ଗୋଷ୍ଠୀ ମଧ୍ୟସ୍ଥତା ତାଲିମ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ, ସମୟାନୁସାରେ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ପାଖରେ ସେମାନଙ୍କର ସାମାଜିକ କିମ୍ବା ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଏହା ପହଞ୍ଚିଥାଏ, ସେତେବେଳେ ଏହା ପ୍ରକୃତରେ ସାମାଜିକ ନ୍ୟାୟର ମୂଳଦୁଆ ହୋଇଯାଏ : ପ୍ରଧାନମନ୍ତ୍ରୀ
ବ୍ୟବସାୟ କରିବାର ସହଜତା ଏବଂ ଜୀବନଯାପନର ସୁଗମତା ପ୍ରକୃତରେ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ନ୍ୟାୟର ସହଜତା ମଧ୍ୟ ସୁନିଶ୍ଚିତ ହୁଏ ; ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ନ୍ୟାୟର ସହଜତାକୁ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଏବଂ ଆଗକୁ ବଢ଼ିବା ସହିତ, ଆମେ ଏହି ଦିଗରେ ପ୍ରୟାସକୁ ତ୍ୱରାନ୍ୱିତ କରିବୁ : ପ୍ରଧାନମନ୍ତ୍ରୀ
ମଧ୍ୟସ୍ଥତା ସର୍ବଦା ଆମର ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି ; ନୂତନ ମଧ୍ୟସ୍ଥତା ଆଇନ ଏହି ପରମ୍ପରାକୁ ଆଗକୁ ବଢ଼ାଉଛି, ଏହାକୁ ଏକ ଆଧୁନିକ ରୂପ ଦେଉଛି : ପ୍ରଧାନମନ୍ତ୍ରୀ
ଆଜି ପ୍ରଯୁକ୍ତି ବିଦ୍ୟା ଅନ୍ତର୍ଭୁକ୍ତି ଏବଂ ସଶକ୍ତୀକରଣ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ମୁଣ୍ଡ ଟେକିଛି ; ନ୍ୟାୟ ପ୍ରଦାନରେ ଇ-କୋର୍ଟସ୍ ପ୍ରକଳ୍ପ ଏହି ପରିବର୍ତ୍ତନର ଏକ ଉଲ୍ଲେଖନୀୟ ଉଦାହରଣ ଭାବରେ ପ୍ରତୀୟମାନ ହୋଇଛି : ପ୍ରଧାନମନ୍ତ୍ରୀ
ଯେତେବେଳେ ଲୋକମାନେ ନିଜ ଭାଷାରେ ଆଇନକୁ ବୁଝନ୍ତି, ଏହା ଉତ୍ତମ ଅନୁପାଳନ ଆଡ଼କୁ ନେଇଯାଏ ଏବଂ ମାମଲାକୁ ହ୍ରାସ କରେ ; ସ୍ଥାନୀୟ ଭାଷାରେ ବିଚାର ଏବଂ ଆଇନଗତ ଦଲିଲ ଉପଲବ୍ଧ ହେବା ସମାନ ଭାବରେ ଜରୁରୀ : ପ୍ରଧାନମନ୍ତ୍ରୀ

ଭାରତର ପ୍ରଧାନ ବିଚାରପତି ଶ୍ରୀ ବି. ଆର. ଗାଭାଇ ଜୀ, ବିଚାରପତି ସୂର୍ଯ୍ୟକାନ୍ତ ଜୀ, ବିଚାରପତି ବିକ୍ରମ ନାଥ ଜୀ, କେନ୍ଦ୍ରରେ ମୋର ସହକର୍ମୀ ଅର୍ଜୁନ ରାମ ମେଘୱାଲ ଜୀ, ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟଗଣ୍ୟ ବିଚାରପତିଗଣ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଗଣ,  ମହିଳା ଓ ଭଦ୍ରବ୍ୟକ୍ତିମାନେ,

ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର କଥା। ଆଇନ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆଇନ ସେବା ଦିବସ ସହିତ ଜଡ଼ିତ ଏହି କାର୍ଯ୍ୟକ୍ରମ, ଆମର ନ୍ୟାୟିକ ବ୍ୟବସ୍ଥାକୁ ନୂତନ ଶକ୍ତି ପ୍ରଦାନ କରିବ। ୨୦ତମ ଜାତୀୟ ସମ୍ମିଳନୀ ପାଇଁ ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ମୋତେ କୁହାଯାଇଛି ଯେ, ଆପଣମାନେ ଆଜି ସକାଳୁ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି, ତେଣୁ ମୁଁ ଆପଣଙ୍କର ଅଧିକ ସମୟ ନେବି ନାହିଁ। ମୁଁ ଏଠାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି, ନ୍ୟାୟପାଳିକାର ସଦସ୍ୟମାନଙ୍କୁ ଏବଂ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଥାଏ, ସମୟୋଚିତ ହୋଇଥାଏ, ଯେତେବେଳେ ନ୍ୟାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ, ସେମାନଙ୍କର ସାମାଜିକ କିମ୍ବା ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ, ସେତେବେଳେ ହିଁ ଏହା ସାମାଜିକ ନ୍ୟାୟର ମୂଳଦୁଆ ହୋଇଥାଏ।  ନ୍ୟାୟ ସମସ୍ତଙ୍କ ପାଇଁ ସୁଲଭ ହେବା ସୁନିଶ୍ଚିତ କରିବାରେ ‘ଆଇନଗତ ସହାୟତା’  ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ| ଜାତୀୟ ସ୍ତର ଠାରୁ ଆରମ୍ଭ କରି ବିଧାନସଭା ସ୍ତର ପର୍ଯ୍ୟନ୍ତ, ଆଇନ ସେବା କର୍ତ୍ତୃପକ୍ଷ ନ୍ୟାୟପାଳିକା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିଥାନ୍ତି। ମୁଁ ଖୁସି ଯେ ଆଜି ଲୋକେ  ଅଦାଲତ ଏବଂ ମକଦ୍ଦମା ପୂର୍ବର ସମାଧାନ ମାଧ୍ୟମରେ ଲକ୍ଷ ଲକ୍ଷ ବିବାଦର ଶୀଘ୍ର, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ କମ୍ ଖର୍ଚ୍ଚରେ ସମାଧାନ କରିପାରୁଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆଇନ ସହାୟତା ପ୍ରତିରକ୍ଷା ପରିଷଦ ବ୍ୟବସ୍ଥା ଅଧୀନରେ ମାତ୍ର ତିନି ବର୍ଷ ମଧ୍ୟରେ ପ୍ରାୟ ୮ ଲକ୍ଷ ଅପରାଧିକ ମାମଲାର ସମାଧାନ କରାଯାଇଛି। ସରକାରଙ୍କ ଏହି ପ୍ରୟାସ ଦ୍ୱାରା ଦେଶର ଗରିବ-ଦଳିତ-ପୀଡିତ-ଶୋଷିତ-ବଞ୍ଚିତ ଲୋକମାନଙ୍କ ପାଇଁ ନ୍ୟାୟ ସହଜ ହୋଇପାରିଛି।

 

ବନ୍ଧୁଗଣ,

ବିଗତ ୧୧ ବର୍ଷ ଧରି ଆମର ଧ୍ୟାନ ନିରନ୍ତର ଭାବେ ଏବଂ ଦୃଢ଼ତାର ସହ ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନଯାପନ ଉପରେ ରହିଛି ଏବଂ ଆମେ ବିଭିନ୍ନ ପଦକ୍ଷେପ ନେଉଛୁ। ବ୍ୟବସାୟ ପାଇଁ ୪୦ ହଜାରରୁ ଅଧିକ ଅନାବଶ୍ୟକ ଅନୁପାଳନକୁ ହଟାଇ ଦିଆଯାଇଛି। ଜନ ବିଶ୍ୱାସ ଅଧିନିୟମ ମାଧ୍ୟମରେ ୩,୪୦୦ ରୁ ଅଧିକ ଆଇନଗତ ଧାରାକୁ ଅପରାଧମୁକ୍ତ କରାଯାଇଛି। ୧,୫୦୦ରୁ ଅଧିକ ଅପ୍ରାସଙ୍ଗିକ ଏବଂ ପୁରୁଣା ଆଇନକୁ ରଦ୍ଦ କରିଦିଆଯାଇଛି। ଦଶନ୍ଧି ଦଶନ୍ଧି ଧରି ପ୍ରଚଳିତ ଥିବା ପୁରୁଣା ଆଇନ ଏବେ ଭାରତୀୟ ନ୍ୟାୟ ସଂହିତା ଦ୍ୱାରା ପରିବର୍ତ୍ତନ କରାଯାଇଛି ।

