Remembers immense contribution of the ‘Utkal Keshari’
Pays tribute to Odisha’s Contribution to the freedom struggle
History evolved with people, foreign thought process turned the stories of dynasties and palaces into history: PM
History of Odisha represents the historical strength of entire India: PM

ଜୟ ଜଗନ୍ନାଥ!

କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଲୋକସଭା ସାଂସଦ ତଥା ସଂସଦୀୟ ଜୀବନରେ ଜଣେ ଉତ୍ତମ ସାଂସଦ ଭାବେ କାମ କରି ଅନ୍ୟମାନଙ୍କ ପାଇଁ ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଥିବା ଭାଇ ଭର୍ତ୍ତୃହରି ମହତାବ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଅନ୍ୟ ବରିଷ୍ଠ ମହାନୁଭବ, ଭାଇ ଓ ଭଉଣୀମାନେ! ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ମୋତେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହାତାବ ଜୀଙ୍କ ସହ ଜଡ଼ିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଅବସର ମିଳିଛି। ପାଖାପାଖି ଦେଢ଼ ବର୍ଷ ପୂର୍ବେ ଆମେ ସମସ୍ତେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବ ଜୀଙ୍କ 120ତମ ଜୟନ୍ତୀକୁ ଏକ ବହୁତ ବଡ଼ ପ୍ରେରଣାର ଅବସର ରୂପରେ ପାଳନ କରିଥିଲୁ। ଆଜି ଆମେ ତାଙ୍କ ପ୍ରସିଦ୍ଧ ପୁସ୍ତକ “ଓଡ଼ିଶା ଇତିହାସ”ର ହିନ୍ଦୀ ସଂସ୍କରଣକୁ ଲୋକାର୍ପଣ କରୁଛୁ। ଓଡ଼ିଶାର ବ୍ୟାପକ ଏବଂ ବିବିଧତାପୂର୍ଣ୍ଣ ଇତିହାସ ଦେଶର ଲୋକମାନଙ୍କ ନିକଟରେ ପହଞ୍ଚୁ, ଏହା ଅତ୍ୟନ୍ତ ଆବଶ୍ୟକ। ଓଡ଼ିଆ ଓ ଇଂରାଜୀ ପରେ ହିନ୍ଦୀ ସଂସ୍କରଣ ଜରିଆରେ ଆପଣମାନେ ଏହି ଆବଶ୍ୟକତାକୁ ପୂରଣ କରିଛନ୍ତି। ମୁଁ ଏହି ଅଭିନବ ପ୍ରୟାସ ପାଇଁ ଭାଇ ଭର୍ତ୍ତୃହରି ମହତାବ, ହରେକୃଷ୍ଣ ମହତାବ ଫାଉଣ୍ଡେସନ ଓ ବିଶେଷ କରି ଶଙ୍କରଲାଲ ପୁରୋହିତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ହାର୍ଦ୍ଦିକ ଶୁଭକାମନା ମଧ୍ୟ ଜ୍ଞାପନ କରୁଛି।

ବନ୍ଧୁଗଣ,

ଭର୍ତ୍ତୃହରି ମହାଶୟ ଏହି ପୁସ୍ତକ ଉନ୍ମୋଚନ ପାଇଁ ଅନୁରୋଧ ସହିତ ମୋତେ ଏହାର ଏକ କପି ମଧ୍ୟ ଦେଇ ଆସିଥିଲେ। ମୁଁ ସମ୍ପୂର୍ଣ୍ଣ ପଢ଼ି ତ’ ପାରିଲି ନାହିଁ କିନ୍ତୁ ଏହାକୁ ଆଗ୍ରହର ସହ ଦେଖିବା ପରେ ମୋ ମନରେ ବିଚାର ଆସିଲା ଯେ ଏହାର ହିନ୍ଦୀ ପ୍ରକାଶନ ନିଶ୍ଚିତ ଭାବେ କେତେ ସୁଖଦ ସଂଯୋଗ ସହ ଜଡ଼ିତ! ଏହି ପୁସ୍ତକ ଏପରି ଏକ ବର୍ଷରେ ପ୍ରକାଶିତ ହୋଇଛି ଯେତେବେଳେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏ ବର୍ଷ ସେହି ଘଟଣାକୁ ମଧ୍ୟ ଶହେ ବର୍ଷ ପୂରଣ ହେଉଛି ଯେତେବେଳ ହରେକୃଷ୍ଣ ମହତାବ ଜୀ କଲେଜ ଛାଡ଼ି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଗାନ୍ଧୀଜୀ ଯେତେବେଳେ ଲବଣ ସତ୍ୟାଗ୍ରହ ଲାଗି ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ, ଓଡ଼ିଶାରେ ହରେକୃଷ୍ଣ ଜୀ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଏହା ମଧ୍ୟ ଏକ ସଂଯୋଗର ବିଷୟ ଯେ 2023ରେ ‘ଓଡ଼ିଶା ଇତିହାସ’ ପ୍ରକାଶନର 75ବର୍ଷ ପୂରଣ ହେବାକୁ ଯାଉଛି। ମୋତେ ଲାଗୁଛି ଯେ କୌଣସି ବିଚାରର କେନ୍ଦ୍ରରେ ଦେଶସେବା, ସମାଜସେବାର ବୀଜ ରହିଥିଲେ, ଏପରି ସଂଯୋଗ ବାରମ୍ବାର ହୋଇଥାଏ।

