ବୈଶ୍ୱିକ ମହାମାରୀ କାଳରେ ଡାକ୍ତରମାନଙ୍କ ସେବା ଓ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
ସ୍ୱାସ୍ଥ୍ୟ ବଜେଟ୍ ଦ୍ୱିଗୁଣିତ ହୋଇ ଦୁଇଲକ୍ଷ କୋଟିରୁ ଅଧିକ ହୋଇଛି: ପ୍ରଧାନମନ୍ତ୍ରୀ
ଆମ ଡାକ୍ତରମାନେ ନୂତନ ଓ ଦ୍ରୁତ ସଂକ୍ରମଣଶୀଳ ଭୂତାଣୁର ନିଜସ୍ୱ ଅଭିଜ୍ଞତା ଓ ବିଶେଷ ଜ୍ଞାନ ଜରିଆରେ କରୁଛନ୍ତି ମୁକାବିଲା: ପ୍ରଧାନମନ୍ତ୍ରୀ
ସରକାର ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ: ପ୍ରଧାନମନ୍ତ୍ରୀ
ସରକାର ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ: ପ୍ରଧାନମନ୍ତ୍ରୀ
ଯୋଗର ଉପକାରିତା ନେଇ ପ୍ରାମାଣିକ ତଥ୍ୟ ଉପସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, କୋଭିଡ ବୈଶ୍ୱିକ ମହାମାରୀ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ

ନମସ୍କାର!
ଜାତୀୟ ଡାକ୍ତର ଦିବସ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ଡକ୍ଟର ବି.ସି. ରାୟଙ୍କ ସ୍ମୃତିରେ ପାଳନ କରାଯାଉଥିବା ଏହି ଦିବସ ଆମ ଡାକ୍ତରମାନଙ୍କର, ଆମ ଭେଷଜ ସମୁଦାୟର ସର୍ବୋଚ୍ଚ ଆଦର୍ଶର ନିଦର୍ଶନ ଅଟେ । ବିଶେଷକରି, ଗତ ଦେଢ ବର୍ଷ ମଧ୍ୟରେ ଆମ ଡାକ୍ତରମାନେ ଦେଶବାସୀଙ୍କର ଯେଉଁଭଳି ସେବା କରିଛନ୍ତି, ତାହା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ୧୩୦ କୋଟି ଦେଶବାସୀଙ୍କ ତରଫରୁ ମୁଁ ଦେଶର ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଉଛି, କୃତଜ୍ଞତା ଜ୍ଞାପନ କରୁଛି ।
ବନ୍ଧୁଗଣ,
ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ, ଏବଂ ତାହା ବିନା କାରଣରେ କୁହାଯାଇ ନଥାଏ । ଏମିତି କେତେ ଯେ ଲୋକ ଥିବେ, ଯେଉଁମାନଙ୍କ ଜୀବନ କୌଣସି ସଙ୍କଟରେ ପଡିଥିବ, କୌଣସି ରୋଗ ବା ଦୁର୍ଘଟଣାର ସେମାନେ ଶିକାର ହୋଇଥିବେ, କିମ୍ବା ବହୁବାର ଆମକୁ ଏପରି ଅନୁଭବ ହେବାକୁ ଲାଗେ ଯେ କ’ଣ ଆମେ ଆମର କୌଣସି ଆପଣାର ବ୍ୟକ୍ତିକୁ ହରାଇଦେବୁ କି? କିନ୍ତୁ ଆମ ଡାକ୍ତରମାନେ ଏଭଳି ସମୟରେ ଦେବଦୂତଙ୍କ ଭଳି ଜୀବନର ଦିଗ ବଦଳାଇ ଦେଇଥାଆନ୍ତି, ଆମକୁ ଏକ ନୂଆ ଜୀବନ ଦେଇଥାଆନ୍ତି ।
