ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଆଇଟିଡିଏମ୍ କୁର୍ଣ୍ଣୁଲ, ଆଇଆଇଏମ୍ ବୋଧଗୟା, ଆଇଆଇଏମ୍ ଜମ୍ମୁ, ଆଇଆଇଏମ୍ ବିଶାଖାପାଟଣା ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ (ଆଇଆଇଏସ୍) କାନପୁର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି
ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ଉନ୍ନତି କରଣ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ
ଜମ୍ମୁ ଏମ୍ସ ଉଦଘାଟନ
ଜମ୍ମୁ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ ଏବଂ ଜମ୍ମୁରେ କମନ୍ ୟୁଜର ଫେସିଲିଟି ପେଟ୍ରୋଲିୟମ ଡିପୋର ଶିଳାନ୍ୟାସ
ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଜମ୍ମୁ-କଶ୍ମୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଏବଂ ରେଳ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରିଛି
ସମଗ୍ର ଜମ୍ମୁ ଓ କଶ୍ମୀରରେ ନାଗରିକ ଏବଂ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ
ଆଜିର ପଦକ୍ଷେପ ଜମ୍ମୁ-କଶ୍ମୀରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବ
ଆମେ ଏକ ବିକଶିତ ଜମ୍ମୁ କଶ୍ମୀର ସୁନିଶ୍ଚିତ କରିବୁ
ଜମ୍ମୁ-କଶ୍ମୀର ଗଠନ ପାଇଁ ସରକାର ଗରିବ, କୃଷକ, ଯୁବକ ଓ ନାରୀ ଶକ୍ତି ଉପରେ ଧ୍ୟାନ ଦେଉଛନ୍ତି
ନୂଆ ଭାରତ ଏହାର ବର୍ତ୍ତମାନର ପିଢ଼ିକୁ ଆଧୁନିକ ଶିକ୍ଷା ଯୋଗାଇବା ପାଇଁ ଅଧିକରୁ ଅଧିକ ଖର୍ଚ୍ଚ କରୁଛି
ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ହେଉଛି ଜମ୍ମୁ-କଶ୍ମୀରର ବିକାଶର ମୂଳଦୁଆ
ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରର ସାଧାରଣ ଜନତା ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ସାମାଜିକ ନ୍ୟାୟର ପ୍ରତିଶ୍ରୁତି ପାଉଛନ୍ତି
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ର ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ ହଟିଯାଇଥିବାରୁ ଏକ ନୂଆ ଜମ୍ମୁ କଶ୍ମୀର ସୃଷ୍ଟି ହେବାକୁ ଯାଉଛି
"ଏକ ବିକଶିତ ଜମ୍ମୁ-କଶ୍ମୀର ପାଇଁ ସାରା ବିଶ୍ୱ ଉତ୍ସାହିତ"

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଜୀ, ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜିତେନ୍ଦ୍ର ସିଂହ ଜୀ, ସଂସଦରେ ମୋର ସାଥି ଯୁଗଳ କିଶୋର ଜୀ, ଗୁଲାମ ଅଲ୍ଲୀ ଜୀ ଏବଂ ଜମ୍ମୁ-କଶ୍ମୀରର ମୋର ପ୍ରିୟ ଭଉଣୀ ଓ ଭାଇମାନେ । ପୁଣି ଥରେ ପବିତ୍ର ଡୁଗ୍ଗର ଭୂମିକୁ ଆସି ମୋତେ ବହୁତ ଭଲ ଲାଗୁଛି ।  ଡୋଗ୍ରେ ବଡେ ମିଲନ ସାର ନେ, ୟେ ଜିନ୍ନେ ମିଲନସର ନେ  ମିଠୀ ଅନ୍ଦି ଗୋ ମି... ଇଣ୍ଡଭାଷା ୟେ । ତାନ୍ ଗୋ ତେ... ଡୁଗ୍ଗର ଦି କବିତ୍ରୀ, ପଦ୍ମା ସଚଦେବ ନେ ଆଖେ ୟେମିଠଡୀ ଏକ-ୟେ ଡୋଗ୍ରେୟାନ୍ ଡି ବୋଲି ତେ ଖଣ୍ଡ ମିଠେ ଲେଗ ଡୋଗ୍ରେ । ଅର୍ଥାତ ସମସ୍ତେ କୁହନ୍ତି ଯେ ଡୋଗ୍ରା ବହୁତ ମଧୁର ଅଟେ ତେଣୁ ସେମାନଙ୍କର ଭାଷା ମଧ୍ୟ ମଧୁର । ଏବଂ ଡୋଗ୍ରୀ କବି ପଦ୍ମା ସଚ୍ଚଦେବ କହିଛନ୍ତି ଡୋଗ୍ରାସର ଭାଷା ଯେପରି ମଧୁର ସେହିଭଳି ଡୋଗ୍ରାମାନେ ମଧ୍ୟ  ମିଠା ପରି ମଧୁର ଅଟନ୍ତି ।

 

ସାଥିମାନେ,

ଯେମିତି ମୁଁ କହିଲି, ଆପଣମାନଙ୍କ ସହିତ ମୋର ସମ୍ପର୍କ ୪୦ ବର୍ଷରୁ ଅଧିକ ପୁରୁଣା । ମୁଁ ଅନେକ କାର୍ଯ୍ୟକ୍ରମ କରିଛି, ମୁଁ ଅନେକ ଥର ଆସିଛି ଏବଂ ବର୍ତ୍ତମାନ ଜିତେନ୍ଦ୍ର ସିଂ କହିଲେ ଯେ ସେ ଏହି ପଡ଼ିଆରେ ମଧ୍ୟ କରିଛନ୍ତି । କିନ୍ତୁ ଆଜିର ଭିଡ଼, ଆପଣଙ୍କ ଉଦ୍ଦିପନା, ଆପଣଙ୍କ ଉତ୍ସାହ ଏବଂ ପାଣିପାଗ ମଧ୍ୟ ବିପରୀତ, ଥଣ୍ଡା ଅଛି ଏବଂ ବର୍ଷା ହେଉଛି ଏବଂ ଆପଣଙ୍କ ମଧ୍ୟରୁ ଜଣେ ମଧ୍ୟ ନାହାଁନ୍ତି । ଏବଂ ମୋତେ କୁହାଯାଇଥିଲା ଯେ ଏପରି ତିନୋଟି ସ୍ଥାନ ଅଛି ଯେଉଁଠାରେ ବହୁ ସଂଖ୍ୟରେ ଦୂର ଦୁରାନ୍ତ ଲୋକ ସ୍କ୍ରିନ ଧରି ବସିଛନ୍ତି । ଜମ୍ମୁ-କଶ୍ମୀରବାସୀଙ୍କ ଏହି ଭଲପାଇବା, ଆପଣ ମାନେ ଏତେ ସଂଖ୍ୟକ ଦୂର ଦୂରାନ୍ତରୁ ଏଠାକୁ ଆସିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆଶୀର୍ବାଦ । ବିକଶିତ ଭାରତକୁ ସମର୍ପିତ ଏହି କାର୍ଯ୍ୟକ୍ରମ କେବଳ ଏତିକିରେ ସୀମିତ ନୁହେଁ । ଆଜି ଦେଶର କୋଣ, ଅନୁକୋଣରୁ ଏବଂ ଅନେକ ଶିକ୍ଷାନୁଷ୍ଠାନରୁ ଲକ୍ଷ ଲକ୍ଷ ଲୋକ ଆମ ସହ ଜଡ଼ିତ ଅଛନ୍ତି । ଖାଲି ସେତିକି ନୁହେଁ, ଏହି କାର୍ଯ୍ୟକ୍ରମରେ ମନୋଜ ଜୀ ମୋତେ କହୁଥିଲେ ଯେ ୨୮୫ଟି ବ୍ଲକରେ ସମାନ ସ୍କ୍ରିନ୍ ଲଗାଇ ଭିଡିଓ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଶୁଣିବାକୁ ଓ ଦେଖିବାକୁ ମିଳୁଛି । ବୋଧହୁଏ ଏହା ଏକା ସାଙ୍ଗରେ ଏଭଳି ସ୍ଥାନରେ ଏକ ବହୁତ ସଂଗଠିତ କାର୍ଯ୍ୟକ୍ରମ ଏବଂ ତାହା ମଧ୍ୟ ଜମ୍ମୁ-କଶ୍ମୀର ଭୂମିରେ, ଯେଉଁଠାରେ ପ୍ରକୃତି ପ୍ରତି ମୁହୂର୍ତ୍ତରେ ଆମକୁ ଚ୍ୟାଲେଞ୍ଜ କରିଥାଏ, ପ୍ରକୃତି ପ୍ରତିଥର ଆମକୁ ପରୀକ୍ଷା କରିଥାଏ । ଜାମ୍ମୁ କାଶ୍ମୀରରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଜମ୍ମୁ-କଶ୍ମୀରବାସୀଙ୍କୁ ପ୍ରକୃତରେ ଅଭିନନ୍ଦନର ଯୋଗ୍ୟ ।

ସାଥିମାନେ

ମୁଁ ଆଜି ଏଠାରେ ଭାଷଣ ଦେବି କି ନାହିଁ ଚିନ୍ତା କରୁଥିଲି କାରଣ ଜମ୍ମୁ-କଶ୍ମୀରର କିଛି ଲୋକଙ୍କ ସହ କଥା ହେବାର ଯେଉଁ ସୁଯୋଗ ମିଳିଲା, ସେମାନଙ୍କ ମଧ୍ୟରେ ଉଦ୍ଦୀପନା ଏବଂ ସ୍ପଷ୍ଟତା ସହିତ ସେମାନେ ସମସ୍ତେ ସେମାନଙ୍କ କଥା କହୁଥିଲେ, ସେମାନଙ୍କ କଥା ଶୁଣୁଥିବା ଦେଶର ପ୍ରତ୍ୟେକ ବ୍ୟକ୍ତି ଉତ୍ସାହିତ ହେବେ । ତାଙ୍କର ବିଶ୍ୱାସ ନିଶ୍ଚୟ ଅମର ହୋଇଯାଇଥିବ ଏବଂ ସେ ନିଶ୍ଚୟ ଅନୁଭବ କରିଥିବେ ଯେ ଗ୍ୟାରେଣ୍ଟିର ଅର୍ଥ କ'ଣ, ଏହି ୫ ଜଣ ଲୋକ ଆମ ସହ କଥା ହୋଇ ଏହା ପ୍ରମାଣିତ କରିଛନ୍ତି । ମୁଁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥିମାନେ

 ବିକଶିତ ଭାରତ, ବିକଶିତ ଜମ୍ମୁ-କଶ୍ମୀରକୁ ନେଇ ଯେଉଁ ଉତ୍ସାହ ଅଛି, ପ୍ରକୃତରେ ଅଭୂତପୂର୍ଣ୍ଣ । ବିକାଶ ଭାରତ ସଂକଳ୍ପ ଯାତ୍ରା ସମୟରେ ଆମେ ଏହି ଉତ୍ସାହ ଦେଖିଛୁ । ଯେତେବେଳେ ମୋଦିଙ୍କ ନିଶ୍ଚିତ ଗାଡି ପ୍ରତ୍ୟେକ ଗାଁରେ ପହଞ୍ଚୁଥିଲା, ସେତେବେଳେ ଆପଣମାନେ ଏହାକୁ ଭବ୍ୟ ସ୍ୱାଗତ କରିଥିଲେ । ଜମ୍ମୁ-କଶ୍ମୀର ଇତିହାସରେ ପ୍ରଥମ ଥର ପାଇଁ କୌଣସି ସରକାର ସେମାନଙ୍କ ଦ୍ୱାରକୁ ଆସିଛନ୍ତି । ସରକାରୀ ଯୋଜନାର ଲାଭକୁ କେହି ହାତଛଡ଼ା କରିବେ ନାହିଁ, ଯିଏ ଏଥିପାଇଁ ଯୋଗ୍ୟ... ଆଉ ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି, ଏହା ହେଉଛି ପଦ୍ମର ଆଶ୍ଚର୍ଯ୍ୟ ! ଏବେ ଆମେ ଜମ୍ମୁ-କଶ୍ମୀରର ବିକାଶ ପାଇଁ ସଂକଳ୍ପ ନେଇଛୁ । ମୁଁ ଆପଣମାନଙ୍କ ଉପରେ ବିଶ୍ୱାସ କରୁଛି । ଆମେ ଏକ ବିକଶିତ ଜମ୍ମୁ-କଶ୍ମୀର ନିର୍ମାଣ କାରିବା ଜାରି ରଖିବୁ । ୭୦-୭୦ ବର୍ଷ ଧରି ଅସମ୍ପୂର୍ଣ୍ଣ ଥିବା ଆପଣଙ୍କ ସ୍ୱପ୍ନ ଆଗାମୀ କିଛି ବର୍ଷରେ ମୋଦି ପୂରଣ କରିବେ ।

 

