ପାଖାପାଖି ୨୫୦ କୋଟି ଟଙ୍କାର ବ୍ରଡକାଷ୍ଟିଂ କ୍ଷେତ୍ର ସହ ଜଡ଼ିତ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ
ସୁନ୍ଦର ସହର ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆୟୋଜନ ହେବା ଅତ୍ୟନ୍ତ ଆନନ୍ଦର ବିଷୟ
"ଖେଲୋ ଇଣ୍ଡିଆ ଗେମ୍ସ - ୨୦୨୪ ଆରମ୍ଭ କରିବାର ଏକ ଭଲ ଉପାୟ"
"ତାମିଲନାଡୁ ଏପରି ଏକ ରାଜ୍ୟ ଯାହା ଚାମ୍ପିୟନ ସୃଷ୍ଟି କରିଛି"
"ଭାରତକୁ ଏକ ଶୀର୍ଷ କ୍ରୀଡ଼ା ରାଷ୍ଟ୍ର ରେ ପରିଣତ କରିବା ପାଇଁ ମେଗା କ୍ରୀଡ଼ା ଇଭେଣ୍ଟର ଆୟୋଜନ ଗୁରୁତ୍ୱପୂର୍ଣ୍ଣ"
ସେ କହିଛନ୍ତି, ବୀର ମଙ୍ଗାଇ ଭେଲୁ ନାଚିୟାର ନାରୀ ଶକ୍ତିର ପ୍ରତୀକ। ଆଜି ସରକାରଙ୍କ ଅନେକ ନିଷ୍ପତ୍ତିରେ ତାଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହେଉଛି
ବିଗତ ୧୦ ବର୍ଷ ମଧ୍ୟରେ ସରକାର ସଂସ୍କାର ଆଣିଛନ୍ତି, ଆଥଲେଟମାନେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସମଗ୍ର କ୍ରୀଡ଼ା ବ୍ୟବସ୍ଥା ଭାରତରେ ବଦଳିଯାଇଛି
ଆଜି ଆମେ ଯୁବପିଢ଼ିଙ୍କୁ କ୍ରୀଡ଼ାକୁ ଆସିବାକୁ ଅପେକ୍ଷା କରୁନାହୁଁ, କ୍ରୀଡ଼ାକୁ ଯୁବବର୍ଗଙ୍କ ପାଖରେ ପହଞ୍ଚାଉଛୁ
ଆଜି ସ୍କୁଲ ଓ କଲେଜରେ ପଢୁଥିବା ଯୁବପିଢି ଯେଉଁମାନେ କ୍ରୀଡ଼ା ସମ୍ବନ୍ଧୀୟ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କର ଉନ୍ନତ ଭବିଷ୍ୟତ ମଧ୍ୟ ମୋଦିଙ୍କ ଗ୍ୟାରେଣ୍ଟି

ନମସ୍କାର ଚେନ୍ନାଇ!

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ. ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ. ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ଅନୁରାଗ ଠାକୁର, ଏଲ.ମୁରୁଗାନ ଏବଂ ନିଶିଥ ପ୍ରାମାଣିକ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଭାରତର କୋଣ ଅନୁକୋଣରୁ ଆସିଥିବା ମୋର ଯୁବ ସାଥିମାନେ।

