ଭାରତ ତୀବ୍ର ଗତିରେ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବ : ପ୍ରଧାନମନ୍ତ୍ରୀ ମୋଦୀ
ଆଜି ,ଭାରତର ଯୁବା ଚାକିରୀ ଖୋଜିବା ବଦଳେ ଚାକିରୀ ପ୍ରଦାତା ହେବାରେ ବିଶ୍ୱାସ ରଖୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ : ପ୍ରଧାନମନ୍ତ୍ରୀ ମୋଦୀ

ମୁଁ ଟାଇମ୍ସ ନାଓ ଗ୍ରୁପର ସମସ୍ତ ଦର୍ଶକଙ୍କୁ, କର୍ମଚାରୀଙ୍କୁ, ଫିଲ୍ଡ ଏବଂ ଡେସ୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧି, କ୍ୟାମେରା ଏବଂ ଲଜିଷ୍ଟିକ୍ସର ସମସ୍ତ ବନ୍ଧୁମାନଙ୍କୁ ଏହି ସମ୍ମିଳନୀ ପାଇଁ ଶୁଭେଚ୍ଛା ଜଣାଉଛି । ଏହା ଟାଇମ୍ସ ନାଓର ପ୍ରଥମ ସମ୍ମିଳନୀ । ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ବନ୍ଧୁଗଣ,

ଚଳିତ ଥରର ଶୀର୍ଷକ India Action Plan 20-20 ଆପଣମାନେ ରଖିଛନ୍ତି । କିନ୍ତୁ ଆଜିର ଭାରତ ତ ସଂପୂର୍ଣ୍ଣ ଦଶନ୍ଧିର ଆକ୍ସନ ପ୍ଲାନକୁ ନେଇ କାର୍ଯ୍ୟ କରୁଛି  । ହଁ, ଏହା 20-20 ଭଳି ଏବଂ ଲକ୍ଷ୍ୟ, ସଂପୂର୍ଣ୍ଣ ସିରିଜରେ ଉତ୍ତମ ପ୍ରଦର୍ଶନର, ନୂତନ ରେକର୍ଡ କରିବାର ଏବଂ ଏହି ସିରିଜକୁ ଭାରତର ସିରିଜ କରିବାର ଅଛି । ବିଶ୍ୱର ସବୁଠାରୁ ଯୁବ ଦେଶ, ଏବେ ଦ୍ରୁତ ଗତିରେ ଖେଳିବା ମନୋବୃତ୍ତିରେ ଅଛି । କେବଳ 8 ମାସର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଶତକ ପୂରଣ କରିଛନ୍ତି, ତାହା ଅତ୍ୟନ୍ତ ଅଭୂତପୂର୍ବ । ଆପଣମାନଙ୍କୁ ଭଲ ଲାଗିବ, ଆପଣଙ୍କୁ ଗର୍ବ ଅନୁଭବ ହେବ ଯେ ଭାରତ କେତେ ଦ୍ରୁତ ଗତିରେ ନିଷ୍ପତ୍ତି ନେଇଛି, କେତେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି  ।

  • ଦେଶର ପ୍ରତ୍ୟେକ କୃଷକକୁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି
  • କୃଷକ, ଶ୍ରମିକ, ଦୋକାନୀମାନଙ୍କୁ ପେନସନ ପ୍ରଦାନ ଯୋଜନା କରାଯାଇଛି
  • ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସମସ୍ୟା ଦୂର କରିବା ପାଇଁ ଜଳଶକ୍ତି ମନ୍ତ୍ରଣାଳୟର ଗଠନ କରାଯାଇଛି
  • ମଧ୍ୟବିତ୍ତ ଲୋକମାନଙ୍କ ପାଇଁ ଅଧା ପଡିଥିବା ଗୃହକୁ ସଂପୂର୍ଣ୍ଣ କରିବା ପାଇଁ 25 ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି
  • ଦିଲ୍ଲୀର 40 ଲକ୍ଷ ଲୋକଙ୍କୁ ଘର ଉପରେ ଅଧିକାର ପାଇଁ ଆଇନ ପ୍ରଣୟନ କରାଯାଇଛି
  • ତିନି ତଲାକ ଆଇନ ଆସିଛି
  • ଶିଶୁ ନିର୍ଯାତନା ପ୍ରତିରୋଧ ପାଇଁ କଡା ନିୟମ ଅଣାଯାଇଛି

• ତୃତୀୟ ଲିଙ୍ଗଙ୍କୁ ଅଧିକାର ପ୍ରଦାନକାରୀ ଆଇନ ପ୍ରଣୟନ କରାଯାଇଛି

  • ଚିଟଫଣ୍ଡ ଠକାମିରରୁ ସୁରକ୍ଷା ପାଇଁ ଆଇନ ପ୍ରଣୟନ ହୋଇଛି
  • ରାଷ୍ଟ୍ରୀୟ ମେଡିକାଲ କମିଶନ ଆଇନ ପ୍ରଣୟନ ହୋଇଛି
  • କର୍ପୋରେଟ ଶୁଳ୍କ କ୍ଷେତ୍ରରେ ଐତିହାସିକ ହ୍ରାସ କରାଯାଇଛି
  • ସଡକ ଦୁର୍ଘଟଣା ରୋକିବା ପାଇଁ କଡା ଆଇନ ପ୍ରସ୍ତୁତ ହୋଇଛି
  • ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ ଗଠନ କରାଯାଇଛି
  • ଦେଶକୁ ଭବିଷ୍ୟ ପିଢିର ଯୁଦ୍ଧ ବିମାନ ମିଳିଛି  
  • ବୋଡୋ ଶାନ୍ତି ରାଜିନାମା ହୋଇଛି
  • ବ୍ରୁ-ରିଆଙ୍ଗ ସ୍ଥାୟୀ ଥଇଥାନ ହୋଇପାରିଛି
  • ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରାଯାଇଛି
  • ଧାରା-370କୁ ଉଚ୍ଛେଦ ନିଷ୍ପତ୍ତି ନିଆଯାଇଛି
  • ଜମ୍ମୁ-କଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ପ୍ରଦେଶ କରିବାର ନିଷ୍ପତ୍ତି ନିଆଯାଇଛି
  • ଏବଂ ନାଗରିକତା ସଂଶୋଧନ ଆଇନ ମଧ୍ୟ ପ୍ରଣୟନ କରାଯାଇଛି

