ଅତୀତରେ ଯେତେବେଳେ କୌଣସି ବିରାଟ ମାନବୀୟ ସଂକଟ ଦେଖାଦେଇଛି ସେତେବେଳେ ବିଜ୍ଞାନ ଏକ ଉତ୍ତମ ଭବିଷ୍ୟତ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଛି : ପ୍ରଧାନମନ୍ତ୍ରୀ
ଆଜିର ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ ହେବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ ମୋଦୀ
ଚଳିତ ଦଶନ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଆଗାମୀ ଦଶନ୍ଧିର ଆବଶ୍ୟକତା ଅନୁସାରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

କାର୍ଯ୍ୟକ୍ରମରେ ମୋ ସହ ଯୋଡି ହୋଇଥିବା ମୋର ସହଯୋଗୀ ନିର୍ମଳା ସୀତାରମଣ ମହୋଦୟା, ପୀୟୁଷ ଗୋୟଲ ମହୋଦୟ, ଡକ୍ଟର ହର୍ଷବର୍ଦ୍ଧନ ମହୋଦୟ, ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ ମହୋଦୟ, ସିଏସଆଇଆରର ମହାନିର୍ଦ୍ଦେଶକ ଶେଖର ମଣ୍ଡେ ମହୋଦୟ, ସମସ୍ତ ବୈଜ୍ଞାନିକଗଣ, ଉଦ୍ୟୋଗ ଓ ଶିକ୍ଷା ଜଗତର ସମ୍ମାନିତ ପ୍ରତିନିଧି ଏବଂ ବନ୍ଧୁଗଣ!
ସିଏସଆଇଆରର ଆଜିର ଏହି ମହତ୍ୱପୂର୍ଣ୍ଣ ବୈଠକ ଏକ ଅତି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡରେ ଅନୁଷ୍ଠିତ ହେଉଛି । ସମଗ୍ର ବିଶ୍ୱ ସମ୍ମୁଖରେ ବୈଶ୍ୱିକ ମହାମାରୀ କରୋନା ଚଳିତ ଶତାଦ୍ଦୀର ସବୁଠାରୁ ବଡ ଆହ୍ୱାନ ଭାବେ ଉଭା ହୋଇଛି । କିନ୍ତୁ ଇତିହାସ ଏହି ଘଟଣାର ସାକ୍ଷୀ ଯେ, ଯେବେ ଯେବେ ମାନବ ଜାତି ଉପରେ କୌଣସି ବଡ ସଙ୍କଟ ଆସିଛି, ବିଜ୍ଞାନ ଆହୁରି ଅଧିକ ଉତମ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିଛି । ସଙ୍କଟ ସମୟରେ ସମାଧାନ ଏବଂ ସମ୍ଭାବନାର ଅନ୍ୱେଷଣ କରିବା, ଏକ ନୂତନ ସାମର୍ଥ୍ୟ ପ୍ରସ୍ତୁତ କରିବା, ଏହା ହିଁ ତ ହେଉଛି ବିଜ୍ଞାନର ମୌଳିକ ସ୍ୱଭାବ । ଏହି କାର୍ଯ୍ୟ ଯୁଗ ଯୁଗ ଧରି ସାରା ଦୁନିଆର ଏବଂ ଭାରତର ବୈଜ୍ଞାନିକମାନେ କରିଛନ୍ତି, ଏହି କାର୍ଯ୍ୟ ସେମାନେ ଆଜି ପୁଣି ଥରେ କରୁଛନ୍ତି । କୌଣସି ଧାରଣାକୁ ସିଦ୍ଧାନ୍ତର ରୂପ ଦେବା, ପରୀକ୍ଷାଗାରରେ ତାହାର ବ୍ୟାବହାରିକ ପ୍ରୟୋଗ କରିବା, ଏବଂ ପୁଣି ସେଗୁଡିକୁ କାର୍ଯ୍ୟକାରୀ କରି ସମାଜକୁ ଉତ୍ସର୍ଗ କରିବା, ଏହି କାର୍ଯ୍ୟ ଗତ ଦେଢ ବର୍ଷ ଧରି ଆମ ବୈଜ୍ଞାନିକମାନେ ଯେଉଁ ଆକାରରେ ଏବଂ ଯେଉଁ ବେଗରେ ସମ୍ପାଦନ କରିଛନ୍ତି, ତାହା ଅଭୂତପୂର୍ବ! ମାନବ ଜାତିକୁ ଏତେ ବଡ ବିପତିରୁ ଉଦ୍ଧାର କରିବା ପାଇଁ ଏକ ବର୍ଷ ମଧ୍ୟରେ ପ୍ରତିଷେଧକ ପ୍ରସ୍ତୁତ କରି ଲୋକଙ୍କୁ ଦେବା ଭଳି ଏତେ ବଡ କାର୍ଯ୍ୟ ବୋଧହୁଏ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି । ବିଗତ ଶତାଦ୍ଦୀର ଅନୁଭବ କହୁଛି ପୂର୍ବରୁ ଯେତେବେଳେ କୌଣସି ଆବିଷ୍କାର ବିଶ୍ୱର ଅନ୍ୟ କୌଣସି ଦେଶରେ ହେଉଥିଲା ସେତେବେଳେ ଭାରତକୁ ସେଥିପାଇଁ ଅନେକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ଆଜି ଆମ ଦେଶର ବୈଜ୍ଞାନିକମାନେ ଅନ୍ୟ ଦେଶ ସହିତ କାନ୍ଧରେ କାନ୍ଧ ମିଳାଇ ମାନବ ଜାତିର ସେବା କରିବାରେ ଲାଗିଛନ୍ତି, ଆଗେଇ ଚାଲିଛନ୍ତି, ସେତିକି ପ୍ରଖର ବେଗରେ କାମ କରୁଛନ୍ତି । ଆମର ବୈଜ୍ଞାନିକମାନେ ଏକ ବର୍ଷ ମଧ୍ୟରେ ହିଁ ମେଡ ଇନ୍ ଇଣ୍ଡିଆ କରୋନା ପ୍ରତିଷେଧକ ପ୍ରସ୍ତୁତ କଲେ, ଏବଂ ଦେଶବାସୀଙ୍କ ପାଇଁ ଉପଲବଧ ମଧ୍ୟ କରାଇଦେଲେ । ଏକ ବର୍ଷ ମଧ୍ୟରେ ହିଁ ଆମ ବୈଜ୍ଞାନିକମାନେ କୋଭିଡ ପରୀକ୍ଷଣ କିଟ ଏବଂ ଜରୁରୀ ଉପକରଣ ପ୍ରସ୍ତୁତିରେ ଦେଶକୁ ଆତ୍ମନିର୍ଭରଶୀଳ କରାଇ ଦେଇଛନ୍ତି । ଏତେ କମ୍ ସମୟ ମଧ୍ୟରେ ହିଁ ଆମ ବୈଜ୍ଞାନିକମାନେ କରୋନା ବିରୋଧି ଲଢେଇରେ ନୂଆ ନୂଆ ପ୍ରଭାବଶାଳୀ ଔଷଧ ଖୋଜି ବାହାର କଲେ, ଅକ୍ସିଜେନ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ ଉପାୟ ଆବିଷ୍କାର କଲେ । ଆପଣମାନଙ୍କର ଏହି ଯୋଗଦାନ ଦ୍ୱାରା, ଏହି ଅସାଧାରଣ ପ୍ରତିଭା ଯୋଗୁଁ ହିଁ ଦେଶ ଏତେ ବଡ ଲଢେଇକୁ ସଫଳତାର ସହ ଲଢି ଚାଲିଛିି । ସିଏସଆଇଆରର ବୈଜ୍ଞାନିକଗଣ, ସେମାନେ ମଧ୍ୟ ଏହି ସମୟ ମଧ୍ୟରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଅଭୁତପୂର୍ବ ଅବଦାନ ରଖଛନ୍ତି । ମୁଁ ଆପଣ ସମସ୍ତଙ୍କୁ, ସମସ୍ତ ବୈଜ୍ଞାନିକଙ୍କୁ, ଆମ ପ୍ରତିଷ୍ଠାନଗୁଡିକୁ, ଉଦ୍ୟୋଗ ଜଗତକୁ ସମଗ୍ର ଦେଶ ତରଫରୁ ଧନ୍ୟବାଦ ଦେଉଛି ।
