ବନ୍ଧୁଗଣ, କେୱଡିଆରେ ସର୍ଦ୍ଦାର ସରୋବର ନଦୀବନ୍ଧ ନିକଟସ୍ଥ ଷ୍ଟାଚ୍ୟୁ ଅଫ ୟୁନିଟି ଠାରେ ଆଜି ସନ୍ଧ୍ୟାର ଅନୁଭବ ଅଦ୍ଭୁତ, ଆଜୀବନ ସ୍ମରଣୀୟ। ଏବେ ଆମେ ସର୍ଦ୍ଦାର ସାହେବଙ୍କ ସ୍ୱର, ତାଙ୍କ ବାର୍ତ୍ତା ଯାହା ଶୁଣିଲୁ, ତାହା ସିଧା ଅନ୍ତର୍ମନକୁ ଛୁଇଁଗଲା ।

ବନ୍ଧୁଗଣ, ଦେଶର ବିଭିନ୍ନ ପ୍ରଶାସନିକ ସେବା ପାଇଁ ଏହି ମିଳିତ ପ୍ରାରମ୍ଭିକ ପାଠ୍ୟକ୍ରମ ଦ୍ୱାରା ଏକ ପ୍ରକାର ନୂତନ ଅଧ୍ୟାୟର ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ଚାଲିଆସିଥିଲା ଯେ କିଛି ଲୋକ ମସୁରୀରେ, ହାଇଦ୍ରାବାଦରେ କିମ୍ବା ଅନ୍ୟ ସହରରେ ପ୍ରଶିକ୍ଷଣ ନେଉଥିଲେ। ଯାହା ମୁଁ ପୂର୍ବରୁ ଆପଣମାନଙ୍କୁ କହିଛି – ଯେଉଁ ଶୂନ୍ୟସ୍ଥାନ ବାବଦରେ ମୁଁ ଆପଣମାନଙ୍କୁ ସବୁବେଳେ କହେ, ତାହାର ଏକ ସ୍ୱରୂପ ପ୍ରଶିକ୍ଷଣରୁ ହିଁ ଆରମ୍ଭ ହୋଇଥାଏ । ପ୍ରଶାସନିକ ସେବାର ସମନ୍ୱୟର ପ୍ରକୃତ ଆରମ୍ଭ ଏବେ ଆପଣମାନଙ୍କ ସବୁ ସାଥୀମାନଙ୍କ ସହିତ ହେଉଛି । ଏହି ଆରମ୍ଭ ହେଉଛି ନିଜ ଭିତରେ ଏକ ସଂସ୍କାର । ମୁଁ ଏହା ସହିତ ଜଡିତ ସମସ୍ତ ଅଧିକାରୀମାନଙ୍କୁ, ସମସ୍ତ ବନ୍ଧୁମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ଏହି ସଂସ୍କାର କେବଳ ପ୍ରଶିକ୍ଷଣର ସମନ୍ୱୟ ମଧ୍ୟରେ ସୀମିତ ନାହିଁ ବରଂ ଏହାର ପରିକଳ୍ପନା ଏବଂ ଦୃଷ୍ଟିକୋଣକୁ ମଧ୍ୟ ବିସ୍ତାର ପ୍ରଦାନ କରାଯାଇଛି । ଆପଣମାନଙ୍କ ଭଳି ଯୁବ ଶିକ୍ଷାନବୀସମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ଅବସର ମିଳୁ, ଏହି ପ୍ରୟାସ ମଧ୍ୟ କରାଯାଇଛି । ଏହି କାରଣରୁ ସାମାଜିକ ଓ ଅର୍ଥନୈତିକ ଦୁନିଆ ସହିତ ଜଡିତ ବୈଶ୍ୱିକ ନେତୃବୃନ୍ଦଙ୍କ ସହିତ, ବିଶେଷଜ୍ଞଙ୍କ ସହିତ ଆପଣମାନଙ୍କ ପରିଚୟ କରାଯାଇଛି ।

ବନ୍ଧୁଗଣ, ଷ୍ଟାଚ୍ୟୁ ଅଫ ୟୁନିଟିର ଛତ୍ରଛାୟାରେ ଏଠାରେ ହେଉଥିବା ଏହି କାର୍ଯ୍ୟକ୍ରମର ଏକ ବିଶେଷ ମହତ୍ୱ ରହିଛି। କାରଣ ସମସ୍ତ ଭାରତୀୟ ପ୍ରଶାସନିକ ସେବାକୁ ରାଷ୍ଟ୍ର ନିର୍ମାଣ, ରାଷ୍ଟ୍ରୀୟ ଏକତାର ପ୍ରମୁଖ ମାଧ୍ୟମ କରିବାର ପରିକଳ୍ପନା ସ୍ୱୟଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କରିଥିଲେ । ନିଜର ଏହି ପରିକଳ୍ପନାକୁ ସାକାର କରିବା ପାଇଁ ସେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । ସେତେବେଳେ କିଛି ଲୋକଙ୍କୁ ଲାଗୁଥିଲା କି ସ୍ୱାଧୀନତା ଆନ୍ଦୋଳନକୁ ଦବାଇବାରେ ଯେଉଁ ଅଧିକାରୀମାନଙ୍କର ଭୂମିକା ଥିଲା ସେମାନେ ସ୍ୱାଧୀନ ଭାରତ ନିର୍ମାଣରେ ସହାୟକ ହେବେ କିପରି ?  ଏହି ପ୍ରଶ୍ନ ଉଠିବା ଅତ୍ୟନ୍ତ ସ୍ୱାଭାବିକ ମଧ୍ୟ ଥିଲା । ଏହି ବିଚାର ମଧ୍ୟ ସ୍ୱାଭାବିକ ଥିଲା ଓ ଘୃଣାର ଭାବ ମଧ୍ୟ ଅତ୍ୟନ୍ତ ସ୍ୱାଭାବିକ ଥିଲା, ମାତ୍ର ଦୂରଦୃଷ୍ଟି ସମ୍ପନ୍ନ ସର୍ଦ୍ଦାର ସାହେବ ଏ ସମସ୍ତ ସମାଲୋଚକମାନଙ୍କୁ ସ୍ମରଣ କରାଇଥିଲେ ଯେ ପ୍ରକୃତରେ ଅମଲାତନ୍ତ୍ର ଭରସାରେ ହିଁ ଆମକୁ ଆଗକୁ ବଢ଼ିବାକୁ ପଡିବ । ଅମଲାତନ୍ତ୍ର ହିଁ ଶାସନ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ କାମ କରିଥିଲା ।