ମୁଁ କେବେ କେବେ ଟାଇମ୍ସ ନାଓରେ ଦେଖେ, ନ୍ୟୁଜ 30, ଏତିକି ସମୟରେ ଏତେ ଖବର  । ଏହା ସେହିଭଳି ହୋଇଯାଇଛି ଏବଂ ଏହା କେବଳ ନମୂନା ମାତ୍ର  । ଏହି ନମୂନାରୁ ହିଁ ଆପଣମାନଙ୍କୁ ଲାଗୁଥିବ ଯେ ପ୍ରକୃତ କାର୍ଯ୍ୟ ଏହିଠାରୁ ହିଁ ଆରମ୍ଭ । ମୁଁ ନନ ଷ୍ଟପ ଏଭଳି ଅନେକ ନିଷ୍ପତ୍ତି ଆହୁରି ମଧ୍ୟ କହିପାରେ । କେବଳ ଶତକ ନୁହେଁ, ଦୁଇ ଶତକ ଲାଗିଯିବ । କିନ୍ତୁ ଏହି ନିଷ୍ପତ୍ତିଗୁଡିକ ଏଠାରେ ଆଲୋଚନା କରି ମୁଁ ଆପଣମାନଙ୍କୁ ଯାହା ବୁଝାଇବାକୁ ଚାହୁଁଛି ତାହା ମଧ୍ୟ ବୁଝିବା ଅତ୍ୟନ୍ତ ଜରୁରୀ ।

ବନ୍ଧୁଗଣ,

ଆଜି ଦେଶ ଦଶନ୍ଧି ପୁରୁଣା ସମସ୍ୟାଗୁଡିକର ସମାଧାନ କରି ଏକବିଂଶ ଶତାବ୍ଦୀରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ବିଶ୍ୱର ସବୁଠାରୁ ବଡ ଯୁବ ଦେଶକୁ ଯେତେ ଦ୍ରୁତ ଗତିରେ କାର୍ଯ୍ୟ କରିବା ଆବଶ୍ୟକ, ଆମେ ସେହିଭଳି ହିଁ କରୁଛୁ  । ଏବେ ଭାରତ ସମୟ ବ୍ୟର୍ଥ କରିବ ନାହିଁ  । ଏବେ ଭାରତ ଦ୍ରୁତ ଗତିରେ ଅଗ୍ରସର ହେବ ଏବଂ ନୂତନ ଆତ୍ମବିଶ୍ୱାସର ସହିତ ଆଗକୁ ଅଗ୍ରସର ହେବ  । ଦେଶରେ ହେଉଥିବା ଏହିସବୁ ପରିବର୍ତ୍ତନଗୁଡିକ, ସମାଜର ପ୍ରତ୍ୟେକ ସ୍ତରରେ ନୂତନ ଶକ୍ତିର ସଞ୍ଚାର କରିଛି, ତାହାକୁ ଆତ୍ମବିଶ୍ୱାସରେ ଭରପୂର କରିଦେଇଛି  ।

ଆଜି ଦେଶର ଗରିବଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଛି ଯେ, ସେମାନେ ନିଜ ଜୀବନ ସ୍ତରରେ ସୁଧାର ଆଣିପାରିବେ, ନିଜର ଆର୍ଥିକ ଅନଗ୍ରସରତାକୁ ଦୂର କରିପାରିବେ । ଆଜି ଦେଶର ପ୍ରତ୍ୟେକ ଯୁବକ ଯୁବତୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଛି ଯେ ସେମାନେ ନିଯୁକ୍ତିଦାତା ହୋଇପାରିବେ, ନିଜ ସାମର୍ଥ୍ୟ ଅନୁସାରେ ନୂତନ ଆହ୍ୱାନର ମୁକାବିଲା କରିପାରିବେ । ଆଜି ଦେଶର ମହିଳାମାନଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ରହିଛି ଯେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ସାମର୍ଥ୍ୟ ଦେଖାଇପାରିବେ, ନୂତନ କିର୍ତ୍ତୀମାନ ସୃଷ୍ଟି କରିପାରିବେ । ଆଜି ଦେଶର କୃଷକମାନଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ରହିଛି  ଯେ ସେମାନେ ଚାଷରେ ନିଜ ଆୟ ବୃଦ୍ଧି ପାଇଁ ଏହା ସହିତ ଜଡିତ ଅନ୍ୟ ବିକଳ୍ପଗୁଡିକ ଉପରେ କାମ କରିପାରିବେ । ଆଜି ଦେଶର ଉଦ୍ୟୋଗୀମାନଙ୍କ ମଧ୍ୟରେ, ବ୍ୟବସାୟୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଛି ଯେ ସେମାନେ ଏକ ଉତ୍ତମ ବ୍ୟବସାୟ ପରିବେଶରେ, ନିଜ ବ୍ୟବସାୟ କରିପାରିବେ, ନିଜ ବ୍ୟବସାୟ ବୃଦ୍ଧି କରିପାରିବେ  ।