 

 ଏବଂ ବନ୍ଧୁଗଣ,

ଯେପରି ମୁଁ ପୂର୍ବରୁ କହିଥିଲି, ବ୍ୟବସାୟିକ ସୁଗମତା ଏବଂ ଜୀବନଧାରଣରେ ସୁଗମତା ସେତେବେଳେ ସମ୍ଭବ ହେବ, ଯେତେବେଳେ ନ୍ୟାୟିକ ସୁଗମତା ମଧ୍ୟ ସୁନିଶ୍ଚିତ ହେବ। ଗତ କିଛି ବର୍ଷ ମଧ୍ୟରେ ନ୍ୟାୟର ସହଜତାକୁ ବୃଦ୍ଧି କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ଏବଂ ଆଗକୁ ଯାଇ, ଆମେ ଏହି ଦିଗରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବୁ।

 

ବନ୍ଧୁଗଣ,

ଚଳିତ ବର୍ଷ ଜାତୀୟ ଆଇନ ସେବା ପ୍ରାଧିକରଣ ଏନଏଏଲଏସଏର ୩୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ତିନି ଦଶନ୍ଧି ମଧ୍ୟରେ ଏନଏଏଲଏସଏର ନ୍ୟାୟପାଳିକା ଗୁଡ଼ିକୁ ଦେଶର ଗରିବ ନାଗରିକଙ୍କ ସହ ଯୋଡ଼ିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛି। ଯେଉଁମାନେ ଆଇନ ସେବା କର୍ତ୍ତୃପକ୍ଷଙ୍କ ନିକଟକୁ ଯାଆନ୍ତି ସେମାନଙ୍କ ପାଖରେ ପ୍ରାୟତଃ କୌଣସି ସମ୍ବଳ ନ ଥାଏ, କୌଣସି ପ୍ରତିନିଧିତ୍ୱ ନ ଥାଏ ଏବଂ ବେଳେବେଳେ କୌଣସି ଆଶା ମଧ୍ୟ ନ ଥାଏ | ସେମାନଙ୍କୁ ଆଶା ଏବଂ ସମର୍ଥନ ଦେବା ହେଉଛି "ସେବା" ଶବ୍ଦର ପ୍ରକୃତ ଅର୍ଥ, ଏବଂ ଏହା “ନାଲସା" ନାମରେ ମଧ୍ୟ ରହିଛି। ତେଣୁ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏହାର ପ୍ରତ୍ୟେକ ସଦସ୍ୟ ଧୈର୍ଯ୍ୟ ଏବଂ ବୃତ୍ତିଗତାର ସହ ନିଜର କାର୍ଯ୍ୟ ଜାରି ରଖିବେ।

 