ବନ୍ଧୁଗଣ,
ଆଜି ଯେତେବେଳେ ଦେଶ କରୋନା ବିରୋଧରେ ଏତେ ବଡ ଯୁଦ୍ଧ ଲଢୁଛି, ସେତେବେଳେ ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ପୁଣ୍ୟ କାର୍ଯ୍ୟ କରିବାକୁ ଯାଇ ଦେଶର ଅନେକ ଡାକ୍ତର ନିଜର ଜୀବନକୁ ମଧ୍ୟ ବଳି ଦେଇଛନ୍ତି । ନିଜ ଜୀବନକୁ ଆହୁତି ଦେଇଥିବା ଏହି ସମସ୍ତ ଡାକ୍ତରମାନଙ୍କୁ ମୁଁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି, ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି ।

ବନ୍ଧୁଗଣ,
କରୋନା ବିରୋଧି ଲଢେଇରେ ଯେତେସବୁ ଆହ୍ୱାନ ଆସିଥିଲା, ଆମର ବୈଜ୍ଞାନିକମାନେ, ଡାକ୍ତରମାନେ ସେତେସବୁ ସମାଧାନ ଖୋଜିଲେ, ପ୍ରଭାବଶାଳୀ ଔଷଧ ପ୍ରସ୍ତୁତ କଲେ । ଆଜି ଆମ ଡାକ୍ତରମାନେ ହିଁ କରୋନା ପାଇଁ ନିୟମାବଳୀ ପ୍ରସ୍ତୁତ କରୁଛନ୍ତି, ସେଗୁଡିକ କାର୍ଯ୍ୟକାରୀ କରାଇବାରେ ସାହାଯ୍ୟ କରୁଛନ୍ତି । ଏହା ଏକ ନୂତନ ଭୂତାଣୁ, ଏହା ନିଜର ସ୍ୱରୂପ ମଧ୍ୟ ବଦଳାଇ ଚାଲିଛି, କିନ୍ତୁ ଆମ ଡାକ୍ତରମାନଙ୍କ ଜ୍ଞାନ, ସେମାନଙ୍କ ଅନୁଭବ, ଭୂତାଣୁର ଏହିସବୁ ବିପତି ଏବଂ ଆହ୍ୱାନଗୁଡିକୁ ଏକାଜୁଟ ହୋଇ ମୁକାବିଲା କରୁଛି । ଏତେ ଦଶନ୍ଧି ମଧ୍ୟରେ ଦେଶରେ କିଭଳି ସ୍ୱାସ୍ଥ୍ୟ ଭିତିଭୂମୀ ପ୍ରସ୍ତୁତ ହୋଇଥିଲା, ସେସବୁର ପରିସୀମାକୁ ଆପଣମାନେ ଭଲଭାବେ ଜାଣନ୍ତି । ପୂର୍ବ ସରକାରଙ୍କ ସମୟରେ ସ୍ୱାସ୍ଥ୍ୟ ଭିତିଭୂମୀକୁ କିପରି ଅଣଦେଖା କରାଯାଇଥିଲା, ସେ ସମ୍ପର୍କରେ ମଧ୍ୟ ଆପଣମାନେ ପରିଚିତ ଅଟନ୍ତି । ଆମ ଦେଶରେ ଜନସଂଖ୍ୟାର ଚାପ, ଏହି ଆହ୍ୱାନକୁ ଆହୁରି କଠିନ କରିଦେଉଛି । ଏହା ସତ୍ୱେ, କରୋନା କାଳରେ, ଯଦି ଆମେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ସଂକ୍ରମଣକୁ ଦେଖିବା, ମୃତ୍ୟୁହାରକୁ ଦେଖିବା, ତେବେ ବଡ ବଡ ବିକଶିତ ଏବଂ ସମୃଦ୍ଧ ଦେଶଗୁଡିକ ତୁଳନାରେ ଭାରତ ଅନେକ ଭଲ ସ୍ଥିତିରେ ରହିଛି । କୌଣସି ଗୋଟିଏ ଜୀବନ ଅସମୟରେ ଝଡିପଡିବା, ସେତିକି ଦୁଃଖଦ, କିନ୍ତୁ ଭାରତ କରୋନାରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ବଂଚାଇଛି । ଏହାର ବହୁତ ବଡ ଶ୍ରେୟ ଆମ ପରିଶ୍ରମୀ ଡାକ୍ତର, ଆମ ସ୍ୱାସ୍ଥ୍ୟସେବା କର୍ମଚାରୀ, ଆମ ଅଗ୍ରଣୀ ଯୋଦ୍ଧାମାନଙ୍କୁ ଯାଉଛି ।
