Congratulates BRO and Indian Engineers for achieving the marvel feat of building the tunnel in the most difficult terrain of Pir Panjal ranges in Himachal
Tunnel would empower Himachal Pradesh, J&K Leh and Ladakh :PM
Farmers, Horticulturists, Youth, Tourists, Security Forces to benefit from the project: PM
Political Will needed to develop border area connectivity and implement infrastructure projects: PM
Speedier Economic Progress is directly dependent on fast track execution of various infrastructure works: PM

ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ ରାଜନାଥ ସିଂ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ହିମାଚଳ ପ୍ରଦେଶର ଯୁବକ ଅନୁରାଗ ଠାକୁର, ହିମାଚଳ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧିଗଣ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସୀମା ସଡ଼କ ସଂଗଠନ ସହ ଜଡ଼ିତ ସମସ୍ତ ସାଥୀ ଏବଂ ହିମାଚଳ ପ୍ରଦେଶର ମୋର ଭାଇ ଓ ଭଉଣୀମାନେ। ଆଜି ଏକ ଐତିହାସିକ ଦିବସ। ଆଜି କେବଳ ଅଟଳ ଜୀଙ୍କ ସ୍ୱପ୍ନ ପୂରଣ ହୋଇନାହିଁ, ଆଜି ହିମାଚଳ ପ୍ରଦେଶର କୋଟି କୋଟି ଲୋକମାନଙ୍କର ବହୁ ଦଶନ୍ଧି ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି।

ଏହା ମୋର ବଡ଼ ସୌଭାଗ୍ୟ ଯେ ଆଜି ମୁଁ ଅଟଳ ସୁଡ଼ଙ୍ଗର ଲୋକାର୍ପଣ କରିବାର ସୁଯୋଗ ପାଇଛି। ଆଜି ଯେପରି ଭାବେ ରାଜନାଥ ସିଂ ମହାଶୟ କହିଲେ, ମୁଁ ଏଠାରେ ସଂଗଠନର କାମରେ ଆସୁଥିଲି, ଏଠାକାର ପାହାଡ଼, ଜଙ୍ଗଲରେ ଖୁବ ଭଲ ସମୟ ବିତାଇଛି। ଯେତେବେଳେ ଅଟଳ ଜୀ ମନାଲିକୁ ଆସୁଥିଲେ ମୁଁ ତାଙ୍କ ପାଖରେ ଅଧିକାଂଶ ସମୟରେ ବସୁଥିଲି, ଗପସପ କରୁଥିଲି। ଦିନେ ଚା’ ପିଇବା ସମୟରେ ମୁଁ ଓ ଧୂମଲ ମହାଶୟ ଏ ବିଷୟକୁ ଅତି ଆଗ୍ରହର ସହିତ ତାଙ୍କ ସମ୍ମୁଖରେ ରଖିଲୁ। ଅଟଳ ଜୀ ବିଶେଷ ଆଗ୍ରହର ସହିତ ଆମ କଥା ଶୁଣିଥିଲେ। ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଥିଲେ। କିନ୍ତୁ ଯେଉଁ କଥାକୁ ନେଇ ମୁଁ ଓ ଧୂମଲ ମହାଶୟ ତାଙ୍କ ଦୃଷ୍ଟି ଆକର୍ଷଣ କଲୁ ସେହି ପରାମର୍ଶ ଅଟଳଜୀଙ୍କ ସ୍ୱପ୍ନ ଓ ସଂକଳ୍ପ ପାଲଟିଗଲା। ଆଜି ଆମେ ତାହାକୁ ଏକ ସିଦ୍ଧି ରୂପରେ ଆମ ଆଖି ସାମ୍ନାରେ ଦେଖିପାରୁଛୁ। ଏହା କେତେବଡ଼ ସନ୍ତୋଷର ବିଷୟ ଆପଣମାନେ ଅନୁମାନ କରିପାରୁଥିବେ।

କିଛି ମିନିଟ ପୂର୍ବରୁ ଆମେ – ଦ ମେକିଂ ଅଫ ଅଟଳ ଟନେଲ- ଚଳଚ୍ଚିତ୍ର ଏବଂ ଫଟୋ ଗ୍ୟାଲେରୀ ଦେଖିଲୁ। ସାଧାରଣତଃ ଲୋକାର୍ପଣର ଚାକଚକ୍ୟରେ ସେହି ଲୋକମାନେ ଆଢ଼ୁଆଳରେ ରହିଯାଇଥାନ୍ତି ଯେଉଁମାନଙ୍କ ପରିଶ୍ରମ କାରଣରୁ ଏସବୁ ସମ୍ଭବ ହୋଇପାରିଛି। ଅଭେଦ୍ୟ ପୀର ପାଞ୍ଜାଲକୁ ଭେଦ କରି ଏକ ବହୁତ କଠିନ ସଂକଳ୍ପକୁ ଆଜି ପୂରଣ କରାଯାଇପାରିଛି। ଏହି ମହାଯଜ୍ଞରେ ଝାଳ ବୁହାଇଥିବା, ନିଜ ଜୀବନକୁ ବାଜି ଲଗାଇଥିବା ପରିଶ୍ରମୀ ଯବାନ, ଇଞ୍ଜିନିୟର, ସମସ୍ତ ଶ୍ରମିକ ଭାଇ-ଭଉଣୀଙ୍କୁ ଆଜି ମୁଁ ଆଦରପୂର୍ବକ ପ୍ରଣାମ କରୁଛି।

ସାଥୀଗଣ, ଅଟଳ ସୁଡ଼ଙ୍ଗ ହିମାଚଳ ପ୍ରଦେଶର ଏକ ବଡ଼ ଭାଗ ସହିତ ନୂଆ କେନ୍ଦ୍ରଶାସିତ ପ୍ରଦେଶ ଲେହ-ଲଦାଖର ଜୀବନରେଖା ସାଜିବ । ଏବେ ବାସ୍ତବରେ ହିମାଚଳ ପ୍ରଦେଶର ଏହି ବଡ଼ କ୍ଷେତ୍ର ଏବଂ ଲେହ-ଲଦାଖ ଦେଶର ଅବଶିଷ୍ଟ ଭାଗ ସହିତ ସବୁବେଳେ ସଂଯୁକ୍ତ ରହିବ, ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିବ।

ଏହି ଟନେଲରୁ ମନାଲି ଏବଂ କେଲଙ୍ଗ ମଧ୍ୟରେ ଦୂରତା 3-4 ଘଣ୍ଟା କମିଯିବ। ପାର୍ବତ୍ୟାଞ୍ଚଳରେ ରହୁଥିବା ମୋର ପ୍ରିୟ ଭାଇ-ଭଉଣୀମାନେ ବୁଝିପାରିବେ ଯେ ପାହାଡ଼ିଆ ରାସ୍ତାରେ 3-4 ଘଣ୍ଟା ଦୂର ରାସ୍ତା କମିଯିବାର ଅର୍ଥ କ’ଣ।

ସାଥୀଗଣ, ଲେହ-ଲଦାଖର କୃଷକ, ପରିବା ଚାଷୀ, ଯୁବକମାନଙ୍କ ପାଇଁ ମଧ୍ୟ ଏବେ ଦେଶର ରାଜଧାନୀ ଦିଲ୍ଲୀ ଓ ଅନ୍ୟ ବଜାର ପର୍ଯ୍ୟନ୍ତ ପହଞ୍ଚିବା ସହଜ ହୋଇଯିବ। ସେମାନଙ୍କ ବିପଦ ମଧ୍ୟ କମିଯିବ। କେବଳ ସେତିକି ନୁହେଁ, ଏହି ସୁଡ଼ଙ୍ଗ ଦେବଭୂମି ହିମାଚଳ ଏବଂ ବୁଦ୍ଧ ପରମ୍ପରା ସହିତ ଏହାର ସମ୍ପର୍କକୁ ମଧ୍ୟ ସଶକ୍ତ କରିବ ଯାହା ଭାରତରୁ ବାହାରି ଆଜି ସାରା ବିଶ୍ୱକୁ ନୂଆ ମାର୍ଗ, ନୂଆ ଆଲୋକ ଦେଖାଉଛି। ଏଥିପାଇଁ ହିମାଚଳ ଏବଂ ଲେହ-ଲଦାଖର ସମସ୍ତ ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭକାମନା।

ସାଥୀଗଣ, ଅଟଳ ସୁଡ଼ଙ୍ଗ ଭାରତର ସୀମା ଭିତ୍ତିଭୂମିକୁ ମଧ୍ୟ ନୂଆ ଶକ୍ତି ପ୍ରଦାନ କରିବ। ଏହା ବିଶ୍ୱସ୍ତରୀୟ ସୀମା ସଂଯୋଗର ଜୀବନ୍ତ ପ୍ରମାଣ। ହିମାଳୟର ଏହି ଅଞ୍ଚଳ, ପଶ୍ଚିମ ଭାରତର ବିସ୍ତୃତ ମରୁଭୂମି କିମ୍ବା ଦକ୍ଷିଣ ଓ ପୂର୍ବ ଭାରତର ତଟବର୍ତ୍ତୀ ଇଲାକା, ଏସବୁ ଦେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ବଡ଼ ସମ୍ବଳ। ସବୁବେଳେ ଏହି କ୍ଷେତ୍ରଗୁଡ଼ିକର ସନ୍ତୁଳିତ ଓ ସମ୍ପୂର୍ଣ୍ଣ ବିକାଶକୁ ନେଇ ଏଠାକାର ଭିତ୍ତିଭୂମିକୁ ଉନ୍ନତ କରିବା ଲାଗି ଦାବି ଉଠିଆସୁଛି। କିନ୍ତୁ ଦୀର୍ଘ ସମୟ ଧରି ଆମ ଦେଶରେ ସୀମା ଭିତ୍ତିଭୂମି ପ୍ରକଳ୍ପ ପ୍ଲାନିଂ ସ୍ତରରୁ ବାହାରକୁ ବାହାରିପାରୁନଥିଲା କିମ୍ବା ଯୋଜନା ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଅଟକି ରହୁଥିଲା, ଝୁଲି ରହୁଥିଲା ଅଥବା ବାଟବଣା ହୋଇଯାଉଥିଲା। ଅଟଳ ସୁଡ଼ଙ୍ଗ ପ୍ରକଳ୍ପ ମଧ୍ୟ ଏପରି କିଛି ପରିସ୍ଥିତି ଦେଇ ଗତି କରିଛି।

