛୁ, ଆଉ ଏଥିପାଇଁ ନକରାତ୍ମକ ରାଜନୀତିରୁ ଉପରକୁ ଯାଇ ସକରାତ୍ମକ ରାଜନୀତିର ମାର୍ଗରେ ଏକ ମିଶନ ଭାବେ ଆମେ ଚାଲୁଛୁ । କୌଣସି ରାଜ୍ୟରେ ଯାହାର ମଧ୍ୟ ସରକାର ଥାଉ, କେଉଁଠାରେ କାହାର ଭୋଟ ବ୍ୟାଙ୍କ ଅଛି, ଆମେ ଏସବୁଠାରୁ ଉପରକୁ ଯାଇ ସମ୍ପୂର୍ଣ୍ଣ ଦେଶର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ । ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ ଏହାକୁ ଏହି ଧରଣୀରେ ଚରିତାର୍ଥ କରିବା ପାଇଁ ମନ-ପ୍ରାଣ ଦେଇ ଲାଗି ପଡ଼ିଛୁ ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ରେଳବାଇ, ଯୁବକମାନଙ୍କୁ ନିଯୁକ୍ତି ଦେବାର ବହୁତ ବଡ଼ ମାଧ୍ୟମ ପାଲଟିଛି। ପ୍ରାୟ ଦେଢ ଲକ୍ଷରୁ ଅଧିକ ଯୁବକମାନଙ୍କୁ କେବଳ ରେଳବାଇରେ ପ୍ରକୃତ ନିଯୁକ୍ତି ମିଳିଛି । ସେହିଭଳି ଭିତିଭୂମି ଉପରେ ଲକ୍ଷ-ଲକ୍ଷ, କୋଟି-କୋଟି ଟଙ୍କାର ନିବେଶ ଦ୍ୱାରା ଲକ୍ଷ-ଲକ୍ଷ ଯୁବକମାନଙ୍କୁ ନିଯୁକ୍ତି ମିଳୁଛି । ସଂପ୍ରତି କେନ୍ଦ୍ର ସରକାର 10 ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାର ଏକ ବଡ଼ ଅଭିଯାନ ମଧ୍ୟ ଚଳାଇଛନ୍ତି । ରୋଜଗାର ମେଳାରେ କ୍ରମାଗତ ଭାବେ ଯୁବକମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି । ଏହା ହେଉଛି  ପରିବର୍ତିତ ଭାରତର ଛବି, ଯେଉଁଥିରେ ବିକାଶ ଯୁବକମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରୁଛି, ଆଉ ଯୁବକମାନେ ବିକାଶକୁ ନୂତନ ଡେଣା ପ୍ରଦାନ କରୁଛନ୍ତି ।

ସାଥୀଗଣ,

ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଆମକୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ଅଛନ୍ତି । ଅନେକ ପଦ୍ମ ସମ୍ମାନ ପ୍ରାପ୍ତ କରିଥିବା ମହାନୁଭବ ମଧ୍ୟ ଏହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରୁଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅଗଷ୍ଟ ମାସ ହେଉଛି ବହୁତ ସ୍ୱତନ୍ତ୍ର ମାସ। ଏହି ମାସ ହେଉଛି ବିପ୍ଳବର ମାସ, କୃତଜ୍ଞତା ଜ୍ଞାପନ କରିବାର ମାସ, ହେଉଛି କର୍ତବ୍ୟ ଭାବନାର ମାସ । ଅଗଷ୍ଟ ମାସରେ କେତେ ହିଁ ଐତିହାସିକ ଦିବସ ଆସିଥାଏ, ଯାହା ଭାରତର ଇତିହାସକୁ ନୂତନ ଦିଗ ଦେଇଛି ଏବଂ ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି । ଆସନ୍ତା କାଲି 7 ଅଗଷ୍ଟକୁ ସମଗ୍ର ଦେଶ ସ୍ୱଦେଶୀ ଆନ୍ଦୋଳନକୁ ସମର୍ପିତ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ । 7 ଅଗଷ୍ଟର ଏହି ତାରିଖ, ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଭୋକାଲ ଫର ଲୋକାଲ ହେବାର ସଂକଳ୍ପକୁ ଦୋହରାଇବାର ଦିନ । କିଛି ଦିନ ପରେ ଗଣେଶ ଚତୁର୍ଥୀର ପବିତ୍ର ପର୍ବ ମଧ୍ୟ ଆସିବାକୁ ଯାଉଛି । ଆମକୁ ଏବେଠାରୁ ଇକୋ ଫ୍ରେଣ୍ଡଲି ବା ପରିବେଶ ଅନୁକୂଳ ଗଣେଶ ଚତୁର୍ଥୀ ଆଡ଼କୁ ଯିବାର ଅଛି । ଆମେ ପ୍ରୟାସ କରିବା ଯେ ଗଣପତି ବାପ୍ପାଙ୍କ ପ୍ରତିମାଗୁଡ଼ିକ ପରିବେଶ ଅନୁକୂଳ ସାମଗ୍ରୀରେ ନିର୍ମାଣ ହେଉ । ଏହି ପର୍ବ ଆମର ସ୍ଥାନୀୟ କାରିଗରମାନଙ୍କର, ଆମର ହସ୍ତଶିଳ୍ପୀମାନଙ୍କର ଆଉ ଆମର ଛୋଟ- ଛୋଟ ଉଦ୍ୟମୀମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ କିଣିବା ପାଇଁ ପ୍ରେରଣା ଦେଇଥାଏ ।