ସାଥୀଗଣ,

ଏହି ପୁସ୍ତକର ଭୂମିକାରେ ଭର୍ତ୍ତୃହରି ମହାଶୟ ଲେଖିଛନ୍ତି-“ଡ. ହରେକୃଷ୍ଣ ମହତାବ ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି ଇତିହାସ ସୃଷ୍ଟି କରିଥିଲେ, ଇତିହାସ ସୃଷ୍ଟି ହେବା ଦେଖିଥିଲେ, ଏବଂ ତାହାକୁ ମଧ୍ୟ ଲେଖିଥିଲେ।” ବାସ୍ତବରେ ଏପରି ଐତିହାସିକ ବ୍ୟକ୍ତିତ୍ବ ଅତ୍ୟନ୍ତ ବିରଳ ହୋଇଥାନ୍ତି। ଏପରି ମହାପୁରୁଷ ନିଜେ ମଧ୍ୟ ଇତିହାସର ମହତ୍ବପୂର୍ଣ୍ଣ ଅଧ୍ୟାୟ ହୋଇଥାନ୍ତି। ମହତାବ ଜୀ ନିଜ ଜୀବନ ଓ ଯୌବନକୁ ସ୍ବାଧୀନତା ଆନ୍ଦୋଳନ ପାଇଁ ସମର୍ପି ଦେଇଥିଲେ। ସେ ଜେଲରେ ଜୀବନ ବିତାଇ ଥିଲେ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ବାଧୀନତାର ଆନ୍ଦୋଳନ ସହିତ ସେ ସମାଜ ପାଇଁ ମଧ୍ୟ ଲଢ଼ିଥିଲେ! ଜାତି-ପ୍ରଥା, ଛୁଆଁଅଛୁଆଁ ବିରୋଧୀ ଆନ୍ଦୋଳନରେ ସେ ନିଜ ପୈତୃକ ମନ୍ଦିରକୁ ମଧ୍ୟ ଅନ୍ୟସବୁ ଜାତି ପାଇଁ ଖୋଲିଦେଇଥିଲେ। ସେ ସମୟରେ ନିଜେ ଏପରି ଏକ ସାହସ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ପଛରେ ତାଙ୍କର ଯେଉଁ ପ୍ରୟାସ ଥିଲା ତାହା ଆମେ ଏବେ ଅନୁମାନ କରିପାରିବା ନାହିଁ। ସେ ସମୟର ଦୃଷ୍ଟିକୋଣରୁ ଦେଖିଲେ ସେ କେତେବଡ଼ ସାହସ କରିପାରିଥିଲେ ତାହା ଆମେ ଜାଣିପାରିବା। ପରିବାରରେ ମଧ୍ୟ କେଉଁ ପ୍ରକାରର ପରିସ୍ଥିତିରେ ଏହି ନିଷ୍ପତ୍ତି ନେବାକୁ ପଡ଼ିଥିବ ତାହା ଅନୁମାନ କରାଯାଇପାରିବ। ସ୍ବାଧୀନତା ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବଡ଼ ବଡ଼ ନିଷ୍ପତ୍ତି ନେଇଥିଲେ। ଓଡ଼ିଶାର ଭବିଷ୍ୟତ ଗଠନ ଲାଗି ପ୍ରୟାସ କରିଥିଲେ। ସହରଗୁଡ଼ିକର ଆଧୁନିକୀକରଣ, ବନ୍ଦରର ଆଧୁନିକୀକରଣ, ଷ୍ଟିଲ ପ୍ଲାଣ୍ଟ, ଏପରି ଅନେକ କାର୍ଯ୍ୟରେ ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା।

ବନ୍ଧୁଗଣ,

କ୍ଷମତା ହାସଲ କରିଥିଲେ ମଧ୍ୟ ସେ ନିଜକୁ ସର୍ବପ୍ରଥମେ ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ମାନୁଥିଲେ ଏବଂ ଆଜୀବନ ସ୍ବାଧୀନତା ସଂଗ୍ରାମୀ ହୋଇ ରହିଥିଲେ। ଏ କଥା ଆଜିର ଜନ ପ୍ରତିନିଧିମାନଙ୍କୁ ଚକିତ କରିପାରେ ଯେ ଯେଉଁ ଦଳରୁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ଜରୁରିକାଳୀନ ପରିସ୍ଥିତିରେ ସେହି ଦଳକୁ ବିରୋଧ କରି ସେ ଜେଲ୍ ଯାଇଥିଲେ। ଅର୍ଥାତ୍ ସେ ଏପରି ଜଣେ ବିରଳ ରାଜନେତା ଥିଲେ ଯିଏକି ସ୍ବାଧୀନତା ପାଇଁ ଜେଲ୍ ଯାଇଥିଲେ ଏବଂ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ମଧ୍ୟ ଜେଲ ଯାଇଥିଲେ। ମୋର ଏହା ସୌଭାଗ୍ୟ ଯେ ଜରୁରିକାଳୀନ ପରିସ୍ଥିତି ସରିବା ପରେ ତାଙ୍କୁ ଭେଟିବା ଲାଗି ମୁଁ ଓଡ଼ିଶା ଯାଇଥିଲି। ମୋର କୌଣସି ପରିଚୟ ନଥିଲା। କିନ୍ତୁ ସେ ମୋତେ ସମୟ ଦେଇଥିଲେ। ମୋର ଠିକ୍ ଭାବେ ମନେ ଅଛି ମଧ୍ୟାହ୍ନଭୋଜନ ପୂର୍ବର ସମୟ ଥିଲା। ତେଣୁ ଏହା ସାଧାରଣ କଥା ଥିଲା ଯେ ମଧ୍ୟାହ୍ନ ଭୋଜନ ସମୟ ଆସିବା କ୍ଷଣି କଥାବାର୍ତ୍ତା ଶେଷ ହୋଇଯିବ କିନ୍ତୁ ମୋର ଆଜି ମନେ ଅଛି ଯେ ଦୁଇ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ସେ ଖାଇବାକୁ ଯାଇନଥିଲେ ଏବଂ ଦୀର୍ଘ ସମୟ ଧରି ମୋ ସହ ଅନେକ କଥା ଆଲୋଚନା କରିଥିଲେ। ମୁଁ କୌଣସି ଜଣେ ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ୍ଣ ଗବେଷଣା କରୁଥିଲି। କିଛି ଉପକରଣ ସଂଗ୍ରହ କରୁଥିଲି ଏହି କାରଣରୁ ମୁଁ ତାଙ୍କ ପାଖକୁ ଯାଇଥିଲି। ମୋ ଅଭିଜ୍ଞତାରୁ ମୁଁ କହୁଛି, ବଡ଼ ପରିବାରର ପୁଅ ହୋଇଥିଲେ, ତାହା ପୁଣି ରାଜନୈତିକ ପରିବାରର ସନ୍ତାନ ହୋଇଥିଲେ ସେମାନଙ୍କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଯେ ଏମାନେ ଏ କ’ଣ କରୁଛନ୍ତି। କିନ୍ତୁ ଭର୍ତ୍ତୃହରିଙ୍କୁ ଦେଖିଲେ ଏପରି ଅନୁଭବ କେବେ ହେଲେ ହୋଇନଥାଏ। ଏହାର କାରଣ ହେଉଛି ହରେକୃଷ୍ଣଜୀ ପରିବାରରେ ଯେଉଁ ଶିଷ୍ଟତା, ଅନୁଶାସନ ଓ ସଂସ୍କାର ଉପରେ ଗୁରୁତ୍ବ ଦେଇଛନ୍ତି ସେଥିପାଇଁ ଭର୍ତ୍ତୃହରିଙ୍କ ଭଳି ସାଥୀ ଆମକୁ ମିଳିପାରିଛନ୍ତି।