ଭାଇ ଓ ଭଉଣୀମାନେ,

ଏମିତି ଏକ ଦିନ ଥିଲା ଯେତେବେଳେ ଜମ୍ମୁ-କଶ୍ମୀରରୁ କେବଳ ନିରାଶାର ଖବର ଆସୁଥିଲା । ବୋମା, ବନ୍ଧୁକ, ଅପହରଣ, ଅଲଗା ହେବା ଭଳି ଜିନିଷକୁ ଜମ୍ମୁ-କଶ୍ମୀରର ଦୁର୍ଭାଗ୍ୟ ରେ ପରିଣତ କରାଯାଇଥିଲା । କିନ୍ତୁ ଏବେ ଜମ୍ମୁ-କଶ୍ମୀର ବିକାଶର ସଂକଳ୍ପ ନେଇ ଆଗକୁ ବଢ଼ୁଛି । ଆଜି ୩୨ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ଏଗୁଡ଼ିକ ହେଉଛି ଶିକ୍ଷା, ଦକ୍ଷତା, ନିଯୁକ୍ତି, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ଯୋଗାଯୋଗ ସମ୍ବନ୍ଧୀୟ ପ୍ରକଳ୍ପ । ଆଜି ଏଠାରୁ ଦେଶର ବିଭିନ୍ନ ସହର ପାଇଁ ଆହୁରି ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ବିଭିନ୍ନ ରାଜ୍ୟରେ ଆଇଆଇଟି ଓ ଆଇଆଇଏମ୍ ଭଳି ଅନୁଷ୍ଠାନ ବିସ୍ତାର ହେଉଛି । ଏହି ସବୁ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜମ୍ମୁ-କଶ୍ମୀର, ସମଗ୍ର ଦେଶକୁ ଏବଂ ଦେଶର ଯୁବପିଢ଼ିଙ୍କୁ ଅନେକ ଅଭିନନ୍ଦନ । ଆଜି ଏଠାରେ ଶତାଧିକ ଯୁବକଙ୍କୁ ସରକାରୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ମୁଁ ମୋର ସମସ୍ତ ଯୁବ ବନ୍ଧୁମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ।

ସାଥିମାନେ

ବହୁ ଦଶନ୍ଧି ଧରି ପାରିବାରିକ ରାଜନୀତିର ଶିକାର ହୋଇଛନ୍ତି ଜମ୍ମୁ-କଶ୍ମୀର । ଯେଉଁମାନେ ପାରିବାରିକ ରାଜନୀତି କରନ୍ତି ସେମାନେ ସର୍ବଦା କେବଳ ନିଜ ସ୍ୱାର୍ଥକୁ ଦେଖିଥାଆନ୍ତି, ଆପଣଙ୍କ ହିତ ବିଷୟରେ ଚିନ୍ତା କରନ୍ତି ନାହିଁ । ଆଉ ପାରିବାରିକ ରାଜନୀତି ଯୋଗୁଁ ଯଦି କାହାକୁ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡୁଛି, ତେବେ ଏହାର ପରିଣାମ ଆମ ଯୁବପିଢ଼ି ହିଁ ଭୋଗୁଛନ୍ତି, ସେମାନେ ହେଉଛନ୍ତି ଆମର ଛୋଟ ପୁଅ ଝିଅ । ଯେଉଁ ସରକାର କେବଳ ଗୋଟିଏ ପରିବାରକୁ ଆଗେଇ ନେବାରେ ଲାଗିଛନ୍ତି, ସେହି ସରକାରମାନେ ନିଜ ରାଜ୍ୟର ଅନ୍ୟ ଯୁବକମାନଙ୍କ ଭବିଷ୍ୟତକୁ ବିପଦରେ ପକାଇଛନ୍ତି । ଏପରିକି ଯୁବପିଢ଼ିଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ପରିବାର ସରକାରବାଦୀ ପ୍ରାଥମିକତା ଦେଉନାହାନ୍ତି । ଯେଉଁମାନେ କେବଳ ନିଜ ପରିବାର ବିଷୟରେ ଚିନ୍ତା କରୁଛନ୍ତି ସେମାନେ କେବେ ବି ଆପଣଙ୍କ ପରିବାର ବିଷୟରେ ଚିନ୍ତା କରିବେ ନାହିଁ । ମୁଁ ଖୁସି ଯେ ଜମ୍ମୁ-କଶ୍ମୀର ଏହି ପାରିବାରିକ ରାଜନୀତିରୁ ମୁକ୍ତି ପାଉଛି ।

 

ଭାଇ ଓ ଭଉଣୀମାନେ,

ଜମ୍ମୁ-କଶ୍ମୀରର ବିକାଶ ପାଇଁ ଆମ ସରକାର ଗରିବ, କୃଷକ, ଯୁବକ ଓ ମହିଳା ଶକ୍ତି ଉପରେ ସର୍ବାଧିକ ଧ୍ୟାନ ଦେଉଛନ୍ତି । ସେହି ପିଲାକୁ ହଇରାଣ କର ନାହିଁ ଭାଇ, ସେ ବହୁତ ଛୋଟ କଣ୍ଢେଇ , ଯଦି ମୁଁ ଏଠାରେ ଥାଆନ୍ତି, ତେବେ ମୁଁ ତାକୁ ବହୁତ ଆଶୀର୍ବାଦ ଦେଇଥାନ୍ତି, କିନ୍ତୁ ଏହି ଥଣ୍ଡାରେ ସେହି ଶିଶୁକୁ ବିଚଳିତ କର ନାହିଁ । କିଛି ଦିନ ତଳେ ଏଠାକାର ଯୁବକମାନଙ୍କୁ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ଆଜି ଜମ୍ମୁ-କଶ୍ମୀର ଶିକ୍ଷା ଓ ଦକ୍ଷତା ବିକାଶର ଏକ ବଡ଼ କେନ୍ଦ୍ର ପାଲଟିଛି । ବିଗତ ୧୦ ବର୍ଷ ମଧ୍ୟରେ ଆମ ସରକାର ଆରମ୍ଭ କରିଥିବା ଦେଶରେ ଶିକ୍ଷାର ଆଧୁନିକୀକରଣ ର ମିଶନ ଆଜି ଏଠାରେ ଆହୁରି ବିସ୍ତାରିତ ହେଉଛି । ମୋର ମନେ ଅଛି, ଡିସେମ୍ବର ୨୦୧୩ରେ, ଯାହାବିଷୟରେ ଜିତେନ୍ଦ୍ର ଜୀ ଏବେ କହୁଥିଲେ, ଯେତେବେଳେ ମୁଁ ବିଜେପିର ଲାଲକାର ରାଲିକୁ ଆସିଲି, ମୁଁ ଆପଣଙ୍କଠାରୁ କିଛି ଗ୍ୟାରେଣ୍ଟି ନେଇ ଏହି ପଡ଼ିଆକୁ ଯାଇଥିଲି । ମୁଁ ପ୍ରଶ୍ନ ଉଠାଇଥିଲି ଯେ ଜମ୍ମୁରେ ଆଇଆଇଟି ଏବଂ ଆଇଆଇଏମ୍ ଭଳି ଆଧୁନିକ ଶିକ୍ଷାନୁଷ୍ଠାନ କାହିଁକି ନିର୍ମାଣ ହୋଇପାରିବ ନାହିଁ? ଆମେ ସେହି ପ୍ରତିଶ୍ରୁତି ପୂରଣ କରିଥିଲୁ । ଏବେ ଜମ୍ମୁରେ ଆଇଆଇଟି ଓ ଆଇଆଇଏମ୍ ମଧ୍ୟ ରହିଛି । ସେଥିପାଇଁ ଲୋକେ କହୁଛନ୍ତି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ପୂରଣର ଗ୍ୟାରେଣ୍ଟି! ଆଜି ଏଠାରେ ଆଇଆଇଟି ଜମ୍ମୁର ଏକାଡେମିକ୍ କମ୍ପେ୍ଲକ୍ସ ଓ ହଷ୍ଟେଲ ଉଦଘାଟିତ ହୋଇଛି । ମୁଁ ଯୁବପିଢ଼ିଙ୍କ ଉତ୍ସାହ ଦେଖିପାରୁଛି ଏବଂ ଏହା ଆଶ୍ଚର୍ଯ୍ୟଜନକ ଲାଗୁଛି । ଏହା ସହିତ ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଆଇଟି-ଡିଏମ୍ କୁରୁନୁଲ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ କାନପୁର, ଉତ୍ତରାଖଣ୍ଡ ଏବଂ ତ୍ରିପୁରାର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ କୁ ମଧ୍ୟ ଲୋକାର୍ପଣ କରାଯାଇଛି । ଆଜି ଏଠାରୁ ଆଇଆଇଏମ୍ ଜମ୍ମୁ, ବିହାରର ଆଇଆଇଏମ୍ ବୋଧଗୟା ଏବଂ ଆନ୍ଧ୍ରର ଆଇଆଇଏମ୍ ବିଶାଖାପାଟଣା କ୍ୟାମ୍ପସ୍ ମଧ୍ୟ ଉଦ୍ ଘାଟିତ ହୋଇଛି । ଏହାବ୍ୟତୀତ ଏନ୍‌ଆଇଟି ଦିଲ୍ଲୀ, ଏନ୍‌ଆଇଟି ଅରୁଣାଚଳ ପ୍ରଦେଶ, ଏନ୍‌ଆଇଟି ଦୁର୍ଗାପୁର, ଆଇଆଇଟି ଖଡ଼ଗପୁର, ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇଏସ୍‌ଇଆର୍ ବେହରାମପୁର, ଟ୍ରିପଲ୍ ଆଇଟି ଲକ୍ଷ୍ନୌ ଭଳି ଆଧୁନିକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏକାଡେମିକ୍ ବ୍ଲକ୍‌, ହଷ୍ଟେଲ, ଲାଇବ୍ରେରୀ, ଅଡିଟୋରିୟମ୍ ଭଳି ଅନେକ ସୁବିଧା ମଧ୍ୟ ଉଦ୍ ଘାଟିତ ହୋଇଛି ।

ସାଥିମାନେ

୧୦ ବର୍ଷ ତଳେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଏତେ ମାତ୍ରାରେ ଭାବିବା ମଧ୍ୟ କଷ୍ଟକର ଥିଲା । କିନ୍ତୁ ଏହା ହେଉଛି ନୂଆ ଭାରତ । ନୂଆ ଭାରତ ଏହାର ବର୍ତ୍ତମାନର ପିଢ଼ିକୁ ଆଧୁନିକ ଶିକ୍ଷା ଦେବା ପାଇଁ ଅଧିକରୁ ଅଧିକ ଖର୍ଚ୍ଚ କରୁଛି । ବିଗତ ୧୦ ବର୍ଷ ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି । କେବଳ ଜମ୍ମୁ-କଶ୍ମୀରରେ ପାଖାପାଖି ୫୦ଟି ନୂଆ ଡିଗ୍ରୀ କଲେଜ ପ୍ରତିଷ୍ଠା କରାଯାଇଛି । ଏଭଳି ୪୫,୦୦୦ରୁ ଅଧିକ ପିଲା ସ୍କୁଲରେ ନାମ ଲେଖାଇସାରିଲେଣି ଏବଂ ଏମାନେ ହେଉଛନ୍ତି ସେହି ପିଲା, ଯେଉଁମାନେ ପୂର୍ବରୁ ସ୍କୁଲ ଯାଉନଥିଲେ । ଏବଂ ମୁଁ ଖୁସି ଯେ ଆମ ଝିଅମାନେ ଏହି ବିଦ୍ୟାଳୟଗୁଡ଼ିକରୁ ସର୍ବାଧିକ ଉପକୃତ ହୋଇଛନ୍ତି । ଆଜି ସେମାନେ ଘର ନିକଟରେ ଉନ୍ନତ ଶିକ୍ଷା ଲାଭ କରିପାରୁଛନ୍ତି । ଏମିତି ଦିନ ଥିଲା ଯେତେବେଳେ ସ୍କୁଲଗୁଡିକୁ ପୋଡି ଦିଆଯାଉଥିଲା, ଆଜି ସେହି ଦିନ ଯେଉଁଠି ସ୍କୁଲକୁ ସଜେଇ ଦିଆଯାଉଛି ।

 