ଆଜିର ଭାରତ, ଆଜିର ନ୍ୟୁ ଇଣ୍ଡିଆ ନିଜର ଅନେକ ସମସ୍ୟାକୁ ପଛରେ ପକାଇ ସାରିଛି  । ସ୍ଵାଧୀନତାର 70 ବର୍ଷ ପରେ ମଧ୍ୟ ଆମ ଦେଶରେ କୋଟି କୋଟି ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ସଂଯୁକ୍ତ ନଥିଲେ, ଘରମାନଙ୍କରେ ଶୌଚାଳୟ ନଥିଲା । ଏଭଳି ଅନେକ ସମସ୍ୟା ଥିଲା ଯାହାଦ୍ୱାରା ଦେଶର ଜନସାଧାରଣ ଏବଂ ଦେଶ ଘେରି ହୋଇ ରହିଥିଲା । ଏଭଳି ଅନେକ ସମସ୍ୟା ଏବେ ଦୂର ହୋଇପାରିଛି । ଆଗାମୀ 5 ବର୍ଷ ମଧ୍ୟରେ ଅର୍ଥବ୍ୟବସ୍ଥାକୁ 5 ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ବିସ୍ତୃତ କରିବା ଏବେ ଭାରତର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ, ଏତେ ସହଜ ନୁହେଁ, କିନ୍ତୁ ଏହା ମଧ୍ୟ ନୁହେଁ ଯେ ଏହାକୁ ପ୍ରାପ୍ତ ହିଁ କରିହେବ ନାହିଁ  ।

ବନ୍ଧୁଗଣ,

ଆଜି ଭାରତର ଅର୍ଥବ୍ୟବସ୍ଥା ପ୍ରାୟତଃ 3 ଟ୍ରିଲିୟନ ଡଲାର । ଏଠାରେ ଏତେ ସଚେତନ ଲୋକ ଅଛନ୍ତି । ମୁଁ ଆପଣଙ୍କୁ ଆଉ ଏକ ପ୍ରଶ୍ନ ପଚାରୁଛି । କଣ ଆପଣ କେବେ ଶୁଣିଥିଲେ ଯେ ଦେଶରେ କେବେ 3 ଟ୍ରିଲିୟନ ଡଲାର ଇକୋନୋମି ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା  । ନୁହେଁ ନା  । ଆମେ 70 ବର୍ଷ ମଧ୍ୟରେ 3 ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରିଛୁ  । ପୂର୍ବରୁ ନା କିଏ ପ୍ରଶ୍ନ କରିଥିଲେ ଯେ ଏତେ ସମୟ କାହିଁକି ଲାଗିଥିଲା ଏବଂ ନା ଏହାର ଉତ୍ତର କେହି ଦେଇଥିଲେ  । ଏବେ ଆମେ ଲକ୍ଷ୍ୟ ରଖିଛୁ, ପ୍ରଶ୍ନର ମଧ୍ୟ ସାମ୍ନା କରୁଛୁ ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରୁଛୁ  । ଏହା ହିଁ ପୂର୍ବ ସରକାର ଏବଂ ଆମ ସରକାରର କାର୍ଯ୍ୟ କରିବା ଶୈଳୀ ମଧ୍ୟରେ ପାର୍ଥକ୍ୟ । ଦିଶାହୀନ ଭାବେ ଆଗକୁ ଅଗ୍ରସର ହେବା ଅପେକ୍ଷା କଠିନ ଲକ୍ଷ୍ୟ ଧାର୍ଯ୍ୟ କରି ତାହାକୁ ହାସଲ କରିବାର ପ୍ରଚେଷ୍ଟା କରାଯାଉ । କିଛି ଦିନ ପୂର୍ବେ ଯେଉଁ ବଜେଟ ଆସିଛି, ତାହା ଦେଶକୁ ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ, 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ନିର୍ମାଣ କରିବାରେ ଆମକୁ ସହାୟକ ହେବ ।

ବନ୍ଧୁଗଣ,

ଏହି ଲକ୍ଷ୍ୟ ହାସଲ ପାଇଁ ଭାରତରେ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ଜରୁରୀ । ସେଥିପାଇଁ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ଇଲେକ୍ଟ୍ରୋନିକ, ମେଡିକାଲ ଉପକରଣ ଏବଂ ଟେକ୍ନୋଲୋଜି କ୍ଲଷ୍ଟର ନିର୍ମାଣ କରିବାର ନିଷ୍ପତ୍ତି ନିଆଯାଇଛି । ନ୍ୟାସନାଲ ଟେକ୍ନିକାଲ ଟେକ୍ସଟାଇଲ ମିଶନ ଦ୍ୱାରା ମଧ୍ୟ ଏହାକୁ ସହଯୋଗ ମିଳିବ । ଆମେ ଯାହା ରତ୍ପାନି କରିବୁ, ତାହାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ମଧ୍ୟ ନୀତିଗତ ନିଷ୍ପତ୍ତି ନିଆଯାଇଛି  ।