ସାଥୀଗଣ,

7 ତାରିଖର ଗୋଟିଏ ଦିନ ପରେ 9 ଅଗଷ୍ଟ ଆସୁଛି । 9 ଅଗଷ୍ଟ, ହେଉଛି ସେହି ତାରିଖ ଯେତେବେଳେ ଐତିହାସିକ ଭାରତ ଛାଡ଼ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା । ମହାତ୍ମାଗାନ୍ଧି ଗୋଟିଏ ମନ୍ତ୍ର ଦେଇଥିଲେ ଆଉ ଭାରତଛାଡ଼ ଆନ୍ଦୋଳନ ସ୍ୱାଧୀନତା ଆଡ଼କୁ ଭାରତର ପାଦରେ ନୂତନ ଉର୍ଜ୍ଜା ସୃଷ୍ଟି କରି ଦେଇଥିଲା । ଏହାଦ୍ୱାରା ପ୍ରେରଣା ପାଇ ଆଜି ସାରା ଦେଶ ପ୍ରତ୍ୟେକ ଖରାପ କାର୍ଯ୍ୟକୁ କହୁଛି- ଭାରତ ଛାଡ଼ । ଚାରିଆଡ଼େ ଏହି ଗୋଟିଏ ଧ୍ୱନି ଶୁଣିବାକୁ ମିଳୁଛି । ଦୁର୍ନୀତି- ଭାରତ ଛାଡ଼ ଅର୍ଥାତ ଭ୍ରଷ୍ଟାଚାର ଭାରତ ଛାଡ଼ । ରାଜତନ୍ତ୍ର- ଭାରତ ଛାଡ ଅର୍ଥାତ ପରିବାରବାଦ ଭାରତ ଛାଡ଼ । ତୁଷ୍ଟିକରଣ ରାଜନୀତି- ଭାରତ ଛାଡ଼ ଅର୍ଥାତ ତୁଷ୍ଟିକରଣ ଭାରତ ଛାଡ଼ !