୧୩ତମ ଖେଲୋ ଇଣ୍ଡିଆ ଗେମ୍ସରେ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି । ୨୦୨୪ ଆରମ୍ଭ କରିବା ପାଇଁ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ଭଲ ଅବସର । ଏଠାରେ ଏକାଠି ହୋଇଥିବା ମୋର ଯୁବ ବନ୍ଧୁମାନେ ଏକ ଯୁବ ଭାରତ, ଏକ ନୂତନ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଆପଣମାନଙ୍କ ଶକ୍ତି ଏବଂ ଉତ୍ସାହ ସହିତ ଆମ ଦେଶକୁ କ୍ରୀଡ଼ା ଦୁନିଆରେ ଏକ ନୂତନ ନୂତନ ଶିଖରକୁ ନେଇଯାଉଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଚେନ୍ନାଇ ଆସିଥିବା ସମସ୍ତ ଆଥଲେଟ୍ ଓ କ୍ରୀଡ଼ାପ୍ରେମୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆପଣମାନେ ଏକାଠି ହୋଇ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ଭାବନା ପ୍ରଦର୍ଶନ କରୁଛନ୍ତି । ତାମିଲନାଡୁର ଜନସାଧାରଣ ଲୋକ, ସୁନ୍ଦର ତାମିଲ ଭାଷା, ସଂସ୍କୃତି ଏବଂ ଖାଦ୍ୟପେୟ ନିଶ୍ଚିତ ଭାବରେ ଆପଣଙ୍କୁ ଘରେ ଅନୁଭବ କରାଇବ । ମୁଁ ନିଶ୍ଚିତ ଯେ ସେମାନଙ୍କର ଆତିଥ୍ୟ ଆପଣଙ୍କ ହୃଦୟ ଜିତିବ । ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ନିଶ୍ଚିତ ଭାବରେ ଆପଣଙ୍କୁ ଆପଣଙ୍କ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ । କିନ୍ତୁ ଏହା ଆପଣଙ୍କୁ ନୂତନ ବନ୍ଧୁତା କରିବାରେ ମଧ୍ୟ ସାହାଯ୍ୟ କରିବ ଯାହା ସାରା ଜୀବନ ବ୍ୟାପି ଚାଲିବ ।

 

ସାଥିମାନେ,

ଆଜି ଏଠାରେ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ ହୋଇଛି। ୧୯୭୫ରେ ପ୍ରସାରଣ ଆରମ୍ଭ ହୋଇଥିବା ଚେନ୍ନାଇ ଦୂରଦର୍ଶନ କେନ୍ଦ୍ର ଆଜିଠାରୁ ଏକ ନୂଆ ଯାତ୍ରା ଆରମ୍ଭ କରୁଛି । ଆଜି ଏଠାରେ ଡିଡି ତାମିଲ ଚ୍ୟାନେଲକୁ ମଧ୍ୟ ଏକ ନୂଆ ଅବସରରେ ଲଞ୍ଚ କରାଯାଇଛି । ୮ଟି ରାଜ୍ୟରେ ୧୨ଟି ନୂଆ ଏଫ୍‌ଏମ୍ ଟ୍ରାନ୍ସମିଟର ଆରମ୍ଭ ହେଲେ ପ୍ରାୟ ଦେଢ଼ କୋଟି ଲୋକ ଉପକୃତ ହେବେ । ଆଜି ୨୬ଟି ନୂଆ ଏଫଏମ ଟ୍ରାନ୍ସମିଟର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହି ସଫଳତା ପାଇଁ ମୁଁ ତାମିଲନାଡୁବାସୀ ଏବଂ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

 

 

ସାଥିମାନେ,

ଭାରତରେ କ୍ରୀଡ଼ାର ବିକାଶରେ ତାମିଲନାଡୁର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ଏକ ଭୂମି ଯାହା ଚାମ୍ପିୟନ ସୃଷ୍ଟି କରିଥାଏ । ଏହି ମାଟି ଟେନିସରେ ନିଜର ପରିଚୟ ସୃଷ୍ଟି କରିଥିବା ଅମୃତରାଜ ଭାଇମାନଙ୍କୁ ଜନ୍ମ ଦେଇଥିଲା । ଏହି ମାଟିରୁ ହକି ଦଳର ଅଧିନାୟକ ଭାସ୍କରନ ଉଭା ହୋଇଥିଲେ, ଯାହାଙ୍କ ନେତୃତ୍ୱରେ ଭରତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ବିଶ୍ୱନାଥନ ଆନନ୍ଦ, ପ୍ରଜ୍ଞାନନ୍ଦ ଓ ପାରାଲିମ୍ପିକ୍ସ ଚାମ୍ପିୟନ ମରିୟାପ୍ପନଙ୍କ ଭଳି ଚେସ୍ ଖେଳାଳି ମଧ୍ୟ ତାମିଲନାଡୁର ଉପହାର । ଏହି ମାଟିରୁ ଏଭଳି ଅନେକ ଆଥଲେଟ୍ ଉଭା ହୋଇଛନ୍ତି, ଯେଉଁମାନେ ପ୍ରତ୍ୟେକ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ମୋର ବିଶ୍ୱାସ ଯେ ଆପଣମାନେ ସମସ୍ତେ ତାମିଲନାଡୁ ମାଟିରୁ ଆହୁରି ଅଧିକ ପ୍ରେରଣା ପାଇବେ ।