2002ରେ ଅଟଳଜୀ ଏହି ସୁଡ଼ଙ୍ଗ ପାଇଁ ଆପ୍ରୋଚ ରୋଡର ଶିଳାନ୍ୟାସ କରିଥିଲେ। ଅଟଳଜୀଙ୍କ ସରକାର ଯିବା ପରେ, ଏହି ପ୍ରକଳ୍ପ ଏକପ୍ରକାର ବାଟବଣା ହୋଇଯାଇଥିଲା। ପରିସ୍ଥିତି ଏପରି ହେଲା ଯେ 2013-14 ବର୍ଷ ସୁଦ୍ଧା ଏହି ଟନେଲର ମାତ୍ର 1300 ମିଟର ଅର୍ଥାତ ଦେଢ଼ କିମିରୁ ମଧ୍ୟ କମ କାମ ହୋଇପାରିଥିଲା। ବିଶେଷଜ୍ଞମାନେ କୁହନ୍ତି ଯେ ଏହି ଗତିରେ କାମ ଜାରି ରହିଥିଲେ 2040ରେ ଅଟଳ ସୁଡ଼ଙ୍ଗ କାମ ସରିଥାନ୍ତା। ଆପଣମାନେ କଳ୍ପନା କରନ୍ତୁ, ଆଜି ଆପଣଙ୍କୁ ଯେତିକି ବୟସ, ସେଥିରେ ଆହୁରି 20 ବର୍ଷ ଯୋଡ଼ି ଦିଅନ୍ତୁ, ସେତିକି ବର୍ଷ ପରେ ଯାଇ ଲୋକମାନଙ୍କ ପାଇଁ ଏହି ଦିନ ଆସିଥାନ୍ତା, ସେମାନଙ୍କର ସ୍ୱପ୍ନ ପୂରଣ ହୋଇଥାନ୍ତା।

ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ହେଲେ, ଦେଶର ଲୋକମାନଙ୍କ ମଧ୍ୟରେ ବିକାଶର ପ୍ରବଳ ଇଚ୍ଛା ରହିଥିଲେ, ବିକାଶର ଗତିବିଧିକୁ ବଢ଼ାଇବାକୁ ହୋଇଥାଏ। ଅଟଳ ସୁଡ଼ଙ୍ଗ କାମ ମଧ୍ୟ 2014 ପରେ ଖୁବ ଅଭୂତପୂର୍ବ ଗତିରେ ଆଗକୁ ବଢ଼ିଲା। ବିଆରଓ ସାମ୍ନାରେ ରହିଥିବା ସମସ୍ତ ପ୍ରକାର ବାଧା ଦୂର କରାଗଲା।

ଯାହା ଫଳରେ ପୂର୍ବରୁ ଯେଉଁଠି ବର୍ଷକୁ ମାତ୍ର 300 ମିଟର ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା, ଏହାର ଗତି ବୃଦ୍ଧି ପାଇ ବର୍ଷକୁ 1400 ମିଟର ହୋଇଗଲା। ମାତ୍ର 6 ବର୍ଷ ମଧ୍ୟରେ ଆମେ 26 ବର୍ଷର କାମ ସମ୍ପୂର୍ଣ୍ଣ କରିସାରିଛୁ।

ସାଥୀଗଣ, ଏତେ ଜରୁରି ଏବଂ ବଡ଼ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଲେ ଦେଶ ସବୁଦିଗରୁ କ୍ଷତି ସହିଥାଏ। ଏହାଫଳରେ ଲୋକମାନଙ୍କୁ ସୁବିଧା ମିଳିବାରେ ବିଳମ୍ବ ହୋଇଥାଏ, ଯାହାର ପରିଣାମ ଦେଶକୁ ଆର୍ଥିକ ସ୍ତରରେ ଭୋଗିବାକୁ ପଡ଼ିଥାଏ।

ବର୍ଷ 2005ରେ ଆକଳନ କରାଯାଇଥିଲା ଯେ ଏହି ସୁଡ଼ଙ୍ଗ ପାଖାପାଖି ସାଢ଼େ ନଅଶହ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଯିବ କିନ୍ତୁ ଲଗାତାର ବିଳମ୍ବ କାରଣରୁ ଆଜି ଏହା ତିନିଗୁଣ ଅଧିକ ଅର୍ଥାତ ପାଖାପାଖି 3200 କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିବା ପରେ ସମ୍ପୂର୍ଣ୍ଣ ହୋଇପାରିଛି। ଅନୁମାନ କରନ୍ତୁ, ଯଦି ଆହୁରି 20 ବର୍ଷ ଲାଗିଥାନ୍ତା ତା’ହେଲେ ପରିସ୍ଥିତି କିଭଳି ହୋଇଥାନ୍ତା।

ବନ୍ଧୁଗଣ, ସଡ଼କ ଯୋଗାଯୋଗ ଦେଶର ବିକାଶ ସହିତ ସିଧାସଳଖ ସଂଯୁକ୍ତ। ଅଧିକରୁ ଅଧିକ ଯୋଗାଯୋଗ ବ୍ୟବସ୍ଥା ସୃଷ୍ଟି ହେଲେ ଅଧିକ ଦ୍ରୁତ ବିକାଶ ସମ୍ଭବ ହୋଇପାରିବ। ବିଶେଷ କରି ସମୀବାର୍ତ୍ତୀ ଇଲାକାରେ ସଡ଼କ ଯୋଗାଯୋଗର ସିଧାସଳଖ ସମ୍ପର୍କ ଦେଶର ପ୍ରତିରକ୍ଷା ଆବଶ୍ୟକତା ସହିତ ରହିଛି। କିନ୍ତୁ ଏଥିପ୍ରତି ଯେପରି ଗମ୍ଭୀରତା ଓ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଥିଲା ତାହା ଦୁର୍ଭାଗ୍ୟବଶତଃ ଦେଖିବାକୁ ମିଳିନଥିଲା।

ଅଟଳ ସୁଡ଼ଙ୍ଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏପରି ପରିସ୍ଥିତି ଦେଇ ଗତି କରିଥିଲା। ଲଦାଖରେ ଦୌଲତ ବେଗ ଓଲ୍ଡି ଏୟାରଷ୍ଟ୍ରିପ ଯାହାକି ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ତାହା ଦୀର୍ଘ 40-50 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏଠି କେଉଁ ବାଧ୍ୟବାଧକତା ରହିଥିଲା, କେଉଁ ଚାପ ରହିଥିଲା, ମୁଁ ସେଥିପ୍ରତି ବିସ୍ତୃତ ଆଲୋଚନା କରିବା ଲାଗି ଚାହୁଁନାହିଁ। ଏ ବିଷୟରେ ଅନେକ କଥା କୁହାଯାଇସାରିଛି, ଅନେକ କଥା ଲେଖାଯାଇସାରିଛି। କିନ୍ତୁ ସତ୍ୟତା ହେଉଛି ଦୌଲତ ବେଗ ଓଲ୍ଡି ଏୟାର ଷ୍ଟ୍ରିପ ବାୟୁସେନାର ଦୃଢ଼ ସଂକଳ୍ପ କାରଣରୁ ଆରମ୍ଭ ହୋଇପାରିଲା, ସେଥିରେ ରାଜନୈତିକ ଇଚ୍ଛାଶକ୍ତି କେଉଁଠି ହେଲେ ଦେଖିବାକୁ ମିଳିନଥିଲା।

ବନ୍ଧୁଗଣ, ମୁଁ ଏପରି ଡଜନରୁ ଅଧିକ ପ୍ରକଳ୍ପର ଉଦାହରଣ ଦେଇପାରେ ଯେଉଁଗୁଡ଼ିକ ସାମରିକ ଦୃଷ୍ଟିରୁ, ସୁବିଧା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଅଣଦେଖା ସ୍ଥିତିରେ ପଡ଼ି ରହିଥିଲା।

ମୋର ମନେ ଅଛି ପାଖାପାଖି ଦୁଇ ବର୍ଷ ପୂର୍ବେ ଅଟଳଜୀଙ୍କ ଜନ୍ମ ଦିନରେ ମୁଁ ଆସାମ ଯାଇଥିଲି। ସେଠାରେ ଭାରତର ସବୁଠୁ ଲମ୍ବା ରେଳ ପଥ ସେତୁ ‘ବାଗିବିଲ ସେତୁ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ସୌଭାଗ୍ୟ ମୋତେ ମିଳିଥିଲା। ଏହି ସେତୁ ଆଜି ଉତ୍ତର-ପୂର୍ବାଞ୍ଚଳ ଏବଂ ଅରୁଣାଚଳ ପ୍ରଦେଶରେ ସଡ଼କ ଯୋଗାଯୋଗର ବହୁତ ବଡ଼ ମାଧ୍ୟମ ପାଲଟିଛି। ବାଗିବିଲ ସେତୁ କାମ ମଧ୍ୟ ଅଟଳଜୀଙ୍କ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା, କିନ୍ତୁ ତାଙ୍କ ସରକାର ଯିବା ପରେ ପୁଣିଥରେ ଏହି କାମ ଧିମେଇ ଯାଇଥିଲା। 2014 ପରେ ଯାଇ ଏହି କାମ ତ୍ୱରାନ୍ୱିତ ହୋଇଥିଲା ଏବଂ ଚାରି ବର୍ଷ ମଧ୍ୟରେ ଏହି ସେତୁ କାମ ସମ୍ପୂର୍ଣ୍ଣ ହେଲା।

ଅଟଳଜୀଙ୍କ ସହିତ ଆଉ ଏକ ସେତୁର ନାମ ଯୋଡ଼ି ହୋଇ ରହିଛି-କୋସୀ ମହାସେତୁ। ବିହାରରେ ମିଥିଳାଞ୍ଚଳର ଦୁଇ ଭାଗକୁ ଯୋଡ଼ୁଥିବା କୋସୀ ମହାସେତୁର ଶିଳାନ୍ୟାସ ଅଟଳ ଜୀ କରିଥିଲେ। କିନ୍ତୁ ଏହାର କାମ ମଧ୍ୟ ଫସି ରହିଥିଲା, ଅଟକି ରହିଥିଲା।

2014ରେ ଆମେ ସରକାର ଗଠନ କରିବା ପରେ କୋସୀ ମହାସେତୁ କାମ ପୁଣିଥରେ ଦ୍ରୁତ ଗତିରେ ଆରମ୍ଭ କରିଥିଲୁ। ଏଇ କିଛିଦିନ ପୂର୍ବରୁ କୋସୀ ମହାସେତୁର ଲୋକାର୍ପଣ ହୋଇସାରିଛି।

ସାଥୀଗଣ, ଦେଶର ପାଖାପାଖି ସବୁ ଭାଗରେ ସଡ଼କ ଯୋଗାଯୋଗ ପାଇଁ ବଡ଼ ପ୍ରକଳ୍ପ ଏପରି ସ୍ଥିତି ଦେଇ ଗତି କରିସାରିଛି। କିନ୍ତୁ ଏବେ ଏହି ସ୍ଥିତି ବଦଳିବାରେ ଲାଗିଛି ଏବଂ ଖୁବ ଦ୍ରୁତଗତିରେ ବଦଳୁଛି। ବିଗତ 6 ବର୍ଷ ମଧ୍ୟରେ ଏ ଦିର୍ଗରେ ଅଭୂତପୂର୍ବ ପ୍ରୟାସ କରାଯାଇଛି। ବିଶେଷ କରି ସୀମା ଭିତ୍ତିଭୂମି ବିକାଶ ଲାଗି ସମ୍ପୂର୍ଣ୍ଣ ସମର୍ପିତ ଭାବେ କାମ ଜାରି ରହିଛି।

ହିମାଳୟ କ୍ଷେତ୍ରରେ ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, କାରଗିଲ-ଲେହ-ଲଦାଖ, ଉତ୍ତରାଖଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶରେ ଡଜନରୁ ଅଧିକ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଅନେକ ପ୍ରକଳ୍ପ କାମ ଦ୍ରୁତ ଗତିରେ ଜାରି ରହିଛି। ସଡ଼କ ନିର୍ମାଣ, ସେତୁ ନିର୍ମାଣ, ସୁଡ଼ଙ୍ଗ ନିର୍ମାଣ କାମ ଏହି ଅଞ୍ଚଳରେ ଏତେ ଦ୍ରୁତ ଗତିରେ ହେଉଛି ଯେ ପୂର୍ବରୁ କେବେ ବି ଏତେ କ୍ଷୀପ୍ରଗତିରେ କାମ ହୋଇନଥିଲା।