ବନ୍ଧୁଗଣ,

ମେକ ଇନ ଇଣ୍ଡିଆ, ଭାରତର ଅର୍ଥବ୍ୟବସ୍ଥାକୁ, ଦେଶର କ୍ଷୁଦ୍ରରୁ ଅତି କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେଉଛି । ଖାସକରି ଇଲେକ୍ଟ୍ରୋନିକ ଉତ୍ପାଦଗୁଡିକର ଉତ୍ପାଦନରେ ଭାରତ ଅଭୂତପୂର୍ବ ବିକାଶ ପ୍ରଦର୍ଶନ କରିଛି  । 2014ରେ ଦେଶରେ 1 ଲକ୍ଷ 90 ହଜାର କୋଟି ଟଙ୍କା ପାଇଁ ଇଲେକ୍ଟ୍ରୋନିକ ଉପକରଣଗୁଡିକର ନିର୍ମାଣ ହୋଇଥିଲା  । ପୂର୍ବ ବର୍ଷ ଏଥିରେ ବୃଦ୍ଧି ଘଟି 4 ଲକ୍ଷ 60 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି  । ଚିନ୍ତା କରନ୍ତୁ, 2014ରେ ଭାରତରେ ମୋବାଇଲ ପ୍ରସ୍ତୁତକାରୀ କେବଳ 2ଟି କଂପାନୀ ଥିଲା  । ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ନିର୍ମାତା ଦେଶ ଭାବେ ପରିଗଣିତ ହେଉଛି  ।

ବନ୍ଧୁଗଣ,

5 ଟ୍ରିଲିୟନ ଡଲାରର ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ଭିତ୍ତିଭୂମି ଉପରେ 100 ଟ୍ରିଲିୟନ ଡଲାରର ଲକ୍ଷ୍ୟ ହାସଲ କରିବା ପାଇଁ 100 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶରୁ ମଧ୍ୟ ଅନେକ ସାହାଯ୍ୟ ମିଳିବ  । ଦେଶରେ 6500ରୁ ଅଧିକ ପ୍ରକଳ୍ପଗୁଡିକ ଉପରେ ଜାରି ଥିବା କାର୍ଯ୍ୟ, ନିଜର ଆଖପାଖ ଅଞ୍ଚଳରେ ଅର୍ଥବ୍ୟବସ୍ଥାକୁ ଗତି ପ୍ରଦାନ କରିବ  । ଏହି ପ୍ରଚେଷ୍ଟାଗୁଡିକ ମଧ୍ୟରେ ଏହା ମଧ୍ୟ କହିହେବ ଯେ ଭାରତ ଭଳି ବିକାଶଶୀଳ ଅର୍ଥନୈତିକ ଦେଶ ସମ୍ମୁଖରେ ଆହ୍ୱାନ ମଧ୍ୟ ଅଧିକ ଥାଏ । ଉତ୍ଥାନ-ପତ୍ତନ ହୋଇଥାଏ ଏବଂ ବୈଶ୍ୱିକ ସ୍ଥିତିର ପ୍ରଭାବର ମଧ୍ୟ ଅଧିକରୁ ଅଧିକ ସମ୍ମୁଖୀନ ହେବାକୁ ପଡିଥାଏ  । ଭାରତ ସର୍ବଦା ଏହିଭଳି ପରିସ୍ଥିତିର ମୁକାବିଲା କରିଥାଏ ଏବଂ ଆଗକୁ ମଧ୍ୟ କରିବ । ଆମେ ପରିସ୍ଥିତିରେ ଉନ୍ନତି ଆଣୁଛୁ, ନିରନ୍ତର ଭାବେ ନିଷ୍ପତ୍ତି ନେଉଛୁ  । ବଜେଟ ପରେ ଅର୍ଥମନ୍ତ୍ରୀ ନିର୍ମଳା ଜୀ, କ୍ରମାଗତ ଭାବେ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ସାକ୍ଷାତ କରୁଛନ୍ତି  । ଏହା ଏଥିପାଇଁ କରାଯାଉଛି, କାରଣ ଆମେ ସମସ୍ତଙ୍କ ମତକୁ ସମ୍ମାନ ଦେଇ, ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଅଗ୍ରସର ହେଉଛୁ  ।

ବନ୍ଧୁଗଣ,

ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାର ପ୍ରଚେଷ୍ଟା ସହିତ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଦେଶରେ ଅର୍ଥନୈତିକ କାର୍ଯ୍ୟ କଳାପର ନୂତନ ବିକାଶଶୀଳ କେନ୍ଦ୍ର । ଏହି ନୂତନ କେନ୍ଦ୍ର ଗୁଡିକ କଣ ? ଏହି କେନ୍ଦ୍ରଗୁଡିକ ହେଉଛି ଆମର ଛୋଟ ଛୋଟ ସହର, ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ । ସବୁଠାରୁ ଅଧିକ ଗରିବ ଲୋକ ଏହି ସହରରେ ଅଛନ୍ତି, ସବୁଠାରୁ ଅଧିକ ମଧ୍ୟବିତ୍ତ ଲୋକମାନେ ମଧ୍ୟ ଏହିଠାରେ ବାସ କରନ୍ତି  । ବର୍ତ୍ତମାନ ଦେଶର ଅଧାରୁ ଅଧିକ ଡିଜିଟାଲ ନେଣ ଦେଣ ଛୋଟ ସହରମାନଙ୍କରେ ହେଉଛି । ଆଜି ଦେଶରେ ଯେତିକି ଷ୍ଟାର୍ଟଅପ ପଞ୍ଜିକୃତ ହେଉଛନ୍ତି,  ସେଥିମଧ୍ୟରୁ ଅଧା ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରରେ ହେଉଛନ୍ତି । ପ୍ରଥମ ଥର ପାଇଁ କୌଣସି ସରକାର ଛୋଟ ସହରଗୁଡିକର ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି । ଆଜି ଛୋଟ ସହରଗୁଡିକର ବଡ ସ୍ୱପ୍ନକୁ ନୂତନ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେ ଶୀର୍ଷରେ ପହଞ୍ଚାଇପାରିଛି । ଉଡାନ ଅଧୀନରେ ନିର୍ମାଣାଧୀନ ନୂତନ ବିମାନ ବନ୍ଦର, ନୂତନ ବିମାନ ମାର୍ଗ  ଏବଂ ଏହାର ସଂଯୋଗୀକରଣ କରାଯାଉଛି । ଶହ ଶହ ସଂଖ୍ୟାରେ ଏହି ସହରଗୁଡିକରେ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି  ।