ବନ୍ଧୁଗଣ,
ଆମ ସରକାର ହିଁ ସ୍ୱାସ୍ଥ୍ୟସେବା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ଗତବର୍ଷ, ପ୍ରଥମ ଲହର ସମୟରେ, ଆମେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ପ୍ରାୟ ୧୫ ହଜାର କୋଟି ଟଙ୍କା ଆବଂଟନ କରିଥିଲୁ, ଆମ ସ୍ୱାସ୍ଥ୍ୟ ଭିତିଭୂମୀକୁ ସୁଦୃଢ କରିବା ପାଇଁ ଯେଉଁଥିରୁ ସହାୟତା ମିଳିଥିଲା । ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ଦୁଇଗୁଣରୁ ମଧ୍ୟ ଅଧିକ  ଅର୍ଥାତ୍ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ସୁବିଧାର ଅଭାବ ଥିବା କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତିଭୂମୀକୁ ମଜବୁତ କରିବା ପାଇଁ ବର୍ତମାନ ଆମେ ୫୦ ହଜାର କୋଟି ଟଙ୍କାର ଏକ କ୍ରେଡିଟ ଗ୍ୟାରେଂଟି ଯୋଜନା  ପ୍ରଚଳନ କରିଛୁ । ଶିଶୁମାନଙ୍କ ପାଇଁ ଜରୁରୀ ସ୍ୱାସ୍ଥ୍ୟ ଭିତିଭୂମୀକୁ ମଜବୁତ କରିବା ସକାଶେ ମଧ୍ୟ ଆମେ ୨୨ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଆବଂଟନ କରିଛୁ । ଆଜି ଦେଶରେ ଦୃତ ଗତିରେ ଏମ୍‌ସ ସ୍ଥାପନ କରାଯାଉଛି, ନୂଆ ମେଡିକାଲ କଲେଜ ନିର୍ମାଣ କରାଯାଉଛି, ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଭିତିଭୂମୀ ପ୍ରତିଷ୍ଠା କରାଯାଉଛି । ୨୦୧୪ ପର୍ଯ୍ୟନ୍ତ ଦେଶରେ ମାତ୍ର ୬ଟି ଏମ୍‌ସ ଥିବାବେଳେ, ଏହି ୭ ବର୍ଷ ମଧ୍ୟରେ ୧୫ଟି ନୂତନ ଏମ୍‌ସର କାର୍ଯ୍ୟ ଆରମ୍ଭ ହୋଇଛି । ମେଡିକାଲ କଲେଜ ସଂଖ୍ୟା ମଧ୍ୟ ପ୍ରାୟ ଦେଢଗୁଣ ବୃଦ୍ଧି ପାଇଛି । ଏହାର ପରିଣାମ ସ୍ୱରୂପ ଏତେ କମ୍ ସମୟ ମଧ୍ୟରେ ସ୍ନାତକ ସିଟ୍ ସଂଖ୍ୟା ଦେଢଗୁଣରୁ ଅଧିକ ବୃଦ୍ଧି ପାଇଥିବାବେଳେ ସ୍ନାତକୋତର ସିଟ୍ ସଂଖ୍ୟାରେ ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଅର୍ଥାତ୍‌, ଏଠାରେ ପହଂଚିବା ପାଇଁ ଆପଣମାନଙ୍କୁ ଯେଉଁ ସଂଘର୍ଷ କରିବାକୁ ପଡିଲା, ସେହି କଷ୍ଟ ଆମ ଯୁବବର୍ଗଙ୍କୁ, ଆମ ପିଲାମାନଙ୍କୁ ଆଉ ସମ୍ମୁଖୀନ ହେବାକୁ ପଡିବ ନାହିଁ । ଦୂରଦୂରାନ୍ତ ଇଲାକାରେ ରହୁଥିବା ଆମର ଅଧିକରୁ ଅଧିକ ଯୁବକଙ୍କୁ ମଧ୍ୟ ଡାକ୍ତର ହେବାର ସୁଯୋଗ ମିଳିବ । ସେମାନଙ୍କ ପ୍ରତିଭାକୁ, ସେମାନଙ୍କ ସ୍ୱପ୍ନକୁ ନୂଆ ଡେଣା ମିଳିଯିବ । ଡାକ୍ତରୀ କ୍ଷେତ୍ରରେ ଘଟୁଥିବା ଏହିସବୁ ପରିବର୍ତନ ମଧ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ମଧ୍ୟ ସରକାର ପ୍ରତିଶୃତିବଦ୍ଧ । ଆମ ସରକାର ଡାକ୍ତରମାନଙ୍କ ବିରୁଦ୍ଧରେ ହିଂସାକୁ ରୋକିବା ପାଇଁ ଗତ ବର୍ଷ ହିଁ, ଆଇନରେ ଅନେକ କଠୋର ବ୍ୟବସ୍ଥା କରିଛନ୍ତି । ଏଥିସହ, ଆମେ ଆମର କୋଭିଡ ଯୋଦ୍ଧାଙ୍କ ପାଇଁ ମାଗଣା ବୀମା ଯୋଜନା ମଧ୍ୟ ନେଇ ଆସିଛୁ ।
ବନ୍ଧୁଗଣ,
କରୋନା ବିରୁଦ୍ଧରେ ଦେଶର ସଂଗ୍ରାମ ହେଉ କିମ୍ବା ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଦେଶର ଲକ୍ଷ୍ୟ, ଏ ସବୁଥିରେ ଆପଣ ସମସ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡିବ । ଉଦାହରଣ ସ୍ୱରୂପ, ଯେତେବେଳେ ଆପଣମାନେ ସମସ୍ତେ ପ୍ରଥମ ପର୍ଯ୍ୟାୟରେ ଟିକା ନେଲେ, ସେତେବେଳେ ଦେଶରେ ଟିକାକୁ ନେଇ ଉତ୍ସାହ ଓ ଆତ୍ମବିଶ୍ୱାସ ବହୁଗୁଣିତ ହେଲା । ସେହିପରି, ଯେତେବେଳେ ଆପଣମାନେ ଲୋକମାନଙ୍କୁ କୋଭିଡ ଅନୁରୂପୀ ଆଚରଣ ପାଇଁ କୁହନ୍ତି, ସେତେବେଳେ ଲୋକମାନେ ସମ୍ପୁର୍ଣ୍ଣ ଶ୍ରଦ୍ଧାର ସହ ସେସବୁ ପାଳନ କରନ୍ତି । ମୁଁ ଆଶା କରିବି ଯେ ଆପଣମାନେ ନିଜର ଏହି ଭୂମିକାକୁ ଅଧିକ ସକ୍ରିୟ ଭାବରେ ତୁଲାନ୍ତୁ, ଆପଣମାନଙ୍କ ପରିସରକୁ ଆହୁରି ବିସ୍ତାରିତ କରନ୍ତୁ ।

ବନ୍ଧୁଗଣ,
ଆଜିକାଲି ଆମେ ଆଉ ଏକ ଭଲ କଥା ଦେଖିବାକୁ ପାଉଛୁ ଯେ ଭେଷଜ ସମୁଦାୟର ବ୍ୟକ୍ତିବିଶେଷ ଯୋଗ ବିଷୟରେ ସଚେତନତା ସୃଷ୍ଟି ପାଇଁ ଆଗେଇ ଆସୁଛନ୍ତି । ଯୋଗର ପ୍ରଚାର ପ୍ରସାର ପାଇଁ ଯେଉଁ କାମ ସ୍ୱାଧୀନତା ପରବର୍ତୀ ବିଗତ ଶତାଦ୍ଦୀରେ କରାଯିବାର ଆବଶ୍ୟକତା ଥିଲା, ତାହା ଏବେ କରାଯାଉଛି । ଏହି କରୋନା କାଳରେ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଯୋଗ-ପ୍ରାଣାୟମର