ବନ୍ଧୁଗଣ,
କୌଣସି ଦେଶର ଶିଳ୍ପ ଯେତିକି ଉନ୍ନତ ଭାବରେ ବଜାର ସହ ଯୋଡି ହୋଇଥାଏ, ସମନ୍ୱୟ ରଖିଥାଏ, ଆନ୍ତଃ ସଂଯୋଗ ବ୍ୟବସ୍ଥା ରଖିଥାଏ, ସେହି ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସେତିକି ଶୀର୍ଷ ସ୍ଥାନରେ ପହଂଚିିଥାଏ । ଆମ ଦେଶରେ ସିଏସଆଇଆର ବିଜ୍ଞାନ, ସମାଜ ଏବଂ ଶିଳ୍ପସଂସ୍ଥା ସହ ଏହି ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥାର କାର୍ଯ୍ୟ କରୁଛି । ଆମର ଏହି ପ୍ରତିଷ୍ଠାନ ଦେଶକୁ କେତେ ପ୍ରଭିଭା ଦେଇଛି, କେତେ ବୈଜ୍ଞାନିକ ଦେଇଛି । ଶାନ୍ତିସ୍ୱରୂପ ଭଟ୍ଟନାଗରଙ୍କ ଭଳି ମହାନ ବୈଜ୍ଞାନିକ ଏହି ପ୍ରତିଷ୍ଠାନକୁ ନେତୃତ୍ୱ ଦେଇଥିଲେ । ମୁଁ ଯେବେ ବି ଆପଣମାନଙ୍କ ଗହଣକୁ ଆସିଛି ଏବଂ ଏଥିପାଇଁ ପ୍ରତ୍ୟେକ ଥର ଏହି ବିଷୟ ଉପରେ ଗୁରୁତ୍ୱ ଦେଇଛି ଯେ, ଯେତେବେଳେ କୌଣସି ଅନୁଷ୍ଠାନର ଏତେ ମହାନ୍ ପରମ୍ପରା ରହିଛି, ତାହାହେଲେ ଭବିଷ୍ୟତ ପାଇଁ ଏହାର ଦାୟିତ୍ୱ ମଧ୍ୟ ସେତିକି ବଢିଯାଉଛି । ଆଜି ମଧ୍ୟ ମୋର ଆଉ ଦେଶର, ଏପରିକି ମାନବ ଜାତିର ଆପଣ ସମସ୍ତଙ୍କଠାରୁ ଅନେକ କିଛି ଆଶା ରହିଛି, ବୈଜ୍ଞାନିକମାନଙ୍କଠାରୁ, ବୈଷୟିକବିତମାନଙ୍କଠାରୁ ଢେର୍ ଆଶା ରହିଛି ।


ବନ୍ଧୁଗଣ,
ସିଏସଆଇଆର ନିକଟରେ ଗବେଷଣା ଓ ପେଟେଂଟର ଏକ ଶକ୍ତିଶାଳୀ ବାତାବରଣ ରହିଛି । ଆପଣମାନେ ଦେଶର ଅନେକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟରତ । କିନ୍ତୁ ଆଜି ଦେଶର ଲକ୍ଷ୍ୟ ଓ ଦେଶବାସୀଙ୍କ ସ୍ୱପ୍ନ ଏକବିଂଶ ଶତାଦ୍ଦୀର ମୂଳଦୁଆ ଉପରେ ଆଧାରିତ । ଏବଂ ଏଥିପାଇଁ ସିଏସଆଇଆର ଭଳି ଆମର ଅନେକ ସଂସ୍ଥାଗୁଡିକର ଲକ୍ଷ୍ୟ ମଧ୍ୟ ଅସାଧାରଣ । ଆଜି ଭାରତ କୃଷିଠାରୁ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟନ୍ତ, ପ୍ରାକୃତିକ ବିପର୍ଯ୍ୟୟରୁ ପ୍ରତିରକ୍ଷା ଜ୍ଞାନକୌଶଳ ପର୍ଯ୍ୟନ୍ତ, ପ୍ରତିଷେଧକଠାରୁ ଭର୍ଚୁଆଲ ବାସ୍ତବତା ପର୍ଯ୍ୟନ୍ତ, ଜୈବ ପ୍ରଯୁକ୍ତିଠାରୁ ନେଇ ବ୍ୟାଟେରୀ ଟେକ୍ନୋଲୋଜି ପର୍ଯ୍ୟନ୍ତ, ପ୍ରତ୍ୟେକ ଦିଗରେ ଆତ୍ମନିର୍ଭର ଓ ସଶକ୍ତ ହେବାକୁ ଚାହୁଁଛି । ଆଜି ଭାରତ ଦୀର୍ଘସ୍ଥାୟୀ ବିକାଶ ଏବଂ ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ବିଶ୍ୱକୁ ମାର୍ଗ ଦର୍ଶନ କରାଉଛି । ଆଜି ଆମେ ସଫ୍ଟୱାରଠାରୁ ନେଇ ସାଟେଲାଇଟ ପର୍ଯ୍ୟନ୍ତ, ଅନ୍ୟ ଦେଶର ବିକାଶକୁ ବି ଗତିଶୀଳ କରାଉଛୁ, ଦୁନିଆର ବିକାଶରେ ମୁଖ୍ୟ ଇଞ୍ଜିନର ଭୂମିକା ଗ୍ରହଣ କରୁଛୁ । ଏଥିପାଇଁ ଆମର ଲକ୍ଷ୍ୟ ମଧ୍ୟ ବର୍ତମାନଠାରୁ ଦୁଇ ପାଦ ଆଗରେ ହିଁ ରହିବା ଉଚିତ । ଆମକୁ ଚଳିତ ଦଶନ୍ଧିର ଆବଶ୍ୟକତା ଅନୁସାରେ ହିଁ ଆଗାମୀ ଦଶନ୍ଧିର ପ୍ରସ୍ତୁତି ଏବେଠାରୁ କରିବାକୁ ପଡିବ । ସମସ୍ତ ବିପତିର ସମାଧାନ ଦିଗରେ ମଧ୍ୟ, ଆମ ସମ୍ମୁଖରେ ଆଜି କରୋନା ଭଳି ମହାମାରୀ ଛିଡା ହୋଇଛି, ତେବେ ଏଭଳି ଅନେକ ଆହ୍ୱାନ ଭବିଷ୍ୟତର ଗର୍ଭରେ ଲୁଚି ରହିଥାଇପାରେ । ଉଦାହରଣ ସ୍ୱରୂପ, ଜଳବାୟୁ ପରିବର୍ତନକୁ ନେଇ ସମଗ୍ର ବିଶ୍ୱର ବିଶେଷଜ୍ଞମାନେ କ୍ରମାଗତଭାବେ ଏକ ବିରାଟ ଆଶଙ୍କା ବ୍ୟକ୍ତ କରିଆସୁଛନ୍ତି । ଆମ ବୈଜ୍ଞାନିକମାନଙ୍କୁ, ଆମର ସମସ୍ତ ପ୍ରତିଷ୍ଠାନଗୁଡିକୁ ଭବିଷ୍ୟତର ଏହିସବୁ ଆହ୍ୱାନଗୁଡିକ ନିମନ୍ତେ ଏବେଠାରୁ ବୈଜ୍ଞାନିକ ଆଭିମୁଖ୍ୟ ସହ ପ୍ରସ୍ତୁତ ହେବାକୁ ପଡିବ । କାର୍ବନ ନିୟନ୍ତ୍ରଣଠାରୁ ନେଇ ଶକ୍ତି ଭଣ୍ଡାରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଟେକ୍ନୋଲୋଜି ପର୍ଯ୍ୟନ୍ତ ଆମକୁ ପ୍ରତ୍ୟେକ ଦିଗରେ ନେତୃତ୍ୱ ନେବାକୁ ପଡିବ ।
ବନ୍ଧୁଗଣ,