ଏହାର ବହୁତ ବଡ଼ ଲାଭ ସାଧାରଣ ଜନତାଙ୍କ ସହିତ ଆମର ସେନା ଭାଇ-ଭଉଣୀମାନଙ୍କୁ ମିଳୁଛି। ଶୀତ ଋତୁରେ ସେମାନଙ୍କ ନିକଟରେ ରାସନ ପହଞ୍ଚାଇବା, ସେମାନଙ୍କ ପାଇଁ ପ୍ରତିରକ୍ଷା ସାମଗ୍ରୀ ପହଞ୍ଚାଇବା ସୁବିଧାଜନକ ହୋଇପାରୁଛି। ସେମାନେ ସହଜରେ ଯେପରି ପାଟ୍ରୋଲିଂ କରିପାରିବେ ସେଥିପାଇଁ ସଡ଼କର ଜାଲ ବିଛାଯାଉଛି।

ସାଥୀଗଣ, ଦେଶର ପ୍ରତିରକ୍ଷା ଆବଶ୍ୟକତା, ଦେଶକୁ ସୁରକ୍ଷା ଦେଉଥିବା ଲୋକମାନଙ୍କର ଆବଶ୍ୟକତା, ସେମାନଙ୍କ ହିତ ପ୍ରତି ଧ୍ୟାନ ଦେବା ଆମ ସରକାରଙ୍କ ପ୍ରାଥମିକତା ମଧ୍ୟରୁ ଅନ୍ୟତମ।

ହିମାଚଳ ପ୍ରଦେଶର ଭାଇ-ଭଉଣୀମାନେ ଆଜି ବି ମନେ ରଖିଛନ୍ତି ଯେ ୱନ ରେଙ୍କ ୱନ ପେନସନକୁ ନେଇ ପୂର୍ବ ସରକାରଙ୍କ ମନୋଭାବ କିପରି ଥିଲା। ଚାରି ଦଶନ୍ଧି ପର୍ଯ୍ୟନ୍ତ ଆମର ପୂର୍ବ ସେନାବାହିନୀ ଭାଇ-ଭଉଣୀମାନଙ୍କୁ କେବଳ ପ୍ରତିଶ୍ରୁତି ଦିଆଯାଇଥିଲା। କାଗଜରେ ମାତ୍ର 500 କୋଟି ଟଙ୍କା ଦେଖାଇ କିଛି ଲୋକ କହୁଥିଲେ ୱନ ରେଙ୍କ ୱନ ପେନସନ ଲାଗୁ କରିବେ। କିନ୍ତୁ କରିନଥିଲେ। ଆଜି ୱନ ରେଙ୍କ ୱନ ପେନସନର ଲାଭ ଦେଶର ଲକ୍ଷାଧିକ ପୂର୍ବତନ ସୈନିକମାନଙ୍କୁ ମିଳୁଛି। କେବଳ ଏରିଅର ଆକାରରେ କେନ୍ଦ୍ର ସରକାର ପାଖାପାଖି 11 ହଜାର କୋଟି ଟଙ୍କା ପୂର୍ବତନ ସୈନିକମାନଙ୍କୁ ଦେଇସାରିଲେଣି।

ହିମାଚଳ ପ୍ରଦେଶରେ ମଧ୍ୟ ପାଖାପାଖି 1 ଲକ୍ଷ ସୈନିକ ସାଥୀଙ୍କୁ ଏହାର ଲାଭ ମିଳିଛି। ଆମ ସରକାରଙ୍କ ନିର୍ଣ୍ଣୟ ସାକ୍ଷୀ ରହିଛି ଆମେ ଯେଉଁ ନିଷ୍ପତ୍ତି ନେଇଛୁ ତାହା ଆମେ ଲାଗୁ କରି ଦେଖାଇଛୁ। ଦେଶ ହିତ, ଦେଶର ସୁରକ୍ଷା ଠାରୁ ଆମ ପାଇଁ ଆଉ କିଛି ବଡ଼ ନୁହେଁ। କିନ୍ତୁ ଦେଶ ଦୀର୍ଘ ସମୟ ଧରି ସେହି ପରିସ୍ଥିତି ମଧ୍ୟ ଦେଖିଛି ଯେତେବେଳେ ଦେଶର ପ୍ରତିରକ୍ଷା ହିତ ସହିତ ସାଲିସ କରାଯାଇଥିଲା। ଦେଶର ବାୟୁସେନା ଆଧୁନିକ ଯୁଦ୍ଧ ବିମାନ ମାଗି ଚାଲିଥିଲା। ସେମାନେ କିନ୍ତୁ ଫାଇଲର ଖେଳ ଖେଳି ଚାଲିଥିଲେ। କେବେ ଫାଇଲ ଖୋଲୁଥିଲେ ତ’ ଆଉ କେବେ ଫାଇଲ ସହ ଖେଳୁଥିଲେ।

ଗୋଳାବାରୁଦ, ଆଧୁନିକ ରାଇଫଲ, ବୁଲେଟପ୍ରୁଫ ଜ୍ୟାକେଟ୍ସ, ପ୍ରବଳ ଶୀତ ପାଇଁ ଦରକାର ହେଉଥିବା ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ, ସବୁକିଛି ସ୍ଥଗିତ ରଖି ଦିଆଯାଇଥିଲା। ଏମିତି ଏକ ସମୟ ଥିଲା ଯେତେବେଳେ ଆମ ଗୋଳାବାରୁଦ କାରଖାନାଗୁଡ଼ିକର ଶକ୍ତି ଅନ୍ୟମାନଙ୍କୁ ଆଚମ୍ବିତ କରି ଦେଉଥିଲା। କିନ୍ତୁ ଦେଶର ଗୋଳାବାରୁଦ କାରଖାନାଗୁଡ଼ିକୁ ନିଜ ସ୍ଥିତିରେ ଛାଡ଼ି ଦିଆଗଲା।

ଦେଶରେ ସ୍ୱଦେଶୀ ଯୁଦ୍ଧ ବିମାନ, ହେଲିକପ୍ଟର ଲାଗି ହାଲ ଭଳି ବିଶ୍ଵସ୍ତରୀୟ ସଂସ୍ଥା ନିର୍ମାଣ କରାଗଲା, କିନ୍ତୁ ତା’କୁ ମଧ୍ୟ ସୁଦୃଢ଼ କରିବା ଲାଗି ଧ୍ୟାନ ଦିଆଗଲା ନାହିଁ। ବହୁବର୍ଷ ପର୍ଯ୍ୟନ୍ତ କ୍ଷମତାରେ ବସିଥିବା ଲୋକମାନଙ୍କର ସ୍ୱାର୍ଥ ଆମ ସାମରିକ କ୍ଷମତାକୁ ସୁଦୃଢ଼ ହେବାରୁ ଅଟକାଇଥିଲା, ଏହାର କ୍ଷତି କରିଥିଲା।

ଯେଉଁ ତେଜସ ଯୁଦ୍ଧ ବିମାନକୁ ନେଇ ଆଜି ଦେଶ ଗର୍ବିତ, ତା’କୁ ମଧ୍ୟ ଏହି ଲୋକମାନେ ଡବାରେ ବନ୍ଦ କରି ଦେବାର ପ୍ରସ୍ତୁତି କରିନେଇଥିଲେ। ଏହା ଥିଲା ସେମାନଙ୍କର ବାସ୍ତବତା, ସେମାନଙ୍କର ଅସଲ ଚେହେରା।

ବନ୍ଧୁଗଣ, ଆଜି ଦେଶରେ ଏହି ପରିସ୍ଥିତି ବଦଳିବାରେ ଲାଗିଛି। ଦେଶରେ ହିଁ ଆଧୁନିକ ଅସ୍ତ୍ର-ଶସ୍ତ୍ର ନିର୍ମିତ ହେଉଛି, ମେକ ଇନ ଇଣ୍ଡିଆରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଲାଗି ବଡ଼ ସଂସ୍କାର ଅଣାଯାଇଛି। ଦୀର୍ଘ ପ୍ରତୀକ୍ଷା ପରେ ଚିଫ ଅଫ ଡିଫେନ୍ସ ଷ୍ଟାଫର ବ୍ୟବସ୍ଥା ଏବେ ଆମ ସିଷ୍ଟମର ଅଂଶବିଶେଷ ପାଲଟିଛି।

ଏହା ଦ୍ୱାରା ସେନାର ଆବଶ୍ୟକତା ଅନୁଯାୟୀ, କ୍ରୟ ଏବଂ ଉତ୍ପାଦନ ଉଭୟରେ ଉନ୍ନତ ସମନ୍ୱୟ ସ୍ଥାପିତ ହୋଇପାରିଛି। ଏବେ ବହୁସଂଖ୍ୟକ ସାମଗ୍ରୀ, ବିଦେଶରୁ ଆମଦାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ସେସବୁ ସାମଗ୍ରୀ ଏବେ କେବଳ ଭାରତୀୟ ଉଦ୍ୟୋଗଠାରୁ କ୍ରୟ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି।

ବନ୍ଧୁଗଣ, ଭାରତରେ ପ୍ରତିରକ୍ଷା ଉଦ୍ୟୋଗରେ ବିଦେଶୀ ନିବେଶ ଏବଂ ବିଦେଶୀ ଜ୍ଞାନକୌଶଳର ବିନିଯୋଗ କରିବା ନିମନ୍ତେ ଏବେ ଭାରତୀୟ ସଂସ୍ଥାନଗୁଡ଼ିକୁ ଅନେକ ପ୍ରକାରର ପ୍ରୋତ୍ସାହନ ଦିଆଯାଉଛି। ଭାରତର ବୈଶ୍ୱିକ ଭୂମିକା ବଦଳିବା ସହିତ ଆମେ ଆହୁରି ଦ୍ରୁତ ଗତିରେ ଆମର ଭିତ୍ତିଭୂମି, ଆର୍ଥିକ ଓ ସାମରିକ ସାମର୍ଥ୍ୟକୁ ବଢ଼ାଉଛୁ।

ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସ ଆଜି ଜନମାନସର ଚିନ୍ତାଧାରାର ଅଂଶବିଶେଷ ପାଲଟିସାରିଛି। ଅଟଳ ସୁଡ଼ଙ୍ଗ ଏହି ଆତ୍ମବିଶ୍ୱାସର ପ୍ରତୀକ।

ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ, ହିମାଚଳ ପ୍ରଦେଶକୁ ଏବଂ ଲେହ-ଲଦାଖର ଲକ୍ଷାଧିକ ବନ୍ଧୁଗଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ହିମାଚଳ ପ୍ରଦେଶ ଉପରେ ମୋର କେତେ ଅଧିକାର ରହିଛି ତାହା ମୁଁ କହିପାରିବି ନାହିଁ କିନ୍ତୁ ହିମାଚଳର ମୋ ଉପରେ ବହୁତ ଅଧିକାର ରହିଛି। ଆଜି ଏହି କାର୍ଯ୍ୟକ୍ରମ ପାଇଁ ଖୁବ କମ ସମୟ ଥିବା ସତ୍ତ୍ୱେ ଆମ ହିମାଚଳ ମୋ ଉପରେ ଏତେ ଚାପ ପକାଇ ଦେଲେ ଯେ, ତିନୋଟି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଗଲା। ଏହା ପରେ ମୋତେ ଆହୁରି ଦୁଇଟି କାର୍ଯ୍ୟକ୍ରମରେ ଖୁବ ଅଳ୍ପ ସମୟ ପାଇଁ କହିବାର ଅଛି। ସେଥିପାଇଁ ମୁଁ ଏଠାରେ ବିସ୍ତୃତ ଭାବେ ଆଲୋଚନା ନକରି କିଛି କଥା ଆହୁରି ଦୁଇଟି କାର୍ଯ୍ୟକ୍ରମରେ କହିବାକୁ ଚାହୁଁଛି।

କିନ୍ତୁ ମୁଁ ଏଠାରେ କେତେକ ପରାମର୍ଶ ଦେବାକୁ ଚାହୁଁଛି। ମୋର ଏହି ପରାମର୍ଶ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ପାଇଁ ମଧ୍ୟ ଉଦ୍ଦିଷ୍ଟ। କିନ୍ତୁ ବିଶେଷ କରି ଏହା ବିଆରଓ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସୁଡ଼ଙ୍ଗର କାମ ଇଞ୍ଜିନିୟରିଂ ଦୃଷ୍ଟିରୁ, କର୍ମ ସଂସ୍କୃତି ଦୃଷ୍ଟିରୁ ଅଭିନବ। ବିଗତ କିଛି ବର୍ଷ ପୂର୍ବେ ଯେତେବେଳେ ଏହାର ଡିଜାଇନିଂ କାମ ଆରମ୍ଭ ହେଲା, କାଗଜପତ୍ରରେ ଲେଖାଯିବା ଆରମ୍ଭ ହେଲା; ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ସାମିଲ 1000-1500 ଲୋକ, ସେ ଛୋଟ ମଜୁରିଆ ହୁଅନ୍ତୁ କିମ୍ବା ବଡ଼ ପଦବୀରେ ଥିବା ବ୍ୟକ୍ତିବିଶେଷ ସମସ୍ତେ ନିଜ କାମ, ନିଜ ଅଭିଜ୍ଞତାକୁ ନିଜ ଭାଷାରେ ଲେଖନ୍ତୁ। 1500 ଲୋକ ସମ୍ପୂର୍ଣ୍ଣ ପ୍ରୟାସ କରି କେତେବେଳେ କ’ଣ ହୋଇଥିଲା, କିପରି ହୋଇଥିଲା ସେ ବିଷୟରେ ଲେଖିଲେ ଏପରି ଏକ ଡକୁମେଣ୍ଟେସନ ପ୍ରସ୍ତୁତ ହେବ ଯେଉଁଥିରେ ମାନବୀୟ ସ୍ପର୍ଶ ରହିବ। କାମ ଚାଲିବା ସମୟରେ ସେମାନେ କ’ଣ ଭାବୁଥିଲେ ଏବଂ ସଙ୍କଟ ଆସିବା ସମୟରେ ସେମାନେ କ’ଣ କରୁଥିଲେ ତାହା ସେମାନେ ଲେଖିବା ଆବଶ୍ୟକ। ଏହା ଏପରି ଏକ ଦସ୍ତାବିଜ ପ୍ରସ୍ତୁତ କରିବ ଯାହା ଖାଲି ଶିକ୍ଷାଗତ ଦସ୍ତାବିଜ ହେବ ନାହିଁ, ବରଂ ଏଥିରେ ମାନବୀୟ ସ୍ପର୍ଶ ରହିବ। କେଉଁ ଦିନ ଖାଇବା ନପହଞ୍ଚିଲେ ମଜୁରିଆ କେମିତି କାମ କରିଥିଲେ, କିପରି କାମ କରିଥିଲେ ସେ କଥାର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି। ବରଫ କାରଣରୁ ଠିକ ସମୟରେ ସାମଗ୍ରୀ ପହଞ୍ଚି ନପାରିଲେ କିପରି କାମ ହେଉଥିଲା ତାହା ମଧ୍ୟ କାମ କରୁଥିବା ଲୋକ ଉଲ୍ଲେଖ କରିପାରିବେ।

ଇଞ୍ଜିନିୟରମାନେ ସମ୍ମୁଖିନ ହୋଇଥିବା ସମସ୍ୟା ଓ ସେଗୁଡ଼ିକ ସମାଧାନ କିପରି ସେମାନେ କରିଥିଲେ । ମୁଁ ଚାହୁଁଛି ଯେ ଅତିକମରେ ବିଭିନ୍ନ ସ୍ତରରେ କାମ କରିଥିବା 1500 ଲୋକ  ନିଜ ନିଜର ଅନୁଭବ 5, 6, 10 ପୃଷ୍ଠାରେ ନିଜ ଭାଷାରେ ଲେଖନ୍ତୁ। ଅନ୍ୟ କେହି ସେମାନଙ୍କ ଭାଷାକୁ ସାମାନ୍ୟ ଠିକଠାକ କରି ସେଗୁଡ଼ିକୁ ଭଲ ଭାବେ ଦସ୍ତାବିଜର ରୂପ ଦିଅନ୍ତୁ ଏବଂ ଛାପିବାର ଆବଶ୍ୟକତା ନାହିଁ ଡିଜିଟାଲ ମାଧ୍ୟମରେ ଏହାକୁ ଛାଡ଼ି ଦେଲେ ମଧ୍ୟ ଚଳିବ।