ବନ୍ଧୁଗଣ, ସର୍ଦ୍ଦାର ପଟେଲ ଦେଖାଇଛନ୍ତି କି ସାଧାରଣ ଜନତାଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ପାଇଁ ସବୁବେଳେ ଏକ ଦୃଢ଼ ଇଚ୍ଛାଶକ୍ତି ରହିବା ଗୁରୁତ୍ୱପୂର୍ଣ୍ଣ । ପାଖାପାଖି 100 ବର୍ଷ ପୂର୍ବେ ଅହମ୍ମଦାବାଦ ମୁନିସିପାଲିଟି ସ୍ଥାପନକୁ ମାତ୍ର ଦଶ ବର୍ଷ ମଧ୍ୟରେ, ସୀମିତ ସମ୍ବଳ ମଧ୍ୟରେ ସାକାର ରୂପ ଦେଇ ସେ ସମସ୍ତଙ୍କୁ ନିଜର ପ୍ରତିଭାର ପ୍ରଶଂସକ କରି ଦେଇଥିଲେ । ଏହି ପରିକଳ୍ପନା ସହିତ ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଶାସନିକ ସେବା ଢାଞ୍ଚା ନିର୍ମାଣ କରିଥିଲେ ।

ବନ୍ଧୁଗଣ, ନିରପେକ୍ଷ ଏବଂ ନିଃସ୍ୱାର୍ଥ ଭାବନା ସହିତ କରାଯାଇଥିବା ପ୍ରୟାସ ନୂତନ ଭାରତର ଶକ୍ତିଶାଳୀ ମୂଳଦୁଆ । ନୂତନ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମ ବ୍ୟବସ୍ଥାରେ, ଆମ ଅମଲାତନ୍ତ୍ରରେ ଏକବିଂଶ ଶତାବ୍ଦୀର ଚିନ୍ତାଧାରା ଏବଂ ସ୍ୱପ୍ନ ଅନିର୍ବାର୍ଯ୍ୟ । ଏପରି ଅମଲାତନ୍ତ୍ର ଆବଶ୍ୟକ ଯାହା ସୃଜନାତ୍ମକ ହୋଇଥିବ, ଗଠନମୂଳକ ହୋଇଥିବ, କଳ୍ପନାତ୍ମକ ହୋଇଥିବ, ଅଭିନବ ହୋଇଥିବ, ପୂର୍ବ ପ୍ରସ୍ତୁତ ହୋଇଥିବ, ନମ୍ର ହୋଇଥିବ, ବୃତ୍ତିଗତ ଓ ପ୍ରଗତିବାଦୀ ହୋଇଥିବ, ଶକ୍ତିସମ୍ପନ୍ନ ହୋଇଥିବ, ସମର୍ଥ ହୋଇଥିବ, ଫଳପ୍ରଦ ହୋଇଥିବ, ସ୍ୱଚ୍ଛ ହୋଇଥିବ ଏବଂ ପ୍ରଯୁକ୍ତି ଅନୁକୂଳ ହୋଇଥିବ ।

ବନ୍ଧୁଗଣ, ଆପଣମାନଙ୍କ ସମ୍ମୁଖରେ ଯେତେ ବଡ ସୁଯୋଗ ରହିଛି ସେତିକି ବଡ ଦାୟିତ୍ୱବୋଧ ମଧ୍ୟ ରହିଛି । ଗୋଟିଏ ସମୟ ଥିଲା ଯେତେବେଳେ ଆପଣମାନଙ୍କ ବରିଷ୍ଠମାନେ ସମ୍ବଳର

ଅଭାବରେ ସବୁକିଛି ସମ୍ଭାଳୁଥିଲେ। ରାସ୍ତା, ରେଳପଥ, ବନ୍ଦର, ବିମାନ ବନ୍ଦର, ବିଦ୍ୟାଳୟ, ଟେଲିଫୋନ ସବୁ କିଛିର ଅଭାବ ଥିଲା । ଆଜିକାଲି ସ୍ଥିତି ଆଉ ଏପରି ନାହିଁ । ଭାରତ ଦ୍ରୁତ ଗତିରେ ପରବର୍ତ୍ତିତ ହେଉଛି । କେବେ ଅଭାବରେ ଚାଲୁଥିବା ଯାତ୍ରା ଆଜି ବିପୁଳତା ଆଡକୁ ବଢ଼ୁଛି । ଆଜି ଦେଶରେ ବିପୁଳ ଯୁବ ଶକ୍ତି ରହିଛି, ବିପୁଳ ଅନ୍ନ ଭଣ୍ଡାର ରହିଛି, ଆଜି ଦେଶରେ ଆଧୁନିକ ଜ୍ଞାନକୌଶଳର ଶକ୍ତି ରହିଛି – ଏପରି ସ୍ଥଳେ ଏବେ ଆପଣମାନଙ୍କୁ ଏହି ବିପୁଳତାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ପଡିବ । ଆପଣମାନଙ୍କୁ ଦେଶର ସାମର୍ଥ୍ୟ ବୃଦ୍ଧି କରିବାକୁ ପଡିବ ଏବଂ ଏଥିସହିତ ସ୍ଥାୟୟିତ୍ୱକୁ ମଜଭୁତ କରିବାକୁ ପଡିବ ।

ବନ୍ଧୁଗଣ, ଆପଣ ଏପରି ରାସ୍ତାରେ କେବଳ ଏକ କ୍ୟାରିଅର ପାଇଁ ଆସିନାହାନ୍ତି, ସହଜ ଚାକିରି ପାଇଁ ଆସି ନାହାନ୍ତି, ବରଂ ସେବା ପାଇଁ ଆସିଛନ୍ତି, ସେବା ଭାବରେ ଆସିଛନ୍ତି, ସେବା ପରମଧର୍ମ-ଏହି ମନ୍ତ୍ରକୁ ନେଇ ଆସିଛନ୍ତି । ଆପଣମାନଙ୍କ ପ୍ରତ୍ୟେକ ନିର୍ଣ୍ଣୟ ଦ୍ୱାରା, ପ୍ରତ୍ୟେକ କାର୍ଯ୍ୟ ଦ୍ୱାରା, ପ୍ରତ୍ୟେକ ସ୍ୱାକ୍ଷର ଦ୍ୱାରା ଲକ୍ଷ ଲକ୍ଷ ଜୀବନ ପ୍ରଭାବିତ ହେବ । ବନ୍ଧୁଗଣ, ଆପଣମାନେ ଯେଉଁ ନିଷ୍ପତ୍ତି ମଧ୍ୟ ଗ୍ରହଣ କରିବେ, ଏହାର ସୁଯୋଗ ନିଶ୍ଚିତ ଭାବେ ସ୍ଥାନୀୟ ହେବ, ଶାସ୍ତ୍ରୀୟ ହେବ, ମାତ୍ର ଏହାର ଦୂରଦର୍ଶିତା ଜାତୀୟ ହେବା ଆବଶ୍ୟକ । ଅର୍ଥାତ ଆପଣଙ୍କ ଜିଲ୍ଲା, ଆପଣଙ୍କ ବ୍ଲକ, ଆପଣଙ୍କ ବିଭାଗର ଆବଶ୍ୟକତା ଓ ସମସ୍ୟା ଅନୁସାରେ ଆପଣ ନିଷ୍ପତ୍ତି ଗ୍ରହଣ କରିବେ । ଏହା ଦେଶର ବିକାଶରେ କିପରି ଭାବେ ଯୋଗଦାନ କରିବ ତାହାର ନିର୍ଣ୍ଣୟ ଆପଣମାନଙ୍କୁ କରିବାକୁ ହିଁ ପଡିବ, ସବୁବେଳେ କରିବାକୁ ପଡିବ ।