ସାଥିମାନେ,

ଆମେ ସମସ୍ତେ ଭାରତକୁ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ମାନଙ୍କ ମଧ୍ୟରେ ଦେଖିବାକୁ ଚାହୁଁଛୁ । ଏଥିପାଇଁ ଦେଶରେ କ୍ରମାଗତ ଭାବେ ବଡ଼ ଧରଣର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା, ଆଥଲେଟମାନଙ୍କ ଅଭିଜ୍ଞତା ବୃଦ୍ଧି କରିବା ଏବଂ ତୃଣମୂଳ ସ୍ତରରୁ ଖେଳାଳିଚୟନ କରି ପ୍ରମୁଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଜରୁରୀ । ଖେଲୋ ଇଣ୍ଡିଆ ଅଭିଯାନ ଆଜି ଏହି ଭୂମିକା ନିର୍ବାହ କରୁଛି । ୨୦୧୮ରୁ ଖେଲୋ ଇଣ୍ଡିଆ ଗେମ୍ସର ୧୨ଟି ସଂସ୍କରଣ ଆୟୋଜନ କରାଯାଇଛି । ଇଣ୍ଡିଆ ୟୁଥ୍ ଗେମ୍ସ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ, ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଓ ଖେଲୋ ଇଣ୍ଡିଆ ପାରା ଗେମ୍ସ ଖେଳିବା ଓ ନୂଆ ପ୍ରତିଭାଙ୍କୁ ଆଗେଇ ଆଣିବାର ସୁଯୋଗ ପ୍ରଦାନ କରୁଛି । ପୁଣି ଥରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଉଦ୍ ଘାଟନ ହେଉଛି । ତାମିଲନାଡୁର ଚେନ୍ନାଇ, ତ୍ରିଚି, ମଦୁରାଇ ଏବଂ କୋଏମ୍ବାଟୁର ଭଳି ଚମତ୍କାର ସହର ଚାମ୍ପିୟନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ।

 

ସାଥିମାନେ,

ମୋର ବିଶ୍ୱାସ ଯେ ଆପଣ ଜଣେ ଆଥଲେଟ୍ ହୁଅନ୍ତୁ କିମ୍ବା ଦର୍ଶକ, ଚେନ୍ନାଇର ସୁନ୍ଦର ବେଳାଭୂମିର ମୋହ ସମସ୍ତଙ୍କୁ ସେମାନଙ୍କ ଆଡକୁ ଆକର୍ଷିତ କରିବ । ମଦୁରାଇରେ ଥିବା ଅନନ୍ୟ ମନ୍ଦିରଗୁଡିକର ଦିବ୍ୟ ଆଭା ଆପଣ ଅନୁଭବ କରିବେ । ତ୍ରିଚିର ମନ୍ଦିର ଏବଂ ସେଠାକାର କଳା ଏବଂ କାରିଗରୀ ଆପଣଙ୍କ ମନକୁ ଆକର୍ଷିତ କରିବ । ଏବଂ କୋଏମ୍ବାଟୁରର ପରିଶ୍ରମୀ ଉଦ୍ୟୋଗୀମାନେ ଆପଣଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବେ । ତାମିଲନାଡୁର ଏହି ସବୁ ସହରରେ ଆପଣ ଏକ ଦିବ୍ୟ ଅନୁଭବ କରିବେ ଯାହାକୁ ଆପଣ କେବେ ବି ଭୁଲିବାକୁ ଚାହିଁବେ ନାହିଁ ।