ବନ୍ଧୁଗଣ,

ଆଜି ଆମେ ଏନଏଏଲଏସଏର ଗୋଷ୍ଠୀ ମଧ୍ୟସ୍ଥତା ପ୍ରଶିକ୍ଷଣ ମଡ୍ୟୁଲର ଶୁଭାରମ୍ଭ କରୁଛୁ, ଏହା ମାଧ୍ୟମରେ ଆମେ ଭାରତୀୟ ପରମ୍ପରାର ପ୍ରାଚୀନ ଜ୍ଞାନକୁ ପୁନର୍ଜୀବିତ କରୁଛୁ, ଯେଉଁଥିରେ ଆଲୋଚନା ଏବଂ ସହମତି ମାଧ୍ୟମରେ ବିବାଦର ସମାଧାନ କରାଯାଇଥିଲା। ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଗ୍ରାମର ବୟସ୍କ ପର୍ଯ୍ୟନ୍ତ ମଧ୍ୟସ୍ଥତା ସର୍ବଦା ଆମ ସଭ୍ୟତାର ଏକ ଅଂଶ ହୋଇ ରହିଛି। ନୂତନ ମଧ୍ୟସ୍ଥତା ଅଧିନିୟମ ଏହି ପରମ୍ପରାକୁ ଆଗକୁ ବଢ଼ାଉଛି ଏବଂ ଏହାକୁ ଏକ ଆଧୁନିକ ସ୍ଵରୂପ ଦେଉଛି। ମୋର ବିଶ୍ୱାସ ଯେ ଏହି ପ୍ରଶିକ୍ଷଣ ମୋଡ୍ୟୁଲ ମାଧ୍ୟମରେ ଗୋଷ୍ଠୀ ମଧ୍ୟସ୍ଥତା ପାଇଁ ଏଭଳି ସମ୍ବଳ ସୃଷ୍ଟି କରାଯିବ, ଯାହା ବିବାଦର ସମାଧାନ, ସୌହାର୍ଦ୍ଦ୍ୟ ବଜାୟ ରଖିବା ଏବଂ ମକଦ୍ଦମା ହ୍ରାସ କରିବାରେ ସହାୟକ ହେବ।

 

ବନ୍ଧୁଗଣ,

ଟେକ୍ନୋଲୋଜି ନିଶ୍ଚିତ ଭାବେ ଏକ ବିଘଟନକାରୀ ଶକ୍ତି। କିନ୍ତୁ ଯଦି ଏହାର ଜନସ୍ୱାର୍ଥ ଉପରେ ଗୁରୁତ୍ୱ ଦିଆଯାଏ, ତେବେ ସେହି ଟେକ୍ନୋଲୋଜି ଗଣତାନ୍ତ୍ରିକତାର ଶକ୍ତି ହୋଇଯାଏ। ଆମେ ଦେଖିଛୁ କିପରି ୟୁପିଆଇ ଡିଜିଟାଲ ପେମେଣ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଆଜି କ୍ଷୁଦ୍ରତମ ବିକ୍ରେତାମାନେ ମଧ୍ୟ ଡିଜିଟାଲ ଅର୍ଥ ବ୍ୟବସ୍ଥାର ଅଂଶବିଶେଷ ହୋଇପାରିଛନ୍ତି। ଲକ୍ଷ-ଲକ୍ଷ କିଲୋମିଟର ଅପ୍ଟିକାଲ୍ ଫାଇବର ଦ୍ୱାରା ଗ୍ରାମଗୁଡ଼ିକୁ ଯୋଡ଼ାଯାଇଛି। କିଛି ସପ୍ତାହ ପୂର୍ବରୁ ଗ୍ରାମାଞ୍ଚଳରେ ଏକକାଳୀନ ପ୍ରାୟ ଏକ ଲକ୍ଷ ମୋବାଇଲ ଟାୱାରର ଶୁଭାରମ୍ଭ କରାଯାଇଥିଲା। ଏହାର ଅର୍ଥ ହେଉଛି ଟେକ୍ନୋଲୋଜି ଆଜି  ଅନ୍ତର୍ଭୁକ୍ତିକରଣଏବଂ ସଶକ୍ତିକରଣର ଏକ ମାଧ୍ୟମ ହେବାରେ ଲାଗିଛି। ନ୍ୟାୟ ପ୍ରଦାନ କ୍ଷେତ୍ରରେ ଇ-କୋର୍ଟ ପ୍ରକଳ୍ପ ମଧ୍ୟ ଏହାର ଏକ ଉତ୍ତମ ଉଦାହରଣ। ଏହା ଦର୍ଶାଉଛି ଯେ ପ୍ରଯୁକ୍ତି କିପରି ନ୍ୟାୟିକ ପ୍ରକ୍ରିୟାକୁ ଆଧୁନିକ ଏବଂ ମାନବୀୟ କରିପାରିବ। ଇ-ଫାଇଲିଂ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ ସମନ ସେବା ପର୍ଯ୍ୟନ୍ତ, ଭର୍ଚୁଆଲ୍ ଶୁଣାଣି ଠାରୁ ଆରମ୍ଭ କରି ଭିଡିଓ କନଫରେନ୍ସିଂ ପର୍ଯ୍ୟନ୍ତ, ଟେକ୍ନୋଲୋଜି ସବୁକିଛି ସହଜ କରିଦେଇଛି । ଏହାଦ୍ୱାରା ନ୍ୟାୟର ମାର୍ଗ ସହଜ ହୋଇପାରିଛି। ଆପଣମାନେ ସମସ୍ତେ ଜାଣନ୍ତି, ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟର ବଜେଟକୁ ବୃଦ୍ଧିକରି ୭ ହଜାର କୋଟିରୁ ଅଧିକ କରିଦିଆଯାଇଛି। ଏହା ଏହି ପ୍ରକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି।

 

ବନ୍ଧୁଗଣ,

ଆମେ ସମସ୍ତେ ଆଇନଗତ ସଚେତନତାର ଗୁରୁତ୍ୱକୁ ମଧ୍ୟ ଜାଣୁ। ଜଣେ ଗରିବ ବ୍ୟକ୍ତି ନ୍ୟାୟ ପାଇପାରିବ ନାହିଁ ଯେ, ପର୍ଯ୍ୟନ୍ତ ସେ ତାଙ୍କ ଅଧିକାର ବିଷୟରେ ଜାଣି ନାହାଁନ୍ତି, ଆଇନକୁ ବୁଝିନାହାନ୍ତି ଏବଂ ବ୍ୟବସ୍ଥାର ଜଟିଳତା ଦ୍ୱାରା ଭୟଭୀତ ଅନୁଭବ କରିଥାନ୍ତି | ତେଣୁ ଦୁର୍ବଳ ବର୍ଗ, ମହିଳା ଏବଂ ବୟସ୍କମାନଙ୍କ ମଧ୍ୟରେ ଆଇନଗତ ସଚେତନତା ବୃଦ୍ଧି କରିବା ଆମର ପ୍ରାଥମିକତା। ଆପଣମାନେ ସମସ୍ତେ ଏବଂ ଆମର ଅଦାଲତମାନେ ଏହି ଦିଗରେ ନିରନ୍ତର ପ୍ରୟାସ କରି ଆସୁଛନ୍ତି। ମୁଁ ଭାବୁଛି  ଯେ ଆମର ଯୁବପିଢ଼ି, ବିଶେଷ କରି ଆଇନ ବିଦ୍ୟାର୍ଥୀମାନେ ଏଥିରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିପାରିବେ। ଯଦି ଯୁବ ଆଇନ ଛାତ୍ରମାନଙ୍କୁ ଗରିବ ଏବଂ ଗ୍ରାମରେ ରହୁଥିବା ଲୋକଙ୍କ ସହ ଯୋଡ଼ିବା ପାଇଁ ପ୍ରୋତ୍ସାହିତ କରାଯିବ, ଏବଂ ସେମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ଏବଂ ଆଇନଗତ ପ୍ରକ୍ରିୟା ବିଷୟରେ ବୁଝାଯାଏ, ତେବେ ଏହା ସେମାନଙ୍କୁ ସମାଜର ସ୍ପନ୍ଦନକୁ ସିଧାସଳଖ ଅନୁଭବ କରିବାର ସୁଯୋଗ ମିଳିବ। ସ୍ୱୟଂ ସହାୟକ ଗୋଷ୍ଠୀ, ସମବାୟ ସମିତି, ପଞ୍ଚାୟତିରାଜ ସଂସ୍ଥା ଏବଂ ଅନ୍ୟାନ୍ୟ ଦୃଢ଼ ତୃଣମୂଳ ନେଟୱାର୍କ ସହିତ କାର୍ଯ୍ୟ କରି ଆମେ ପ୍ରତ୍ୟେକଙ୍କ ଘର ନିକଟକୁ ଆଇନଗତ ଜ୍ଞାନ  ଆଣିପାରିବା।

 