ବନ୍ଧୁଗଣ, ନିଜର ସମସ୍ତ ନିଷ୍ପତ୍ତିକୁ ଆପଣ ସମସ୍ତ କଷଟିରେ ନିଶ୍ଚିତ ଭାବେ କଷିବେ । ଏକ ରାସ୍ତା, ଯାହା ମହାତ୍ମା ଗାନ୍ଧୀ ପ୍ରଦର୍ଶିତ କରିଥିଲେ, ଆପଣଙ୍କ ନିଷ୍ପତ୍ତି ସମାଜର ଶେଷ ଧାଡ଼ିରେ ଯେଉଁ ବ୍ୟକ୍ତି ଠିଆ ହୋଇଛି, ତାହାର ଆଶା-ଆକାଂକ୍ଷାକୁ ଏହା ପୂରଣ କରିପାରୁଛି ନା ନାହିଁ । ଦ୍ୱିତୀୟ ହେଉଛି, ଆପଣଙ୍କ ନିଷ୍ପତ୍ତିକୁ ଏହି କଷଟି ପଥରରେ କଷିବା ଆବଶ୍ୟକ ଯେ ଆପଣଙ୍କ ନିର୍ଣ୍ଣୟ ଯେପରି ଦେଶର ଏକତା, ଅଖଣ୍ଡତା ଏବଂ ପ୍ରଗତିକୁ ଆଗକୁ ବଢ଼ାଇବ ଏବଂ ଏହାକୁ ମଜଭୁତ କରିବ ।

ବନ୍ଧୁଗଣ, ଏଠାରେ ପ୍ରେରଣାପ୍ରଦ ଜିଲ୍ଲାର ଚର୍ଚ୍ଚା ହୋଇଛି । ଦେଶର 100ରୁ ଅଧିକ ଜିଲ୍ଲା ବିକାଶ ଦୌଡରେ ପଛରେ ପଡିଯାଇଛନ୍ତି । ଏହା ପଛରେ ଚିନ୍ତାଧାରା ଓ ଦୂରଦୃଷ୍ଟି ମଧ୍ୟ ଏକ ବହୁତ ବଡ କାରଣ । ଏହି ଜିଲ୍ଲାଗୁଡ଼ିକ ଭୌଗଳିକ ଭାବେ ଏବଂ ସାମାଜିକ ଭାବେ ବହୁତ ଆହ୍ୱାନପୂର୍ଣ୍ଣ ଥିଲା । ଏହାର ଫଳସ୍ୱରୂପ ପ୍ରତ୍ୟେକ ସ୍ତରରେ ଏଗୁଡ଼ିକର ଉପେକ୍ଷା ହେଲା, ଏହାକୁ ସେମାନଙ୍କ ଅବସ୍ଥାରେ ଛାଡି ଦିଆଯାଇଥିଲା । ଏହି ଉପେକ୍ଷା କାରଣରୁ ସମାଜରେ ଅସନ୍ତୋଷର ଭାବନା ଆସିଯାଇଥିଲା, ଯାହାର ଲାଭ କୁଶକ୍ତିମାନେ ଉଠାଇବା ଆରମ୍ଭ କରିଦେଇଥିଲେ । ମାତ୍ର ଏବେ ଜିଲ୍ଲାରେ ବିକାଶ ଆହୁରି ଅଧିକ କଷ୍ଟକର ହୋଇଗଲା। ଏହି ସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା, ଏଥିପାଇଁ ଆମେ ଏହି ଜିଲ୍ଲାଗୁଡିକର ଅବନତି ପରିବର୍ତ୍ତେ ଏମାନଙ୍କର ଅଭିଳାଷାକୁ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ଗ୍ରହଣ କଲୁ । ଆମେ ମାନବୀୟ ବିକାଶ ସୂଚକାଙ୍କର ପ୍ରତ୍ୟେକ ଦିଗରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ କରିବାକୁ ଆରମ୍ଭ କଲୁ । ଆମେ ପ୍ରଯୁକ୍ତିର ଉପଯୋଗ ବୃଦ୍ଧିକରି ଯୋଜନାକୁ ଅଧିକ ପ୍ରଭାବୀ ଢଙ୍ଗରେ ଲାଗୁ କଲୁ । ଆଜି ଏହାର ଅଦ୍ଭୁତପୂର୍ବ ପରିଣାମ ଆମକୁ ମିଳିବାରେ ଲାଗିଛି । ଏହି କାମକୁ ଅଧିକ ଗତି ଦେବାର ଦାୟିତ୍ୱ ଏବେ ଆପଣମାନଙ୍କ ଉପରକୁ ଆସିବ ।

ବନ୍ଧୁଗଣ, ଆଗାମୀ ସମୟରେ ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀଙ୍କ ନିଯୁକ୍ତି ବ୍ଲକ କିମ୍ବା ଜିଲ୍ଲା ସ୍ତରରେ ହେବ । ସେଠାକାର ଅନେକ ସମସ୍ୟାର ସମାଧାନ ଆପଣମାନଙ୍କୁ ଖୋଜିବାକୁ ପଡିବ । ଆପଣମାନଙ୍କୁ ମୋର ପ୍ରସ୍ତାବ ହେଉଛି ଆପଣ ଆପଣଙ୍କ କ୍ଷେତ୍ରର ଏକ ବଡ ସମସ୍ୟାକୁ ହାତକୁ ନିଅନ୍ତୁ ଏବଂ ଏହାର ସମ୍ପୂର୍ଣ୍ଣ ସମାଧାନ କରିବାର ପ୍ରୟାସ କରନ୍ତୁ ଅର୍ଥାତ୍ ଗୋଟିଏ ଜିଲ୍ଲା, ଗୋଟିଏ ସମସ୍ୟା ଏବଂ ସମ୍ପୂର୍ଣ୍ଣ  ସମାଧାନ । ସାଧାରଣତଃ ଆମେ ଉତ୍ସାହରେ ସବୁ ଆଡେ ହାତ ମାରିବାକୁ ଆରମ୍ଭ କରୁ ଯାହା ଫଳରେ ଆମର ପ୍ରୟାସ ଏବଂ ଆମ ସମ୍ପଦ ଦୁଇ ଆଡେ ବାଣ୍ଟି ହୋଇଯାଏ । ଗୋଟିଏ ସମସ୍ୟାକୁ ଦୂର କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ଆତ୍ମବିଶ୍ୱାସ ମିଳିବ, ଲୋକମାନଙ୍କ ଭରସା ମଧ୍ୟ ଆପଣମାନଙ୍କ ଉପରେ ବଢ଼ିବ । ଜନତାଙ୍କ ଭରସା ଯଦି ଆପଣ ଜିତନ୍ତି ତେବେ ଆପଣଙ୍କ ସହିତ ଜନତାଙ୍କ ଭାଗିଦାରୀ ମଧ୍ୟ ବୃଦ୍ଧି ପାଏ ।