ସାଥିମାନେ,

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୩୬ଟି ରାଜ୍ୟର କ୍ରୀଡ଼ାବିତ୍ ମାନେ ନିଜର ପ୍ରତିଭା ଓ ସମର୍ପଣ ପ୍ରଦର୍ଶନ କରିବେ । ମୁଁ ସେହି ପରିବେଶକୁ କଳ୍ପନା କରିପାରିବି ଯେତେବେଳେ ୫ହଜାରରୁ ଅଧିକ ଯୁବ ଆଥଲେଟ୍ ସେମାନଙ୍କ ଆଗ୍ରହ ଏବଂ ଉତ୍ସାହ ସହିତ ପଡ଼ିଆକୁ ଓହ୍ଲାଇବେ । ତୀରନ୍ଦାଜି, ଆଥଲେଟିକ୍ସ ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ପ୍ରତିଯୋଗିତା ଆମକୁ ଆନନ୍ଦ ଦେବ ବୋଲି ଆମେ ଅପେକ୍ଷା କରିଛୁ । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ସଫଳତାର ଶକ୍ତିକୁ ଅପେକ୍ଷା କରିଛୁ । ତାମିଲନାଡୁର ପ୍ରାଚୀନ ଗୌରବ ଓ ଐତିହ୍ୟକୁ ଉନ୍ନତ କରିବା ଭଳି କ୍ରୀଡ଼ା ସିଲାମ୍ବାମର ଦକ୍ଷତା ଆମେ ଆଶା କରୁଛୁ । ବିଭିନ୍ନ ରାଜ୍ୟ ଏବଂ ବିଭିନ୍ନ କ୍ରୀଡ଼ାର ଖେଳାଳିମାନେ ଏକ ସାଧାରଣ ସଂକଳ୍ପ, ପ୍ରତିବଦ୍ଧତା ଏବଂ ଭାବନା ସହିତ ଏକାଠି ହେବେ । କ୍ରୀଡ଼ା ପ୍ରତି ଆପଣଙ୍କର ସମର୍ପଣ, ନିଜ ଉପରେ ଆପଣଙ୍କର ନିଜର ଆତ୍ମବିଶ୍ୱାସ ଆହ୍ୱାନର ମୁକାବିଲା କରିବାର ସାହସ ଏବଂ ଅସାଧାରଣ ପ୍ରଦର୍ଶନ ପାଇଁ ସଂକଳ୍ପ ସମଗ୍ର ଦେଶ ଦେଖିବ ।

 

ସାଥିମାନେ,

ତାମିଲନାଡୁ ହେଉଛି ମହାନ ସନ୍ଥ ଥିରୁଭାଲ୍ଲୁବରଙ୍କ ପବିତ୍ର ଭୂମି । ସନ୍ଥ ଥିରୁଭାଲ୍ଲୁଭର ଯୁବକମାନଙ୍କୁ ଏକ ନୂତନ ଦିଗ ପ୍ରଦାନ କରିଥିଲେ ଏବଂ ତାଙ୍କ ଲେଖା ମାଧ୍ୟମରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଲୋଗୋରେ ମହାନ ଥିରୁଭାଲ୍ଲୁଭରଙ୍କ ଛବି ମଧ୍ୟ ରହିଛି । ସନ୍ଥ ଥିରୁଭାଲ୍ଲୁଭର ଲେଖିଛନ୍ତି, 'ଅରୁମାଇ ଉନେଥଥେଁ ଆସବମାଇ ନେଭଣ୍ଡମ୍‌, ପେରୁମେ ମୁୟାରଚି ଥାରୁମ’ ଅର୍ଥାତ୍ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମେ ଦୁର୍ବଳ ହେବା ଉଚିତ ନୁହେଁ, ଆମେ ଅସୁବିଧାରୁ ଦୂରେଇ ଯିବା ଉଚିତ୍ ନୁହେଁ । ଆମେ ଆମମନକୁ ସୁଦୃଢ଼ କରିବା ଉଚିତ ଏବଂ ଆମର ଲକ୍ଷ୍ୟ ହାସଲ କରିବା ଉଚିତ୍ । ଜଣେ ଆଥଲେଟ୍ ଙ୍କ ପାଇଁ ଏହା ଏକ ବଡ଼ ପ୍ରେରଣା । ମୁଁ ଆନନ୍ଦିତ ଯେ ଏଥର ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ମାସ୍କଟ୍ ହେଉଛି ବୀରା ମଙ୍ଗାଇ ଭେଲୁ ନାଚିୟାର । ବାସ୍ତବ ଜୀବନର ବ୍ୟକ୍ତିତ୍ୱକୁ ମାସ୍କଟ୍ ଭାବେ ବାଛିବା ଅଭୂତପୂର୍ବ । ବୀରା ମଙ୍ଗଇ ଭେଲୁ ନାଚିୟାର ନାରୀ ଶକ୍ତିର ପ୍ରତୀକ । ଆଜି ଅନେକ ସରକାରୀ ନିଷ୍ପତ୍ତିରେ ତାଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହେଉଛି । ତାଙ୍କ ପ୍ରେରଣା ସରକାରଙ୍କୁ କ୍ରୀଡ଼ାରେ ମହିଳାସଶକ୍ତୀକରଣ ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛି । ଖେଲୋ ଇଣ୍ଡିଆ ଅଭିଯାନ ଅଧୀନରେ ୨୦ଟି କ୍ରୀଡ଼ାରେ ମହିଳା ଲିଗ୍ ଆୟୋଜନ କରାଯାଇଛି । ଏଥିରେ ୫୦ ହଜାରରୁ ଅଧିକ ମହିଳା ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ‘ଦଶ କା ଦମ୍‌' ଅଭିଯାନ ମଧ୍ୟ ୧ ଲକ୍ଷରୁ ଅଧିକ ମହିଳା ଆଥଲେଟ୍‌ଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା ।