ଭାଇ ଏବଂ ଭଉଣୀମାନେ

ଆଜି ଜମ୍ମୁ-କଶ୍ମୀରରେ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ଦ୍ରୁତ ଗତିରେ ଉନ୍ନତି ଘଟୁଛି । ୨୦୧୪ ପୂର୍ବରୁ ଜମ୍ମୁ-କଶ୍ମୀରରେ ମେଡିକାଲ କଲେଜ ସଂଖ୍ୟା ମାତ୍ର ୪ ଥିଲା । ଆଜି ମେଡିକାଲ କଲେଜ ସଂଖ୍ୟା ୪ରୁ ୧୨କୁ ବୃଦ୍ଧି ପାଇଛି । ୨୦୧୪ରେ ୫୦୦ ଏମ୍ ବିବିଏସ୍ ସିଟ୍ ଥିବା ବେଳେ ୧୩୦୦ରୁ ଅଧିକ ଏମ୍ ବିବିଏସ୍ ସିଟ୍ ରହିଛି । ୨୦୧୪ ପୂର୍ବରୁ ଏଠାରେ ଗୋଟିଏ ବି ମେଡିକାଲ ପିଜି ସିଟ୍ ନଥିବା ବେଳେ ଆଜି ସେମାନଙ୍କ ସଂଖ୍ୟା ୬୫୦କୁ ବୃଦ୍ଧି ପାଇଛି । ୪ ବର୍ଷ ରେ ଏଠାରେ ପ୍ରାୟ ୪୫ଟି ନୂତନ ନର୍ସିଂ ଓ ପାରାମେଡିକ୍ କଲେଜ ଖୋଲାଯାଉଛି । ଶତାଧିକ ନୂଆ ସିଟ୍ ଯୋଡ଼ା ଯାଇଛି । ଜମ୍ମୁ-କଶ୍ମୀର ଦେଶର ଏପରି ଏକ ରାଜ୍ୟ ଯେଉଁଠି ୨ଟି ଏମ୍ସ ନିର୍ମାଣ କରାଯାଉଛି । ସେଥିମଧ୍ୟରୁ ଗୋଟିଏକୁ ଜାମ୍ମୁର ଏମ୍ସକୁ ଆଜି ଉଦଘାଟନ କରି ମୁଁ ଗୌରବ ଅନୁଭବ କରୁଛି, ଯେଉଁ ବୟସ୍କ ସାଥୀମାନେ ଏଠାକୁ ଆସିଛନ୍ତି, ଯେଉଁମାନେ ମୋ କଥା ଶୁଣୁଛନ୍ତି, ସେମାନଙ୍କ ପାଇଁ ଏହା କଳ୍ପନା ବାହାରେ ଥିଲା । ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଦିଲ୍ଲୀରେ ହିଁ ଏକ ଏମ୍ସ ଥିଲା । ଗମ୍ଭୀର ରୋଗର ଚିକିତ୍ସା ପାଇଁ ଦିଲ୍ଲୀ ଯିବାକୁ ପଡ଼ିଥିଲା । କିନ୍ତୁ ମୁଁ ଆପଣଙ୍କୁ ଜାମ୍ମୁରେ ହିଁ ଏମ୍ସର ଗ୍ୟାରେଣ୍ଟି ଦେଇଥିଲି । ଏବଂ ମୁଁ ଏହି ଗ୍ୟାରେଣ୍ଟି ପୂରଣ କରିଛି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ୧୫ଟି ନୂଆ ଏମ୍ସକୁ ମଞ୍ଜୁରୀ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଆଜି ଜମ୍ମୁରେ ଆପଣଙ୍କ ସେବା କରିବାକୁ ପ୍ରସ୍ତୁତ ଅଛନ୍ତି । ଏବଂ କାଶ୍ମୀର ଏମ୍ସ ଉପରେ ମଧ୍ୟ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

ଭାଇ ଏବଂ ଭଉଣୀମାନେ

ଆଜି ଆମେ ଏକ ନୂତନ ଜମ୍ମୁ-କଶ୍ମୀର ସୃଷ୍ଟି ହେଉଥିବା ଦେଖୁଛୁ । ରାଜ୍ୟର ବିକାଶରେ ସବୁଠାରୁ ବଡ ପାଚେରୀ ଥିଲା ଧାରା ୩୭୦, ଧାରା ୩୭୦ ଥିଲା । ଏହି ପାଚେରୀକୁ ବିଜେପି ସରକାର ହଟାଇ ଦେଇଛନ୍ତି । ଏବେ ଜମ୍ମୁ-କଶ୍ମୀର ଏକ ସନ୍ତୁଳିତ ବିକାଶ ଦିଗରେ ଅଗ୍ରସର ହେଉଛି । ଏବଂ ମୁଁ ଶୁଣିଛି ଯେ ବୋଧହୁଏ ଏହି ସପ୍ତାହରେ ୩୭୦ କୁ ନେଇ ଏକ ଚଳଚ୍ଚିତ୍ର ଆସୁଛି । ମୁଁ ଭାବୁଛି ଆପଣମାନଙ୍କୁ ସମଗ୍ର ଦେଶରେ ପ୍ରଶଂସା କରାଯିବ । ଫିଲ୍ମଟି କେମିତି ଅଛି ମୁଁ ଜାଣେ ନାହିଁ, ମୁଁ ଗତକାଲି କିଛି ଟିଭିରେ ଶୁଣିଥିଲି ଯେ ଏଭଳି ଏକ ଫିଲ୍ମ ୩୭୦କୁ ନେଇ ଆସୁଛି । ଭଲ ହେଲା ଲୋକଙ୍କୁ ସଠିକ୍ ସୂଚନା ମିଳିବାରେ ଲାଭଦାୟକ ହେବ ।

ସାଥିମାନେ

୩୭୦ ର କ୍ଷମତାକୁ ଦେଖନ୍ତୁ, ୩୭୦ ପରାଜୟ ଯୋଗୁଁ ଆଜି ମୁଁ ସାହସିକତାର ସହ ଦେଶବାସୀଙ୍କୁ କହିଛି ଯେ ଆଗାମୀ ନିର୍ବାଚନରେ ବିଜେପିକୁ ୩୭୦ ଏବଂ ଏନଡିଏକୁ ୪୦୦ ଅତିକ୍ରମ କରାନ୍ତୁ । ଏବେ ରାଜ୍ୟର କୌଣସି ଅଞ୍ଚଳ ପଛରେ ପଡ଼ିବ ନାହିଁ, ସମସ୍ତେ ମିଳିମିଶି ଆଗକୁ ବଢ଼ିବେ । ଦଶନ୍ଧି ଧରି ବଞ୍ଚିତ ଅବସ୍ଥାରେ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ସରକାରଙ୍କ ଅସ୍ତିତ୍ୱକୁ ଅନୁଭବ କରୁଛନ୍ତି । ଆଜି ପ୍ରତି ଗାଁରେ ନୂଆ ରାଜନୀତିର ଲହର ଆରମ୍ଭ ହୋଇଛି । ଏଠାକାର ଯୁବକମାନେ ପରିବାରବାଦ, ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ ବିଗୁଲ୍ ବଜେଇ ସାରିଲେଣି । ଆଜି ଜମ୍ମୁ-କଶ୍ମୀରର ପ୍ରତ୍ୟେକ ଯୁବକ ନିଜର ଭବିଷ୍ୟତ ଲେଖିବା ପାଇଁ ଆଗେଇ ଚାଲିଛନ୍ତି । ଯେଉଁଠି ଏକଦା ବନ୍ଦ ଓ ଧର୍ମଘଟର ନିରବତା ଥିଲା, ଏବେ ସେଠାରେ ଜୀବନର ଚଳପ୍ରଚଳ ଦେଖିବାକୁ ମିଳୁଛି ।

 

 

ସାଥୀମାନେ

ଯେଉଁମାନେ ଦଶନ୍ଧି ଧରି ଜମ୍ମୁ-କଶ୍ମୀରରେ ସରକାର ଚଳାଇଛନ୍ତି ସେମାନେ କେବେ ବି ଆପଣଙ୍କ ଆଶା ଓ ଆକାଂକ୍ଷାକୁ ଚିନ୍ତା କରିନଥିଲେ । ପୂର୍ବ ସରକାରମାନେ ଏଠାରେ ରହୁଥିବା ଆମ ସେନା ଭାଇମାନଙ୍କୁ ମଧ୍ୟ ସମ୍ମାନ ଦେଉନଥିଲେ । କଂଗ୍ରେସ ସରକାର ୪୦ ବର୍ଷ ଧରି ସୈନିକମାନଙ୍କୁ ୱାନ୍ ରାଙ୍କ ୍‌ୱାନ୍ ପେନ୍‌ସନ୍ ଆଣିବେ ବୋଲି ମିଛ କହୁଥିଲେ । କିନ୍ତୁ ୱାନ୍ ରାଙ୍କ୍ ୱାନ୍ ପେନ୍‌ସନ୍ ର ପ୍ରତିଶ୍ରୁତି ବିଜେପି ସରକାର ପୂରଣ କରିଥିଲେ । ଓଆରଓପି ଯୋଗୁଁ ଜମ୍ମୁର ପୂର୍ବତନ ସୈନିକ ଓ ଯବାନଙ୍କୁ ୧୬୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଯେତେବେଳେ କୌଣସି ସମ୍ବେଦନଶୀଳ ସରକାର ଥିବେ, ଯେତେବେଳେ ଆପଣଙ୍କ ଭାବନାକୁ ବୁଝିପାରୁଥିବା ସରକାର ଥିବ , ସେତେବେଳେ ଏହିପରି ଦ୍ରୁତ ଗତିରେ କାର୍ଯ୍ୟ ହୋଇଥାଏ ।

ସାଥିମାନେ

ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରର ସାଧାରଣ ଲୋକଙ୍କୁ ମଧ୍ୟ ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ସାମାଜିକ ନ୍ୟାୟର ପ୍ରତିଶ୍ରୁତି ମିଳିଛି । ଆମର ଶରଣାର୍ଥୀ ପରିବାର ହୁଅନ୍ତୁ, ବାଲ୍ମିକି ସମ୍ପ୍ରଦାୟ ହୁଅନ୍ତୁ, ସଫେଇ କର୍ମଚାରୀ ହୁଅନ୍ତୁ, ସେମାନଙ୍କୁ ଗଣତାନ୍ତ୍ରିକ ଅଧିକାର ମିଳିଛି । ଏସସି ବର୍ଗର ସୁବିଧା ପାଇବା ପାଇଁ ବାଲ୍ମିକି ସମ୍ପ୍ରଦାୟ ପାଇଁ ବର୍ଷ ବର୍ଷର ଦାବି ପୂରଣ ହୋଇଛି । ‘ପାହାଡି ଜନଜାତି', ‘ପାହାଡ଼ି ଜାତି', 'ଗଡ୍ଡା ବ୍ରାହ୍ମଣ' ଏବଂ 'କୋଲି' ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ବିଧାନସଭାରେ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷିତ ରଖାଯାଇଛି । ପଞ୍ଚାୟତ, ପୌରପାଳିକା ଓ ମହାନଗର ନିଗମରେ ଓବିସିଙ୍କୁ ସଂରକ୍ଷଣ ଦିଆଯାଇଛି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଏହି ଖୁସି ହେଉଛି ଏକ ବିକଶିତ ଜମ୍ମୁ-କଶ୍ମୀରର ମୂଳଦୁଆ ।

 

ସାଥିମାନେ

ଜମ୍ମୁ-କଶ୍ମୀରରେ ହେଉଥିବା ବିକାଶ ମୂଳକ କାର୍ଯ୍ୟରୁ ଆମର ମାଆ, ଭଉଣୀ ଓ ଝିଅମାନେ ବହୁତ ଉପକୃତ ହୋଇଛନ୍ତି । ଆମ ସରକାର ନିର୍ମାଣ କରୁଥିବା ଅଧିକାଂଶ ପକ୍କା ଘର ମହିଳାଙ୍କ ନାମରେ... ହର ଘର ଜଳ ଯୋଜନା... ହଜାର ହଜାର ଶୌଚାଳୟ ନିର୍ମାଣ... ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା... ଏଠାରେ ଭଉଣୀ ଓ ଝିଅଙ୍କ ଜୀବନ କୁ ଅତି ସହଜ କରାଯାଇଛି । ଧାରା ୩୭୦ ଉଚ୍ଛେଦ ପରେ ଆମ ଭଉଣୀମାନଙ୍କୁ ମଧ୍ୟ ସେହି ଅଧିକାର ମିଳିଛି ଯାହା ପୂର୍ବରୁ ସେମାନଙ୍କୁ ମିଳିନଥିଲା ।

ସାଥିମାନେ

ନମୋ ଡ୍ରୋନ ଦିଦି ଯୋଜନା ବିଷୟରେ ଆପଣ ମଧ୍ୟ ଶୁଣିଥିବେ । ଆମ ଭଉଣୀମାନଙ୍କୁ ଡ୍ରୋନ୍ ପାଇଲଟ୍ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ମୁଁ ଗତକାଲି ଜଣେ ଭଉଣୀଙ୍କ ସହ ଏକ ସାକ୍ଷାତକାର ଦେଖୁଥିଲି, ସେ କହୁଥିଲେ ଯେ ମୁଁ ସାଇକେଲ ଚଲାଇବାକୁ ମଧ୍ୟ ଜାଣି ନଥିଲି ଏବଂ ଆଜି ମୁଁ ପ୍ରଶିକ୍ଷଣ ପରେ ଡ୍ରୋନ ପାଇଲଟ ଭାବରେ ଘରକୁ ଯାଉଛି । ଦେଶରେ ବହୁ ସଂଖ୍ୟକ ଭଉଣୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇସାରିଛି। ଏଥିପାଇଁ ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଲକ୍ଷ ଲକ୍ଷ ଟଙ୍କାର ଏହି ଡ୍ରୋନ୍ ଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ସହାୟକ ହେବ । ଖତ ହେଉ କି କୀଟନାଶକ, ସେଗୁଡ଼ିକୁ ସିଞ୍ଚନ କରିବା କାମ ଖୁବ୍ ସହଜ ହେବ । ଏବଂ ଭଉଣୀମାନେ ଏଥିରୁ ଅତିରିକ୍ତ ରୋଜଗାର କରିବେ।

 

ଭାଇ ଏବଂ ଭଉଣୀମାନେ

ପୂର୍ବରୁ ଭାରତରେ ଅନେକ ଭାଗରେ କାମ ହେଉଥିଲା ଏବଂ ଜମ୍ମୁ-କଶ୍ମୀରରେ ଏହାର ସୁଫଳ ମିଳୁନଥିଲା କିମ୍ବା ଏହା ଏହାର ସୁଫଳ ବହୁତ ବିଳମ୍ବରେ ମିଳୁଥିଲା । ଆଜି ସମଗ୍ର ଦେଶରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଏକାସାଙ୍ଗରେ ହେଉଛି । ଆଜି ସାରା ଦେଶରେ ନୂଆ ବିମାନ ବନ୍ଦର ନିର୍ମାଣ କରାଯାଉଛି, ତେଣୁ ଅଜମ୍ମୁ-କଶ୍ମୀର କାହାଠାରୁ ପଛରେ ନାହିଁ । ଆଜି ଜମ୍ମୁ ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । କାଶ୍ମୀରରୁ କନ୍ୟାକୁମାରୀକୁ ରେଳ ପଥରେ ସଂଯୋଗ କରିବାର ସ୍ୱପ୍ନ ମଧ୍ୟ ଆଜି ଆହୁରି ଆଗକୁ ବଢ଼ିଛି । କିଛି ସମୟ ପୂର୍ବରୁ ଶ୍ରୀନଗରରୁ ସାଙ୍ଗାଲଦାନ ଏବଂ ସାଙ୍ଗାଲଦାନରୁ ବାରାମୁଲା କୁ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ସେହି ଦିନ ଦୂର ନୁହେଁ ଯେତେବେଳେ ଲୋକମାନେ କାଶ୍ମୀରରୁ ଟ୍ରେନରେ ବସି ସମଗ୍ର ଦେଶ ଭ୍ରମଣ କରିପାରିବେ । ଆଜି ସମଗ୍ର ଦେଶରେ ରେଳବାଇର ବିଦ୍ୟୁତୀକରଣ ପାଇଁ ଏତେ ବଡ଼ ଅଭିଯାନ ଚାଲିଛି, ଏହି କ୍ଷେତ୍ର ରେ ମଧ୍ୟ ଜମ୍ମୁକୁ ବହୁତ ଫାଇଦା ହୋଇଛି । ଆଜି ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ଇଲେକ୍ଟ୍ରିକ୍ ଟ୍ରେନ୍ । ଏହା ପ୍ରଦୂଷଣ କୁ ନିୟନ୍ତ୍ରଣ କରିବାରେ ବହୁତ ସହାୟକ ହେବ ।

ବନ୍ଧୁଗଣ, ଆପଣ ଦେଖନ୍ତୁ

ଯେତେବେଳେ ଦେଶରେ ବନ୍ଦେ ଭାରତ ନାମରେ ଆଧୁନିକ ଟ୍ରେନ୍ ଆରମ୍ଭ ହୋଇଥିଲା, ଆମେ ଏହାର ପ୍ରାରମ୍ଭିକ ରୁଟ୍ ରେ ଜମ୍ମୁ-କଶ୍ମୀରକୁ ମଧ୍ୟ ବାଛିଥିଲୁ । ଆମେ ମାତା ବୈଷ୍ଣୋ ଦେବୀରେ ପହଞ୍ଚିବା ସହଜ କରିଥିଲୁ । ମୁଁ ଖୁସି ଯେ ଆଜି ଜମ୍ମୁ-କଶ୍ମୀରରେ ୨ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ।

 

ସାଥିମାନେ

ଗାଁ ରାସ୍ତା ହେଉ, ଜମ୍ମୁ ସହର ଭିତର ଦେଇ ଯାଇଥିବା ରାସ୍ତା ହେଉ କିମ୍ବା ଜାତୀୟ ରାଜପଥ ହେଉ, ଜମ୍ମୁ-କଶ୍ମୀରରେ ଚାରିଆଡ଼େ କାମ ଚାଲିଛି । ଆଜି ଅନେକ ରାସ୍ତାର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ଏଥିରେ ଶ୍ରୀନଗର ରିଙ୍ଗରୋଡର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ । ଏହା ପ୍ରସ୍ତୁତ ହେଲେ ମନସବଳ ହ୍ରଦ ଓ ଖିରଭବାନୀ ମନ୍ଦିର ପରିଦର୍ଶନ କରିବା ସହଜ ହେବ । ଶ୍ରୀନଗର-ବାରାମୁଲା-ଉରି ରାଜପଥର କାମ ଶେଷ ହେଲେ ଏହା କୃଷକ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଉପକୃତ କରିବ । ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ: ଏହାର ସମ୍ପ୍ରସାରଣ ଜମ୍ମୁ-କଟ୍ରା ମଧ୍ୟରେ ଯୋଗାଯୋଗରେ ଆହୁରି ଉନ୍ନତି ଆଣିବ । ଏହି ଏକ୍ସପ୍ରେସ ୱେ ପ୍ରସ୍ତୁତ ହେବା ପରେ ଜମ୍ମୁ-ଦିଲ୍ଲୀ ମଧ୍ୟରେ ଯାତ୍ରା କରିବା ବହୁତ ସହଜ ହୋଇଯିବ ।

 

ସାଥିମାନେ

ବିକାଶଶୀଳ ଜମ୍ମୁ-କଶ୍ମୀରକୁ ନେଇ ଆଜି ସମଗ୍ର ବିଶ୍ୱରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ମୁଁ ନିକଟରେ ଉପସାଗରୀୟ ଦେଶଗୁଡ଼ିକର ଭ୍ରମଣରୁ ଫେରିଛି । ଜମ୍ମୁ-କଶ୍ମୀରରେ ପୁଞ୍ଜିନିବେଶକୁ ନେଇ ଅନେକ ସକାରାତ୍ମକତା ରହିଛି । ଆଜି ଯେତେବେଳେ ସାରା ବିଶ୍ୱ ଜମ୍ମୁ-କଶ୍ମୀରରେ ଜି-୨୦ ଆୟୋଜନ ହେଉଥିବା ଦେଖୁଛି, ସେତେବେଳେ ଏହାର ପ୍ରତିଫଳନ ଦୂରଦୂରାନ୍ତରେ ପହଞ୍ଚୁଛି । ଜମ୍ମୁ-କାଶ୍ମୀରର ସୌନ୍ଦର୍ଯ୍ୟ, ଏହାର ପରମ୍ପରା, ଏହାର ସଂସ୍କୃତି ଏବଂ ଆପଣସମସ୍ତଙ୍କ ସ୍ୱାଗତରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି । ଆଜି ସମସ୍ତେ ଜମ୍ମୁ-କଶ୍ମୀରକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି । ଗତବର୍ଷ ୨ କୋଟିରୁ ଅଧିକ ପର୍ଯ୍ୟଟକ ଜମ୍ମୁ-କଶ୍ମୀରକୁ ଆସିଥିଲେ, ଯାହା କି ଏକ ରେକର୍ଡ । ଗତ ଏକ ଦଶନ୍ଧି ମଧ୍ୟରେ ଅମରନାଥ ଜୀ ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆଜି ଏଠାରେ ଯେଉଁ ଗତିରେ ଭିତ୍ତିଭୂମି ନିର୍ମାଣ ହେଉଛି ତାହାକୁ ଦେଖିଲେ ଆଗାମୀ ଦିନରେ ଏହି ସଂଖ୍ୟା ବହୁଗୁଣିତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପର୍ଯ୍ୟଟକଙ୍କ ସଂଖ୍ୟା ଏଠାରେ ବଢୁଥିବାରୁ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ବିଗତ ୧୦ ବର୍ଷ ମଧ୍ୟରେ ଭାରତ ୧୧ରୁ ୫ମ ସ୍ଥାନକୁ ଅର୍ଥନୈତିକ ଶକ୍ତି ପାଲଟିଛି । ଦେଶର ଅର୍ଥନୈତିକ ଶକ୍ତି ବଢ଼ିଲେ କ'ଣ ହେବ? ତା'ପରେ ଲୋକଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଅଧିକ ଟଙ୍କା ଅଛି । ଆଜି ଭାରତ ଗରିବ ଙ୍କୁ ମାଗଣା ରାସନ, ମାଗଣା ଚିକିତ୍ସା, ପକ୍କା ଘର, ଗ୍ୟାସ, ଶୌଚାଳୟ, ପିଏମ କିଷାନ ସମ୍ମାନ ନିଧି ଭଳି ଅନେକ ସୁବିଧା ଯୋଗାଇ ଦେଉଛନ୍ତି । କାରଣ ଭାରତର ଅର୍ଥନୈତିକ ଶକ୍ତି ବୃଦ୍ଧି ପାଇଛି । ଏବେ ଆମକୁ ଆଗାମୀ ୫ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ରେ ପରିଣତ କରିବାକୁ ପଡିବ । ଏହା ଦ୍ୱାରା ଦେଶର ଗରିବ କଲ୍ୟାଣ ଏବଂ ଭିତ୍ତିଭୂମି ଉପରେ ଖର୍ଚ୍ଚ କରିବାର କ୍ଷମତା ବହୁଗୁଣିତ ହେବ । ଏଠାରେ ଏଭଳି ଭିତ୍ତିଭୂମି ନିର୍ମାଣ କରାଯିବ ଯେ କଶ୍ମୀରର ଉପତ୍ୟକାର ଲୋକମାନେ ସ୍ୱିଜରଲ୍ୟାଣ୍ଡ ଯିବାକୁ ଭୁଲିଯିବେ । ଏହା ଦ୍ୱାରା ଜମ୍ମୁ-କଶ୍ମୀରର ପ୍ରତ୍ୟେକ ପରିବାର ଉପକୃତ ହେବେ, ଆପଣମାନେ ଏହା ପାଇବେ ।

ଆପଣମାନେ ସମସ୍ତେ ଆମ ସମସ୍ତଙ୍କ ଉପରେ ଆଶୀର୍ବାଦ ଏହିଭଳି ରଖିଥାଆନ୍ତୁ , ଆଜି ଜମ୍ମୁ-କଶ୍ମୀର ଇତିହାସରେ, ଆମର ପାହାଡ଼ି ଭାଇ ଭଉଣୀମାନଙ୍କ ପାଇଁ, ଆମର ଗୁଜ୍ଜର ଭାଇ ଭଉଣୀଙ୍କ ପାଇଁ, ଆମ ପଣ୍ଡିତମାନଙ୍କ ପାଇଁ, ଆମର ବାଲ୍ମିକି ଭାଇମାନଙ୍କ ପାଇଁ ଏବଂ ଆମର ମା' ଭଉଣୀମାନଙ୍କ ପାଇଁ, ମୁଁ ଆପଣଙ୍କୁ ଗୋଟିଏ କଥା କହିବି? କରିବେ କି? ଆପଣ ଗୋଟିଏ କାମ କରିବେ କି? ଆପଣଙ୍କ ମୋବାଇଲ୍ ଫୋନ୍ ବାହାର କରି ଫ୍ଲାସ ଲାଇଟ୍ ଅନ୍ କରନ୍ତୁ, ଆପଣ ଏହି ବିକାଶ ଉତ୍ସବକୁ ଟିକିଏ ଉପଭୋଗ କରନ୍ତୁ । ଆପଣଙ୍କ ମୋବାଇଲ୍ ର ଫ୍ଲାସ୍ ଲାଇଟ ଅନ୍ କରନ୍ତୁ । ଯିଏ ଯେଉଁଠି ଠିଆ ହୋଇଛନ୍ତି ସେହିଠାରେ ନିଜର ମୋବାଇଲ୍ ଫୋନ୍‌ର ଫ୍ଲାସ୍ ଲାଇଟ ଅନ୍ କରନ୍ତୁ ଏବଂ ଆମେ ବିକାଶ ଉତ୍ସବକୁ ସ୍ୱାଗତ କରନ୍ତୁ ଏବଂ ସମସ୍ତେ ମୋବାଇଲ୍ ଫୋନ୍ ର ଫ୍ଲାସ୍ ଲାଇଟ୍ ଅନ ୍‌କରନ୍ତୁ୍ । ସାରା ଦେଶ ଦେଖୁଛି ଯେ ଜମ୍ମୁ କିଭଳି ଉଜ୍ଜ୍ୱଳ ହେଉଛି, ଜମ୍ମୁ-କଶ୍ମୀରର ଆଲୋକ ସମଗ୍ର ଦେଶରେ ପହଞ୍ଚୁଛି ।... ସାବାସ ।

ମୋ ସହିତ କୁହନ୍ତୁ

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ବହୁତ ବହୁତ ଧନ୍ୟବାଦ ।

 

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
Lok Sabha polls: J&K's Baramulla sees highest voter turnout in over 4 decades

Media Coverage

Lok Sabha polls: J&K's Baramulla sees highest voter turnout in over 4 decades
NM on the go

Nm on the go

Always be the first to hear from the PM. Get the App Now!
...
'ସମ୍ବାଦ'କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର
May 22, 2024

ଲୋକସଭା ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ। ନିର୍ବାଚନର ଏହି ଅବହାୱା ଭିତରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାରର ମଙ୍ଗ ଧରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ନିର୍ବାଚନୀ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ସ୍ବରକୁ ଶାଣିତ କରିବା ସହ ବିଜେପି ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି। ନିକଟରେ ଓଡ଼ିଶା ଗସ୍ତରେ ଥିବା ଅବସରରେ ‘ସମ୍ବାଦ’ ସହ ସ୍ବତନ୍ତ୍ର ସାକ୍ଷାତକାରରେ ବିଜେଡି ସରକାରର ବିଫଳତା ସହ ଓଡ଼ିଶା ପରିପ୍ରେକ୍ଷୀରେ ବିଜେପିର ସୁଚିନ୍ତିତ ଯୋଜନା ଏବଂ ଓଡ଼ିଶାର ବିକାଶ ପାଇଁ ଲକ୍ଷ୍ୟ ସମ୍ପର୍କରେ ସେ ଏକ ବିସ୍ତୃତ ଚିତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଓ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ।

ସମ୍ବାଦ: କେନ୍ଦ୍ରରେ ‘ମୋଦୀ ବନାମ କିଏ?’ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶାରେ ମତଦାତାଙ୍କ ମନରେ ମୁଖ୍ୟ ପ୍ରଶ୍ନ ହେଉଛି ‘ନବୀନ ବନାମ କିଏ?’ ଆପଣ ଭାବୁଛନ୍ତି କି ଏଠି ବିଜେପି ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ଅଧିକ ଲାଭଦାୟକ ହୋଇଥା’ନ୍ତା?