ବନ୍ଧୁଗଣ,

5 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଶୂନ୍ୟ ଶୁଳ୍କର ଲାଭ ମଧ୍ୟ ଛୋଟ ସହରଗୁଡିକୁ ସବୁଠାରୁ ଅଧିକ ହେଇଛି  । ଏମଏସଏମଇଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ନିଷ୍ପତ୍ତି ଆମେ କରିଛୁ ତାହାର ଲାଭ ମଧ୍ୟ ଏହି ସହରଗୁଡିକର ଉଦ୍ୟୋଗୀମାନଙ୍କୁ ସବୁଠାରୁ ଅଧିକ ହୋଇଛି । ଏବେ ବଜେଟରେ ସରକାର ଯେଉଁ ନୂତନ ମେଡିକାଲ ଭିତ୍ତିଭୂମି ସଂପର୍କରେ ଘୋଷଣା କରିଛନ୍ତି, ତାହାଦ୍ୱାରା ସବୁଠାରୁ ଅଧିକ ଲାଭ ଛୋଟ ସହରଗୁଡିକର ହିଁ ହେବ  ।

ବନ୍ଧୁଗଣ,

ଆମ ଦେଶରେ ଆଉ ଏକ କ୍ଷେତ୍ର ରହିଛି ଯାହାକୁ ସରକାର ପ୍ରାରମ୍ଭ କରିବା କ୍ଷେତ୍ରରେ ଅନିଚ୍ଛା ପ୍ରକାଶ କରୁଥିଲେ  । ଏହା ହେଉଛି ଟିକସ ବ୍ୟବସ୍ଥା  । ବର୍ଷ ବର୍ଷ ଧରି ଏଥିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଏ ପର୍ଯ୍ୟନ୍ତ ଆମର ଟିକସ ଢାଞ୍ଚା ବ୍ୟବସ୍ଥାକେନ୍ଦ୍ରିତ ରହିଥିଲା । ଏବେ ତାହାକୁ ଲୋକାଭୀମୁଖୀ କରାଯାଉଛି । ଟିକସ/ଜିଡିପି ଅନୁପାତରେ ବୃଦ୍ଧି ସହିତ ଜନସାଧାରଣଙ୍କ ଉପରେ ଟିକସର ବୋଝ ହ୍ରାସ କରିବା ଆମର ପ୍ରଚେଷ୍ଟା । ଜିଏସଟି, ଆୟକର ଏବଂ କର୍ପୋରେଟ ଟିକସ, ପ୍ରତ୍ୟେକ କ୍ଷେତ୍ରରେ ଆମ ସରକାର ଟିକସରେ ହ୍ରାସ କରିଛନ୍ତି । ପ୍ରଥମେ ବସ୍ତୁ ଏବଂ ସେବା ଉପରେ ହାରାହାରି ଟିକସ 14.4 ପ୍ରତିଶତ ଥିଲା, ଯାହା ଏବେ ହ୍ରାସ ପାଇ 11.8 ପ୍ରତିଶତ ହୋଇଛି । ଏହି ବଜେଟରେ ଆୟ କର ସ୍ଲାବକୁ ନେଇ ଏକ ବଡ ଘୋଷଣା କରାଯାଇଛି । ପୂର୍ବରୁ ଟିକସରେ ରିହାତି ପାଇଁ କିଛି ଧାର୍ଯ୍ୟ ନିବେଶ ଆବଶ୍ୟକ ଥିଲା । ଏବେ ଆପଣମାନଙ୍କୁ ଏକ ବିକଳ୍ପ ଦିଆଯାଇଛି  ।

ବନ୍ଧୁଗଣ,

ବେଳେ ବେଳେ ଦେଶର ନାଗରିକମାନଙ୍କୁ ଟିକସ ପ୍ରଦାନ କରିବାରେ ଏତେ ଅସୁବିଧା ହୁଏନାହିଁ କିନ୍ତୁ ବେଶୀ ଅସୁବିଧା ଏହି ପ୍ରକ୍ରିୟା ଏବଂ ପ୍ରକ୍ରିୟାର ପାଳନ କରୁଥିବା ଲୋକମାନଙ୍କଠାରୁ ହୋଇଥାଏ । ଆମେ ଏହାର ମଧ୍ୟ ରାସ୍ତା ବାହାର କରିଛୁ । ଫେସଲେସ ଆସେସମେଣ୍ଟ ପରେ ଏହି ବଜେଟରେ ଫେସଲେସ ଅପିଲର ମଧ୍ୟ ଘୋଷଣା କରାଯାଇଛି । ଟିକସ ଆକଳନକାରୀଙ୍କୁ ଏବେ ଏହା ଜଣାପଡିବ ନାହିଁ ଯେ ସେ କାହାର ଟିକସ ଆକଳନ କରୁଛନ୍ତି, ଏବଂ ସଂପୃକ୍ତ ବ୍ୟକ୍ତି କେଉଁ ସହରର ବୋଲି  । କେବଳ ଏତିକି ନୁହେଁ, ଯାହାର ଟିକସ ଆକଳନ ହେବାକୁ ଥିବ, ତାଙ୍କୁ ମଧ୍ୟ ଜଣାନଥିବ ଯେ ଆକଳନକାରୀ ଅଧିକାରୀ କିଏ ? ଅର୍ଥାତ ଖେଳର ସବୁ ସୁଯୋଗ ବନ୍ଦ ।