ସାଥିମାନେ,

୨୦୧୪ ପରଠାରୁ ହଠାତ୍ ଆମ ଆଥଲେଟଙ୍କ ପ୍ରଦର୍ଶନରେ ଏତେ ଉନ୍ନତି ଆସିଛି ବୋଲି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛି ବୋଲି ଆପଣ ଦେଖିଥିବେ । ଏସୀୟ କ୍ରୀଡ଼ା ଓ ଏସୀୟ ପାରା ଗେମ୍ସରେ ମଧ୍ୟ ଭାରତ ଇତିହାସ ରଚିଛି । ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଦେଶ ପଦକର ଏକ ନୂଆ ରେକର୍ଡ ସ୍ଥାପନ କରିଛି । ରାତାରାତି ଏହି ପରିବର୍ତ୍ତନ ହୋଇନଥିଲା । ଖେଳାଳିଙ୍କ କଠିନ ପରିଶ୍ରମ ଓ ନିଷ୍ଠା ସବୁବେଳେ ରହିଥିଲା । ତେବେ ଗତ ୧୦ ବର୍ଷ ମଧ୍ୟରେ ସେମାନେ ନୂଆ ଆତ୍ମବିଶ୍ୱାସ ହାସଲ କରିଛନ୍ତି ଏବଂ ପ୍ରତ୍ୟେକ ପଦକ୍ଷେପରେ ସରକାରଙ୍କ ସମର୍ଥନ ନିରନ୍ତର ରହିଛି । ଅତୀତରେ କ୍ରୀଡ଼ାର ସ୍ଥିତି ଭିନ୍ନ ଥିଲା ଏବଂ ଆମେ ସେହି ପ୍ରକାର ଖେଳକୁ ବନ୍ଦ କରିଦେଇଛୁ । ବିଗତ ୧୦ ବର୍ଷ ମଧ୍ୟରେ ସରକାର ସଂସ୍କାର ଆରମ୍ଭ କରିଛନ୍ତି, ଆଥଲେଟ୍‌ମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଏବଂ ସମଗ୍ର କ୍ରୀଡ଼ା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ଆଜି ଖେଲୋ ଇଣ୍ଡିଆ ଅଭିଯାନ ଜରିଆରେ ଦେଶର ହଜାର ହଜାର ଆଥଲେଟ୍‌ଙ୍କୁ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଆର୍ôଥକ ସହାୟତା ମିଳୁଛି । ୨୦୧୪ରେ, ଆମେ ଟପ୍ସ (ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍‌) ଆରମ୍ଭ କରିଥିଲୁ, ଯାହା ପ୍ରମୁଖ କ୍ରୀଡ଼ା ଇଭେଣ୍ଟରେ ଶୀର୍ଷ ଆଥଲେଟ୍‌ମାନଙ୍କ ପ୍ରଶିକ୍ଷଣ, ଅନ୍ତର୍ଜାତୀୟ ପ୍ରଦର୍ଶନ ଏବଂ ଅଂଶଗ୍ରହଣକୁ ସୁନିଶ୍ଚିତ କରିଥାଏ । ଏବେ ଆମର ଫୋକସ ୨୦୨୪ରେ ପ୍ୟାରିସ ଅଲିମ୍ପିକ୍ସ ଓ ୨୦୨୮ରେ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସ ଉପରେ ରହିଛି । ଟପ୍ସ ଅଧୀନରେ ଆଥଲେଟମାନଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ।