ବନ୍ଧୁଗଣ,

ଆଇନଗତ ସହାୟତା ସହିତ ଜଡ଼ିତ ଆଉ ଏକ ଦିଗ ରହିଛି, ଯାହା ଉପରେ ମୁଁ ବାରମ୍ବାର ଆଲୋଚନା କରିଥାଏ। ନ୍ୟାୟର ଭାଷା ଏପରି ହେବା ଉଚିତ ଯେ ନ୍ୟାୟ ଚାହୁଁଥିବା ବ୍ୟକ୍ତି ଏହାକୁ ବୁଝିପାରିବେ। ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରିବା ସମୟରେ ଏହାକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଲୋକମାନେ ଆଇନକୁ ନିଜ ଭାଷାରେ ବୁଝନ୍ତି, ଏହା ଉତ୍ତମ ଅନୁପାଳନ ଆଡ଼କୁ ନେଇଯାଏ ଏବଂ ମକଦ୍ଦମା ହ୍ରାସ କରିଥାଏ। ଏହା ସହିତ, ଏହା ମଧ୍ୟ ଆବଶ୍ୟକ ଯେ ରାୟ ଏବଂ ଆଇନଗତ କାଗଜପତ୍ର ସ୍ଥାନୀୟ ଭାଷାରେ ଉପଲବ୍ଧ ହେବା ଉଚିତ। ଏହା ବାସ୍ତବରେ ପ୍ରଶଂସନୀୟ ଯେ ସର୍ବୋଚ୍ଚ ନ୍ୟାୟାଳୟ ୮୦ ହଜାରରୁ ଅଧିକ ରାୟକୁ ୧୮ଟି ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ମୋର ବିଶ୍ୱାସ ଯେ ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ସ୍ତରରେ ମଧ୍ୟ ଏହି ପ୍ରୟାସ ଜାରି ରହିବ।

 

ବନ୍ଧୁଗଣ,

ଯେତେବେଳେ ଆମେ ଏକ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଛୁ, ମୁଁ ଆଇନ ବୃତ୍ତି, ନ୍ୟାୟିକ ସେବା ଏବଂ ଏହା ସହିତ ଜଡିତ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେତେବେଳେ ଆମେ ନିଜକୁ ଏକ ବିକଶିତ ରାଷ୍ଟ୍ର ବୋଲି କହିବୁ, ସେତେବେଳେ ଆମର ନ୍ୟାୟ ପ୍ରଦାନ ବ୍ୟବସ୍ଥା କିପରି ହେବ ? ତାହା କଳ୍ପନା କରନ୍ତୁ। ସେହି ଦିଗରେ ଆମକୁ ଏକାଠି ଆଗକୁ ବଢ଼ିବାକୁ ହେବ। ମୁଁ ଏନଏଏଲଏସ, ସମଗ୍ର ଆଇନ ଜଗତ ଏବଂ ନ୍ୟାୟ ପ୍ରଦାନରେ ସମ୍ପୃକ୍ତ ସମସ୍ତଙ୍କୁ ହୃଦୟରୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ପୁଣି ଥରେ, ମୁଁ ଏହି କାର୍ଯ୍ୟକ୍ରମ ପାଇଁ ଆପଣ ସମସ୍ତଙ୍କୁ ଶୁଭ କାମନା ଜଣାଉଛି ଏବଂ ଆପଣମାନଙ୍କ ମଧ୍ୟରେ ରହିବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ମୁଁ ମଧ୍ୟ ଆପଣମାନଙ୍କ ନିକଟରେ ବହୁତ-ବହୁତ କୃତଜ୍ଞ। ଆପଣଙ୍କୁ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets His Highness Prince Rahim Aga Khan V, discusses Strengthening Partnership with Aga Khan Development Network
September 10, 2026

The Prime Minister, Shri Narendra Modi, met His Highness Prince Rahim Aga Khan V, the 50th Imam of the Ismaili Community in New Delhi. During the meeting, Shri Modi fondly recalled the late Aga Khan IV, father of His Highness Prince Rahim Aga Khan V, and his enduring contributions to development efforts.

The Prime Minister discussed ways to further strengthen the partnership with the Aga Khan Development Network in key areas, including healthcare, agriculture, rural development, youth empowerment and women empowerment.

In a post on X, Shri Modi said;

“Happy to meet His Highness Prince Rahim Aga Khan V. Fondly recalled his father, the late Aga Khan IV and his enduring contributions to development efforts.

Discussed ways to further strengthen our partnership with the Aga Khan Development Network in healthcare, agriculture, rural development, youth and women empowerment.

@akdn”