ସାଥୀଗଣ,

ଏହାପରେ 15 ଅଗଷ୍ଟର ପୂର୍ବ ସଂନ୍ଧ୍ୟା 14 ଅଗଷ୍ଟ, 14 ଅଗଷ୍ଟ ହେଉଛି ବିଭାଜନ ବିଭୀଷିକା ସ୍ମରଣ ଦିବସ, ଯେତେବେଳେ ମାଆ ଭାରତୀ ଦୁଇ ଭାଗ ହୋଇ ଯାଇଥିଲା, ଏକ ଏଭଳି ଦିନ ଥିଲା, ଯାହା ପ୍ରତ୍ୟେକ ଭାରତୀୟ ଆଖିକୁ ଓଦା କରି ଦେଇଥାଏ । ଏହା ହେଉଛି ସେହି ଅଗଣିତ ଲୋକଙ୍କୁ ସ୍ମରଣ କରିବାର ଦିନ ଯେଉଁମାନେ ଭାରତ ବିଭାଜନର ବହୁତ ମୂଲ୍ୟ ପ୍ରଦାନ କରିଛନ୍ତି । ଏହା ସେହି ପରିବାରଗୁଡ଼ିକ ପ୍ରତି ଐକ୍ୟବଦ୍ଧତା ଦେଖାଇବାର ଦିନ, ଯେଉଁମାନେ ନିଜର ସବୁକିଛିକୁ ହରାଇଥିଲେ ଆଉ ପୁଣି ମଧ୍ୟ ସାହସର ସହିତ ମାଆ ଭାରତୀ ପ୍ରତି ନିଜର ଶ୍ରଦ୍ଧାକୁ ନେଇ ଜୀବନକୁ ଧାରାକୁ ଆଣିବା ପାଇଁ ସଂଘର୍ଷ କରିଥିଲେ । ଆଜି ଏମାନେ ନିଜ ପରିବାର, ନିଜ ଦେଶର ହିତରେ, ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ଆଉ ସାଥୀଗଣ, 14 ଅଗଷ୍ଟ ବିଭାଜନ ବିଭୀଷିକା ଦିବସ, ମାଆ ଭାରତୀ ଦୁଇ ଖଣ୍ଡରେ ବିଭାଜନ ହୋଇଥିବାରୁ, ସେହି ଦିନ ଯାହା ଆମକୁ ଭବିଷ୍ୟତରେ ମାଆ ଭାରତୀକୁ ଏକାଠି କରିବାର ଦାୟିତ୍ୱ ଦେଇଥାଏ । ଏବେ ଏହି ଦେଶକୁ କୌଣସି ଭାବେ ମଧ୍ୟ କିଛି କ୍ଷତି ନ ହେଉ, ଏହି ସଂକଳ୍ପ କରିବାର ସମୟ ମଧ୍ୟ ଏହି ବିଭାଜନ ବିଭୀଷିକା ଦିବସ ହେଉଛି 14 ଅଗଷ୍ଟ ।

ସାଥୀଗଣ,

ଦେଶର ପ୍ରତ୍ୟେକ ପିଲା, ବୟସ୍କ, ସମସ୍ତେ 15 ଅଗଷ୍ଟର ପ୍ରତୀକ୍ଷା କରିଥାଆନ୍ତି । ଆଉ ଆମର 15 ଅଗଷ୍ଟ, ଆମର ସ୍ୱାଧୀନତା ଦିବସ ଆମର ତିରଙ୍ଗା ଏବଂ ଆମର ରାଷ୍ଟ୍ରର ପ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇବାର ହେଉଛି ସମୟ । ବିଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତିରଙ୍ଗା ଉଡ଼ାଇବାର ଅଛି । ହର ଘର ତିରଙ୍ଗା, ହର ଦିଲ ତିରଙ୍ଗା, ହର ମନ ତିରଙ୍ଗା, ପ୍ରତ୍ୟେକ ଉଦ୍ଦେଶ୍ୟ ତିରଙ୍ଗା, ପ୍ରତ୍ୟେକ ସ୍ୱପ୍ନ ତିରଙ୍ଗା, ପ୍ରତ୍ୟେକ ସଂକଳ୍ପ ତିରଙ୍ଗା । ମୁଁ ଦେଖୁଛି ଯେ ଅନେକ ସାଥୀ ଆଜିକାଲି ସାମାଜିକ ଗଣମାଧ୍ୟମରେ ନିଜର ତିରଙ୍ଗା ଥିବା ଡିପି ଅପଡେଟ କରିୁଛନ୍ତି । ହର ଘର ତିରଙ୍ଗାର ଉଦଘୋଷ ସହିତ ଫ୍ଲାଗମାର୍ଚ୍ଚ ମଧ୍ୟ ବାହାର କରୁଛନ୍ତି । ମୁଁ ଆଜି ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଯୁବକମାନଙ୍କୁ ହର ଘର ତିରଙ୍ଗା, ଏହି ଆନ୍ଦୋଳନ ସହିତ ସାମିଲ ହେବା ଆଉ ଏହାର ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ଅନୁରୋଧ କରୁଛି ।

ସାଥୀଗଣ,

ଦୀର୍ଘ ସମୟ ପର୍ଯ୍ୟନ୍ତ, ଆମ ଦେଶର ଲୋକମାନେ ଏହା ଚିନ୍ତା କରୁଥିଲେ ଯେ ସେମାନେ ଯେଉଁ ଟିକସ ପଇଠ କରୁଛନ୍ତି, ତାହାର କୌଣସି ଅର୍ଥ ନାହିଁ । ସେମାନଙ୍କୁ ଲାଗୁଥିଲା ଯେ ସେମାନଙ୍କର ପରିଶ୍ରମରୁ ରୋଜଗାର କରାଯାଇଥିବା ଅର୍ଥ ଭ୍ରଷ୍ଟାଚାରରେ ଉଡ଼ାଇ ଦିଆଯିବ । କିନ୍ତୁ ଆମ ସରକାର ଏହି ଧାରଣାକୁ ବଦଳାଇ ଦେଇଛନ୍ତି । ଆଜି ଲୋକମାନଙ୍କୁ ଅନୁଭବ ହେଉଛି ଯେ ସେମାନଙ୍କ ଅର୍ଥର ପ୍ରତ୍ୟେକଟି ପଇସା ରାଷ୍ଟ୍ର ନିର୍ମାଣରେ ଉପଯୋଗ ହେଉଛି । ସୁବିଧାମାନ ବୃଦ୍ଧି ହେଉଛି, ସହାବସ୍ଥାନ ସୁଗମ ହେଉଛି । ଯେଉଁ ସମସ୍ୟା ଆପଣମାନଙ୍କୁ ଭୋଗିବାକୁ ପଡ଼ୁଥିଲା, ତାହା ଆପଣମାନଙ୍କର ପିଲାମାନଙ୍କୁ ଭୋଗିବାକୁ ନ ପଡ଼ୁ, ଏଥିପାଇଁ ଦିନ-ରାତି କାର୍ଯ୍ୟ କରାଯାଉଛି । ଏହାର ପରିଣାମ ଏହା ହେଉଛି ଯେ ଟିକସ ଦେଉଥିବା ଲୋକମାନଙ୍କର ବିକାଶ ପ୍ରତି ଏକ ବିଶ୍ୱାସ ବୃଦ୍ଧି ପାଉଛି ଆଉ ସେହି କାରଣରୁ ଟିକସ ଦେଉଥିବା ଲେଶକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗୋଟିଏ ସମୟ ଥିଲା, ଯେତେବେଳେ ଦେଶରେ 2 ଲକ୍ଷରୁ ଅଧିକ ଆୟ ଉପରେ ଟିକସ ଲାଗି ଯାଉଥିଲା । ଆଜି ଏହି ମୋଦୀର ଗ୍ୟାରେଂଟିକୁ ଦେଖନ୍ତୁ, ଆଜି 7 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁ ନାହିଁ । ଏହା ପରେ ମଧ୍ୟ, ଦେଶରେ ଜମା ହେଉଥିବା ଆୟକର ରାଶିର ପରିମାଣ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯାହା ବିକାଶ କାର୍ଯ୍ୟରେ ଲାଗି ପାରୁଛି । ଏହାର ସ୍ପଷ୍ଟ ସନ୍ଦେଶ ହେଉଛି ଏହା ଯେ ଦେଶରେ ମଧ୍ୟମ ବର୍ଗର ଲୋକମାନଙ୍କର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏବେ ପାଂଚ ଦିନ ପୂର୍ବରୁ ଆୟକର ରିଟର୍ଣ୍ଣ ଭରିବାର ତାରିଖ ସରିଯାଇଛି । ଚଳିତ ବର୍ଷ ଆମେ ଦେଖିଛୁ ଯେ ଆୟକର ରିଟର୍ଣ୍ଣ ଭରିବାର ଲୋକଙ୍କ ସଂଖ୍ୟାରେ 16 ପ୍ରତିଶତ ବୃଦ୍ଧି ହୋଇଛି । ଏହା ଦର୍ଶାଉଛି ଯେ ଲୋକମାନଙ୍କର, ଦେଶର ସରକାରଙ୍କ ଉପରେ, ଦେଶରେ ହେଉଥିବା ନବ ନିର୍ମାଣ ଉପରେ ଏବଂ ବିକାଶର କେତେ ଆବଶ୍ୟକତା ରହିଛି ଏହି କଥା ଉପରେ ବିଶ୍ୱାସ କେତେ ପରିମାଣରେ ବୃଦ୍ଧି ପାଉଛି । ଲୋକମାନେ ଆଜି ଦେଖୁଛନ୍ତି ଯେ କିଭଳି ଭାବେ ଆଜି ଦେଶରେ ରେଳବାଇର କାୟାକଳ୍ପ ହେଉଛି, ମେଟ୍ରୋର ସଂପ୍ରସାରଣ ହେଉଛି । ଲୋକମାନେ ଆଜି ଦେଖୁଛନ୍ତି ଯେ କିଭଳି ଭାବେ ଆଜି ଦେଶରେ ଗୋଟିଏ ପରେ ଗୋଟିଏ ନୂତନ ଏକ୍ସପ୍ରେସ-ୱେ ନିର୍ମାଣ କରାଯାଉଛି । ଲୋକମାନେ ଆଜି ଦେଖୁଛନ୍ତି ଯେ କିଭଳି ଭାବେ ଆଜି ଦେଶରେ ଦ୍ରୁତ ଗତିରେ ନୂଆ- ନୂଆ ବିମାନ ବନ୍ଦରମାନ ନିର୍ମାଣ କରାଯାଉଛି, ନୂଆ- ନୂଆ ହସ୍ପାତାଳମାନ ନିର୍ମାଣ କରାଯାଉଛି, ନୂଆ- ନୂଆ ସ୍କୁଲମାନ ନିର୍ମାଣ କରାଯାଉଛି, ଲୋକମାନେ ଯେତେବେଳେ ଏହି ପ୍ରକାରର ପରିବର୍ତନ ଦେଖନ୍ତି ସେତେବେଳେ ଏହି ଅନୁଭବ ଆହୁରି ସୁଦୃଢ଼ ହୋଇଯାଏ ଯେ ସେମାନଙ୍କର ଅର୍ଥରେ ନୂତନ ଭାରତର ନିର୍ମାଣ ହେଉଛି । ଆପଣମାନଙ୍କର ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଂଟି ହେଉଛି ଏହିସବୁ କାର୍ଯ୍ୟଗୁଡ଼ିକରେ ଗ୍ୟାରେଂଟି । ଆମକୁ ଏହି ବିଶ୍ୱାସକୁ ଦିନକୁ ଦିନ ଆହୁରି ସୁଦୃଢ଼ କରିବାକୁ ହେବ ।