କିପରି ସକରାତ୍ମକ ପ୍ରଭାବ ପଡୁଛି, କୋଭିଡ ପରବର୍ତୀ ଜଟିଳତାର ମୁକାବିଲା କରିବା ପାଇଁ ଯୋଗ କିପରି ସାହାଯ୍ୟ କରୁଛି, ଏଥିପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନ ସହ ଜଡିତ ଅନେକ ଅନୁଷ୍ଠାନ ପ୍ରମାଣ ଭିତିକ ଅଧ୍ୟୟନ କରୁଛନ୍ତି । ଏଥିପାଇଁ ଆପଣମାନଙ୍କ ମଧ୍ୟରୁ ଅନେକେ ନିଜର ବହୁତ ସମୟ ନିବେଶ କରୁଛନ୍ତି ।
ବନ୍ଧୁଗଣ,
ଆପଣମାନେ ଡାକ୍ତରୀ ବିଜ୍ଞାନକୁ ଜାଣନ୍ତି, ଏଥିରେ ଆପଣମାନେ ନିପୁଣ, ବିଶେଷଜ୍ଞ, ତେଣୁ ଜଣେ ଭାରତୀୟ ଭାବେ ଯୋଗକୁ ବୁଝିବା ସ୍ୱାଭାବିକ ଭାବେ ଆପଣମାନଙ୍କ ପାଇଁ ସହଜ ହୋଇଥାଏ । ଯେତେବେଳେ ଆପଣମାନେ ଯୋଗ ଉପରେ ଅଧ୍ୟୟନ କରନ୍ତି, ସେତେବେଳେ ସମଗ୍ର ବିଶ୍ୱ ଏହାକୁ ଖୁବ୍ ଗମ୍ଭୀରତାର ସହ ନେଇଥାଏ । ଆଇ.ଏମ୍‌.ଏ କ’ଣ ଏହାକୁ ମିଶନ୍ ଆକାରରେ ଆଗକୁ ବଢାଇ ପାରିବ, ଯୋଗ ଉପରେ ପ୍ରମାଣ ଆଧାରିତ ଅଧ୍ୟୟନକୁ ବୈଜ୍ଞାନିକ ଉପାୟରେ ଆଗକୁ ନେଇପାରିବ । ଯୋଗ ଉପରେ ଅଧ୍ୟୟନକୁ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ କରାଯାଉ, ଏହାର ପ୍ରଚାର କରାଯାଉ ଏହା ମଧ୍ୟ ଏକ ପ୍ରୟାସ ହୋଇପାରେ । ମୁଁ ବିଶ୍ୱାସ କରେ ଯେ, ଏହି ଅଧ୍ୟୟନଗୁଡିକ, ବିଶ୍ୱସ୍ତରରେ ଡାକ୍ତରମାନଙ୍କୁ ସେମାନଙ୍କ ରୋଗୀମାନଙ୍କୁ ଯୋଗ ବିଷୟରେ ସଚେତନ କରାଇବା ପାଇଁ ମଧ୍ୟ ଉତ୍ସାହିତ କରିବ । 
ବନ୍ଧୁଗଣ,
ଯେତେବେଳେ ମଧ୍ୟ କଠିନ ପରିଶ୍ରମ, ପ୍ରତିଭା ଏବଂ ଦକ୍ଷତାର କଥା ଆସେ, ସେତେବେଳେ ସେସବୁ କ୍ଷେତ୍ରରେ କେହି ଆପଣମାନଙ୍କର ସମକକ୍ଷ ନୁହନ୍ତି । ମୁଁ ଆପଣମାନଙ୍କୁ ଏହା ମଧ୍ୟ ଅନୁରୋଧ କରିବାକୁ ଚାହେଁ ଯେ, ଆପଣମାନେ ସମ୍ପୁର୍ଣ୍ଣ ଧ୍ୟାନର ସହ ନିଜର ଅଭିଜ୍ଞତା ଗୁଡିକର ତଥ୍ୟ ନଥିକରଣ କରି ରଖନ୍ତୁ । ରୋଗୀମାନଙ୍କ ସହ ଆପଣମାନଙ୍କ ଅଭିଜ୍ଞତାର ନଥିକରଣ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥସହ ରୋଗୀଙ୍କ ଲକ୍ଷଣ, ଚିକିତ୍ସା ପଦ୍ଧତି ଏବଂ ତାଙ୍କ ଉପରେ ଏସବୁର ପ୍ରତିକ୍ରିୟାର ମଧ୍ୟ ବିସ୍ତୃତ ବିବରଣୀ ପ୍ରସ୍ତୁତ ହେବା ଆବଶ୍ୟକ । ଏହା ଏକ ଗବେଷଣାତ୍ମକ ଅଧ୍ୟୟନ ଭାବେ ମଧ୍ୟ ହୋଇପାରେ, ଯେଉଁଥିରେ ବିଭିନ୍ନ ପ୍ରକାରର ଔଷଧ ଏବଂ ଚିକିତ୍ସାର ପ୍ରଭାବ ଲିପିବଦ୍ଧ କରାଯାଇଥିବ । ଆପଣମାନେ ଯେତେ ଅଧିକ ସଂଖ୍ୟାରେ ରୋଗୀମାନଙ୍କ ସେବା କରୁଛନ୍ତି ଓ ଯତ୍ନ ନେଉଛନ୍ତି, ସେହି ଦୃଷ୍ଟିରୁ ଆପଣମାନେ ପୂର୍ବରୁ ହିଁ ବିଶ୍ୱରେ ସବୁଠାରେ ଆଗରେ ରହିଛନ୍ତି । ଏକଥା ମଧ୍ୟ ସୁନିଶ୍ଚିତ କରିବାର ସମୟ ଯେ, ବିଶ୍ୱ ଆପଣମାନଙ୍କ କାମ, ଆପଣମାନଙ୍କ ବୈଜ୍ଞାନିକ ଅଧ୍ୟୟନ ବିଷୟରେ ଅବଗତ ହେଉ ଏବଂ ଆଗାମୀ ପିଢୀକୁ ଏହାର ସୁଫଳ ମଧ୍ୟ ମିଳୁ । ଏହାଦ୍ୱାରା ବିଶ୍ୱକୁ ଚିକିତ୍ସା ବିଜ୍ଞାନ ସହ ଜଡିତ ଅନେକ ଜଟିଳ ପ୍ରଶ୍ନଗୁଡିକ ବିଷୟରେ ଜାଣିବା ସହଜ ହେବ, ଏବଂ ଏହାର ସମାଧାନର ପନ୍ଥା ମଧ୍ୟ ମିଳିପାରିବ । କୋଭିଡର ଏହି ମାହାମାରୀ ଏଥିପାଇଁ ଏକ ଉତମ ପ୍ରାରମ୍ଭର ମୁହୁର୍ତ ହୋଇପାରେ । ଟିକା କେଉଁଭଳି ଭାବେ ଆମକୁ ସାହାଯ୍ୟ କରୁଛି, ଆଗୁଆ ନିରୂପଣ ଦ୍ୱାରା କିଭଳି ଲାଭ ମିଳୁଛି ଏବଂ ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି କିପରି ଆମର ସହାୟତା କରୁଛି, ଆମେ କ’ଣ ଏ ବିଷୟରେ ଅଧିକରୁ ଅଧିକ ଅଧ୍ୟୟନ କରିପାରିବା । ବିଗତ ଶତାଦ୍ଦୀରେ ଯେତେବେଳେ ମହାମାରୀ ଆସିଥିଲା, ଆଜି ସେ ସମ୍ପର୍କରେ ବେଶୀ କିଛି ନଥିକରଣ ଉପଲବ୍ଧ ନାହିଁ । ଆଜି ଆମ ନିକଟରେ ପ୍ରଯୁକ୍ତି ଜ୍ଞାନକୌଶଳ ଉପଲବଧ ଅଛି ଏବଂ ଆମେ କୋଭିଡର କିପରି ମୁକାବିଲା କଲେ ଯଦି ସେ ସମ୍ପର୍କରେ ବ୍ୟାବହାରିକ ଅଭିଜ୍ଞତାର ନଥିକରଣ କରିବା ତେବେ ତାହା ଭବିଷ୍ୟତରେ ସମଗ୍ର ମାନବଜାତି ପାଇଁ ଖୁବ୍ ସହାୟକ ସାବ୍ୟସ୍ତ ହେବ । ଆପଣମାନଙ୍କର ଏହି ଅଭିଜ୍ଞତା ଦେଶର ଚିକିତ୍ସା ଗବେଷଣା କ୍ଷେତ୍ରକୁ ନୂତନ ଗତି ପ୍ରଦାନ କରିବ । ଶେଷରେ ମୁଁ ଏହା କହିବି ଯେ, ଆପଣମାନଙ୍କ ସେବା, ଆପଣମାନଙ୍କ ପରିଶ୍ରମ, ଆମର ସଙ୍କଳ୍ପ ‘ସର୍ବେ ଭବନ୍ତୁ ସୁଖୀନଃ’କୁ ନିଶ୍ଚିତ ଭାବେ ଚରିତାର୍ଥ କରିବ । ଆମ ଦେଶ କରୋନା ଉପରେ ମଧ୍ୟ ବିଜୟ ହାସଲ କରିିବ, ଏବଂ ବିକାଶର ନୂତନ ଦିଗବଳୟ ମଧ୍ୟ ସ୍ପର୍ଶ କରିବ । ଏହି ଶୁଭକାମନା ସହ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump