ବ୍ରହ୍ମାକୁମାରୀ ସଂସ୍ଥାର ସାତଟି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
‘‘ଆମେ ଏପରି ଏକ ଭାରତର ଅଭ୍ୟୁଦୟକୁ ଦେଖୁଛୁ ଯାହାର ବିଚାର ଓ ଦୃଷ୍ଟିକୋଣ ଅଭିନବ ଏବଂ ନିର୍ଣ୍ଣୟ ପ୍ରଗତିଶୀଳ’’
‘‘ଆମେ ଆଜି ଏକ ଭେଦଭାବମୁକ୍ତ ବ୍ୟବସ୍ଥା ନିର୍ମାଣ କରୁଛୁ, ଆମେ ଏପରି ଏକ ସମାଜ ଗଠନ କରୁଛୁ ଯାହା ସମାନତା ଓ ସାମାଜିକ ନ୍ୟାୟର ମୂଳଦୁଆ ଉପରେ ଦୃଢ଼ ଭାବେ ଛିଡ଼ା ହୋଇ ରହିଛି’’
‘‘ଯେତେବେଳେ ସମଗ୍ର ବିଶ୍ୱ ଘନ ଅନ୍ଧକାର ତଥା ମହିଳାଙ୍କ ସମ୍ପର୍କରେ ପୁରୁଣା ଚିନ୍ତାଧାରାରେ ବାନ୍ଧି ହୋଇ ରହିଥିଲା ଭାରତ ମହିଳାମାନଙ୍କୁ ମାତୃଶକ୍ତି ଓ ଦେବୀ ରୂପରେ ପୂଜା କରୁଥିଲା’’
‘‘ଅମୃତ କାଳ ଶୋଇ ରହି ସ୍ୱପ୍ନ ଦେଖିବାର ବେଳ ନୁହେଁ, ବରଂ ଆମ ସଂକଳ୍ପକୁ ପୂରଣ କରିବା ଲାଗି ପ୍ରୟାସ କରିବାର ସମୟ। ଆଗାମୀ ୨୫ ବର୍ଷ ସର୍ବାଧିକ କଠିନ ପରିଶ୍ରମ, ବଳିଦାନ ଓ ‘ତପସ୍ୟା’ର ସମୟ। ଶହ ଶହ ବର୍ଷର ଦାସତ୍ୱରେ ଆମ ସମାଜ ଯାହା ହରାଇଛି ତାହାକୁ ପୁନର୍ବାର ହାସଲ କରିବା ଲାଗି ଏ ୨୫ ବର୍ଷର ଅବଧି ଉପଯୁକ୍ତ ସମୟ’’
‘‘ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଆମ ସମସ୍ତଙ୍କୁ ଏକ ଦୀପ ଜାଳିବାକୁ ହେବ- କର୍ତ୍ତବ୍ୟର ଦୀପ। ଆମେ ସମସ୍ତେ ମିଶି, ଦେଶକୁ କର୍ତ୍ତବ୍ୟର ମାର୍ଗରେ ଆଗକୁ ନେବା, ତା’ହେଲେ ଯାଇ ସାମାଜିକ କଳୁଷତା ଦୂର ହେବ ଏବଂ ଦେଶ ନୂତନ ଉଚ୍ଚତାରେ ପହଞ୍ଚି ପାରିବ’’
‘‘ଆଜି ଯେତେବେଳେ ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛୁ, ଭାରତ

ନମସ୍ତେ, ଓମ୍‌ ଶାନ୍ତି,

କାର୍ଯ୍ୟକ୍ରମରେ ଆମ ସହ ଆଜି ଏଠାରେ ଉପସ୍ଥିତ ଥିବା ଲୋକସଭାର ଅଧ୍ୟକ୍ଷ ଶ୍ରୀ ଓମ୍‌ ବିରଳା ଜୀ, ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍‌ ଅଶୋକ ଗେହଲଟଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ କିଶନ ରେଡ୍ଡୀଜ ଜୀ, ଭୂପେନ୍ଦର ଯାଦବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ପୁରୁଷୋତ୍ତମ ରୂପାଲା ଜୀ, ଏବଂ ଶ୍ରୀ କୈଳାଶ ଚୌଧୁରୀ ଜୀ, ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଗୁଲାବଚନ୍ଦ କଟାରିୟା ଜୀ, ବ୍ରହ୍ମାକୁମାରୀମାନଙ୍କ କାର୍ଯ୍ୟକାରୀ ସଂପାଦକ ରାଜଯୋଗୀ ମୃତ୍ୟୁଞ୍ଜୟ ଜୀ, ରାଜଯୋଗିନୀ ଭଉଣୀ ମୋହିନୀ ଜୀ, ଭଉଣୀ ଚନ୍ଦ୍ରିକା ଜୀ, ବ୍ରହ୍ମାକୁମାରୀ ସଂଗଠନର ଅନ୍ୟ ସମସ୍ତ ଭଉଣୀ, ଏବଂ ସଜ୍ଜନମଣ୍ଡଳୀ ତଥା ଏଠାରେ ଉପସ୍ଥିତ ଥିବା ସକଳ ସାଧକ- ସାଧିକାବୃନ୍ଦ!

କିଛି ସ୍ଥାନ ଏଭଳି ହୋଇଥାଏ ଯେଉଁଠାରେ ଏକ ଭିନ୍ନ ଚେତନା ସୃଷ୍ଟି ହୋଇଥାଏ, ଆଲୋକର ଏକ ନିଜସ୍ୱ ପ୍ରଭାବ ସୃଷ୍ଟି ହୋଇଥାଏ । ସେହି ଆଲୋକ ସେହିସବୁ ମହାନ୍‌ ବ୍ୟକ୍ତିବିଶେଷଙ୍କର ହୋଇଥାଏ, ଯେଉଁମାନଙ୍କ ତପସ୍ୟା ଦ୍ୱାରା ବନ, ପର୍ବତ, ପାହାଡ଼ ମଧ୍ୟ ଜାଗି ଉଠିଥାନ୍ତି । ସେହିସବୁ ସ୍ଥାନ ମାନବୀୟ ପ୍ରେରଣାର କେନ୍ଦ୍ର ପାଲଟି ଯାଇଥାଏ । ମାଉଣ୍ଟ ଆବୁର ଆଭା ମଧ୍ୟ ଦାଦା ଲେଖରାଜ ଏବଂ ତାଙ୍କ ଭଳି ଅନେକ ସିଦ୍ଧ ବ୍ୟକ୍ତିତ୍ୱଙ୍କ ଯୋଗୀ ନିରନ୍ତର ବୃଦ୍ଧି ପାଇଚାଲିଛି ।

ଆଜି ଏହି ପବିତ୍ର ସ୍ଥାନରେ ବ୍ରହ୍ମାକୁମାରୀମାନଙ୍କ ସଂସ୍ଥା ଦ୍ୱାରା ସ୍ୱାଧୀନତାର ଅମୃତ ମହୋତ୍ସବର ସ୍ୱର୍ଣ୍ଣିମ ଭାରତ କି ଔର, ଏକ ବହୁତ ବଡ଼ ଅଭିଯାନର ଶୁଭାରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ସ୍ୱର୍ଣ୍ଣିମ ଭାରତ ନିମନ୍ତେ ଭାବନା ମଧ୍ୟ ରହିଛି, ସାଧନା ବି ନିହିତ ଅଛି । ଏଥିରେ ଦେଶ ନିମନ୍ତେ ପ୍ରେରଣା ବି ଅଛି, ବ୍ରହ୍ମାକୁମାରୀମାନଙ୍କ ପ୍ରୟାସ ମଧ୍ୟ ରହିଛି ।

ମୁଁ ଦେଶର ସଂକଳ୍ପ ସହିତ, ଦେଶର ସ୍ୱପ୍ନର ସହିତ ନିରନ୍ତର ସଂଶ୍ଳିଷ୍ଟ ରହିଥିବାର ବ୍ରହ୍ମାକୁମାରୀ ପରିବାରଙ୍କୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି । ଆଜିର ଏହି କାର୍ଯ୍ୟକ୍ରମରେ ଦାଦୀ ଜାନକୀ, ରାଜଯୋଗିନୀ ଦାଦୀ ହୃଦୟ ମୋହିନୀ ଜୀ ସଶରୀର ଆମମାନଙ୍କ ଗହଣରେ ଉପସ୍ଥିତ ରହିପାରିନାହାନ୍ତି । ମୋ ପ୍ରତି ସେମାନଙ୍କ ମନରେ ପ୍ରଗାଢ଼ ସ୍ନେହ ରହିଛି । ଆଜିର ଏହି ଆୟୋଜନ ପାଇଁ ମୁଁ ସେମାନଙ୍କ ଆଶୀର୍ବାଦ ମଧ୍ୟ ମୋ ଭିତରେ ଅନୁଭବ କରୁଛି ।

ସାଥୀଗଣ,

ଯେତେବେଳେ ସଂକଳ୍ପ ସହିତ ସାଧନାର ସଂଯୋଗ ଘଟିଥାଏ ଯେତେବେଳେ ସାଧାରଣ ମାନବଙ୍କ ସହିତ ଆମର ମମଭାବ ଯୋଡ଼ି ହୋଇଯାଇଥାଏ ନିଜର ବ୍ୟକ୍ତିଗତ ଉପଲବ୍ଧ ନିମନ୍ତେ ‘ଇଦଂ ନ ମମ୍‌’ ଏହି ଭାବନା ଜାଗ୍ରତ ହେବାରେ ଲାଗିଥାଏ । ସେତେବେଳେ ବୁଝନ୍ତୁ, ଆମର ସଂକଳ୍ପମାନଙ୍କ ମାଧ୍ୟମରେ ଏକ ନୂତନ କାଳଖଣ୍ଡର ଜନ୍ମକୁ ଯାଉଛି ବୋଲି ପ୍ରତୀତ ହୋଇଥାଏ, ଏକ ନୂଆ ସକାଳ ହେବାର ଆଭାସ ମିଳିଥାଏ । ସେବା ଏବଂ ତ୍ୟାଗର ଏହି ଅମୃତଭାବ ଆଜି ଅମୃତ ମହୋତ୍ସବରେ ଏକ ନୂତନ ଭାରତ ନିମନ୍ତେ ମୁଣ୍ଡ ଟେକୁଛି । ଏହି ତ୍ୟାଗ ଏବଂ କର୍ତ୍ତବ୍ୟଭାବ ଦ୍ୱାରା କୋଟି କୋଟି ଦେଶବାସୀ ଆଜି ସ୍ୱର୍ଣ୍ଣିମ ଭାରତ ଆଧାରଶିଳା ରଖୁଛନ୍ତି ।

 

ଆମର ଏବଂ ରାଷ୍ଟ୍ରର ସ୍ୱପ୍ନ ଭିନ୍ନ ଭିନ୍ନ ନୁହେଁ, ଆମର ନିଜସ୍ୱ ଏବଂ ରାଷ୍ଟ୍ରୀୟ ସଫଳତାମାନ, ଭିନ୍ନ ଭିନ୍ନ ହୋଇନପାରେ । ରାଷ୍ଟ୍ରର ପ୍ରଗତିରେ ଆମର ପ୍ରଗତି ନିହିତ । ଆମେମାନେ ହିଁ ଆମ ରାଷ୍ଟ୍ରର ଅସ୍ତିତ୍ୱ ଏବଂ ରାଷ୍ଟ୍ର ଦ୍ୱାରା ଆମର ଏହି ଅସ୍ତିତ୍ୱ ହିଁ ପ୍ରତିଭାତ ଓ ପୁଷ୍ଟ । ଏହି ଭାବନା, ଏହି ବୋଧ ନୂତନ ଭାରତ ନିର୍ମାଣରେ ଆମ ଭାରତବାସୀଙ୍କ ନିମନ୍ତେ ସବୁଠାରୁ ବଡ଼ ଶକ୍ତି ରୂପେ ସୃଷ୍ଟି ହୋଇଚାଲିଛି ।

 

ଆଜି ଆମ ଦେଶରେ ଯାହା କିଛି ଘଟି ଚାଲିଛି ତାହା ପଛରେ ସମସ୍ତଙ୍କର ପ୍ରୟାସ ସାମିଲ ରହିଛି । ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ଏବଂ ସବକା ପ୍ରୟାସ’ ଏହା ଦେଶର ମୂଳମନ୍ତ୍ର ଭାବେ ମୁଣ୍ଡ ଟେକୁଛି । ଆଜି ଆମେ ଏଭଳି ଏକ ବ୍ୟବସ୍ଥା ସୃଷ୍ଟି କରୁଛୁ ଯେଉଁଥିରେ ଭେଦଭାବର କୌଣସି ସ୍ଥାନ ନାହିଁ, ଏହା ଏଭଳି ଏକ ସମାଜରେ ପରିଣତ ହେବାକୁ ଯାଉଛି ଯାହା ସମାନତା ଏବଂ ସାମାଜିକ ନ୍ୟାୟର ଭିତ୍ତି ଉପରେ ମଜଭୁତ ଭାବେ ଦଣ୍ଡାୟମାନ ହେଉଛି । ଆମେ ଏଭଳି ଏକ ଭାରତ ମୁଣ୍ଡ ଟେକିବାର ଲକ୍ଷ୍ୟ କରିପାରୁଛୁ ଯାହାର ଚିନ୍ତାଧାରା ଏବଂ କାର୍ଯ୍ୟପଦ୍ଧତି ସଂପୂର୍ଣ୍ଣ ନୂଆ, ଯାହାର ନିର୍ଣ୍ଣୟ ପ୍ରଗତିଶୀଳ ।

 

ସାଥୀଗଣ,

ଭାରତର ସବୁଠାରୁ ବଡ଼ ଶକ୍ତି ହେଲା ଏହା ଯେ ଯେଉଁଭଳି ସମୟ ଆସୁ ପଛେ, ଯେତେ ଅନ୍ଧକାର ଛାଇଁଯାଉ ପଛେ, ଭାରତ ନିଜର ମୂଳ ସ୍ୱଭାବକୁ ସଂପୂର୍ଣ୍ଣ ସୁରକ୍ଷିତ ରଖିପାରିବ । ଯୁଗ ଯୁଗ ଧରି ଆମର ଇତିହାସ ଏହାର ମୁକସାକ୍ଷୀ ହୋଇ ରହିଆସିଛି । ବିଶ୍ୱ ଯେତେବେଳେ ଅନ୍ଧକାର ଗଭୀର ଗହ୍ୱର ଭିତର ଦେଇ ଗତି କରୁଥିଲା, ମହିଳାମାନଙ୍କୁ ନେଇ ପୁରୁଣା ଚିନ୍ତାଧାରାରେ ସଭିଏଁ ଆକ୍ରାନ୍ତ ଥିଲେ, ସେତେବେଳେ ଭାରତ ମାତୃଶକ୍ତିର ପୂଜା, ଦେବୀ ରୂପରେ କରିଆସୁଥିଲା । ଆମର ଏଠାରେ ଗାର୍ଗୀ, ମୈତ୍ରେୟୀ, ଅନୁସୂୟା, ଅରୁନ୍ଧତି ଏବଂ ମଦାଳସା ଭଳି ବିଦୂଷୀମାନେ ସମାଜକୁ ଜ୍ଞାନ ଦାନ କରୁଥିଲେ । କଠିନତାରେ ଭରପୂର ମଧ୍ୟଯୁଗରେ ସୁଦ୍ଧା ଏହି ଦେଶରେ ପନ୍ନାଧାୟ ଏବଂ ମୀରାବାଈଙ୍କ ଭଳି ମହାନ ନାରୀ ସେମାନଙ୍କର ଭୂମିକା ନିର୍ବାହ କରିଥିଲେ ଏବଂ ଅମୃତ ମହୋତ୍ସବରେ ଦେଶ ଯେଉଁ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଆଜି ସ୍ମରଣ କରୁଛି, ସେଥିରେ ସୁଦ୍ଧା କେତେ କେତେ ମହିଳା ନିଜର ବଳିଦାନ କରିଯାଇଛନ୍ତି । କିତ୍ତୁରର ରାଣୀ ଚେନ୍ନାମ୍ମା, ମାତଙ୍ଗିନୀ ହାଜରା, ରାଣୀ ଲକ୍ଷ୍ମୀବାଈ, ବୀରାଙ୍ଗନା ଝଲକାରୀ ବାଈଙ୍କ ଠାରୁ ନେଇ ସାମାଜିକ କ୍ଷେତ୍ରରେ ଅହଲ୍ୟାବାଈ ହୋଲକାର ଏବଂ ସାବିତ୍ରୀବାଈ ଫୁଲେଙ୍କ ପର୍ଯ୍ୟନ୍ତ, ସେହିସବୁ ଦେବୀମାନେ ଭାରତର ପରିଚୟ ସୃଷ୍ଟି କରିଯାଇଛନ୍ତି ।

 

ଆଜି ଦେଶର ଲକ୍ଷ ଲକ୍ଷ ସ୍ୱାଧୀନତା ସେନାଙ୍କ ସହିତ ସ୍ୱାଧୀନତାର ସଂଗ୍ରାମରେ ନାରୀଶକ୍ତିର ଏହି ଯୋଗଦାନ କରୁଛନ୍ତି ଏବଂ ସେମାନଙ୍କର ସ୍ୱପ୍ନକୁ ସାକାର କରିବାର ପ୍ରୟାସ କରୁଛନ୍ତି । ସେଇଥିପାଇଁ, ଆଜି ସୈନିକ ସ୍କୁଲମାନଙ୍କରେ ପଢ଼ିବା ନିମନ୍ତେ ଦେଶର କନ୍ୟାମାନଙ୍କର ସ୍ୱପ୍ନ ସାକାର ହୋଇପାରିଛି । ଏବେ ଦେଶର ଯେକୌଣସି କନ୍ୟା, ରାଷ୍ଟ୍ର ରକ୍ଷା ନିମନ୍ତେ ସେନାବାହିନୀରେ ଯୋଗଦେଇ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିପାରିବେ । ମହିଳାମାନଙ୍କ ଜୀବନ ଏବଂ କ୍ୟାରିଅର ଉଭୟ ଏକ ସାଙ୍ଗରେ ଆଗକୁ ବଢ଼ିଚାଲିଛି, ସେଥିରେ ମାତୃ ଅବକାଶକୁ ପ୍ରୋତ୍ସାହନ ଭଳି ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି ।

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି । ୨୦୧୯ ମସିହାର ସାଧାରଣ ନିର୍ବାଚନରେ ଆମେ ଦେଖିଛୁ ଯେ କେଉଁଭଳି ଭାବେ ପୁରୁଷମାନଙ୍କ ତୁଳନାରେ ମହିଳା ଭୋଟରମାନେ ଅଧିକ ମାତ୍ରାରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ଆଜି ସରକାରରେ ବଡ଼ ବଡ଼ ଦାୟିତ୍ୱ ମହିଳା ମନ୍ତ୍ରୀମାନେ ନିର୍ବାହ କରୁଛନ୍ତି । ସବୁଠାରୁ ବଳି ଗର୍ବ କରିବାର କଥାଟି ହେଲା ଏହା ଯେ ଏବେ ସମାଜର ହେଉଥିବା ଏହି ପରିବର୍ତ୍ତନର ନେତୃତ୍ୱ ସେମାନେ ନିଜେ କରିପାରୁଛନ୍ତି । ସଦ୍ୟତମ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ‘ବେଟୀ ବଚାଓ, ବେଟୀ ପଢ଼ାଓ’ ଅଭିଯାନର ସଫଳତା ଠାରୁ, ବର୍ଷ ବର୍ଷ ଧରି ଦେଶର ନାରୀ- ପୁରୁଷଙ୍କ ମଧ୍ୟରେ ଥିବା ଅନୁପାତରେ ମଧ୍ୟ ଉନ୍ନତି ଘଟିବାରେ ଲାଗିଛି ।

ସାଥୀଗଣ,

ଆପଣମାନେ ସମସ୍ତେ ଏକଥା ଜାଣନ୍ତି ଯେ ଆମର ଋଷିମୁନିମାନେ ଉପନିଷଦମାନଙ୍କରେ ‘ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମାମୃତ ଗମୟ’ ବୋଲି ପ୍ରାର୍ଥନା କରୁଥିଲେ । ଅର୍ଥାତ, ଆମେ ଅନ୍ଧକାରରୁ ପ୍ରକାଶ ଆଡ଼କୁ ବଢ଼ୁ । ମୃତ୍ୟୁ ଠାରୁ ସମସ୍ୟାମାନଙ୍କ ଠାରୁ ଅମୃତ ଦିଗକୁ ଅଗ୍ରସର ହେଉ । ଅମୃତ ଏବଂ ଅମରତ୍ୱର ମାର୍ଗ ଜ୍ଞାନ ବିନା କଦାପି ପ୍ରକାଶିତ ହୋଇନଥାଏ । ସେଥିପାଇଁ, ଅମୃତକାଳର ଏହି ସମୟ ଆମର ଜ୍ଞାନ, ଗବେଷଣା ଏବଂ ନବସୃଜନର ସମୟ ଅଟେ । ଆମକୁ ଏଭଳି ଏକ ଭାରତବର୍ଷ ନିର୍ମାଣ କରିବାର ଅଛି ଯାହାର ଆତ୍ମା ପ୍ରାଚୀନ ପରମ୍ପରା ଏବଂ ଐତିହ୍ୟ ସହିତ ସଂଶ୍ଳିଷ୍ଟ ରହିଥିବ, ଏବଂ ଯାହାର ବିସ୍ତାର ଓ ବ୍ୟାପ୍ତି ଆଧୁନିକତାର ଆକାଶରେ ଅନନ୍ତ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବ । ଆମେ ନିଜର ସଂସ୍କୃତି, ନିଜର ସଭ୍ୟତା, ନିଜର ସଂସ୍କାରକୁ ଜୀବନ୍ତ ରଖିବାକୁ ହେବ । ନିଜର ଆଧ୍ୟାତ୍ମିକତାକୁ , ନିଜର ବିବିଧତାକୁ ସଂରକ୍ଷିତ ଓ ସମ୍ବର୍ଦ୍ଧିତ କରିବାକୁ ପଡ଼ିବ । ଏବଂ ଏଥିସହିତ, ପ୍ରଯୁକ୍ତି, ସଂସାଧନ, ଶିକ୍ଷା, ସ୍ୱାସ୍ଥ୍ୟର ବ୍ୟବସ୍ଥାକୁ ମଧ୍ୟ ନିରନ୍ତର ଆଧୁନିକ ଧାରାରେ ପରିଚାଳିତ କରିବାକୁ ହେବ ।

 

ଦେଶର ଏହି ପ୍ରୟାସମାନଙ୍କରେ ଆପଣମାନଙ୍କର ସମସ୍ତଙ୍କର, ବ୍ରହ୍ମାକୁମାରୀଙ୍କ ଭଳି ଆଧ୍ୟାତ୍ମିକ ସଂସ୍ଥାମାନଙ୍କର ବିରାଟ ଭୂମିକା ରହିଛି । ମୁଁ ଖୁବ୍‌ ଆନନ୍ଦିତ ଯେ ଆପଣମାନେ ଆଧ୍ୟାତ୍ମିକତା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି ଭଳି ଅନେକ କ୍ଷେତ୍ରରେ କେତେ ବଡ଼ ବଡ଼ କାମ କରିଆସୁଛନ୍ତି । ଆଜି ଯେଉଁ ଅଭିଯାନର ଶୁଭାରମ୍ଭ ଆପଣମାନେ କରୁଛନ୍ତି, ଆପଣମାନେ ହିଁ ତାହାକୁ ଆଗକୁ ବଢ଼ାଇ ଚାଲିଛନ୍ତି । ଅମୃତ ମହୋତ୍ସବ ନିମନ୍ତେ ଆପଣମାନେ ଅନେକ ଲକ୍ଷ୍ୟ ସ୍ଥିର କରିଛନ୍ତି । ଆପଣମାନଙ୍କର ଏହି ପ୍ରୟାସ ଦେଶକୁ ଅବଶ୍ୟ ଏକ ନୂତନ ଆଲୋକ ପ୍ରଦାନ କରିବ, ନୂତନ ଶକ୍ତି ପ୍ରଦାନ କରିବ ।

 

ଆଜି ଦେଶ, କୃଷକମାନଙ୍କୁ ସମୃଦ୍ଧ ଏବଂ ଆତ୍ମନିର୍ଭର କରିବା ନିମନ୍ତେ ଜୈବ କୃଷି ଏବଂ ପ୍ରାକୃତିକ କୃଷି ଦିଗରେ ପ୍ରୟାସ କରୁଛି । ଖାଦ୍ୟପେୟ, ଆହାରର ଶୁଦ୍ଧତାକୁ ନେଇ ଆମର ବ୍ରହ୍ମାକୁମାରୀ ଭଗିନୀ ସମାଜ ସଦାବେଳେ ସମସ୍ତଙ୍କୁ ସଚେତନ କରାଇ ଆସୁଛନ୍ତି । କିନ୍ତୁ ଗୁଣବତ୍ତାପୂର୍ଣ୍ଣ ଆହାର ନିମନ୍ତେ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦନ ମଧ୍ୟ ଏକାନ୍ତ ଆବଶ୍ୟକ । ସେଥିପାଇଁ, ବ୍ରହ୍ମାକୁମାରୀ ନେଚୁରାଲ ଫାର୍ମିଂକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପ୍ରାକୃତିକ ପ୍ରଣାଳୀରେ ଚାଷକୁ ପ୍ରୋତ୍ସାହନ ମଧ୍ୟ ଏକ ବିରାଟ ପ୍ରେରଣା ହୋଇପାରିବ । କିଛି ଗ୍ରାମକୁ ପ୍ରୋତ୍ସାହିତ କରି ଏହିଭଳି ଏକ ମଡ଼େଲ ସୃଷ୍ଟି କରାଯାଇପାରିବ ।

 

ଏହିଭଳି ଭାବେ, ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏବଂ ପର୍ଯ୍ୟାବରଣ କ୍ଷେତ୍ରରେ ମଧ୍ୟ ବିଶ୍ୱର ଭାରତ ଠାରୁ ମଧ୍ୟ ଢ଼େର୍‌ ପ୍ରତ୍ୟାଶା ରହିଛି । ଆଜି ସ୍ୱଚ୍ଛ ଶକ୍ତିର ଅନେକ ବିକଳ୍ପ ବିକଶିତ ହେବାରେ ଲାଗିଛି । ଏହାକୁ ନେଇ ମଧ୍ୟ ଜନଜାଗରଣ ନିମନ୍ତେ ବିରାଟ ଅଭିଯାନ ଆରମ୍ଭ କରାଯିବାର ଆବଶ୍ୟକତା ରହିଛି । ବ୍ରହ୍ମାକୁମାରୀମାନେ ତ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ସମସ୍ତଙ୍କ ସମ୍ମୁଖରେ ଏକ ଉଦାହରଣ ଉପସ୍ଥାପନ କରିସାରିଛନ୍ତି । କେବେଠାରୁ ଆପଣଙ୍କ ଆଶ୍ରମରେ ରୋଷେଇଶାଳରେ ସୌରଶକ୍ତି ଦ୍ୱାରା ଖାଦ୍ୟ ପ୍ରସ୍ତୁତ ହୋଇଆସୁଛି । ସୌର ଶକ୍ତିର ଉପଯୋଗ ଅଧିକରୁ ଅଧିକତର ଲୋକ କରନ୍ତୁ, ସେଥିରେ ମଧ୍ୟ ଆପଣମାନଙ୍କର ବହୁତ ସହଯୋଗ ହୋଇପାରିବ । ଏହିଭଳି ଭାବେ ଆପଣମାନେ ସମସ୍ତେ ଆତ୍ମନିର୍ଭର ଭାରତ ଅଭିଯାନକୁ ମଧ୍ୟ ଗତି ପ୍ରଦାନ କରିପାରିବେ । ଭୋକାଲ ଫର୍‌ ଲୋକାଲ, ସ୍ଥାନୀୟ ଉତ୍ପାଦକୁ ପ୍ରାଥମିକତା ପ୍ରଦାନ କରିବା, ଏହି ଅଭିଯାନରେ ସହାୟକ ହୋଇପାରିବା ।

 

ସାଥୀଗଣ,

ଅମୃତକାଳର ଏହି ସମୟ, ଶୋଇ ଶୋଇ ସ୍ୱପ୍ନ ଦେଖିବାର ଅବସର ନୁହେଁ । ବରଂ ଜାଗ୍ରତ ହୋଇ ନିଜର ସଂକଳ୍ପକୁ ସାକାର କରିବା ପାଇଁ ଉଦ୍ଦିଷ୍ଟ । ଆଗାମୀ ୨୫ ବର୍ଷ, ପରିଶ୍ରମର ପରାକାଷ୍ଠା, ତ୍ୟାଗ, ତପ- ତପସ୍ୟାର ୨୫ ବର୍ଷ ଅଟେ । ଶହ ଶହ ବର୍ଷର ପରାଧୀନତା ଯୋଗୁ ଆମ ସମାଜ ଯାହାକିଛି ହରାଇଥିଲା, ଏହି ୨୫ ବର୍ଷର କାଳଖଣ୍ଡ ମଧ୍ୟରେ, ତାହାକୁ ପୁଣି ଥରେ ପ୍ରାପ୍ତ କରିବା । ସେଥିପାଇଁ ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଆମର ଧ୍ୟାନ ଭବିଷ୍ୟତ ଉପରେ କେନ୍ଦ୍ରିତ ହେବା ଜରୁରି ।

 

ସାଥୀଗଣ,

ଆମ ସମାଜରେ ଏକ ଅଦ୍ଭୁତ ସାମର୍ଥ୍ୟ ରହିଛି । ଏହା ଏଭଳି ଏକ ସମାଜ ଯେଉଁଥିରେ ଚିର ପୁରାତନ ଏବଂ ନୂତନ ବ୍ୟବସ୍ଥା ରହିଛି । ଅର୍ଥାତ୍‌ ଏକଥାକୁ କେହି କେବେ ଅସ୍ୱୀକାର କରିପାରିବେନାହିଁ ଯେ ସମୟ ସହିତ କିଛି ଖରାପ ଗୁଣ ବ୍ୟକ୍ତିସତ୍ତା ଭିତରେ, ସମାଜରେ ତଥା ଦେଶରେ ପ୍ରବେଶ କରିଥାଏ । ଯେଉଁ ଲୋକ ଜାଗ୍ରତ ରହିଥାନ୍ତି ସେମାନେ ଏହି ଖରାପ କାମକୁ ଠଉରାଇ ପାରିଥାନ୍ତି । ସେମାନେ ଏଭଳି ଏହାର ଦୁଷ୍ପ୍ରଭାବରୁ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋପାରିଥାନ୍ତି । ଏହା ଦ୍ୱାରା ଲୋକମାନେ ସେମାନଙ୍କ ଜୀବନର ସକଳ ଲକ୍ଷ୍ୟ ପ୍ରାପ୍ତ କରିବାକୁ ସକ୍ଷମ ହୋଇଥାନ୍ତି । ଆମର ସମାଜ ଏହା ଏକ ବିଶେଷତା ଯେ ଏଥିରେ ବିଶାଳତା ରହିଛି, ବିବିଧତା ବି ମହଜୁଦ ରହିଛି ଏବଂ ହଜାର ହଜାର ବର୍ଷର ଏହି ଯାତ୍ରାର ଅନୁଭବ ବି ଅଛି । ସେଇଥିପାଇଁ ଆମର ସମାଜରେ, ପରିବର୍ତ୍ତନଶୀଳ ଯୁଗ ସହିତ ନିଜକୁ ସାମିଲ କରିବାର ଭିନ୍ନ ଏକ ଶକ୍ତି ଓ ସାମର୍ଥ୍ୟ ରହିଛି । ଏକ ମାନସିକ ସାମଥ୍ୟ ରହିଛି ।

 

ଆମ ସମାଜର ସବୁଠାରୁ ବଡ଼ ଶକ୍ତି ହେଲା ଏହା ଯେ ସମାଜ ଭିତରେ ହିଁ ବେଳେ ବେଳେ ଏହି ସଂସ୍କାରକମାନେ ଜନ୍ମ ନେଇଥାନ୍ତି ଏବଂ ସେହି ସମାଜରେ ବ୍ୟାପ୍ତ କଳ୍ମଷ ଉପରେ କୁଠାରାଘାତ କରିଥାନ୍ତି । ଆମେ ଏକଥା ମଧ୍ୟ ଦେଖିଛୁ ଯେ ସମାଜ ସଂସ୍କାରର ପ୍ରାରମ୍ଭିକ ବର୍ଷରେ ଲୋକମାନଙ୍କ ବିରୋଧାଭାଷର ସାମ୍ନା କରିବାକୁ ପଡ଼ିଥିଲା । ସଂସ୍କାରକମାନଙ୍କୁ ନାନା ପ୍ରକାର ତୀରସ୍କାର ସହ୍ୟ କରିବାକୁ ପଡ଼ିଥିଲା । କିନ୍ତୁ ଏଭଳି ସିଦ୍ଧ ଲୋକମାନେ, ସମାଜ ସଂସ୍କାର କାର୍ଯ୍ୟରୁ ପଛଘୁଞ୍ଚା ଦେଇନଥିଲେ । ସେମାନେ ଅବିଚଳିତ ରହିଥିଲେ । ସମୟ ସହିତ ସମାଜ ମଧ୍ୟ ସେମାନଙ୍କୁ ଚିହ୍ନିଥିଲା ସେମାନଙ୍କୁ ମାନ ସମ୍ମାନ ଦେଇ ଚାଲିଥିଲା ଏବଂ ସେମାନଙ୍କର ସଂସ୍କାର କାର୍ଯ୍ୟକୁ ମଧ୍ୟ ଆପଣାଇଥିଲା ।

 

ସେଇଥିପାଇଁ ସାଥୀଗଣ,

ପ୍ରତ୍ୟେକ ଯୁଗର କୌଣସି ନା କୌଣସି କାଳଖଣ୍ଡର ମୂଲ୍ୟବୋଧ ଆଧାରରେ ସମାଜକୁ ଜାଗ୍ରତ ରଖିବା, ସମାଜକୁ ଦୋଷମୁକ୍ତ ରଖିବା, ଏକାନ୍ତ ଅନିବାର୍ଯ୍ୟ ଏବଂ ଏହି ଧାରାକୁ ନିରନ୍ତର ରଖିବା ମଧ୍ୟ ଏକ ପ୍ରକ୍ରିୟା । ସେହି ସମୟର ଯେକୌଣସି ପିଢ଼ି ହୋଇଥାଏ, ସେମାନେ ଏହି ଦାୟିତ୍ୱକୁ ନିର୍ବାହ କରିବାକୁ ପଡ଼ୁଥିଲା । ବ୍ୟକ୍ତିଗତ ସ୍ତରରେ ଆମେମାନେ, ସାଂଗଠନିକ ସ୍ତରରେ ବ୍ରହ୍ମାକୁମାରୀମାନଙ୍କ ଭଳି ଲକ୍ଷ ଲକ୍ଷ ସଂଗଠନ ଏହି କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ଆମକୁ ଏକଥା ସୁଦ୍ଧା ସ୍ୱୀକାର କରିବାକୁ ପଡ଼ିବ ଯେ ସ୍ୱାଧୀନତାର ୭୫ତମ ବର୍ଷରେ, ଆମର ସମାଜ ଭିତରେ, ଆମ ଦେଶରେ, ଏକ କଳ୍ମଷ ସତେ ଯେପରି ବସା ବାନ୍ଧିସାରିଛି । ସେହି କଳ୍ମଷଟି ହେଲା, ନିଜ କର୍ତ୍ତବ୍ୟରୁ ବିମୁଖ ରହିବା, ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖିବା । ବିଗତ ୭୫ ବର୍ଷରେ ଆମେ କେବଳ ନିଜର ଅଧିକାରଗୁଡ଼ିକର କଥା ଆଲୋଚନା କରିଆସିଛେ । ଅଧିକାର ନିମନ୍ତେ ପରସ୍ପର ଭିତରେ ଝଗଡ଼ା କରିଆସିଛେ । ସଂଗ୍ରାମ କରିଛେ । ସମୟ ବିତାଇଛେ । ଅଧିକାର ପ୍ରସଙ୍ଗ କିଛି ବାଟ ପର୍ଯ୍ୟନ୍ତ, କିଛି ସମୟ ପର୍ଯ୍ୟନ୍ତ, କୌଣସି ପରିସ୍ଥିତିରେ ଉଚିତ ହୋଇଥାଇପାରେ । କିନ୍ତୁ ନିଜର କର୍ତ୍ତବ୍ୟକୁ ସଂପୂର୍ଣ୍ଣ ରୂପେ ଭୁଲିଯିବା, ଏହି ପ୍ରସଙ୍ଗରେ ଭାରତକୁ ଦୁର୍ବଳ କରି ରଖିବାରେ ବେଶ୍‌ ବଡ଼ ଭୂମିକା ନିର୍ବାହ କରିଆସିଛି ।

 

ଭାରତ ଏହି କାରଣରୁ ନିଜର ଢେର୍‌ ସମୟ ବରବାଦ କରିସାରିଛି । କାରଣ କର୍ତ୍ତବ୍ୟଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରଯାଇନାହିଁ । ଏହି ୭୫ ବର୍ଷ ଭିତରେ କର୍ତ୍ତବ୍ୟକୁ ଦୂରକୁ ରଖିବା ପରିବର୍ତ୍ତେ ଆମେ ସେଥିରେ ଏକ ଗର୍ତ୍ତ ସୃଷ୍ଟି କରିଛେ । କେବଳ ଅଧିକାର କଥା ଆଲୋଚନା କରିବା ଦ୍ୱାରା ସମାଜରେ ଯେଉଁ ଦୁର୍ବଳତା ସୃଷ୍ଟି ହୋଇଛି, ତାହାକୁ ଭରଣା କରିବା ନିମନ୍ତେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ଆଗାମୀ ୨୫ ବର୍ଷରେ, କର୍ତ୍ତବ୍ୟର ସାଧନା କରି ତାହାକୁ ପୂରଣ କରିପାରିବା ।

 

ବ୍ରହ୍ମାକୁମାରୀ ଭଳି ସଂସ୍ଥାମାନେ ଆଗାମୀ ୨୫ ବର୍ଷ ପାଇଁ, ଗୋଟିଏ ମନ୍ତ୍ର ପ୍ରସ୍ତୁତ କରି ଭାରତର ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର କର୍ତ୍ତବ୍ୟ ସଂପାଦନ ନିମନ୍ତେ ଜାଗ୍ରତ କଲେ ବେଶ୍‌ ବଡ଼ ପରିବର୍ତ୍ତନ ଘଟିପାରିବ । ମୋର ଆପଣମାନଙ୍କୁ ନିବେଦନ ଯେ ବ୍ରହ୍ମାକୁମାରୀ ଏବଂ ଆପଣମାନଙ୍କ ଭଳି ପ୍ରତ୍ୟେକ ସାମାଜିକ ସଂସ୍ଥା ଏହି ଗୋଟିଏ ମନ୍ତ୍ର ଉପରେ ଅବଶ୍ୟ କାମ କରିବା ଉଚିତ ଏବଂ ତାହା ହେଲା ଦେଶର ନାଗରିକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ଭାବନା ସଂପର୍କରେ ଜାଗ୍ରତ କରାଇବା । ଆପଣମାନେ ସମସ୍ତେ ନିଜ ନିଜର ଶକ୍ତି ଓ ସମୟ, ପ୍ରତି ନାଗରିକଙ୍କ ମନରେ କର୍ତ୍ତବ୍ୟବୋଧ ଜାଗ୍ରତ କରିବାରେ ବିନିଯୋଗ କରିବା ଉଚିତ । ଏବଂ ବ୍ରହ୍ମାକୁମାରୀମାନଙ୍କ ଭଳି ସଂସ୍ଥା, ଯେଉଁଭଳି ଭାବେ ଦଶନ୍ଧି ଦଶନ୍ଧି ଧରି ନିଜର କର୍ତ୍ତବ୍ୟ ସଂପାଦନ ପଥରେ ଚାଲିଆସୁଛନ୍ତି, ସେହି କାମ ଆପଣମାନେ କରିପାରିବେ । ଆପଣମାନେ ଏହି ସବୁ କାର୍ଯ୍ୟ ଅବଶ୍ୟ କରିଚାଲିବେ, କାରଣ ଆପଣମାନେ ସମସ୍ତେ କର୍ତ୍ତବ୍ୟକୁ ଅନୁପାଳନ କରୁଥିବେ । ସେଥିପାଇଁ, ଯେଉଁ ଭାବନାର ସହିତ ଆପଣମାନେ ନିଜର ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି, ସେହି କର୍ତ୍ତବ୍ୟ ଭାବନାର ସମାଜରେ ବିସ୍ତାର ହେଉ, ଦେଶରେ ପ୍ରସାର ହେଉ, ଦେଶର ଲୋକମାନଙ୍କ ଭିତରେ ତାହା ବ୍ୟାପ୍ତ ହେଉ, ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଅବସରରେ ଆପଣମାନଙ୍କର ଏହା ଦେଶକୁ ସର୍ବୋତ୍ତମ ଉପହାର ହେବ ।

 

ଆପଣମାନେ ଗୋଟିଏ କାହାଣୀ ଅବଶ୍ୟ ଶୁଣିଥିବେ । ଗୋଟିଏ କୋଠରୀରେ ଅନ୍ଧାର ଭରି ରହିଥିଲା ଏବଂ ସେହି ଅନ୍ଧାରକୁ ଦୂର କରିବା ନିମନ୍ତେ ଲୋକମାନେ ନିଜ ନିଜ ଢ଼ଙ୍ଗରେ ଭିନ୍ନ ଭିନ୍ନ କାମରେ ଲାଗିରହିଥିଲେ । କିଏ ଗୋଟିଏ କାମ କରୁଥିଲା, ଅନ୍ୟ କିଏ ଆଉ କିଛି କାମ । କିନ୍ତୁ ଜଣେ ସଚେତନ ବ୍ୟକ୍ତି ଯେତେବେଳେ ଛୋଟ ଦୀପଟିଏ ଜାଳିଦେଲା ସେତେବେଳେ ଅନ୍ଧକାର ତୁରନ୍ତ ଦୂର ହୋଇଯାଇଥିଲା । କର୍ତ୍ତବ୍ୟର ଶକ୍ତି ସେହିଭଳି । ଛୋଟ ଦୀପଟିଏ ହୋଇଥିଲେ ସୁଦ୍ଧା ଏହାର ଏଭଳି ବ୍ୟାପକ ପ୍ରଭାବ ହୋଇଥାଏ । ଆମ ସମସ୍ତଙ୍କୁ, ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଗୋଟିଏ ଗୋଟିଏ ଦୀପ ପ୍ରଜ୍ୱଳିତ କରିବାକୁ ହେବ ।

 

ଆମେ ସମସ୍ତେ ମିଳିତ ଭାବେ, ଦେଶର କର୍ତ୍ତବ୍ୟ ପଥରେ ଆଗକୁ ଆଗକୁ ଅଗ୍ରସର ହେବା । ସେତେବେଳେ ସମାଜରେ ବ୍ୟାପ୍ତ ସକଳ ପ୍ରକାର କଳ୍ମଷ ଦୂର ହୋଇପାରିବ ଏବଂ ଦେଶ ନୂତନ ଶୀର୍ଷ ଛୁଇଁବ । ଭାରତ ଭୂମିକୁ ଶ୍ରଦ୍ଧା କରୁଥିବା, ଏହି ଭୂମିକୁ ମା’ ବୋଲି ମାନୁଥିବା କୌଣସି ବ୍ୟକ୍ତି କେହି ଏପରି ନାହାନ୍ତି ଯିଏ ଦେଶକୁ ନୂତନ ଶୀର୍ଷକୁ ନେବାକୁ ଚାହେଁନାହିଁ । କୋଟି କୋଟି ଲୋକଙ୍କ ଜୀବନରେ ଖୁସି ଓ ଶାନ୍ତି ଆଣିବାକୁ ଚାହେଁନାହିଁ । ସେଥିପାଇଁ ଆମକୁ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଆରୋପ କରିବାକୁ ପଡ଼ିବ ।

ସାଥୀଗଣ,

ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଆଉ ଗୋଟିଏ ବିଷୟ ଉତ୍ଥାପନ କରିବାକୁ ଚାହୁଁଛି । ଆପଣମାନେ ସମସ୍ତେ ଏହି କଥାର ସାକ୍ଷୀ ଯେ ଭାରତର ଛବିକୁ ଧୂମିଲ କରିବା ନିମନ୍ତେ କୌଣସି ପ୍ରକାର ଭିନ୍ନ ଭିନ୍ନ ପ୍ରୟାସ ଜାରି ରହିଛି । ଏଥିରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଢେର୍‌ କିଛି ଜାରି ରହିଛି । ଏକଥା କହି ଆମେ କେବେ ଆମର କାନିକୁ ଝାଡ଼ି ପାରିବା ନାହିଁ ଯେ ଏହା କେବଳ ରାଜନୀତି । ଏହା କେବଳ ରାଜନୀତି ନୁହେଁ, ଏହା ହେଉଛି ଦେଶର ପ୍ରଗତିର ପ୍ରଶ୍ନ ଏବଂ ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ, ସେତେବେଳେ ଏହା ମଧ୍ୟ ଆମର ଦାୟିତ୍ୱ ଯେ ସମଗ୍ର ବିଶ୍ୱ ଯେପରି ଭାରତକୁ ଉତ୍ତମ ରୂପେ ବୁଝିପାରେ ।

 

ଏଭଳି ସଂସ୍ଥାମାନ ଯାହାଙ୍କର ଏକ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବିଶ୍ୱର ଅନେକ ରାଷ୍ଟ୍ର ଉପସ୍ଥିତି ରହିଛି, ସେମାନେ ଅନ୍ୟ ଦେଶର ଲୋକଙ୍କ ପର୍ଯ୍ୟନ୍ତ ଭାରତର ଉଚିତ କଥା ପହଞ୍ଚାଇବା ଉଚିତ । ଭାରତ ସମ୍ପର୍କରେ ଯେଉଁମାନେ ଅପପ୍ରଚାର କରିଚାଲିଛନ୍ତି, ସେମାନଙ୍କ ସମ୍ପର୍କରେ ଠିକ୍‌ କଥା ଲୋକମାନଙ୍କୁ ଅବଗତ କରାନ୍ତୁ । ସେମାନଙ୍କୁ ସତର୍କ କରନ୍ତୁ । ଏହା ମଧ୍ୟ ଆମର ଦାୟିତ୍ୱ । ବ୍ରହ୍ମାକୁମାରୀ ଭଳି ସଂସ୍ଥାମାନ, ଏହିଭଳି କାମକୁ ଆଗକୁ ଆଗେଇ ନେବାଲାଗି ଆଉ ଗୋଟିଏ ପ୍ରୟାସ କରିପାରିବା । ଯେଉଁଠି ଯେଉଁଠି ଯେଉଁ ଦେଶରେ ଆପଣମାନଙ୍କର ଶାଖାମାନ ଅଛି, ସେଠାରେ ମଧ୍ୟ ପ୍ରୟାସ କରାଯିବା ଆବଶ୍ୟକ ଯେ ସେଠାକାର ପ୍ରତ୍ୟେକ ଶାଖାରେ ପ୍ରତି ବର୍ଷ ଅତି କମ୍‌ରେ ୫୦୦ ଲୋକ ଭାରତ ଦର୍ଶନ ନିମନ୍ତେ ଏଠାକୁ ଆସନ୍ତୁ । ଭାରତକୁ ଜାଣିବା ଲାଗି ଏଠାକୁ ଆସନ୍ତୁ ଏବଂ ସେହି ୫୦୦ ଲୋକ ଭାରତୀୟ ନାଗରିକ ସେହିସବୁ ଦେଶରେ ବସବାସ କରି ରହୁଛନ୍ତି, ସେମାନେ ନୁହନ୍ତି, ସେମାନେ ସେହିସବୁ ଦେଶର ନାଗରିକ ହୋଇଥିବା ଆବଶ୍ୟକ । ମୂଳ ଭାରତୀୟମାନଙ୍କ କଥା ମୁଁ କରୁନାହିଁ । ଆପଣମାନେ ଲକ୍ଷ୍ୟ କରିବେ, ଯଦି ସେହି ପ୍ରକାର ଲୋକ ଏଠାକୁ ଆସନ୍ତି, ଦେଶକୁ ଦେଖିବେ, ଏଠାକାର ପ୍ରତ୍ୟେକ କଥାକୁ ବୁଝିବେ ସେତେ ଭାରତ ସଂପର୍କରେ ଆପେ ଆପେ ଉତ୍ତମ ଧାରଣା ନେଇଯିବେ । ଆପଣମାନଙ୍କର ପ୍ରୟାସ ଦ୍ୱାରା ଏଥିରେ କେତେ ଫରକ ସେମାନେ ତାହା ଅନୁଭବ କରିପାରିବେ ।

 

ସାଥୀଗଣ,

ପରମାର୍ଥ କରିବାର ଆକାଂକ୍ଷା ତ ସମସ୍ତଙ୍କ ମନରେ ଥାଏ । କିନ୍ତୁ ଗୋଟିଏ କଥା ଆମମାନଙ୍କୁ ଭୁଲିଯିବା ଉଚିତ ନୁହେଁ ଯେ ପରମାର୍ଥ ଏବଂ ଅର୍ଥ ଯେତେବେଳେ ପରସ୍ପର ସହିତ ଯୋଡ଼ି ହୋଇଯିବ ସଫଳ ଜୀବନ, ସଫଳ ସମାଜ, ଏବଂ ସଫଳ ରାଷ୍ଟ୍ରର ନିର୍ମାଣ ଆପେ ଆପେ ହୋଇପାରିବ । ଅର୍ଥ ଏବଂ ପରମାର୍ଥର ଏହି ସାମଞ୍ଜସ୍ୟର ଦାୟିତ୍ୱ ସଦାବେଳେ ଭାରତର ଆଧ୍ୟାତ୍ମିକ ସତ୍ତା ନିକଟରେ ଉପସ୍ଥିତ ରହିଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଆଧ୍ୟାତ୍ମିକ ସତ୍ତା, ଆପଣ ଭଉଣୀମାନଙ୍କୁ ଏହିଭଳି ପରିପକ୍ୱତାର ସହିତ ନିର୍ବାହ କରିବାକୁ ପଡ଼ିବ । ଆପଣମାନଙ୍କ ପ୍ରୟାସ ଦେଶର ଅନ୍ୟ ସଂସ୍ଥାନ, ଅନ୍ୟ ସଂଗଠନମାନକୁ ମଧ୍ୟ ସ୍ୱାଧୀନତାର ଅମୃତ ମହୋତ୍ସବର ନୂତନ ଲକ୍ଷ୍ୟ ଗଢ଼ିବା ନିମନ୍ତେ ପ୍ରେରଣା ଯୋଗାଇବ । ଅମୃତ ମହୋତ୍ସବର ଶକ୍ତି, ପ୍ରତ୍ୟେକ ନାଗରିକଙ୍କ ମନରେ କିଭଳି ସୃଷ୍ଟି ହୋଇପାରିବ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମର୍ପଣ ଭାବ ଜନ୍ମାଇବ ତାହା ସୁନିଶ୍ଚିତ କରିବା ଆମମାନଙ୍କ କର୍ତ୍ତବ୍ୟ । ଆପଣମାନଙ୍କ ପ୍ରୟାସ ଦ୍ୱାରା ଭାରତ ଆଗାମୀ ଦିନରେ ଆହୁରି କ୍ଷିପ୍ର ଗତିରେ ସ୍ୱର୍ଣ୍ଣିମ ଭାରତ ଦିଗରେ ଅଗ୍ରସର ହୋଇପାରିବ ।

 

ଏହି ବିଶ୍ୱାସର ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ଓମ୍‌ ଶାନ୍ତି!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.