ମୋଦୀ: ଗତ ସପ୍ତାହରେ ମୁଁ ଓଡ଼ିଶାର ଅନେକ ସ୍ଥାନକୁ ଯାଇ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲି, ରୋଡ୍ ସୋ’ ମାଧ୍ୟମରେ ଲୋକଙ୍କ ଆଶୀର୍ବାଦ ଲୋଡ଼ିଥିଲି, ଲୋକଙ୍କ ସମସ୍ୟା ଓ ଚିନ୍ତାକୁ ଅନୁଭବ କରିଥିଲି। ସେଥିରୁ ସ୍ପଷ୍ଟ ହୋଇଥିଲି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରମୁଖ ପ୍ରସଙ୍ଗ ହେଉଛି ଶାସନ ପରିବର୍ତ୍ତନ। ଜନସାଧାରଣ କ୍ରୋଧିତ ହେବାପଛରେ କାରଣ ହେଉଛି, ସେମାନେ ସମର୍ଥନ କରିବାକୁ ବାଧ୍ୟବୋଲି ନବୀନ ସରକାର ଧରିନେଇଛନ୍ତି। ସେମାନେ କ୍ଳାନ୍ତ ଏଇଥିପାଇଁ ଯେ ସ୍ଥିରତା, ଦୁର୍ନୀତି ଓ ପ୍ରଗତିର ଅଭାବ ସାଙ୍ଗକୁ ଉତ୍ତରଦାୟିତ୍ବର ଅଭାବ। ଯେଉଁଥିପାଇଁ ଜନସାଧାରଣ ଏକ ସ୍ପଷ୍ଟ ଓ ଦୃଢ଼ ଆଭିମୁଖ୍ୟ ଚାହାନ୍ତି, ଯାହାକି ଓଡ଼ିଶାର ଅଭିବୃଦ୍ଧିକୁ ଏକ ନୂତନ ଦିଗ ଓ ଗତି ଦେଇପାରିବ। ଗତ ୧୦ବ‌ର୍ଷ ଧରି କେନ୍ଦ୍ରରେ ଆମର ସରକାରର ଉତ୍ତମ ଶାସନ ଓ ବିକାଶକୁ ଓଡ଼ିଶାବାସୀ ହୃଦୟଙ୍ଗମ କରିସାରିଛନ୍ତି। ସେମାନେ ସ୍ଥିରନିଶ୍ଚିତ, ବିଜେପି ହେଉଛି ଏକମାତ୍ର ଦଳ ଯିଏକି ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବ। ମୁଖ୍ୟମନ୍ତ୍ରୀ ଚେହେରା ବାବଦରେ ମୁଁ ସ୍ପଷ୍ଟଭାବେ କହିବାକୁ ଚାହେଁ ଯେ ବିଜେପିର ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଓଡ଼ିଶା ମାଟିର ପୁଅ କିମ୍ବା ଝିଅ ।

ସମ୍ବାଦ: ବିଜେପି ଓଡ଼ିଆ ଅସ୍ମିତାକୁ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ କରିବା ପଛରେ କ’ଣ କାରଣ ରହିଛି?

ମୋଦୀ: ଇତିହାସ, ସଂସ୍କୃତି, କଳା, ସ୍ଥାପତ୍ୟ ଓ ସାହିତ୍ୟ କଥା ଉଠିଲେ ଓଡ଼ିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦପ୍ରାପ୍ତ ଅନ୍ୟତମ ଜୀବନ୍ତ ରାଜ୍ୟ। ମୁଁ ସର୍ବଦା ଓଡ଼ିଆ ସଂସ୍କୃତିର ଜଣେ ପ୍ରଶଂସକ। ଯେତେବେଳେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଦର୍ଶିତ କୋଣାର୍କ ଚକ୍ର ବିଶ୍ବସ୍ତରୀୟ ନେତାମ‌ାନେ ମେ‌ା‌େତ ପଚାରିଥିଲେ, ତାହା ମୋତେ ବେଶ୍‌ ଖୁସି ଦେଇଥିଲା। କିଛିବର୍ଷ ତଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବାପରେ ମୁଁ ଏକ ଫଟୋ ପୋଷ୍ଟ୍‌ କରିଥିଲି, ଯାହାକି ସେହିବର୍ଷ କୌଣସି ରାଜନେତାଙ୍କର ସବୁଠାରୁ ଲୋକପ୍ରିୟ ଫଟୋ ଭାବେ ବିବେଚିତ ହୋଇଥିଲା। ପୁରୀର ଐଶ୍ବରୀୟତା ହେଉ କିମ୍ବା ପଟ୍ଟଚିତ୍ର ଭଳି ସୁନ୍ଦର କଳା କି ଓଡ଼ିଆ ପରି ମଧୁର ଭାଷା ହେଉ, ସବୁଗୁଡ଼ିକ ପାଇଁ ଓଡ଼ିଶାର ସ୍ବତନ୍ତ୍ରତା ରହିଛି। ଓଡ଼ିଆମାନେ ମଧ୍ୟ ଖୁବ୍ ଦୟାଳୁ ଓ ହୃଦୟବାନ। ସର୍ବୋପରି ପ୍ରତିବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଆସୁଥିବା ଲକ୍ଷଲକ୍ଷ ଭକ୍ତଙ୍କୁ ସେମାନେ ଆତିଥ୍ୟ ପ୍ରଦାନ କରିଥା’ନ୍ତି। ସେହି ଓଡ଼ିଶାବାସୀ ମଧ୍ୟ ଭଲଭାବେ ଜାଣନ୍ତି ବିଜେପି ହିଁ ଓଡ଼ିଆ ସଂସ୍କୃତି ଓ ଭାବନାକୁ ସମ୍ମାନ ଦିଏ ଏବଂ ସେମାନଙ୍କର ଯାହାକିଛି ଆକାଂକ୍ଷା ରହିଛି ଏହି ଦଳ ହିଁ ପୂରଣ କରିବ।

ସମ୍ବାଦ: ଆପଣ କାହିଁକି ଭାବୁଛନ୍ତି ଯେ ବିଜେଡି ଶାସନର ଗତ ଦୁଇ ଦଶନ୍ଧି ଭିତରେ ଓଡ଼ିଶାର ଅଗ୍ରଗତି ହୋଇନାହିଁ?

ମୋଦୀ: ଓଡ଼ିଶାର ପ୍ରତ୍ୟେକ ସ୍ତରରେ ଅବହେଳା ସ୍ପଷ୍ଟଭାବେ ଦିଶୁଛି। ରାଜ୍ୟର କୃଷକମାନଙ୍କ ଉଦାହରଣ ନିଆଯାଉ। ବିଭିନ୍ନ ଫସଲ ପାଇଁ କେନ୍ଦ୍ର ସରକାର ଏମ୍ଏସ୍‌ପି ସ୍ଥିର କରିଛନ୍ତି। ଅଥଚ ବିଜେଡି ସରକାର ତା’ଠାରୁ କମ୍ ମୂଲ୍ୟ ଦେଉଛନ୍ତି। ରାଜ୍ୟରେ ବିଜେପି ସରକାର ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୩,୧୦୦ ଟଙ୍କା ଦେବା ନିଶ୍ଚିତ କରାଇବେ ଏବଂ ତୁରନ୍ତ ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଚାଲିଯିବ। ଏଠାରେ ଦଶନ୍ଧି ଦଶନ୍ଧି ଧରି ଅନେକ ଜଳସେଚନ ପ୍ରକଳ୍ପ ବିଳମ୍ବିତ ହୋଇଚାଲିଛି। ଫଳରେ, ରାଜ୍ୟର ଚାଷୀମାନଙ୍କୁ ଫସଲ ଉତ୍ପାଦନରୁ ବଞ୍ଚିତ କରିଛି। ଆମେ ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସାରିବୁ।

ଓଡ଼ିଶାରେ ଗରିବ ଲୋକଙ୍କ ଦୁଃଖ ଅତ୍ୟନ୍ତ ମର୍ମସ୍ପର୍ଶୀ। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି। ସେସବୁ ଅଞ୍ଚଳରେ ଲୋକେ ଏବେ ବି ମ୍ୟାଲେରିଆ, ଡାଇରିଆ ଓ ସାପକାମୁଡ଼ା ସହ ସଂଘର୍ଷ କରୁଛନ୍ତି। ଏପରି ସର୍ବନିମ୍ନ ସ୍ବାସ୍ଥ୍ୟସେବାର ଅଭାବ ଗରିବ ଓ ଆଦିବାସୀଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହା ଏଭଳି ପରିସ୍ଥିତି ସୃଷ୍ଟିକରୁଛି ଯେକୌଣସି ଗୁରୁତର ସ୍ବାସ୍ଥ୍ୟଭିତ୍ତିକ ସମସ୍ୟା ସେମାନଙ୍କୁ ଆହୁରି ଗଭୀର ଦାରିଦ୍ର୍ୟ ଭିତରକୁ ଟାଣିନେଉଛି। ସେହିପରି, ଦୀର୍ଘ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିବାପରେ ବି ବିଜେଡି ସରକାର ପ୍ରତ୍ୟେକ ଓଡ଼ିଆଙ୍କ ମୁଣ୍ଡ ଉପରେ ଛାତଟିଏ ସୁନିଶ୍ଚିତ କରିପାରିନାହିଁ। ବରଂ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମନ୍ଥର କରିବାସହ ସେଥିରୁ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ହେଉଛି। ଓଡ଼ିଶାର ଯୁବକମାନଙ୍କ ଅବସ୍ଥା ଦେଖନ୍ତୁ। ସେମାନେ ଦେଶର ଅନ୍ୟତମ ଉଜ୍ବଳ ଓ ଦକ୍ଷ ଯୁବବର୍ଗ। ମାତ୍ର, କାମ ପାଇଁ ଅନ୍ୟ ରାଜ୍ୟକୁ ସେମାନେ ଯାଉଛନ୍ତି। ଏହାର କାରଣ ହେଲା; ପୁଞ୍ଜିନିବେଶ, ଶିଳ୍ପ ଓ ସୁଯୋଗକୁ ଆକର୍ଷିତ କରିବା ଲାଗି ବିଜେଡି ସରକାରର ଦୂରଦୃଷ୍ଟି ଅଭାବ ରହିଛି। ସେମାନେ ଶିକ୍ଷା କ୍ଷେତ୍ରକୁ ମଧ୍ୟ ଅଣଦେଖା କରିଛନ୍ତି। ବିଜେପି ନେତୃତ୍ବାଧୀନ ସରକାର ଅନେକ ସହରରେ ଆଇଟି ପାର୍କ ସ୍ଥାପନ କରିବ ଏବଂ ଉଚ୍ଚଶିକ୍ଷାର ଦକ୍ଷତା ବୃଦ୍ଧି କରାଇବ। ଶିଳ୍ପ ଆଣିବା ସହିତ ସେଥିରେ ଓଡ଼ିଆ ଯୁବକମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିବାର ସୁଯୋଗ ପହଞ୍ଚାଇବ।

ସମ୍ବାଦ: ବିଜେପି ଗତ କିଛିବର୍ଷ ମଧ୍ୟରେ ବିଜେଡିକୁ କଡ଼ା ସମାଲୋଚନା କରିନାହିଁ। ମାତ୍ର, ଏଇ କିଛିବର୍ଷ ମଧ୍ୟରେ ହଠାତ୍‌ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବାକୁ ବୁଦ୍ଧିଜୀବୀମାନେ ଯଥେଷ୍ଟ ନୁହେଁ କିମ୍ବା ବିଳମ୍ବ ବୋଲି କହୁଛନ୍ତି। ଏ ସମ୍ପର୍କରେ ଆପଣ କ’ଣ କହିବେ?

ମୋଦୀ: ବିଗତ ବର୍ଷମାନଙ୍କରେ ଓଡ଼ିଶାର ବିଜେପି ଦୃଢ଼ଭାବେ ଯେଉଁସବୁ ପ୍ରସଙ୍ଗ ଉଠାଇଛି, ସେସବୁ ଓଡ଼ିଶାର ସ୍ବାର୍ଥ ସହିତ ଜଡ଼ିତ। ଆପଣ ନିଜ ମିଡିଆ ହାଉସ୍‌ର ରିପୋର୍ଟ ବା ଅନ୍ୟମାନଙ୍କ ରିପୋର୍ଟ ଦେଖିପାରିବେ। ଅନେକ ଦୁର୍ନୀତି ଘଟଣାରେ ଆମେ ଲଗାତାର ବିଜେଡି ସରକାରଙ୍କୁ ପ୍ରଶ୍ନ କରିଛୁ। ମଦ ମାଫିଆଙ୍କ ସହ ସେମାନଙ୍କ ସମ୍ପର୍କ ବାବଦରେ ପ୍ରଶ୍ନ କରିଛୁ। ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳାକୁ ନେଇ ଆମେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛୁ। କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳତା ଅଥବା ଦୁର୍ନୀତିକୁ ନେଇ ବି ପ୍ରଶ୍ନ କରିଛୁ। ତେଣୁ, ବିଜେଡି ସରକାରକୁ ବିଜେପି କଡ଼ା ସମ‌ାଲୋଚନା କରିନାହିଁ ବୋଲି କହିବା ଏକ ଭ୍ରାନ୍ତ ଧାରଣା। ଯେମିତି କେନ୍ଦ୍ରରେ କଂଗ୍ରେସ ଓ ତା’ର ସହଯୋଗୀମାନେ ସମାଲୋଚନାକୁ ବ୍ୟକ୍ତିଗତ ସ୍ତରକୁ ନେଇଯିବା ସହ ଏକ ତିକ୍ତତାପୂର୍ଣ୍ଣ ପରିବେଶ ସୃଷ୍ଟିକରିଛନ୍ତି, ଆମେ ସେମିତି କରିନାହୁଁ। ବରଂ, ଗଠନମୂଳକ ତଥା ପ୍ରସଙ୍ଗଭିତ୍ତିକ ସମାଲୋଚନାକୁ ଗୁରୁତ୍ବ ଦେଇଛୁ।

ସମ୍ବାଦ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ସ୍ବପ୍ନ ଦେଖୁଛି। ଏହା ଉପରେ ଆପଣଙ୍କର ପ୍ରତିକ୍ରିୟା କ’ଣ?

ମୋଦୀ: ବିଜେପି ଏକ ସମୃଦ୍ଧ ତଥା ଅନ୍ତର୍ଭୁକ୍ତ ଓଡ଼ିଶାର ସ୍ବପ୍ନ ଦେଖୁଛି। ଦାରିଦ୍ର୍ୟ ବିରୋଧୀ ଲଢ଼େଇରେ ଓଡ଼ିଶାର ଗରିବ ଲୋକଙ୍କୁ ସଶକ୍ତ କରିବାର ସ୍ବପ୍ନ ଦେଖୁଛି। ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ରାଜ୍ୟରେ ଲକ୍ଷ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ସ୍ବପ୍ନ ଦେଖୁଛି। ଯୁବପିଢ଼ିକୁ ରୋଜଗାରକ୍ଷମ କରିବା ପାଇଁ ଓଡ଼ିଶାକୁ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତର କରିବାର ସ୍ବପ୍ନ ଦେଖୁଛି। ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ସଶକ୍ତୀକରଣ କରିବାକୁ ସ୍ବପ୍ନ ଦେଖୁଛି। ଓଡ଼ିଶାର ଗରିବ, କୃଷକ, ମହିଳା ଓ ଯୁବକଙ୍କ ଜୀବନକୁ ଉନ୍ନତ କରିବା ହେଉଛି ବିଜେପିର ସ୍ବପ୍ନ। ବିଜେପିର ସ୍ବପ୍ନ କେବେ କ୍ଷମତା ହାସଲ ପାଇଁ ନୁହେଁ, ବରଂ ସର୍ବଦା ଲୋକଙ୍କ ସେବା କରିବା ପାଇଁ ଉଦ୍ଦିଷ୍ଟ।

ସମ୍ବାଦ: ଆପଣ କହିଛନ୍ତି ବିଜେପି ସରକାର ଅଧୀନରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ବର୍ତ୍ତମାନ ଓଡ଼ିଶା ବିକାଶର କେଉଁ କ୍ଷେତ୍ର ପାଇଁ ପ୍ରାଥମିକତା ରହିଛି?

ମୋଦୀ: ଓଡ଼ିଶାର ଜନସାଧାରଣ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅବହେଳାର ଶିକାର ହୋଇଛନ୍ତି। ପଛୁଆବର୍ଗ ଓ ଆଦିବାସୀମାନଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଛି, ମାତ୍ର ସେମାନଙ୍କ ସଂଘର୍ଷର ଅନ୍ତ ଘଟିନାହିଁ। ରାଜ୍ୟରେ ନୂତନ ନିଯୁକ୍ତି ସୁଯୋଗକୁ ବି ବନ୍ଦ କରିଦିଆଯାଇଛି। ବିଜେପିର ବିକାଶ ମଡେଲ ଏହିସବୁ ସମସ୍ୟାର ଅବସାନ ଘଟାଇବ। ସମାଜର ପ୍ରତ୍ୟେକବର୍ଗ ଏଥିରୁ ଉପକୃତ ହୋଇପାରିବେ। ବିଜେପିର ଡବଲ ଇଞ୍ଜିନ ସରକାର ଅନେକ ରାଜ୍ୟରେ ଏହିଭଳି କାର୍ଯ୍ୟ କରିପାରିଛି। ଏହାର ବିକାଶ ମଡେଲ୍‌ ଦ୍ରୁତ ବିକାଶ ସହିତ ଦୁର୍ନୀତିମୁକ୍ତ ଶାସନ ପାଇଁ ଏକ ଗ୍ୟାରେଣ୍ଟି। ଓଡ଼ିଶାର ଲୋକେ ମଧ୍ୟ ରାଜ୍ୟରେ ସମାନ ମଡେଲ ଚାହୁଁଛନ୍ତି। ସେମାନେ ଜାଣିଛନ୍ତି ଯେ ‘ଇଜ୍‌ ଅଫ୍ ଡୁଇଂ’ ବା କାମକୁ ସହଜ କରିବା ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ବିଜେଡି ସରକାର ବିଫଳ ହୋଇଛନ୍ତି। ମାତ୍ର, ଲୋକମାନଙ୍କ ସାମୂହିକ ସ୍ବାର୍ଥ ପ୍ରତି ବିଜେପି ଗୁରୁତ୍ବ ଦେବ। ଓଡ଼ିଶାର ପ୍ରତି ୫୦୦ ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ଶିଳ୍ପ କ୍ଳଷ୍ଟର ନିର୍ମାଣ କରିବୁ। ଏହିଭଳି ଆମେ ଅନେକ ପଦକ୍ଷେପ ନେବୁ, ସେଥିରୁ ଲୋକମାନେ ଅନୁଭବ କରିବେ ଯେ କିପରି ବିକାଶଠାରୁ ସେମାନଙ୍କୁ ଦୂରେଇ ରଖାଯାଇଥିଲା।

ସମ୍ବାଦ: କେନ୍ଦ୍ରୀୟ ନେତାଙ୍କ ଓଡ଼ିଶାଗସ୍ତକୁ ସମାଲୋଚନା କରିବା ସହିତ ଏହା କେବଳ ପର୍ଯ୍ୟଟନ ବୋଲି ବିଜେଡି ମତ ଦେଇଛି। ଏହିଭଳି ମନ୍ତବ୍ୟକୁ ଆପଣ କିଭଳି ଖଣ୍ଡନ କରିବେ?

ମୋଦୀ: ସେମାନଙ୍କୁ ପ୍ରଶ୍ନ ପଚରାଯିବା ଉଚିତ ହେବ କି, ଗତ ୨୫ ବର୍ଷ ଭିତରେ ଓଡ଼ିଶାବାସୀଙ୍କ ପାଇଁ ବିଜେଡି କ’ଣ କରିଛି? ରାଜ୍ୟବାସୀଙ୍କ ପ୍ରତିଭା ଓ ପରିଶ୍ରମ କାହିଁକି ଉପଯୁକ୍ତ ଫଳାଫଳ ପାଇପାରୁନାହିଁ? ଓଡ଼ିଶାର ଯୁବକମାନଙ୍କୁ କାହିଁକି ସୁଯୋଗ ହାସଲ ପାଇଁ ଅନ୍ୟ ରାଜ୍ୟ ଆଡ଼େ ଦୃଷ୍ଟିଦେବାକୁ ପଡୁଛି? ଆମେ ଗଲା ୧୦ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ କୋଣଅନୁକୋଣରେ ବିକାଶ ପହଞ୍ଚାଇବା ପାଇଁ ନିରନ୍ତର ପରିଶ୍ରମ କରିଛୁ। ଓଡ଼ିଶାର ଲୋକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଯୋଜନାରୁ ଉପକୃତ ହୋଇପାରିଛନ୍ତି। ଉଦାହରଣ ସ୍ବରୂପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୨୭ ଲକ୍ଷରୁ ଅଧିକ ଗୃହନିର୍ମାଣ କରାଯାଇଛି, ୫୫ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ମାଗଣା ଗ୍ୟାସ ସଂଯୋଗ ପାଇଛନ୍ତି, ୭୩ ପ୍ରତିଶତ ପରିବାରଙ୍କ ଘରେ ବିଶୁଦ୍ଧ ଜଳ ସଂଯୋଗ ଦିଆଯାଇଛି। ସେହିଭଳି କେନ୍ଦ୍ରୀୟ ପାଣ୍ଠିରୁ ୨୪ ହଜାର କୋଟିରୁ ଅଧିକ ଟଙ୍କା ଡିବିଟି(ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ମାଧ୍ୟମରେ ଲୋକଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ପହଞ୍ଚିଛି। ତେବେ, ଏସବୁ ସତ୍ତ୍ବେ ରାଜ୍ୟର ପ୍ରକୃତ ଦକ୍ଷତା ବା ସମ୍ଭାବନା ଅନାଲୋଚିତ ହୋଇ ରହିଛି। ଗତ ୨୫ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ବିକାଶ ପାଇଁ ଏକ ଅର୍ଦ୍ଧ-ହୃଦୟ ତଥା ଦୂର ଆଭିମୁଖ୍ୟ ଦେଖାଇଛି।

ସମ୍ବାଦ: ମଧ୍ୟପ୍ରଦେଶର ‘ଲାଡଲି ବେହନା ଯୋଜନା’ ପରି ଓଡ଼ିଶାର ‘ସୁଭଦ୍ରା ଯୋଜନା’ ଖେଳ ପରିବର୍ତ୍ତନକାରୀ ହେବ କି?

ମୋଦୀ: ଗତ ୧୦ ବର୍ଷ ମଧ୍ୟରେ ମହିଳା ନେତୃତ୍ବାଧୀନ ବିକାଶକୁ ଆମେ ଗୁରୁତ୍ବ ଦେଇଆସିଛୁ। ଆମ ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ଅର୍ଥ ସମଗ୍ର ଦେଶକୁ ସଶକ୍ତ କରିବା। କଥାରେ ଅଛି, ଜଣେ ମହିଳାଙ୍କୁ ସଶକ୍ତ କରିବା ମାନେ ସମଗ୍ର ପରିବାରକୁ ସଶକ୍ତ କରିବା। ଜାତୀୟ ସ୍ତରରେ ଆମର ନିଜସ୍ବ ପ୍ରମୁଖ ଯୋଜନାଗୁଡ଼ିକର ହିତାଧିକାରୀ ହେଉଛନ୍ତି ମହିଳା। ମୁଦ୍ରା ଋଣ ହେଉ କି, ସ୍ବନିଧି ଋଣ କି ଷ୍ଟାଣ୍ଡ୍ଅପ୍ ଋଣ, ବିଭିନ୍ନ ଯୋଜନା ଅନ୍ତର୍ଗତ ଅଧିକାଂଶ ସରକାରୀ ଋଣ ମହିଳାମାନଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଅଧିକାଂଶ ଘର ମହିଳାଙ୍କ ନାମରେ ରହିଛି କିମ୍ବା ସେମାନଙ୍କର ଯୁଗ୍ମ-ମାଲିକାନା ରହିଛି। ଓଡ଼ିଶାରେ ଆମ ଦଳ ‘ମେଧାବୀ ଝିଅ’ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କାର ଆଶ୍ବାସନା ପ୍ରମାଣପତ୍ର ନିଶ୍ଚିତ କରିଛି। ମହିଳାମାନଙ୍କୁ ଅଧିକ ସଶକ୍ତ କରିବାକୁ ‘ସୁଭଦ୍ରା ଯୋଜନା’ ଲକ୍ଷ୍ୟ ରଖିଛି। ଏହି ଯୋଜନା ସେମାନଙ୍କୁ ଦୁଇ ବର୍ଷ ଭିତରେ ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ୫୦ ହଜାର ଟଙ୍କା ବିନିଯୋଗ କରିବାର ସୁବିଧା ଯୋଗାଇବ। ଭବିଷ୍ୟତ ପାଇଁ ଆମର ଦୃଷ୍ଟିକୋଣ ସ୍ପଷ୍ଟ। ଆମେ ଏହାକୁ ଓଡ଼ିଶାରେ ବାସ୍ତବତାରେ ପରିଣତ କରିବା ପାଇଁ ପ୍ରତିବଦ୍ଧ।

ସମ୍ବାଦ: ଭାରତ ଭଳି ଗାଣତନ୍ତ୍ରିକ ଦେଶରେ ବିରୋଧୀ ଦଳର ଭୂମିକା ପ୍ରତି ମୋଦୀଙ୍କ କିଭଳି କଳ୍ପନା ରହିଛି?

ମୋଦୀ: ଆମେ ୧୦ ବର୍ଷ ଧରି ସରକାର ଚଳାଉଛୁ। ଏହି ସମୟ ମଧ୍ୟରେ ବିରୋଧୀ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ଏବଂ ଲୋକଙ୍କ ସ୍ବର ହେବାର ସୁଯୋଗ ପାଇଛନ୍ତି। ଏକ ଗଠନମୂଳକ ଆଭିମୁଖ୍ୟ ସହିତ ସେମାନେ ଦେଶର ବିକାଶ ପରିପ୍ରେକ୍ଷୀରେ ସକାରାତ୍ମକ ପ୍ରଭାବ ପକାଇ ପାରିଥା’ନ୍ତେ। ମାତ୍ର ସେମାନେ ତାହା କରିବାରେ ବିଫଳ ହୋଇଛନ୍ତି। ବିରୋଧୀମାନେ ଏବେ ଏକ ଗୋଲକଧନ୍ଦାରେ ଛନ୍ଦି ହୋଇଛନ୍ତି। ମୁଁ ଯାହା କରୁଛି, ମୋ’ ସରକାର ଯାହା କରୁଛନ୍ତି, ସେମାନେ ସେସବୁକୁ ବିରୋଧ କରିବାକୁ ଚାହାନ୍ତି। ଏଭଳି ମାନସିକତାରେ ସେମାନେ ଦେଶ ବିରୋଧରେ ମଧ୍ୟ ଯିବାକୁ ପ୍ରସ୍ତୁତ। ତେଣୁ ବିରୋଧୀ ଦଳଗୁଡ଼ିକ ନିଜର ଭୂମିକା ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ଯଦି ଭାରତୀୟ ଅଭିବୃଦ୍ଧି କାହାଣୀରେ ବିରୋଧୀଦଳ ନିଜକୁ କେବଳ ଏକ ‘ନାହିଁ କହୁଥିବା ଦଳ’ରେ ବିବେଚିତ ହେବାକୁ ଚାହାନ୍ତି, ତା’ହେଲେ ଭୋଟର୍‌ମାନେ ରାଜ୍ୟ ବା ଜାତୀୟ ନିର୍ବାଚନରେ ସେମାନଙ୍କୁ ଅଣଦେଖା କରିବା ସ୍ବାଭାବିକ।

ସମ୍ବାଦ: ବିରୋଧୀଙ୍କ ଅଭିଯୋଗ ଯେ ଗଣତନ୍ତ୍ରର ସ୍ବରକୁ ଦମନ କରିବା ଲାଗି ଇଡି ଓ ସିବିଆଇର ଅପବ୍ୟବହାର କରି ମୋଦୀ ଦେଶରେ ଏକଛତ୍ରବାଦୀ ଶାସନ ଲାଗୁ କରିବାକୁ ଚାହାନ୍ତି। ଏ ସମ୍ପର୍କରେ ଆପଣ କ’ଣ କହିବେ? ?

ମୋଦୀ: ଯଦି ଇଡି ଓ ସିବିଆଇ ବ୍ୟବହାର କରି ଗଣତନ୍ତ୍ରକୁ ସହଜରେ ଦମନ କରାଯାଇପାରିବ, ତେବେ ଏହି ସଂସ୍ଥାଗୁଡ଼ିକୁ ବର୍ଷ ବର୍ଷ ଧରି ବ୍ୟବହାର କରି ଆସୁଥିବା କଂଗ୍ରେସ ଦଳ ୨୦୧୪ ନିର୍ବାଚନକୁ ସହଜରେ ଜିତି ପାରିଥା’ନ୍ତା। ତା’ହେଲେ ସେମାନେ କାହିଁକି ହାରିଗଲେ? ବାସ୍ତବତା ହେଉଛି, ଭାରତ ପରି ବିସ୍ତୃତ ଓ ବିବିଧ ଦେଶରେ ଗଣତନ୍ତ୍ରକୁ ଏଭଳି ଉପାୟ ଦ୍ବାରା ଅଟକାଯାଇପାରିବ ନାହିଁ। ଭାରତୀୟମାନେ ସଜାଗ ଓ ସଚେତନ। ସେମାନଙ୍କର ସାମୂହିକ ଇଚ୍ଛା ଦ୍ବାରା ହିଁ ଦେଶର ଭାଗ୍ୟ ନିର୍ଣ୍ଣୟ ହୋଇଥାଏ। ଆଜି ସୁଦ୍ଧା ଇଡି ଦ୍ବାରା ତଦନ୍ତ କରାଯାଇଥିବା ସମସ୍ତ ଦୁର୍ନୀତି ମାମଲାରେ କେବଳ ୩ ପ୍ରତିଶତ ହିଁ ରାଜନେତା ଜଡ଼ିତ ଅଛନ୍ତି। ବାକି ୯୭ ପ୍ରତିଶତଙ୍କ ଭିତରେ ବିଭିନ୍ନ ସରକାରୀ ଅଧିକାରୀ ଓ ଅପରାଧୀ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏଥିରୁ ଏହା ପ୍ରମାଣିତ ଯେ ଆମର ଏହି ସଂସ୍ଥାଗୁଡ଼ିକ କେବଳ ରାଜନୈତିକ ପକ୍ଷପାତିତାରେ କାମ କରୁନାହାନ୍ତି। ଏଥିସହିତ ୨୦୧୪ ପୂର୍ବରୁ ଇଡି କେବଳ ୫ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ବେଳେ ଗତ ୧୦ ବର୍ଷ ଭିତରେ ସେହି ପରିମାଣ ଏକ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି। ଏହା ଦର୍ଶାଉଛି କି, ଆମ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ତ୍ତବ୍ୟ ଠିକ୍‌ରେ ପାଳନ କରୁଛନ୍ତି। ତେଣୁ ସେହି ସଂସ୍ଥାଗୁଡ଼ିକୁ ବିନା ହସ୍ତକ୍ଷେପରେ କାମ କରିବାକୁ ଦିଆଯିବା ଜରୁରୀ। ଇନ୍‌ଡି ଗଠବନ୍ଧନ ପ୍ରଥମଦିନରୁ ଦୁର୍ନୀତିଗ୍ରସ୍ତଙ୍କ ଏକ ମିଳିତ ମଞ୍ଚ ଥିଲା। ନିର୍ବାଚନରେ ହାରିଯିବେ ବୋଲି ଜାଣି ଏହିଭଳି ମନ୍ଦ ବାହାନାର ଆଶ୍ରୟ ନେଇଛନ୍ତି।

ସମ୍ବାଦ: ଆପଣ ଭାବୁଛନ୍ତି କି, ‘୪୦୦ ପାର୍’ ସ୍ଳୋଗାନ ଆତ୍ମସନ୍ତୋଷ ଓ ଅତ୍ୟଧିକ ଆତ୍ମବିଶ୍ବାସ ସୃଷ୍ଟି କରି ବିଜେପିକୁ ପଛକୁ ନେଇଯିବ?

ମୋଦୀ: ଦେଶ ଏକ ନିର୍ଣ୍ଣାୟକ ଓ ସ୍ଥିର ସରକାର ଚାହେଁ ବୋଲି ନିଷ୍ପତ୍ତି ନେଇସାରିଛି। ଦେଶବାସୀ ହିଁ ଆମକୁ ‘ଏଇ ଥର, ୪୦୦ ପାର୍’ର ଲକ୍ଷ୍ୟ ଦେଇଛନ୍ତି। ଏହାର କାରଣ ହେଲା, ବିଜେପିର କାର୍ଯ୍ୟକର୍ତ୍ତାମାନେ ସର୍ବଦା ନିମ୍ନସ୍ତରରୁ କାମ କରୁଛନ୍ତି ଏବଂ ଲୋକଙ୍କ ସହ ରହିଛନ୍ତି। ନିର୍ବାଚନ ଥାଉ କି ନଥାଉ, ସେମାନେ ଲୋକଙ୍କ ଇଚ୍ଛା ସହିତ ତାଳମେଳ ରଖିଛନ୍ତି ଏବଂ ସେମାନଙ୍କ ଆକାଂକ୍ଷା ପୂରଣ ପାଇଁ କାର୍ଯ୍ୟ କରୁଛନ୍ତି। ମୁଁ ଏକଥା ମଧ୍ୟ କହିବାକୁ ଚାହେଁ ଯେ ଆମ ଦଳର ମାର୍ଗଦର୍ଶିକାରେ ‘ଦେଶ ପ୍ରଥମ’ ବୋଲି ରହିଛି। ଏକ ରାଜନୈତିକ ଆନ୍ଦୋଳନ ଭାବେ ଆମେ ଉଭା ହୋଇଛୁ। ଲୋକସଭାରେ ମାତ୍ର ୨ ଜଣ ସାଂସଦ ରହିବାଠାରୁ ଆରମ୍ଭ କରି ଦୁଇଥର ପୂୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବା ଏବଂ ତୃତୀୟଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବା ଯାଏ ଆମ କାର୍ଯ୍ୟକର୍ତ୍ତାମାନେ ଅହେତୁକ ଦୃଢ଼ତା, କଠିନ ପରିଶ୍ରମ ଓ ସାହସ ପ୍ରଦର୍ଶନ କରି ଆସିଛନ୍ତି। ସେମାନଙ୍କ ପାଇଁ ଏକ ନିର୍ବାଚନରେ ଜିତିବା ଏକମାତ୍ର ଉଦ୍ଦେଶ୍ୟ କି ଶେଷକଥା ନୁହେଁ। ତେଣୁ ଏଠି ଆତ୍ମସନ୍ତୋଷର ସ୍ଥାନ ନାହିଁ।

ସମ୍ବାଦ: ପୂର୍ବ ଭାରତରେ ବିଜେପିର ପ୍ରଦର୍ଶନ ଆଶାନୁରୂପ ନଥିଲା। ୨୦୨୪ ନିର୍ବାଚନ କ’ଣ ବିଜେପି ସପକ୍ଷରେ ଯିବ ବୋଲି ଆପଣ ଭାବୁଛନ୍ତି?

ମୋଦୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପୂର୍ବ ଭାରତର ଏକମାତ୍ର ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା। ଝାଡ଼ଖଣ୍ଡରେ ଏନ୍‌ଡିଏ ୧୪ ଆସନରୁ୧୨ଟି ଜିତିବା ସହ ୫୬ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା। ଓଡ଼ିଶାରେ ଆମେ ପୂର୍ବାପେକ୍ଷା ୭ଟି ଆସନ ଅଧିକ ପାଇ ୮ରେ ପହଞ୍ଚିଥିଲୁ। ପଶ୍ଚିମବଙ୍ଗରେ ଆମେ ୪୨ ଆସନରୁ ୧୮ଟି ଜିତିଥିଲୁ ଏବଂ ଏକ ନଗଣ୍ୟ ଉପସ୍ଥିତିରୁ ମୁଖ୍ୟ ବିରୋଧୀ ଦଳ ହୋଇପାରିଥିଲୁ। ବିହାରରେ ଏନ୍‌ଡିଏ ୪୦ଟି ଆସନରୁ ୩୯ଟି ଜିତିଥିଲା। ତେଣୁ, ପୂର୍ବଭାରତରେ ଆମେ ଐତିହାସିକ ସଫଳତା ହାସଲ କରିଥିଲୁ ବୋଲି କୁହାଯାଇପ‌ାରେ। ଏହି ସଫଳତା ହାସଲ ପଛରେ କାରଣ ହେଉଛି ଦୁର୍ନୀତିଗ୍ରସ୍ତ ଓ ବଂଶବାଦୀ ନେତାଙ୍କ ଶାସନରେ ଲୋକେ କ୍ଳାନ୍ତ ହୋଇପଡ଼ିଥିଲେ। ଯେମିତିକି ଟିଏମ୍‌ସି ନେତାମାନେ ବିଭିନ୍ନ ପ୍ରକାର ଦୁର୍ନୀତି କରିବାରେ ରେକର୍ଡ କରିଛନ୍ତି। ନିକଟ ଅତୀତରେ ଓଡ଼ିଶାର ଏକ ମଦ କାରଖାନାରୁ ଜଣେ ଝାଡ଼ଖଣ୍ଡ ସାଂସଦଙ୍କ ପାହାଡ଼ତୁଲ୍ୟ ଟଙ୍କାଗଦା ଉଦ୍ଧାର ହୋଇଥିଲା। ଜବତ ଟଙ୍କାଗୁଡ଼ିକୁ ଗଣିବା ଲାଗି ଆମ ସଂସ୍ଥାଗୁଡ଼ିକୁ ଦିନ ଦିନ ଲାଗିଗଲା। ଏହିସବୁ କାରଣ ପାଇଁ ପୂର୍ବଭାରତରେ ଆମେ ଦୃଢ଼ ଉପସ୍ଥିତି ରଖିପାରିଛୁ।

ସମ୍ବାଦ: ଭାରତୀୟ ଜନସଂଖ୍ୟାର ଏକ ଗୁରୁତ୍ବପୂର୍ଣ୍ଣ ଭାଗ ମଧ୍ୟବିତ୍ତ ଶ୍ରେଣୀର, ଯେଉଁମାନେ ଇନ୍ଧନ ଗ୍ୟାସ ଓ ଖାଦ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଦ୍ବାରା ଭୀଷଣ ଭାବରେ ପ୍ରଭାବିତ। ଏ ବାବଦରେ ଆପଣଙ୍କ ମତାମତ କ’ଣ?

ମୋଦୀ: ଭାରତରେ ମୁଦ୍ରାସ୍ଫୀତି ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହି ଆସିଛି। କିନ୍ତୁ ଅତୀତର ଅନ୍ୟ କୌଣସି ସରକାର ଗତ ୧୦ ବର୍ଷ ପରି ଏହି ପ୍ରସଙ୍ଗକୁ ଗମ୍ଭୀର ଓ ବିସ୍ତୃତ ଭାବରେ କ୍ବଚିତ୍ ସମାଧାନ କରିଛନ୍ତି। ୧୯୭୪ ମସିହାରେ ଭାରତରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୩୦ ପ୍ରତିଶତ ରହିଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିଲେ। ୧୯୮୦ ଦଶକର ଆରମ୍ଭରେ ଦେଶ ପୁଣି ଇନ୍ଦିରାଙ୍କ ଅଧୀନରେ ଥିଲା ବେଳେ ଏହା ୧୦ ପ୍ରତିଶତରୁ ଅଧିକ ରହିଥିଲା। ୧୯୯୦ ଦଶକରେ ଏହା ମଧ୍ୟ ସମାନ ସ୍ତରରେ ରହିଲା। ୨୦୧୦ରେ ଜଣେ ଅର୍ଥନୀତିଜ୍ଞ ସରକାରଙ୍କ ନେତୃତ୍ବ ନେଉଥିବା ସତ୍ତ୍ବେ ମୁଦ୍ରାସ୍ଫୀତି ପ୍ରାୟ ୧୨ ପ୍ରତିଶତ ରହିଥିଲା। ସେହି ତୁଳନାରେ ୨ବର୍ଷର ମହାମାରୀ, ବୈଶ୍ବିକ ଅନିଶ୍ଚିତତା ଏବଂ ଏହାର ପ୍ରଭାବ ଆମର ଇନ୍ଧନ, ସାର ଓ ଖାଦ୍ୟ ଉପରେ ପଡ଼ିବା ସତ୍ତ୍ବେ ଆମ ସରକାର ଉପଭୋକ୍ତା ଦର ସୂଚକାଙ୍କ(ସିପିଆଇ) ମୁଦ୍ରାସ୍ଫୀତିକୁ ୫ ପ୍ରତିଶତ ତଳେ ରଖିବାରେ ସଫଳ ହୋଇଛି। ସ୍ବାଧୀନତା ପରବର୍ତ୍ତୀ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ଆମର ଦକ୍ଷତା ସର୍ବୋତ୍ତମ ରହିଛି। ଅନେକ ବିକଶିତ ରାଷ୍ଟ୍ର ତୁଳନାରେ ମୁଦ୍ରାସ୍ଫୀତି ହାର କମ୍ ଥିବା ଦେଶମାନଙ୍କ ଭିତରେ ଭାରତ ଅନ୍ୟତମ। ଏହାର କାରଣ ହେଉଛି, ଆମ କୃଷକମାନେ ବିଶ୍ବ ଖାଦ୍ୟ ଚାହିଦା ପୂରଣ କରିବାରେ ସଫଳ ହୋଇଛନ୍ତି। ଭାରତରେ ଆଜି ବିଶ୍ବର ସବୁଠୁ ଶସ୍ତା ୟୁରିଆ ସାର ରହିଛି। ତେଣୁ ୟୁକେ, ଫ୍ରାନ୍ସ ଓ ଜର୍ମାନୀ ପରି ବୃହତ୍ତର ଅର୍ଥନୈତିକ ରାଷ୍ଟ୍ର ତୁଳନାରେ ଆମେ ଖାଦ୍ୟ ଓ ସାର ମୁଦ୍ରାସ୍ଫୀତିକୁ କମ୍ ରଖିପାରିବୁ। ଆଜି ବିଶ୍ବରେ ଦେଖାଦେଇଥିବା ବିବାଦର ମୁକାବିଲା ଯୋଗୁଁ ବିଶ୍ବସ୍ତରରେ ତୈଳଦରରେ ବୃଦ୍ଧି ଘଟିଛି। କିନ୍ତୁ ବିଶ୍ବସ୍ତରୀୟ ଚାପ ସତ୍ତ୍ବେ ଲୋକଙ୍କୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ ଭାର ବହନ କରିବାକୁ ପଡ଼ିବନି ବୋଲି ଆମ ସରକାର ନିଶ୍ଚିତ କରିଛନ୍ତି। ଏହା ବ୍ୟତୀତ, ଆମେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମୁଦ୍ରାସ୍ଫୀତିର ପ୍ରତିକୂଳ ପ୍ରଭାବରୁ ରକ୍ଷା କରିଛୁ। ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଆମେ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଉପକରଣ ଯୋଗାଇ ସଶକ୍ତ କରିଛୁ। ସେହିପରି, ସ୍ବଳ୍ପମୂଲ୍ୟର ଏଲ୍ଇଡି ବଲ୍‌ବ ଯୋଗୁଁ ପ୍ରତ୍ୟେକ ପରିବାର ପାଇଁ ହାରାହାରି ବିଦ୍ୟୁତ୍ ବିଲ ହ୍ରାସ ପାଇଛି। ଆଜି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଆୟକର ନାହିଁ। ଅର୍ଥାତ୍ ଲୋକେ ହଜାରେ ଟଙ୍କା ସଞ୍ଚୟ କରିପାରୁଛନ୍ତି ଯାହା ଅନ୍ୟଥା ଆୟକର ଆଡ଼କୁ ଯାଇଥା’ନ୍ତା। ଆୟୁଷ୍ମାନ୍ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସା ଯୋଗୁଁ ପରିବାର ଉପରେ ୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ବୋଝ ହ୍ରାସ ପାଇଛି। ଆଗରୁ ବଜାରରେ ମିଳୁଥିବା ୧୦୦ ଟଙ୍କାର ଔଷଧ ଏବେ ଜନ ଔଷଧି ଯୋଜନାରେ ମାତ୍ର ୧୦ ଟଙ୍କା କି ୨୦ ଟଙ୍କାରେ ଉପଲବ୍ଧ ହୋଇପାରୁଛି। କୋଭିଡ ବେଳରୁ ୮୦ କୋଟି ଲୋକ ମାଗଣା ଖାଦ୍ୟଶସ୍ୟ ଗ୍ରହଣ କରୁଛନ୍ତି ଯାହା ସେମାନଙ୍କ ଜୀବନକୁ ବହୁତ ସହଜ କରିଦେଇଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କି, ଗ୍ରାମାଞ୍ଚଳର ପ୍ରଥମ ପରିବାରମାନେ ସେମାନଙ୍କ ମାସିକ ଖର୍ଚ୍ଚର ୫୦ ପ୍ରତିଶତରୁ କମ୍ ଅଣଖାଦ୍ୟ ବାବଦରେ ଖର୍ଚ୍ଚ କରୁଛନ୍ତି, ଯାହା ସେମାନଙ୍କ ସମୃଦ୍ଧିରେ ବୃଦ୍ଧିକୁ ଦର୍ଶାଉଛି। ଆଜି ଭାରତରେ ମାତ୍ର ୧୦ ଟଙ୍କାରେ ୧ ଜିବି ଡାଟା ପରି ବିଶ୍ବର ସବୁଠୁ ଶସ୍ତା ଇଣ୍ଟରନେଟ୍ ସେବା ଉପଲବ୍ଧ। ୨୦୧୪ରେ ଏହା ୩୦୦ ଟଙ୍କା ହୋଇଥିବ। ଏହି ସ୍ବଳ୍ପ ମୂଲ୍ୟ ଡିଜିଟାଲ ଓ ଆର୍ଥିକ ଅନ୍ତର୍ଭୁକ୍ତ ସଂସ୍କାରକୁ ବ୍ୟାପକ ପରିମାଣରେ ବଢ଼ାଇବାକୁ ସାହାଯ୍ୟ କରିଛି।

ସମ୍ବାଦ: ଓଡ଼ିଶାର ଲୋକମାନଙ୍କ ପାଇଁ ମୋଦୀଙ୍କ ଗ୍ୟାରେଣ୍ଟିରେ କ’ଣ ରହିଛି?

ମୋଦୀ: ମୋର ଗ୍ୟାରେଣ୍ଟି ଓଡ଼ିଶାର ଗୌରବକୁ ପୁନର୍ଜୀବିତ କରୁଛି। କେବଳ ଭାରତରେ ନୁହେଁ, ବିଶ୍ବରେ ମଧ୍ୟ ଓଡ଼ିଶାର ସଂସ୍କୃତି ଓ ଭାଷାର ଗୌରବକୁ ପୁନଃସ୍ଥାପିତ କରୁଛି। ମୋର ଗ୍ୟାରେଣ୍ଟି ହେଉଛି ମହିଳା ନେତୃତ୍ବ ବିକାଶ। ମୋର ଗ୍ୟାରେଣ୍ଟି ହେଉଛି ଓଡ଼ିଶାର ଯୁବକମାନଙ୍କ ପାଇଁ ଅଭିବୃଦ୍ଧି ଓ ସୁଯୋଗ ଆଣିବା। ମୋର ଗ୍ୟାରେଣ୍ଟି ଓଡ଼ିଶାରେ ଅଧିକ ଶିଳ୍ପ, ପୁଞ୍ଜିନିବେଶ ଓ ଭିତ୍ତିଭୂମିକୁ ସ୍ବାଗତ କରୁଛି। ମୋର ଗ୍ୟାରେଣ୍ଟି ହେଉଛି ଦୁର୍ନୀତିମୁକ୍ତ ଓଡ଼ିଶା ଏବଂ ଚିଟ୍ ଫଣ୍ଡ୍ ଯୋଜନାରେ ହଜିଯାଇଥିବା ଟଙ୍କା ଫେରାଇ ଆଣିବା। ମୋର ଗ୍ୟାରେଣ୍ଟି ‘ପିଏମ୍ ସୂର୍ଯ୍ୟଘର, ମାଗଣା ବିଜୁଳି’ ଯୋଜନାରେ ଓଡ଼ିଶାବାସୀଙ୍କ ବିଦ୍ୟୁତ୍ ବିଲ୍‌କୁ ଶୂନକୁ ଆଣିବା। ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ହେଉଛି ମୋ’ ଗ୍ୟାରେଣ୍ଟି। ବିକଶିତ ଭାରତ ପାଇଁ ଏକ ବିକଶିତ ଓଡ଼ିଶା ହେଉଛି ମୋ’ ଗ୍ୟାରେଣ୍ଟି। ଆମର ସଂକଳ୍ପପତ୍ର ଓଡ଼ିଶାର ଉଜ୍ବଳ ଭବିଷ୍ୟତ ପାଇଁ ଏକ ରୋଡ୍-ମ୍ୟାପ୍ ପ୍ରସ୍ତୁତ କରିଛି। ଉଦାହରଣ ସ୍ବରୂପ, ଆମେ ଓଡ଼ିଶାର ଦୀର୍ଘ ଉପକୂଳର ସମ୍ଭାବନାକୁ ଖୋଜି ବାହାର କରିବାକୁ ଚାହୁଛୁ। ଆମର ଇସ୍ତାହାର ମତ୍ସ୍ୟଜୀବୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ, ଆଧୁନିକ ପଦ୍ଧତି ଏବଂ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି। ଆମ ଦୃଷ୍ଟିକୋଣରେ ଉତ୍ପାଦନ କ୍ଳଷ୍ଟର ପ୍ରତିଷ୍ଠା, ବୈଷୟିକ ଜ୍ଞାନକୌଶଳ, ଶୈବାଳ ଓ ମୁକ୍ତା ଚାଷକୁ ପ୍ରୋତ୍ସାହିତ କରିବା ଆଦି ରହିଛି।

ଆମର ଅନ୍ନଦାତା ହେଉଛନ୍ତି ଆମର ମୁଖ୍ୟ ପ୍ରାଥମିକତା ଏବଂ ଓଡ଼ିଶାର କୃଷକମାନେ ଦେଶର ଅନ୍ୟ କୃଷକମାନଙ୍କ ସହିତ ସମାନ ଭାବରେ ଏମ୍ଏସ୍‌ପି ଗ୍ରହଣ କରିବା ଆମେ ନିିଶ୍ଚିତ କରିବୁ। ଓଡ଼ିଶାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ କୃଷି ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ଆମେ ୩,୦୦୦ କୋଟିର ‘କୃଷି ସଂରକ୍ଷଣ କୋଷ’ ସ୍ଥାପନ କରିବୁ। ଆମ ସଂକଳ୍ପ ହେଉଛି ଓଡ଼ିଶାର ଗରିବମାନଙ୍କ ପାଇଁ ୧୫ ଲକ୍ଷ ଗୃହ ନିର୍ମାଣ କରିବା ଏବଂ ଡବଲ ଇଞ୍ଜିନ୍ ସରକାରର ଶହେ ଦିନ ଭିତରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇବା। ଓଡ଼ିଶାର ପ୍ରଗତିରେ ସିଧାସଳଖ ସହଯୋଗ କରୁଥିବା ଛୋଟ ବ୍ୟବସାୟ ଓ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ‘ଇଜ୍‌ ଅଫ୍ ଡୁଇଂ’ ନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ। ଆମ ଦୃଷ୍ଟିକୋଣରେ ଓଡ଼ିଶାକୁ ଏକ ଉଦ୍ୟୋଗ କେନ୍ଦ୍ରରେ ପରିଣତ ସହ ନିଜସ୍ବ ଜ୍ଞାନକୌଶଳରେ ୪ଟି ଆଇଟି ପାର୍କ ସ୍ଥାପନ କରିବା ମଧ୍ୟ ଅନ୍ତର୍ଭୁକ୍ତ।

ନିମ୍ନରେ ସାକ୍ଷାତକାରର କ୍ଲିପିଂ :

 Source: ସମ୍ବାଦ