ବନ୍ଧୁଗଣ,

ପ୍ରାୟତଃ ସରକାରଙ୍କ ଏହି ପ୍ରଚେଷ୍ଟା ମୁଖ୍ୟ ସମାଚାର ହୋଇପାରେନାହିଁ କିନ୍ତୁ ଆଜି ଆମେ ବିଶ୍ୱର କିଛି ହାତଗଣତି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ, ଯେଉଁଠି ଟିକସଦାତାଙ୍କର ଅଧିକାରକୁ ସ୍ପଷ୍ଟତା ସହିତ ସୂଚିତ କରୁଥିବା ଟିକସଦାତା ଚାର୍ଟର ମଧ୍ୟ ଲାଗୁ ହେବ  । ଏବେ ଭାରତରେ ଟିକସକୁ ନେଇ ଉତ୍ପୀଡନ ଅତୀତ ହୋଇସାରିଛି । ଆଧୁନିକ ଜ୍ଞାନକୌଶଳ ସହଯୋଗରେ ଏବେ ଦେଶ ଟିକସ ପ୍ରୋତ୍ସାହନ ଦିଗରେ ଆଗକୁ ଅଗ୍ରସର ହେଉଛି  ।

ବନ୍ଧୁଗଣ,

ସରକାରଙ୍କ ଦ୍ୱାରା ଦେଶକୁ ଟିକସ ଅନୁପାଳନକାରୀ ସମାଜ ଗଠନ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା କରାଯାଉଛି  । ବିଗତ 4-5 ବର୍ଷ ମଧ୍ୟରେ ଦେଶ ଏହି କ୍ଷେତ୍ରରେ ଅନେକ ପ୍ରଗତି କରିଛି କିନ୍ତୁ ଆହୁରି ଅଧିକ ରାସ୍ତା ଯିବାକୁ ବାକି ରହିଛି । ମୁଁ ଆପଣଙ୍କ ସମ୍ମୁଖରେ କିଛି ପରିସଂଖ୍ୟାନର ସହିତ ନିଜ ମତ ରଖିବାକୁ ଚାହୁଁଛି  ।

ବନ୍ଧୁଗଣ,

ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଦେଢ କୋଟିରୁ ଅଧିକ ମୋଟର କାର ବିକ୍ରୀ ହୋଇଛି । 3 କୋଟିରୁ ଅଧିକ ଭାରତୀୟ, ବ୍ୟବସାୟ କାର୍ଯ୍ୟରେ ଅବା ବୁଲିବା ପାଇଁ ବିଦେଶ ଯାତ୍ରା କରିଛନ୍ତି  । କିନ୍ତୁ ସ୍ଥିତି ଏହିଭଳି ରହିଛି ଯେ 130 କୋଟିରୁ ଅଧିକ ଆମ ଦେଶରେ କେବଳ ଦେଢ କୋଟି ଲୋକ ହିଁ ଆୟ କର ପ୍ରଦାନ କରୁଛନ୍ତି । ଏଥିମଧ୍ୟରୁ ପ୍ରତିବର୍ଷ 50 ଲକ୍ଷ ଟଙ୍କାରୁ ଅଧିକ ଆୟ ଘୋଷିତ କରୁଥିବା ଲୋକମାନଙ୍କ ସଂଖ୍ୟା ପ୍ରାୟତଃ 3 ଲକ୍ଷ ରହିଛି । ଆପଣମାନଙ୍କୁ ଆଉ ଏକ ସୂଚନା ଦେଉଛି । ଆମ ଦେଶରେ ବଡ ବଡ ଡାକ୍ତର ଅଛନ୍ତି, ଓକିଲ ଅଛନ୍ତି, ଚାଟାର୍ଡ ଆକାଉଣ୍ଟାଟ ଅଛନ୍ତି, ଅନେକ ପେସାଦାର ଅଛନ୍ତି, ଯେଉଁମାନେ ନିଜ ନିଜ ବୃତ୍ତିଗତ ସ୍ତରରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ଦେଶର ସେବା କରୁଛନ୍ତି । ମାତ୍ର ଏହା ମଧ୍ୟ ଏକ ସତ୍ୟ ଯେ ଦେଶରେ କେବଳ 2200 ପେସାଦାର ନିଜର ବାର୍ଷିକ ଆୟ ଏକ କୋଟିରୁ ଅଧିକ ଘୋଷଣା କରନ୍ତି । ସାରା ଦେଶରେ ମାତ୍ର 2200 ପେସାଦାର !!!

ବନ୍ଧୁଗଣ,

ଯେତେବେଳେ ଆମେ ଦେଖୁଛୁ ଯେ ଲୋକମାନେ ବୁଲିବାକୁ ଯାଉଛନ୍ତି, ନିଜ ପସନ୍ଦର ଗାଡି କିଣୁଛନ୍ତି ସେତେବେଳେ ବହୁତ ଖୁସି ଲାଗେ । କିନ୍ତୁ ଟିକସ ଦେବାବେଳେ ଯଦି ସଂଖ୍ୟାକୁ ଦେଖାଯାଏ ତେବେ ଚିନ୍ତା ବଢିଯାଏ । ଏହା ମଧ୍ୟ ଦେଶର ଏକ ନିରାଟ ସତ୍ୟ । ଯେତେବେଳେ ବହୁ ସଂଖ୍ୟାରେ ଲୋକମାନେ ଟିକସ ଦିଅନ୍ତି ନାହିଁ, ଟିକସ ନ ଦେବା ପାଇଁ ବିଭିନ୍ନ ବାହାନା ଖୋଜିଥାନ୍ତି, ତାହାର ବୋଝ ସେହି ଲୋକମାନଙ୍କ ଉପରେ ପଡିଥାଏ, ଯେଉଁମାନେ ସଚ୍ଚୋଟତାର ସହ ଟିକସ ପଇଠ କରିଥାନ୍ତି । ସେଥିପାଇଁ, ମୁଁ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଏହି ବିଷୟରେ ଆତ୍ମସମୀକ୍ଷା କରିବାକୁ ଅନୁରୋଧ କରୁଛି  । ତାଙ୍କୁ କଣ ଏହି ସ୍ଥିତି ସ୍ୱୀକାରଯୋଗ୍ୟ ଲାଗୁଛି ? ଆଜି ବ୍ୟକ୍ତିଗତ ଆୟ କର ହେଉ ଅବା କର୍ପୋରେଟ ଆୟ କର, ଭାରତ ସେହି ହାତଗଣତି ଦେଶଗୁଡିକ ମଧ୍ୟରୁ ଅନ୍ୟତମ ଯେଉଁଠାରେ କମ ଟିକସ ଆଦାୟ କରାଯାଏ । ଏବେ କୁହନ୍ତୁ, ଆପଣମାନଙ୍କୁ ମୁଁ ଯେଉଁ ଅସମାନତା ବିଷୟରେ କହିଲି ତାହା କଣ ଦୂର ହେବା ଉଚିତ ନୁହେଁ ?

ବନ୍ଧୁଗଣ,

ସରକାରଙ୍କୁ ଯେଉଁ ଟିକସ ମିଳେ, ତାହା ଦେଶରେ ଜନ କଲ୍ୟାଣ ଯୋଜନାଗୁଡିକରେ କାମରେ ଲାଗିଥାଏ, ଭିତ୍ତିଭୂମିରେ ସୁଧାର ଆଣିବା କ୍ଷେତ୍ରରେ କାମରେ ଲାଗିଥାଏ  । ଟିକସର ଏହି ଅର୍ଥରୁ ଦେଶରେ ନୂତନ ବିମାନବନ୍ଦର ନିର୍ମାଣ ହୋଇଥାଏ, ନୂତନ ଜାତୀୟ ରାଜପଥ ନିର୍ମାଣ ହୋଇଥାଏ, ମେଟ୍ରୋର କାର୍ଯ୍ୟ ହୋଇଥାଏ । ଗରିବଙ୍କୁ ବିନା ମୂଲ୍ୟରେ ଗ୍ୟାସ ସଂଯୋଗ, ମାଗଣା ବିଜୁଳି ସଂଯୋଗ, ଶସ୍ତା ରାସନ, ଗ୍ୟାସ ସବସିଡି, ପେଟ୍ରୋଲ ଡିଜେଲରେ ସବସିଡି, ବୃତ୍ତି, ଏତେସବୁ ସରକାର ସେଥିପାଇଁ କରିପାରୁଛି, କାରଣ ଦେଶର କିଛି ଦାୟିତ୍ୱବାନ ନାଗରିକ, ସଂପୂର୍ଣ୍ଣ ସଚ୍ଚୋଟତାର ସହ ଟିକସ ପଇଠ କରିଥାନ୍ତି । ସେଥିପାଇଁ, ଆବଶ୍ୟକ ଯେ ଦେଶକୁ ସେହି ପ୍ରତ୍ୟେକ ବ୍ୟକ୍ତି, ଯାହାଙ୍କୁ ଦେଶ, ସମାଜ ଏସବୁ ପ୍ରଦାନ କରିଛି ସେ ନିଜର କର୍ତ୍ତବ୍ୟ ନିଷ୍ଠାପର ଭାବେ ପାଳନ କରନ୍ତୁ  । ତାଙ୍କ ଆୟ ଅନୁସାରେ ସେମାନେ ଯଦି ଟିକସ ପଇଠ କରିବା ପାଇଁ ସକ୍ଷମ ତାହେଲେ ସେମାନେ ସଚ୍ଚୋଟତାର ସହ ଟିକସ ପଇଠ କରିବା ଆବଶ୍ୟକ । ମୁଁ ଆଜି ଟାଇମ୍ସ ନାଓ ମଞ୍ଚରୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ଦେଶ ପାଇଁ ନିଜ ଜୀବନ ସମର୍ପଣ କରୁଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କରି ଶପଥ ନିଅନ୍ତୁ, ସଂକଳ୍ପ ନିଅନ୍ତୁ । ସେହି ଲୋକମାନଙ୍କୁ ସ୍ମରଣ କରନ୍ତୁ ଯେଉଁମାନେ ଦେଶକୁ ସ୍ୱାଧୀନତା ପ୍ରଦାନ କରିବା କ୍ଷେତ୍ରରେ ନିଜର ପ୍ରାଣବଳି ଦେଇଛନ୍ତି । ଦେଶର ସେହି ମହାନ ବୀର ପୁତ୍ର-କନ୍ୟାଙ୍କୁ ସ୍ମରଣ କରି, ଏହା ସଂକଳ୍ପ ନିଅନ୍ତୁ ଯେ ସେମାନେ ସଚ୍ଚୋଟତାର ସହ ଯେତିକି ଟିକସ ତାଙ୍କ ପାଇଁ ପଇଠ କରିବା ଦରକାର, ତାହା ସେମାନେ ପଇଠ କରନ୍ତୁ ।

2022 ରେ ସ୍ୱାଧୀନତାର 75 ବର୍ଷ ହେବାକୁ ଯାଉଛି  । ନିଜ ସଂକଳ୍ପଗୁଡିକୁ ଏହି ମହାନ ପର୍ବ ସହିତ ସଂଯୋଗ କରନ୍ତୁ, ନିଜ କର୍ତ୍ତବ୍ୟକୁ ଏହି ମହାନ ଅବସର ସହିତ ଯୋଡନ୍ତୁ  । ମୋର ଗଣମାଧ୍ୟମକୁ ଏହା ଅନୁରୋଧ । ସ୍ୱତନ୍ତ୍ର ଭାରତର ନିର୍ମାଣ କ୍ଷେତ୍ରରେ ଗଣମାଧ୍ୟମର ବହୁତ ବଡ ଭୂମିକା ରହିଛି । ଏବେ ସମୃଦ୍ଧ ଭାରତର ନିର୍ମାଣରେ ମଧ୍ୟ ଗଣମାଧ୍ୟମକୁ ମଧ୍ୟ ନିଜର ଭୂମିକା ବିସ୍ତୃତ କରିବାର ଆବଶ୍ୟକତା ରହିଛି । ଯେଭଳି ଭାବେ ଗଣମାଧ୍ୟମ ସ୍ୱଚ୍ଛ ଭାରତ, ସିଙ୍ଗଲ ବ୍ୟବହାର ପ୍ଲାଷ୍ଟିକ ଉପରେ ସଚେତନତା ଅଭିଯାନ ଜାରି ରଖିଥିଲେ, ସେହିଭଳି ଦେଶର ଆହ୍ୱାନ, ଆବଶ୍ୟକତା ବିଷୟରେ ମଧ୍ୟ ନିରନ୍ତର ଅଭିଯାନ ଜାରି ରଖିବା ଆବଶ୍ୟକ । ଆପଣମାନଙ୍କୁ ସରକାରଙ୍କ ସମାଲୋଚନା କରିବାର ଅଛି, ଆମ ଯୋଜନାଗୁଡିକରେ ଭୁଲ ବାହାର କରିବାର ଅଛି, ତେବେ ଖୋଲାଖୋଲି ଭାବେ କରନ୍ତୁ, ତାହା ମୋ ପାଇଁ ବ୍ୟକ୍ତିଗତ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମତାମତ ହୋଇଥାଏ, କିନ୍ତୁ ଦେଶର ଜନସାଧାରଣଙ୍କୁ ନିରନ୍ତର ସଚେତନ ମଧ୍ୟ କରୁଥାନ୍ତୁ, ସଚେତନତା, କେବଳ ଖବର ଦ୍ୱାରା ନୁହେଁ ବରଂ ଦେଶକୁ ଦିଗ ପ୍ରଦାନ କରିବା ଭଳି ବିଷୟଗୁଡିକରେ ମଧ୍ୟ  ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବା କ୍ଷେତ୍ରରେ ବହୁତ ବଡ ଭୂମିକା ରହିଛି, ନିଜ ନିଜ କର୍ତ୍ତବ୍ୟ ପାଳନ କରିବାର । ଜଣେ ନାଗରିକ ଭାବେ ଦେଶ ଆମଠାରୁ ଯେଉଁ କର୍ତ୍ତବ୍ୟ ପାଳନ କରିବା ପାଇଁ ଆକାଂକ୍ଷା ରଖିଥାଏ, ତାହା ଯେତେବେଳେ ପୂରା ହୋଇଥାଏ, ସେତେବେଳେ ଦେଶକୁ ମଧ୍ୟ ନୂତନ ଶିଖରକୁ ନେଇଯିବ । ଏହି ଦଶନ୍ଧି ଭାରତର ଷ୍ଟାର୍ଟଅପର ହେବାକୁ ଯାଉଛି  । ଏହି ଦଶନ୍ଧି ଭାରତର ବୈଶ୍ୱିକ ନେତୃତ୍ୱର ହେବାକୁ ଯାଉଛି । ଏହି ଦଶନ୍ଧି ଭାରତରେ ଶିଳ୍ପ 4.0 ସୁଦୃଢ ନେଟୱାର୍କର ହେବାକୁ ଯାଉଛି । ଏହି ଦଶନ୍ଧି, ପାରମ୍ପରିକ ଶକ୍ତି ଉତ୍ସ ଦ୍ୱାରା ଚାଲିବାକୁ ଥିବା ଭାରତର ହେବାକୁ ଯାଉଛି । ଏହି ଦଶନ୍ଧି ଜଳ ସଞ୍ଚୟ ଏବଂ ଜଳ ପ୍ରବଳତାର ଭାରତ ହେବାକୁ ଯାଉଛି । ଏହି ଦଶନ୍ଧି ଭାରତର ଛୋଟ ସହରଗୁଡିକର ହେବାକୁ ଯାଉଛି, ଆମ ଗ୍ରାମାଂଚଳର ହେବାକୁ ଯାଉଛି । ଏହି ଦଶନ୍ଧି 130 କୋଟି ସ୍ୱପ୍ନ, ଆକାଂକ୍ଷାର । ମୋର ବିଶ୍ୱାସ ଯେ ଏହି ଦଶନ୍ଧିକୁ ଭାରତର ଦଶନ୍ଧି କରିବା ପାଇଁ ଅନେକ ମତାମତ ଟାଇମ୍ସ ନାଓର ପ୍ରଥମ ସମ୍ମିଳନୀରୁ ବାହାରିବ ଏବଂ ଆଲୋଚନା  ଓ ମତାମତର ସହିତ, କିଛି କଥା କର୍ତ୍ତବ୍ୟ ଉପରେ ମଧ୍ୟ ହେବ  ।

ଆପଣମାନଙ୍କୁ ପୁନର୍ବାର ବହୁତ ଶୁଭକାମନା ।

ବହୁତ-ବହୁତ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"