ବନ୍ଧୁଗଣ, ଅମଲାତନ୍ତ୍ର ଓ ବ୍ୟବସ୍ଥାକୁ ନେଇ ନିର୍ମିତ ହୋଇଥିବା ଏକ ନକାରାତ୍ମକ ଭାବନାକୁ ଦୂର କରିବା ପାଇଁ ଆପଣଙ୍କ ସମ୍ମୁଖରେ ଏକ ବଡ ଆହ୍ୱାନ ରହିଛି । ଅମଲାତନ୍ତ୍ର ଓ ବ୍ୟବସ୍ଥା ଏହା ଏପରି ଦୁଇଟି ଶବ୍ଦ, ଯାହାକୁ ଖରାପ ଅମଲାତନ୍ତ୍ର କିମ୍ବା ଖରାପ ବ୍ୟବସ୍ଥା ଲେଖିବାର ଆବଶ୍ୟକତା ପଡିନଥାଏ । ଏହାକୁ ଆପଣାଛାଏଁ ନକରାତ୍ମକ ଢଙ୍ଗରେ ବ୍ୟାଖ୍ୟା କର ଯାଇଥାଏ। ତେବେ ଏହା କାହିଁକି ହେଲା ? ଆମର ଅଧିକାଂଶ ପଦାଧିକାରୀ ପରିଶ୍ରମୀ ଓ ଗ୍ରହଣୀୟ, ମାତ୍ର ସମ୍ପୂର୍ଣ୍ଣ ବ୍ୟବସ୍ଥା ଓ ଅମଲାତନ୍ତ୍ର ବାବଦରେ ଏକ ନକରାତ୍ମକ ଭାବନା ସୃଷ୍ଟି ହୋଇଛି ।

ବନ୍ଧୁଗଣ, ପ୍ରଶାସନିକ ସେବାକୁ ନେଇ, ସମସ୍ତ କ୍ଷମତାକୁ ନେଇ, ଅଫିସରମାନଙ୍କୁ ନେଇ ଏକ ନକାରାତ୍ମକ ଛବି ରହିଛି । ଏହି ଛବି ହେଉଛି ନିଶ୍ଚିତ ଭାବେ ଏକ ଔପନିବେଶିକ ଉତ୍ତରାଧିକାର, ଯାହାକୁ ଛାଡିବାରେ କିଛି ଲୋକ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନାହାନ୍ତି । ଆପଣମାନଙ୍କୁ ହିଁ ଏପରି ନକରାତ୍ମକ ଛବିରୁ ପ୍ରଶାସନିକ ସେବାକୁ ବାହାରକୁ ବାହାର କରିବା ପାଇଁ ପ୍ରୟାସ କରିବାକୁ ପଡିବ । ଆପଣଙ୍କ ଶକ୍ତି କଠୋରତାରେ ନାହିଁ, ସୂକ୍ଷ୍ମତାରେ ରହିଛି । କଠୋର ଶକ୍ତି ଆକ୍ରୋଶର କାରଣ ହୋଇଥାଏ ଏବଂ ସୂକ୍ଷ୍ମ ଶକ୍ତି ସଦଭାବ ବିକଶିତ କରିବାର ଏକ ବହୁତ ବଡ ମାଧ୍ୟମ ହୋଇଥାଏ । ନିଯୁକ୍ତିରୁ ନେଇ ଶୁଣାଣି ପର୍ଯ୍ୟନ୍ତ ଏକ ସରଳ ବ୍ୟବସ୍ଥା ରହିବା ଆବଶ୍ୟକ । ଆପଣମାନେ ସାତ ଦୁଆର ପଛରେ ରୁହନ୍ତି, ଏହି ଭାବନା ଜନତା ମଧ୍ୟକୁ କେବେ ବି ଯିବା ଆବଶ୍ୟକ ନୁହେଁ । ଆପଣଙ୍କ ପାଖରେ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ରହିଛି, ଏହା ସମ୍ଭବ ନୁହେଁ । ସାଧାରଣ ଜନତା ଏହି କଥାକୁ ମଧ୍ୟ ଭଲ ଭାବେ ବୁଝନ୍ତି । ସେମାନେ କେବଳ ଶୁଣାଣି ଚାହାନ୍ତି, ସମ୍ମାନ ଚାହାନ୍ତି । ସେମାନଙ୍କ କଥା ସଠିକ ସ୍ଥାନରେ ପହଞ୍ଚୁ, ଏତିକି କଥାରେ ମଧ୍ୟ କେବେ କେବେ ଆମ ଦେଶର ନାଗରିକ ସନ୍ତୁଷ୍ଟ ହୁଅନ୍ତି । ସେମାନେ ସମ୍ମାନ ଓ ସନ୍ତୋଷରେ ଆପଣଙ୍କ କାର୍ଯ୍ୟାଳୟରୁ ବାହାରନ୍ତୁ ଏହା ଆପଣମାନଙ୍କ ପ୍ରୟାସ ହେବା ଆବଶ୍ୟକ ।

ବନ୍ଧୁଗଣ, କୌଣସି ଜନ ସେବକ ପାଇଁ, ଫଳପ୍ରଦ ସେବା ପ୍ରଦାନ ପାଇଁ, ଯୋଜନାର ଫଳପ୍ରଦ ପ୍ରଣୟନ ପାଇଁ ସଚ୍ଚୋଟ ମତାମତ ଜାଣିବା ଅତ୍ୟନ୍ତ ଜରୁରି । ଏହି ବ୍ୟବସ୍ଥା ମଧ୍ୟ ଆପଣମାନଙ୍କୁ ବିକଶିତ କରିବାକୁ ପଡିବ । ପୂର୍ବରୁ ଜିଲ୍ଲାପାଳଙ୍କ ରାତ୍ରୀ ରହଣି ପାଇଁ ଏକ ନିୟମ ଥିଲା, ଏକ ମାର୍ଚ୍ଚ ଟୁ ହଲ୍ଟ ଅନୁପାତ ମଧ୍ୟ ଥିଲା । ଏହାଦ୍ୱାରା ଜଣାପଡୁଥିଲା ଯେ ପଦାଧିକାରୀ ଜଣକ କ୍ଷେତ୍ରରେ କେତେ ସମୟ ଅତିବାହିତ କରିଛନ୍ତି । ଏବେ ଏହି ପରମ୍ପରାରେ ଏକପ୍ରକାର ହ୍ରାସ ପାଇଛି କେଉଁଠି ତ ସମାପ୍ତ ହୋଇଯିବା ନଜରକୁ ଆସିଛି । ଅନୁରୂପ ଏକ ପୁରାତନ ପରମ୍ପରା ଥିଲା – ଜିଲ୍ଲା ଗେଜେଟରଙ୍କର, ଯାହା ଏବେ ପାଖାପାଖି ଲୁପ୍ତ ହୋଇଯିବା ନଜରକୁ ଆସୁଛି । ହ୍ୟାଣ୍ଡିଂ ଓଭର ନୋଟର ମଧ୍ୟ ଏକ ବ୍ୟବସ୍ଥା ଥିଲା, ଯେଉଁଥିରେ ସମସ୍ତ ଯାଉଥିବା ଓ ଆସୁଥିବା ପଦାଧିକାରୀଙ୍କ ପାଇଁ ଏକ ନୋଟ ଛାଡି ଦିଆଯାଉଥିଲା । ଏହି ନୋଟ ମାଧ୍ୟମରେ ନୂତନ ପଦାଧିକାରୀଙ୍କୁ ସେହି ପଦବୀରୁ କିମ୍ବା ସେହି କାର୍ଯ୍ୟାଳୟ ସହିତ ଜଡିତ ଆହ୍ୱାନ, ସମସ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝିବାରେ ଅନେକ ସୁବିଧା ହେଉଥିଲା, ସରକାରଙ୍କ ନିୟମିତତା ରହୁଥିଲା । ଏପରି ଅନେକ ଭଲ ବ୍ୟବସ୍ଥା ଆମ ପୁରାତନ ବ୍ୟବସ୍ଥା ମଧ୍ୟରେ ରହିଛି, ଯାହାକୁ ପୁଣି ଜୀବିତ କରିବାର ଆବଶ୍ୟକତା ରହିଛି । ପୁରୁଣା ଭଲ ପରମ୍ପରା ଗୁଡ଼ିକୁ ଆଜିର ଯୁଗରେ ନୂତନ ପ୍ରଯୁକ୍ତି ସହିତ ଯୋଡି ଆମକୁ ଏହାକୁ ଆହୁରି ସମୃଦ୍ଧ କରିବାର ଅଛି, ଆହୁରି ଅଧିକ ମଜଭୁତ କରିବାକୁ ପଡିବ । ପ୍ରଯୁକ୍ତିକୁ ଆମେ ବିକଳ୍ପ ଭାବେ ନୁହେଁ ବହୁମୂଖୀ କାର୍ଯ୍ୟ ପାଇଁ ଆମକୁ ଉପଯୋଗ କରିବାକୁ ପଡିବ । ଯେପରି ମତାମତ ସଂଗ୍ରହ ବ୍ୟବସ୍ଥା, ଭେଟ-ଭାଟର ପୁରୁଣା ବ୍ୟବସ୍ଥା ସହିତ ଆମେ ସାମାଜିକ ଗଣମାଧ୍ୟମର ମଧ୍ୟ ଉନ୍ନତ ଉପଯୋଗ କରିପାରିବା । ସାମାଜିକ ଗଣମାଧ୍ୟମକୁ ଭରସାଯୋଗ୍ୟ ଉତ୍ସ ଭାବେ ମନେ କରାଯାଉ ନଥିଲେ ମଧ୍ୟ, ଏହା ନିଶ୍ଚିତ ଭାବେ ଏକ ଅସ୍ତ୍ର ଯାହାର ଉପଯୋଗ ଆମେ କରିପାରିବା । ଆହୁରି ମଧ୍ୟ ଆମର ନିଷ୍ପତ୍ତିକୁ ନେଇ ଆମର ନୀତିକୁ ନେଇ ଯେଉଁ ଇନପୁଟ ଆସେ, ଯେଉଁ ମତାମତ ଆସେ ତାହାର ସଚ୍ଚୋଟତା ପୂର୍ବକ ଆକଳନ ମଧ୍ୟ ଜରୁଋ । ଏପରି ନୁହେଁ ଯେ ଯାହା ଆମ ଆଖି ଓ କାନକୁ ଭଲ ଲାଗେ ଆମେ ତାହାକୁ କେବଳ ଦେଖିବା ଓ ଶୁଣିବା । ଆମକୁ ମତାମତ ସଂଗ୍ରହ କରିବା ପାଇଁ ଆମର କ୍ଷେତ୍ରକୁ ବିସ୍ତାର କରି ଆମର ବିରୋଧିଙ୍କର ମତକୁ ମଧ୍ୟ ପଢ଼ିବା ଓ ଶୁଣିବା ଆବଶ୍ୟକ । ଏହାଦ୍ୱାରା ଆମ ଅନ୍ତର୍ଦୃଷ୍ଟିକୁ ଗଭୀରତା ମିଳିବ ।

ବନ୍ଧୁଗଣ, ସରକାରୀ ବ୍ୟବସ୍ଥା ମଧ୍ୟରେ ରହି ଆମେ ବେଳେବେଳେ ଆଉ ଏକ ଭୁଲ କରିଦେଉ । ଘର ଭିତରେ ରହି ଆମକୁ ପ୍ରାୟ ସବୁକିଛି ଠିକଠାକ ଲାଗେ । ଆମର ଏକ ସୀମିତ ସାମାଜିକ ସର୍କଲ ଥାଏ, ଯେଉଁଥିରେ ଆମ ପରି ଲୋକ ସାମିଲ ହୋଇଥା’ନ୍ତି । ଏହି କାରଣରୁ ଆମକୁ ଅନେକ କ୍ଷେତ୍ରରେ ସାଧାରଣ ସମସ୍ୟା ସମ୍ବନ୍ଧରେ ମଧ୍ୟ ସୂଚନା ମିଳିନଥାଏ । ଏଥିପାଇଁ ଆମେ ଯେକୌଣସି ଚାକିରିରେ ଥାଉ ନା କାହିଁକି, ଆମ କମ୍ଫର୍ଟ ଜୋନରୁ ବାହାରକୁ ବାହାରି ଲୋକମାନଙ୍କ ସହିତ ମିଶିବା ଅନେକ ଜରୁରି । ଏହାଦ୍ୱାରା ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାରେ ଆମକୁ ଅନେକ ସହାୟତା ମିଳିବ ।

ବନ୍ଧୁଗଣ, ଆମକୁ ଏହା ବୁଝିବାକୁ ପଡିବ ଯେ ମନ୍ତ୍ରୀ ହୁଅନ୍ତୁ କିମ୍ବା ମୁନିସିପାଲ କର୍ପୋରେସନ ହେଉ, କିମ୍ବା ଅନ୍ୟକୌଣସି ସରକାରୀ ବିଭାଗ, ଆମେ ହେଉଛୁ  ସେବା ପ୍ରଦାନକାରୀ । ସେବା ପ୍ରଦାନକାରୀ ପାଇଁ ଉପଭୋକ୍ତା ସବା ଉପରେ ରହିବା ଆବଶ୍ୟକ । ଯେତେବେଳେ ଏହିକଥା ଆମ ମନ ମଧ୍ୟକୁ ଆସିଯାଏ ତେବେ ଯୋଗାଣ ଶୃଙ୍ଖଳ ପରିଚାଳନାରେ ମାନବ ସମ୍ବଳର ଆବିଷ୍କାରରେ, ପ୍ରଯୁକ୍ତିର ସମସ୍ତ ସ୍ତରରେ ଆବଶ୍ୟକ ପରିବର୍ତ୍ତନ ହୁଏ। ଯେତେବେଳେ ସେବା ପ୍ରଦାନରେ ଜରୁଋ ପରିବର୍ତ୍ତନ ହେଲେ ଜୀବନ ସହଜ ହୋଇଯାଏ।

ବନ୍ଧୁଗଣ, ଏବେ ମୁଁ ଆପଣମାନଙ୍କ ସହିତ ମ୍ୟାନେଜମେଣ୍ଟର ପ୍ରଚଳିତ ଭାଷାର ଉପଯୋଗ କରିଛି ଏବଂ ଏହା ଏଥିପାଇଁ କରିଛି କାରଣ କେବେ କେବେ କୌଣସି କଥାକୁ ବୁଝାଇବା ପାଇଁ ଜଣାଠାରୁ ଅଜଣା ଆଡକୁ ଯିବା ବଡ ସରଳ ହୋଇଥାଏ, ଏକ ସୁଗମ ପ୍ରକ୍ରିୟା ମଧ୍ୟ ହୋଇଥାଏ । ଏସବୁର ଉପରେ ଓ ସବୁଠାରୁ ଗଭୀର ହେଉଛି – ଆମ ଭିତରର ଭାବନା, ଆମ ଭିତରର ବେଦନା, ଆମ ଭିତରର ସମବେଦନା । ଏକ ବିଚାର ସବୁ ସମୟରେ, ନିଶ୍ୱାସ – ପ୍ରଶ୍ୱାସ ସହିତ, ଆପଣମାନଙ୍କ ଅସ୍ତିତ୍ୱ ସହିତ ଜଡିତ ହେବା ଆବଶ୍ୟକ । ଏହି ବିଚାର କ’ଣ’ ?

ବନ୍ଧୁଗଣ, ଆପଣମାନଙ୍କ ମନ-ମସ୍ତିଷ୍କରେ ଏହି ଧାରଣ ରହିବା ଆବଶ୍ୟକ ଯେ ଆଜି ମୁଁ ଯାହା କିଛି ହୋଇଛି, ତାହା ମୋତେ ମୋର ଦେଶ ଦେଇଛି, ଏହି ଦେଶର କୋଟି କୋଟି ଲୋକ ଦେଇଛନ୍ତି । ଏ ଦେଶ ହେଉଛି ମୋର, ଏଇ ଦେଶର ଲୋକ ହେଉଛନ୍ତି ମୋର । ଆମେ ଚାକିରିକୁ ଆସିବା ପରେ ଯେଉଁ ମାନ ସମ୍ମାନ ଆମକୁ ମିଳିଛି, ଏଥିରେ କୌଣସି ଗରିବର ଝାଳର ମହକ ରହିଛି ।

ବନ୍ଧୁଗଣ, ଆମ ଦେଶର ଗରିବଙ୍କ, ଲୋକମାନଙ୍କର ଆମେ ସମସ୍ତେ ହେଉଛୁ ଋଣୀ; ସେହି ଗରିବର କରଜ ଶୁଝିବା ପାଇଁ, ଦେଶର ସାଧାରଣ ଜନତାଙ୍କ କରଜ ଶୁଝିବା ପାଇଁ ଆମ ପାଖରେ ଗୋଟିଏ ବାଟ ରହିଛି- ଆମେ ଦେଶବାସୀଙ୍କ ଜୀବନ ସହଜ କରିବା, ଯାହା ସେମାନଙ୍କର ପ୍ରାପ୍ୟ, ସେଥିପାଇଁ ସଚ୍ଚୋଟତାର ସହ ପ୍ରୟାସ କରିବା- କଠୋର ପରିଶ୍ରମ କରିବା ।

ବନ୍ଧୁଗଣ, ଆଜିର ନୂତନ ଭାରତ ଅନେକ ଆକାଂକ୍ଷାରେ ଭରା, ଏହା ଅଧୀର ମଧ୍ୟ  ଓ ବିକାଶ ପାଇଁ ଏହାର ବ୍ୟାକୁଳତା ଆହୁରି ଅଧିକ ହୋଇଯାଇଛି । ଆଜି ସମଗ୍ର ଭାରତରେ ଆମେ ଦେଖୁଛୁ କି ନାଗରିକମାନେ ପୂର୍ବରୁ ଅନେକ ପରିମାଣରେ ସଚେତନ ହୋଇଛନ୍ତି, ସତର୍କ ଅଛନ୍ତି, ଅଧିକ ପରିମାଣରେ ସଂଯୁକ୍ତ ଅଛନ୍ତି, ଆହୁରି ଅଧିକ ସମ୍ବେଦନଶୀଳ ମଧ୍ୟ ଅଟନ୍ତି । ସରକାର ଏକ ଆହ୍ଵାନ ଦେଲେ, ସାମାନ୍ୟ କିଛି ସହାୟତା ମାଗିଲେ କିମ୍ବା କୌଣସି ଆହ୍ୱାନରେ ସାମିଲ ହେବା ପାଇଁ ଅନୁରୋଧ କଲେ, ସମଗ୍ର ଦେଶବାସୀ ଖୁସିରେ ଏଥିରେ ସାମିଲ ହୋଇଯା’ନ୍ତି । ଏପରି ସ୍ଥଳେ ଆମର ଦାୟିତ୍ୱବୋଧ ହେଉଛି କି ଆମେ ଦେଶବାସୀଙ୍କର ଜୀବନ ଧାରଣର ସହଜତାକୁ ବୃଦ୍ଧି କରିବା । ଏଥିପାଇଁ ଆମକୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ । ଆମକୁ ଏହି ବିଷୟ ସୁନିଶ୍ଚିତ କରିବାକୁ ପଡିବ ଯେ ସାଧାରଣ ଲୋକଙ୍କର ଦୈନଦିନ ରୋଜଗାରର ଜୀବନରେ ଯେପରି ସରକାରଙ୍କ ସହିତ ଲଢିବାକୁ ନପଡେ । ଆମକୁ ଏହା ଧ୍ୟାନରେ ରଖିବାକୁ ପଡିବ ଯେ ସାଧାରଣ ଲୋକଙ୍କ ଜୀବନ ଯେପରି ସରକାରଙ୍କ ପ୍ରଭାବରେ ଦବି ନଯାଉ ଏବଂ ଗରିବଙ୍କ ଜୀବନ ସରକାରଙ୍କ ଅଭାବରେ ନଷ୍ଟ ହୋଇଯାଉ ।