ଆହୁରି ମୁଁ ଶିକ୍ଷା ମନ୍ତ୍ରଣାଳୟକୁ ଅନୁରୋଧ କରୁଛି ଯେ ଆମେ ଦେଶରେ ଯେତେସବୁ ବୈଷୟିକ ଏବଂ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଛି ସେଠାରେ ପିଲାମାନଙ୍କୁ କେସ ଷ୍ଟଡିର କାମ ଦିଆଯାଉ। ପ୍ରତ୍ୟେକ ବର୍ଷ ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟର ଆଠରୁ ଦଶ ଜଣ ଛାତ୍ରଛାତ୍ରୀ ଏଠାକୁ ଆସନ୍ତୁ ଏବଂ କିପରି ଏହି ସୁଡ଼ଙ୍ଗ ନିର୍ମିତ ହୋଇଛି, ଏଥିରେ କେଉଁ ସବୁ ସମସ୍ୟା ଆସିଛି, କିପରି ଭାବେ ରାସ୍ତା ବାହାର କରାଯାଇଛି ସେସବୁ ବିଷୟରେ ସେମାନେ କେସ ଷ୍ଟଡି କରନ୍ତୁ।  ଦୁନିଆର ସବୁଠୁ ଉଚ୍ଚ ଏବଂ ଲମ୍ବ ଏହି ବିଶ୍ୱସ୍ତରୀୟ ସୁଡ଼ଙ୍ଗର ଇଞ୍ଜିନିୟରିଂ ଜ୍ଞାନ ଆମ ଦେଶର ଛାତ୍ରଛାତ୍ରୀ ଜାଣିବା ଉଚିତ।

କେବଳ ସେତିକି ନୁହେଁ, ବିଶ୍ୱସ୍ତରରେ ମୁଁ ମଧ୍ୟ ଚାହିଁବି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଲୋକମାନେ କେତେକ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରନ୍ତୁ। ସେଠାକାର ବିଶ୍ୱବିଦ୍ୟାଳୟଗୁଡ଼ିକ ଏଠାକୁ କେସ ଷ୍ଟଡି ପାଇଁ ଆସନ୍ତୁ। ପ୍ରକଳ୍ପ ଉପରେ ଅଧ୍ୟୟନ କରନ୍ତୁ। ସାରା ବିଶ୍ୱ ଆମର ଏହି ଶକ୍ତିକୁ ଜାଣୁ। ସୀମିତ ସମ୍ବଳ ଥିଲେ ମଧ୍ୟ କିପରି ଏହି ଅଦ୍ଭୁତ କାମ ବର୍ତ୍ତମାନର ପିଢ଼ିର ଆମର ଯବାନମାନେ କରିପାରୁଛନ୍ତି ସେ ବିଷୟରେ ଜ୍ଞାନ ସାରା ବିଶ୍ୱ ନିକଟରେ ରହିବା ଉଚିତ। ସେଥିପାଇଁ ମୁଁ ଚାହୁଁଛି ପ୍ରତିରକ୍ଷା ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବିଆରଓ ସମସ୍ତେ ମିଶି ଏହି ସୁଡ଼ଙ୍ଗର ପ୍ରସିଦ୍ଧି ପ୍ରସାରିତ କରନ୍ତୁ, ଏହାକୁ ଶିକ୍ଷାର ଅଂଶବିଶେଷ କରନ୍ତୁ। ଆମର ସମ୍ପୂର୍ଣ୍ଣ ନୂଆ ପିଢ଼ି ସୁଡ଼ଙ୍ଗ ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ଜ୍ଞାନ ହାସଲ କରିପାରିବେ କିନ୍ତୁ ଏହାଠାରୁ ଆହୁରି ଜରୁରି ମନୁଷ୍ୟ ନିର୍ମାଣ କାମ ମଧ୍ୟ ହୋଇପାରିବ। ଏହି ସୁଡ଼ଙ୍ଗ ଉନ୍ନତ ଇଞ୍ଜିନୟର ପ୍ରସ୍ତୁତ କରିବାର କାମ କରିପାରିବ ଏବଂ ସେ ଦିଗରେ ମଧ୍ୟ ଆମେ କାମ କରୁଛୁ।

ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି। ଏହି କାମକୁ ଖୁବ ଚମତ୍କାର ଢଙ୍ଗରେ କରିଥିବା ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଦେଶର ସମ୍ମାନ ବୃଦ୍ଧି କରିଥିବା ଯବାନମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।

ଅନେକ ଅନେକ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to former Prime Minister Chandra Shekhar on his birth anniversary
April 17, 2026

The Prime Minister, Shri Narendra Modi has paid tributes to former Prime Minister, Shri Chandra Shekhar on his birth anniversary.

The Prime Minister noted that this year marks the beginning of Chandra Shekhar Ji’s 100th birth anniversary and said it is an occasion to reiterate the commitment to realising his vision for a prosperous and just India.

Recalling his legacy, the Prime Minister said that Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. He highlighted that firmly rooted in the soil of India and sensitive to the aspirations of ordinary citizens, Chandra Shekhar Ji brought simplicity and clarity to public life.

The Prime Minister also recalled the instances when he had the opportunity to meet Chandra Shekhar Ji and exchange perspectives for the development of the nation.

The Prime Minister called upon the youth of India to read more about the thoughts and efforts of Chandra Shekhar Ji towards India’s progress.

In a X post, Shri Modi said;

“Tributes to former Prime Minister Chandra Shekhar Ji on his birth anniversary. This year marks the start of his 100th birth anniversary and is a time to reiterate our commitment to realising his vision for a prosperous and just India. Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. Firmly rooted in the soil of India and sensitive to the aspirations of ordinary citizens, he brought simplicity and clarity to public life. I recall the instances when I had the opportunity to meet him and exchange perspectives for the development of our nation. I call upon the youth of India to read more about his thoughts and efforts towards India’s progress.”