ବନ୍ଧୁଗଣ,

ଆମେ ଏହା ଭଲ ଭାବେ ଜାଣିଛୁ ଯେ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବା ସମୟରେ ମଧ୍ୟ ଓଡ଼ିଶାର ଇତିହାସ ପ୍ରତି ତାଙ୍କର ଆକର୍ଷଣ ଖୁବ ଅଧିକ ଥିଲା। ସେ ଇଣ୍ଡିଆନ ହିଷ୍ଟ୍ରୀ କଂଗ୍ରେସରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଓଡ଼ିଶା ଇତିହାସକୁ ଜାତୀୟ ସ୍ତରକୁ ନେଇଯାଇଥିଲେ। ଓଡ଼ିଶାରେ ସଂଗ୍ରହାଳୟ, ଅଭିଲେଖାଗାର, ପ୍ରତ୍ନତତ୍ତ୍ବ କ୍ଷେତ୍ର ହେଉ, ଏସବୁ ମହତାବ ଜୀଙ୍କ ଇତିହାସ ଦୃଷ୍ଟିକୋଣ ଓ ତାଙ୍କର ଯୋଗଦାନ କାରଣରୁ ହିଁ ସମ୍ଭବ ହୋଇପାରିଲା।

ବନ୍ଧୁଗଣ,

ମୁଁ ଅନେକ ବିଦ୍ବାନଙ୍କ ଠାରୁ ଶୁଣିଛି ଯେ ଯଦି ଆପଣ ମହତାବ ଜୀଙ୍କ ଓଡ଼ିଶା ଇତିହାସ ପଢ଼ି ନେଇଛନ୍ତି ତା’ହେଲେ ବୁଝିପାରିବେ ଯେ ଆପଣ ଓଡ଼ିଶାକୁ ଭଲ ଭବେ ଜାଣି ନେଇଛନ୍ତି, ଓଡ଼ିଶାର ଜୀବନକୁ ଜାଣି ଯାଇଛନ୍ତି। ଏହା ସତ କଥା ମଧ୍ୟ। ଇତିହାସ କେବଳ ଅତୀତର ଅଧ୍ୟାୟ ନୁହେଁ, ବରଂ ଭବିଷ୍ୟତର ଆଇନା ମଧ୍ୟ ହୋଇଥାଏ। ଏହି ବିଚାରକୁ ସାମ୍ନାରେ ରଖି ଆଜି ଦେଶ ଅମୃତ ମହୋତ୍ସବରେ ସ୍ବାଧୀନତାର ଇତିହାସକୁ ପୁଣିଥରେ ଜୀବନ୍ତ କରୁଛି। ଆଜି ଆମେ ସ୍ବାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନର ଗାଥାକୁ ପୁନର୍ଜୀବିତ କରୁଛୁ, ଯାହାଫଳରେ ଆମର ଯୁବକମାନେ ଏହାକୁ ଜାଣିପାରିବେ, ଅନୁଭବ କରିପାରିବେ। ନୂତନ ଆତ୍ମବିଶ୍ବାସ ସହିତ ଆଗକୁ ବଢ଼ିପାରିବେ। କିଛି କରି ଦେଖାଇବାର ଉଦ୍ଦେଶ୍ୟରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବେ। ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ଏପରି ଅନେକ କାହାଣୀ ରହିଛି, ଯାହା ଦେଶ ଆଗରେ ସେହି ରୂପରେ ଉପସ୍ଥାପନ କରାଯାଇପାରିନାହିଁ। ଯେମିତି ଏବେ ଭର୍ତ୍ତୃହରି ମହାଶୟ କହିଲେ, ଭାରତର ଇତିହାସ କେବଳ ରାଜମହଲର ଇତିହାସ ନୁହେଁ। ଭାରତ ଇତିହାସ କେବଳ ରାଜପଥର ଇତିହାସ ନୁହେଁ। ଜନଗଣଙ୍କ ଜୀବନ ସହିତ ଇତିହାସ ଆପେ ଆପେ ତିଆରି ହୋଇଛି। ହଜାର ହଜାର ବର୍ଷର ଏହି ମହାନ ପରମ୍ପରାକୁ ନେଇ ଆମେ ବଞ୍ଚିଛୁ। ବାହ୍ୟ ଦୃଷ୍ଟିକୋଣ ହିଁ ରାଜବଂଶ ଓ ରାଜତନ୍ତ୍ର ଚାରିପାଖରେ ଘଟିଥିବା ଘଟଣାକୁ ଇତିହାସ ଭାବେ ଗ୍ରହଣ କରି ନେଇଛି। ଆମେ ସେହି ଲୋକ ନୋହୁଁ। ସମ୍ପୂର୍ଣ୍ଣ ରାମାୟଣ ଓ ମହାଭାରତକୁ ଦେଖନ୍ତୁ। 80 ପ୍ରତିଶତ ବିଷୟ ସାଧାରଣ ଜନତାଙ୍କ ଉପରେ ଆଧାରିତ। ସେଥିପାଇଁ ଆମମାନଙ୍କ ଜୀବନରେ ଜନସାଧାରଣ ଏକ କେନ୍ଦ୍ର ବିନ୍ଦୁ ହୋଇ ରହିଛନ୍ତି। ସେଥିପାଇଁ ଆମର ଯୁବକମାନେ ଆଜି ସେହି ଇତିହାସକୁ ନେଇ ଗବେଷଣା କରିବା ଉଚିତ୍ ଏବଂ କରୁଛନ୍ତି। ସେଗୁଡ଼ିକୁ ନୂଆ ପିଢ଼ି ନିକଟରେ ପହଞ୍ଚାଉଛନ୍ତି। ଏହି ପ୍ରୟାସ ଫଳରେ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିବ, ଦେଶର ବିବିଧତାର ଅନେକ ରଙ୍ଗ ସହିତ ଆମେ ପରିଚିତ ହୋଇପାରିବା।

ବନ୍ଧୁଗଣ,

ହରେକୃଷ୍ଣ ଜୀ ସ୍ବାଧୀନତା ସଂଗ୍ରାମରେ ଏପରି ଅନେକ ଅଧ୍ୟାୟ ସମ୍ପର୍କରେ ଆମକୁ ପରିଚିତ କରାଇଥିଲେ, ଯାହା ମାଧ୍ୟମରେ ଓଡ଼ିଶାକୁ ନେଇ ଜ୍ଞାନ ଓ ଗବେଷଣାର ନୂତନ ପର୍ଯ୍ୟାୟ ଖୋଲିପାରିଛି। ପାଇକ ବିଦ୍ରୋହ, ଗଞ୍ଜାମ ଆନ୍ଦୋଳନ, ଏବଂ ଲାରଜା କୋହ୍ଲ ଆନ୍ଦୋଳନ ଠାରୁ ଆରମ୍ଭ କରି ସମ୍ବଲପୁର ସଂଗ୍ରାମ ପର୍ଯ୍ୟନ୍ତ, ଓଡ଼ିଶାର ମାଟି ବିଦେଶୀ ଶାସନ ବିରୋଧରେ କ୍ରାନ୍ତିର ଜ୍ବାଳାକୁ ସବୁବେଳେ ନୂତନ ଇନ୍ଧନ ଯୋଗାଇଥିଲା। ଅନେକ ସ୍ବାଧୀନତା ସଂଗ୍ରାମୀଙ୍କୁ ଇଂରେଜମାନେ ଜେଲର ଚାରି କାନ୍ଥ ମଧ୍ୟକୁ ଠେଲି ଦେଇଥିଲେ, ନିର୍ଯାତନା ଦେଇଥିଲେ, ଅନେକ ବଳିଦାନ ହୋଇଥିଲା! କିନ୍ତୁ ସ୍ବାଧୀନତାର ଉତ୍ସାହ ଦୁର୍ବଳ ହୋଇନଥିଲା। ସମ୍ବଲପୁର ସଂଗ୍ରାମୀର ବୀର କ୍ରାନ୍ତିକାରୀ ସୁରେନ୍ଦ୍ର ସାଏ, ଆମ ପାଇଁ ଆଜି ବହୁତ ବଡ଼ ପ୍ରେରଣା।  ଗାନ୍ଧୀଜୀଙ୍କ ନେତୃତ୍ବରେ ଦେଶ ଯେତେବେଳେ ସ୍ବାଧୀନତା ପାଇଁ ଅନ୍ତିମ ସଂଘର୍ଷ କରିଥିଲା, ସେ ସମୟରେ ମଧ୍ୟ ଓଡ଼ିଶା ଓ ଏଠାକାର ଲୋକମାନେ ଏଥିରେ ବଡ଼ ଭୂମିକା ନିର୍ବାହ କରିଥିଲେ। ଅସହଯୋଗ ଆନ୍ଦୋଳନ ଏବଂ ଆଇନ ଅମାନ୍ୟ ଆନ୍ଦୋଳନ ଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ ପର୍ଯ୍ୟନ୍ତ ସମସ୍ତ ଆନ୍ଦୋଳନରେ ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଓ ହରେକୃଷ୍ଣ ମହତାବଙ୍କ ଭଳି ନାୟକ ଓଡ଼ିଶାକୁ ନେତୃତ୍ବ ପ୍ରଦାନ କରିଥିଲେ। ରମା ଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ରାଣୀ ଭାଗ୍ୟବତୀ, ଏପରି ଅନେକ ମା’ ଭଉଣୀମାନେ ସ୍ବାଧୀନତାର ସଂଗ୍ରାମକୁ ନୂଆ ମାର୍ଗ ଦେଇଥିଲେ। ସେହିପରି ଓଡ଼ିଶାରେ ଥିବା ଆମର ଆଦିବାସୀ ସମାଜର ଯୋଗଦାନକୁ କିଏ ଭୁଲି ପାରିବ? ଆମ ଆଦିବାସୀମାନେ ନିଜର ଶୌର୍ଯ୍ୟ ଓ ଦେଶପ୍ରେମ ବଳରେ କେବେହେଲେ ବିଦେଶୀ ଶାସକମାନଙ୍କୁ ଶାନ୍ତିରେ ବସିବାକୁ ଦେଇନଥିଲେ। ହିନ୍ଦୁସ୍ତାନର ସ୍ବାଧୀନତାରେ ଆଦିବାସୀ ସମାଜର ନେତୃତ୍ବ ଓ ଭୂମିକା ସମ୍ପର୍କରେ ଭବିଷ୍ୟତ ପିଢ଼ିକୁ ସୂଚନା ଦେବା ଲାଗି ଏପରି ଇତିହାସ ରହିଥିବା ରାଜ୍ୟରେ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ମାଣ କରିବା ଲାଗି ଆମେ ପ୍ରୟାସ କରୁଛୁ। ଏମିତି ଅନେକ ଅଗଣିତ କାହାଣୀ, ଅଗଣିତ ତ୍ୟାଗ ଓ ତପସ୍ୟା, ବଳିଦାନର ଗାଥା ରହିଛି। କିପରି ସେମାନେ ସଂଘର୍ଷ କରୁଥିଲେ, ଜିତୁଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଇଂରେଜମାନଙ୍କୁ ସ୍ଥିତି ଜାହିର କରିବାକୁ ଦେଇନଥିଲେ। ଆମ ସାମର୍ଥ୍ୟର ଏହି ଗାଥା, ଆମର ଆଦିବାସୀ ସମାଜର ତ୍ୟାଗ, ତପସ୍ୟା ଓ ଗୌରବ ସମ୍ପର୍କରେ ପରବର୍ତ୍ତୀ ପିଢ଼ିକୁ କହିବା ଅତ୍ୟନ୍ତ ଜରୁରି ଅଟେ । ଆମେ ଚେଷ୍ଟା କରୁଛୁ ଯେ ଦେଶର ସ୍ବାଧୀନତା ସଂଘର୍ଷରେ ଆଦିବାସୀ ସମାଜର ନେତୃତ୍ବକୁ ଭିନ୍ନ ଭାବେ ଉଜାଗର କରି ଲୋକମାନଙ୍କ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି। ଅନେକଗୁଡ଼ିଏ ଏପରି କାହାଣୀ ରହିଛି ଯାହା ଆଡ଼କୁ ବୋଧହୁଏ ଇତିହାସ କେବେ ବି ଅନ୍ୟାୟ କରିନାହିଁ। ଆମେ ସମସ୍ତେ ଯେପରି ଜାଣିଛୁ ଯେ ଲୋକମାନଙ୍କର ସ୍ବଭାବ ହେଉଛି ହଟଚମଟ ହେଉଥିବା କଥା ନଜରକୁ ଆସିଲେ ଆମେ ସେ ଆଡ଼କୁ ନଇଁ ପଡ଼ିଥାଉ। ଏହି କାରଣରୁ ତପସ୍ୟା ଓ ତ୍ୟାଗର ଅନେକ କଥା ଆଦୌ ସାମ୍ନାକୁ ଆସିପାରିନଥାଏ। ଏଗୁଡ଼ିକୁ ଚେଷ୍ଟା କରି ସାମ୍ନାକୁ ଆଣିବାକୁ ପଡ଼ିଥାଏ। ଇଂରେଜମାନେ ଭାରତ ଛାଡ଼ ଆନ୍ଦୋଳନର ମହାନ ଆଦିବାସୀ ନାୟକ ଲକ୍ଷ୍ମଣ ନାଏକଙ୍କ ବିଷୟରେ ଆମେ ସ୍ମରଣ କରିବା ଉଚିତ୍। ଇଂରେଜମାନେ ତାଙ୍କୁ ଫାଶୀ ଦେଇଥିଲେ। ସ୍ବାଧୀନତାର ସ୍ବପ୍ନକୁ ନେଇ ସେ ଭାରତ ମାତାର କୋଳରେ ଶୋଇଯାଇଥିଲେ!

ବନ୍ଧୁଗଣ,

ସ୍ବାଧୀନତାର ଇତିହାସ ସହିତ ଅମୃତ ମହୋତ୍ସବର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଭାରତର ସାଂସ୍କୃତିକ ବିବିଧତା ଓ ସାଂସ୍କୃତିକ ପୁଞ୍ଜି ମଧ୍ୟ ରହିଛି। ଓଡ଼ିଶା ଆମର ଏହି ସାଂସ୍କୃତିକ ବିବିଧତାର ଏକ ସମ୍ପୂର୍ଣ୍ଣ ଚିତ୍ର ଅଟେ। ଏଠାକାର କଳା, ଆଧ୍ୟାତ୍ମ, ଆଦିବାସୀ ସଂସ୍କୃତି ସାରା ଦେଶର ଐତିହ୍ୟ ଅଟେ। ସାରା ଦେଶ ଏହା ବିଷୟରେ ପରିଚିତ ହେବା ଉଚିତ, ଏହା ସହ ଯୋଡ଼ି ହେବା ଉଚିତ୍। ନୂଆ ପିଢ଼ି ଏ ବିଷୟରେ ଜାଣିବା ଉଚିତ୍ । ଆମେ ଓଡ଼ିଶା ଇତିହାସକୁ ଯେତେ ଗଭୀରତାର ସହିତ ବୁଝିବା, ଦୁନିଆ ଆଗକୁ ଆଣିବା, ମାନବତାକୁ ବୁଝିବାରେ ସେତେ ଅଧିକ ବ୍ୟାପକ ଦୃଷ୍ଟିକୋଣ ଆମକୁ ମିଳିବ। ହରେକୃଷ୍ଣ ମହାଶୟ ନିଜ ପୁସ୍ତକରେ ଓଡ଼ିଶାର ଆସ୍ଥା, କଳା ଓ ବାସ୍ତୁ ଉପରେ ଯେପରି ଭାବେ ଆଲୋକପାତ କରିଛନ୍ତି, ଆମର ଯୁବକମାନଙ୍କୁ ଏ ଦିଗରେ ଏକ ମଜବୁତ ଆଧାର ମିଳିପାରିବ।

ବନ୍ଧୁଗଣ,

ଓଡ଼ିଶାର ଅତୀତକୁ ଆପଣ ଅନୁସନ୍ଧାନ କଲେ, ଆପଣ ଜାଣିବାକୁ ପାଇବେ ଯେ ସେଥିରେ ଆମକୁ ଓଡ଼ିଶା ସହିତ ସାରା ଭାରତର ଐତିହାସିକ ସାମର୍ଥ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଇତିହାସରେ ଲିଖିତ ଏହି ସାମର୍ଥ୍ୟ ବର୍ତ୍ତମାନ ଓ ଭବିଷ୍ୟତର ସମ୍ଭାବନା ସହ ଜଡ଼ିତ, ଭବିଷ୍ୟତ ପାଇଁ ଆମର ପଥ-ପ୍ରଦର୍ଶନ କରିଥାଏ। ଆପଣମାନେ ଦେଖନ୍ତୁ, ଓଡ଼ିଶାର ବିଶାଳ ସାମୁଦ୍ରିକ ସୀମା ଏକ ସମୟରେ ଭାରତର ବଡ଼ ବଡ଼ ବନ୍ଦର ଓ ଅନ୍ତର୍ଜାତୀୟ ବାଣିଜ୍ୟର କେନ୍ଦ୍ର ଥିଲା। ଇଣ୍ଡୋନେସିଆ, ମାଲେସିଆ, ଥାଇଲାଣ୍ଡ, ମ୍ୟାଁମାର ଓ ଶ୍ରୀଲଙ୍କା ଭଳି ଦେଶ ସହିତ ଏଠାରୁ ଯେଉଁ ବାଣିଜ୍ୟ ହେଉଥିଲା, ତାହା ଓଡ଼ିଶା ଓ ଭାରତର ସମୃଦ୍ଧିର ସବୁଠୁ ବଡ଼ କାରଣ ଥିଲା। କିଛି ଐତିହାସିକମାନଙ୍କର ଗବେଷଣାରୁ ଜଣାପଡ଼ିଥାଏ ଯେ ଓଡ଼ିଶାର କୋଣାର୍କ ମନ୍ଦିରରେ ଜିରାଫର ଚିତ୍ର ରହିଛି। ଏହା ପ୍ରମାଣ ଦେଇଥାଏ ଯେ ଓଡ଼ିଶାର ବ୍ୟବସାୟୀମାନେ ଆଫ୍ରିକା ପର୍ଯ୍ୟନ୍ତ ବାଣିଜ୍ୟ କାରବାର କରିବାକୁ ଯାଇଥିଲେ। ଯାହାଫଳରେ ଜିରାଫ କଥା ସେମାନେ ଜାଣିପାରିଥିବେ। ସେ ସମୟରେ ହ୍ବାଟ୍ସଆପ୍ ନଥିଲା। ବହୁ ସଂଖ୍ୟାରେ ଓଡ଼ିଶାର ଲୋକମାନେ ବ୍ୟବସାୟ ଲାଗି ଅନ୍ୟ ଦେଶରେ ମଧ୍ୟ ରହୁଥିଲେ, ସେମାନଙ୍କୁ ଦରିଆ ପାରି ଓଡ଼ିଆ ବୋଲି କୁହାଯାଉଥିଲା। ଓଡ଼ିଆ ସହ ମେଳ ଖାଉଥିବା ଲିପି ଅନେକ ଦେଶରେ ଦେଖିବାକୁ ମିଳିଥାଏ। ଐତିହାସିକମାନେ କୁହନ୍ତି ଯେ ସମ୍ରାଟ ଅଶୋକ ଏହି ସାମୁଦ୍ରିକ ବାଣିଜ୍ୟ ଉପରେ ଅଧିକାର ହାସଲ କରିବା ଲାଗି କଳିଙ୍ଗ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସମ୍ରାଟ ଅଶୋକଙ୍କୁ ଧମ୍ମ ଅଶୋକ କରି ଦେଇଥିଲା। ଏକ ପ୍ରକାରରେ ଓଡ଼ିଶା ବାଣିଜ୍ୟ ସହିତ ଭାରତରୁ ବୌଦ୍ଧ ସଂସ୍କୃତିର ପ୍ରସାର ମାଧ୍ୟମ ପାଲଟିଥିଲା।

ବନ୍ଧୁଗଣ,

ସେ ସମୟରେ ଆମ ପାଖରେ ଯେଉଁ ପ୍ରାକୃତିକ ସମ୍ବଳ ଥିଲା, ତାହା ପ୍ରକୃତି ଆମକୁ ଆଜି ମଧ୍ୟ ଦେଇଛି। ଆମ ପାଖରେ ଆଜି ମଧ୍ୟ ବ୍ୟାପକ ସାମୁଦ୍ରିକ ସୀମା ରହିଛି, ମାନବ ସମ୍ବଳ ରହିଛି, ବ୍ୟବସାୟ ସମ୍ଭାବନା ରହିଛି! ଏଥିସହିତ ଆଜି ଆମ ପାଖରେ ଆଧୁନିକ ବିଜ୍ଞାନର ଶକ୍ତି ମଧ୍ୟ ଅଛି। ଯଦି ଆମେ ଆମର ଏହି ପ୍ରାଚୀନ ଅନୁଭୂତି ଓ ଆଧୁନିକ ସମ୍ଭାବନାକୁ ଏକ ସଙ୍ଗେ ଜୋଡ଼ି ପାରିବା ତା’ହେଲେ ଓଡ଼ିଶା ବିକାଶର ନୂତନ ଉଚ୍ଚତାରେ ପହଞ୍ଚି ପାରିବ। ଆଜି ଦେଶ ଏ ଦିଗରେ ଗମ୍ଭୀର ପ୍ରୟାସ କରୁଛି। ଆହୁରି ଅଧିକ ପ୍ରୟାସ କରିବା ଦିଗରେ ମଧ୍ୟ ଆମେ ସଜାଗ ଅଛୁ। ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇନଥିଲି, ନିର୍ବାଚନ ତାରିଖ ଠିକ୍ ହୋଇନଥାଏ। 2013ରେ ମୋର ଏକ ଭାଷଣ ଥିଲା। ମୋ ଦଳର ଏକ କାର୍ଯ୍ୟକ୍ରମ ଥିଲା। ମୁଁ ସେଥିରେ କହିଥିଲି ଯେ ମୁଁ ଭାରତର ଭବିଷ୍ୟତକୁ କିପରି ଭାବେ ଦେଖିବାକୁ ଚାହୁଁଛି। ସେଥିରେ ମୁଁ କହିଥିଲି ଯେ ଭାରତର ଯଦି ସନ୍ତୁଳିତ ବିକାଶ ହେବ ନାହିଁ ତା’ହେଲେ ଆମେ ଦେଶରେ ଥିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିପାରିବା ନାହିଁ। ମୋର କହିବା କଥା ହେଉଛି ଯେ ଆଜି ଭାରତର ପଶ୍ଚିମ ଭାଗ ସମୃଦ୍ଧ ହୋଇପାରିଛି। ଯଦି ଆପଣ ଭାରତର ମାନଚିତ୍ରରେ ଏକ ଗାର ଟାଣି ଦିଅନ୍ତି ଓ ପଶ୍ଚିମ ଭାଗକୁ ସେଥିରୁ ଆପଣ ଅଲଗା କରି ଦିଅନ୍ତି, ତା’ହେଲେ ଆପଣ ପଶ୍ଚିମ ଭାଗରେ ପ୍ରଗତି ଓ ସମୃଦ୍ଧି ଦେଖିପାରିବେ। ଆର୍ଥିକ ଗତିବିଧି ଦେଖିପାରିବେ। ତଳୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ। କିନ୍ତୁ ପୂର୍ବ ଭାରତରେ ଯେଉଁଠି ଏତେ ପ୍ରାକୃତିକ ସମ୍ବଳ ରହିଛି, ସୃଜନଶୀଳ ମସ୍ତିଷ୍କ ରହିଛି, ଅଦ୍ଭୂତ ମାନବ ସମ୍ବଳ ଅଛି ସେହି ପୂର୍ବ ଭାଗ ପଛରେ ପଡ଼ିଯାଇଛି।  ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆସାମ ଓ ଉତ୍ତର ପୂର୍ବାଞ୍ଚଳ ଏଥିରେ ସାମିଲ ରହିଛି। ଏସବୁ ଅଞ୍ଚଳରେ ଅଦ୍ଭୂତ ସାମର୍ଥ୍ୟର ପୁଞ୍ଜି ପଡ଼ିରହିଛି। କେବଳ ଏହି ଇଲାକା ବିକଶିତ ହୋଇଗଲେ, ଭାରତ କେବେ ବି ପଛରେ ପଡ଼ିଯିବ ନାହିଁ। ଏତେ ଶକ୍ତି ରହିଛି ଏହି ଅଞ୍ଚଳରେ। ବିଗତ ଛଅ ବର୍ଷର ବିଶ୍ଳେଷଣ କଲେ ଆପଣମାନେ ଜାଣିପାରିବେ ପୂର୍ବ ଭାରତରେ ଭିତ୍ତିଭୂମି ବିକାଶ ଲାଗି ସବୁଠୁ ବଡ଼ ପ୍ରୟାସ କରାଯାଇଛି। ସବୁଠୁ ଅଧିକ ଗୁରୁତ୍ବ ପୂର୍ବ ଭାରତ ପ୍ରତି ଦିଆଯାଇଛି। ଯାହାଫଳରେ ଦେଶର ପୂର୍ବ ଓ ପଶ୍ଚିମରେ ଏକ ସନ୍ତୁଳିତ ବିକାଶ ହୋଇପାରିବ। ପ୍ରାକୃତିକ କାରଣରୁ 19-20 ଫରକ ହେବ ଏହା ମୁଁ ବୁଝିପାରୁଛି। ପୂର୍ବ ଭାରତ ଦେଶର ନେତୃତ୍ବ ନେଉଥିବା ସମୟରେ ଭାରତରେ ସୁବର୍ଣ୍ଣ ଯୁଗ ଥିଲା। ଓଡ଼ିଶା, ବିହାର ଏପରିକି କୋଲକାତା ମଧ୍ୟ। ଏସବୁ ଭାରତର ନେତୃତ୍ବର କେନ୍ଦ୍ରବିନ୍ଦୁ ଥିଲେ। ସେ ସମୟରେ ଭାରତର ସ୍ବର୍ଣ୍ଣିମ କାଳର ଅର୍ଥ ଏଠାରେ ଏକ ଅଦ୍ଭୂତ ସାମର୍ଥ୍ୟ ରହିଛି। ଆମର ସାମର୍ଥ୍ୟକୁ ନେଇ ଯଦି ଆମେ ଆଗକୁ ପଢ଼ିବା ତା’ହେଲେ ଆମେ ପୁଣିଥରେ ଭାରତକୁ ସେହି ଉଚ୍ଚତାକୁ ନେଇଯାଇପାରିବା।

ସାଥୀଗଣ,

ବ୍ୟବସାୟ ଓ ଉଦ୍ୟୋଗ ଲାଗି ସବୁଠୁ ବଡ଼ ଆବଶ୍ୟକତା ହେଉଛି-ଭିତ୍ତିଭୂମି! ଆଜି ଓଡ଼ିଶାରେ ହଜାର ହଜାର କିମିର ଜାତୀୟ ରାଜପଥ ନିର୍ମାଣ କରାଯାଉଛି, ଉପକୂଳ ରାଜପଥ ନିର୍ମାଣ କରାଯାଉଛି ଯାହା ବନ୍ଦରକୁ ଯୋଡ଼ିବ। ଶହ ଶହ କିମି ନୂଆ ରେଳଲାଇନ୍ ବିଗତ 6-7 ବର୍ଷରେ ବିଛା ଯାଇଛି। ସାଗରମାଳା ପ୍ରକଳ୍ପ ଉପରେ ମଧ୍ୟ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଭିତ୍ତିଭୂମି ପରେ ଆସନ୍ତା ମହତ୍ବପୂର୍ଣ୍ଣ ଉପାଦାନ ହେଉଛି ଉଦ୍ୟୋଗ! ଏ ଦିଗରେ ଉଦ୍ୟୋଗ, କମ୍ପାନୀକୁ ପ୍ରୋତ୍ସାହିତ କରିବା ଲାଗି କାମ କରାଯାଉଛି। ତୈଳ ଓ ଗ୍ୟାସ ସହ ଜଡ଼ିତ ଯେତେକ ବ୍ୟାପକ ସମ୍ଭାବନା ଓଡ଼ିଶାରେ ରହିଛି, ସେଥିପାଇଁ ମଧ୍ୟ ହଜାର ହଜାର କୋଟି ଟଙ୍କାର ନିବେଶ କରାଯାଇଛି। ତୈଳ ବିଶୋଧନାଗାର ହେଉ, ଇଥାନଲ ଜୈବ ବିଶୋଧନାଗାରର ନୂଆ ନୂଆ ପ୍ଲାଣ୍ଟସ ଆଜି ଓଡ଼ିଶାରେ ତିଆରି ହେଉଛି। ସେହିପରି ଇସ୍ପାତ ଉଦ୍ୟୋଗର ବ୍ୟାପକ ସମ୍ଭାବନାକୁ ମଧ୍ୟ ଆକାର ଦିଆଯାଉଛି। ହଜାର ହଜାର କୋଟି ଟଙ୍କାର ନିବେଶ ଓଡ଼ିଶାରେ କରାଯାଇଛି। ଓଡ଼ିଶା ନିକଟରେ ସମୁଦ୍ରରେ ସମ୍ବଳ ସେସ ବୃଦ୍ଧି ଅପାର ସୁଯୋଗ ରହିଛି। ଦେଶର ପ୍ରୟାସ ହେଉଛି ନୀଳ ବିପ୍ଳବ ଜରିଆରେ ସମ୍ବଳ ଓଡ଼ିଶାର ପ୍ରଗତିର ଆଧାର ହେଉ, ଏଠାକାର ମତ୍ସ୍ୟଜୀବୀ-କୃଷକ ଜୀବନ ସ୍ତର ଉନ୍ନତ ହେଉ।

ସାଥୀଗଣ,

ଆଗାମୀ ଦିନରେ ଏହି ବ୍ୟାପକ ସମ୍ଭାବନା ଲାଗି ଦକ୍ଷତାର ମଧ୍ୟ ବହୁତ ବଡ଼ ଆବଶ୍ୟକତା ରହିଛି। ଓଡ଼ିଶାର ଯୁବକମାନଙ୍କୁ ଏହି ବିକାଶର ଅଧିକରୁ ଅଧିକ ଲାଭ ମିଳୁ, ସେଥିପାଇଁ ଆଇଆଇଟି ଭୁବନେଶ୍ବର, ଆଇଜର ବ୍ରହ୍ମପୁର ଏବଂ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ସ୍କିଲ ଭଳି ସଂସ୍ଥାନ ପ୍ରତିଷ୍ଠା କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ମୋତେ ଓଡ଼ିଶାରେ ଆଇଆଇଏମ ସମ୍ବଲପୁର ଶିଳାନ୍ୟାସର ସୌଭାଗ୍ୟ ମଧ୍ୟ ମିଳିଥିଲା। ଏହି ସଂସ୍ଥାନ ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାରେ ଭବିଷ୍ୟତର ନିର୍ମାଣ କରିବେ, ବିକାଶର ନୂଆ ଗତି ଦେବେ।

ବନ୍ଧୁଗଣ,

ଉତ୍କଳମଣି ଗୋପବନ୍ଧୁ ଦାସ ଜୀ ଲେଖିଛନ୍ତି-ଜଗତ ସରସେ ଭାରତ କନଲ। ତା’ ମଧ୍ୟେ ପୂଣ୍ୟ ନୀଳାଚଳ। ଆଜି ଯେତେବେଳେ ଦେଶ ସ୍ବାଧୀନତାର 75 ବର୍ଷର ଶୁଭ ଅବସର ଲାଗି ପ୍ରସ୍ତୁତ ହେଉଛି, ତା’ହେଲେ ଆମକୁ ସେହି ଭାବକୁ, ସେହି ସଂକଳ୍ପକୁ ପୁଣିଥରେ ସାକାର କରିବାକୁ ହେବ। ଆହୁରି ମୁଁ ଦେଖିଛି ଯେ ବୋଧହୁଏ ମୋ ପାଖରେ ସଠିକ ତଥ୍ୟ ନାହିଁ। କିନ୍ତୁ ବେଳେ ବେଳେ ଲାଗୁଛି ଯେ କୋଲକାତା ପରେ ଅନ୍ୟ କୌଣସି ସହରରେ ଯଦି ଓଡ଼ିଶାର ଲୋକମାନେ ଅଧିକ ସଂଖ୍ୟାରେ ରହୁଛନ୍ତି ସେ ସହର ହେଉଛି ସୁରତ। ଏହି କାରଣରୁ ମୋର ସେମାନଙ୍କ ସହିତ ବଡ଼ ସ୍ବାଭାବିକ ସମ୍ପର୍କ ମଧ୍ୟ ରହିଛି। ଏପରି ସରଳ ଜୀବନ କମରୁ ଅତି କମ ସାଧନ ଏବଂ ବ୍ୟବସ୍ଥାରେ ସୁଖପୂର୍ଣ୍ଣ ଜୀବନ ବଞ୍ଚିବାକୁ ମୁଁ ଅତି ନିକଟରୁ ଦେଖିଛି। ସେମାନଙ୍କ ନାମରେ କୌଣସି ଉପଦ୍ରବ ନାହିଁ, ସେମାନେ ଶାନ୍ତିପ୍ରିୟ ଅଟନ୍ତି। ମୁଁ ପୂର୍ବ ଭାରତ କଥା ଆଲୋଚନା କରୁଛି। ଆଜି ଦେଶରେ ମୁମ୍ବାଇ ବିଷୟରେ ଆଲୋଚନା କରାଯାଉଛି। ସ୍ବାଧୀନତା ପୂର୍ବରୁ କରାଚି, ଲାହୋର ସମ୍ପର୍କରେ ଆଲୋଚନା କରାଯାଉଥିଲା। ଧୀରେ ଧୀରେ ବାଙ୍ଗାଲୋର ଓ ହାଇଦ୍ରାବାଦ ବିଷୟରେ ଆଲୋଚନା ହେବାକୁ ଲାଗିଲା। ଚେନ୍ନାଇ ଓ କୋଲକାତା ଭଳି ସହରର ହିନ୍ଦୁସ୍ତାନର ପ୍ରଗତି, ବିକାଶ ଓ ଅର୍ଥବ୍ୟବସ୍ଥାରେ ଅନେକ ଯୋଗଦାନ ରହିଛି। ଏହାକୁ ସ୍ମରଣ କରି ଅନେକ ଲୋକ ଲେଖିଥାନ୍ତି। ଭାଇବ୍ରାଣ୍ଟ କୋଲକାତାର ଭବିଷ୍ୟତକୁ ନେଇ ଚିନ୍ତା କରୁଥିବା ଲୋକ କୋଲକାତାକୁ ସମଗ୍ର ପୂର୍ବ ଭାରତ ଓ ବଙ୍ଗର ବିକାଶ ପାଇଁ ନେତୃତ୍ବ ନେବା ଲାଗି ସମର୍ଥ କରିପାରିବ। ପୂର୍ବ ଭାରତର ବିକାଶ ପାଇଁ କୋଲକାତା ଏକ ଶକ୍ତି ହୋଇ ଉଭା ହେବ। ଏହି ସମ୍ପୂର୍ଣ୍ଣ ମ୍ୟାପକୁ ନେଇ ଆମେ କାମ କରୁଛୁ। ମୋର ବିଶ୍ବାସ ରହିଛି ଯେ କେବଳ ଦେଶର କଲ୍ୟାଣ ପାଇଁ ଏସବୁ ନିଷ୍ପତ୍ତି ନିଆଯାଇଛି। ମୁଁ ଆଜି ଶ୍ରୀମାନ ହରେକୃଷ୍ଣ ମହତାବ ଫାଉଣ୍ଡେସନର ବିଦ୍ବାନମାନଙ୍କୁ ଅନୁରୋଧ କରିବି ଯେ ମହତାବ ଜୀଙ୍କ କାମକୁ ଆଗକୁ ବଢ଼ାଇବାର ଏକ ମହାନ ଅବସର ଅଟେ। ଆମକୁ ଓଡ଼ିଶା ଇତିହାସ, ସଂସ୍କୃତି, ବାସ୍ତୁର ବୈଭବକୁ ଦେଶ-ବିଦେଶ ପର୍ଯ୍ୟନ୍ତ ନେବାକୁ ହେବ। ଆସନ୍ତୁ, ଅମୃତ ମହୋତ୍ସବରେ ଆମେ ଦେଶର ଆବାହନ ସହିତ ଯୋଡ଼ି ହେବା, ଏହି ଅଭିଯାନକୁ ଜନଗଣଙ୍କ ଅଭିଯାନ କରିବା। ମୋର ବିଶ୍ବାସ ରହିଛି ଏହି ଅଭିଯାନ ସେହିପରି ବିଚାରଗତ ଶକ୍ତିର ପ୍ରବାହ ହେବ, ଯେପରିକ ସଂକଳ୍ପ ଶ୍ରୀ ହରେକୃଷ୍ଣ ମହତାବ ସ୍ବାଧୀନତା ସଂଗ୍ରାମ ସମୟରେ ନେଇଥିଲେ। ଏହି ଶୁଭ-ସଂକଳ୍ପ ସହିତ, ମୋତେ ପୁଣିଥରେ ଏହି ଗୁରୁତ୍ବପୂର୍ଣ୍ଣ ଅବସର ସହିତ, ଏହି ପରିବାର ସହିତ ଯୋଡ଼ି ହେବାର ସୁଯୋଗ ମିଳିଥିବାରୁ ମୁଁ ମହତାବ ଫାଉଣ୍ଡେସନ ନିକଟରେ କୃତଜ୍ଞ। ଭାଇ ଭର୍ତ୍ତୃହରିଙ୍କ ନିକଟରେ କୃତଜ୍ଞ। ମୋତେ ଆପଣମାନଙ୍କ ଗହଣକୁ ଆସି ନିଜ ଭାବନାକୁ ବ୍ୟକ୍ତ କରିବାର ଅବସର ମିଳିଲା। ଆହୁରି ଯାହା ପ୍ରତି ମୋର ଶ୍ରଦ୍ଧା ଓ ଆଦର ରହିଛି, ତାଙ୍କ ପରି ଇତିହାସର ଘଟଣା ସହିତ ଯୋଡ଼ି ହେବା ଲାଗି ମୋତେ ଆଜି ସୁଯୋଗ ମିଳିଛି। ମୁଁ ଅନେକ ଅନେକ କୃତଜ୍ଞତା ବ୍ୟକ୍ତ କରୁଛି।

ଅନେକ ଅନେକ ଧନ୍ୟବାଦ !!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP sugarcane payments cross ₹31,000 crore in current crushing season

Media Coverage

UP sugarcane payments cross ₹31,000 crore in current crushing season
NM on the go

Nm on the go

Always be the first to hear from the PM. Get the App Now!
...
Chairman of the Rastriya Swatantra Party of Nepal meets Prime Minister
June 03, 2026

The Chairman of the Rastriya Swatantra Party of Nepal, Mr. Rabi Lamichhane today met Prime Minister Shri Narendra Modi.

The Prime Minister expressed his delight upon the meeting and stated that he welcomes and fully shares Mr. Lamichhane's desire to work closely together for a shared and prosperous future.

Shri Modi noted that Nepal is a priority partner under the Neighbourhood First policy. The Prime Minister affirmed that India looks forward to collaborating with the new government to elevate the special and multifaceted relationship between the two countries to greater heights.

The Prime Minister posted on X:

"Delighted to meet the Chairman of the Rastriya Swatantra Party of Nepal Mr. Rabi Lamichhane. I welcome and fully share his desire to work closely together for a shared and prosperous future.

Nepal is a priority partner under our Neighbourhood First policy and we look forward to collaborating with the new government to elevate the special and multifaceted relationship between our two countries to greater heights."