 

ସାଥିମାନେ,

ଆଜି ଆମେ ଯୁବପିଢ଼ିଙ୍କୁ କ୍ରୀଡ଼ାକୁ ଆସିବାକୁ ଅପେକ୍ଷା କରୁନାହୁଁ; ଆମେ କ୍ରୀଡ଼ାକୁ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଉଛୁ!

ସାଥିମାନେ,

ଖେଲୋ ଇଣ୍ଡିଆ ଭଳି ଅଭିଯାନ ଗ୍ରାମୀଣ, ଆଦିବାସୀ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଯୁବକମାନଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରୁଛି । ଆଜି ଯେତେବେଳେ ଆମେ ‘ଭୋକାଲ୍ ଫର୍ ଲୋକାଲ' ବିଷୟରେ କଥା ବାର୍ତ୍ତା କରନ୍ତୁ, ସେଥିରେ କ୍ରୀଡ଼ା ପ୍ରତିଭା ମଧ୍ୟ ସାମିଲ ହୋଇଥାଏ । ଆଜି ଆମେ ଖେଳାଳିଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇ ଦେଉଛୁ ଏବଂ ସ୍ଥାନୀୟ ସ୍ତରରେ ଭଲ ପ୍ରତିଯୋଗିତା ଆୟୋଜନ କରୁଛୁ । ଏହା ସେମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ ଦେଇଥାଏ । ଗତ ୧୦ ବର୍ଷ ମଧ୍ୟରେ ଆମେ ଭାରତରେ ପ୍ରଥମ ଥର ପାଇଁ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛୁ । କଳ୍ପନା କରନ୍ତୁ, ଆମର ଦେଶରେ ଏତେ ବିଶାଳ ସମୁଦ୍ର କୂଳ ଏବଂ ଅନେକ ବେଳାଭୂମି ଅଛି । କିନ୍ତୁ ଏବେ ପ୍ରଥମ ଥର ପାଇଁ ଆମେ ଦ୍ୱୀପପୁଞ୍ଜରେ ବେଳାଭୂମି ଖେଳର ଆୟୋଜନ କରିଛୁ । ଏହି କ୍ରୀଡ଼ାରେ ମଲ୍ଲଖମ୍ବ ଭଳି ପାରମ୍ପରିକ ଭାରତୀୟ କ୍ରୀଡ଼ା ସହ ଅନ୍ୟ ୮ଟି କ୍ରୀଡ଼ା ସାମିଲ ଥିଲା । ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୬୦୦ ଆଥଲେଟ୍ସ ଏହି କ୍ରୀଡ଼ାରେ ଭାଗ ନେଇଥିଲେ । ଏହା ଭାରତରେ ବେଳାଭୂମି ଖେଳ ଏବଂ କ୍ରୀଡ଼ା ପର୍ଯ୍ୟଟନ ପାଇଁ ଏକ ନୂତନ ଅଧ୍ୟାୟ ଖୋଲିଛି, ଯାହା ଆମ ଉପକୂଳବର୍ତ୍ତୀ ସହରଗୁଡ଼ିକ ପାଇଁ ଅନେକ ଲାଭ ଆଣିଛି ।

