ମହାମହିମ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ,

ଉଭୟ ଦେଶର ପ୍ରତିନିଧିଗଣ,

ନମସ୍କାର!

କିଆ ଓରା!

ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍‌ଙ୍କୁ ମୋତେ ଏବଂ ମୋର ପ୍ରତିନିଧିମଣ୍ଡଳକୁ ଦିଆଯାଇଥିବା ଆନ୍ତରିକ ସ୍ୱାଗତ ଓ ଆତିଥ୍ୟ ପାଇଁ ମୁଁ ସହୃଦୟତାର ସହ କୃତଜ୍ଞତା ଜଣାଉଛି। ସେ ଆମକୁ ଏତେ ଉଷ୍ମ ଅଭ୍ୟର୍ଥନା ଜଣାଇଛନ୍ତି ଯେ, ଆଜି ଅକଲାଣ୍ଡର ଶୀତ ମଧ୍ୟ କିଛିଟା କମ୍ ଥଣ୍ଡା ଅନୁଭବ ହେଉଛି। ଏହି ଗସ୍ତ ସମୟରେ ନ୍ୟୁଜିଲାଣ୍ଡର ଜନସାଧାରଣଙ୍କଠାରୁ ମୁଁ ଯେଉଁ ସ୍ନେହ, ଆନ୍ତରିକତା ଓ ଆଦର ପାଇଛି, ତାହା ସର୍ବଦା ଆମ ହୃଦୟରେ ଅମ୍ଳାନ ହୋଇ ରହିବ।

ଗତ ବର୍ଷ ପ୍ରଧାନମନ୍ତ୍ରୀ ଲକ୍ସନ୍‌ଙ୍କ ଭାରତ ଗସ୍ତ ଆମର ଦ୍ୱିପାକ୍ଷିକ ସମ୍ପର୍କର ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶକ୍ତିର ସଞ୍ଚାର କରିଥିଲା। ତାଙ୍କର ନେତୃତ୍ୱ, ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଏବଂ ଦୃଢ଼ ପ୍ରତିବଦ୍ଧତା ଦ୍ୱାରା ଭାରତ-ନ୍ୟୁଜିଲାଣ୍ଡ ବନ୍ଧୁତ୍ୱ ନୂତନ ଗତି ଓ ନୂଆ ଦିଗ ପାଇଛି। ଆଜିର ଦିନ ଚାରି ଦଶନ୍ଧି ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତର ସାକ୍ଷୀ ହୋଇଛି। ମୁଁ ପ୍ରାୟତଃ କହେ ଯେ, ମୋ ପୂର୍ବରୁ ଯେଉଁମାନେ ଦାୟିତ୍ୱରେ ଥିଲେ, ସେମାନେ ଅନେକ ଭଲ କାମ ମୋ ପାଇଁ ଛାଡ଼ି ଯାଇଛନ୍ତି ଏବଂ ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ସୌଭାଗ୍ୟ ମୋତେ ମିଳିଛି। ବନ୍ଧୁଗଣ, ଆଜି ଆମର ଦ୍ୱିପାକ୍ଷିକ ସମ୍ପର୍କର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ।

ବନ୍ଧୁଗଣ,

ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭାରତ ଏବଂ ନ୍ୟୁଜିଲାଣ୍ଡର ଦୃଢ଼ ବିଶ୍ୱାସ ଆମକୁ ଏକାଠି ଆଗକୁ ବଢ଼ିବା ପାଇଁ ଏକ ସ୍ୱାଭାବିକ ଆଧାର ପ୍ରଦାନ କରିଛି। ଗତ କିଛି ବର୍ଷ ମଧ୍ୟରେ ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଅଭୂତପୂର୍ବ ଗତି ପ୍ରଦାନ କରିଛୁ।

ଆଜିର ବୈଠକରେ ଆମର ସହଯୋଗକୁ ଆହୁରି ଗଭୀର ଓ ବ୍ୟାପକ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ‘ରଣନୀତିକ ଭାଗୀଦାରି’ ସ୍ତରକୁ ଉନ୍ନୀତ କରିବା ପାଇଁ ଆମେ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ। ଏହି ଢାଞ୍ଚା ଅଧୀନରେ ଆମେ ସ୍ପଷ୍ଟ ଲକ୍ଷ୍ୟ ଏବଂ ଦୃଶ୍ୟମାନ ଫଳାଫଳ ସହିତ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବୁ।

ଚଳିତ ବର୍ଷ ଆମେ ରେକର୍ଡ ସମୟ ମଧ୍ୟରେ ଏକ ‘ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସମ୍ପନ୍ନ କରିଛୁ। ଏହି ସଫଳତା ଉଭୟ ଦେଶର ଶିଳ୍ପ, କୃଷକ ଏବଂ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିବ। ବାଣିଜ୍ୟ କ୍ଷେତ୍ର ସହିତ ଆମେ ‘ବିଶ୍ୱାସ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭା’କୁ ଆଧାର କରି ଏକ ନୂତନ ସହଯୋଗ ରୂପରେଖ ମଧ୍ୟ ପ୍ରସ୍ତୁତ କରୁଛୁ।

ଗତ ତିନି ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ ବାଣିଜ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ପାଇଁ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ଏକ ଦୃଢ଼ ଭିତ୍ତି ପ୍ରଦାନ କରିବ ବୋଲି ଆମର ଦୃଢ଼ ବିଶ୍ୱାସ।

ଭାରତରେ ‘୨୦ ବିଲିୟନ୍ ଆମେରିକୀୟ ଡଲାର’ ପୁଞ୍ଜି ନିବେଶ କରିବା ପାଇଁ ନ୍ୟୁଜିଲାଣ୍ଡର ପ୍ରତିବଦ୍ଧତାକୁ ମଧ୍ୟ ଆମେ ହାର୍ଦ୍ଦିକ ସ୍ୱାଗତ କରୁଛୁ। ଏହା ନ୍ୟୁଜିଲାଣ୍ଡ କମ୍ପାନୀଗୁଡ଼ିକୁ ଭାରତର ଅଭିବୃଦ୍ଧି କାହାଣୀରେ ଦୀର୍ଘକାଳୀନ ଅଂଶୀଦାର ହେବାର ସୁଯୋଗ ପ୍ରଦାନ କରିବ।

ବନ୍ଧୁଗଣ,

ଆମର ରଣନୀତିକ ସହଭାଗୀତାକୁ ଅଧିକ ଅର୍ଥପୂର୍ଣ୍ଣ କରିବା ପାଇଁ ଆମେ ଉଭୟ ଦେଶର ଶକ୍ତିକୁ ବ୍ୟବହାରିକ ସହଯୋଗରେ ପରିଣତ କରୁଛୁ। ‘ଫିନ୍‌ଟେକ୍’ କ୍ଷେତ୍ରରେ ଆମେ ଭାରତର ‘ୟୁପିଆଇ’କୁ ନ୍ୟୁଜିଲାଣ୍ଡର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଯୋଡ଼ିବା ଦିଗରେ ଆଗକୁ ବଢ଼ୁଛୁ।

କୃଷି, ଦୁଗ୍ଧ ଉତ୍ପାଦନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଆମେ ସହଯୋଗ ପାଇଁ ଏକ ସୁଦୃଢ଼ ରୋଡମ୍ୟାପ୍ ପ୍ରସ୍ତୁତ କରିଛୁ। ଏହା ଉଭୟ ଦେଶର କୃଷକ ଏବଂ ପଶୁପାଳନ ମାଲିକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ନ୍ୟୁଜିଲାଣ୍ଡ ଏବଂ ଭାରତ ଉଭୟଙ୍କର ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ସମୃଦ୍ଧ ଓ ଗୌରବମୟ ପରମ୍ପରା ରହିଛି। ଆଜି ଆମେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପାରମ୍ପରିକ ଚିକିତ୍ସା ପ୍ରଣାଳୀର ଭୂମିକାକୁ ବିସ୍ତାର କରିବାକୁ ସହମତ ହୋଇଛୁ।

ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଆମର ବର୍ଦ୍ଧିତ ସହଯୋଗ ପରସ୍ପର ପ୍ରତି ଥିବା ଗଭୀର ରଣନୀତିକ ବିଶ୍ୱାସର ପ୍ରତିଫଳନ। ଗତ ବର୍ଷ ସ୍ୱାକ୍ଷରିତ ‘ପ୍ରତିରକ୍ଷା ସହଯୋଗ ଚୁକ୍ତି’ ଆମର ସହଯୋଗ ପାଇଁ ଏକ ସୁଦୃଢ଼ ଢାଞ୍ଚା ସୃଷ୍ଟି କରିଛି। ଆଜି ଆମେ ‘ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ସାମୁଦ୍ରିକ ସହଯୋଗ’ ପାଇଁ ଏକ ରୂପରେଖ ଉପରେ ସହମତି ପ୍ରକାଶ କରିଛୁ। ଦ୍ୱିପାକ୍ଷିକ ନୌସେନା ଅଭ୍ୟାସ, ଲଜିଷ୍ଟିକ୍ ସହାୟତା ଏବଂ ‘ହାଇଡ୍ରୋଗ୍ରାଫି’ କ୍ଷେତ୍ରରେ ସହଯୋଗ ଆମର ସମନ୍ୱୟ ଏବଂ ପରସ୍ପର କାର୍ଯ୍ୟଦକ୍ଷତାକୁ ଆହୁରି ସୁଦୃଢ଼ କରିବ।

ବନ୍ଧୁଗଣ,

ଆମର ସମ୍ପର୍କର ସବୁଠାରୁ ସୁଦୃଢ଼ ସ୍ତମ୍ଭ ହେଉଛି ଆମର ପାରସ୍ପରିକ ଜନ-ସମ୍ପର୍କ। ଭାରତୀୟ ସମୁଦାୟର ସଦସ୍ୟମାନେ ନିଜର କଠିନ ପରିଶ୍ରମ ଓ ପ୍ରତିଭା ବଳରେ ନ୍ୟୁଜିଲାଣ୍ଡରେ ଏକ ସ୍ୱତନ୍ତ୍ର ସମ୍ମାନଜନକ ସ୍ଥାନ ହାସଲ କରିଛନ୍ତି। ସେମାନଙ୍କର ଯତ୍ନ ନେଉଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଲକ୍ସନ୍‌, ନ୍ୟୁଜିଲାଣ୍ଡ ସରକାର ଏବଂ ନ୍ୟୁଜିଲାଣ୍ଡର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଉଛି।

ଆଜି ସ୍ୱାକ୍ଷରିତ ‘ସାଂସ୍କୃତିକ ସହଯୋଗ ବୁଝାମଣାପତ୍ର’ କଳା, ସଂସ୍କୃତି, ଐତିହ୍ୟ ଏବଂ ସୃଜନଶୀଳ ଶିଳ୍ପ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଦାନ-ପ୍ରଦାନକୁ ଆହୁରି ଗତିଶୀଳ କରିବ। ନ୍ୟୁଜିଲାଣ୍ଡ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରମୁଖ ଶିକ୍ଷା ଗନ୍ତବ୍ୟସ୍ଥଳ ହୋଇଆସିଛି। ଆମେ ନ୍ୟୁଜିଲାଣ୍ଡର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ ସେମାନଙ୍କର କ୍ୟାମ୍ପସ୍‌ ସ୍ଥାପନ କରିବାକୁ ଆମନ୍ତ୍ରଣ ଜଣାଉଛୁ।

ଚଳିତ ବର୍ଷ ଆମେ ଉଭୟ ଦେଶ ମଧ୍ୟରେ କ୍ରୀଡ଼ା ସମ୍ପର୍କର ‘ଶତବାର୍ଷିକୀ’ ପାଳନ କରୁଛୁ। ଶହେ ବର୍ଷ ପୂର୍ବେ ମେଜର ଧ୍ୟାନଚନ୍ଦଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ନ୍ୟୁଜିଲାଣ୍ଡ ଆସି ଇତିହାସ ସୃଷ୍ଟି କରିଥିଲା। ସେହି ଐତିହାସିକ ଐତିହ୍ୟ ଆଜି ମଧ୍ୟ ଆମର କ୍ରୀଡ଼ା ସହଭାଗୀତାକୁ ପ୍ରେରଣା ଯୋଗାଇ ଆସୁଛି।

ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଉଭୟ ଦେଶରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କ୍ରିକେଟ୍‌ ସହିତ ଅନ୍ୟାନ୍ୟ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ‘କ୍ରୀଡ଼ା ଯୁଗ୍ମ କାର୍ଯ୍ୟଯୋଜନା’ ମାଧ୍ୟମରେ ସହଯୋଗ ବୃଦ୍ଧି ପାଇଁ ଆମେ କାର୍ଯ୍ୟ କରୁଛୁ। ନିକଟରେ ଭୁବନେଶ୍ୱରରେ ‘ନ୍ୟୁଜିଲାଣ୍ଡ ରଗ୍‌ବି’ ଏବଂ ‘ରଗ୍‌ବି ଇଣ୍ଡିଆ’ ମଧ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏହି ଦିଗରେ ଏକ ଆଶାପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି।

ବନ୍ଧୁଗଣ,

ବିଶ୍ୱ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ବିଶ୍ୱସ୍ତ ଅଂଶୀଦାର ଏବଂ ଘନିଷ୍ଠ ବନ୍ଧୁ। ବର୍ତ୍ତମାନ ସମୟର ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଜାତିସଂଘ ସମେତ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାର ଅତ୍ୟନ୍ତ ଆବଶ୍ୟକ ବୋଲି ଆମେ ବିଶ୍ୱାସ କରୁଛୁ।

ଆତଙ୍କବାଦ ବିରୋଧୀ ଲଢ଼େଇରେ କାନ୍ଧକୁ କାନ୍ଧ ମିଳାଇ ଆଗକୁ ବଢ଼ିବା ପାଇଁ ଆମେ ଆଜି ଏକ ‘ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ’ ଗଠନ କରିଛୁ। ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷା ସୁନିଶ୍ଚିତ କରିବାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବନ୍ଧୁଗଣ,

ମାଓରି ନବବର୍ଷ ‘ମାତାରିକି’ ଅବସରରେ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଏଠାରେ ଯେଉଁ ତାରାମଣ୍ଡଳକୁ ‘ମାତାରିକି’ ବୋଲି କୁହାଯାଏ, ଆପଣମାନେ ଯେପରି ଉଲ୍ଲେଖ କରିଛନ୍ତି, ଭାରତରେ ତାହା ପ୍ରାଚୀନ କାଳରୁ ‘କୃତ୍ତିକା ନକ୍ଷତ୍ର’ ନାମରେ ପରିଚିତ। ମୋର ଦୃଢ଼ ବିଶ୍ୱାସ ଯେ, ‘ମାତାରିକି’ର ଏହି ପର୍ବ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ଏହି ତାରାମାନଙ୍କ ପରି ଉଜ୍ଜ୍ୱଳ ଓ ଦୀପ୍ତିମାନ କରିବା ପାଇଁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ ଲକ୍ସନ୍‌,

ଆପଣଙ୍କର ବନ୍ଧୁତ୍ୱ, ଆପଣଙ୍କର ଦୃଢ଼ ପ୍ରତିବଦ୍ଧତା ଏବଂ ମୋର ନ୍ୟୁଜିଲାଣ୍ଡ ଗସ୍ତକୁ ସ୍ମରଣୀୟ କରିଥିବାରୁ ମୁଁ ଆପଣଙ୍କୁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି। ଯେପରି ରଗ୍‌ବି ଖେଳରେ ଦଳଗତ ଭାବନା ଏବଂ ପରସ୍ପର ବିଶ୍ୱାସ ସଫଳତାର ମୂଳ ଆଧାର, ସେହିପରି ଆମେ ମଧ୍ୟ ପରସ୍ପର ବିଶ୍ୱାସକୁ ଆଧାର କରି ଏକାଠି ଆଗକୁ ବଢ଼ିବୁ। ଆମେ ଏକା ଦଳର ସଦସ୍ୟ; ତେଣୁ ଆମେ ପରସ୍ପରକୁ ନୁହେଁ, ବରଂ ଆହ୍ୱାନ ଓ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବୁ।

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI expands to 11 countries as July transactions touch Rs 29.87 lakh crore

Media Coverage

UPI expands to 11 countries as July transactions touch Rs 29.87 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister invites citizens to share their UPI experiences as UPI completes a decade
August 25, 2026

The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.

Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.

The Prime Minister posted on X:

A decade ago, UPI was rolled out, marking a major turning point in India’s digital payments journey.

The sheer scale and reach of UPI are something every Indian must be proud of.

Tell me about your UPI experience and how it impacted your life...

#10YearsOfUPI