ଏବେ ଏଠାରେ ଆପଣ ସମସ୍ତଙ୍କ ତରଫରୁ ଉଦ୍ୟୋଗ ଜଗତ ସହ ସହଯୋଗକୁ ଆହୁରି ଅଧିକ ଉନ୍ନତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଯେଭଳି ମୁଁ କହିଲି ସିଏସଆଇଆରର ଭୂମିକା ଏହାଠାରୁ ମଧ୍ୟ ଗୋଟିଏ ପାଦ ଆଗରେ ରହିଛି । ଆପଣମାନଙ୍କୁ ଉଦ୍ୟୋଗ ଜଗତ ସହ ସମାଜକୁ ମଧ୍ୟ ସାଙ୍ଗରେ ନେଇ ଚାଲିବାକୁ ପଡିବ । ମୁଁ ଖୁସି ଯେ ଗତ ବର୍ଷ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ସିଏସଆଇଆର ଏହାର କାର୍ଯ୍ୟାନ୍ୱୟନ ପୂର୍ବକ ସମାଜ ସହ ବିଚାର ବିମର୍ଷ କରିବା ସହିତ ପରାମର୍ଶ ନେବା ମଧ୍ୟ ଆରମ୍ଭ କରିଦେଇଛି । ଦେଶର ଆବଶ୍ୟକତାକୁ ସର୍ବାଗ୍ରେ ରଖି ଆପଣମାନଙ୍କର ଏହି ପ୍ରୟାସ କୋଟି କୋଟି ଦେଶବାସୀଙ୍କ ଭବିଷ୍ୟତକୁ ମଧ୍ୟ ପରିବର୍ତନ କରୁଛି । ଉଦାହରଣ ସ୍ୱରୂପ, ୨୦୧୬ରେ ଦେଶରେ ଅରୋମା ମିଶନ୍‌ର ଶୁଭାରମ୍ଭ କରାଯାଇଥିଲା, ଏବଂ ସିଏସଆଇଆର ଏଥିରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଜି ଦେଶର ହଜାର ହଜାର କୃଷକ ଫୁଲ ଚାଷ କରି ସେମାନଙ୍କର ଭାଗ୍ୟ ପରିବର୍ତନ କରୁଛନ୍ତି । ହେଙ୍ଗୁ ଭଳି ଜିନିଷ ଯାହା ଯୁଗ ଯୁଗ ଧରି ଭାରତୀୟମାନଙ୍କ ରୋଷେଇର ଅଂଶବିଶେଷ ହୋଇ ରହିଆସିଛି, ଭାରତ ସବୁବେଳେ ହେଙ୍ଗୁ ପାଇଁ ବିଶ୍ୱର ଅନ୍ୟ ଦେଶରୁ ଆମଦାନୀ ଉପରେ ନିର୍ଭରଶୀଳ ହୋଇ ରହିଆସିଛି । ସିଏସଆଇର ଏହି ଦିଗରେ ପଦକ୍ଷେପ ନେବା ଆରମ୍ଭ କଲା, ଏବଂ ଆଜି ଦେଶ ମଧ୍ୟରେ ହିଁ ହେଙ୍ଗୁର ଉତ୍ପାଦନ ଆରମ୍ଭ ହୋଇଯାଇଛି । ଏଭଳି ଅନେକ ସମ୍ଭାବନା ଆପଣମାନଙ୍କ ପରୀକ୍ଷାଗାରରେ ସତ୍ୟରେ ପରିବର୍ତିତ ହେଉଛି, ବିକଶିତ ହେଉଛି । ଅନେକଥର ତ ଆପଣମାନେ ଏତେ ବଡ କାମ କରିଦିଅନ୍ତି ଯେ ସରକାରଙ୍କୁ, ମନ୍ତ୍ରଣାଳୟକୁ ମଧ୍ୟ ତାହାର ଧାରଣା ନଥାଏ, ଆଉ ଯେତେବେଳେ ଏ ବିଷୟରେ ଜଣା ପଡିଥାଏ ସେତେବେଳେ ସମସ୍ତେ ଚକିତ ହୋଇଯାଆନ୍ତି । ଏଥିପାଇଁ, ଆପଣମାନଙ୍କୁ ମୁଁ ଆଉ ଏକ ପ୍ରସ୍ତାବ ଦେଉଛି ଏବଂ ସେହି ପ୍ରସ୍ତାବଟି ହେଉଛି ଯେ ଆପଣମାନଙ୍କର ସମସ୍ତ ଜ୍ଞାନ ଲୋକମାନଙ୍କ ନିମନ୍ତେ ଉପଲବଧ କରାଇବା ଆବଶ୍ୟକ । କେହି ବି ବ୍ୟକ୍ତି ସିଏସଆଇଆରର ଗବେଷଣା ବିଷୟରେ, ଆପଣମାନଙ୍କ କାର୍ଯ୍ୟ ସମ୍ପର୍କରେ ଅନୁସନ୍ଧାନ କରିପାରନ୍ତୁ, ଏବଂ ଯଦି କେହି ଚାହାନ୍ତି ତେବେ ସେମାନଙ୍କ ସହ କିଭଳି