ସାଥିମାନେ,

ଆମେ ଆମର ଯୁବ ଆଥଲେଟ୍‌ସମାନଙ୍କୁ ଅନ୍ତର୍ଜାତୀୟ ପ୍ରଦର୍ଶନ ପ୍ରଦାନ କରିବା ଏବଂ ଭାରତକୁ ବିଶ୍ୱ କ୍ରୀଡ଼ା ଇକୋସିଷ୍ଟମରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ । ତେଣୁ ୨୦୨୯ରେ ଯୁବ ଅଲିମ୍ପିକ୍ସ ଓ ୨୦୩୬ରେ ଭାରତରେ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ଆମେ ନିଷ୍ଠାର ସହ କାର୍ଯ୍ୟ କରୁଛୁ । ଆପଣ ସମସ୍ତେ ଜାଣନ୍ତି ଯେ, କ୍ରୀଡ଼ା କେବଳ ପଡ଼ିଆରେ ସୀମିତ ନୁହେଁ । କ୍ରୀଡ଼ା ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୀତି, ଯାହା ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ଆଗାମୀ ୫ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ମୁଁ ଗ୍ୟାରେଣ୍ଟି ଦେଇଛି । ଏହି ଗ୍ୟାରେଣ୍ଟିରେ ଅର୍ଥନୀତିରେ କ୍ରୀଡ଼ାର ଅଂଶଗ୍ରହଣ ବୃଦ୍ଧି ଅନ୍ତର୍ଭୁକ୍ତ, ଏବଂ ଆମେ ସେ ଦିଗରେ ପ୍ରୟାସ କରୁଛୁ । ସେଥିପାଇଁ ଆମେ ବିଗତ ୧୦ ବର୍ଷ ଧରି କ୍ରୀଡ଼ା ସହ ଜଡ଼ିତ କ୍ଷେତ୍ରର ବିକାଶ କରୁଛୁ ।

 

ଆଜି କ୍ରୀଡ଼ା ସମ୍ବନ୍ଧୀୟ କ୍ଷେତ୍ରରେ ପେସାଦାରମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ଅପରପକ୍ଷେ, ଆମେ କ୍ରୀଡ଼ା ଉପକରଣ ଉତ୍ପାଦନ ଏବଂ ସେବା ସହିତ ଜଡ଼ିତ ଏକ ଇକୋସିଷ୍ଟମ୍ ବିକଶିତ କରୁଛୁ । କ୍ରୀଡ଼ା ବିଜ୍ଞାନ, ଉଦ୍ଭାବନ, ଉତ୍ପାଦନ, କ୍ରୀଡ଼ା ପ୍ରଶିକ୍ଷଣ, କ୍ରୀଡ଼ା ମନୋବିଜ୍ଞାନ ଏବଂ କ୍ରୀଡ଼ା ପୋଷଣ ସହ ଜଡ଼ିତ ପେସାଦାରମାନଙ୍କୁ ଆମେ ଏକ ପ୍ଲାଟଫର୍ମ ପ୍ରଦାନ କରୁଛୁ । କିଛି ଦିନ ତଳେ ଦେଶକୁ ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମିଳିଥିଲା । ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ସମଗ୍ର ଦେଶରେ ଆମର ୩୦୦ରୁ ଅଧିକ ସମ୍ମାନଜନକ ଏକାଡେମୀ, ଏକ ହଜାରରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ ୩୦ରୁ ଅଧିକ ଉତ୍କର୍ଷ କେନ୍ଦ୍ର ରହିଛି । ନୂଆ ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ମୁଖ୍ୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ କ୍ରୀଡ଼ାକୁ ପିଲାଦିନରୁ କ୍ୟାରିୟର ଭାବେ ବାଛିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।

ସାଥିମାନେ,

ଆକଳନ ଅନୁଯାୟୀ ଆଗାମୀ କିଛି ବର୍ଷ ମଧ୍ୟରେ ଭାରତର କ୍ରୀଡ଼ା ଶିଳ୍ପ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ପାଖାପାଖି ହେବ । ଏହା ଦ୍ୱାରା ସିଧାସଳଖ ଆମର ଯୁବ ଦେଶବାସୀ ଉପକୃତ ହେବେ । ସାମ୍ପ୍ରତିକ ବର୍ଷଗୁଡ଼ିକରେ କ୍ରୀଡ଼ା ବିଷୟରେ ସଚେତନତା ବୃଦ୍ଧି ଫଳରେ ପ୍ରସାରଣ, କ୍ରୀଡ଼ା ସାମଗ୍ରୀ, କ୍ରୀଡ଼ା ପର୍ଯ୍ୟଟନ ଏବଂ କ୍ରୀଡ଼ା ପୋଷାକ ଭଳି ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧି ଘଟିଛି । କ୍ରୀଡ଼ା ଉପକରଣ ଉତ୍ପାଦନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ଆମର ପ୍ରୟାସ । ବର୍ତମାନ ଆମେ ୩୦୦ ପ୍ରକାର ର କ୍ରୀଡ଼ା ଉପକରଣ ଉତ୍ପାଦନ କରୁଛୁ । ଦେଶର ବିଭିନ୍ନ ସ୍ଥାନରେ ଏହି ଶିଳ୍ପ ସହ ଜଡିତ ଉତ୍ପାଦନ କ୍ଲଷ୍ଟର ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।