ବନ୍ଧୁଗଣ, ଜୀବନ ଧାରଣର ସହଜତା ସୁନିଶ୍ଚିତ କରିବାରେ ଆଉ ଏକ ବିଷୟ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ଆମ ଅର୍ଥବ୍ୟବସ୍ଥା, ଆମ ମୁଣ୍ଡ ପିଛା ଆୟ ଓ ପାଞ୍ଚ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ନିର୍ମାଣ କରିବାର ଯେଉଁ ଲକ୍ଷ୍ୟ ରହିଛି ତାହା ପଛରେ ବିଚାରଧାରା ମଧ୍ୟ ଏଇଆ ରହିଛି । ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣମାନଙ୍କ ଉପରେ, ସବୁ ସାଥୀଙ୍କ ଉପରେ ବଡ ଦାୟିତ୍ୱବୋଧ ରହିଛି । ଆପଣମାନେ ଯେଉଁଠାରେ ବି ନିଯୁକ୍ତ ହେବେ, ସେଠାକାର ବ୍ୟବସ୍ଥାକୁ ବ୍ୟବସାୟ ଉପଯୋଗୀ କରିବା ପାଇଁ ଏକ ଉନ୍ନତ ପରିସଂସ୍ଥାନ ନିର୍ମାଣ କରିବା ପାଇଁ ପ୍ରଶାସନିକ ସେବାର ସମସ୍ତ ଅଙ୍ଗକୁ ମିଳିତ ଭାବେ ପ୍ରୟାସ କରିବାକୁ ପଡିବ ।

ବନ୍ଧୁଗଣ, ଆଜି ସମୟର ଆହ୍ୱାନ ହେଉଛି ଦେଶର ଜିଲ୍ଲାଗୁଡିକ ମଧ୍ୟ ସେମାନଙ୍କର ଆର୍ଥିକ ପ୍ରଗତି ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରନ୍ତୁ । କୌଣସି ଜିଲ୍ଲା ଯେତେ ଆଗକୁ ବଢ଼ିବ, ସେହି ରାଜ୍ୟ ସେତେ ଆଗକୁ ବଢ଼ିବ ଏବଂ ଏହାର ସିଧା ପ୍ରଭାବ ଦେଶର ଜିଡିପି ଉପରେ ପଡିବ । ଏଥିପାଇଁ ଆପଣମାନେ ଭବିଷ୍ୟତରେ ଯେଉଁ ଜିଲ୍ଲାରେ ମଧ୍ୟ ନିଯୁକ୍ତ ହେବେ, ସେଠାରେ ଆର୍ଥିକ ଗତିବିଧିକୁ ଦ୍ରୁତ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବେ। ଯେପରିକି ରପ୍ତାନି, ଆପଣଙ୍କ ଜିଲ୍ଲାରୁ କ’ଣ ରପ୍ତାନି ହୋଇଥାଏ ? ସେଠାକାର କୌଣସି ଉତ୍ପାଦ ବିଶ୍ୱର ଅନ୍ୟ ଦେଶକୁ ଯାଇଥାଏ ? ରପ୍ତାନି ବୃଦ୍ଧି କରିବା ପାଇଁ ଆପଣଙ୍କର କୌଣସି ଯୋଜନା ରହିଛି ? ଆପଣ ଲକ୍ଷ୍ୟ ସ୍ଥିର କରନ୍ତୁ, ରପ୍ତାନି ବୃଦ୍ଧି ସହିତ ଜଡିତ, ନିର୍ମାଣ ସହିତ ଜଡିତ, କୃଷି ସହିତ ଜଡିତ; ଏବଂ ତା’ପରେ ସେଗୁଡିକୁ ପ୍ରାପ୍ତ କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଲଗାନ୍ତୁ । ମୋର ଆଶା ଯେ ଆପଣମାନଙ୍କ ଶକ୍ତି ଦ୍ୱାରା ଆମେ ସମସ୍ତ ଲକ୍ଷ୍ୟକୁ ନିଶ୍ଚିତ ଭାବେ ହାସଲ କରିପାରିବା ।

ବନ୍ଧୁଗଣ, ବଡ ଲକ୍ଷ୍ୟ ପାଇଁ ଆମର ନିଷ୍ପତ୍ତି ସ୍ପଷ୍ଟ ହେବା ଏବଂ ସଠିକ ସମୟରେ ହେବା ମଧ୍ୟ ଜରୁରି । ମାତ୍ର ଅନେକ ସମୟରେ ଆମେ ଦେଖୁ ଯେ କିଛି ଏପରି ବି ସାଥୀ ଥା’ନ୍ତି ଯେଉଁମାନେ ନିର୍ଣ୍ଣୟ ନେବା ପ୍ରୟାସରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି । ଏହାଦ୍ୱାରା ବ୍ୟକ୍ତିଗତ ସ୍ତରରେ ଲାଭ-ହାନୀ ହେଉ ବା ନହେଉ, ମାତ୍ର ଦେଶର ଅନେକ କ୍ଷତି ହୋଇଥାଏ । ଆପଣମାନଙ୍କ ସମସ୍ତଙ୍କଠାରୁ ଆମକୁ ସମାଧାନର ଆଶା ରହିଛି । ପ୍ରଚଳିତ ବ୍ୟବସ୍ଥାକୁ ଚାଲୁ ରଖିବାର ଆଶା ଆପଣମାନଙ୍କ ଠାରୁ ନାହିଁ ।

ବନ୍ଧୁଗଣ, ଆପଣମାନେ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହିତ, ସମ୍ପୂର୍ଣ୍ଣ ଦାୟିତ୍ୱବୋଧର ସହିତ ଯେପରି କାମ କରିବେ, ସେଥିପାଇଁ ଯଥାସମ୍ଭବ ପ୍ରଶାସନିକ ସଂସ୍କାର କରାଯାଉଛି । ଆମର ପ୍ରୟାସ ରହିଛି ଟ୍ରାନ୍ସଫର ରାଜ ଶେଷ ହେଉ, ଅମଲାତନ୍ତ୍ରକୁ ଏକ ସ୍ଥାୟୀ କାର୍ଯ୍ୟକାଳ ପ୍ରଦାନ ପାଇଁ, ନିଯୁକ୍ତି କ୍ଷେତ୍ରରେ ଲବି ନୁହେଁ ବରଂ ସାମର୍ଥ୍ୟକୁ ଗଣନା କରିବା, ପ୍ରଶିକ୍ଷଣର ମହଜୁଦ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନର ପ୍ରୟାସର ତ ଆପଣମାନେ ନିଜେ ସାକ୍ଷୀ ରହିଛନ୍ତି । ଆମେ ଏକ ସମନ୍ୱିତ ବ୍ୟବସ୍ଥା ଆଡକୁ ବଢ଼ୁଛୁ ଯାହାକି ନିରନ୍ତର ଜନସେବା ପ୍ରଦାନ ପରେ ଆଧାରିତ ।

ବନ୍ଧୁଗଣ, ଆପଣଙ୍କ ପାଖରେ ଏକ ଦୀର୍ଘ କାର୍ଯ୍ୟକାଳ ରହିଛି । ଆପଣମାନଙ୍କ ପାଖରେ ପାଖାପାଖି ଗୋଟିଏ ଦିନ ରହିବାର ଅବସର ମିଳିଲା । ଏକ ପ୍ରକାର ଭେଟର ମଧ୍ୟ, ଏକ ପ୍ରକାରର ଆରମ୍ଭ । ଆପଣମାନଙ୍କ ମଧ୍ୟରୁ ଅନେକ ବନ୍ଧୁଙ୍କ ସହିତ ଆଗାମୀ ଦିନରେ ମଧ୍ୟ ଭେଟ ହେବ । ପ୍ରଶିକ୍ଷଣ ସମୟରେ ଆପଣମାନେ ପ୍ରତିଦିନ ନୂଆ-ନୂଆ କଥା ଶିଖନ୍ତୁ, ନୂତନ ଶିକ୍ଷାକୁ ଦେଶ ସେବାରେ ଲଗାନ୍ତୁ, ଆପଣଙ୍କ ଭିତରେ ଥିବା ବିଦ୍ୟାର୍ଥୀକୁ କେବେ ବି ମରିବାକୁ ଦେବେନି । ଜୀବନରେ ଯେତେ ବି ଉଚ୍ଚତାକୁ ପାର କଲେ ମଧ୍ୟ, ଭିତରର ବିଦ୍ୟାର୍ଥୀ ଅନେକ କିଛି ଶିଖାଇ ଯାଇଥାଏ, ଅନେକ କିଛି ଶିଖିବାର ପ୍ରେରଣା ପ୍ରଦାନ କରିଥାଏ ।

ବନ୍ଧୁଗଣ, ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱବୋଧ । ଏହାକୁ ପୂରଣ କରିବାକୁ ପଡିବ ଏବଂ ଏହି କାମନା ସହିତ ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି । ଏବଂ ଆଜି ସକାଳେ ଯେପରି ମୁଁ କହିଛି କି ଆପଣମାନେ ଯେଉଁ ସେବା ସହିତ ଜଡିତ ଅଛନ୍ତି, ସେହି ସେବା ସର୍ଦ୍ଦାର ସାହେବଙ୍କ ସ୍ୱପ୍ନର ଅଂଶବିଶେଷ । ଏବଂ ଏଥିପାଇଁ ଯେଉଁ ମଜଭୁତ ମୂଳଦୁଆର ଆରମ୍ଭ ସର୍ଦ୍ଦାର ସାହେବ କରିଥିଲେ ତାହା ଗତ 70 ବର୍ଷ ଧରି ଏହାର କ୍ରମିକ ବିକାଶ କରୁଛି । ଏବେ ସମୟ ବଦଳିଛି, ସ୍ୱପ୍ନ ବଦଳିଛି, ଉଦ୍ଦେଶ୍ୟ ବଦଳିଛି, ଅପେକ୍ଷା ବଦଳିଛି, ଆବଶ୍ୟକତା ବଦଳିଛି । ଏପରି ସମୟରେ ଆମେ ମଧ୍ୟ ଗତ ଶତାବ୍ଦୀର ଚିନ୍ତାଧାରା ମାଧ୍ୟମରେ ଏକବିଂଶ ଶତାବ୍ଦୀର ନୂତନ ଭାରତ ନିର୍ମାଣ କରିପାରିବା ନାହିଁ, ଆମ ଚିନ୍ତାଧାରା ମଧ୍ୟ ଏକବିଂଶ ଶତାବ୍ଦୀର ହେବା ଆବଶ୍ୟକ ଏବଂ ସର୍ଦ୍ଦାର ସାହେବଙ୍କ ଆଶୀର୍ବାଦରୁ ଆମେ ଏହାକୁ ସାକାର କରିବା ପାଇଁ ନିଜକୁ ସଜ୍ଜିତ କରିବାକୁ ପଡିବ, ନିଜକୁ ସମର୍ପିତ କରିବାକୁ ପଡିବ, ନିଜର ପ୍ରୟାସ ମାଧ୍ୟମରେ ପରିବର୍ତ୍ତନ ଆଣିବାକୁ ହିଁ ପଡିବ । ନୂତନ ଭାରତ ନିର୍ମାଣ କରିବାର ସ୍ୱପ୍ନ ପ୍ରତ୍ୟେକ ହିନ୍ଦୁସ୍ତାନୀର ରହିଛି, ମାତ୍ର ଆମମାନଙ୍କର ଦାୟିତ୍ୱବୋଧ କିଛି ଅଧିକ ରହିଛି । ଏହି ଦାୟିତ୍ୱ ପାଇଁ ନିଜକୁ ଯୋଗ୍ୟ କରନ୍ତୁ ।

ଏହି ସର୍ଦ୍ଦାର ସାହେବଙ୍କ ପ୍ରତିମୂର୍ତ୍ତିକୁ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ଲୋକ ଜାଣନ୍ତି, ମାତ୍ର ଆମମାନଙ୍କ ପାଇଁ ଏହା କେବଳ ଉଚ୍ଚ ନୁହେଁ, ଆଗାମୀ ଶତାବ୍ଦୀ ପାଇଁ ଏହା ପ୍ରେରଣା ପ୍ରଦାନ କରୁଥିବା ପ୍ରତିମା । ଆଗାମୀ ଶତାବ୍ଦୀ ପାଇଁ ପ୍ରେରଣା ପ୍ରଦାନ କରୁଥିବା ପ୍ରତିମୂର୍ତ୍ତିରୁ ଆମେ ପ୍ରେରଣା ଗ୍ରହଣ କରି, ମୁଣ୍ଡ ନୁଆଁଇ, ତାଙ୍କ ଆଦର୍ଶରେ ଚାଲିବାର ସଂକଳ୍ପ ନେଇ, ଏହି ନର୍ମଦା ମାତ୍ରାଙ୍କ ଆଶୀର୍ବାଦ ନେଇ, ମା’ ନର୍ମଦାଙ୍କ ପବିତ୍ର ଧାରାର ଏହି ପବିତ୍ର ଛାୟାରେ ସଂକଳ୍ପକୁ ଅଧିକ ମଜଭୁତ କରି ଆମେ ଏଠାରୁ ପ୍ରସ୍ଥାନ କରିବା । ଏହି ଆଶା ସହିତ ଆପଣମାନଙ୍କୁ ମୋର ଅନେକ-ଅନେକ ଶୁଭକାମନା ।

ଆପଣମାନଙ୍କୁ ସମସ୍ତଙ୍କୁ ଅନେକ-ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Prime Minister Abiy Ahmed Ali and Prosperity Party on electoral victory
June 23, 2026

Prime Minister Shri Narendra Modi congratulated Prime Minister Abiy Ahmed Ali and the Prosperity Party on their decisive victory in the Ethiopian parliamentary elections.

The Prime Minister noted that India deeply cherishes its historic, multifaceted and deep-rooted ties with Ethiopia. Recalling his visit to Ethiopia last year, he expressed his desire to work closely with Prime Minister Abiy Ahmed Ali to further strengthen the India-Ethiopia Strategic Partnership and the bonds of friendship between the peoples of the two countries.

Shri Modi posted on X;

Heartiest congratulations to my friend, Prime Minister Abiy Ahmed Ali and the Prosperity Party for a decisive victory in the Ethiopian parliamentary elections.

India greatly cherishes its historic, multifaceted and deep-rooted ties with Ethiopia. I fondly recall my visit to Ethiopia last year and look forward to working closely together to further strengthen our Strategic Partnership and the bonds of friendship between our peoples.

@AbiyAhmedAli