ଆଉ ଭାଇ ଓ ଭଉଣୀମାନେ,

ଏହି ଯେଉଁ 508 ରେଳ ଷ୍ଟେସନର ଆଧୁନିକୀକରଣ ହୋଇଛି ନା ଏହା ମଧ୍ୟ ହେଉଛି ସେହି ଦିଗରେ ନିଆ ଯାଇଥିବା ପଦକ୍ଷେପ । ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି, ଅମୃତ ଭାରତ ଷ୍ଟେସନଗୁଡ଼ିକ ଭାରତୀୟ ରେଳର ଏହି କାୟାକଳ୍ପକୁ ଏକ ନୂତନ ଶୀଖର ପ୍ରଦାନ କରିବ ଆଉ ଏହି କ୍ରାନ୍ତିର ମାସରେ ଆମେ ସମସ୍ତ ହିନ୍ଦୁସ୍ତାନୀ ନୂତନ ସଂକଳ୍ପର ସହିତ 2047ରେ ଯେତେବେଳେ ଦେଶ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ଭାରତକୁ ବିକଶିତ କରିବା ପାଇଁ ଜଣେ ନାଗରିକ ହିସାବରେ ମୋର ଯାହା କିଛି ମଧ୍ୟ ଦାୟିତ୍ୱ ରହିଛି ତାହାକୁ ଅବଶ୍ୟ ପୂର୍ଣ୍ଣ କରିବି । ଏହି ସଂକଳ୍ପର ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing ministry raises EWS housing target under PMAY 2.0 by 350%

Media Coverage

Housing ministry raises EWS housing target under PMAY 2.0 by 350%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Invites everyone to Join #ParikshaPeCharcha26
February 05, 2026

Prime Minister Shri Narendra Modi invited everyone to join #ParikshaPeCharcha26 to be held tomorrow, 6th February at 10 AM. He highlighted that this year’s edition will feature very interesting topics relating to examinations, notably the importance of remaining stress free and focusing on learning. The Prime Minister emphasized that this platform has always been one he enjoys, as it provides him with the opportunity to interact with bright minds from across the country.

In a post on X, Shri Modi said:

"Do watch #ParikshaPeCharcha26 tomorrow, 6th February at 10 AM. This year’s PPC features very interesting topics relating to examinations, notably the need to remain stress free, focus on learning and more. This is a platform I’ve always enjoyed, as it gives me an opportunity to interact with bright minds from across the country. "