 

ସାଥିମାନେ,

ଖେଲୋ ଇଣ୍ଡିଆ ଅଭିଯାନ ଅଧୀନରେ ସାରା ଦେଶରେ ବିକଶିତ ହେଉଥିବା କ୍ରୀଡ଼ା ଭିତ୍ତିଭୂମି ନିଯୁକ୍ତିର ଏକ ପ୍ରମୁଖ ଉତ୍ସ ପାଲଟିଛି । ବିଭିନ୍ନ କ୍ରୀଡ଼ା ସହ ଜଡ଼ିତ ବିଭିନ୍ନ କ୍ରୀଡ଼ା ଲିଗ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା ଶହ ଶହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଅର୍ଥାତ୍ କ୍ରୀଡ଼ା ସମ୍ବନ୍ଧୀୟ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ସ୍କୁଲ ଓ କଲେଜରେ ପଢୁଥିବା ଆଜିର ଯୁବପିଢ଼ିମାନଙ୍କର ଉନ୍ନତ ଭବିଷ୍ୟତ ନିଶ୍ଚିତ । ଏହା ମଧ୍ୟ ମୋଦିଙ୍କ ଗ୍ୟାରେଣ୍ଟି ।

 

ସାଥିମାନେ,

ଆଜି ଭାରତ କେବଳ କ୍ରୀଡ଼ା ନୁହେଁ, ସବୁ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ନୂଆ ଭାରତ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ସଫଳତା ହାସଲ କରୁଛି ଏବଂ ନୂଆ ମାଇଲଖୁଣ୍ଟ ସୃଷ୍ଟି କରୁଛି । ମୁଁ ଆମ ର ଯୁବବର୍ଗଙ୍କ ଶକ୍ତିରେ ବିଶ୍ୱାସ କରେ, ଜିତିବା ପାଇଁ ସେମାନଙ୍କ ଉତ୍ସାହରେ ବିଶ୍ୱାସ କରେ । ଆପଣଙ୍କର ଅତୁଟ ସଂକଳ୍ପ ଏବଂ ମାନସିକ ଶକ୍ତି ଉପରେ ମୋର ବିଶ୍ୱାସ ଅଛି । ଆଜିର ଭାରତରେ ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରି ତାହା ହାସଲ କରିବାର ସାମର୍ଥ୍ୟ ରହିଛି । କୌଣସି ରେକର୍ଡ ଭାଙ୍ଗିବା ଆମ ପାଇଁ ବହୁତ ବଡ କଥା ନୁହେଁ । ଚଳିତ ବର୍ଷ ଆମେ ନୂଆ ରେକର୍ଡ ସୃଷ୍ଟି କରିବୁ, ନିଜ ପାଇଁ ନୂଆ ରେଖା ଆଙ୍କିବୁ ଏବଂ ବିଶ୍ୱରେ ଏକ ଅବିସ୍ମରଣୀୟ ଛାପ ଛାଡିବୁ । ଆପଣମାନଙ୍କୁ ଆଗକୁ ବଢ଼ିବାକୁ ହେବ, କାରଣ ଭରତ ତୁମ ସହିତ ଆଗକୁ ବଢ଼ିବ । ହାତ ମିଳାନ୍ତୁ, ନିଜ ପାଇଁ ଜିତିବେ ଏବଂ ଦେଶ ପାଇଁ ଜିତିବେ । ପୁଣି ଥରେ ସମସ୍ତ କ୍ରୀଡ଼ାବିତ୍‌ମାନ୍‌ଙ୍କୁ ମୋର ଶୁଭେଚ୍ଛା ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi