ସେୟାର
 
Comments

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଡକ୍ଟର ହର୍ଷବର୍ଦ୍ଧନ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ବିଜୟ ରାଘବନ, ସିଏସଆଇଆର ମୁଖ୍ୟ ଡକ୍ଟର ଶେଖର ସି. ମାଣ୍ଡେ, ବିଜ୍ଞାନ ଜଗତର ଅନ୍ୟ ପ୍ରମୁଖ ମହାନୁଭବ, ଭାଇ ଓ ଭଉଣୀମାନେ।

ନ୍ୟାସନାଲ ଫିଜିକାଲ ଲାବ୍ରୋଟୋରୀର ପ୍ଲାଟିନମ ଜୁବଲି ସମାରୋହ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜି ଆମର ବୈଜ୍ଞାନିକ ଜାତୀୟ ଆଣବିକ ଟାଇମ ସ୍କେଲ ଏବଂ ‘ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରୁଛନ୍ତି । ଏଥିସହିତ ଦେଶର ପ୍ରଥମ ଜାତୀୟ ପରିବେଶ ମାନକ ପରୀକ୍ଷାଗାରର ଶିଳାନ୍ୟାସ ମଧ୍ୟ ହୋଇଛି । ନୂଆ ଦଶକରେ ଏହି ଶୁଭାରମ୍ଭ, ଦେଶର ଗୌରବ ବୃଦ୍ଧି କରିବ।

ବନ୍ଧୁଗଣ,

ନୂତନ ବର୍ଷ ଏକ ନୂଆ ଓ ବଡ଼ ଉପଲବ୍ଧି ନେଇ ଆସିଛି। ଭାରତର ବୈଜ୍ଞାନିକମାନେ ଗୋଟିଏ ନୁହେଁ ଦୁଇ ଦୁଇଟି ଭାରତ ନିର୍ମିତ କୋଭିଡ ଟୀକା ବିକଶିତ କରିବାରେ ସଫଳତା ହାସଲ କରିପାରିଛନ୍ତି । ଭାରତରେ ହିଁ ଦୁନିଆର ସବୁଠୁ ବଡ଼ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଦେଶ ନିଜର ବୈଜ୍ଞାନିକମାନଙ୍କର ଯୋଗଦାନକୁ ନେଇ ଅନେକ ଗର୍ବ କରୁଛି, ପ୍ରତ୍ୟେକ ଦେଶବାସୀ ଆପଣମାନଙ୍କୁ, ସମସ୍ତ ବୈଜ୍ଞାନିକମାନଙ୍କୁ, ଟେକ୍ନିସିଆନ ମାନଙ୍କ ପ୍ରତି କୃତଜ୍ଞତା ଜଣାଉଛନ୍ତି।

ସାଥୀଗଣ,

ଆଜି ଏପରି ଏକ ସ୍ମରଣୀୟ ଦିନ, ଯେଉଁଦିନ ଆମର ବୈଜ୍ଞାନିକ ସଂସ୍ଥାନଗୁଡ଼ିକ, ଆପଣମାନେ ମିଶି କରୋନାର ମୁକାବିଲା ଲାଗି ଟୀକା ବିକଶିତ କରିବା ନିମନ୍ତେ ଦିନ ରାତି ଏକ କରିବା ପରେ ସଫଳତା ପାଇପାରିଛନ୍ତି । ସିଏସଆଇଆର ସମେତ ଅନ୍ୟ ସଂସ୍ଥାନଗୁଡ଼ିକ ମିଳିତ ଭାବେ ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି, ନୂଆ ନୂଆ ପରିସ୍ଥିତିର ସମାଧାନ ଖୋଜିଛନ୍ତି । ଆପଣମାନଙ୍କର ଏହି ସମର୍ପଣ କାରଣରୁ ଆଜି ଦେଶର ଏହି ବୈଜ୍ଞାନିକ ସଂସ୍ଥାନଗୁଡ଼ିକ ପ୍ରତି ସଚେତନତା ଏବଂ ସମ୍ମାନର ଏକ ନୂତନ ଭାବ ପ୍ରକଟ ହୋଇଛି । ଆମର ଯୁବକମାନେ ଆଜି ସିଏସଆଇଆର ଭଳି ସଂସ୍ଥାନ ବିଷୟରେ ଆହୁରି ଅଧିକ ଜାଣିବା ଓ ବୁଝିବା ଲାଗି ଆଗ୍ରହ ପ୍ରକଟ କରୁଛନ୍ତି । ସେଥିପାଇଁ ମୁଁ ଚାହିଁବି ଯେ ସିଏସଆଇଆରର ବୈଜ୍ଞାନିକ, ଦେଶର ଅଧିକରୁ ଅଧିକ ବିଦ୍ୟାଳୟଗୁଡ଼ିକ ସହିତ ମିଶି, ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରନ୍ତୁ । କରୋନା କାଳରେ ନିଜର ଅଭିଜ୍ଞତା ଏବଂ ଏହି ଗବେଷଣା କ୍ଷେତ୍ରରେ କରାଯାଇଥିବା କାମର ଜ୍ଞାନ ନୂଆ ପିଢ଼ିକୁ ଦିଅନ୍ତୁ । ଏହା ଫଳରେ ଆଗାମୀ ଦିନରେ ଯୁବ ବୈଜ୍ଞାନିକମାନଙ୍କର ଏକ ନୂତନ ପିଢ଼ି ଗଢ଼ିବାରେ, ସେମାନଙ୍କୁ ଅନୁପ୍ରାଣିତ କରିବାରେ ଆପଣମାନେ ସହାୟତା କରିପାରିବେ ।

ସାଥୀଗଣ,

କିଛି ସମୟ ପୂର୍ବରୁ ସାଢ଼େ ସାତ ଦଶନ୍ଧିର ଆପଣମାନଙ୍କ ଉପଲବ୍ଧି ସମ୍ପର୍କରେ ଏଠାରେ ଉଲ୍ଲେଖ କରାଗଲା। ଏହି ବର୍ଷଗୁଡ଼ିକରେ ଏହି ସଂସ୍ଥାନର ଅନେକ ମହାପୁରୁଷମାନେ ଦେଶର ଉତ୍ତମରୁ ଉତ୍ତମ ସେବା କରିଛନ୍ତି । ଏଠାରୁ ଆସିଥିବା ସମାଧାନ ଦେଶର ମାର୍ଗ ପ୍ରଶସ୍ତ କରିଛି। ସିଏସଆଇଆର ଏନପିଏଲ ଦେଶର ବିକାଶ ପାଇଁ ବୈଜ୍ଞାନିକ ଉଦ୍ଭାବନ ଏବଂ ମୂଲ୍ୟାୟନ, ଉଭୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ବିଗତ ବର୍ଷଗୁଡ଼ିକର ଉପଲବ୍ଧି ଏବଂ ଭବିଷ୍ୟତର ଆହ୍ୱାନ ଉପରେ ଆଲୋଚନା ଲାଗି ଆଜି ଏହି ସମାରୋହ ମଧ୍ୟ ଆୟୋଜନ କରାଯାଉଛି ।

ବନ୍ଧୁଗଣ,

ଆପଣମାନେ ଅତୀତ ଉପରେ ନଜର ପକାନ୍ତୁ, ପରାଧିନତାରୁ ମୁକ୍ତ ହୋଇଥିବା ଭାରତର ନବନିର୍ମାଣ ଲାଗି ଆପଣଙ୍କର ଏହି ସଂସ୍ଥାନର ଗଠନ କରାଯାଇଥିଲା। ସମୟ ସହିତ ଆପଣମାନଙ୍କର ଭୂମିକା ଆହୁରି ବିସ୍ତାରିତ ହୋଇଛି । ଏବେ ଦେଶ ଆଗରେ ନୂଆ ଲକ୍ଷ୍ୟ ରହିଛି, ନୂଆ ମାର୍ଗ ରହିଛି। ଦେଶ 2022ରେ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିବ, 2047ରେ ଆମ ସ୍ୱାଧୀନତାର 100 ବର୍ଷ ପୂରିବ। ଏହି ସମୟ ଅବଧିରେ ଆମକୁ ଆତ୍ମନିର୍ଭର ଭାରତର ନୂତନ ସଂକଳ୍ପକୁ ଧ୍ୟାନରେ ରଖି ନୂଆ ମାନକ, ନୂଆ ସୋପାନ, ନୂଆ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗକୁ ବଢ଼ିବାକୁ ହେବ।

ବନ୍ଧୁଗଣ,

ସିଏସଆଇଆର-ଏନପିଏଲ ହେଉଛି ଭାରତର ସମୟ ରକ୍ଷକ। ଅର୍ଥାତ ଭାରତୀୟ ସମୟର ରକ୍ଷଣାବେକ୍ଷଣ ଓ ବ୍ୟବସ୍ଥା ଦାୟିତ୍ୱ ଆପଣଙ୍କ ହାତରେ ରହିଛି। ସମୟର ଦାୟିତ୍ୱ ଆପଣଙ୍କ ଉପରେ ନ୍ୟସ୍ତ ରହିଥିବାରୁ, ନୂତନ ଭବିଷ୍ୟତର ନିର୍ମାଣ ପାଇଁ ଆପଣମାନେ ହିଁ ମାର୍ଗଦର୍ଶନ କରିବେ।

ସାଥୀଗଣ,

ଆମ ଦେଶ, ବହୁ ଦଶନ୍ଧି ଧରି ଗୁଣବତ୍ତା ଏବଂ ମାପ ଲାଗି ବିଦେଶୀ ମାନକ ଉପରେ ନିର୍ଭର କରିଆସୁଛି । କିନ୍ତୁ ଚଳିତ ଦଶନ୍ଧିରେ ଭାରତକୁ ନିଜର ମାନକକୁ ନୂତନ ଉଚ୍ଚତା ଦେବାର ଆବଶ୍ୟକତା ରହିଛି। ଏହି ଦଶକରେ ଭାରତର ଗତି, ପ୍ରଗତି, ଉତ୍ଥାନ, ଛବି, ସାମର୍ଥ୍ୟ, ଆମର କ୍ଷମତା ବିକାଶ, ଆମର ମାନକ ଜରିଆରେ ହିଁ ନିର୍ଦ୍ଧାରିତ ହେବ। ଆମ ଦେଶର ସେବାରେ ଗୁଣବତ୍ତା ରହୁ, ସରକାରୀ କ୍ଷେତ୍ର ହେଉ କିମ୍ବା ଘରୋଇ କ୍ଷେତ୍ର, ଆମ ଦେଶରେ ଉତ୍ପାଦଗୁଡ଼ିକ ଗୁଣବତ୍ତାଯୁକ୍ତ ହେଉ। ସରକାର ହୁଅନ୍ତୁ କିମ୍ବା ଘରୋଇ କ୍ଷେତ୍ର ଗୁଣବତ୍ତାପୂର୍ଣ୍ଣ ଉତ୍ପାଦ ପ୍ରସ୍ତୁତ କରି ଆମେ ସାରା ଦୁନିଆରେ ଭାରତର ଉତ୍ପାଦଗୁଡ଼ିକର ସାମର୍ଥ୍ୟ ବୃଦ୍ଧି କରିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ।

ବନ୍ଧୁଗଣ,

ସାଧାରଣ ଭାଷାରେ କହିବାକୁ ଗଲେ, ମେଟ୍ରୋଲୋଜିର ଅର୍ଥ ହେଉଛି ମାପ ବିଦ୍ୟା ବା ମାପନ ସଂକ୍ରାନ୍ତ ବିଜ୍ଞାନ, ଏହା କୌଣସି ବୈଜ୍ଞାନିକ ଉପଲବ୍ଧି ଲାଗି ମଧ୍ୟ ମୌଳିକ ଭିତ୍ତିଭୂମି ଭଳି କାମ କରିଥାଏ। ମାପ ବିନା ଯେକୌଣସି ଗବେଷଣା ଆଗକୁ ବଢ଼ିପାରିବ ନାହିଁ। ଏପରିକି ଆମକୁ ନିଜର ଉପଲବ୍ଧିକୁ ମଧ୍ୟ କୌଣସି ନା କୌଣସି ପ୍ରକାରରେ ମାପିବାକୁ ହୋଇଥାଏ। ସେଥିପାଇଁ ମେଟ୍ରୋଲୋଜି, ଆଧୁନିକତାର ଆଧାରଶିଳା ଅଟେ। ଆପଣଙ୍କର ମେଥୋଡ଼ୋଲୋଜି ଯେତେ ଅଧିକ ଉନ୍ନତ ହେବ ଆପଣଙ୍କର ମେଟ୍ରୋଲୋଜି ମଧ୍ୟ ସେତିକି ଉନ୍ନତ ହେବ। ଯେଉଁ ଦେଶର ମେଟ୍ରୋଲୋଜି ଅଧିକ ବିଶ୍ୱସନୀୟ ହୁଏ ସାରା ବିଶ୍ୱରେ ସେହି ଦେଶର ବିଶ୍ୱସନୀୟତା ଅଧିକ ବଢ଼ିଥାଏ। ମେଟ୍ରୋଲୋଜି ଆମ ପାଇଁ ଦର୍ପଣ ଭଳି। ବିଶ୍ୱରେ ଆମ ଦେଶର ଉତ୍ପାଦର ସ୍ଥିତି କିଭଳି ରହିଛି, ଆମକୁ ସେଥିରେ କିଭଳି ସୁଧାର ଆଣିବାର ଆବଶ୍ୟକତା ରହିଛି, ତାହା ଚିହ୍ନଟ କରିବା ଏବଂ ଆତ୍ମସମୀକ୍ଷା କରିବା ମେଟ୍ରୋଲୋଜି ମାଧ୍ୟମରେ ହିଁ ସମ୍ଭବ। ସେଥିପାଇଁ ଆଜି ଦେଶ ଯେତେବେଳେ ଆତ୍ମନିର୍ଭର ଭାରତ ଅଭିଯାନର ସଂକଳ୍ପକୁ ନେଇ ଆଗକୁ ବଢ଼ୁଅଛି, ଆମକୁ ମନେ ରଖିବାକୁ ହେବ ଯେ ଏହାର ଲକ୍ଷ୍ୟ ହେଉଛି ପରିମାଣ ସହିତ ଗୁଣବତ୍ତା ମଧ୍ୟ ବୃଦ୍ଧି କରିବା। ଅର୍ଥାତ ପରିମାଣ ସହିତ ଗୁଣବତ୍ତା ବଢ଼ାଇବା ମଧ୍ୟ ଜରୁରି। ଆମେ ସାରା ଦୁନିଆରେ କେବଳ ଭାରତୀୟ ଉତ୍ପାଦର ଅଳିଆ ଗଦା ସୃଷ୍ଟି କରିବା ନାହିଁ, ବରଂ ଭାରତୀୟ ଉତ୍ପାଦ କିଣୁଥିବା ଗ୍ରାହକର ହୃଦୟ ଜିଣିବା, ବିଶ୍ୱର ପ୍ରତ୍ୟେକ କୋଣରେ ଭାରତୀୟ ଉତ୍ପାଦ ପ୍ରତି ଆଗ୍ରହ ବୃଦ୍ଧି କରିବା ଦିଗରେ ଆମକୁ ପ୍ରୟାସ କରିବାକୁ ପଡ଼ିବ। ସାରା ବିଶ୍ୱରେ ମେଡ ଇନ ଇଣ୍ଡିଆର (ଭାରତ ପ୍ରସ୍ତୁତ ଉତ୍ପାଦ) ଚାହିଦା ରହିବା ସହିତ ଏହା ଗ୍ରହଣୀୟ ମଧ୍ୟ ହେବା ଉଚିତ। ଏହା ସୁନିଶ୍ଚିତ କରିବା ଦିଗରେ ଆମେ ପ୍ରୟାସ କରିବା। ଆମକୁ ବ୍ରାଣ୍ଡ ଇଣ୍ଡିଆକୁ ଗୁଣବତ୍ତା, ବିଶ୍ୱସନୀୟତାର ମଜବୁତ ସ୍ତମ୍ଭ ଉପରେ ଛିଡ଼ା କରିବାକୁ ହେବ।

ସାଥୀଗଣ,

ଭାରତ ଏବେ ଖୁବ ଦ୍ରୁତ ଗତିରେ ଏ ଦିଗରେ ଆଗକୁ ବଢ଼ୁଥିବାରୁ ମୁଁ ଆନନ୍ଦିତ। ଆଜି ଭାରତ ବିଶ୍ୱର ସେହି ହାତଗଣତି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି ଯାହା ନିକଟରେ ନିଜର ନାଭିଗେସନ ସିଷ୍ଟମ ରହିଛି। ନାବିକ ମାଧ୍ୟମରେ ଭାରତ ଏହି ଉପଲବ୍ଧି ହାସଲ କରି ଦେଖାଇଛି। ଆଜି ଏ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ଯେଉଁ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟର ଲୋକାର୍ପଣ କରାଯାଇଛି, ତାହା ଆମର ଉଦ୍ୟୋଗ ଜଗତକୁ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦନ ପ୍ରସ୍ତୁତ କରିବା ଦିଗରେ ପ୍ରୋତ୍ସାହିତ କରିବ। ଏବେ ଖାଦ୍ୟ, ଖାଇବା ତେଲ, ଖଣି, ଭାରୀ ଧାତୁ, କୀଟନାଶକ, ଔଷଧ ଏବଂ ବୟନ ଭଳି ଅନେକ କ୍ଷେତ୍ରରେ ଆମର ‘ସାର୍ଟିଫାଏଡ ରେଫରେନ୍ସ ମ୍ୟାଟେରିଆଲ ସିଷ୍ଟମ’କୁ ମଜବୁତ କରିବା ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଅଛୁ। ଏବେ ଆମେ ସେହି ଦିଗରେ ଆଗକୁ ବଢ଼ୁଅଛୁ ଯେଉଁଠି ଶିଳ୍ପକେନ୍ଦ୍ରିକ ଆଭିମୁଖ୍ୟ ବଦଳରେ ଉପଭୋକ୍ତା କୈନ୍ଦ୍ରିକ ଆଭିମୁଖ୍ୟ ରହିଥିବ। ଏହି ନୂଆ ମାନକ ଫଳରେ ସାରା ଦେଶର ବିଭିନ୍ନ ଜିଲ୍ଲାରେ ସେଠାକାର ଲୋକାଲ ଉତ୍ପାଦକୁ ଗ୍ଲୋବାଲ କରିବା ଲାଗି ହେଉଥିବା ଅଭିଯାନକୁ ଅନେକ ଲାଭ ମିଳିପାରିବ। ଏହାଫଳରେ ଆମର ଏମଏସଏମଇ କ୍ଷେତ୍ର ବହୁତ ଲାଭବାନ ହୋଇପାରିବେ। କାରଣ, ବାହାରୁ ଯେଉଁସବୁ ମ୍ୟାନୁଫାକ୍ଚରିଂ କମ୍ପାନୀ ଭାରତ ଆସୁଛନ୍ତି ସେମାନଙ୍କୁ ଏଠାରେ ଅନ୍ତର୍ଜାତୀୟ ମାନର ସ୍ଥାନୀୟ ଯୋଗାଣ ଶୃଙ୍ଖଳ ମିଳିପାରିବ। ସବୁଠୁ ବଡ଼କଥା ନୂଆ ମାନକ ଫଳରେ ଆମଦାନୀ ଏବଂ ରପ୍ତାନିର ଗୁଣବତ୍ତା ସୁନିଶ୍ଚିତ ହୋଇପାରିବ। ଏହା ଫଳରେ ଭାରତର ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ଭଲ ସାମଗ୍ରୀ ମିଳିବ, ରପ୍ତାନିକାରୀଙ୍କ ସମସ୍ୟା ମଧ୍ୟ ହ୍ରାସ ପାଇବ। ଅର୍ଥାତ ଆମର ଉତ୍ପାଦନ, ଆମର ଉତ୍ପାଦ ଗୁଣବତ୍ତାରେ ଯେତେ ଅଧିକ ଉନ୍ନତ ହେବେ ଦେଶର ଅର୍ଥବ୍ୟବସ୍ଥା ସେତିକି ସଶକ୍ତ ହୋଇପାରିବ।

ସାଥୀଗଣ,

ଅତୀତ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ, ବିଜ୍ଞାନରେ ଅଧିକ ଅଗ୍ରଗତି କରିଥିବା ଦେଶ ସମସ୍ତ କ୍ଷେତ୍ରରେ ଅଗ୍ରଣୀ ହୋଇପାରିଛି। ଏହା ହେଉଛି ବିଜ୍ଞାନ, ପ୍ରଯୁକ୍ତି ଏବଂ ଶିଳ୍ପର ‘ମୂଲ୍ୟ ସୃଷ୍ଟି ଚକ୍ର’। କୌଣସି ବିଜ୍ଞାନ ଆବିଷ୍କାର ହେଲେ ତାହାର ପ୍ରକାଶ୍ୟରେ ପ୍ରଯୁକ୍ତି ବିକଶିତ ହୋଇଥାଏ ଏବଂ ପ୍ରଯୁକ୍ତିରୁ ଶିଳ୍ପ ମୁଣ୍ଡ ଟେକିଥାଏ, ନୂତନ ଉତ୍ପାଦ ପ୍ରସ୍ତୁତ ହୋଇଥାଏ, ନୂଆ ଉପକରଣ ବାହାରିଥାଏ, ନୂଆ ଉତ୍ପାଦ ବାହାରିଥାଏ। ଶିଳ୍ପଗୁଡ଼ିକ ନୂତନ ଗବେଷଣା ଲାଗି ବିଜ୍ଞାନରେ ନିବେଶ କରିଥାନ୍ତି ଏବଂ ଏହି ଚକ୍ର ନୂଆ ସମ୍ଭାବନା ଦିଗରେ ଆଗକୁ ଏହିପରି ଭାବେ ବଢ଼ିଚାଳିଥାଏ। ସିଏସଆଇଆର ଏନପିଏଲ ଭାରତର ଏହି ମୂଲ୍ୟ ଚକ୍ରକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଆଜି ଦେଶ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଥିବା ସମୟରେ, ବିଜ୍ଞାନ ଜରିଆରେ ବ୍ୟାପକ ଉତ୍ପାଦନ ଲାଗି ଏହି ମୂଲ୍ୟ ସୃଷ୍ଟି ଚକ୍ରର ମହତ୍ୱ ଆହୁରି ବୃଦ୍ଧି ପାଇଛି। ସେଥିପାଇଁ ସିଏସଆଇଆର ଏଥିରେ ବଡ଼ ଭୂମିକା ନିର୍ବାହ କରିବ।

ବନ୍ଧୁଗଣ,

ସିଏସଆଇଆର ଏନପିଏଲ ଆଜି ଯେଉଁ ଜାତୀୟ ଆଣବିକ ଟାଇମସ୍କେଲକୁ ଦେଶକୁ ଅର୍ପଣ କରିଛି, ଏହା ଦ୍ୱାରା ଭାରତ ନାନୋ ସେକେଣ୍ଡ ଅର୍ଥାତ ଗୋଟିଏ ସେକେଣ୍ଡର 100 କୋଟି ଭାଗ ପର୍ଯ୍ୟନ୍ତ ସମୟକୁ ମାପିବାରେ ଆତ୍ମନିର୍ଭରଶୀଳ ହୋଇପାରିଛି । 2.8 ନାନୋ ସେକେଣ୍ଡର ଏହି ସଠିକତା ସ୍ତର ହାସଲ କରିବା, ବହୁତ ବଡ଼ ସାମର୍ଥ୍ୟ । ଏବେ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ଟାଇମକୁ ଆମର ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ ତିନି ନାନୋ ସେକେଣ୍ଡରୁ ମଧ୍ୟ କମ ସମୟର ସଠିକତା ସ୍ତର ସହିତ ମ୍ୟାଚ କରୁଛି । ଏହା ଦ୍ୱାରା ଇସ୍ରୋ ସମେତ ଆମର ଯେଉଁସବୁ ସଂସ୍ଥାନ ଅତ୍ୟାଧୁନିକ ପ୍ରଯୁକ୍ତି ଦିଗରେ କାମ କରୁଛନ୍ତି, ସେମାନେ ଅନେକ ସହାୟତା ପାଇପାରିବେ। ଏହା ଫଳରେ ବ୍ୟାଙ୍କିଙ୍ଗ, ରେଳବାଇ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଟେଲିକମ, ପାଣିପାଗ ଆକଳନ, ବିପର୍ଯ୍ୟୟ ପରିଚାଳନା, ଅଗଣିତ କ୍ଷେତ୍ର ସହ ଜଡ଼ିତ ଆଧୁନିକ ପ୍ରଯୁକ୍ତିରେ ଅନେକ ସହାୟତା ମିଳିପାରିବ । ଆମେ ଯେଉଁ ଚତୁର୍ଥ ଶିଳ୍ପ ବିପ୍ଳବ କଥା ଆଲୋଚନା କରୁଛୁ ସେ ଦିଗରେ ମଧ୍ୟ ଭାରତର ଭୂମିକା ସଶକ୍ତ ହେବ।

ବନ୍ଧୁଗଣ,

ଆଜି ଭାରତ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବା ଦିଗରେ ଆଗକୁ ବଢ଼ୁଅଛି। କିନ୍ତୁ ବାୟୁ ଗୁଣବତ୍ତା ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ମାପିବା ଲାଗି ପ୍ରଯୁକ୍ତି ଠାରୁ ଆରମ୍ଭ କରି ଉପକରଣ ପର୍ଯ୍ୟନ୍ତ ଆମେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଛୁ। ଆଜି ଏଥିରେ ମଧ୍ୟ ଆତ୍ମନିର୍ଭରତା ଲାଗି ଏକ ବଡ଼ ପଦକ୍ଷେପ ଆମେ ନେଇଛୁ । ଏହା ଫଳରେ ଭାରତରେ ପ୍ରଦୂଷଣ ମୁକାବିଲା କରିବା ଲାଗି ଅଧିକ ଶସ୍ତା ଓ ପ୍ରଭାବୀ ସିଷ୍ଟମ ବିକଶିତ ହେବା ସହିତ, ବାୟୁ ଗୁଣବତ୍ତା ଏବଂ ନିର୍ଗମନ ସହ ଜଡ଼ିତ ପ୍ରଯୁକ୍ତିର ବିଶ୍ୱ ବଜାରରେ ମଧ୍ୟ ଭାରତର ଅଂଶଧନ ବୃଦ୍ଧି ପାଇବ। ଆମର ବୈଜ୍ଞାନିକମାନଙ୍କର ନିରନ୍ତର ପ୍ରୟାସ ଫଳରେ ଭାରତ ଆଜି ଏହି ଉପଲବ୍ଧି ହାସଲ କରୁଛି।

ବନ୍ଧୁଗଣ,

କୌଣସି ପ୍ରଗତିଶୀଳ ସମାଜରେ ଗବେଷଣା ଜୀବନର ଏକ ସହଜ ସ୍ୱଭାବ ମଧ୍ୟ ହୋଇଥାଏ, ସହଜ ପ୍ରକ୍ରିୟା ମଧ୍ୟ ହୋଇଥାଏ। ଗବେଷଣାର ପ୍ରଭାବ ବାଣିଜ୍ୟିକ ମଧ୍ୟ ହୋଇଥାଏ, ସାମାଜିକ ମଧ୍ୟ ହୋଇଥାଏ। ଗବେଷଣା ଆମ ଜ୍ଞାନ, ଆମ ମେଧାଶକ୍ତିକୁ ବିସ୍ତାରିତ କରିବାରେ ମଧ୍ୟ ସହାୟକ ହୋଇଥାଏ। ଅନେକ ସମୟରେ ଗବେଷଣା କରିବା ବେଳେ ଏହି ଧାରଣା ହୋଇନଥାଏ ଯେ ଅନ୍ତିମ ଲକ୍ଷ୍ୟ ହାସଲ ପରେ ମଧ୍ୟ ଏହା ଅନ୍ୟ କେଉଁ ଦିଗକୁ ଯିବ, ଭବିଷ୍ୟତରେ ତାହା ଆଉ କିପରି ଭାବେ କାମରେ ଆସିପାରିବ। କିନ୍ତୁ ଏହା ସତ୍ୟ ଯେ ଗବେଷଣା, ଜ୍ଞାନର ନୂତନ ଅଧ୍ୟାୟ କେବେବି ବ୍ୟର୍ଥ ଯାଏ ନାହିଁ । ଆମ ଶାସ୍ତ୍ରରେ ଯଥାର୍ଥରେ କୁହାଯାଇଛି ଯେ ଆତ୍ମାର କେବେବି ମୃତ୍ୟୁ ହୁଏ ନାହିଁ । ମୋର ମତ ହେଉଛି ଗବେଷଣା ମଧ୍ୟ କେବେ ବି ମୃତ୍ୟୁବରଣ କରିନଥାଏ । ଇତିହାସରେ ଏପରି ଅନେକ ଉଦାହରଣ ରହିଛି, ଜେନେଟିକ୍ସର ଉଦ୍ଭାବକ ମେଣ୍ଡଲଙ୍କ କାମକୁ ପରିଚୟ କିପରି ମିଳିଲା ? ସେ ଚାଲିଯିବା ପରେ ମିଳିଲା । ନିକୋଲା ଟେସ୍ଲାଙ୍କ କାମର ସମ୍ଭାବନାକୁ ମଧ୍ୟ ଅନେକ ଦିନ ପରେ ଦୁନିଆ ସମ୍ପୂର୍ଣ୍ଣ ଭାବେ ବୁଝିପାରିଲା। ଅନେକ ଗବେଷଣା ଆମେ ଯେଉଁ ଦିଗରେ, ଯେଉଁ ଉଦ୍ଦେଶ୍ୟ ନେଇ କରିଥାଉ, ତାହା ସମ୍ପୂର୍ଣ୍ଣ ହୋଇପାରିନଥାଏ । କିନ୍ତୁ ସେହି ଗବେଷଣା ଅନ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥାଏ । ଉଦାହରଣ ସ୍ୱରୂପ, ଜଗଦୀଶ ଚନ୍ଦ୍ର ବୋଷ ଜୀ କୋଲକାତାର ପ୍ରେସିଡେନ୍ସି କଲେଜରେ ମାଇକ୍ରୋୱେଭ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ, ସାର ବୋଷ ଏହାର ବାଣିଜ୍ୟିକ ଉପଯୋଗ ଦିଗରେ ଆଗକୁ ବଢ଼ିଲେ ନାହିଁ, କିନ୍ତୁ ଆଜି ରେଡିଓ କମ୍ୟୁନିକେସନ ସିଷ୍ଟମ ସେହି ସିଦ୍ଧାନ୍ତ ଉପରେ ଛିଡ଼ା ହୋଇଛି । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଯେଉଁ ଗବେଷଣା ଯୁଦ୍ଧ ପାଇଁ ଥିଲା ବା ସୈନିକମାନଙ୍କୁ ସୁରକ୍ଷା ଦେବା ଲାଗି ହୋଇଥିଲା, ପରବର୍ତ୍ତୀ ସମୟରେ ସେହି ସିଦ୍ଧାନ୍ତଗୁଡ଼ିକ ଭିନ୍ନ ଭିନ୍ନ କ୍ଷେତ୍ରରେ ବିପ୍ଳବ ଆଣିପାରିଲା । ପୂର୍ବରୁ ମଧ୍ୟ ଯୁଦ୍ଧ ପାଇଁ ଡ୍ରୋନ ନିର୍ମାଣ କରାଯାଉଥିଲା । କିନ୍ତୁ ଆଜି ଡ୍ରୋନକୁ ଫଟୋ ସୁଟ ଏବଂ ସାମଗ୍ରୀ ପହଞ୍ଚାଇବା ଲାଗି ଉପଯୋଗ କରାଯାଉଛି । ସେଥିପାଇଁ ଆଜି ଏହା ଜରୁରି ଯେ ଆମର ବୈଜ୍ଞାନିକମାନେ ଏବଂ ବିଶେଷ କରି ଯୁବ ବୈଜ୍ଞାନିକମାନେ, ଗବେଷଣାର ବହୁମୁଖୀ ଉପଯୋଗ ଦିଗରେ ରହିଥିବା ପ୍ରତ୍ୟେକ ସମ୍ଭାବନାକୁ ଉଜାଗର କରନ୍ତୁ । ସେମାନଙ୍କ କ୍ଷେତ୍ର ବାହାରକୁ ଆସି ଗବେଷଣାର ପ୍ରୟୋଗ କିଭଳି ହୋଇପାରେ, ସେ ଦିଗରେ ସବୁବେଳେ ଚିନ୍ତା କରାଯିବା ଆବଶ୍ୟକ।

ବନ୍ଧୁଗଣ,

ଆପଣମାନଙ୍କର ଛୋଟ ଛୋଟ ଗବେଷଣା କିପରି ଭାବେ ଦୁନିଆର ଭବିଷ୍ୟତ ବଦଳାଇ ଦେବ, ତା’ର ଅନେକ ଉଦାହରଣ ରହିଛି । ସବୁଠୁ ବଡ଼ ଉଦାହରଣ ହେଉଛି ବିଦ୍ୟୁତ । ଆଜି ଜୀବନର ଏପରି କୌଣସି ଦିଗ ନାହିଁ, ଅଂଶ ନାହିଁ, ଯାହା ବିନା ବିଦ୍ୟୁତରେ ଚାଲୁଥିବ। ପରିବହନ ହେଉ, ଯୋଗାଯୋଗ ହେଉ, ଶିଳ୍ପ ହେଉ, କିମ୍ବା ପୁଣି ଦୈନନ୍ଦିନ ଜୀବନ, ସବୁକିଛି ବିଦ୍ୟୁତ ସହିତ ଯୋଡ଼ି ହୋଇ ରହିଛି । ଗୋଟିଏ ସେମି କଣ୍ଡକ୍ଟରର ଆବିଷ୍କାର ଫଳରେ ଦୁନିଆ ଏତେ ପରିମାଣରେ ବଦଳିଯାଇପାରିଛି । ଏହି ଡିଜିଟାଲ ବିପ୍ଳବ ଆମ ଜୀବନକୁ କେତେ ଅଧିକ ସମୃଦ୍ଧ କରିପାରିଛି । ଏପରି ଅନେକ ସମ୍ଭାବନା ଏହି ନୂତନ ଭବିଷ୍ୟତରେ ଆମର ଯୁବ ଗବେଷକଙ୍କ ସାମ୍ନାରେ ପଡ଼ିଛି । ଆଗାମୀ ଭବିଷ୍ୟତ ଆଜିଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ସେ ଦିଗରେ ଆପଣମାନଙ୍କୁ ଏକ ଗବେଷଣା ଓ ଏକ ଆବିଷ୍କାର କରିବାକୁ ହେବ। ବିଗତ ଛଅ ବର୍ଷ ମଧ୍ୟରେ ଦେଶ ଏଥିପାଇଁ ନୂଆ ଢଙ୍ଗରେ ଭବିଷ୍ୟତ ଲାଗି ପ୍ରସ୍ତୁତ ଇକୋସିଷ୍ଟମ ପ୍ରସ୍ତୁତ କରିବା ଦିଗରେ କାମ କରିଛି । ଆଜି ଭାରତ ଗ୍ଲୋବାଲ ଇନୋଭେସନ ରେଙ୍କିଂରେ ଦୁନିଆର ଶୀର୍ଷ 50ଟି ଦେଶ ମଧ୍ୟରେ ସାମିଲ ହୋଇପାରିଛି। ଦେଶରେ ଆଜି ମୌଳିକ ଗବେଷଣା ଉପରେ ମଧ୍ୟ ଜୋର ଦିଆଯାଉଛି ଏବଂ ବିଜ୍ଞାନ ଓ ଇଞ୍ଜିନିୟରିଂ ସମୀକ୍ଷା ପ୍ରକାଶନୀଗୁଡ଼ିକର ସଂଖ୍ୟାରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି । ଆଜି ଭାରତରେ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତାକୁ ମଧ୍ୟ ମଜବୁତ କରାଯାଉଛି । ବିଶ୍ୱର ବଡ଼ ବଡ଼ କମ୍ପାନୀମାନେ ଭାରତରେ ନିଜର ଗବେଷଣା କେନ୍ଦ୍ର ଏବଂ ସୁବିଧା ପ୍ରତିଷ୍ଠା କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି ସୁବିଧା ସଂଖ୍ୟା ଖୁବ ଅଧିକ ବୃଦ୍ଧି ପାଇଛି । ସେଥିପାଇଁ ସାଥୀଗଣ, ଆଜି ଭାରତର ଯୁବକମାନଙ୍କ ପାଖରେ ଗବେଷଣା ଏବଂ ନବୋନ୍ମେଷର ଅସୀମ ସମ୍ଭାବନା ରହିଛି । କିନ୍ତୁ ଆଜି ଆମ ପାଇଁ ନବୋନ୍ମେଷ ଯେତେ ଅଧିକ ଜରୁରି, ତା’ଠାରୁ ଆହୁରି ଜରୁରି ହେଉଛି ନବୋନ୍ମେଷକୁ ସଂସ୍ଥାଗତ ମାନ୍ୟତା ପ୍ରଦାନ କରିବା। ଏହା କିପରି ହେବ, ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କିପରି କରାଯିବ, ଏହା ଆଜି ମଧ୍ୟ ଆମର ଯୁବକମାନଙ୍କୁ ଶିଖିବାର ଅଛି। ଆମକୁ ଏହା ମନେ ରଖିବାକୁ ହେବ ଯେ ଆମର ଯେତିକି ଅଧିକ ପେଟେଣ୍ଟ ହେବ, ସେଗୁଡ଼ିକର ଉପଯୋଗିତା ମଧ୍ୟ ସେତିକି ଅଧିକ ହେବ। ଆମର ଗବେଷଣା ବ୍ୟାପକ କ୍ଷେତ୍ରରେ ଅଗ୍ରଣୀ ହେଲେ, ସେଗୁଡ଼ିକର ପରିଚୟ ଆହୁରି ମଜବୁତ ହୋଇପାରିବ। ବ୍ରାଣ୍ଡ ଇଣ୍ଡିଆ ଆହୁରି ମଜବୁତ ହେବ। ଆମ ସମସ୍ତଙ୍କୁ ‘କର୍ମଣ୍ୟେ ବାଧିକାରସ୍ତୈ ମା ଫଳେଷୁ କଦାଚନ’ ମନ୍ତ୍ରରୁ ଶକ୍ତି ନେଇ କର୍ମରେ ଲିପ୍ତ ରହିବାର ଅଛି । ମୁଁ ଭାବେ ଯେ ବୈଜ୍ଞାନିକମାନେ ହିଁ ଏହି ମନ୍ତ୍ରକୁ ନିଜ ଜୀବନରେ ଅବଲମ୍ବନ କରିଛନ୍ତି। ସେମାନେ ଏପରି ମନୋଭାବ ରଖିଥାନ୍ତି, ପରୀକ୍ଷାଗାରରେ ଜଣେ ଋଷି ଭଳି ତପସ୍ୟା କରିଚାଲିଥାନ୍ତି। ‘କର୍ମଣ୍ୟେ ବାଧିକାରସ୍ତୈ ମା ଫଳେଷୁ କଦାଚନ’-କର୍ମ କରି ଚାଲିଥାନ୍ତି ଫଳ ଆଶା ନକରି। ଆପଣମାନେ କେବଳ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିର କର୍ମଯୋଗୀ ନୁହନ୍ତି, ବରଂ ଆପଣମାନେ ହେଉଛନ୍ତି 130 କୋଟିରୁ ଅଧିକ ଭାରତୀୟମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରୁଥିବା ସାଧକ।

ଆପଣମାନେ ଏମିତି ସଫଳ ହୋଇ ଚାଲିଥାନ୍ତୁ, ଏହି କାମନା ସହିତ ଆପଣଙ୍କୁ ନୂତନ ବର୍ଷ ପାଇଁ ପୁଣିଥରେ ଅନେକ ଅନେକ ଶୁଭକାମନା ଜଣାଉଛି।

ବହୁତ ବହୁତ ଧନ୍ୟବାଦ!

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Big dip in terrorist incidents in Jammu and Kashmir in last two years, says government

Media Coverage

Big dip in terrorist incidents in Jammu and Kashmir in last two years, says government
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 30, 2021
July 30, 2021
ସେୟାର
 
Comments

PM Modi extends greetings on International Tiger Day, cites healthy increase in tiger population

Netizens praise Modi Govt’s efforts in ushering in New India