ଯୋଡି ହାଇପାରିବେ, ଏସବୁ ଉପରେ ମଧ୍ୟ ଆପଣ ସମସ୍ତଙ୍କୁ ସବୁବେଳେ ଗୁରୁତ୍ୱ ଦେବାକୁ ପଡିବ । ଏହାଦ୍ୱାରା ଆପଣମାନଙ୍କ କାର୍ଯ୍ୟକୁ ଏବଂ ଆପଣମାନଙ୍କ ଉତ୍ପାଦଗୁଡିକୁ ମଧ୍ୟ ସହଯୋଗ ମିଳିବ, ଏବଂ ସମାଜରେ, ଉଦ୍ୟୋଗ ଜଗତରେ ଏକ ବୈଜ୍ଞାନିକ ଆଭିମୁଖ୍ୟ ବୃଦ୍ଧି ପାଇବ ।


ବନ୍ଧୁଗଣ,
ଆଜି ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାର ନିକଟ ଭବିଷ୍ୟତ ଆଗତ ହେବାକୁ ଯାଉଛି, ଖୁବ୍ ଶୀଘ୍ର ଆମେ ସେହି ବର୍ଷରେ ପଦାର୍ପଣ କରିବାକୁ ଯାଉଛୁ । ତେଣୁ ସ୍ୱାଧୀନତାର ୭୫ବର୍ଷକୁ ଧ୍ୟାନରେ ରଖି ସ୍ପଷ୍ଟ ସଙ୍କଳ୍ପ ସହ, ସମୟୋଚିତ ଢାଂଚା ଆଧାରରେ କାର୍ଯ୍ୟଖସଡା ସହିତ ନିର୍ଦ୍ଧାରିତ ମାର୍ଗରେ ଆଗକୁ ବଢିବା ଆମ କାର୍ଯ୍ୟ ସଂସ୍କୃତିକୁ ପରିବର୍ତନ କରିବାରେ ବେଶ ସହାୟକ ହେବ । କରୋନାର ଏହି ସଙ୍କଟ ହୁଏତ ପ୍ରଗତିର ବେଗକୁ କିଛି ମାତ୍ରାରେ ମନ୍ଥର କରିଛି, କିନ୍ତୁ ଆଜିବି ଆମର ସଙ୍କଳ୍ପ ହେଉଛି ଆତ୍ମନିର୍ଭର ଭାରତ, ସଶକ୍ତ ଭାରତ । ଆଜି ଏମଏସଏମଇଠାରୁ ଆରମ୍ଭ କରି ନୂଆ ନୂଆ ଷ୍ଟାର୍ଟ ଅପ୍ ପର୍ଯ୍ୟନ୍ତ, କୃଷିରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ର, ପ୍ରତ୍ୟେକ କ୍ଷେତ୍ରରେ ଦେଶ ସମ୍ମୁଖରେ ଅଗଣିତ ସମ୍ଭାବନାର ଭଣ୍ଡାର ପଡି ରହିଛି । ଏହି ସମ୍ଭାବନାଗୁଡିକୁ ସିଦ୍ଧିରେ ପରିଣତ କରିବାର ଦାୟିତ୍ୱ ଆମ ସମସ୍ତଙ୍କୁ ନେବାକୁ ପଡିବ, ଦେଶ ସହିତ ମିଶି ଏହିସବୁ ସ୍ୱପ୍ନକୁ ପୂରଣ କରିବାକୁ ପଡିବ । ଆମର ବୈଜ୍ଞାନିକମାନେ, ଆମର ଉଦ୍ୟୋଗ ଜଗତ, କରୋନା ସମୟରେ ଯେଉଁ ଭୂମିକା ନିର୍ବାହନ କରିଛନ୍ତି, ଏହି ସଫଳତାକୁ ଆମକୁ ଭବିଷ୍ୟତରେ ପ୍ରତ୍ୟେକ କ୍ଷେତ୍ରରେ ଦୋହରାଇବାକୁ ପଡିବ । ମୋର ବିଶ୍ୱାସ ଅଛି ଆପଣମାନଙ୍କ ପ୍ରତିଭା ଏବଂ ଆପଣମାନଙ୍କ ପ୍ରତିଷ୍ଠାନର ପରମ୍ପରା ଓ ପରିଶ୍ରମ ବଳରେ ଦେଶ ଏହିଭଳି ଗତିରେ ନିତି ନୂଆ ନୂଆ ଲକ୍ଷ୍ୟ ହାସଲ କରିଚାଲିବ ଏବଂ ୧୩୦ କୋଟିରୁ ବି ଅଧିକ ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବ । ମତେ ଆପଣ ସମସ୍ତଙ୍କ ବିଚାର ଶୁଣିବା ପାଇଁ ସୁଯୋଗ ମିଳିଲା, ଆପଣମାନେ ଅନେକ ବ୍ୟାବହାରିକ କଥା କହିଲେ, ଯାହା ଅନୁଭବ ଉପରେ ଆଧାରିତ ଥିଲା । ମୁଁ ନିଶ୍ଚିତ ଚାହିଁବି ଯେ ଯେଉଁ ଯେଉଁ ମାନଙ୍କ ପାଖରେ ଏହି କାର୍ଯ୍ୟର ଦାୟିତ୍ୱଭାର ରହିଛି, ଆପଣମାନେ ଯେଉଁସବୁ ପରାମର୍ଶ ଦେଇଛନ୍ତି, ଯେଉଁ ଯେଉଁ ଆଶା ରଖିଛନ୍ତି, ସେସବୁକୁ ଅବିଳମ୍ବେ ପୂରଣ କରାଯିବା ଉଚିତ୍ । ପ୍ରତ୍ୟେକ ଜିନିଷକୁ ଏକାଠି ମିଶି ମିଶନ୍ ଭାବରେ ଗତିଶୀଳତାର ସହ ପୂରଣ କରିବାର ପ୍ରୟାସ ହେଉ କାରଣ ପରିଶେଷରେ ଯେତେବେଳେ ଏତେ ସମୟ ଦେଇ ଆପଣମାନେ ସମସ୍ତେ ଏଠି ଏକଜୁଟ୍ ହୋଇଛନ୍ତି, ତାହେଲେ ଅତି ଉତମ ବିଚାର ଉପସ୍ଥାପିତ ହେବା ଖୁବ୍ ସ୍ୱାଭାବିକ ଅଟେ ଏବଂ ଏହି ମନ୍ଥନରୁ ଯେଉଁ ଅମୃତ ବାହାରିଛି ତାହାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାର କାର୍ଯ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ନିରନ୍ତର ଉନ୍ନୀତ କରି, ସମୃଦ୍ଧ କରି ଆମକୁ କାର୍ଯ୍ୟାନ୍ୱୟନ କରିବାକୁ ପଡିବ । 
ମୁଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଏବଂ ଏହି ଶୁଭକାମନା ସହିତ ଆପଣ ସମସ୍ତଙ୍କ ଉତମ ସ୍ୱାସ୍ଥ୍ୟର ମଧ୍ୟ କାମନା କରୁଛି । 
ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!
ନମସ୍କାର!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways' financial health improves in last 10 yrs, surplus revenue after meeting cost: Ashwini Vaishnaw

Media Coverage

Railways' financial health improves in last 10 yrs, surplus revenue after meeting cost: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 7, 2026
February 07, 2026

Empowering the Nation: Trade Deals, Tech Innovations, and Rural Revival Under PM Modi